ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଗୁଜରାଟର ଜାମନଗରରେ ୧୪୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ରକୁ ଲୋକାର୍ପଣ କଲେ


‘‘ଭବ୍ୟତା ଏବଂ ଐଶ୍ୱର୍ଯ୍ୟରେ ସ୍ମୃତି ବନ ୯/୧୧ କିମ୍ବା ହିରୋସୀମା ସ୍ମାରକଠାରୁ କୌଣସିଥିରେ କମ୍ ନୁହେଁ’’

‘‘କେଉଁଠି ନା କେଉଁଠି ପୋଲାଣ୍ଡ ସରକାରଙ୍କ ସହାୟତା ପଛରେ, ମହାରାଜା ଦିଗବିଜୟ ସିଂହଙ୍କ ସହାନୁଭୂତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି’’

‘‘ଗୁଜରାଟ ୫ଟି ପ୍ରମୁଖ ଭିତ୍ତି ଉପରେ ନୂଆ ଶୀର୍ଷ ଛୁଇଁବାରେ ଲାଗିଛି ଯଥା: ଜନଶକ୍ତି, ଜ୍ଞାନଶକ୍ତି, ଜଳଶକ୍ତି, ଉର୍ଜାଶକ୍ତି ଏବଂ ରକ୍ଷାଶକ୍ତି’’

‘‘ମାଆ ନର୍ମଦା ‘ସଉନି’ ସ୍କିମ୍ ଅଧୀନରେ ପ୍ରତ୍ୟେକ କୋଣାନୁକୋଣରେ ପହଞ୍ଚୁଛି’’

‘‘ମହାମାରୀର ପ୍ରତିକୂଳ ପରିସ୍ଥିତିରେ ୮୦ କୋଟିରୁ ଅଧିକ ଲୋକଙ୍କୁ ମାଗଣାରେ ରାସନ ପ୍ରଦାନ କରାଯାଇଛି’’

‘‘ଜାମନଗର ଏକ ବିନିର୍ମାଣ ଓ ତଟୀୟ ବିକାଶ ପେଣ୍ଠସ୍ଥଳୀ ଭାବେ ଉଭା ହେଉଛି’’

‘‘ପାଖାପାଖି ୩୩ ହଜାର ଅନୁପାଳନ ଓ ନିୟମକୁ ହଟାଇ ଦିଆଯାଇଛି’’

Posted On: 10 OCT 2022 8:32PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଜାମନଗରରେ ପ୍ରାୟ ୧୪୫୦ କୋଟି ଟଙ୍କା ମୂଲ୍ୟର ଜଳସେଚନ, ବିଦୁ୍ୟତ୍, ଜଳଯୋଗାଣ ଏବଂ ସହରୀ ଭିତ୍ତିଭୂମି ଭଳି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ରାଷ୍ଟ୍ରକୁ ଲୋକାର୍ପଣ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ କାଲାଭାଡ଼ର କାଲାଭାଡ଼ ଗ୍ରୁପ ଅଗମେଣ୍ଟେସନ ଜଳଯୋଗାଣ ଯୋଜନା/ଜାମନଗର ତାଲୁକା ମୋରବି-ମାଲିୟା-ଯୋଡିୟା ଗ୍ରୁପ ଅଗମେଣ୍ଟେସନ ଜଳଯୋଗାଣ ସ୍କିମ, ଲାଲପୁର ବାଇପାସ ଜଙ୍କସନ ଫ୍ଲାଏଓଭର ବ୍ରିଜ, ହାପା ମାର୍କେଟ ୟାର୍ଡ ରେଲୱେ କ୍ରସିଙ୍ଗ, ଏବଂ ସିୱର କଲେକସନ ପାଇପଲାଇନ ଓ ପମ୍ପିଙ୍ଗ ଷ୍ଟେସନର ନବୀକରଣ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ସୌରାଷ୍ଟ୍ର ଅବତାରନ ଇରିଗେସନ (ସଉନି) ଯୋଜନା ଲିଙ୍କ ୩ର ପ୍ୟାକେଜ ୭ (ଉଣ୍ଡ ଡ୍ୟାମରୁ ସୋନମତୀ ଡ୍ୟାମ), ସଉନି ଯୋଜନା ଲିଙ୍କ ୧ (ଉଣ୍ଡ-୧ ଡ୍ୟାମରୁ ସନି ଡ୍ୟାମ)ର ପ୍ୟାକେଜ ୫ ଏବଂ ହରିପର ୪୦ ମେଗାୱାଟ ସୋଲାର ପିଭି ପ୍ରକଳ୍ପକୁ ଉତ୍ସର୍ଗ କରିଛନ୍ତି ।

 

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଠିକଣାସ୍ଥଳକୁ ଗସ୍ତ ବେଳେ ଉଚ୍ଛ୍ୱସିତ ସ୍ୱାଗତ ଜଣାଇବା ଏବଂ ଆଶୀର୍ବାଦ ଦେବା ପାଇଁ ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜଳ, ବିଦୁ୍ୟତ ଏବଂ କନେକ୍ଟିଭିଟି ସଂକ୍ରାନ୍ତ ୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ ପାଇଁ ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ବାଲ୍ମୀକି ସମ୍ପ୍ରଦାୟର ଲୋକଙ୍କ ପାଇଁ ଏକ କମୁ୍ୟନିଟି ହଲ ନିମନ୍ତେ ଶିଳାନ୍ୟାସ କରାଯାଇଛି, ଯାହା କି ଏହି ଲୋକମାନଙ୍କୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ଉତ୍ସବ ଆୟୋଜନରେ ବିଶେଷ ଭାବେ ସହାୟକ ହୋଇପାରିବ ।

 

ଦୁଇ ଦଶନ୍ଧି ତଳେ ଭୂକମ୍ପ ଯୋଗୁ ହୋଇଥିବା ବିପର୍ଯ୍ୟୟ ବାବଦରେ ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି । ଭୂମିକମ୍ପ ଦ୍ୱାରା ହୋଇଥିବା ବିପର୍ଯ୍ୟୟ ଏବଂ ପ୍ରତିକୂଳ ସ୍ଥିତି ରାଜ୍ୟସାରା ନୈରାଶ୍ୟ ବାତାବରଣ ସୃଷ୍ଟି କରିଥିଲା । ତେବେ, ଆତ୍ମବିଶ୍ୱାସ ଏବଂ କଠିନ ପରିଶ୍ରମ ଦ୍ୱାରା, ଗୁଜରାଟ ପୁଣିଥରେ ଛିଡ଼ା ହୋଇଛି ଏବଂ ସବୁ ପ୍ରକାର ନିରାଶା ଭାବକୁ ହଟାଇ ଦେଶର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି । ପ୍ରଧାନମନ୍ତ୍ରୀ ଜାମନଗର ଲୋକମାନଙ୍କୁ କଚ୍ଛ ଭୂମିକମ୍ପ ପୀଡ଼ିତଙ୍କ ସ୍ମରଣରେ ସ୍ମୃତି ବନ ପରିଦର୍ଶନ କରି ସମ୍ମାନ ଜଣାଇବା ପାଇଁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ଭବ୍ୟତା ଏବଂ ଗମ୍ଭୀରତା ଦୃଷ୍ଟିରୁ ସ୍ମୃତି ବନ କୌଣସିଥିରେ ୯/୧୧ କିମ୍ବା ହିରୋସୀମା ସ୍ମାରକଠାରୁ କମ୍ ନୁହେଁ ।

 

ପ୍ରଧାନମନ୍ତ୍ରୀ ଜାମସାହେବ ମହାରାଜା ଦିଗବିଜୟ ସିଂହଙ୍କୁ ମନେପକାଇଛନ୍ତି ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ପୋଲାଣ୍ଡର ଲୋକଙ୍କ ପ୍ରତି ଥିବା ତାଙ୍କର ସହାନୁଭୂତିକୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହା ଏକ ଦୀର୍ଘମିଆଦ ବନ୍ଧନ ସୃଷ୍ଟି କରିଥିଲା, ଯାହା କି ୟୁକ୍ରେନରେ ସୃଷ୍ଟ ସଂକଟ ବେଳେ ଭାରତୀୟଙ୍କୁ ଉଦ୍ଧାର କାର୍ଯ୍ୟରେ ବେଶ ସହାୟକ ହୋଇପାରିଥିଲା । ସେ କହିଛନ୍ତି, ‘‘ପୋଲାଣ୍ଡ ସରକାରଙ୍କ ଏଭଳି ସହାୟତା ପଛରେ କେଉଁଠି ନା କେଉଁଠି ମହାରାଜା ଦିଗବିଜୟ ସିଂହଙ୍କ ସହାନୁଭୂତି ନିଶ୍ଚିତ ଏକ ବଡ଼ ଭୂମିକା ନିର୍ବାହ କରିଛି ।’’ ସେ କହିଛନ୍ତି ଯେ ଜାମସାହେବଙ୍କର ଏହି ସହରକୁ ନୂଆ ଉଚ୍ଚତାରେ ପହଞ୍ଚାଇବା ନେଇ ଏହା ଆମର ଉଦ୍ୟମ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କ୍ରିକେଟ କ୍ଷେତ୍ରରେ ଜାମନଗରର ଉଲ୍ଲେଖନୀୟ ଅବଦାନ ରହିଛି । ସୌରାଷ୍ଟ୍ରର ରଣଜୀ କ୍ରିକେଟ ଟିମ ୨୦୨୦ରେ ଟ୍ରଫି ଫେରିପାଇଥିଲା ଏବଂ ପ୍ରତ୍ୟେକଙ୍କୁ ଗୌରାବାନ୍ୱିତ କରିଥିଲା ।

 

ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଜଣାଇଛନ୍ତି ଯେ ୫ଟି ବିକାଶ ସଂକଳ୍ପ ଦ୍ୱାରା ଗୁଜରାଟ ରାଜ୍ୟର ସୁଦୃଢ଼ ମୂଳଦୁଆ ସୃଷ୍ଟି ହୋଇଥିଲା । ପ୍ରଥମ ସଂକଳ୍ପ ହେଉଛି ଲୋକଙ୍କର (ଜନ) ଶକ୍ତି, ଦ୍ୱିତୀୟଟି ହେଉଛି ଜ୍ଞାନଶକ୍ତି, ତୃତୀୟ ହେଉଛି ଜଳ ଶକ୍ତି, ଚତୁର୍ଥ ଉର୍ଜା ଶକ୍ତି ଏବଂ ଶେଷଟି ହେଉଛି ରକ୍ଷା ଶକ୍ତି । ଶ୍ରୀ ମୋଦି କହିଛନ୍ତି, ‘‘ଗୁଜରାଟ ଆଜି ଯେଉଁ ନୂଅଆ ଉଚ୍ଚତାରେ ପହଞ୍ଚିଛି, ତାହା ଏହି ୫ଟି ମୁଖ୍ୟ ମୂଳଦୁଆ ଉପରେ ପର୍ଯ୍ୟବସିତ ।’’

 

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ବର୍ତ୍ତମାନର ଯୁବପିଢ଼ି ଭାଗ୍ୟବାନ ଯେ ସେମାନେ ସେଭଳି କୌଣସି ସମସ୍ୟାର ସମ୍ମୁଖୀନ ହୋଇନାହାନ୍ତି, ଯାହା କି ୨୦-୨୫ ବର୍ଷ ପୂର୍ବେ ଉକ୍ତ ଅଞ୍ଚଳ ଏବଂ ରାଜ୍ୟରେ ରହିଥିଲା । ଦିନ ଥିଲା ଯେତେବେଳେ ଜଣେ ମୁଖ୍ୟମନ୍ତ୍ରୀ ଗୋଟିଏ ଭ୍ରମଣରେ ଆସି ଗୋଟିଏ ଜଳ ଟାଙ୍କି ଉଦଘାଟନ କରୁଥିଲେ । ଆଜିକା ଦିନରେ ବଜେଟ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପ ଥରକେ ଉଦଘାଟନ ହେଉଛି । ଇତିମଧ୍ୟରେ ଅନେକ ପରିବର୍ତ୍ତନ ଆସିଛି । ସେ କହିଛନ୍ତି, ଆଜି, ମାଆ ନର୍ମଦା ‘ସଉନି’ ସ୍କିମ ଜରିଆରେ ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ଚୁଛି । ସେହିଭଳି, ଜଳ ଜୀବନ ମିଶନ ପ୍ରତ୍ୟେକ ଘରକୁ ପାଇପ ଜଳ ଆଣୁଛି । କେନ୍ଦ୍ରୀୟ ସରକାରୀ ସ୍କିମକୁ ତ୍ୱରିତ ତଥା ସମର୍ପିତ ଭାବେ କାର୍ଯ୍ୟକାରୀ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଯେ ଗରିବଙ୍କ ମଙ୍ଗଳ ହେଉଛି ତାଙ୍କ ସରକାରର ପ୍ରାଥମିକତା । ସେ କହିଛନ୍ତି ଯେ ମହାମାରୀ ବେଳେ ପ୍ରଥମ ଚିନ୍ତା ଥିଲା ଯେ ଯେମିତି କୌଣସି ପରିବାର ଭୋକରେ ନ ରହିବ । ଭୋକରେ ନ ରହି ମହାମାରୀର ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ୮୦ କୋଟିରୁ ଅଧିକ ଲୋକଙ୍କୁ ମାଗଣା ରାସନ ପ୍ରଦାନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଚଳିତବର୍ଷ ଡିସେମ୍ବର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ସମ୍ପ୍ରସାରଣ କରାଯାଇଛି, ଯାହାଦ୍ୱାରା କୌଣସି ଗରିବ ପରିବାର ସେମାନଙ୍କ କଠିନ ସମୟରେ ଖାଲି ପେଟରେ ଶୋଇବ ନାହିଁ । ସେ ‘ଗୋଟିଏ ରାଷ୍ଟ୍ର ଗୋଟିଏ ରାସନ କାର୍ଡ’ର ଫାଇଦା ଉପରେ ମଧ୍ୟ ଆଲୋକପାତ କରିଥିଲେ ଏବଂ ଦର୍ଶାଇଥିଲେ ଯେ ଭାରତର ସବୁ ଅଞ୍ଚଳରୁ ଜାମନଗରକୁ ରହିବା ପାଇଁ ଆସୁଥିବା ଲୋକମାନେ ଏହି ସ୍କିମର ଫାଇଦା ପାଇପାରିବେ ।

 

ତୈଳ ବିଶୋଧନାଗାର ଏବଂ ଜାମନଗରର ତୈଳ ଅର୍ଥନୀତି ବାବଦରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ନାଗରିକ ଗର୍ବ ଅନୁଭବ କରିବେ ଯେ ଏହି ମାଟିରେ ଅଶୋଧିତ ତୈଳକୁ ବିଶୋଧନ କରାଯାଉଛି । ଶ୍ରୀ ମୋଦୀ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନ ସରକାର ରାଜ୍ୟର ଶିଳ୍ପ ଓ ଭିତ୍ତିଭୂମି ବିକାଶ ପାଇଁ ନିରନ୍ତର ଭାବେ କାର୍ଯ୍ୟ କରିଛନ୍ତି । ସହରର ପୂର୍ବ ଟ୍ରାଫିକ ସମସ୍ୟାକୁ ମନେ ପକାଇ ଶ୍ରୀ ମୋଦୀ କହିଛନ୍ତି ଯେ ନାଗରିକଙ୍କ ଜୀବନକୁ ସହଜ କରିବା ପାଇଁ ଯୋଜନାବଦ୍ଧ ସଡ଼କ, ଫ୍ଲାଏଓଭର ଏବଂ ଅଣ୍ଡରପାସ ସୃଷ୍ଟି ଜରିଆରେ କନେକ୍ଟିଭିଟି ବଢ଼ାଇବା ପାଇଁ କାର୍ଯ୍ୟ କରାଯାଇଛି । ସେ ଆହୁରି କହିଛନ୍ତି ଯେ ୨୬,୦୦୦ କୋଟି ଟଙ୍କା ବ୍ୟୟରେ ଅମୃତସର-ଭଟିଣ୍ଡା-ଜାମନଗର କରିଡର ନିର୍ମାଣ କରାଯାଉଛି । ଜାମନଗର ଏବେ ବିନିର୍ମାଣ ଏବଂ ତଟୀୟ ବିକାଶ ପେଣ୍ଠସ୍ଥଳ ଭାବେ ଉଭା ହେଉଛି । ଡବ୍ଲୁ୍ୟଏଚଓ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଟ୍ରାଡିସନାଲ ମେଡିସିନ୍ ମଧ୍ୟ ଜାମନଗରରେ ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ କରିଛି ଏବଂ ଏହା ଜାମନଗର ଆୟୁର୍ବେଦିକ ୟୁନିଭର୍ସିଟିର ମୁକୁଟ ସାଜିଛି । ଏହି ୟୁନିଭର୍ସିଟି ଏକ ଜାତୀୟ ୟୁନିଭର୍ସିଟି ଭାବେ ପରିଗଣିତ ହୋଇଥିବା ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜାମନଗର ଏକ କେନ୍ଦ୍ର ଭାବେ ଉଭା ହୋଇଛି, ଯାହା କି ଚୁଡ଼ି, ସିନ୍ଦୂର, ବନ୍ଧନୀ ଆଦି ସ୍ୱତନ୍ତ୍ର ସାମଗ୍ରୀ ସହିତ ଜଡ଼ିତ ହୋଇଛି । ଫଳରେ ଏହା ‘ସୌଭାଗ୍ୟ ନଗର’ରେ ପରିଣତ ହୋଇଛି ।

 

ପ୍ରଧାନମନ୍ତ୍ରୀ ଇଜ ଅଫ ଡୁଇଙ୍ଗ ବିଜନେସକୁ ସୁନିଶ୍ଚିତ ପାଇଁ ତାଙ୍କ ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଛନ୍ତି । ସେ ଅନୁପାଳନ ଜନିତ ବୋଝକୁ ହ୍ରାସ କରିବା ଉପରେ ଆଲୋକପାତ କରିଛନ୍ତି । ପାଖାପାଖି ୩୩ ହଜାର ଅନୁପାଳନ ଏବଂ ନିୟମକୁ ହଟାଇ ଦିଆଯାଇଛି । ସେହିପରି କମ୍ପାନି ଆଇନର ନିରପରାଧକରଣ ମଧ୍ୟ ବ୍ୟବସାୟିକ ସମୁଦାୟଙ୍କୁ ସହାୟକ ହେଉଛି । ବିଭିନ୍ନ ଅର୍ଥନୈତିକ ସୂଚକାଙ୍କରେ ଭାରତର ବୃଦ୍ଧି ଉପରେ ସେ ଆଲୋକପାତ କରିଛନ୍ତି । ବିଶେଷକରି ୨୦୧୪ରେ ଭାରତୀୟ ଅର୍ଥନୀତି ୫ମ ସ୍ଥାନକୁ ଉନ୍ନୀତ ହୋଇଥିବା ସେ ଦର୍ଶାଇଛନ୍ତି । ସେହିଭଳି ଇଜ ଅଫ ଡୁଇଙ୍ଗ ବିଜନେସରେ ମଧ୍ୟ, ଭାରତ ୨୦୧୪ର ୧୪୨ତମ ସ୍ଥାନରୁ ୨୦୨୦ରେ ୬୩ତମ ସ୍ଥାନକୁ ଉନ୍ନୀତ ହୋଇଛି । ଏକ ପ୍ରଗତିଶୀଳ ଶିଳ୍ପ ନୀତି ଆଣିଥିବାରୁ ସେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ଜବରଦଖଲ ହଟାଇ ରାଜ୍ୟର ତଟବର୍ତ୍ତୀ ଅଞ୍ଚଳକୁ ପରିଷ୍କାର କରିଥିବାରୁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଜାମନଗର ତଟବର୍ତ୍ତୀ ଅଞ୍ଚଳର ଇକୋଟୁରିଜମ ପାଇଁ ସୁଯୋଗ ରହିଛି । ଏହାର ଜୈବ ବିବିଧତା ସମ୍ପତ୍ତି ବି ରହିଛି ।

 

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗୁଜରାଟରେ ଆଇନ ଶୃଙ୍ଖଳା ସ୍ଥିତିରେ ଅନେକ ଉନ୍ନତି ଆସିଛି ଏବଂ ଡବଲ ଇଞ୍ଜିନ ନରେନ୍ଦ୍ର-ଭୂପେନ୍ଦ୍ର ସରକାର ସମର୍ପଣ ଓ ଦ୍ରୁତ ଭାବେ ବିକାଶମୂଳକ ସ୍କିମ କାର୍ଯ୍ୟକାରୀ କରୁଛନ୍ତି ।

 

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ ଏବଂ ସାଂସଦ ଶ୍ରୀ ସି ଆର ପାଟିଲ ଏବଂ ଶ୍ରୀମତୀ ପୁନମବେନ ମଦାମ ପ୍ରମୁଖ ଉପସ୍ଥିତ ଥିଲେ ।

 

ପୃଷ୍ଠଭୂମି

 

ପ୍ରଧାନମନ୍ତ୍ରୀ ଜାମନଗରରେ ପାଖାପାଖି ୧୪୫୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ରକୁ ଲୋକାର୍ପଣ କରିଥିଲେ । ଏହି ପ୍ରକଳ୍ପଗୁଡ଼ିକ ଜଳସେଚନ, ବିଦୁ୍ୟତ, ଜଳଯୋଗାଣ ଏବଂ ସହରୀ ଭିତ୍ତିଭୂମି ସହ ଜଡ଼ିତ ।

 

ପ୍ରଧାନମନ୍ତ୍ରୀ ସୌରାଷ୍ଟ୍ର ଅବତାରନ ଇରିଗେସନ (ସଉନି) ଯୋଜନା ଲିଙ୍କ ୩ (ଉଣ୍ଡ ଡ୍ୟାମରୁ ସୋନମତୀ ଡ୍ୟାମ)ର ପ୍ୟାକେଜ ୭, ସଉନି ଯୋଜନା ଲିଙ୍କ ୧ (ଉଣ୍ଡ-୧ ଡ୍ୟାମରୁ ସନି ଡ୍ୟାମ)ର ପ୍ୟାକେଜ ୫ ଏବଂ ହରିପର ୪୦ ମେଗାୱାଟ ସୋଲାର ପିଭି ପ୍ରକଳ୍ପକୁ ଲୋକାର୍ପଣ କରିଥିଲେ ।

 

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଯେଉଁ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରାଯାଇଛି, ତନ୍ମଧ୍ୟରେ କାଲାଭାଡ଼ର କାଲାଭାଡ଼ ଗ୍ରୁପ ଅଗମେଣ୍ଟେସନ ଜଳଯୋଗାଣ ସ୍କିମ/ଜାମନଗର ତାଲିକା ମୋରବି-ମାଲିୟା-ଯୋଡିୟା ଗ୍ରୁପ ଅଗମେଣ୍ଟେସନ ଜଳଯୋଗାଣ ସ୍କିମ, ଲାଲପୁର ବାଇପାସ ଜଙ୍କସନ ଫ୍ଲାଏଓଭର ବ୍ରିଜ, ହାପା ମାର୍କେଟ ୟାର୍ଡ ରେଲୱେ କ୍ରସିଙ୍ଗ, ଏବଂ ସିୱର କଲେକସନ ପାଇପଲାଇନ ଏବଂ ପମ୍ପିଙ୍ଗ ଷ୍ଟେସନର ନବୀକରଣ ରହିଛି ।

 

SR



(Release ID: 1867018) Visitor Counter : 131