ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ହାଇଦ୍ରାବାଦରେ ଭକ୍ତି ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟ ଜୀଙ୍କ ସ୍ମୃତିରେ Statue of Equality ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

Posted On: 05 FEB 2022 10:17PM by PIB Bhubaneshwar

ଓଁମ୍ ଅସମଦ୍ ଗୁରଭ୍ୟ ନମଃ 

ଓଁମ୍ ଶ୍ରୀମତେ ରାମାନୁଜାୟ ନମଃ !

ଏହି କାର୍ଯ୍ୟକ୍ରମରେ ଆମ ସହିତ ଉପସ୍ଥିତ ତେଲେଙ୍ଗାନାର ରାଜ୍ୟପାଳ ଡକ୍ଟର ତାମିଲସାଇ ସୌନ୍ଦରରାଜନ୍‌ ଜୀ, ପୂଜ୍ୟଶ୍ରୀ ଜି.ଆର. ସ୍ୱାମୀ ଜୀ, କେନ୍ଦ୍ରମନ୍ତ୍ରୀ ମନ୍ତ୍ରିମଣ୍ଡଳ ମୋର ସହଯୋଗୀ ଜି.କିଷାନ ରେଡ୍ଡୀ ଜୀ, ଆଦରଣୀୟ ଶ୍ରୀମାନ ଡକ୍ଟର ରାମେଶ୍ୱର ରାଓ ଜୀ, ଭଗବତ ବିଭୂତିରେ ସମ୍ପନ୍ନ ସମସ୍ତ ପୂଜ୍ୟ ସନ୍ଥଗଣ , ମହିଳାମାନେ ଏବଂ ଅତିଥିମାନେ ।

ଆଜି ମା’ ସରସ୍ୱତୀଙ୍କ ଆରାଧନାର ପବିତ୍ର ପର୍ବ, ବସନ୍ତ ପଞ୍ଚମୀର ଶୁଭ ଅବସର ଅଟେ । ମା’ ଶାରଦାଙ୍କ ବିଶେଷ କୃପା ଅବତାର ଶ୍ରୀ ରାମାନୁଜାଚାର୍ଯ୍ୟଜୀଙ୍କ ପ୍ରତିମା ଏହି ଅବସରରେ ସ୍ଥାପିତ ହେଉଛି । ମୁଁ ଆପଣ ସମସ୍ତଙ୍କୁ ବସନ୍ତ ପଞ୍ଚମୀର ଶୁଭକାମନା ମଧ୍ୟ ଜଣାଉଛି । ମୁଁ ମା’ ସରସ୍ୱତୀଙ୍କୁ ଏହା ମଧ୍ୟ ପ୍ରାର୍ଥନା କରୁଛି କି ଜଗତଗୁରୁ ରାମାନୁଜାଚାର୍ଯ୍ୟଜୀଙ୍କ ଜ୍ଞାନ ବିଶ୍ୱର ପଥ ପ୍ରଦର୍ଶନ କରୁ । 

ସାଥୀମାନେ, 

ଆମର ଏଠାରେ କୁହାଯାଇଛି- “ଧ୍ୟାନ୍ ମୂଳମ୍‌, ଗୁରୁ ମୂର୍ତ୍ତି” ! ଅର୍ଥାତ୍‌, ଆମର ଗୁରୁଙ୍କ ପ୍ରତିମୂର୍ତ୍ତି ହିଁ ଆମର ଧ୍ୟାନର କେନ୍ଦ୍ର ଅଟେ । କାରଣ ଗୁରୁଙ୍କ ମାଧ୍ୟମରେ ହିଁ ଆମର ଜ୍ଞାନ ପ୍ରକଟ ହୋଇଥାଏ, ଯାହା ଅବୋଧ ଅଟେ, ଆମକୁ ତାହା ବୋଧ ହୋଇଥାଏ । ଅପ୍ରକଟକୁ ପ୍ରକଟ କରିବାର ଏହି ପ୍ରେରଣା, ସୂକ୍ଷ୍ମତାକୁ ମଧ୍ୟ ସାକାର କରିବାର ଏହି ସଂକଳ୍ପ, ଏହା ଭାରତର ପରମ୍ପରା ରହିଛି । ଆମେ ସବୁବେଳେ ସେହି ମୂଲ୍ୟବୋଧ ଏବଂ ବିଚାରଧାରାକୁ ଆକାର ଦେଉଛୁ, ଯାହା ଯୁଗ-ଯୁଗ ପର୍ଯ୍ୟନ୍ତ ମାନବିକତାକୁ ମାର୍ଗଦର୍ଶନ ଦେଇପାରିବ । ଆଜି ପୁଣି ଥରେ, ଜଗତ୍‌ଗୁରୁ ଶ୍ରୀ ରାମାନୁଜାଚାର୍ଯ୍ୟ ଜୀଙ୍କ ଏହି ଭବ୍ୟ ବିଶାଳ ମୂର୍ତ୍ତି ମାଧ୍ୟମରେ ଭାରତ ମାନବୀୟ ଶକ୍ତି ଏବଂ ପ୍ରେରଣାକୁ ପରିପ୍ରକାଶ କରୁଛି । ରାମାନୁଜାଚାର୍ଯ୍ୟ ଜୀଙ୍କର ଏହି ପ୍ରତିମୂର୍ତ୍ତି ହେଉଛି ତାଙ୍କର ଜ୍ଞାନ, ବୈରାଗ୍ୟ ଏବଂ ଆଦର୍ଶର ପ୍ରତୀକ । ମୋତେ ବିଶ୍ୱାସ ଅଛି, ଏହି ପ୍ରତିମୂର୍ତ୍ତି କେବଳ ଆଗାମୀ ପିଢିକୁ ପ୍ରେରଣା ଦେବ ନାହିଁ, ବରଂ ଭାରତର ପ୍ରାଚୀନ ପରିଚୟକୁ ମଧ୍ୟ ଦୃଢ କରିବ । ମୁଁ ଆପଣ ସମସ୍ତଙ୍କୁ ସମସ୍ତ ଦେଶବାସୀଙ୍କୁ ଏବଂ ପୁରା ବିଶ୍ୱରେ ଥିବା ରାମାନୁଜାଚାର୍ଯ୍ୟ ଜୀଙ୍କର ସମସ୍ତ ଅନୁଗାମୀମାନଙ୍କୁ ଏହି ଶୁଭ ଅବସରରେ ଅନେକ-ଅନେକ ଶୁଭେଚ୍ଛା ଜଣାଉଛି । 

ସାଥୀମାନେ,

ବର୍ତ୍ତମାନ ମୁଁ ୧୦୮ ଦିବ୍ୟ ଦେଶମ୍ ମନ୍ଦିରଗୁଡିକର ପରିଦର୍ଶନ କରି ଆସୁଛି । ଆଲ୍ ୱାର ସନ୍ଥମାନେ ଯେଉଁ ୧୦୮ ଦିବ୍ୟ ଦେଶମ୍ ମନ୍ଦିରର ଦର୍ଶନ ସମଗ୍ର ଭାରତ ଭ୍ରମଣ କରିଥିଲେ, କିଛି ସେହିଭଳି ସୌଭାଗ୍ୟ ମୋତେ ଆଜି ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ କୃପାରୁ ମୁଁ ଏଠାରେ ପାଇଲି । ମାନବିକତାର କଲ୍ୟାଣର ଯେଉଁ ଯଜ୍ଞ ସେ ଏକାଦଶ ଶତାବ୍ଦୀରେ ଆରମ୍ଭ କରିଥିଲେ, ସେହି ସଂକଳ୍ପ ଏଠାରେ ୧୨ଦିନ ଧରି ବିଭିନ୍ନ ଅନୁଷ୍ଠାନରେ ପୁନରାବୃତ୍ତି ହେଉଛି । ପୂଜ୍ୟ ଶ୍ରୀ ଜିୟର ସ୍ୱାମୀ ଜୀଙ୍କ ସ୍ନେହରେ ଆଜି ‘ବୈଶ୍ୱିକ ସେନ ଇଷ୍ଟି ଯଜ୍ଞ’ର ପୂର୍ଣ୍ଣାହୂତିରେ ଅଂଶଗ୍ରହଣ କରିବାରେ ସୌଭାଗ୍ୟ ମତେ ମିଳିଛି । ଏଥିପାଇଁ ମୁଁ ଜିୟର ସ୍ୱାମୀଜୀଙ୍କୁ ବିଶେଷଭାବେ କୃତଜ୍ଞତା ଜଣାଉଛି । ସେ ମୋତେ କହିଛନ୍ତି ଯେ,‘ବୈଶ୍ୱିକ ସେନ ଇଷ୍ଟି ଯଜ୍ଞ’ ହେଉଛି ସଂକଳ୍ପ ଏବଂ ଲକ୍ଷ୍ୟ ପୂରଣର ଯଜ୍ଞ । ମୁଁ ଏହି ଯଜ୍ଞର ସଂକଳ୍ପକୁ ଅମୃତ ସଂକଳ୍ପ ସିଦ୍ଧି ପାଇଁ ନତମସ୍ତକ ହୋଇ ଉତ୍ସର୍ଗ କରୁଛି । ଏହି ଯଜ୍ଞର ଫଳ ମୋର ୧୩୦କୋଟି ଦେଶବାସୀଙ୍କ ସ୍ୱପ୍ନ ପୂରଣ ପାଇଁ ଅର୍ପଣ କରୁଛି । 

ସାଥୀମାନେ,

ଦୁନିଆର ଅଧିକାଂଶ ସଭ୍ୟତାରେ, ଅଧିକାଂଶ ଦାର୍ଶନିକରେ କୌଣସି ବିଚାରକୁ ଗ୍ରହଣ କରାଯାଇଛି କିମ୍ବା ତାହା ଖଣ୍ଡନ କରାଯାଇଛି । କିନ୍ତୁ ଭାରତ ଏପରି ଏକ ଦେଶ ଅଟେ, ଯାହାର ମହର୍ଷିମାନେ ଜ୍ଞାନକୁ ଖଣ୍ଡନ-ମଣ୍ଡନ, ସ୍ୱୀକୃତି-ଅଣସ୍ୱୀକୃତି ଏହାଠାରୁ ଊର୍ଦ୍ଧ୍ୱକୁ ନେଇ ପରଖିଛନ୍ତି । ସେ ନିଜେ ଉପରକୁ ଉଠିଛନ୍ତି । ଦିବ୍ୟ ଦୃଷ୍ଟିରେ ସେହି ବିବାଦକୁ ଦେଖିଲେ ଆମର ଏଠାରେ ଅଦୈତ୍ୟ ମଧ୍ୟ ଅଛି ଏବଂ ଦ୍ୱୈତ୍ୟ ମଧ୍ୟ ଅଛି । ଏବଂ, ଏହି ଦ୍ୱୈତ-ଅଦ୍ୱୈତକୁ ସମାୟିତ କରି ଶ୍ରୀରାମାନୁଜାଚାର୍ଯ୍ୟ ଜୀଙ୍କର ଜ୍ଞାନର ଏକ ଅଲଗା ଭବ୍ୟତା ରହିଛି । ସରଳଦୃଷ୍ଟି କୋଣରୁ ଯେଉଁ ଧାରଣାଗୁଡିକ ପରସ୍ପର ବିରୋଧୀ ଲାଗିଥାଏ, ରାମାନୁଜାଚାର୍ଯ୍ୟ ଜୀ ସେମାନଙ୍କୁ ଅତି ସହଜରେ ଗୋଟିଏ ସୂତ୍ରରେ ବାନ୍ଧି ଦେଇଥାନ୍ତି । ତାଙ୍କର ଅନେକ ଜ୍ଞାନ ସହିତ, ତାଙ୍କର ଅନେକ ବ୍ୟାଖ୍ୟା ସହିତ ଅତି ସାଧାରଣ ଲୋକ ମଧ୍ୟ ଯୋଡି ହୋଇଯାଇଥାଏ । ଆପଣ ଦେଖନ୍ତୁ, ଗୋଟିଏ ପଟେ ରାମାନୁଜାଚାର୍ଯ୍ୟଙ୍କ ମନ୍ତବ୍ୟଗୁଡିକରେ ଜ୍ଞାନର ପରକାଷ୍ଠା ରହିଛି, ଏବଂ ସେତେବେଳେ ଅନ୍ୟପଟେ ସେ ଭକ୍ତିମାର୍ଗର ମଧ୍ୟ ପିତା ଅଟନ୍ତି । ଗୋଟିଏ ପଟେ ସେ ସମୃଦ୍ଧ ପରମ୍ପରାର ଜଣେ ସନ୍ଥ ମଧ୍ୟ ଅଟନ୍ତି, ଏବଂ ଅନ୍ୟପଟେ ଗୀତା ଭାଷାରେ ସେ କର୍ମର ମହତ୍ୱକୁ ମଧ୍ୟ ଅତ୍ୟନ୍ତ ଉତ୍ତମଭାବେ ଉପସ୍ଥାପନ କରିଥାନ୍ତି । ସେ ନିଜେ ମଧ୍ୟ ନିଜ ପୁରା ଜୀବନକୁ କର୍ମ ପାଇଁ ଉତ୍ସର୍ଗ କରିଛନ୍ତି । ରାମାନୁଜାଚାର୍ଯ୍ୟ ଜୀ ସଂସ୍କୃତ ଗ୍ରନ୍ଥ ମଧ୍ୟ ରଚନା କରିଥିଲେ ଏବଂ ତାମିଲ ଭାଷାକୁ ମଧ୍ୟ ଭକ୍ତିମାର୍ଗରେ ସେ ଗୁରୁତ୍ୱ ଦେଇଥିଲେ । ଆଜି ମଧ୍ୟ ରାମାନୁଜା ପରମ୍ପରାର ମନ୍ଦିରଗୁଡିକରେ ଥୀରୁପ୍ପାୱାୟୀ ପାଠ ବିନା ପ୍ରାୟ କୌଣସି ଅନୁଷ୍ଠାନରେ ରୀତିନୀତି କ’ଣ ପୂର୍ଣ୍ଣ ହୋଇଥାଏ । 

ସାଥୀମାନେ,

ଆଜି ଯେତେବେଳେ ଦୁନିଆରେ ସାମାଜିକ ସଂସ୍କାରର କଥା ଆସେ, ପ୍ରଗତିଶୀଳତାର କଥା ଆସେ, ସେତେବେଳେ ଜଣାଯାଇଥାଏ ଯେ ସୁଧାର ଜଡରୁ ଦୂରରେ ଯାଇ ହୋଇପାରିବ । କିନ୍ତୁ, ଯେତେବେଳେ ଆମେ ରାମାନୁଜାଚାର୍ଯ୍ୟ ଜୀଙ୍କୁ ଦେଖୁ ସେତେବେଳେ ଆମେ ଅନୁଭବ କରୁ ଯେ, ପ୍ରଗତିଶୀତଳା ଏବଂ ପ୍ରାଚୀନତା ମଧ୍ୟରେ କୌଣସି ବିରୋଧ ନାହିଁ । ଏହା ଜରୁରୀ ନୁହେଁ ଯେ ଉନ୍ନତି ପାଇଁ ଜଣଙ୍କୁ ତାଙ୍କ ଜଡଠାରୁ ବହୁ ଦୂରକୁ ଯିବାକୁ ପଡିବ । ବରଂ ଏହା ଆବଶ୍ୟକ ଯେ, ଆମେ ଆମର ପ୍ରକୃତ ମୂଳ ସହିତ ସଂଯୁକ୍ତ ହୋଇ, ଆମର ପ୍ରକୃତ ଶକ୍ତି ସହିତ ପରିଚିତ ହେବା ! ପ୍ରାୟ ଏକହଜାର ବର୍ଷ ପୂର୍ବେ ରୁଢିର ଚାପ, ଅନ୍ଧବିଶ୍ୱାସର ଚାପ, କଳ୍ପନା ବାହାରେ କେତେ ଅଧିକ ହୋଇଥିବ ! କିନ୍ତୁ ରାମାନୁଜାଚାର୍ଯ୍ୟ ଜୀ ସମାଜର ଉନ୍ନତି ପାଇଁ ଭାରତର ପ୍ରକୃତ ବିଚାର ସହିତ ସମାଜକୁ ପରିଚିତ କରାଇଲେ । ସେ ଦଳିତ ଏବଂ ପଛୁଆ ବର୍ଗଙ୍କୁ ଆଲିଙ୍ଗନ କରିଥିଲେ, ସେହି ସମୟରେ ଯେଉଁ ଜାତିମାନଙ୍କୁ ନେଇ ସେହି ସମୟରେ ଯେଉଁ ଅନ୍ୟ କିଛି ଭାବନା ଥିଲା ସେହି ଜାତିମାନଙ୍କୁ ବିଶେଷ ସମ୍ମାନ ଦେଇଥିଲେ । ସେ ଯାଦବଗିରିରେ ନାରାୟଣ ମନ୍ଦିର ନିର୍ମାଣ କରିଥିଲେ, ଯେଉଁଥିରେ ଦଳିତମାନଙ୍କୁ ପୂଜା କରିବାର ଅଧିକାର ଦିଆଯାଇଥିଲା । ରାମାନୁଚାର୍ଯ୍ୟ ଜୀ କହିଛନ୍ତି ଯେ, ଧର୍ମ କହୁଛି- “ ନ ଜାତିଃ କାରଣଂ ଲୋକେ ଗୁଣାଃ କଲ୍ୟାଣ ହେତବଃ” ଅର୍ଥାତ୍ ସଂସାରରେ ଜାତିରୁ ନୁହେଁ, ଗୁଣରୁ କଲ୍ୟାଣ ହୋଇଥାଏ । ରମାନୁଜାଚାର୍ଯ୍ୟ ଜୀଙ୍କ ଗୁରୁ ଶ୍ରୀ ମହାପୂର୍ଣ୍ଣଜୀ ଥରେ ଅନ୍ୟ ଜାତିର ନିଜର ଏକ ମିତ୍ରଙ୍କର ଅନ୍ତିମ ସଂସ୍କାର କରିଥିଲେ। ସେହି ସମୟରେ ରାମାନୁଜଚାର୍ଯ୍ୟ ଜୀ ଲୋକମାନଙ୍କୁ ଭଗବାନ ଶ୍ରୀରାମଙ୍କୁ ମନେ ପକାଇଵ ଦେଇଥିଲେ । ସେ କହିଥିଲେ ଯେ, ଯଦି ଭଗବାନ ରାମ ନିଜ ହାତରେ ସେ ଜଟାୟୁର ଅନ୍ତିମ ସଂସ୍କାର କରିଥିଲେ, ତେବେ ଭେଦଭାବପୂର୍ଣ୍ଣ ଚିନ୍ତାଧାରାର ଆଧାରରେ ଧର୍ମ କିପରି ହୋଇପାରିବ ? ଏହା ନିଜେ ହିଁ ଏକ ବଡ ସନ୍ଦେଶ ଅଟେ। 

ସାଥୀମାନେ, 

ଆମ ସଂସ୍କୃତିର ଏହି ବିଶେଷତା ରହିଛି ଯେ, ସୁଧାର ପାଇଁ, ଆମ ସମାଜ ମଧ୍ୟରୁ ହିଁ ଲୋକ ବାହାରି ଥାଆନ୍ତି । ବହୁ ଯୁଗରୁ ଦେଖି ଆସିଛି ସମାଜରେ ଯେତେବେଳେ କିଛି ଖରାପ ତତ୍ତ୍ଵ ବ୍ୟାପିବା ଆରମ୍ଭ କରେ, ସେତେବେଳେ ଆମ ଭିତରୁ କିଛି ମହାନ୍ ବ୍ୟକ୍ତି ଜନ୍ମ ହୁଅନ୍ତି ଏବଂ ଏହା ହଜାରବର୍ଷର ଅଭିଜ୍ଞତା ଅଟେ ଯେ,ଏହିପରି ସଂସ୍କାରକମାନେ ଗ୍ରହଣୀୟ ହୋଇଥାଆନ୍ତୁ କିମ୍ବା ନ ହୋଇଥାଆନ୍ତୁ, ଚ୍ୟାଲେଞ୍ଜ ଥାଉ ବା ନଥାଉ ସଙ୍କଟରେ ପଡିଥାଆନ୍ତୁ କିମ୍ବା ନ ପଡିଥାଆନ୍ତୁ କିନ୍ତୁ ସେହି ଚିନ୍ତାଧାରାରେ ସେହି ତତ୍ତ୍ଵରେ ଏତେ ଶକ୍ତି ରହିଥିଲା, ତାଙ୍କର ବିଶ୍ୱାସ ଏତେ ଶକ୍ତିଶାଳୀ ଥିଲା ଯେ ସେ ସମାଜର ଖରାପ ବିରୁଦ୍ଧରେ ଲଢିବା ପାଇଁ ନିଜର ଶକ୍ତି ବ୍ୟବହାର କରୁଥିଲେ । କିନ୍ତୁ ଯେତେବେଳେ ସମାଜ ଏହାକୁ ବୁଝିବାରେ ସକ୍ଷମ ହୁଏ ସେତେବେଳେ ଯାହାର କେବେ ବିରୋଧ ହୋଇଥାଏ, ତାହାକୁ ମଧ୍ୟ ସ୍ୱୀକୃତି ଯଥାଶୀଘ୍ର ମିଳିଥାଏ । ସମ୍ମାନ ଏବଂ ଆଦର ମଧ୍ୟ ସେତିକି ମିଳିଥାଏ । ଏହି କଥାର ପ୍ରମାଣ ହେଉଛି କୁସଂସ୍କାର ସପକ୍ଷରେ, କୁରୀତିନୀତି ସପକ୍ଷରେ, ସାଧାରଣ ଭାବରେ ଆମ ସମାଜରେ ସାମାଜିକ ସ୍ୱୀକୃତି ମିଳି ନ ଥାଏ । ଯେଉଁମାନେ ଖରାପ ସହିତ ଲଢିଥାଆନ୍ତି, ଯେଉଁମାନେ ସମାଜକୁ ସୁଧାରୀ ଥାଆନ୍ତି, ସେମାନଙ୍କୁ ହିଁ ମାନସମ୍ମାନ ମିଳିଥାଏ । 

ଭାଇ ଓ ଭଉଣୀମାନେ,

ଆପଣ ସମସ୍ତେ ରାମାନୁଜାଚାର୍ଯ୍ୟଙ୍କ ଜୀବନର ବିଭିନ୍ନ ଦିଗ ସହିତ ପରିଚିତ ଅଟନ୍ତି । ସେ ସମାଜକୁ ସଠିକ ଦିଗ ଦେବା ପାଇଁ ଆଧ୍ୟାତ୍ମିକତା ବାର୍ତ୍ତା ବ୍ୟବହାର କରୁଥିଲେ ଏବଂ ବ୍ୟବହାରିକ ଜୀବନର ମଧ୍ୟ ! ଜାତି ନାମରେ ଯେଉଁମାନଙ୍କ ସହିତ ଭେଦଭାବ ହେଉଥିଲା, ରାମାନୁଜାଚାର୍ଯ୍ୟ ଜୀ ତାଙ୍କୁ ଥୀରୁକୁଲଥାର ନାମ ଦେଇଥିଲେ । ଅର୍ଥାତ୍ ଲକ୍ଷ୍ମୀଜୀଙ୍କ କୁଳରେ ଜନ୍ମ ନେଇଥିବା, ଶ୍ରୀକୁଲ୍ କିମ୍ବା ଦିବ୍ୟଜନ ! ସେ ସ୍ନାନ ସାରି ଆସିବାବେଳେ ନିଜ ଶିଷ୍ୟ ‘ଧନୁର୍ଦାସ’ଙ୍କ କାନ୍ଧରେ ହାତ ରଖି ଆସୁଥିଲେ । ଏଭଳି କରି ରାମାନୁଜାଚାର୍ଯ୍ୟ ଜୀ ଛୁଆଅଛୁଆଁର ଅସ୍ପୃଶ୍ୟତାକୁ ଦୂର କରିବାକୁ ସଙ୍କେତ ଦେଉଥିଲେ । ଏହାର କାରଣ ଥିଲା କି, ବାବା ସାହେବ ଆମ୍ବେଦକରଙ୍କ ଭଳି ସମାନତାର ଆଧୁନିକ ନାୟକ ମଧ୍ୟ ରାମାନୁଜାଚାର୍ଯ୍ୟ ଜୀଙ୍କର ଭରପୂର ପ୍ରଶଂସା କରୁଥିଲେ , ଏବଂ ସାମାଜକୁ ମଧ୍ୟ କହୁଥିଲେ ଯଦି ଶିଖିବାକୁ ଅଛି ତେବେ ରାମାନୁଜାଚାର୍ଯ୍ୟ ଜୀଙ୍କ ଶିକ୍ଷାରୁ ହି ଶିଖ । ଏବଂ ଏଥିପାଇଁ, ଆଜି ରାମାନୁଜଚାର୍ଯ୍ୟ ଜୀ ବିଶାଳ ମୂର୍ତ୍ତି 'Statue of Equality' ରୂପରେ ସମାନତାର ସନ୍ଦେଶ ଦେଉଛି । ଏହି ସନ୍ଦେଶକୁ ନେଇ ଆଜି ଦେଶ ‘ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଏବଂ ସବ୍‌କା ପ୍ରୟାସ’ର ମନ୍ତ୍ର ସହିତ ନୂତନ ଭବିଷ୍ୟତର ଭିତ୍ତିପ୍ରସ୍ତର ସ୍ଥାପନ କରୁଛି । ବିକାଶ ହେଉ, ସମସ୍ତଙ୍କର ହେଉ, ବିନା ଭେଦଭାବରେ ହେଉ । ସାମାଜିକ ନ୍ୟାୟ,ସମସ୍ତଙ୍କୁ ମିଳୁ, ବିନା ଭେଦଭାବରେ ମିଳୁ । ଯେଉଁମାନଙ୍କ ଶତାବ୍ଦୀ ଶତାବ୍ଦୀ ଧରି ପ୍ରତାଡିତ କରାଯାଇଥିଲା, ସେମାନେ ପୂର୍ଣ୍ଣ ସମ୍ମାନର ସହିତ ବିକାଶର ଅଂଶୀଦାର ହେବା ଉଚିତ, ଏଥିପାଇଁ ଆଜି ପରିବର୍ତ୍ତିତ ଭାରତ ଏକ ମିଳିତ ପ୍ରୟାସ କରୁଛି । ଆଜି ଆମ ଦଳିତ ପଛୁଆ ଭାଇ ଓ ଭଉଣୀମାନେ ସରକାର ଚଳାଉଥିବା ଯୋଜନାରୁ ବହୁତ ଉପକୃତ ହେଉଛନ୍ତି । ଏହା ପକ୍କାଘର ହେଉ କିମ୍ବା ମାଗଣା ଉଜ୍ଜ୍ୱଳା ସଂଯୋଗ, ଗ୍ୟାସ ସଂଯୋଗ, ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ହେଉ କିମ୍ବା ବିଜୁଳିର ମାଗଣା ସଂଯୋଗ, ଜନଧନ ବ୍ୟାଙ୍କ ଆକାଉଣ୍ଟଖୋଲିବା ହେଉ କିମ୍ବା ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ କୋଟି କୋଟି ଶୌଚାଳୟ ନିର୍ମାଣ କରିବା ହେଉ । ଏହିପରି ଯୋଜନାଗୁଡିକ ସମସ୍ତଙ୍କୁ ଉପକୃତ କରିଛି, ଦଳିତ-ପଛୁଆ, ଗରିବ, ଶୋଷିତ-ବଞ୍ଚିତ, ଭେଦଭାବ ବିନା ସମସ୍ତଙ୍କୁ ସଶକ୍ତ କରିଛି । 

ସାଥୀମାନେ, 

ରାମାନୁଜଚାର୍ଯ୍ୟ ଜୀ କହୁଥିଲେ ଯେ- “ଉଇରସୁଗଲୁକ୍କୁଲ ବେଡମ୍ ଇଲେ” । ଅର୍ଥାତ୍ ସମସ୍ତ ଜୀବ ସମାନ ଅଟନ୍ତି। ସେ ବ୍ରହ୍ମା ଏବଂ ଜୀବନର ଏକତା ବିଷୟରେ କହିବା ବନ୍ଦ କରୁ ନ ଥିଲେ । ସେ ବେଦାନ୍ତର ଏହି ସୂତ୍ରକୁ ନେଇ ସେ ନିଜେ ମଧ୍ୟ ବଞ୍ଚୁଥିଲେ । ତାଙ୍କ ପାଇଁ ନିଜ ଏବଂ ଅନ୍ୟମାନଙ୍କ ମଧ୍ୟରେ କୌଣସି ପ୍ରଭେଦ ନ ଥିଲା । ଏପରିକି ସେ ନିଜ ଅପେକ୍ଷା ଜୀବଜନ୍ତୁଙ୍କ କଲ୍ୟାଣ ବିଷୟରେ ଅଧିକ ଚିନ୍ତା କରୁଥିଲେ । ଯେତେବେଳେ ଅନେକ ଚେଷ୍ଟା ପରେ ତାଙ୍କ ଗୁରୁ ତାଙ୍କୁ ଜ୍ଞାନ ଦେଇଥିଲେ, ସେତେବେଳେ ସେ ଏହାକୁ ଗୁପ୍ତ ରଖିବାକୁ କହିଥିଲେ । କାରଣ ସେହି ଗୁରୁମନ୍ତ୍ର ତାଙ୍କର କଲ୍ୟାଣର ମନ୍ତ୍ର ଥିଲା । ସେ ସାଧନା କରିଥିଲେ, ତପସ୍ୟା କରିଥିଲେ, ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ଏବଂ ସେଥିପାଇଁ ସେ ଏହି ଗୁରୁମନ୍ତ୍ର ପାଇଥିଲେ । କିନ୍ତୁ ରାମାନୁଜଚାର୍ଯ୍ୟଜୀଙ୍କର ଚିନ୍ତାଧାରା ଅଲଗା ଥିଲା । ରାମାନୁଜଚାର୍ଯ୍ୟ ଜୀ କହିଛନ୍ତି, ପତିଷ୍ୟେ ଏକ ୟେବାହଂ, ନରକୋ ଗୁରୁ ପାତୋକାତ୍ । ସବେ ଗଚ୍ଛନ୍ତୁ ଭବନ୍ତା, କୃପୟା ପରମଂ ପଦମ୍ । ଅର୍ଥାତ୍ ମୁଁ ଏକାକୀ ଯଦି ନର୍କକୁ ଯାଏ ତେବେ ଏଥିରେ କିଛି କଥା ନାହିଁ , କିନ୍ତୁ ଅନ୍ୟ ସମସ୍ତଙ୍କର କଲ୍ୟାଣ ହେବା ଉଚିତ । ଏହା ପରେ, ସେ ମନ୍ଦିରର ଶିଖରକୁ ଚଢି ପ୍ରତ୍ୟେକ ନରନାରୀଙ୍କୁ ଏହି ମନ୍ତ୍ର ଶୁଣାଇଲେ ଯାହା ତାଙ୍କ ଗୁରୁ ତାଙ୍କ କଲ୍ୟାଣ ପାଇଁ ଦେଇଥିଲେ। ସମାନତାର ଏଭଳି ଅମୃତ ରାମାନୁଜାଚାର୍ଯ୍ୟଙ୍କ ଭଳି କୌଣସି ମହାପୁରୁଷ ହିଁ ବାହାରି ପାରିଥାଆନ୍ତେ, ଯିଏ ବେଦବେଦାନ୍ତର ବାସ୍ତବିକ ଦର୍ଶନ କରିଥିଲେ । 

ସାଥୀମାନେ, 

ରାମାନୁଜାଚାର୍ଯ୍ୟ ଜୀ ମଧ୍ୟ ଭାରତର ଏକତା ଏବଂ ଅଖଣ୍ଡତା ପାଇଁ ଏକ ଉଜ୍ଜ୍ୱଳ ପ୍ରେରଣା ଅଟନ୍ତି । ତାଙ୍କର ଜନ୍ମ ଦକ୍ଷିଣରେ ହୋଇଥିଲା, କିନ୍ତୁ ତାଙ୍କର ପ୍ରଭାବ ଦକ୍ଷିଣରୁ ଉତ୍ତର ଏବଂ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସମଗ୍ର ଭାରତ ଉପରେ ଅଛି । ଅନ୍ନାମାଚାର୍ଯ୍ୟଜୀ ତାଙ୍କୁ ତେଲୁଗୁ ଭାଷାରେ ପ୍ରଶଂସା କରିଛନ୍ତି । କନକ ଦାସଜୀ କନ୍ନଡ ଭାଷାରେ ରାମାନୁଜାଚାର୍ଯ୍ୟଜୀଙ୍କର ମହିମା ଗାନ କରିଛନ୍ତି । ଯଦି ଆପଣ ଗୁଜରାଟ ଏବଂ ରାଜସ୍ଥାନକୁ ଯାଆନ୍ତି, ତେବେ ଆପଣ ସେଠାରେ ଅନେକ ସନ୍ଥଙ୍କ ଉପଦେଶରେ ରାମାନୁଜାଚାର୍ଯ୍ୟଙ୍କ ଚିନ୍ତାଧାରାର ସୁଗନ୍ଧ ଅନୁଭବ କରିପାରିବେ । ଏବଂ ଗୋସ୍ୱାମୀ ତୁଳସୀଦାସଜୀଙ୍କ ଠାରୁ ଆରମ୍ଭ କରି ଉତ୍ତରରେ ଥିବା ରାମାନନ୍ଦିଆ ପରମ୍ପରାର କବୀର ଦାସଙ୍କ ପର୍ଯ୍ୟନ୍ତ, ରାମାନୁଜାଚାର୍ଯ୍ୟ ପ୍ରତ୍ୟେକ ମହାନ୍ ସନ୍ଥଙ୍କ ପାଇଁ ପରମଗୁରୁ ଅଟନ୍ତି । ରମାନୁଜାଚାର୍ଯ୍ୟଜୀଙ୍କ ଜୀବନରେ ଆମେ ଏହା ଦେଖିପାରୁଛୁ ଯେ, ଜଣେ ସନ୍ଥ କିପରି ତାଙ୍କର ଅଧ୍ୟାତ୍ମିକ ଶକ୍ତି ବଳରେ ସମଗ୍ର ଭାରତକୁ ଏକତା ସୂତ୍ରରେ ଏକତ୍ରିତ କରିଥିଲେ । ଏହି ଆଧ୍ୟାତ୍ମିକ ଚେତନା ଶହ ଶହ ବର୍ଷର ଦାସତ୍ୱ ସମୟରେ ଭାରତର ଚେତନାକୁ ଜାଗ୍ରତ କରି ରଖିଥିଲା ।

ସାଥୀମାନେ, 

ଏହା ମଧ୍ୟ ଏକ ଖୁସିର କଥା ଯେ, ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଉପରେ ଏହି ସମାରୋହ ସେହି ସମୟରେ ଅନୁଷ୍ଠିତ ହେଉଛି ଯେତେବେଳେ ଦେଶ ସ୍ୱାଧୀନତାର ୭୫ବର୍ଷ ପାଳନ କରୁଛି । ସ୍ୱାଧୀନତାର ଅମୃତ ମହୋତ୍ସବରେ, ଆମେ ସ୍ୱାଧୀନତା ସଂଗ୍ରାମର ଇତିହାସକୁ ସ୍ମରଣ କରୁଛୁ । ଆଜି ଦେଶ ଏହାର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ କୃତଜ୍ଞତା ଜଣାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଆମେ ଆମର ଇତିହାସରୁ ଭବିଷ୍ୟତ ପାଇଁ ପ୍ରେରଣା ନେଉଛୁ , ଶକ୍ତି ନେଉଛୁ । ସେଥିପାଇଁ ଅମୃତ ମହୋତ୍ସବର ଏହି ଆୟୋଜନ ସ୍ୱାଧୀନତାର ସଂଗ୍ରାମ ସହିତ ହଜାର ହଜାର ବର୍ଷର ଭାରତର ଐତିହ୍ୟକୁ ମଧ୍ୟ ଜାବୁଡି ଧରିଛି । ଆମେ ଜାଣିଛୁ ଯେ, ଭାରତର ସ୍ୱାଧୀନତା ସଂଗ୍ରାମ କେବଳ ନିଜର ସର୍ତ୍ତା ଏବଂ ନିଜର ଅଧିକାରର ଲଢାଇ ପାଇଁ ନ ଥିଲା । ଏହି ଲଢାଇରେ ଗୋଟିଏ ପଟେ “ଔପନିବେଶିକ ମାନସିକତା” ଥିଲା, ଯାହା ଅନ୍ୟପଟେ “ବଞ୍ଚିବା ଏବଂ ବଞ୍ଚିବାକୁ ଦେବା”ର ବିଚାର ଥିଲା । ଏଥିରେ ଗୋଟିଏ ପଟେ, ଏହା ଜାତିଗତ ଶ୍ରେଷ୍ଠତା ଏବଂ ବସ୍ତୁବାଦ ଏବଂ ଅନ୍ୟ ପଟେ ମାନବିକତାର ଏବଂ ଅଧ୍ୟାତ୍ମିକତାର ଆସ୍ଥା ଥିଲା । ଏହି ଯୁଦ୍ଧରେ ଭାରତ ବିଜୟୀ ହେଲା, ଭାରତର ପରମ୍ପରା ବିଜୟୀ ହେଲା । ଭାରତର ସ୍ୱାଧୀନତା ସଂଗ୍ରାମରେ ସମାନତା, ମାନବିକତା ଏବଂ ଆଧ୍ୟାତ୍ମିକତାର ଶକ୍ତି ମଧ୍ୟ ଜଡିତ ଥିଲା, ଯାହା ଭାରତର ରାମାନୁଜାଚାର୍ଯ୍ୟଙ୍କ ପରି ସନ୍ଥମାନଙ୍କଠାରୁ ମିଳିଥିଲା । ଆମେ କ’ଣ ଗାନ୍ଧିଜୀଙ୍କ ବିନା ଆମର ସ୍ୱାଧୀନତା ସଂଗ୍ରାମକୁ କଳ୍ପନା କରିପାରିବା କି ? ଏବଂ ଆମେ କ’ଣ ଅହିଂସା ଏବଂ ସତ୍ୟ ପରି ଆଦର୍ଶବିନା ଆମେ ଗାନ୍ଧିଜୀଙ୍କୁ କଳ୍ପନା କରିପାରିବା କି ? ଆଜି ବି ଗାନ୍ଧିଜୀଙ୍କ ନାମ ଆସିବା ମାତ୍ରେ “ବୈଷ୍ଣୋବା ଜନତୋ, ତେନେ କହିୟେ,” ଏହି ଧୂନ ଆମ ହୃଦୟରେ ବାଜିବା ଆରମ୍ଭ କରିଥାଏ । ଏହାର ରଚୟିତା ହେଉଛନ୍ତି, ନରସି ମେହତାଜୀ, ରାମାନୁଜାଚାର୍ଯ୍ୟଙ୍କ ଭକ୍ତି ପରମ୍ପରାର ଜଣେ ମହାନ୍ ସନ୍ଥ ଥିଲେ । ସେଥିପାଇଁ ଆମର ଆଧ୍ୟାତ୍ମିକ ଚେତନା ଯେପରି ଆମର ସ୍ୱାଧୀନତା ସଂଗ୍ରାମକୁ ଶକ୍ତି ପ୍ରଦାନ କରୁଥିଲା, ସ୍ୱାଧୀନତାର ୭୫ବର୍ଷ ମଧ୍ୟରେ ଆମର ଅମୃତ ମହୋତ୍ସବର ସଂକଳ୍ପକୁ ମଧ୍ୟ ମିଳିବା ଉଚିତ । ଏବଂ ଆଜି ଯେତେବେଳେ ମୁଁ ଭାଗ୍ୟନଗର, ହାଇଦ୍ରାବାଦରେ ଅଛି ସେତେବେଳେ ସର୍ଦ୍ଦାର ପଟେଲଜୀଙ୍କ ବିଷୟରେ ନିଶ୍ଚିତ ଉଲ୍ଲେଖ କରିବି । ଏମିତି କୃଷ୍ଣ ରେଡ୍ଡୀଜୀ ତାଙ୍କ ବକ୍ତବ୍ୟରେ ବିସ୍ତୃତଭାବେ ତାଙ୍କ ପାଇଁ କହିଥିଲେ । ଭାଗ୍ୟନଗର ମଧ୍ୟରୁ କିଏ ଏତେ ଭାଗ୍ୟଶାଳୀ ହେବ? କିଏ ସେହି ହାଇଦ୍ରାବାଦୀ ହେବ ଯିଏ ସର୍ଦ୍ଦାର ପଟେଲଙ୍କ ଦିବ୍ୟଦୃଷ୍ଟି, ସର୍ଦ୍ଦାର ପଟେଲଙ୍କ ସାମର୍ଥ୍ୟ ଏବଂ ହାଇଦ୍ରାବାଦର ଗୌରବ ପାଇଁ ସର୍ଦ୍ଦାର ସାହେବଙ୍କ କୂଟନୀତିକୁ ଜାଣିନାହିଁ ? ଆଜି ଗୋଟିଏ ପଟେ ସର୍ଦ୍ଦାର ସାହେବଙ୍କ 'Statue of Equality' ଏକତାର ଶପଥ ଦୋହରାଉଥିବାବେଳେ ରାମାନୁଜାଚାର୍ଯ୍ୟଜୀଙ୍କ ‘ଷ୍ଟାଚ୍ୟୁ ଅଫ ଇକ୍ୱାଲିଟି” ସମାନତାର ବାର୍ତ୍ତା ଦେଉଛି । ଏକ ରାଷ୍ଟ୍ରଭାବରେ ଏହା ଭାରତର ଏକ ପୁରୁଣା ବିଶେଷତ୍ୱ ଅଛି । ଆମର ଏକତା ଶକ୍ତି ଇତିହାସର ମୂଳଦୁଆ ଉପରେ ଠିଆ ହୁଏ ନାହିଁ, ଆମର ଏକତା, ସମାନତା ଏବଂ ସମ୍ମାନ ଏହି ସୂତ୍ରରୁ ସୃଷ୍ଟି ହୋଇଥାଏ ।

ସାଥୀମାନେ, 

ଆଜି ଯେତେବେଳେ ମୁଁ ତେଲେଙ୍ଗାନାରେ ଅଛି, ମୁଁ ନିଶ୍ଚିତଭାବରେ ଉଲ୍ଲେଖ କରିବି ଯେ ତେଲୁଗୁ ସଂସ୍କୃତି କିପରି ଭାରତର ବିବିଧତାକୁ ସଶକ୍ତ କରିଛି । ତେଲୁଗୁ ସଂସ୍କୃତିର ପରମ୍ପରା ଶତାବ୍ଦୀ ଧରି ବିଛୁରିତ ହୋଇ ରହିଛି । ଅନେକ ମହାନ୍ ରାଜା, ରାଣୀମାନେ ଏହାର ଧ୍ୱଜାବାହକ ରହିଛନ୍ତି । ସାତବାହନ ହେଉ, କାକତିଅ।। କିମ୍ବା ବିଜୟାନଗର ସାମ୍ରାଜ୍ୟ ହେଉ ସମସ୍ତେ ସଂସ୍କୃତିର ପତାକା ଉତ୍ତୋଳନ କରିଥିଲେ । ମହାନ କବିମାନେ ତେଲୁଗୁ ସଂସ୍କୃତିକୁ ସମୃଦ୍ଧ କରିଛନ୍ତି । ଗତବର୍ଷ ତେଲେଙ୍ଗାନାର ୧୩ତମ ଶତାବ୍ଦୀର କାକତିଆ ରୁଦ୍ରେଶ୍ୱର-ରାମାପ୍ପା ମନ୍ଦିର ୟୁନୋସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀଭାବରେ ଘୋଷଣା କରିଛି । ବିଶ୍ୱ ପର୍ଯ୍ୟଟନ ସଂଗଠନ ମଧ୍ୟ ପଂଚମପଲ୍ଲୀକୁ ଭାରତ ସର୍ବୋତ୍ତମ ପର୍ଯ୍ୟଟନ ଗ୍ରାମ୍ୟ ଭାବରେ ମାନ୍ୟତା ଦେଇଛି । ପଞ୍ଚମପଲ୍ଳୀର ମହିଳାମାନଙ୍କ ଦକ୍ଷତା ପଞ୍ଚମ ପଲ୍ଲୀ ଶାଢୀରେ ବିଶ୍ୱ ପ୍ରସିଦ୍ଧ ହୋଇପାରିଛି । ଏହା ଏମିତି ଏକ ସଂସ୍କୃତି ଯାହା ଆମକୁ ସର୍ବଦା ସଦ୍‌ଭାବ, ଭାଇ-ଚାରା ଏବଂ ନାରୀ ଶକ୍ତିକୁ ସମ୍ମାନ କରିବା ଶିକ୍ଷାଇ ଥାଏ । 

ତେଲୁଗୁ ସଂସ୍କୃତିର ଏହି ଗୌରବମୟ ପରମ୍ପରାକୁ ଆଜି ତେଲୁଗୁ ଫିଲ୍ମ ଇଣ୍ଡିଷ୍ଟ୍ରି ଗର୍ବର ସହିତ ଆଗକୁ ବଢାଉଛି। ତେଲୁଗୁ ସିନେମାର ପରିସର କେବଳ ଯେଉଁଠାରେ ତେଲୁଗୁ ଭାଷା କୁହାଯାଏ ତାହାନୁହେଁ, ଏହାର ବିସ୍ତାର ସମଗ୍ର ବିଶ୍ୱରେ ରହିଛି । ରୂପା ପରଦାରୁ ଓଟିଟି ପ୍ଲାଟଫର୍ମ ପର୍ଯ୍ୟନ୍ତ ଏହି ସୃଜନଶୀଳତା ଉପରେ ଆଲୋଚନା ହେଉଛି । ଭାରତ ବାହାରେ ମଧ୍ୟ ବହୁତ ପ୍ରଶଂସା ହେଉଛି । ତେଲୁଗୁ ଭାଷାଭାଷୀ ଲୋକମାନଙ୍କର କଳା ଏବଂ ସଂସ୍କୃତି ପ୍ରତି ସେମାନଙ୍କର ଏହି ଉତ୍ସର୍ଗ ସମସ୍ତଙ୍କ ପାଇଁ ଏକ ପ୍ରେରଣା ଅଟେ ।

ସାଥୀମାନେ, 

ସ୍ୱାଧୀନତାର ୭୫ତମ ବର୍ଷରେ, ଏହି ଅମୃତକାଳରେ ଶ୍ରୀ ରାମାନୁଜାଚାର୍ଯ୍ୟଜୀଙ୍କର ଏହି ପ୍ରତିମୂର୍ତ୍ତି ପ୍ରତ୍ୟେକ ଦେଶବାସୀଙ୍କୁ ନିରନ୍ତର ପ୍ରେରଣା ଯୋଗାଇବ । ମୋତେ ପୂର୍ଣ୍ଣ ବିଶ୍ୱାସ ଅଛି ଯେ, ସ୍ୱାଧୀନତାର ଅମୃତ କାଳରେ ଆମେ ସେହି ମନ୍ଦ ବୁଦ୍ଧିକୁ ସମ୍ପୂର୍ଣ୍ଣରୂପେ ଦୂର କରିବାରେ ସକ୍ଷମ ହେବା, ଯାହା ଶ୍ରୀ ରାମାନୁଜାଚାର୍ଯ୍ୟଜୀ ସମାଜକୁ କହି ଜାଗ୍ରତ କରିଥିଲେ । ଏହି ଭାବନାର ସହିତ ପୂଜ୍ୟ ସ୍ୱାମୀଜୀଙ୍କୁ ଆଦର ପୂର୍ବକ ଧନ୍ୟବାଦ ଜଣାଇବା ସହ ଏହି ପବିତ୍ର ଅବସରରେ ଭାଗିଦାରୀ ହେବା ପାଇଁ ଆପଣମାନେ ମୋତେ ସୁଯୋଗ ଦେଇଥିଲେ ମୁଁ ଆପଣଙ୍କ ନିକଟରେ ବହୁତ କୃତଜ୍ଞ ! ସମଗ୍ର ବିଶ୍ୱରେ ବ୍ୟାପିଥିବା ପ୍ରଭୁ ରାମାନୁଜାଚାର୍ଯ୍ୟ ଜୀଙ୍କ ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ସମସ୍ତଙ୍କୁ ମୁଁ ଅନେକ ଅନେକ ଶୁଭକାମନା ଜଣାଉଛି ! ମୋର କଥାକୁ ଏହି ଠାରେ ବିଶ୍ରାମ ଦେଉଛି।

ଆପଣଙ୍କ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ!

 

*****

 NS / SLP



(Release ID: 1796009) Visitor Counter : 203