ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପୂର୍ବ ସମର୍ପିତ ମାଲ କରିଡରର ନ୍ୟୁ ଭାଉପୁର-ନ୍ୟୁ ଖୁର୍ଜା ସେକ୍ସନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Posted On: 29 DEC 2020 2:03PM by PIB Bhubaneshwar

ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ ଜୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଜୀ, ସଂସଦରେ ମୋର ସହଯୋଗୀଗଣ, ୟୁପି ସରକାରର ମନ୍ତ୍ରୀଗଣ, କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିବା ଅନ୍ୟ ସମସ୍ତ ବରିଷ୍ଠ ମହାନୁଭବ, ଭାଇ ଓ ଭଉଣୀମାନେ। ଆଜିର ଦିନ ଭାରତୀୟ ରେଳର ଗୌରବମୟ ଅତୀତକୁ ଏକବିଂଶ ଶତାବ୍ଧୀର ନୂତନ ପରିଚୟ ପ୍ରଦାନ କରିବ । ଭାରତ ଏବଂ ଭାରତୀୟ ରେଳର ସାମର୍ଥ୍ୟ ବଢ଼ାଇବ। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଆଜି ସବୁଠୁ ବଡ଼ ଏବଂ ଆଧୁନିକ ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ଆମେ ଦେଖୁଛୁ ।

ବନ୍ଧୁଗଣ,

ଆଜି ଯେତେବେଳେ ଖୁର୍ଜା-ଭାଉପୁର ମାଲ କରିଡର ରେଳମାର୍ଗରେ ପ୍ରଥମ ମାଲଗାଡ଼ି ଗଡ଼ିଥିଲା, ସେଥିରେ ନୂତନ ଭାରତ ଓ ଆତ୍ମନିର୍ଭର ଭାରତର ସ୍ୱର ଏବଂ ଗର୍ଜନ ସ୍ପଷ୍ଟ ଭାବେ ଶୁଣିବାକୁ ମିଳିଥିଲା। ପ୍ରୟାଗରାଜରେ ଅପରେସନ କଣ୍ଟ୍ରୋଲ ସେଣ୍ଟର ମଧ୍ୟ ଭାରତର ନୂତନ ସାମର୍ଥ୍ୟର ପ୍ରତୀକ। ଏହା ବିଶ୍ୱର ଚମତ୍କାରୀ ଏବଂ ଆଧୁନିକ କଣ୍ଟ୍ରୋଲ ସେଣ୍ଟର ମଧ୍ୟରୁ ଅନ୍ୟତମ। ଆହୁରି ଏଥିରେ ମ୍ୟାନେଜମେଣ୍ଟ ଏବଂ ଡାଟା ସହ ଜଡ଼ିତ ଯେଉଁ ପ୍ରଯୁକ୍ତି ରହିଛି, ତାହା ଭାରତରେ ପ୍ରସ୍ତୁତ ହୋଇଛି, ଭାରତୀୟମାନେ ଏହାକୁ ନିର୍ମାଣ କରିଛନ୍ତି। ଏହା ଯେକୌଣସି ଭାରତବାସୀଙ୍କ ପାଇଁ ଏକ ଗର୍ବର ବିଷୟ ।

ଭାଇ ଓ ଭଉଣୀମାନେ,

ଭିତ୍ତିଭୂମି ଯେକୌଣସି ରାଷ୍ଟ୍ରର ଶକ୍ତିର ସବୁଠୁ ବଡ଼ ଉତ୍ସ। ଭିତ୍ତିଭୂମି ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ରାଷ୍ଟ୍ରର ଶିରାପ୍ରଶିରା ହୋଇଥାଏ। ଏହି ଶିରାପ୍ରଶିରା ଅଧିକ ଉନ୍ନତ ହୋଇଥିଲେ ରାଷ୍ଟ୍ର ଅଧିକ ସୁସ୍ଥ ଏବଂ ସାମର୍ଥ୍ୟବାନ ହୋଇଥାଏ। ଆଜି ଭାରତ ବିଶ୍ୱର ସବୁଠୁ ବଡ଼ ଆର୍ଥିକ ଶକ୍ତି ହେବା ମାର୍ଗରେ ଦ୍ରୁତ ଗତିରେ ଅଗ୍ରସାର ହେଉଥିବା ସମୟରେ, ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ଦେଶର ପ୍ରାଥମିକତା। ଏହି ଚିନ୍ତାଧାରାକୁ ନେଇ ବିଗତ ଛଅ ବର୍ଷ ଧରି ଭାରତରେ ଆଧୁନିକ ଯୋଗାଯୋଗ ବ୍ୟବସ୍ଥାର ପ୍ରତ୍ୟେକ ଦିଗ ପ୍ରତି ଗୁରୁତ୍ୱାରୋପ କରି କାର୍ଯ୍ୟ କରାଯାଉଛି। ରାଜପଥ, ରେଳପଥ, ବିମାନମାର୍ଗ, ଜଳମାର୍ଗ କିମ୍ବା ପୁଣି ଇଣ୍ଟରନେଟ ସଂଯୋଗ- ଦ୍ରୁତ ଆର୍ଥିକ ବିକାଶ ଲାଗି ଏହି ପାଞ୍ଚଟି ଚକକୁ ଅଧିକ ଶକ୍ତି ଓ ଗତି ପ୍ରଦାନ କରାଯାଉଛି। ପୂର୍ବ ସମର୍ପିତ ମାଲ କରିଡରର ଏକ ବଡ଼ ଭାଗର ଲୋକର୍ପଣ ମଧ୍ୟ ଏ ଦିଗରେ ଏକ ବହୁତ ବଡ଼ ପଦକ୍ଷେପ।

ବନ୍ଧୁଗଣ,

ଏହି ସମର୍ପିତ ମାଲ କରିଡରକୁ ସାଧାରଣ ଭାଷାରେ କହିଲେ, ମାଲଗାଡ଼ି ଚଳାଚଳ ପାଇଁ ସ୍ୱତନ୍ତ୍ର ରେଳଧାରଣା, ବ୍ୟବସ୍ଥା ବୋଲି ବୁଝାଯିବ। ଦେଶକୁ କାହିଁକି ଏହାର ଆବଶ୍ୟକତା ପଡ଼ିଲା? ଆମର କୃଷିକ୍ଷେତ୍ର, ଉଦ୍ୟୋଗ କିମ୍ବା ପୁଣି ବଜାର, ଏସବୁ ମାଲ ପରିବହନ ଉପରେ ନିର୍ଭରଶୀଳ। ଗୋଟିଏ ସ୍ଥାନରେ ଉତ୍ପାଦିତ ହେଉଥିବା ଫସଲକୁ ଦେଶର ଭିନ୍ନ ଭିନ୍ନ ଭାଗରେ ପହଞ୍ଚାଇବାକୁ ହୋଇଥାଏ । ରପ୍ତାନି ନିମନ୍ତେ ବନ୍ଦର ପର୍ଯ୍ୟନ୍ତ ମଧ୍ୟ ପହଞ୍ଚାଇବାକୁ ହୋଇଥାଏ। ସେହିପରି ଉଦ୍ୟୋଗଗୁଡ଼ିକ ଲାଗି କଞ୍ଚାମାଲ ସମୁଦ୍ର ରାସ୍ତା ଦେଇ ଆସିଥାଏ। ଉଦ୍ୟୋଗରେ ତିଆରି ହେଉଥିବା ମାଲକୁ ବଜାର ପର୍ଯ୍ୟନ୍ତ ପହଞ୍ଚାଇବାକୁ ହୋଇଥାଏ କିମ୍ବା ପୁଣି ରପ୍ତାନି ନିମନ୍ତେ ସାମୁଦ୍ରିକ ବନ୍ଦର ପର୍ଯ୍ୟନ୍ତ ପହଞ୍ଚାଇବାକୁ ପଡ଼ିଥାଏ। ରେଳପଥ ଏହି କାର୍ଯ୍ୟ ପାଇଁ ସବୁବେଳେ ସବୁଠୁ ବଡ଼ ମାଧ୍ୟମ ହୋଇଆସିଛି। ଜନସଂଖ୍ୟା, ଅର୍ଥବ୍ୟବସ୍ଥା ବଢ଼ିବା ସହିତ ମାଲ ପରିବହନର ଏହି ନେଟୱର୍କ ଉପରେ ଚାପ ମଧ୍ୟ ବଢ଼ିଚାଲିଛି। ସମସ୍ୟା ହେଉଛି, ଆମ ଦେଶରେ ଯାତ୍ରୀବାହୀ ଟ୍ରେନ ଏବଂ ମାଲ ଗାଡ଼ି ଉଭୟ ଗୋଟିଏ ରେଳମାର୍ଗରେ ଚାଲିଥାଏ। ମାଲଗାଡ଼ିର ଗତି ଧୀର ହୋଇଥାଏ। ଏପରିସ୍ଥିତିରେ ମାଲଗାଡ଼ିକୁ ରାସ୍ତା ଦେବା ଲାଗି ଯାତ୍ରୀବାହୀ ଟ୍ରେନଗୁଡ଼ିକୁ ଷ୍ଟେସନରେ ଅଟକାଇବାକୁ ପଡ଼ିଥାଏ। ମାଲଗାଡ଼ି ମନ୍ଥର ଗତିରେ, ଭିନ୍ନ ଭିନ୍ନ ସ୍ଥାନରେ ଅଟକି ଅଟକି ଚାଲିଲେ, ପରିବହନ ଖର୍ଚ୍ଚ ଅଧିକ ହେବା ସ୍ୱାଭାବିକ। ଏହାର ସିଧାସଳଖ ପ୍ରଭାବ ଆମର ଚାଷ ଜମି, ଖଣିଜ ଉତ୍ପାଦ ଏବଂ ଶିଳ୍ପ ଉତ୍ପାଦର ମୂଲ୍ୟ ଉପରେ ପଡ଼ିଥାଏ। ମହଙ୍ଗା ହୋଇଥିବା କାରଣରୁ ସେଗୁଡ଼ିକ ଦେଶ ଓ ବିଦେଶର ବଜାରରେ ହେଉଥିବା ପ୍ରତିଦ୍ୱନ୍ଦ୍ୱିତାରେ ତିଷ୍ଠି ରହିପାରିନଥାନ୍ତି, ହାରିଯାଇଥାନ୍ତି ।

ଭାଇ ଓ ଭଉଣୀମାନେ,

ଏପରି ସ୍ଥିତିକୁ ବଦଳାଇବା ପାଇଁ ମାଲ କରିଡର ଯୋଜନା ପ୍ରସ୍ତୁତ କରାଯାଇଥିଲା। ଆରମ୍ଭରେ ଦୁଇଟି ସମର୍ପିତ ମାଲ କରିଡର ପ୍ରସ୍ତୁତ କରିବାର ଯୋଜନା ରହିଛି । ପୂର୍ବ ସମର୍ପିତ ମାଲ କରିଡର ପଞ୍ଜାବର ଔଦ୍ୟୋଗିକ ସହର ଲୁଧିଆନାକୁ ପଶ୍ଚିମବଙ୍ଗର ଦାନକୁନି ସହିତ ଯୋଡ଼ୁଛି। ଶହ ଶହ କିମି ଲମ୍ବା ଏହି ରୁଟରେ କୋଇଲା ଖଣି ଏବଂ ତାପଜ ବିଦ୍ୟୁତ ପ୍ଲାଣ୍ଟ ରହିଛି, ଶିଳ୍ପାଞ୍ଚଳ ସହର ରହିଛି। ଏଥିପାଇଁ ଫିଡର ମାର୍ଗ ମଧ୍ୟ ନିର୍ମାଣ କରାଯାଉଛି। ଅନ୍ୟପକ୍ଷରେ ସମର୍ପିତ ମାଲ କରିଡର ମହାରାଷ୍ଟ୍ରରେ ଜେଏନପିଟିକୁ ଉତ୍ତର ପ୍ରଦେଶର ଦାଦରୀ ସହିତ ଯୋଡ଼ୁଛି । ପାଖାପାଖି 1500 କିମି ଏହି କରିଡରରେ ଗୁଜରାଟର ମୁନ୍ଦ୍ରା, କାଣ୍ଡଲା, ପିପାୱାୱ, ଦହେଜ ଏବଂ ହଜୀରାର ବଡ଼ ସାମୁଦ୍ରିକ ବନ୍ଦର ଲାଗି ଫିଡର ମାର୍ଗ ରହିବ। ଏହି ଉଭୟ ମାଲ କରିଡର ଆଖପାଖରେ ଦିଲ୍ଲୀ-ମୁମ୍ବାଇ ଶିଳ୍ପ କରିଡର ଏବଂ ଅମୃତସର-କୋଲକାତା ଶିଳ୍ପ କରିଡର ମଧ୍ୟ ବିକଶିତ କରାଯାଉଛି । ସେହିପରି ଉତ୍ତରକୁ ଦକ୍ଷିଣ ସହିତ ଏବଂ ପୂର୍ବକୁ ପଶ୍ଚିମ ସହିତ ଯୋଡ଼ୁଥିବା ଏପରି ସ୍ୱତନ୍ତ୍ର ରେଳ କରିଡର ସହ ଯୋଡ଼ି ହୋଇ ରହିଥିବା ଜରୁରି ପ୍ରକ୍ରିୟା ମଧ୍ୟ ପୂରଣ କରାଯାଉଛି ।

ଭାଇ ଓ ଭଉଣୀମାନେ,

ମାଲଗାଡ଼ି ପାଇଁ ନିର୍ମିତ ଏହିପରି ସ୍ୱତନ୍ତ୍ର ସୁବିଧା ଫଳରେ ଭାରତରେ ଯାତ୍ରୀବାସୀ ଟ୍ରେନଗୁଡ଼ିକର ବିଳମ୍ବ ଜନିତ ସମସ୍ୟା ଦୂର ହେବ । ଅନ୍ୟପକ୍ଷରେ ଏହାଦ୍ୱାରା ମାଲଗାଡ଼ିର ସ୍ପିଡ ମଧ୍ୟ ତିନି ଗୁଣ ଅଧିକ ବୃଦ୍ଧି ପାଇବ ଏବଂ ମାଲଗାଡ଼ିଗୁଡ଼ିକ ପୂର୍ବାପେକ୍ଷା ଦୁଇଗୁଣା ଅଧିକ ମାଲ ପରିବହନ କରିପାରିବେ। କାରଣ ଏସବୁ ଟ୍ରାକରେ ଡବଲ ଡେକର ଅର୍ଥାତ, ଗୋଟିଏ ଡବା ଉପରେ ଆଉ ଗୋଟିଏ ଡବା ଥିବା ମାଲଗାଡ଼ି ଚଳାଇବା ସମ୍ଭବ ହୋଇପାରିବ । ମାଲଗାଡ଼ି ସଠିକ ସମୟରେ ପହଞ୍ଚିଲେ ଆମର ଲଜିଷ୍ଟିକ୍ସ ନେଟୱର୍କ ଶସ୍ତା ହେବ । ଆମର ସାମଗ୍ରୀ ପହଞ୍ଚାଇବା ପାଇଁ ଯେଉଁ ଖର୍ଚ୍ଚ ହେବ ତାହା କମ ହେବା କାରଣରୁ ସାମଗ୍ରୀ ଶସ୍ତା ହେବ, ଯାହାର ଲାଭ ଆମର ରପ୍ତାନି ଉପରେ ପଡ଼ିବ। କେବଳ ସେତିକି ନୁହେଁ ଦେଶରେ ଉଦ୍ୟୋଗ ପାଇଁ ଉନ୍ନତ ପରିବେଶ ସୃଷ୍ଟି ହୋଇପାରିବ। ବ୍ୟବସାୟିକ ସୁଗମତା ବଢ଼ିଲେ, ବ୍ୟବସାୟ ପାଇଁ ଭାରତ ଆହୁରି ଆକର୍ଷଣୀୟ ସ୍ଥାନ ହୋଇପାରିବ। ଦେଶରେ ରୋଜଗାର ଏବଂ ସ୍ୱରୋଜଗାରର ଅନେକ ନୂତନ ଅବସର ପ୍ରସ୍ତୁତ ହେବ।

ସାଥୀଗଣ,

ଏହି ମାଲ କରିଡର ଆତ୍ମନିର୍ଭର ଭାରତର ବହୁତ ବଡ଼ ମାଧ୍ୟମ ହେବ। ଉଦ୍ୟୋଗ ହେଉ, ବ୍ୟବସାୟ-କାରବାର ହେଉ, କୃଷକମାନେ ହୁଅନ୍ତୁ କିମ୍ବା ପୁଣି ଗ୍ରାହକ, ସମସ୍ତଙ୍କୁ ଏହାର ଲାଭ ମିଳିପାରିବ। ଲୁଧିଆନା ଓ ବାରାଣସୀର କପଡ଼ା ନିର୍ମାତା, ଫିରୋଜପୁରର କୃଷକ, ଅଲୀଗଡ଼ର ତାଲା ନିର୍ମାତା, କିମ୍ବା ପୁଣି ରାଜସ୍ଥାନର ମାର୍ବଲ ବ୍ୟବସାୟୀ, ମଲିହାବାଦର ଆମ୍ବ ଉତ୍ପାଦକ, କାନପୁର ଓ ଆଗ୍ରାର ଚମଡ଼ା ଉଦ୍ୟୋଗ, ଭଦୋହୀର କାର୍ପେଟ ଉଦ୍ୟୋଗ ହେଉ କିମ୍ବା ଫରିଦାବାଦର କାର ଇଣ୍ଡଷ୍ଟ୍ରୀ, ପ୍ରତ୍ୟେକଙ୍କ ପାଇଁ ଏହା ଅନେକଗୁଡ଼ିଏ ସୁଯୋଗ ଓ ଅବସର ନେଇ ଆସିଛି । ବିଶେଷ କରି ଶିଳ୍ପ ଦୃଷ୍ଟିରୁ ପଛରେ ପଡ଼ିଯାଇଥିବା ପୂର୍ବ ଭାରତକୁ ଏହି ମାଲ କରିଡର ନୂତନ ଶକ୍ତି ପ୍ରଦାନ କରିବ । ଏହାର ପାଖାପାଖି 60 ପ୍ରତିଶତ ଭାଗ ଉତ୍ତର ପ୍ରଦେଶରେ ରହିଛି, ସେଥିପାଇଁ ଉତ୍ତର ପ୍ରଦେଶରେ ପ୍ରତ୍ୟେକ ଛୋଟ-ବଡ଼ ଉଦ୍ୟୋଗକୁ ଏହାର ଲାଭ ମିଳିବ । ଦେଶ ଓ ବିଦେଶର ଉଦ୍ୟୋଗଗୁଡ଼ିକ ମଧ୍ୟରେ ଯେପରି ଭାବେ ଉତ୍ତର ପ୍ରଦେଶ ପ୍ରତି ଆକର୍ଷଣ ବିଗତ କିଛି ବର୍ଷରେ ସୃଷ୍ଟି ହୋଇଛି ତାହା ଆଗକୁ ଆହୁରି ଅଧିକ ବଢ଼ିବ ।

ଭାଇ ଓ ଭଉଣୀମାନେ,

ଏହି ସମର୍ପିତ ମାଲ କରିଡରର ଲାଭ କିଷାନ ରେଳକୁ ମଧ୍ୟ ମିଳିବ। ଆସନ୍ତାକାଲି ଦେଶରେ ଶହେତମ କିଷାନ ରେଳର ଶୁଭାରମ୍ଭ ହୋଇଛି । କିଷାନ ରେଳ ଫଳରେ କୃଷି ଉତ୍ପାଦକୁ ସାରା ଦେଶର ବଡ଼ ବଜାରରେ ସୁରକ୍ଷିତ ଏବଂ କମ ମୂଲ୍ୟରେ ପହଞ୍ଚାଇବା ସମ୍ଭବ ହୋଇପାରିଛି। ଏବେ ନୂଆ ମାଲ କରିଡରରେ କିଷାନ ରେଳ ଆହୁରି ଦ୍ରୁତ ଗତିରେ ଗନ୍ତବ୍ୟସ୍ଥଳୀରେ ପହଞ୍ଚିପାରିବ। ଉତ୍ତର ପ୍ରଦେଶରେ ମଧ୍ୟ କିଷାନ ରେଳ ସହିତ ଅନେକ ଷ୍ଟେସନ ଯୋଡ଼ି ହୋଇସାରିଛି ଏବଂ ଏଥିରେ ଲଗାତାର ବୃଦ୍ଧି କରାଯାଉଛି । ଉତ୍ତର ପ୍ରଦେଶର ରେଳ ଷ୍ଟେସନ ନିକଟରେ ପଣ୍ୟାଗାର ଏବଂ ଶୀତଳଭଣ୍ଡାର କ୍ଷମତା ବୃଦ୍ଧି କରାଯାଉଛି । ଉତ୍ତର ପ୍ରଦେଶର 45ଟି ମାଲ ଗୋଦାମକୁ ଆଧୁନିକ ସୁବିଧା ଯୁକ୍ତ କରାଯାଇଛି । ଏହାବ୍ୟତୀତ ରାଜ୍ୟରେ 8ଟି ନୂଆ ମାଲ ଗୋଦାମ ମଧ୍ୟ ନିର୍ମାଣ କରାଯାଇଛି । ସେହିପରି ଉତ୍ତର ପ୍ରଦେଶରେ ବାରାଣସୀ ଏବଂ ଗାଜିପୁରରେ ଶୀଘ୍ର ନଷ୍ଟ ହୋଇଯାଉଥିବା ସାମଗ୍ରୀଗୁଡ଼ିକୁ ସଂରକ୍ଷିତ କରି ରଖିବା ନିମନ୍ତେ ଦୁଇଟି ବଡ଼ ପେରିଶେବୁଲ କାର୍ଗୋ ସେଣ୍ଟର ପୂର୍ବରୁ କୃଷକମାନଙ୍କୁ ସେବା ଦେଉଛି। ଖୁବ କମ ଦରରେ ଏଠାରେ କୃଷକମାନେ ଫଳ-ପନିପରିବା ଭଳି ଶୀଘ୍ର ନଷ୍ଟ ହୋଇଯାଉଥିବା ଉତ୍ପାଦ ଷ୍ଟୋର କରି ରଖିପାରୁଛନ୍ତି ।

ବନ୍ଧୁଗଣ,

ଏବେ ଏପରି ଭିତ୍ତିଭୂମି କାରଣରୁ ଦେଶକୁ ଅନେକ ଲାଭ ମିଳିପାରୁଛି, ତେବେ ଏଠାରେ ପ୍ରଶ୍ନ ମଧ୍ୟ ଉଠୁଛି ଯେ ଏହି କାର୍ଯ୍ୟରେ ଏତେ ବିଳମ୍ବ କାହିଁକି ହେଲା? ଏସବୁ ପ୍ରକଳ୍ପ 2014 ପୂର୍ବରୁ ଥିବା ସରକାର, ତାଙ୍କର କାର୍ଯ୍ୟ ସଂସ୍କୃତିର ଜୀବନ୍ତ ପ୍ରମାଣ ଦେଉଛି । ବର୍ଷ 2006ରେ ଏହି ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଥିଲା। ଏହାପରେ ଏହା କେବଳ କାଗଜକଲମରେ ଚାଲିଥିଲା। କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ସହିତ ଯେପରି ଗମ୍ଭୀରତା, ଯେଉଁ ଜରୁରିକାଳୀନ ମନୋଭାବ ନେଇ ଆଲୋଚନା କରିବାର ଥିଲା, ତାହା ହେଲା ନାହିଁ। ଯାହାର ଫଳସ୍ୱରୂପ କାମ ଅଟକିଗଲା, ଝୁଲି ରହିଲା, ବାଟବଣା ହୋଇଗଲା । ସ୍ଥିତି ଏପରି ହେଲା ଯେ 2014 ପର୍ଯ୍ୟନ୍ତ ଗୋଟିଏ କିମି ପର୍ଯ୍ୟନ୍ତ ରେଳ ଧାରଣା ମଧ୍ୟ ନିର୍ମିତ ହୋଇପାରିଲା ନାହିଁ । ଏଥିପାଇଁ ଯେଉଁ ଅର୍ଥ ମଞ୍ଜୁର ହୋଇଥିଲା, ତାହା ମଧ୍ୟ ସଠିକ ଭାବେ ଖର୍ଚ୍ଚ ହୋଇପାରିଲା ନାହିଁ ।

ବନ୍ଧୁଗଣ,

2014ରେ ସରକାର ଗଠନ ହେବା ପରେ ଏହି ପ୍ରକଳ୍ପ ଲାଗି ପୁଣିଥରେ ଫାଇଲ ଖୋଜାଗଲା । ଅଧିକାରୀମାନଙ୍କୁ ନୂଆ ଢଙ୍ଗରେ ଆଗକୁ ବଢ଼ିବା ପାଇଁ କୁହାଗଲା, ମାତ୍ର ସେତେବେଳକୁ ବଜେଟ ପାଖାପାଖି 11 ଗୁଣା ଅର୍ଥାତ 45 କୋଟି ଟଙ୍କାରୁ ଅଧିକ ବଢ଼ିସାରିଥିଲା । ପ୍ରଗତିର ବୈଠକରେ ମୁଁ ନିଜେ ଏହାର ଅନୁଧ୍ୟାନ କଲି, ଏହା ସହିତ ଜଡ଼ିତ ଅଂଶୀଦାରମାନଙ୍କ ସହିତ ଆଲୋଚନା କଲି, ସମୀକ୍ଷା କଲି । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ମଧ୍ୟ ସମ୍ପର୍କ ବଢ଼ାଇଲେ, ତାଙ୍କୁ ଅନୁପ୍ରାଣିତ, ପ୍ରୋତ୍ସାହିତ କଲେ । ଆମେ ନୂଆ ପ୍ରଯୁକ୍ତି ମଧ୍ୟ ଆଣିଲୁ । ଯାହାର ପରିଣାମସ୍ୱରୂପ ପାଖାପାଖି 1100 କିମିର କାମ ଆହୁରି କିଛି ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବା ପାଇଁ ଯାଉଛି। ଭାବନ୍ତୁ, 8 ବର୍ଷରେ ଗୋଟିଏ କିମିର କାମ ହୋଇନଥିଲା, ଏବଂ 6-7 ବର୍ଷରେ 1100 କିଲୋମିଟର ।

ଭାଇ ଓ ଭଉଣୀମାନେ,

ଭିତ୍ତିଭୂମି ପ୍ରତି ରାଜନୈତିକ ଉଦାସୀନତାର କ୍ଷତି କେବଳ ମାଲ କରିଡରକୁ ହେଲା ନାହିଁ, ସମଗ୍ର ରେଳବାଇ ସିଷ୍ଟମ ଏହାର ବଡ଼ ଭୁକ୍ତଭୋଗୀ ହୋଇ ରହିଲା। ପୂର୍ବରୁ ଟ୍ରେନ ସଂଖ୍ୟା ବଢ଼ାଇବା ଉପରେ ଗୁରୁତ୍ୱାରୋପ କରାଯାଉଥିଲା, ଯାହାଫଳରେ ଏହାର ଲାଭ ନିର୍ବାଚନ ସମୟରେ ମିଳିପାରିବ। କିନ୍ତୁ ଯେଉଁ ମାର୍ଗରେ ଟ୍ରେନ ଚାଲିବାର ଥିଲା, ସେଥିପ୍ରତି ଅଧିକ ନିବେଶ କରାଯାଉନଥିଲା । ରେଳ ନେଟୱର୍କର ଆଧୁନିକୀକରଣକୁ ନେଇ ସେହି ଗମ୍ଭୀରତା ମଧ୍ୟ ନଥିଲା । ଆମ ଟ୍ରେନଗୁଡ଼ିକର ସ୍ପିଡ ଖୁବ କମ ଥିଲା ଏବଂ ସାରା ନେଟୱର୍କ ପ୍ରାଣଘାତୀ ମାନବବିହୀନ ରେଳ ଫାଟକରେ ଭର୍ତ୍ତି ହୋଇ ରହିଥିଲା ।

ବନ୍ଧୁଗଣ,

ଆମେ 2014 ପରେ ଏହି କାର୍ଯ୍ୟଶୈଳୀକୁ ବଦଳାଇଲୁ, ଏହି ଚିନ୍ତାଧାରାକୁ ବଦଳାଇଲୁ । ଭିନ୍ନ ଭାବେ ରେଳ ବଜେଟ କରିବାର ବ୍ୟବସ୍ଥାକୁ ସମାପ୍ତ କରି, ଆମେ ଘୋଷଣା କରି ଭୁଲି ଯାଉଥିବା ରାଜନୀତିକୁ ବଦଳାଇ ଦେଲୁ। ଆମେ ରେଳ ଧାରଣା ନିର୍ମାଣ କ୍ଷେତ୍ରରେ ନିବେଶ କଲୁ, ରେଳ ନେଟୱର୍କକୁ ହଜାର ହଜାର ମାନବବିହୀନ ରେଳ ଫାଟକରୁ ମୁକ୍ତ କଲୁ । ରେଳଧାରଣାକୁ ଦ୍ରୁତ ଗତିରେ ଚାଲୁଥିବା ଟ୍ରେନ ପାଇଁ ପ୍ରସ୍ତୁତ କଲୁ। ରେଳ ନେଟୱର୍କର ପ୍ରଶସ୍ତିକରଣ ଏବଂ ବିଦ୍ୟୁତିକରଣ ଉଭୟ ଉପରେ ଗୁରୁତ୍ୱାରୋପ କରାଗଲା। ଆଜି ବନ୍ଦେ ଭାରତ ଏକ୍ସପ୍ରେସ ଭଳି, ସେମି ହାଇସ୍ପିଡ ଟ୍ରେନ ମଧ୍ୟ ଚାଲୁଛି ଏବଂ ଭାରତୀୟ ରେଳ ପୂର୍ବାପେକ୍ଷା ଅନେକଗୁଣା ସୁରକ୍ଷିତ ମଧ୍ୟ ହୋଇଛି ।

ବନ୍ଧୁଗଣ,

ବିଗତ ବର୍ଷଗୁଡ଼ିକରେ ରେଳବାଇ କ୍ଷେତ୍ରରେ ପ୍ରତ୍ୟେକ ସ୍ତରରେ ସଂସ୍କାର ଅଣାଯାଇଛି । ରେଳବାଇରେ ସ୍ୱଚ୍ଛତା ହେଉ,  ଉନ୍ନତ ଖାଦ୍ୟପେୟ ହେଉ, କିମ୍ବା ପୁଣି ଅନ୍ୟ ସୁବିଧା, ଫରକ ଆଜି ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି । ସେହିପରି ଭାବେ ରେଳବାଇ ସହିତ ଜଡ଼ିତ ଉତ୍ପାଦନରେ ଭାରତ ଆତ୍ମନିର୍ଭରଶୀଳତାର ଖୁବ ଲମ୍ବ ଡିଆଁ ମାରିଛି । ଭାରତ ଏବେ ନିଜ ପାଇଁ ଆଧୁନିକ ଟ୍ରେନ ନିର୍ମାଣ କରିବା ସହିତ ଅନ୍ୟ ଦେଶକୁ ରପ୍ତାନି ମଧ୍ୟ କରୁଛି। ଉତ୍ତର ପ୍ରଦେଶର କଥା କହିଲେ ବାରାଣସୀ ସ୍ଥିତ ଲୋକୋମୋଟିକ ୱର୍କସ, ଭାରତରେ ଇଲେକ୍ଟ୍ରୋନିକ ଇଞ୍ଜିନ ନିର୍ମାଣ କରୁଥିବା ବଡ଼ କେନ୍ଦ୍ର ଭାବେ ନିର୍ମିତ ହେଉଛି । ରାଏବରେଲିର ଆଧୁନିକ କୋଚ କାରଖାନାକୁ ମଧ୍ୟ ବିଗତ ଛଅ ବର୍ଷରେ ଡେଣ୍ଟିଂ-ପେଣ୍ଟିଂର ଭୂମିକାରୁ ଆମେ ବାହାରକୁ ଆଣିପାରିଛୁ। ଏଠାରେ ଏବେ 5ହଜାରରୁ ଅଧିକ ନୂଆ ରେଳ କୋଚ ନିର୍ମାଣ କରାଯାଇସାରିଲାଣ। ଏଠାରେ ନିର୍ମିତ ହେଉଥିବା କୋଚ ଏବେ ବିଦେଶକୁ ମଧ୍ୟ ରପ୍ତାନି କରାଯାଉଛି ।

ଭାଇ ଓ ଭଉଣୀମାନେ,

ଆମର ଅତୀତ ଅଭିଜ୍ଞତା କହୁଛି ଯେ ଦେଶର ଭିତ୍ତିଭୂମି ବିକାଶକୁ ରାଜନୀତି ଠାରୁ ଦୂରରେ ରଖାଯିବା ଉଚିତ। ଦେଶର ଭିତ୍ତିଭୂମି, କୌଣସି ଦଳର ବିଚାରଧାରା ନୁହେଁ, ଦେଶର ବିକାଶମାର୍ଗ ହୋଇଥାଏ। ଏହା 5ବର୍ଷର ରାଜନୀତି ପାଇଁ ନୁହେଁ ବରଂ ଆଗାମୀ ଭବିଷ୍ୟତର ଅନେକ ପିଢ଼ି ପାଇଁ ଲାଭ ପ୍ରଦାନକାରୀ ମିଶନ ଅଟେ । ରାଜନୈତିକ ଦଳଗୁଡ଼ିକୁ ଯଦି  ପ୍ରତିଦ୍ୱନ୍ଦ୍ୱିତା କରିବାର ଅଛି, ତା’ହେଲେ ଭିତ୍ତିଭୂମିର ଗୁଣବତ୍ତା, ଗତି ଏବଂ ବିସ୍ତାରକୁ ନେଇ ପ୍ରତିଦ୍ୱନ୍ଦ୍ୱିତା ହେବା ଉଚିତ । ମୁଁ ଏଠାରେ ଆଉ ଏକ ମାନସିକତା ବିଷୟରେ ମଧ୍ୟ ଉଲ୍ଲେଖ କରିବା ଜରୁରି ବୋଲି ମନେ କରୁଛି, ଯାହା ଅଧିକାଂଶ ସମୟରେ ପ୍ରଦର୍ଶନ ଏବଂ ଆନ୍ଦୋଳନ ସମୟରେ ଦେଖିବାକୁ ମିଳୁଛି । ଏହି ମାନସିକତା ଦେଶର ଭିତ୍ତିଭୂମିକୁ, ଦେଶର ସମ୍ପତ୍ତିକୁ ନଷ୍ଟ କରୁଛି । ଆମକୁ ମନେ ରଖିବାକୁ ହେବ, ଏହି ଭିତ୍ତିଭୂମି, ଏହି ସମ୍ପତ୍ତି କୌଣସି ନେତାଙ୍କର, କୌଣସି ଦଳର, କୌଣସି ସରକାରଙ୍କର ନୁହେଁ । ଏହା ଦେଶର ସମ୍ପତ୍ତି । ଏଥିରେ ପ୍ରତ୍ୟେକ ଗରିବର, ପ୍ରତ୍ୟେକ ଟିକସଦାତାଙ୍କର, ମଧ୍ୟମ ବର୍ଗର, ସମାଜର ପ୍ରତ୍ୟେକ ବର୍ଗର ଝାଳବୁହା ଧନ ଲାଗିଛି । ଏହାପ୍ରତି ହେଉଥିବା ପ୍ରତ୍ୟେକ କ୍ଷତି, ଦେଶର ଗରିବ, ସାଧାରଣ ଜନତାଙ୍କ ପ୍ରତି ଆଘାତ । ସେଥିପାଇଁ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ସମୟରେ ଆମେ ନିଜର ରାଷ୍ଟ୍ରୀୟ ଦାୟିତ୍ୱକୁ କେବେ ଭୁଲିଯିବା ଉଚିତ ନୁହେଁ ।

ବନ୍ଧୁଗଣ,

ଯେଉଁ ରେଳବାଇକୁ ସବୁବେଳେ ଟାର୍ଗେଟ କରାଯାଉଥିଲା, ତାହା କିପରି ସେବା-ଭାବ ନେଇ କଷ୍ଟକର ପରିସ୍ଥିତିରେ ମଧ୍ୟ ଦେଶର କାମରେ ଲାଗି, ତାହା କରୋନା କାଳରେ ଦେଖିବାକୁ ମିଳିଲା। କଷ୍ଟରେ ଫସି ରହିଥିବା ଶ୍ରମିକମାନଙ୍କୁ ନିଜ ଗାଁରେ ପହଞ୍ଚାଇବା ହେଉ, ଔଷଧ ଏବଂ ରାସନ ସାମଗ୍ରୀ ଦେଶର କୋଣ-ଅନୁକୋଣରେ ପହଞ୍ଚାଇବା ହେଉ, କିମ୍ବା ପୁଣି ଚଳତମାନ କରୋନା ହସ୍ପିଟାଲ ଭଳି ସୁବିଧା ପ୍ରଦାନ କରିବା ହେଉ, ରେଳବାଇର ସମ୍ପୂର୍ଣ୍ଣ ନେଟୱର୍କ, ସମସ୍ତ କର୍ମଚାରୀମାନଙ୍କର ଏହି ସେବା ଭାବନା ଦେଶ ସବୁବେଳେ ମନେ ରଖିବ । କେବଳ ସେତିକି ନୁହେଁ, ଏହି କଷ୍ଟକର ସମୟରେ ରେଳବାଇ ବିଦେଶରୁ ଗାଁକୁ ଫେରିଥିବା ଶ୍ରମିକ ସାଥୀମାନଙ୍କ ପାଇଁ 1 ଲକ୍ଷରୁ ଅଧିକ ରୋଜଗାର ଦିବସ ସୃଷ୍ଟି କରିଛି । ମୋର ବିଶ୍ୱାସ ରହିଛି ଯେ ସେବା, ସଦଭାବ ଏବଂ ରାଷ୍ଟ୍ରର ସମୃଦ୍ଧି ନିମନ୍ତେ ଏକନିଷ୍ଠ ପ୍ରୟାସର ଏହି ମିଶନ ଅନବରତ ଜାରି ରହିବ ।

ପୁଣିଥରେ, ଉତ୍ତର ପ୍ରଦେଶ ସମେତ ଦେଶର ସମସ୍ତ ରାଜ୍ୟଗୁଡ଼ିକୁ ନୂତନ ମାଲ କରିଡର ସୁବିଧା ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି ଏବଂ ରେଳବାଇର ସମସ୍ତ ସାଥୀମାନଙ୍କୁ ମଧ୍ୟ ଶୁଭକାମନା ଦେବା ସହିତ ସେମାନଙ୍କୁ ମଧ୍ୟ ଅନୁରୋଧ କରିବି ଯେ ଏହି ମାଲ କରିଡରର କାମ ଆଗକୁ ମଧ୍ୟ ଦ୍ରୁତଗତିରେ ଚଳାଇବାକୁ ହେବ । 2014 ପରେ ଯେଉଁ ଗତି ଆମେ ଆଣିଛୁ, ଆଗାମୀ ଦିନରେ ତା’ଠାରୁ ଅଧିକ ଗତି ଆମକୁ ଆଣିବାକୁ ହେବ। ସେଥିପାଇଁ ମୋର ରେଳବାଇର ସମସ୍ତ ସାଥୀ ନିଶ୍ଚିତ ଭାବେ ଦେଶର ଆଶା-ଆକାଂକ୍ଷା ପୂରଣ କରିବେ। ଏହି ବିଶ୍ୱାସର ସହିତ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ।

ବହୁତ ବହୁତ ଧନ୍ୟବାଦ!

 

*********

DS/AKJ/AK/VK/PS



(Release ID: 1684512) Visitor Counter : 147