ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଦେଶର 100ତମ କିଷାନ ରେଳର ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ ଭାଷଣ
Posted On:
28 DEC 2020 9:25PM by PIB Bhubaneshwar
କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ଜୀ, ରେଳ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ଜୀ, ଉପସ୍ଥିତ ଅନ୍ୟ ସାଂସଦଗଣ, ବିଧାୟକଗଣ, ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ,
ମୁଁ ସର୍ବ ପ୍ରଥମେ ଦେଶର କୋଟି କୋଟି କୃଷକମାନଙ୍କୁ ବଧେଇ ଜଣାଉଛି ।
ଗତ ଅଗଷ୍ଟ ମାସରେ ଦେଶରେ ପ୍ରଥମ କିଷାନ ଏବଂ କ୍ଷେତ ପାଇଁ ସଂପୂର୍ଣ୍ଣ ରୂପେ ସମର୍ପିତ ରେଳ ସେବାର ଶୁଭାରମ୍ଭ କରାଯାଇଥିଲା । ଉତ୍ତର- ଦକ୍ଷିଣ, ପୂର୍ବ- ପଶ୍ଚିମ, ଦେଶର ପ୍ରତ୍ୟେକ କ୍ଷେତ୍ରର କ୍ଷେତକୁ, କୃଷକମାନଙ୍କୁ କୃଷକ ରେଳ ସହ ସଂଯୋଗ କରାଯାଉଛି । କରୋନା ମହାମାରୀର ଚାଲେଞ୍ଜ ସତ୍ତ୍ୱେ ଏବଂ ଏହା ଭିତରେ ଗତ 4 ମାସ ଭିତରେ କିଷାନ ରେଳର ଯେଉଁ ନେଟୱାର୍କ ରହିଛି ଆଜି ତାହା 100ତମ ରେଳସେବା ଛୁଇଁଛି । ଆଜି 100ତମ କିଷାନ ରେଳ କିଛି ସମୟ ପୂର୍ବରୁ ମହାରାଷ୍ଟ୍ରର ସାଙ୍ଗୋଲରୁ ପଶ୍ଚିମ ବଙ୍ଗଳାର ଶାଲିମାର ଅଭିମୁଖେ ତା’ର ଯାତ୍ରା ଆରମ୍ଭ କରିଛି । ଅର୍ଥାତ୍, ଏକ ପ୍ରକାର ପଶ୍ଚମ ବଙ୍ଗଳାର କୃଷକ, ପଶୁପାଳକ, ମତ୍ସ୍ୟଜୀବୀମାନଙ୍କ ପହଞ୍ଚ ଏବେ ମୁମ୍ବାଇ, ପୁନେ, ନାଗପୁର ଭଳି ମହାରାଷ୍ଟ୍ରର ବଡ଼ ବଡ଼ ବଜାର ପର୍ଯ୍ୟନ୍ତ ସ୍ଥାପିତ ହୋଇପାରିଛି । ସେହିଭଳି ମହାରାଷ୍ଟ୍ରର ସାଥୀମାନେ ଏବେ ପଶ୍ଚିମ ବଙ୍ଗଳାର ବଜାର ସହିତ ଯୋଡ଼ି ହେବାଲାଗି ଶସ୍ତା ଏବଂ ସୁଲଭ ସୁବିଧା ପ୍ରାପ୍ତ ହୋଇଛନ୍ତି । ଯେଉଁ ରେଳସେବା ଏପର୍ଯ୍ୟନ୍ତ ଦେଶବାସୀଙ୍କୁ ପରସ୍ପର ସହିତ ଯୋଡ଼ି ଆସୁଥିଲା, ତାହା ଏବେ ପୁରା ଦେଶର କୃଷି ବଜାରକୁ ମଧ୍ୟ ଯୋଡ଼ୁଛି, ଏକୀକୃତ ବଜାରରେ ପରିଣତ କରୁଛି ।
ସାଥୀଗଣ,
କୃଷକ ରେଳ ସେବା, ଦେଶର କୃଷକମାନଙ୍କ ଆମଦାନି ବୃଦ୍ଧି କରିବା ଦିଗରେ ଏକ ବିରାଟ ବଡ଼ ପଦକ୍ଷେପ କହିଲେ ଅତ୍ୟୁକ୍ତି ହେବନାହିଁ । ଏହା ସହିତ କ୍ଷେତ ସହିତ ଯୋଡ଼ି ହୋଇ ରହିଥିବା ଅର୍ଥ ବ୍ୟବସ୍ଥାକୁ କୋଲ୍ଡ ସପ୍ଲାଏ ଚେନର ଶକ୍ତି ସହିତ ଅଧିକ ଶକ୍ତିଶାଳୀ କରାଯାଇପାରିବ । ସବୁଠାରୁ ବଡ଼ କଥାଟି ହେଲା କିଷାନ ରେଳସେବା ଦ୍ୱାରା ଦେଶର 80 ପ୍ରତିଶତରୁ ଅଧିକ, ଛୋଟ ଏବଂ ସୀମାନ୍ତବର୍ତ୍ତୀ କ୍ଷେତ୍ରରେ ରହୁଥିବା କୃଷକମାନଙ୍କୁ ବହୁତ ବଡ ଶକ୍ତି ମିଳିପାରିଛି । ଏକଥା ମୁଁ ଏଇଥି ପାଇଁ କହୁଛି ଯେ ଏଥିରେ କୃଷକମାନଙ୍କ ପାଇଁ କୌଣସି ନ୍ୟୂନତମ ମାତ୍ରା ଧାର୍ଯ୍ୟ କରାଯାଇନାହିଁ । ଯଦି କୌଣସି କୃଷକ 50-100 କିଲୋର ପାର୍ସଲ ଏଥିରେ ପଠାଇବାକୁ ଚାହିଁବେ ତେବେ ସେ ତାହା ଖୁସିରେ ଓ ଅତି ସହଜରେ ପ୍ରେରଣ କରିପାରିବେ । ଅର୍ଥାତ୍, ଛୋଟ କୃଷକମାନଙ୍କୁ ସ୍ୱଳ୍ପରୁ ଅତି ସ୍ୱଳ୍ପ ଉତ୍ପାଦକୁ କମ୍ ମୂଲ୍ୟରେ ଅତି ସୁରକ୍ଷିତ ଭାବେ ଦେଶର ଦୂର ଦୂରାନ୍ତରେ ଥିବା ବଡ଼ ବଡ଼ ବଜାର ପର୍ଯ୍ୟନ୍ତ ପହଞ୍ଚାଯାଇ ପାରିବ ।
ମୁଁ କୌଣସି ଏକ ସ୍ଥାନରେ ପଢ଼ିଥିଲି ଯେ ଏପର୍ଯ୍ୟନ୍ତ ରେଳବାଇର ସବୁଠାରୁ ଯେଉଁ ଛୋଟ କନସାଇନମେଣ୍ଟ ଥିଲା, ତାହା ତିନି କିଲୋର ଏକ ଡାଳିମ୍ବ ପ୍ୟାକେଟ ଯାହା କିଷାନ ରେଳ ମାଧ୍ୟମରେ ପଠାଯାଇଛି । କେବଳ ଏତିକି ନୁହେଁ, ଜଣେ କୁକୁଡାପାଳକ 17 ଡଜନ ଅଣ୍ଡା ବି କିଷାନ ରେଳ ମାଧ୍ୟମରେ ପଠାଇବାକୁ ସକ୍ଷମ ହୋଇପାରିଛନ୍ତି ।
ସାଥୀଗଣ,
ଭଣ୍ଡାରଣ ଏବଂ କୋଲ୍ଡ ଷ୍ଟୋରେଜର ଅଭାବ ଯୋଗୁ ଦେଶର କୃଷକବର୍ଗଙ୍କୁ ପର୍ଯ୍ୟାପ୍ତ କ୍ଷତି ସଦାବେଳେ ସହ୍ୟ କରିବାକୁ ପଡ଼ୁଛି ଯାହାକି ସେମାନଙ୍କ ପାଇଁ ବଡ଼ ସମସ୍ୟା ଓ ଚାଲେଞ୍ଜ । ଆମ ସରକାର ଭଣ୍ଡାରଣକୁ ଆଧୁନିକ ବ୍ୟବସ୍ଥା ମାଧ୍ୟମରେ, ଯୋଗାଣ ଚେନର ଆଧୁନିକୀକରଣ ଉପରେ କୋଟି କୋଟି ଟଙ୍କା ନିବେଶ ତ କରି ଚାଲିଛନ୍ତି, କିଷାନ ରେଳ ଭଳି ନୂଆ ବ୍ୟବସ୍ଥା ମଧ୍ୟ ଆରମ୍ଭ କରିଛନ୍ତି । ସ୍ୱାଧୀନତା ପ୍ରାପ୍ତି ପୂର୍ବରୁ ସୁଦ୍ଧା ଭାରତ ନିକଟରେ ବହୁତ ବଡ଼ ରେଳ ନେଟୱାର୍କ ଥିଲା । କୋଲ୍ଫ ଷ୍ଟୋରେଜ ସହିତ ଯୋଡ଼ି ହୋଇଥିବା ପ୍ରଯୁକ୍ତି ମଧ୍ୟ ପୂର୍ବରୁ ମହଜୁଦ ଥିଲା । ଏବେ କିଷାନ ରେଳ ମାଧ୍ୟମରେ ଏହି ଶକ୍ତିକୁ ଉତ୍ତମ ରୂପେ ଉପଯୋଗ କରିବାର କାର୍ଯ୍ୟ ଆରମ୍ଭ କରାଯାଇଛି ।
ସାଥୀଗଣ,
ଦେଶର ଛୋଟ ଛୋଟ କୃଷକମାନଙ୍କୁ କମ ଖର୍ଚ୍ଚରେ ବଡ଼ ବଡ଼ ଏବଂ ନୂତନ ବଜାର ସୁବିଧା ଯୋଗାଇ ଦେବା ନିମନ୍ତେ ଆମର ଆଭିମୁଖ୍ୟ ମଧ୍ୟ ବେଶ ସ୍ପଷ୍ଟ ଏବଂ ଆମର ନୀତି ମଧ୍ୟ ସେହି ଅନୁସାରେ ସ୍ୱଚ୍ଛ ।
ଆମେ ବଜେଟରେ ସୁଦ୍ଧା ଏହା ସହିତ ମହତ୍ତ୍ୱପୂର୍ଣ୍ଣ ଘୋଷଣାମାନ କରି ସାରିଛୁ । ପ୍ରଥମେ କିଷାନ ରେଳ ଏବଂ ଦ୍ୱିତୀୟରେ କୃଷି ଉଡ଼ାଣ ।
ଅର୍ଥାତ, ଯେତେବେଳେ ଆମେ ଏକଥା କହୁଛୁ ଯେ ଆମ ସରକାର ଦେଶର କୃଷକମାନଙ୍କ ପହଞ୍ଚ ଦେଶର ଦୂର ଦୂରାନ୍ତରେ ଥିବା କ୍ଷେତ୍ର ଏବଂ ଅନ୍ତରାଷ୍ଟ୍ରୀୟ ବଜାର ପର୍ଯ୍ୟନ୍ତ ବଢ଼ାଇ ଦିଆଯିବ ସେତେବେଳେ ଆମେ ପବନକୁ କଥା କହୁନାହିୁଁ । ଏକଥା ମୁଁ ସଂପୂର୍ଣ୍ଣ ବିଶ୍ୱାସର ସହିତ କହିପାରିବି ଯେ ଆମେ ଉଚିତ ମାର୍ଗରେ ହିଁ ଚାଲିଛୁ ।
ସାଥୀଗଣ,
ପ୍ରାରମ୍ଭରେ କିଷାନ ରେଳ ସାପ୍ତାହିକ ଭାବେ ଚଳାଚଳ କରୁଥିଲା । କିଛି ଦିନ ଭିତରେ ଏଭଳି ରେଳ ପାଇଁ ଦାବି ବଢ଼ିବାରେ ଲାଗିଲା । ଦାବି ଏତେ ବଢ଼ିଗଲା ଯେ ଏବେ ସପ୍ତାହରେ ତିନିଦିନ ଏହି ରେଳକୁ ଚଳାଇବାକୁ ପଡ଼ୁଛି । ଥରେ ଚିନ୍ତାକରି ଦେଖନ୍ତୁ, ଏତିକି କମ ଦିନ ଭିତରେ ଶହେତମ କିଷାନ ରେଳ! ଏହା କୌଣସି ମାମୁଲି କଥା ନୁହେଁ ।
ଏହା ସ୍ପଷ୍ଟ ସଂଦେଶ ଦିଏ ଯେ ଦେଶର କୃଷକ କ’ଣ ଚାହୁଁଛନ୍ତି ।
ସାଥୀଗଣ,
ଏହି କାମ ଦେଶର କୃଷକମାନଙ୍କ ପାଇଁ ଆମ ମନରେ ଥିବା ପ୍ରତିବଦ୍ଧ ସେବା ମନୋଭାବକୁ ହିଁ ପ୍ରଦର୍ଶିତ କରୁଛି । କିନ୍ତୁ ଏହି କଥାର ମଧ୍ୟ ପ୍ରମାଣ ଥିବା ଦରକାର ଯେ ଆମର କୃଷକ ନୂତନ ସମ୍ଭାବନା ନିମନ୍ତେ କେତେ ଜୋରରେ ପ୍ରସ୍ତୁତ ଅଛନ୍ତି । କୃଷକମାନେ ଅନ୍ୟ ରାଜ୍ୟରେ ସୁଦ୍ଧା ସେମାନଙ୍କର କୃଷି ଉପଜକୁ ବିକି ପାରିବେ, ସେଇଥିପାଇଁ କିଷାନ ରେଳ ଏବଂ କୃଷି ଉଡ଼ାଣର ବହୁତ ବଡ଼ ଭୂମିକା ରହିଛି । ମୋତେ ଏକଥା କହିଲାବେଳେ ଅତ୍ୟନ୍ତ ଖୁସି ଲାଗୁଛି ଯେ ଦେଶର ପୂର୍ବୋତ୍ତର କ୍ଷେତ୍ରର କୃଷକମାନଙ୍କୁ କୃଷି ଉଡ଼ାଣ ଦ୍ୱାରା ଫାଇଦା ମିଳିବା ଆରମ୍ଭ ହୋଇସାରିଛି । ଏଭଳି ସୁଦୃଢ଼ ପ୍ରସ୍ତୁତି ପରେ ଆମେ ଐତିହାସିକ କୃଷି ସଂସ୍କାର ଦିଗରେ ଅଗ୍ରସର ହୋଇଛୁ ।
ସାଥୀଗଣ,
କିଷାନ ରେଳ ଦ୍ୱାରା କୃଷକମାନଙ୍କୁ କିଭଳି ଭାବେ ନୂତନ ବଜାର ମିଳିପାରୁଛି, କିଭଳି ଭାବେ ସେମାନଙ୍କର ଉପାର୍ଜନ ମଧ୍ୟ ବଢ଼ିଛି ଏବଂ ଏଥିପାଇଁ ସେମାନଙ୍କୁ କମ ଖର୍ଚ୍ଚ କରିବାକୁ ପଡ଼ୁଛି, ମୁଁ ଏହାର ଏକ ଉଦାହରଣ ଦେଉଛି । ଅନେକ ସମୟରେ ଆମେ ଖବରରେ ଦେଖିବାକୁ ପାଇଥାଉ ଯେ କୌଣସି କାରଣରୁ ହେଉ ଯେତେବେଳେ ଟମାଟୋର ମୂଲ୍ୟ କୌଣସି ସ୍ଥାନରେ କମିଯାଏ, ସେତେବେଳେ ସେଠାକାର କୃଷକମାନଙ୍କ ଅବସ୍ଥା କ’ଣ ହୋଇଥାଏ । ଏଭଳି ସ୍ଥିତି ବାସ୍ତିବିକ୍ ଖୁବ୍ ଦୁଃଖଦାୟକ । କୃଷକମାନେ ନିଜ ଆଖି ଆଗରେ ନିଜ ଅକ୍ଳାନ୍ତ କଷ୍ଟରୁ ଉପାର୍ଜିତ ଉପଜକୁ ନଷ୍ଟ ହେବାର ହିଁ ଦେଖିବାକୁ ପଡ଼ିଥାଏ । କିନ୍ତୁ ସେମାନେ କିଛି କରି ପାରନ୍ତିନି,ଏବଂ ଅସହାୟ ହୋଇ କେବଳ ଦେଖିବା ହିଁ ସାର ହୋଇଥାଏ । କିନ୍ତୁ ଏବେ ନୂତନ କୃଷି ସଂସ୍କାର ପରେ, କୃଷକ ରେଳର ସୁବିଧା ପରେ, ସେମାନଙ୍କୁ ଆଉ ଏକ ବିକଳ୍ପ ଉପଲବ୍ଧ ହୋଇଛି । ଏବେ ଆମର କୃଷକମାନେ ନିଜର ଉପଜକୁ ଦେଶର ସେହି ଅଞ୍ଚଳ ପର୍ଯ୍ୟନ୍ତ ପହଞ୍ଚାଇ ପାରିବେ ଯେଉଁଠାରେ ଟମାଟୋର ଯଥେଷ୍ଟ ଚାହିଦା ରହିଛି । ଯେଉଁଠାରେ ସେମାନଙ୍କୁ ଅଧିକ ମୂଲ୍ୟ ମିଳିପାରିବ । ସେମାନେ ଫଳ ଏବଂ ପନିପରିବାକୁ ପରିବହନ କରି ଅଧିକ ମୂଲ୍ୟରେ ସେସବୁକୁ ବିକିବାରୁ ଫାଇଦା ମଧ୍ୟ ହାସଲ କରିପାରିବେ ।
ଭାଇ ଓ ଭଉଣୀଗଣ,
କୃଷକ ରେଳ ସଂପର୍କରେ ଆଉ ଗୋଟିଏ ବିଶେଷ କଥା ମଧ୍ୟ ରହିଛି ଯାହା ମୁଁ ସୂଚାଇବାକୁ ଚାହେଁ । ଏହି କିଷାନ ରେଳ ହେଉଛି ଏକ ପ୍ରକାର ଚଳନ୍ତା କୋଲ୍ଡ ଷ୍ଟୋରେଜ । ଅର୍ଥାତ, ଏଥିରେ ତଟକା ଫଳ, ପନିପରିବା, ଦୁଧ, ମାଛ, ମାଂସ ଯେଉଁସବୁ ସାମଗ୍ରୀ ଜଲଦି ଖରାପ ହୋଇଯିବ କିମ୍ବା ପଚିସଢ଼ି ଯିବାର ଆଶଙ୍କା ରହିଛି ସେସବୁକୁ ସଂପୂର୍ଣ୍ଣ ଭାବେ ସୁରକ୍ଷାର ସହ ଗୋଟିଏ ସ୍ଥାନରୁ ପରିବହନ କରି ନେଇ ଅନ୍ୟ ସ୍ଥାନରେ ପହଞ୍ଚା ଯାଇପାରିବ । ପୂର୍ବରୁ ଏହିସବୁ ସାମଗ୍ରୀକୁ କୃଷକମାନେ ସଡ଼କ ପଥରେ ଟ୍ରକ୍ ସାହାଯ୍ୟରେ ବିଭିନ୍ନ ସ୍ଥାନକୁ ପଠାଉଥିଲେ । ସଡ଼କରେ ପରିବହନ କରିବା କ୍ଷେତ୍ରରେ ଅନେକ ସମସ୍ୟା ରହିଛି । ପ୍ରଥମତଃ ସେଥିରେ ଅଧିକ ସମୟ ଲାଗୁଥିଲା । ସଡ଼କ ପଥରେ ପଠାଇଲେ କୃଷକମାନଙ୍କୁ ଅଧିକ ଗାଡ଼ିଭଡ଼ା ଦେବାକୁ ପଡ଼ୁଥିଲା । ଅର୍ଥାତ୍, ଗାଁରେ ଚାଷ କରାଯାଉଥିବା ପନିପରିବା ସହରବାସୀ ଖାଇଲା ବେଳକୁ ଏହାର ଦାମ୍ ଅଧିକ ମହଙ୍ଗା ହୋଇ ସାରିଥାଏ । ଏବେ ଯେମିତି ଆଜି ହିଁ କିଷାନ ରେଳ ପଶ୍ଚିମ ବଙ୍ଗଳା ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ସେଥିରେ ମହାରାଷ୍ଟ୍ରର ଡାଳିମ୍ବ, ଅଙ୍ଗୁର, କମଳା ଏବଂ କଷ୍ଟାର୍ଡ଼ ଆପଲ ଯାହାକୁ ଅନେକ ସ୍ଥାନରେ ସୀତାଫଳ ବୋଲି କହିଥାନ୍ତି, ସେସବୁ ସାମଗ୍ରୀ ପଠାଯାଉଛି ।
ଏହି ଟ୍ରେନ ପାଖାପାଖି 40 ଘଣ୍ଟାରେ ସେଠାରେ ପହଞ୍ଚିବ । ଏଠାରୁ ରୋଡ଼ରେ 2 ହଜାର କିଲୋମିଟରରୁ ଅଧିକ ଦୂରତାରେ ଥିବା ଗୋଟିଏ ସ୍ଥାନରେ ପହଞ୍ଚିବା ଲାଗି ଅନେକ ଦିନ ଲାଗି ଯାଇଥାନ୍ତା । ଏହା ମଧ୍ୟରେ ସେହି ଟ୍ରେନ୍ ଅନେକ ବିଭିନ୍ନ ରାଜ୍ୟର ବଡ଼ ବଡ଼ ଷ୍ଟେସନ ଦେଇ ଯାତ୍ରା କରିବ ଏବଂ ସେହିସବୁ ସ୍ଥାନରେ ମଧ୍ୟ ଅଟକିବ । ସେଠାରେୁ ମଧ୍ୟ ଯଦି କୃଷକମାନେ ସେମାନଙ୍କ ଉପଜ ସେଥିରେ ପଠାଇବାକୁ ଚାହାନ୍ତି, କିମ୍ବା କୌଣସି ଅର୍ଡ଼ରକୁ ଉତାରିବାର ଥିବ ସେମାନେ କୃଷକ ରେଳର ପୂର୍ଣ୍ଣ ଉପଯୋଗ କରିପାରିବେ । ଅର୍ଥାତ୍, ଦୁଇ ଲକ୍ଷ୍ୟ ସ୍ଥଳ ମଝିରେ ଅନେକ ବଜାର ପର୍ଯ୍ୟନ୍ତ କୃଷକ ରେଳ କୃଷକମାନଙ୍କ ମାଲ ପହଞ୍ଚାଇ ପାରିବ ଓ ସେଠାରୁ ଅନ୍ୟତ୍ର ପରିବହନ କରି ନେଇପାରିବ । ଯଦି ଆମେ ଏହାର ଭଡ଼ା କଥା ଚିନ୍ତା କରିବା ତ ଦେଖାଯିବ ଯେ ଏହି ମାର୍ଗରେ ଚଳାଚଳ କରୁଥିବା ମାଲବାହୀ ଟ୍ରକ ଭଡ଼ା ଠାରୁ ଏହା ପ୍ରାୟ 1700 ଟଙ୍କା କମ୍ । କିଷାନ ରେଳରେ ତ ସରକାର 50 ପ୍ରତିଶତ ରିହାତି ପ୍ରଦାନ କରାଯିବା କଥା ଘୋଷଣା କରିଛନ୍ତି । ଏହାଦ୍ୱାରା ମଧ୍ୟ କୃଷକମାନଙ୍କର ବେଶ୍ ଫାଇଦା ହୋଇପାରିବ ।
ସାଥୀଗଣ,
କିଷାନ ରେଳ ଭଳି ସୁବିଧାସୁଯୋଗ ମିଳିବା ଦ୍ୱାରା ଯେଉଁସବୁ ଅର୍ଥକରୀ ଫସଲର ମୂଲ୍ୟ ଅଧିକ, ଯାହା ଅଧିକ ପୋଷକ ଫସଲ, ସେସବୁ ଚାଷ କରିବା ନିମନ୍ତେ କୃଷକମାନଙ୍କ ମନରେ ଉତ୍ସାହ ବୃଦ୍ଧି ପାଇବ । ଦେଶର ଛୋଟ ଛୋଟ କୃଷକ ପୂର୍ବରୁ ଏଇଥିପାଇଁ ଏଭଳି ବ୍ୟବସ୍ଥା ସହ ଯୋଡ଼ି ହୋଇପାରୁନଥିଲେ କାରଣ ସେମାନଙ୍କୁ କୋଲ୍ଡ ଷ୍ଟୋରୋଜ ଏବଂ ବଡ଼ ବଡ଼ ବଜାର ସୁବିଧା ମିଳିବାରେ ଅସୁବିଧା ହେଉଥିଲା । ଦୂର ଦୂରାନ୍ତର ବଜାର ପର୍ଯ୍ୟନ୍ତ ପହଞ୍ଚିବା ନିମନ୍ତେ ସେମାନଙ୍କ ଅଧିକ ଭଡ଼ା ଦେବାକୁ ପଡ଼ୁଥିଲା ଓ ସେଥିରେ ସେମାନେ ଅଧିକ ଖର୍ଚ୍ଚାନ୍ତ ହେଉଥିଲେ । ଏଭଳି ସମସ୍ୟାକୁ ଦେଖି 3 ବର୍ଷ ପୂର୍ବରୁ ଆମ ସରକାର ଟମାଟୋ, ପିଆଜର ପରିବହନ ନିମନ୍ତେ 50 ପ୍ରତିଶତ ସବସିଡ଼ି ଦେଉଥିଲେ । ଏବେ ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଏଥି ସହିତ ଆହୁରି ଡଜନେ ଫଳ ଏବଂ ତଟକା ପନିପରିବା ପରିବହନକୁ ପ୍ରୋତ୍ସାହନ ଦେବ ତାହା ଦିଆଯାଉଛି । ଏହାର ସିଧା ଲାଭ ଦେଶର କୃଷକମାନଙ୍କୁ ମିଳିପାରୁଛି ।
ଭାଇ ଓ ଭଉଣୀଗଣ,
ଆଜି ପଶ୍ଚିମ ବଙ୍ଗଳର କୃଷକମାନଙ୍କୁ ମଧ୍ୟ ଏହି ସୁବିଧା ସହିତ ସଂଯୋଗ କରାଯାଇପାରିଛି । ପଶ୍ଚିମ ବଙ୍ଗରେ ଆଳୁ, କୋବି, ବାଇଗଣ ଭଳି ଅନେକ ପନିପରିବା ପ୍ରଚୁର ପରିମାଣରେ ଉତ୍ପାଦିତ ହୋଇଥାଏ । ସେହିଭଳି ସେଠାରେ ଅନାର, ଲିଚୁ, କଦଳୀ ଭଳି ଅନେକ ପରିବା ମଧ୍ୟ ସ୍ଥାନୀୟ ଚାଷୀମାନେ ଉତ୍ପାଦନ କରିଥାନ୍ତି । ମଧୁର ଜଳର ମାଛ ହୋଇଥାଉ କିମ୍ବା ଲୁଣି ଜଳର ମାଛ, ପଶ୍ଚିମ ବଙ୍ଗଳାରେ ଏହାର କମି ନାହିଁ । ସମସ୍ୟା ହେଉଛି ଏହାକୁ କିପରି ନେଇ ସାରା ଦେଶର ବଜାରରେ ପହଞ୍ଚାଯିବ । ଏବେ କିଷାନ ରେଳ ଭଳି ସୁବିଧା ଉପଲବ୍ଧ ହେବା ଦ୍ୱାରା ପଶ୍ଚିମ ବଙ୍ଗର ଲକ୍ଷ ଲକ୍ଷ ଛୋଟ କୃଷକମାନଙ୍କୁ ଏକ ବହୁତ ବଡ଼ ବିକଳ୍ପ ମିଳିପାରିଛି ଏବଂ ଏହି ବିକଳ୍ପ କୃଷକମାନଙ୍କ ସହିତ ସ୍ଥାନୀୟ ବଜାରକୁ ଯେଉଁମାନେ ଛୋଟ ଛୋଟ ବ୍ୟବସାୟୀ ଅଛନ୍ତି, ସେମାନଙ୍କୁ ମଧ୍ୟ ମିଳିପାରୁଛି । ସେମାନେ କୃଷକମାନଙ୍କ ଠାରୁ ଅଧିକରୁ ଅଧିକ ମୂଲ୍ୟରେ ସାମଗ୍ରୀ କ୍ରୟ କରି ରେଳ ମାଧ୍ୟମରେ ସେସବୁକୁ ଦୂର ଦୂରାନ୍ତର ବଜାରକୁ ପଠାଇ ପାରୁଛନ୍ତି ଏବଂ ସେଠାରେ ବିକ୍ରି କରିପାରୁଛନ୍ତି ।
ଭାଇ ଓ ଭଉଣୀଗଣ,
ଗାଁରେ ଅଧିକରୁ ଅଧିକ ରୋଜଗାର ସୁଯୋଗ ସୃଷ୍ଟି କରିବା ନିମନ୍ତେ, କୃଷକମାନଙ୍କୁ ଉତ୍ତମ ଜୀବନ ପ୍ରଦାନ କରିବା ସକାଶେ ନୂତନ ସୁବିଧା, ନୂତନ ସମାଧାନ ସୂତ୍ର ଉପଲବ୍ଧ କରାଇବା ମଧ୍ୟ ଜରୁରି । ଏହି ଲକ୍ଷ୍ୟ ହାସଲ କରିବା ସହିତ ଗୋଟିଏ ପରେ ଗୋଟିଏ କୃଷି ସଂସ୍କାର ନୀତି କାର୍ଯ୍ୟକାରୀ କରାଯାଉଛି । କୃଷି ସହିତ ସଂଶ୍ଳିଷ୍ଟ ରପ୍ତାନୀ ଏବଂ ସମଗ୍ର ବିଶ୍ୱର ଅନୁଭବକୁ ଏବଂ ନୂତନ ପ୍ରଯୁକ୍ତିକୁ ଭାରତୀୟ କୃଷି କ୍ଷେତ୍ରରେ ସମାବେଶ କରାଯାଉଛି । ଭଣ୍ଡାରଣ ସହିତ ସଂଶ୍ଳିଷ୍ଟ ସଂସାଧନ ହୋଇଥାଉ କିମ୍ବା କ୍ଷେତ୍ରୀୟ ଉତ୍ପାଦକୁ ମୂଲ୍ୟଯୁକ୍ତ କରିବା ଭଳି ପ୍ରୋସେସିଂ ଉଦ୍ଦ୍ୟୋଗ ହୋଇଥାଉ, ଏହା ଉପରେ ଆମ ସରକାର ପ୍ରାଥମିକତା ଆରୋପ କରୁଛନ୍ତି । ରେଳ ଷ୍ଟେସନ ଆଖପାଖ ଅଞ୍ଚଳରେ ପଚମାନ କାର୍ଗୋ ସେଣ୍ଟରମାନ ନିର୍ମାଣ କରାଯାଉଛି । ସେଠାରେ କୃଷକମାନେ ସେମାନଙ୍କର ଉପଜକୁ ବିପୁଳ ପରିମାଣରେ ଗଚ୍ଛିତ ରଖିପାରିବେ । ଆମର ପ୍ରୟାସ ଯେ ଯେତେପ୍ରକାର ପନିବରିବା ସିଧା ଘର ପର୍ଯ୍ୟନ୍ତ ପହଞ୍ଚି ପାରିବ ତାହା ଆମେ ପହଞ୍ଚାଇବୁ । ଏହା ବ୍ୟତୀତ ଯେଉଁ ଉଦବୃତ୍ତ ଉତ୍ପାନନ ରହିବ ତାହାକୁ ଜୁସ୍, ଆଚାର, ସସ୍, ଚଟଣି, ଚିପ୍ସ ଭଳି ଖାଦ୍ୟ ସାମଗ୍ରୀ ଉତ୍ପାଦନ କରୁଥିବା ଉଦ୍ଦ୍ୟୋଗୀମାନଙ୍କ ପର୍ଯ୍ୟନ୍ତ ପହଞ୍ଚାଯିବ ।
ପିଏମ କୃଷି ସଂପଦା ଯୋଜନା ଅଧୀନରେ ମେଗା ଫୁଡ଼ ପାର୍କ, କୋଲ୍ଫ ଚେନ୍ ଇନଫ୍ରାଷ୍ଟ୍ରକଚର, ଆଗ୍ରୋ ପ୍ରୋସେସିଂ କ୍ଲଷ୍ଟର, ପ୍ରୋସେସିଂ ୟୁନିଟ୍ ଭଳି ସୁବିଧା ସ୍ଥାପନ କରିବା ନିମନ୍ତେ ହାରାହାରି 6 ହଜାର କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପକୁ ସରକାର ମଂଜୁର କରିଛନ୍ତି । ଏହା ଦ୍ଵାରା ଅନେକ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିଛି ଏବଂ ଲକ୍ଷ ଲକ୍ଷ କୃଷକ ପରିବାର ଏହାର ସୁଫଳ ଲାଭ କରିପାରିଛନ୍ତି । ଆତ୍ମନିର୍ଭର ଭାରତ ଅଭିଯାନ ପ୍ୟାକେଜ୍ ଅଧୀନରେ ମାଇକ୍ରୋ ଫୁଡ଼ ପ୍ରୋସେସିଂ ଉଦ୍ଦ୍ୟୋଗଗୁଡ଼ିକ ନିମନ୍ତେ 10 ହଜାର କୋଟି ଟଙ୍କା ମଂଜୁର କରାଯାଇଛି ।
ସାଥୀଗଣ,
ଆଜି ଯଦି ସରକାର ଦେଶବାସୀଙ୍କ ଛୋଟ ଛୋଟ ଆବଶ୍ୟକତାକୁ ସୁଦ୍ଧା ପୂରଣ କରିପାରିଛନ୍ତି, ଏହାର କାରଣ ହେଉଛି ସହଭାଗୀତା । କୃଷି ସହିତ ସଂଶ୍ଳିଷ୍ଟ ଯେତେ ପ୍ରକାର ସଂସ୍କାର କାର୍ଯ୍ୟ ପ୍ରବର୍ତ୍ତନ କରାଯାଉଛି, ଏହାର ସବୁଠାରୁ ଅଧିକ ଶକ୍ତି ଗାଁରେ ବସବାସ କରୁଥିବା ଲୋକମାନଙ୍କୁ, କୃଷକମାନଙ୍କୁ ଯୁବଗୋଷ୍ଠୀଙ୍କ ସହଭାଗୀତାରେ ହିଁ ସମ୍ଭବପର ହୋଇପାରିଛି । ଏଫପିଓ ଅର୍ଥାତ୍ କୃଷକ ଉତ୍ପାଦକ ସଂଘ ହୋଇଥାଉ, ଅନ୍ୟାନ୍ୟ ସହକାରୀ ସଂଘ, ମହିଳାମାନଙ୍କ ଦ୍ୱାରା ଗଠିତ ସ୍ୱୟଂ ସହାୟକ ସଂଗଠନ ହୋଇଥାଉ, କୃଷି ବ୍ୟାପାରରେ ଏବଂ କୃଷି ଭିତ୍ତିଭୂମି ନିର୍ମାଣରେ ସେମାନଙ୍କୁ ହିଁ ପ୍ରାଥମିକତା ପ୍ରଦାନ କରାଯାଉଛି । ନୂତନ କୃଷି ସଂସ୍କାର ଦ୍ୱାର କୃଷି ସହିତ ଯୋଡ଼ି ହୋଇ ରହିଥିବା ବ୍ୟାପାର- କାରବାର ବୃଦ୍ଧି ପାଇବା ସୁନିଶ୍ଚିତ, ଏଥିରୁ ସବୁଠାରୁ ଅଧିକ ଲାଭ ଗ୍ରାମୀଣ ଯୁବବର୍ଗ, ମହିଳାମାନଙ୍କର ଏହି ସଂଗଠନଗୁଡ଼ିକୁ ହିଁ ମିଳିବ ।
କୃଷି କାରବାର କ୍ଷେତ୍ରରେ ଯେଉଁ ଘରୋଇ ପୁଞ୍ଜି ନିବେଶ ହେବ, ସେଥିପାଇଁ ସରକାର ଏହି ପ୍ରୟାସ କରୁଛନ୍ତି ଯେ ଏଥିରୁ କୃଷକମାନଙ୍କୁ ଯେପରି ଅଧିକ ଶକ୍ତି ମିଳିବ । ଆମେ ସଂପୂର୍ଣ୍ଣ ନିଷ୍ଠା ଓ ଶକ୍ତିର ସହିତ ଭାରତୀୟ କୃଷିକୁ ଏବଂ କୃଷକମାନଙ୍କୁ ସଶକ୍ତ କରିବା ମାର୍ଗରେ ଆଗକୁ ଅଗ୍ରସର ହେଉଛୁ । ପୁଣି ଥରେ ଦେଶର କୃଷକମାନଙ୍କୁ 100ତମ କିଷାନ ରେଳ ଏବଂ ନୂତନ ସମ୍ଭାବନା ସୃଷ୍ଟି ନିମନ୍ତେ ବହୁତ ବହୁତ ବଧେଇ ଜଣାଉଛି । ରେଳ ମନ୍ତ୍ରଣାଳୟକୁ ମଧ୍ୟ ବଧେଇ ଜଣାଉଛି । କୃଷି ମନ୍ତ୍ରଣାଳୟକୁ ଅଭିନନ୍ଦନ ଜଣାଉଛି ଏବଂ ଦେଶର କୋଟି କୋଟି କୃଷକମାନଙ୍କୁ ଏହି ଅବସରରେ ଅନେକ ଅନେକ ଅଭିନନ୍ଦନ ଜ୍ଞାପନ କରୁଛି ।
ବହୁତ ବହୁତ ଧନ୍ୟବାଦ!
**********
DS/VK/AK/SS
(Release ID: 1684477)
Visitor Counter : 188
Read this release in:
Manipuri
,
Hindi
,
Marathi
,
Gujarati
,
Telugu
,
Kannada
,
Punjabi
,
Tamil
,
Malayalam
,
Assamese
,
English
,
Urdu
,
Bengali