ଅର୍ଥ ମନ୍ତ୍ରଣାଳୟ
ଭାରତର ବାସ୍ତବ ସାମଗ୍ରିକ ଘରୋଇ ଉତ୍ପାଦ (ଜି.ଡି.ପି.) ୨୦୨୫-୨୬ ଆର୍ଥିକ ବର୍ଷରେ ୭.୪ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳିତ, ନାମମାତ୍ର ଜି.ଡି.ପି ଅଭିବୃଦ୍ଧି ଛୁଇଁବ ୮ ପ୍ରତିଶତ
ପୋଷ୍ଟ କରାଯିବା ଦିନାଙ୍କ:
01 FEB 2026 12:36PM by PIB Bhubaneshwar
- ୨୦୨୬-୨୭ ଆର୍ଥକ ବର୍ଷ ନିମନ୍ତେ ବଜେଟରେ ନାମମାତ୍ର ଜି.ଡି.ପି ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଆଗୁଆ ଆକଳନ ତୁଳନାରେ ୧୦.୦ ପ୍ରତିଶତ ବୃଦ୍ଧି ଘଟିବାର ଆକଳନ
- ସେବା କ୍ଷେତ୍ର ଅଭିବୃଦ୍ଧିର ପ୍ରାଥମିକ ବାହକ ରୂପେ ବଳକା ରହିଛି, ବୃଦ୍ଧି ପାଇଛି ୯.୧ ପ୍ରତିଶତ
- ଆର୍ଥିକ କମିଶନ ରୁଟ୍ ମାଧ୍ୟମରେ ରାଜ୍ୟମାନଙ୍କ ସହିତ ଅଂଶୀଦାର କରାଯାଇଥିବା ମୋଟ ସମ୍ବଳ୨୦୨୬-୨୭ ଆର୍ଥିକ ବର୍ଷରେ ୧୬.୫୬ ଲକ୍ଷ କୋଟି ଟଙ୍କା ଛୁଇଁବ ବୋଲି କରାଯାଇଛି ଆକଳନ
- ଟିକସ ବିନିଯୋଗ (୧୫.୨୬ ଲକ୍ଷ କୋଟି ଟଙ୍କା) ଏବଂ ଆର୍ଥିକ ବର୍ଷ ନିମନ୍ତେ ଆର୍ଥିକ ଅନୁଦାନ (୧.୪ ଲକ୍ଷ କୋଟି ଟଙ୍କା) ସମେତ ୨୦୨୬-୨୭ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ପ୍ରଭାବୀ ପୁଂଜି ବ୍ୟୟ ୧୭.୧୫ ଲକ୍ଷ କୋଟି ଟଙ୍କା ହେବାର ଆକଳିତ, ଯାହାକି ସାମଗ୍ରିକ ଘରୋଇ ଉତ୍ପାଦର ୪.୪ ପ୍ରତିଶତ
- କେନ୍ଦ୍ର ସରକାରଙ୍କ ପ୍ରଭାବୀ ପୁଂଜି ବ୍ୟୟରେ ଭାରତ ସରକାରଙ୍କ ପୁଂଜି ବ୍ୟୟ (୧୨.୨୨ ଲକ୍ଷ କୋଟି ଟଙ୍କା) ଏବଂ ପୁଂଜି ସମ୍ପତ୍ତି ସୃଜନ ନିମନ୍ତେ ରାଜ୍ୟମାନଙ୍କୁ ସହାୟକ ଅନୁଦାନ ପରିମାଣ (୪.୯୩ ଲକ୍ଷ କୋଟି ଟଙ୍କା ) ସାମିଲ
- ୨୦୨୬-୨୭ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ଋଣ ସାମଗ୍ରିକ ଘରୋଇ ଉତ୍ପାଦର ୫୫.୬ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି ୨୦୨୫-୨୬ ଆର୍ଥିକ ବର୍ଷରେ ୫୬.୧ ପ୍ରତିଶତ ରହିଥିଲା
- ବ୍ୟକ୍ତିଗତ ଚୂଡ଼ାନ୍ତ ଉପଭୁକ୍ତି ବ୍ୟୟ (ପି.ଏଫ.ସି.ଇ.) ୭ ପ୍ରତିଶତ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଇଛି ଏବଂ ତାହା ସାମଗ୍ରିକ ଘରୋଇ ଉତ୍ପାଦର ୬୧.୫ ପ୍ରତିଶତ ହେବ- ଆର୍ଥିକ ବର୍ଷ ୨୦୧୨ ପରଠାରୁ ଏହା ସର୍ବୋଚ୍ଚ ବ୍ୟୟ
- ଏଫ.ଆଇ.ଆର.ରେ ମୋଟ ସ୍ଥିର ପୁଂଜି ଗଠନ (ଜି.ଏଫ.ସି.ଏଫ.) ୭.୮ ପ୍ରତିଶତ ବୃଦ୍ଧି ପାଇଛି
- ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ଆର୍ଥିକ ନିଅଣ୍ଟ ମାତ୍ରା ୪.୪ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି
- ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ରାଜସ୍ୱ ନିଅଣ୍ଟ ୧.୫ ପ୍ରତିଶତ ହେବାର ଅନୁମାନ କରାଯାଇଛି । ସେହିଭଳି ୨୦୨୬-୨୭ ନିମନ୍ତେ ପ୍ରଭାବୀ ରାଜସ୍ୱ ନିଅଣ୍ଟ ୦.୩ ପ୍ରତିଶତ ହେବାର ଅନୁମାନ କରାଯାଏ
- ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ମୋଟ ଟିକସ ରାଜସ୍ୱ ସାମଗ୍ରିକ ଘରୋଇ ଉତ୍ପାଦର ୧୧.୨ ପ୍ରତିଶତ ହେବାର ଅନୁମାନ କରାଯାଏ
- ଚଳିତ ଆକାଉଣ୍ଟ ନିଅଣ୍ଟ ଆର୍ଥିକ ବର୍ଷ ୨୦୨୫ର ପ୍ରଥମାର୍ଦ୍ଧରେ ୧.୩ ପ୍ରତିଶତରୁ କମି ଆର୍ଥିକ ବର୍ଷ ୨୦୨୬ର ପ୍ରଥମାର୍ଦ୍ଧରେ ଜି.ଡି.ପିର ୦.୮ ପ୍ରତିଶତ ହୋଇଛି
- ଭାରତର ମୋଟ ରପ୍ତାନୀ ପରିମାଣ ୨୦୨୫ ଆର୍ଥିକ ବର୍ଷରେ ୮୨୫.୩ ବିଲିୟନ ଆମେରିକୀୟ ଡଲାର ଛୁଇଁଛି, ବୈଶ୍ୱିକ ଅନିଶ୍ଚିତ ଶୁଳ୍କ ପରିସ୍ଥିତି ସତ୍ତ୍ୱେ ୨୦୨୫ ଆର୍ଥିକ ବର୍ଷରେ ମୋଟ ବିଦେଶୀ ପ୍ରତ୍ୟକ୍ଷ ପୁଂଜି ନିବେଶ (ଏଫ.ଡି.ଆଇ.) ପରିମାଣ ୮୧.୦ ବିଲିୟନ ଡଲାର ଛୁଇଁଛି ।
ଭାରତ ଆର୍ଥିକ ଅଭିବୃଦ୍ଧି ଆଭିମୁଖ୍ୟ ସକାରାତ୍ମକ ରହିଛି ଏବଂ ଏହାକୁ ସୁଦୃଢ଼ ଘରୋଇ ଚାହିଦା, ସାଂରଚନିକ ସଂସ୍କାର ଏବଂ ସ୍ଥିର ମାଇକ୍ରୋ ଇକୋନୋମିକ୍ ବାତାବରଣ ସକାରାତ୍ମକ ସମର୍ଥନ ଯୋଗାଇଛି । ଗୋଟିଏ ବର୍ଷରେ ଦେଶକୁ ତିନି ତିନିଟି ସାର୍ବଭୌମ ମୂଲ୍ୟାଙ୍କନ ଉନ୍ନତି ପ୍ରାପ୍ତ ହୋଇଛି । କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ବଜେଟ ଉପସ୍ଥାପନ କରିବା ସମୟରେ ଏହି ବିଷୟ ପ୍ରକାଶ କରିଛନ୍ତି । ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ସୂଚାଇଛନ୍ତି ଯେ ବଜେଟ ସହିତ ରଖାଯାଇଥିବା ମାଇକୋ ଇକୋନୋମିକ୍ ଢାଞ୍ଚା ବିବୃତ୍ତି ଏବଂ ମଧ୍ୟବର୍ତ୍ତୀ ଆର୍ଥିକ ନୀତି ସହିତ ମୌଦ୍ରିକ ନୀତିର ରଣନୀତି ଅନୁସାରେ ମୁଦ୍ରାସ୍ଫୀତି ଆଭିମୁଖ୍ୟ ବେଶ୍ ସକାରାତ୍ମକ ରହିଛି । ବଜେଟ ପେପରରେ ଆହୁରି କୁହାଯାଇଛି ଯେ ସାର୍ବଜନୀନ ପୁଂଜି ନିବେଶ, ନିୟନ୍ତ୍ରଣରୁ ମୁକ୍ତି, ଶ୍ରମ ବଜାରରେ ଆସିଥିବା ସଂସ୍କାର, ମାନବ ସମ୍ବଳରେ ନିବେଶ, ଟିକସ ସଂସ୍କାର, ଡିଜିଟାଲ ରୂପାନ୍ତର ଏବଂ ଅର୍ଥବ୍ୟବସ୍ଥାର ଆନୁଷ୍ଠାନିକରଣ ଅର୍ଥନୀତିକୁ ଏକ ଉଚ୍ଚ ଅଭିବୃଦ୍ଧିର ମାର୍ଗରେ ପରିଚାଳିତ କରିବାର ଆଶା ସୃଷ୍ଟି କରିଛି । କର୍ପୋରେଟ ଏବଂ ଆର୍ଥିକ କ୍ଷେତ୍ରରେ ମଜଭୁତ ବାଲାନ୍ସସିଟ୍ ମଧ୍ୟ ଘରୋଇ କ୍ଷେତ୍ରର ନିବେଶ ବୃଦ୍ଧି ଦ୍ୱାରା ଅଭିବୃଦ୍ଧିର ଏକ ସକାରାତ୍ମକ ଚକ୍ରକୁ ଆଗକୁ ଚଳାଇ ରଖିବ ବୋଲି ଦୃଢ଼ ଆଶା ପ୍ରକଟ କରାଯାଇଛି ।
ମାକ୍ରୋ-ଅର୍ଥନୈତିକ ଢାଞ୍ଚାର ବ୍ୟାଖ୍ୟା
ଆର୍ଥିକ ଅଭିବୃଦ୍ଧି
ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ପ୍ରଥମ ଅଗ୍ରୀମ ଆକଳନ ରିପୋର୍ଟ ଅନୁସାରେ ଭାରତର ବାସ୍ତବ ସାମଗ୍ରିକ ଘରୋଇ ଉତ୍ପାଦ (ଜି.ଡି.ପି.) ୨୦୨୫-୨୬ ଆର୍ଥକ ବର୍ଷରେ ୭.୪ ପ୍ରତିଶତ ବୃଦ୍ଧି ପାଇବାର ଆକଳନ କରାଯାଇଛି । ଏଥିରେ ନାମମାତ୍ର ସାମଗ୍ରିକ ଘରୋଇ ଉତ୍ପାଦ (ଜି.ଡି.ପି.) ଅଭିବୃଦ୍ଧି ମାତ୍ରା ୮ ପ୍ରତିଶତ ହେବ । ସେହିଭଳି ସେବା କ୍ଷେତ୍ର ପ୍ରାଥମିକ ଅଭିବୃଦ୍ଧିର ବାହକ ସ୍ଥାନରେ ରହିଛି ଏବଂ ଏଥିରେ ୯.୧ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଉତ୍ପାଦନ ଏବଂ ନିର୍ମାଣ କ୍ଷେତ୍ରରେ ୭ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି । କୃଷି କ୍ଷେତ୍ରର ଅଭିବୃଦ୍ଧି ମାତ୍ରା ୩.୧ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି । ୨୦୨୬-୨୭ ଆର୍ଥିକ ବର୍ଷର ବଜେଟରେ, ନାମମାତ୍ର ଜି.ଡି.ପି. ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଆଗୁଆ ଆକଳନ ତୁଳନାରେ ୧୦.୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି ।
ଉପଭୁକ୍ତି ଏବଂ ନିବେଶ
ଦେଶରେ ଘରୋଇ ଉପଭୋକ୍ତାମାନଙ୍କ ଚାହିଦା ବୃଦ୍ଧି ପାଇ ଚାଲିଛି । ଘରୋଇ ଚୂଡ଼ାନ୍ତ ବ୍ୟବହାର ବ୍ୟୟ (ପି.ଏଫ.ସି.ଇ.) ୭ ପ୍ରତିଶତ ବୃଦ୍ଧି ପାଇବାର ଆକଳନ କରାଯାଇଛି, ଯାହାକି ସାମଗ୍ରିକ ଘରୋଇ ଉତ୍ପାଦ (ଜି.ଡି.ପି.)ର ୬୧.୫ ପ୍ରତିଶତ ଅଟେ । ଆର୍ଥିକ ବର୍ଷ ୨୦୧୨ ପରଠାରୁ ଏହା ସର୍ବୋଚ୍ଚ ସ୍ତର ବୋଲି ଜଣାପଡ଼ିଛି । ସରକାରୀ ଚୂଡ଼ାନ୍ତ ଉପଭୁକ୍ତି ବ୍ୟୟ ମଧ୍ୟ ୨୦୨୬ ଆର୍ଥିକ ବର୍ଷରେ ୫.୨ ପ୍ରତିଶତ ବାର୍ଷିକ ଅଭିବୃଦ୍ଧି ସହିତ ଦୃଢ଼ ଭାବରେ ପୁନର୍ବାର ବୃଦ୍ଧି ପାଇବାର ଆକଳନ କରାଯାଇଛି ଏବଂ ୨୦୨୫ ଆର୍ଥିକ ବର୍ଷରେ ତାହା ୨.୩ ପ୍ରତିଶତ ଥିଲା । ୟୁ.ପି.ଆଇ. କାରବାର, ବିମାନ ଏବଂ ରେଳ ଚଳାଚଳ ବ୍ୟବସ୍ଥା, ଇ-ୱେ ବିଲ୍ ଆଦି ଭଳି ଉଚ୍ଚ ଫ୍ରିକ୍ୱେନ୍ସି ସୂଚକଗୁଡ଼ିକ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଉପଭୁକ୍ତିରେ ନିରନ୍ତର ଗତିକୁ ପ୍ରତିଫଳିତ କରୁଛି । ସେହିଭଳି ଦେଶରେ ନିବେଶ କାର୍ଯ୍ୟ ବେଶ୍ ମଜଭୁତ ସ୍ଥିତିରେ ରହିଛି । ମୋଟ ସ୍ଥିର ପୁଂଜିନ ଗଠନ (ଜି.ଏଫ.ସି.ଏଫ.) ୨୦୨୬ ଆର୍ଥିକ ବର୍ଷରେ ୭.୮ ପ୍ରତିଶତ ବୃଦ୍ଧି ପାଇଛି ଯାହାକି ପୂର୍ବ ବର୍ଷ ତୁଳନାରେ ଅଧିକ ବୋଲି ଜଣାପଡ଼ିଛି । ଏହାଛଡ଼ା, ଜି.ଏଫ.ସି.ଏଫ.ର ଅଂଶ ବିଗତ ତିନିବର୍ଷ ଧରି ସାମଗ୍ରିକ ଘରୋଇ ଉତ୍ପାଦର ପ୍ରାୟ ୩୦ ପ୍ରତିଶତରେ ସ୍ଥିର ରହିଆସିଛି ।
ବାହ୍ୟ କ୍ଷେତ୍ର
ଭାରତର ମୋଟ ବୈଦେଶିକ ରପ୍ତାନୀ (ଉଭୟ ପଣ୍ୟସାମଗ୍ରୀ ଏବଂ ସେବା) ୨୦୨୫ ଆର୍ଥିକ ବର୍ଷରେ ୮୨୫.୩ ବିଲିୟନ ଆମେରିକୀୟ ଡଲାର ଛୁଇଁଛି । ୨୦୨୬ ଆର୍ଥିକ ବର୍ଷରେ ଏହି ଗତି ଜାରି ରହିବ ବୋଲି ଜଣାପଡ଼ିଛି । ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱାରା ଲାଗୁ ହୋଇଥିବା ଟାରିଫ୍ ସତ୍ତ୍ୱେ, ବାଣିଜ୍ୟ ରପ୍ତାନୀ ମାତ୍ରାରେ ୨.୪ ପ୍ରତିଶତ ଅଭିବୃଦ୍ଧି ହାସଲ କରାଯାଇଛି (ଏପ୍ରିଲ -ଡିସେମ୍ବର ୨୦୨୫) ଯେତେବେଳେ କି ସେବା ରପ୍ତାନୀ ୬.୫ ପ୍ରତିଶତ ବୃଦ୍ଧି ପାଇଛି । ଏପ୍ରିଲ-ଡିସେମ୍ବର ୨୦୨୫ ନିମନ୍ତେ ବାଣିଜ୍ୟ ଆମଦାନୀ ମାତ୍ରା ୬.୯ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିଭଳି ଆର୍ଥିକ ବର୍ଷ ୨୦୨୫ରେ ମୋଟ ବିଦେଶୀ ପ୍ରତ୍ୟକ୍ଷ ପୁଂଜି ନିବେଶ (ଏଫ.ଡି.ଆଇ.) ପ୍ରବାହ ୮୧.୦ ବିଲିୟନ ଆମେରିକୀୟ ଡଲାର ହୋଇ ଏକ ସର୍ବକାଳୀନ ରେକର୍ଡ ସୃଷ୍ଟି କରାଯାଇଛି ଏବଂ ଆର୍ଥିକ ବର୍ଷ ୨୦୨୬ରେ ଏହି ଗତି ଆହୁରି ସୁଦୃଢ଼ ହେବ ଯାହା ଯେକୌଣସି ଆର୍ଥିକ ବର୍ଷର ପ୍ରଥମ ସାତ ମାସ ମଧ୍ୟରେ ସର୍ବାଧିକ ପୁଂଜି ପ୍ରବାହ ବୋଲି ରେକର୍ଡ କରାଯାଇଛି । ଆର୍ଥିକ ବର୍ଷ ୨୦୨୬ର ପ୍ରଥମ ଭାଗରେ ଚଳନ୍ତି ଖାତା ନିଅଣ୍ଟ ସାମଗ୍ରିକ ଘରୋଇ ଉତ୍ପାଦ (ଜି.ଡି.ପି.)ର ୦.୮ ପ୍ରତିଶତକୁ ହ୍ରାସ ପାଇଛି ।
ମଧ୍ୟବର୍ତ୍ତୀ ଅବଧି ଆର୍ଥିକ ନୀତି ସହିତ ରଣନୀତିକ ବିବୃତି
ଆର୍ଥିକ ସୂଚକାଂକ
କେନ୍ଦ୍ର ବଜେଟ ୨୦୨୬-୨୭ ବଜେଟ ୨୦୨୫-୨୬ ଏବଂ ବଜେଟ ୨୦୨୪-୨୫ (ନିୟମିତ)ରେ ସୂଚୀତ ଋଣ ପ୍ରବାହ ମାର୍ଗକୁ ଏହାର ଆର୍ଥିକ ନିୟନ୍ତ୍ରକ ଭାବରେ ଧାରଣ କରିଛି ଏବଂ ୨୦୨୧-୨୨ ଆର୍ଥିକ ବର୍ଷରେ ଘୋଷିତ ଏବଂ ଜାରି ରହିଥିବା ଆର୍ଥିକ ସମାଯୋଜନାର ପୃଷ୍ଠଭୂମିରେ ଏହା ଉପସ୍ଥାପିତ ହୋଇଛି, ଯାହା ଆର୍ଥିକ ସତର୍କତା ସହିତ କୌଣସି ସାଲିସ ନକରି ବିକାଶ ପ୍ରାଥମିକତାକୁ ସନ୍ତୁଳିତ କରିବା ନିମନ୍ତେ ଆବଶ୍ୟକ ସମ୍ବଳ ଉପଲବ୍ଧ କରିବା ସକାଶେ ଏକ ସୁଦୃଢ଼ ମୂଳଦୁଆ ପ୍ରଦାନ କରିଛି । ୨୦୨୧-୨୨ ଆର୍ଥିକ ବର୍ଷର ବଜେଟର ଘୋଷଣା ଅନୁସାରେ ସରକାର ଆର୍ଥିକ ବର୍ଷ ୨୦୨୫-୨୬ରେ ସାମଗ୍ରିକ ଘରୋଇ ଉତ୍ପାଦର ୪.୫ ପ୍ରତିଶତ ନିମ୍ନରେ ଆର୍ଥିକ ନିଅଣ୍ଟକୁ ପହଞ୍ଚାଇବା ଉଦ୍ଦେଶ୍ୟକୁ ସାକାର କରିଛନ୍ତି । ସେହିଭଳି ଅଭିବୃଦ୍ଧିକୁ ଜାରି ରଖିବା ସକାଶେ, କେନ୍ଦ୍ର ସରକାରଙ୍କ ଋଣକୁ ହ୍ରାସ ପଥରେ ପହଞ୍ଚାଇବା ଭଳି ଅଭିମୁଖ୍ୟ ଗ୍ରହଣ କରିବା ସରକାରଙ୍କ ଲକ୍ଷ୍ୟ ହେବ । ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ସଂଶୋଧିତ ଆକଳନ (ଆର.ଇ.)ରେ ସାମଗ୍ରିକ ଘରୋଇ ଉତ୍ପାଦର ପ୍ରତିଶତ ରୂପେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଆର୍ଥିକ ସୂଚକାଂକଗୁଡ଼ିକୁ ନିମ୍ନ ସାରଣୀରେ ସଂକ୍ଷେପରେ ପ୍ରଦାନ କରାଯାଇଛି ।
ପ୍ରାପ୍ତି
୨୦୨୬-୨୭ ଆର୍ଥିକ ବର୍ଷରେ ମୋଟ ଟିକସ ରାଜସ୍ୱ (ଜି.ଟି.ଆର.) ୪୪.୦୪ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ୨୦୨୫-୨୬ ଆର୍ଥିକ ବର୍ଷ ତୁଳନାରେ ଏହା ୮.୦ ପ୍ରତିଶତ ଅଭିବୃଦ୍ଧିକୁ ଉପସ୍ଥାପନ କରେ । ୨୬.୯୭ ଲକ୍ଷ କୋଟି ଟଙ୍କାର ପ୍ରତ୍ୟକ୍ଷ ଟିକସ ହେଉଛି (ଜି.ଟି.ଆରର ୬୧.୨ ପ୍ରତିଶତ)ର ମୁଖ୍ୟ ଅବଦାନ । ପରୋକ୍ଷ ଟିକସ ୧୭.୦୭ ଲକ୍ଷ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ୨୦୨୬-୨୭ ଆର୍ଥିକ ବର୍ଷରେ ଜି.ଟି.ଆରରୁ ଜି.ଡି.ପି ଅନୁପାତ ୧୧.୨ ପ୍ରତିଶତ ହେବାର ମଧ୍ୟ ଅନୁମାନ କରାଯାଇଛି । ୨୦୨୬-୨୭ ଆର୍ଥିକ ବର୍ଷର ବଜେଟରେ ଷୋଡଶ ଅର୍ଥ କମିଶନ (ଏସ.ଏଫ.ସି.)ର ସୁଫଳ ପ୍ରାପ୍ତି ଅବଧିର ଆରମ୍ଭ ବର୍ଷ । ଏସ.ଏଫ.ସି ରାଜ୍ୟଗୁଡ଼ିକ ବିଭାଜିତ ପୁଲର ୪୧ ପ୍ରତିଶତ ଅଂଶରେ ବିଭାଜିତ ଅଂଶ ରଖିବା ସକାଶେ କମିଶନ ସୁପାରିଶ କରିଛନ୍ତି । ଟିକସ ରାଜସ୍ୱ (କେନ୍ଦ୍ରକୁ ନିଟ) ୨୮.୬୭ ଲକ୍ଷ କୋଟି ଟଙ୍କା ହେବାର ଅନୁମାନ କରାଯାଇଛି । ୨୦୨୬-୨୭ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ଏନ.ଟି.ଆର ୬.୬୬ ଲକ୍ଷ କୋଟି ଟଙ୍କା ହେବର ଆକଳନ କରାଯାଏ । କେନ୍ଦ୍ର ସରକାରଙ୍କ ରାଜସ୍ୱ ପ୍ରାପ୍ତ ( ଯେଉଁଥିରେ କର ରାଜସ୍ୱ (କେନ୍ଦ୍ରକୁ ନିଟ୍) ଏବଂ ଅଣ- କର ରାଜସ୍ୱ (ଏନ.ଟି.ଆର) ସାମିଲ) ତାହା ୩୫.୩୩ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ରାଜସ୍ୱ ପ୍ରାପ୍ତି ଆକଳନରୁ ଜଣାପଡ଼ିଛି ଯେ ୨୦୨୫-୨୬ ଆର୍ଥିକ ବର୍ଷର ଆନୁଷ୍ଠାନିକ ବଜେଟ ତୁଳନାରେ ଏହା ୫.୭ ପ୍ରତିଶତ ବୃଦ୍ଧି ପାଇବ ।
ବ୍ୟୟ
୨୦୨୬-୨୭ ଆନୁଷ୍ଠାନିକ ବଜେଟରେ କେନ୍ଦ୍ର ସରକାର ମୋଟ ୫୩.୪୭ ଲକ୍ଷ କୋଟି ଟଙ୍କା (ଯାହା ଜିଡିପିର ୧୩.୬ ପ୍ରତିଶତ) ହେବ ବୋଲି ଆକଳନ କରାଯାଇଛି ଏବଂ ଏହା ୨୦୨୫-୨୬ ଆର୍ଥିକ ବର୍ଷର ଆନୁଷ୍ଠାନିକ ବଜେଟ ତୁଳନାରେ ୪୯.୬୫ ଲକ୍ଷ କୋଟି ଟଙ୍କା (୭.୭ ପ୍ରତିଶତ) ଅଧିକ ବୋଲି ଦର୍ଶାଯାଇଛି । ୨୦୨୬-୨୭ ଆର୍ଥିକ ବର୍ଷର ବଜେଟରେ ପୁଂଜି ବ୍ୟୟ ନିମନ୍ତେ ୧୨.୨୨ ଲକ୍ଷ କୋଟି ଟଙ୍କା (ଯାହା ସାମଗ୍ରିକ ଘରୋଇ ଉତ୍ପାଦର ୩.୧ ପ୍ରତିଶତ) ବୋଲି ଅନୁମାନ କରାଯାଇଛି । ଏଥିରେ ୨.୦ ଲକ୍ଷ କୋଟି ଟଙ୍କା ବ୍ୟୟ ସହିତ ଏସ.ଏ.ଏସ.ସି.ଆଇ. (ପୁଂଜି ବ୍ୟୟ ନିମନ୍ତେ ରାଜ୍ୟମାନଙ୍କୁ ଋଣ ଭାବରେ ସ୍ୱତନ୍ତ୍ର ସହାୟତା ଯୋଗାଣ) ମାଧ୍ୟମରେ ରାଜ୍ୟମାନଙ୍କୁ ପୁଂଜି ସହାୟତା ସାମିଲ । କେନ୍ଦ୍ର ସରକାରଙ୍କ ପ୍ରଭାବୀ ପୁଂଜି ବ୍ୟୟରେ ଭାରତ ସରକାରଙ୍କ ପୁଂଜି ବ୍ୟୟ ଏବଂ ପୁଂଜିଗତ ସମ୍ପତ୍ତି ସୃଷ୍ଟି ନିମନ୍ତେ ଅନୁଦାନ ସହାୟତା ଅନ୍ତର୍ଭୁକ୍ତ । ଏକତ୍ର ଭାବରେ, ସେମାନେ ଏପରି ନିବେଶ ଗଠନ କରନ୍ତି ଯାହା ଅର୍ଥନୀତିର ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବା ସହିତ ଉନ୍ନତ ମଧ୍ୟ କରେ । ୨୦୨୬-୨୭ ଆର୍ଥିକ ବର୍ଷରେ ପୁଂଜିଗତ ସମ୍ପତ୍ତି ସୃଷ୍ଟି ନିମନ୍ତେ ଅନୁଦାନ ସହାୟତା ଅଧୀନରେ ଆବଣ୍ଟନ ୪.୯୩ ଲକ୍ଷ କୋଟି ଟଙ୍କା (ଅଥବା ସାମଗ୍ରିକ ଘରୋଇ ଉତ୍ପାଦ ୧.୩ ପ୍ରତିଶତ) ଆକଳନ କରାଯାଇଛି । ଅତଏବ, ୨୦୨୬-୨୭ ଆର୍ଥିକ ବର୍ଷରେ ପ୍ରଭାବୀ ପୁଂଜି ବ୍ୟୟ ୧୭.୧୫ ଲକ୍ଷ କୋଟି ଟଙ୍କା ( ଅଥବା ସାମଗ୍ରିକ ଘରୋଇ ଉତ୍ପାଦର ୪.୪ ପ୍ରତିଶତ) ବୋଲି ଆକଳନ କରାଯାଇଛି ।
ରାଜ୍ୟମାନଙ୍କୁ ଟିକସ ବିକ୍ରୟ ଏବଂ ଅର୍ଥ କମିଶନଙ୍କ ଅନୁଦାନ
ଷୋଡଶ ଅର୍ଥ କମିଶନଙ୍କ ସୁପାରିସ ଆଧାରରେ କେନ୍ଦ୍ର ସରକାର ଅର୍ଥ ଆୟୋଗ ଚକ୍ର ଅବଧିରେ ରାଜ୍ୟମାନଙ୍କୁ ଟିକସ ପ୍ରଦାନ କରିଥାଆନ୍ତି । ପୂର୍ବରୁ ଯାହା ଦର୍ଶାଯାଇଛି, ଏସ.ଏଫ.ସି. ବିଭାଜିତ ପୁଲରେ ରାଜ୍ୟମାନଙ୍କର ଅଂଶ ୪୧ ପ୍ରତିଶତ ରଖିବା ସକାଶେ ସୁପାରିଶ କରିଥିଲେ ଏବଂ ଏହି ସୁପାରିସକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି । ୨୦୨୬-୨୭ ଆର୍ଥିକ ବର୍ଷର ଆର୍ଥିକ ଆକଳନରେ, ରାଜ୍ୟମାନଙ୍କ ଟିକସ ବିକ୍ରୟ ୧୫.୨୬ ଲକ୍ଷ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି, ଯାହାକି ୨୦୨୫-୨୬ ଆର୍ଥିକ ବର୍ଷରେ ଆକଳନ ଅନୁସାରେ ୧୩.୯୩ ଲକ୍ଷ କୋଟି ଟଙ୍କା ଥିଲା । ଏଥିରେ ପୂର୍ବ ବର୍ଷ ବର୍ଷମାନଙ୍କର ଆର୍ଥିକ ଆକଳନ ଅନୁଯାୟୀ ରାଜ୍ୟମାନଙ୍କ ଠାରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାପ୍ୟ ପାଇଁ ୯,୦୮୪.୦୨ କୋଟି ଟଙ୍କା ଅତିରିକ୍ତ ଭାବରେ ସାମିଲ । ୨୦୨୬-୨୭ ଆର୍ଥିକ ବର୍ଷର ଆର୍ଥିକ ଆକଳନ ଅନୁସାରେ ରାଜ୍ୟଗୁଡ଼ିକୁ ଟିକସ ବିକ୍ରୟ ଜି.ଡି.ପିର ୩.୯ ପ୍ରତିଶତ ଏବଂ ୨୦୨୫-୨୬ ଆର୍ଥିକ ବର୍ଷର ଆର୍ଥିକ ଆକଳନ (ପୂର୍ବ ବକେୟାକୁ ଏଥିରେ ସାମିଲ) ତୁଳନାରେ ୧.୩୩ ଲକ୍ଷ କୋଟି ଟଙ୍କା ଅଧିକ । ୨୦୨୬-୨୭ ଆର୍ଥିକ ବର୍ଷର ଆର୍ଥିକ ଆକଳନରେ ଅର୍ଥ କମିଶନଙ୍କ ଅନୁଦାନ ୧.୪ ଲକ୍ଷ କୋଟି ଟଙ୍କା ହେବ ବୋଲି ପୂର୍ବାନୁମାନ କରାଯାଇଛି । ଅତଏବ, ମୋଟ ସମ୍ବଳ ଅଂଶୀଦାର, ଟିକସ ବିକ୍ରୟ ଏବଂ ଆର୍ଥିକ ଅନୁଦାନ, ଅର୍ଥ କମିଶନଙ୍କ ମାଧ୍ୟମରେ ରାଜ୍ୟମାନଙ୍କୁ ୨୦୨୬-୨୭ ଆର୍ଥିକ ଆକଳନ ଅନୁସାରେ ୧୬.୫୬ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।
୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ମୌଦ୍ରିକ ରଣନୀତି
୨୦୨୬-୨୭ ଆର୍ଥିକ ବର୍ଷର ମୌଦ୍ରିକ ନୀତି ସମ୍ପର୍କୀତ ରଣନୀତି ୨୦୨୫-୨୬ ବଜେଟରେ ସୂଚୀତ ଋଣ ହ୍ରାସ ମାର୍ଗ ଦ୍ୱାରା ପରିଚାଳିତ ହେବ । ୨୦୩୦-୩୧ ଆର୍ଥିକ ବର୍ଷ ସୁଦ୍ଧା ଋଣରୁ ସାମଗ୍ରିକ ଘରୋଇ ଉତ୍ପାଦ ଅନୁପାତକୁ ୫୦:୧ ପ୍ରତିଶତରେ ପହଞ୍ଚାଇବା ନିମନ୍ତେ ମଧ୍ୟବର୍ତ୍ତୀକାଳୀନ ଲକ୍ଷ୍ୟ, ଯେଉଁଥିରେ ଆର୍ଥିକ ନିଅଣ୍ଟ କାର୍ଯ୍ୟକାରୀ ଲକ୍ଷ୍ୟ ଭାବରେ କାର୍ଯ୍ୟ କରିବ । ଉପର ବର୍ଣ୍ଣିତ ଲକ୍ଷ୍ୟ ଆଧାରରେ, ଏହା ଆକଳନ କରାଯାଇଛି ଯେ କେନ୍ଦ୍ର ସରକାର ଋଣରୁ ଜି.ଡି.ପି ଅନୁପାତ ୨୦୨୬-୨୭ ଆର୍ଥିକ ବର୍ଷରେ ସାମଗ୍ରିକ ଘରୋଇ ଉତ୍ପାଦ ୫୫.୬ ପ୍ରତିଶତ ହେବ ଏବଂ ଆର୍ଥିକ ନିଅଣ୍ଟ ଲକ୍ଷ୍ୟ ଜି.ଡି.ପିର ୪.୩ ପ୍ରତିଶତ ରହିବ । ଆର୍ଥିକ ରଣନୀତିର ଅନ୍ୟାନ୍ୟ ଦିଗଗୁଡ଼ିକ ମଧ୍ୟରେ ପୁଂଜି ବ୍ୟୟ ଉପରେ ନିରନ୍ତର ଧ୍ୟାନ ପ୍ରଦାନ ପୂର୍ବକ ଆର୍ଥିକ ଅଭିବୃଦ୍ଧିକୁ ସମର୍ଥନ କରିବା, ବିଶ୍ୱ ଆର୍ଥିକ ଘଟଣାଗୁଡ଼ିକର ପ୍ରତିକ୍ରିୟା ନିମନ୍ତେ ପର୍ଯ୍ୟାପ୍ତ ଆର୍ଥିକ ସ୍ଥାନ ଛାଡ଼ିବା ଏବଂ ବିକଶିତ ଭାରତ ଅଭିମୁଖେ ଯାତ୍ରା ଅବ୍ୟାହତ ରଖି ଦେଶ ନିରନ୍ତର ସମୃଦ୍ଧିକୁ ସୁନିଶ୍ଚିତ କରିବା ଲାଗି ଯୋଜନା କରିଛି । ଅନ୍ୟାନ୍ୟ ଦିଗଗୁଡ଼ିକ ମଧ୍ୟରେ କର ନୀତି, ବ୍ୟୟ ନୀତି, ସରକାରୀ ଋଣ ଏବଂ ପୁଂଜି ନିବେଶ ନୀତିରେ ସଂସ୍କାର ଆଦି ସାମିଲ ରହିଛି ।
********
(ରିଲିଜ ଆଡି: 2222051)
ପରିଦର୍ଶକ କାଉଣ୍ଟର : 31
ଏହି ରିଲିଜ ପଢନ୍ତୁ :
Tamil
,
Malayalam
,
Kannada
,
Bengali
,
Bengali-TR
,
English
,
Khasi
,
Urdu
,
Marathi
,
हिन्दी
,
Manipuri
,
Assamese
,
Punjabi
,
Gujarati
,
Telugu