ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଡାକ୍ତରଖାନାମାନଙ୍କରେ ଏବଂ ବିଶେଷ କରି କୋଭିଡ଼- ୧୯ ଚିକିତ୍ସା କେନ୍ଦ୍ରରେ ଯେଭଳି କୌଣସି ପ୍ରକାର ଅଗ୍ନିକାଣ୍ଡ ନ ଘଟେ ତାହା ସୁନିଶ୍ଚିତ କରିବା ସକାଶେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ଦୃଷ୍ଟି ଆକର୍ଷଣ କଲା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

ସମର୍ପିତ କୋଭିଡ଼ ଚିକିତ୍ସାକେନ୍ଦ୍ରମାନଙ୍କ ସହିତ ହସପିଟାଲ ଏବଂ ମେଡ଼ିକାଲ ବ୍ୟବସ୍ଥାକୁ ନିରନ୍ତର ବିଦ୍ୟୁତ୍‍ ଯୋଗାଣ ଜାରି ରଖିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କୁ ବିଶେଷ ପରାମର୍ଶ ପ୍ରଦାନ

Posted On: 05 MAY 2021 1:04PM by PIB Bhubaneshwar

ସର୍ଟ ସର୍କିଟ୍‍ ଅବା ଅନ୍ୟ କୌଣସି କାରଣ ଯୋଗୁ ହେଉ ହସପିଟାଲ ଓ ନର୍ସିଂ ହୋମମାନଙ୍କରେ ନିକଟ ଅତୀତରେ ଅଗ୍ନିକାଣ୍ଡ ଭଳି ଘଟଣା ଘଟିଥିବା ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । 

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗ ସଚିବ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କର ପ୍ରଶାସକମାନଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି । ଏହି ପତ୍ରରେ ନିକଟ ଅତୀତରେ ବିଭିନ୍ନ ରାଜ୍ୟର ହସପିଟାଲ ଏବଂ ନର୍ସିଂହୋମ ମାନଙ୍କରେ ଅଗ୍ନିକାଣ୍ଡ ଘଟିଥିବା ଘଟଣା ସମ୍ପର୍କରେ ଅବଗତ କରାଯାଇଛି । ବିଶେଷ କରି ଗ୍ରୀଷ୍ମ ଋତୁର ପ୍ରବଳ ଖରା ଯୋଗୁ ଏହି ଘଟଣା ପ୍ରତି ବିଶେଷ ଧ୍ୟାନ ଦେବାକୁ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ସରକାରମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ଅଗ୍ନିକାଣ୍ଡ ଭଳି ଘଟଣା ନଘଟିବା ପ୍ରତି ସେମାନେ ବିଶେଷ ଧ୍ୟାନ ଦିଅନ୍ତୁ । ଗ୍ରୀଷ୍ମ ଯୋଗୁ ଉତ୍ତାପ ବୃଦ୍ଧି ପାଇଁ ହୋଇଥାଉ ଅଥବା ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ କିମ୍ବା ଚିକିତ୍ସାଳୟମାନଙ୍କରେ ଆଭ୍ୟନ୍ତରୀଣ ଓୟାରିଂ ଉପରେ ପଡ଼ୁଥିବା ଅଧିକ ଚାପ ପାଇଁ ହେଉ ବେଳେବେଳେ ସର୍ଟ ସର୍କିଟ୍‍ ଭଳି ଘଟଣା ଘଟିଥାଏ ଯାହା ଫଳରେ ଅଗ୍ନିକାଣ୍ଡ ଭଳି ଦୁର୍ଘଟଣା ସୃଷ୍ଟି ହୋଇଥାଏ ଓ ଧନଜୀବନର କ୍ଷୟକ୍ଷତି ଘଟିଥାଏ ।

ଏହି ପତ୍ରରେ ରାଜ୍ୟମାନଙ୍କୁ ଆହୁରି ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ଏହି ପରିପ୍ରେକ୍ଷୀରେ ସେମାନଙ୍କର କାର୍ଯ୍ୟ ଯୋଜନା ପ୍ରସ୍ତୁତ କରନ୍ତୁ ଯଦ୍ୱାରା ଉଭୟ ସରକାରୀ କିମ୍ବା ବେସରକାରୀ ହସପିଟାଲରେ (ବିଶେଷ କରି ସମର୍ପିତ କୋଭିଡ଼ ୧୯ ବ୍ୟବସ୍ଥା ମାନଙ୍କରେ) ସମସ୍ତ ପ୍ରକାର ଅଗ୍ନିକାଣ୍ଡ ଆଶଙ୍କାକୁ ପ୍ରତିହତ କରାଯାଇପାରିବ ।

ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ଆହୁରି ଅନୁରୋଧ କରାଯାଇଛି ଯେ ସେମାନେ ସ୍ୱାସ୍ଥ୍ୟ, ଶକ୍ତି ଓ ଅଗ୍ନି ନିର୍ବାପକ ବିଭାଗର ଅଧିକାରୀମାନଙ୍କ ଜରିଆରେ ଏହି ପରିପ୍ରେକ୍ଷୀରେ ବିସ୍ତୃତ ଭାବେ ଆଗୁଆ ସମୀକ୍ଷା କରନ୍ତୁ ଏବଂ ଏ ସଂପର୍କୀତ ବିସ୍ତୃତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରି ରଖନ୍ତୁ ଯଦ୍ୱାରା ସେମାନଙ୍କ କ୍ଷେତ୍ରର ସମସ୍ତ ହସପିଟାଲ ଏବଂ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସୁନିଶ୍ଚିତ ହୋଇପାରିବ ।

ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ଆହୁରି ଅନୁରୋଧ କରାଯାଇଛି ଯେ ସେମାନେ ବିଭିନ୍ନ ସ୍ତରରେ କାର୍ଯ୍ୟରତ ସଂପୃକ୍ତ ଅଧିକାରୀମାନଙ୍କୁ ଏ ସଂକ୍ରାନ୍ତରେ ନିର୍ଦ୍ଦେଶାବଳୀ ଜାରି କରନ୍ତୁ ଯେ କ୍ଷେତ୍ରୀୟ ସ୍ତରର ଅଧିକାରୀମାନେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କୁ ଗସ୍ତ କରି ଆଭ୍ୟନ୍ତରୀଣ ଓୟାରିଂ ଓ ସେଠାରେ ମୁତୟତ ଥିବା ନିରାପତ୍ତା ଉପକରଣମାନ ଉପଯୁକ୍ତ ଭାବେ କାର୍ଯ୍ୟକ୍ଷମ ରହିଛି କି ନାହିଁ ତାହା ସୁନିଶ୍ଚିତ କରିବେ । ଏହି ଯାଞ୍ଚ ଅଗ୍ନି ନିରାପତ୍ତା ନିର୍ଦ୍ଦେଶାବଳୀ ଅନୁସାରେ କରାଯିବ । ଯେଉଁ ସ୍ଥାନରେ ଏଭଳି ବ୍ୟବସ୍ଥାରେ କୌଣସି ପ୍ରକାର ଖିଲାପ ପରିଲକ୍ଷିତ ହେବ ସେ ସଂପର୍କରେ ତୁରନ୍ତ ସମାଧାନ ପନ୍ଥା ଗ୍ରହଣ ନିମନ୍ତେ ମଧ୍ୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତୁ ।

ନିକଟରେ ମହାନିର୍ଦ୍ଦେଶକ (ଅଗ୍ନିଶମ ସେମା, ବେସାମରିକ ପ୍ରତିରକ୍ଷା ଓ ହୋମ ଗାର୍ଡସ୍‍), ସ୍ୱରାଷ୍ଟ୍ର ମନ୍ତ୍ରଣାଳୟଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ଯାହାକି ହସପିଟାଲ ଓ ନର୍ସିଂହୋମଗୁଡ଼ିକର ନିରାପତ୍ତା ନିମନ୍ତେ ଉଦ୍ଦିଷ୍ଟ ସେ ସଂପର୍କରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଏହି ପତ୍ରରେ ଗୁରୁତ୍ୱର ସହ ଦର୍ଶାଯାଇଛି ଯେ ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କରେ ସ୍ଥାପିତ ସମର୍ପିତ କୋଭିଡ଼ ୧୯ ହସପିଟାଲ ଓ ଚିକିତ୍ସାକେନ୍ଦ୍ରମାନଙ୍କରେ ବହୁ ସଂଖ୍ୟାରେ କୋଭିଡ଼ ସଂକ୍ରମିତ ରୋଗୀ ଚିକିତ୍ସିତ ହେଉଛନ୍ତି । ଅଧିକାଂଶ କ୍ଷେତ୍ରରେ, ସେହିସବୁ ହସପିଟାଲମାନଙ୍କରେ ଅକ୍ସିଜେନ୍‍ଯୁକ୍ତ ବେଡ଼୍‍ ଓ ଭେଣ୍ଟିଲେଟର ଗୁରୁତର ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଉଛି । ତେଣୁ ସେହିସବୁ ହସପିଟାଲ ଓ ଚିକିତ୍ସାକେନ୍ଦ୍ରଗୁଡ଼ିକୁ ଅହୋରାତ୍ର ଓ ନିରବଚ୍ଛିନ୍ନ ଭାବେ ବିଜୁଳି ଯୋଗାଣ ଅବ୍ୟାହତ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ସରକାରମାନେ ପଦକ୍ଷେପ ଗ୍ରହଣ କରିବା ଉଚିତ ।

ଏହି ନିର୍ଦ୍ଦେଶିକାରେ ଗୁରୁତ୍ୱର ସହ ଆହୁରି ଦର୍ଶାଯାଇଛି ଯେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ରକ୍ଷା ଉପରେ ସର୍ବାଧିକ ଧ୍ୟାନ ଦିଆଯିବା ଦରକାର ଏବଂ ସେଥିନିମନ୍ତେ ସମସ୍ତ ସ୍ୱାସ୍ଥ୍ୟ ସେବାକେନ୍ଦ୍ରରେ ଆବଶ୍ୟକ ଚିକିତ୍ସା ସଂସାଧନ ଉପଲବ୍ଧ କରାଯିବା ଜରୁରୀ ଯଦ୍ୱାରା କୋଭିଡ଼ ୧୯ ଚିକିତ୍ସା ପରିଚାଳନା ସଫଳତାର ସହ କରାଯାଇପାରିବ ଏବଂ ରୋଗୀମାନେ ଉପଯୁକ୍ତ ଚିକିତ୍ସା ସୁବିଧା ପାଇପାରିବେ ।

 

*****

SS



(Release ID: 1716347) Visitor Counter : 226