ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଦିଲ୍ଲୀ ମେଟ୍ରୋର ମ୍ୟାଜେଣ୍ଟା ଲାଇନରେ ଚାଳକବିହୀନ ମେଟ୍ରୋ ରେଳ ଚଳାଚଳର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
प्रविष्टि तिथि:
28 DEC 2020 1:29PM by PIB Bhubaneshwar
କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀ ହରଦୀପ ସିଂ ପୁରୀ ଜୀ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଶ୍ରୀ ଅରବିନ୍ଦ କେଜରିୱାଲ ଜୀ, ଡିଏମଆରସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମଙ୍ଗୁ ସିଂ ଜୀ, ଦେଶରେ ଜାରି ରହିଥିବା ମେଟ୍ରୋ ପ୍ରକଳ୍ପର ବରିଷ୍ଠ ପଦାଧିକାରୀଗଣ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।
ଆଜକୁ ପାଖାପାଖି ତିନି ବର୍ଷ ପୂର୍ବେ ମ୍ୟାଜେଣ୍ଟା ଲାଇନର ଉଦଘାଟନ କରିବାର ସୌଭାଗ୍ୟ ମୋତେ ମିଳିଥିଲା । ଆଜି ପୁଣି ଏହି ମାର୍ଗରେ ଦେଶର ପ୍ରଥମ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ମେଟ୍ରୋ, ଯାହାକୁ ଆମେ କଥିତ ଭାଷାରେ ‘ଚାଳକବିହୀନ ମେଟ୍ରୋ’ ମଧ୍ୟ କହିଥାଉ, ତା’ର ଉଦଘାଟନ କରିବାର ଅବସର ମୋତେ ମିଳିଛି । ଏହା ଦର୍ଶାଉଛି ଯେ ଭାରତ କେତେ ଅଧିକ ଦ୍ରୁତ ଗତିରେ ସ୍ମାର୍ଟ ସିଷ୍ଟମ ଦିଗରେ ଆଗକୁ ବଢ଼ୁଅଛି । ଆଜି ନ୍ୟାସନାଲ କମନ ମୋବିଲିଟି କାର୍ଡ ସହିତ ମଧ୍ୟ ଦିଲ୍ଲୀ ମେଟ୍ରୋ ଯୋଡ଼ି ହୋଇଛି । ବିଗତ ବର୍ଷ ଅହମ୍ମଦାବାଦରୁ ଏହାର ଆରମ୍ଭ ହୋଇଥିଲା । ଆଜି ଏହାର ସମ୍ପ୍ରସାରଣ ଦିଲ୍ଲୀ ମେଟ୍ରୋର ବିମାନ ବନ୍ଦର ଏକ୍ସପ୍ରେସ ଲାଇନରୁ ହେଉଛି । ଆଜିର ଏହି ଆୟୋଜନ ସହରାଞ୍ଚଳ ବିକାଶକୁ ସହରାନୁକୂଳ ଏବଂ ଭବିଷ୍ୟତ ଅନୁକୂଳ କରିବାର ଲାଗି ପ୍ରୟାସ ଅଟେ ।
ବନ୍ଧୁଗଣ,
ଭବିଷ୍ୟତର ଆବଶ୍ୟକତା ପାଇଁ ଦେଶକୁ ପ୍ରସ୍ତୁତ କରିବା, ଆଜି ଠାରୁ ଏଥିପାଇଁ କାମ କରିବା ହେଉଛି ପ୍ରଶାସନର ଦାୟିତ୍ୱ । କିନ୍ତୁ କିଛି ଦଶକ ପୂର୍ବରୁ ଯେତେବେଳେ ସହରୀକରଣର ପ୍ରଭାବ ଏବଂ ଭବିଷ୍ୟତ ଉଭୟ ସମ୍ପୂର୍ଣ୍ଣ ସ୍ପଷ୍ଟ ଥିଲା ସେତେବେଳେ ଦେଶ ଏକ ଭିନ୍ନ ମାନସିକତା ଦେଖିଥିଲା। ଭବିଷ୍ୟତର ଆବଶ୍ୟକତା ପ୍ରତି ସେତେଟା ଧ୍ୟାନ ଦିଆଗଲା ନାହିଁ । ଅଧାପନ୍ତରିଆ ଭାବେ ସବୁ କାମ ହେଲା, ଭ୍ରମାତ୍ମକ ସ୍ଥିତି ବଜାୟ ରହିଥିଲା । ସେବେଠାରୁ ସହରୀକରଣ ଜାରି ରହିଛି, କିନ୍ତୁ ଏହାର ଭବିଷ୍ୟତର ପ୍ରଭାବକୁ ମୁକାବିଲା କରିବା ନିମନ୍ତେ ଆମ ସହରଗୁଡ଼ିକୁ ସେତିକି ଦ୍ରୁତ ଗତିରେ ପ୍ରସ୍ତୁତ କରାଯାଇନାହିଁ। ଫଳସ୍ୱରୂପ ଦେଶର ଅଧିକାଂଶ ଅଞ୍ଚଳରେ ସହରୀ ଭିତ୍ତିଭୂମିର ଚାହିଦା ଏବଂ ଯୋଗାଣରେ ଅଧିକ ବ୍ୟବଧାନ ସୃଷ୍ଟି ହୋଇଛି।
ବନ୍ଧୁଗଣ,
ଏପରି ମାନସିକତା ଠାରୁ ଭିନ୍ନ, ଆଧୁନିକ ଚିନ୍ତାଧାରା ହେଉଛି ସହରୀକରଣକୁ ଏକ ଆହ୍ୱାନ ଭାବେ ଗ୍ରହଣ ନକରି ଏକ ଅବସର ଭାବେ ଉପଯୋଗ କରାଯିବା ଉଚିତ। ଏପରି ଏକ ଅବସର ଯେଉଁଥିରେ ଆମେ ଦେଶ ପାଇଁ ଉନ୍ନତ ଭିତ୍ତିଭୂମି ନିର୍ମାଣ କରିପାରିବା। ଏପରି ଏକ ଅବସର ଯେଉଁଥିରେ ଆମେ ସହଜ ଜୀବନଧାରଣକୁ ବଢ଼ାଇପାରିବ। ମାନସିକତାରେ ଏହି ବ୍ୟବଧାନ ସହରୀକରଣର ପ୍ରତ୍ୟେକ କ୍ଷେତ୍ରରେ ଦେଖିବାକୁ ମିଳୁଛି । ଦେଶରେ ମେଟ୍ରୋ ରେଳର ନିର୍ମାଣ ମଧ୍ୟ ଏହାର ଏକ ଉଦାହରଣ। ଦିଲ୍ଲୀରେ ହିଁ ମେଟ୍ରୋକୁ ନେଇ ଅନେକ ବର୍ଷ ପର୍ଯ୍ୟନ୍ତ ଚର୍ଚ୍ଚା ଜାରି ରହିଥିଲା । କିନ୍ତୁ ଅଟଳ ଜୀଙ୍କ ପ୍ରୟାସ କାରଣରୁ ପ୍ରଥମ ମେଟ୍ରୋ ରେଳ ଚଳାଚଳ କରିଥିଲା । ମେଟ୍ରୋ ସେବାର ଯେଉଁ ବିଶେଷଜ୍ଞମାନେ ଏହି କାର୍ଯ୍ୟକ୍ରମ ସହିତ ଯୋଡ଼ି ହୋଇଛନ୍ତି, ସେମାନେ ମଧ୍ୟ ଏହା ଭଲ ଭାବେ ଜାଣନ୍ତି ଯେ ମେଟ୍ରୋ ନିର୍ମାଣର ସ୍ଥିତି କିଭଳି ଥିଲା ।
ସାଥୀଗଣ,
ବର୍ଷ 2014ରେ ଆମ ସରକାର ଗଠନ ହେବା ପରେ ମାତ୍ର 5ଟି ସହରରେ ମେଟ୍ରୋ ରେଳ ସେବା ଥିଲା । ଆଜି 18ଟି ସହରରେ ମେଟ୍ରୋ ରେଳ ସେବା ରହିଛି । 2025 ସୁଦ୍ଧା, ଆମେ ଏହାକୁ 25ଟି ସହରକୁ ବଢ଼ାଇବା ଲାଗି ଲକ୍ଷ୍ୟ ରଖିଛୁ । 2014ରେ ମାତ୍ର 248 କିମି ମେଟ୍ରୋ ଲାଇନ ଦେଶରେ କାର୍ଯ୍ୟକ୍ଷମ ହୋଇଥିଲା ଏବଂ ଆଜି ଏହାର ତିନି ଗୁଣା ଅର୍ଥାତ 700 କିମିରୁ ଅଧିକ ମେଟ୍ରୋ ଲାଇନ କାର୍ଯ୍ୟକ୍ଷମ ହୋଇସାରିଛି । 2025 ସୁଦ୍ଧା ଆମେ ଏହାକୁ 1700 କିମିକୁ ସମ୍ପ୍ରସାରିତ କରିବା ଲାଗି ପ୍ରୟାସ କରୁଛୁ । ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ଏଗୁଡ଼ିକ କେବଳ ତଥ୍ୟ ନୁହେଁ ବରଂ କୋଟି କୋଟି ଭାରତବାସୀଙ୍କ ସହଜ ଜୀବନଧାରଣରେ ଆସିଥିବା ସୁଧାରର ପ୍ରମାଣ। ଏଗୁଡ଼ିକ କେବଳ ଇଟା ଓ ପଥର, କଂକ୍ରିଟ ଓ ଲୁହାରେ ନିର୍ମିତ ଭିତ୍ତିଭୂମି ନୁହେଁ, ବରଂ ଦେଶର ନାଗରିକ, ମଧ୍ୟମବର୍ଗଙ୍କ ଆଶାଆକାଂକ୍ଷା ପୂରଣ ହେବାର ପ୍ରମାଣ ।
ବନ୍ଧୁଗଣ,
ଏହି ପରିବର୍ତ୍ତନ ଆସିଲା କିପରି? ସେହି ଅମଲାତନ୍ତ୍ର, ସେହି ଲୋକ, ଏତେ ଦ୍ରୁତ ଗତିରେ କାମ କିପରି ହେଲା? ଏହାର ସବୁଠୁ ବଡ଼ କାରଣ ହେଉଛି ଆମେ ସହରୀକରଣକୁ ଏକ ଆହ୍ୱାନ ଭାବେ ନୁହେଁ ବରଂ ଅବସର ଭାବରେ ଦେଖିଲୁ । ଆମ ଦେଶରେ ପୂର୍ବରୁ ମେଟ୍ରୋ ରେଳ ସଂକ୍ରାନ୍ତରେ କୌଣସି ନୀତି ନଥିଲା । କେତେବେଳେ କେହି ନେତା ଆସି ପ୍ରତିଶ୍ରୁତି ଦେଉଥିଲେ, ପୁଣି ସରକାର କାହାକୁ ସନ୍ତୁଷ୍ଟ କରିବା ଲାଗି ମେଟ୍ରୋର ଘୋଷଣା କରି ଦେଉଥିଲେ । ଆମ ସରକାର ଏହି ଦାସତ୍ୱପ୍ରଥାରୁ ମୁକ୍ତ ହୋଇ ମେଟ୍ରୋ ସମ୍ପର୍କରେ ନୀତି ପ୍ରଣୟନ କଲେ ଏବଂ ଏହାକୁ ଚତୁର୍ମୁଖୀ ରଣନୀତି ସହିତ କାର୍ଯ୍ୟକାରୀ ମଧ୍ୟ କଲେ । ସ୍ଥାନୀୟ ଚାହିଦା ଅନୁସାରେ କାମ କରିବା, ସ୍ଥାନୀୟ ମାନକଗୁଡ଼ିକୁ ପ୍ରୋତ୍ସାହନ ଦେବା, ମେକ ଇନ ଇଣ୍ଡିଆର ଅଧିକାରୁ ଅଧିକ ବିସ୍ତାର ତଥା ଆଧୁନିକ ପ୍ରଯୁକ୍ତିର ଉପଯୋଗ ପ୍ରତି ଆମେ ଗୁରୁତ୍ୱରୋପ କଲୁ ।
ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଏହା ଜାଣନ୍ତି ଯେ ଦେଶର ଭିନ୍ନ ଭିନ୍ନ ସହରରେ ଭିନ୍ନ ଆବଶ୍ୟକତା, ଆକାଆକାଂକ୍ଷା ଏବଂ ଆହ୍ୱାନ ରହିଛି । ଯଦି ଆମେ ଗୋଟିଏ ଫିକ୍ସ ମଡେଲ ତିଆରି କରି ମେଟ୍ରୋ ରେଳ ପରିଚାଳନା କରିଥାନ୍ତୁ ତା’ହେଲେ ମେଟ୍ରୋର ସମ୍ପ୍ରସାରଣ, ପରିବହନର ଆଧୁନିକ ପଦ୍ଧତିର ଉପଯୋଗ ସହରରର ଲୋକମାନଙ୍କର ଆବଶ୍ୟକତା ଏବଂ ସେଠାକାର ଜୀବନଶୈଳୀ ଅନୁସାରେ ହୋଇପାରିନଥାନ୍ତା । ଏହି କାରଣରୁ ଭିନ୍ନ ଭିନ୍ନ ସହରରେ ଭିନ୍ନ ଭିନ୍ନ ପ୍ରକାରର ମେଟ୍ରୋ ରେଳ ଉପରେ କାମ ହେଉଛି । ମୁଁ ଆପଣଙ୍କୁ କେତୋଟି ଉଦାହରଣ ଦେଉଛି । ଦିଲ୍ଲୀ ଏବଂ ମିରଟ ମଧ୍ୟରେ ରିଜିଓନାଲ ରାପିଡ ଟ୍ରାଞ୍ଜିଟ ସିଷ୍ଟମ(ଆରଆରଟିଏସ) ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଦିଲ୍ଲୀ ଏବଂ ମିରଟ ମଧ୍ୟରେ ଦୂରତାକୁ ମାତ୍ର ଏକ ଘଂଟା ମଧ୍ୟରେ ସୀମିତ କରିଦେବ ।
ଯେଉଁ ସହରରେ ଯାତ୍ରୀଙ୍କ ସଂଖ୍ୟା କମ ରହିଛି ସେଠାରେ ମେଟ୍ରୋ ଲାଇଟ ଭର୍ସନ ଦିଗରେ କାର୍ଯ୍ୟ କରାଯାଉଛି । ସାଧାରଣ ମେଟ୍ରୋ ପାଇଁ ହେଉଥିବା ଖର୍ଚ୍ଚ ତୁଳନାରେ ମେଟ୍ରୋ ଲାଇଟ ଭର୍ସନରେ ମାତ୍ର 40 ପ୍ରତିଶତ ଖର୍ଚ୍ଚ ହେବ । କମସଂଖ୍ୟକ ଯାତ୍ରୀ ଯାତାୟାତ କରୁଥିବା ସହରରେ ମେଟ୍ରୋ ନିଓ ପାଇଁ କାର୍ଯ୍ୟ କରାଯାଉଛି । ସାଧାରଣ ମେଟ୍ରୋ ଏବଂ ଏହା ମାତ୍ର 25 ପ୍ରତିଶତ ଖର୍ଚ୍ଚରେ ନିର୍ମାଣ କରାଯିବ । ସେହିପରି ୱାଟର ମେଟ୍ରୋ ମଧ୍ୟ ଏକ ଅଭିନବ ଚିନ୍ତାଧାରା । ଅଧିକ ସଂଖ୍ୟାରେ ବଡ଼ ଜଳାଶୟ ଥିବା ସହରରେ ୱାଟର ମେଟ୍ରୋ ପାଇଁ କାମ ଜାରି ରହିଛି । ଏହା ଦ୍ୱୀପାଞ୍ଚଳରେ ରହୁଥିବା ଲୋକମାନଙ୍କୁ ଶେଷ ମାଇଲ ପର୍ଯ୍ୟନ୍ତ ଯୋଗାଯୋଗ ସୁବିଧା ପ୍ରଦାନ କରିବ । କୋଚି ସହରରେ ଏହି କାମ ଦ୍ରୁତ ଗତିରେ ଜାରି ରହିଛି ।
ଆଜି ମେଟ୍ରୋ ଆଉ ସାଧାରଣ ପରିବହନର ମାଧ୍ୟମ ହୋଇ ରହିନାହିଁ ବରଂ ପ୍ରଦୂଷଣ ହ୍ରାସ କରିବାର ଏକ ବଡ଼ ମାର୍ଗ ପାଲଟିଛି । ମେଟ୍ରୋ ନେଟୱର୍କ କାରଣରୁ ସଡ଼କରୁ ହଜାର ହଜାର ସଂଖ୍ୟାରେ ଗାଡ଼ି ସଂଖ୍ୟା ହ୍ରାସ ପାଇଛି, ଯାହାକି ଟ୍ରାଫିକ ଜାମ ଓ ପ୍ରଦୂଷଣର କାରଣ ସାଜିଥିଲା ।
ବନ୍ଧୁଗଣ,
ମେଟ୍ରୋ ରେଳ ସମ୍ପ୍ରସାରଣ ଲାଗି ମେକ ଇନ ଇଣ୍ଡିଆ ଗୁରୁତ୍ୱପୂର୍ଣ୍ଣ । ମେକ ଇନ ଇଣ୍ଡିଆ ଖର୍ଚ୍ଚ କମାଇଥାଏ, ବିଦେଶୀ ମୁଦ୍ରା ସଞ୍ଚୟ କରିଥାଏ ଏବଂ ଦେଶର ଲୋକମାନଙ୍କୁ ଅଧିକ ନିଯୁକ୍ତି ସୁଯୋଗ ଦେଇଥାଏ । ରୋଲିଂ ଷ୍ଟକର ମାନକୀକରଣ କରାଯିବା ଫଳରେ ପ୍ରତ୍ୟେକ କୋଚର ମୂଲ୍ୟ ବର୍ତମାନ 12 କୋଟି ଟଙ୍କାରୁ 8 କୋଟି ଟଙ୍କାକୁ ହ୍ରାସ ପାଇଛି ।
ବନ୍ଧୁଗଣ,
ଆଜି ଚାରିଟି ବଡ଼ କମ୍ପାନୀ ଦେଶରେ ମେଟ୍ରୋ କୋଚ ନିର୍ମାଣ କରୁଛନ୍ତି ଏବଂ ଡଜନରୁ ଅଧିକ କମ୍ପାନୀ ମେଟ୍ରୋର ବିଭିନ୍ନ ଉପକରଣ ନିର୍ମାଣ କ୍ଷେତ୍ରରେ ନିୟୋଜିତ ରହିଛନ୍ତି । ଏହା ମେକ ଇନ ଇଣ୍ଡିଆ ଏବଂ ଆତ୍ମନିର୍ଭରଶୀଳ ଭାରତ ଅଭିଯାନରେ ସହାୟକ ହେଉଛି ।
ବନ୍ଧୁଗଣ,
ଆଧୁନିକରୁ ଆଧୁନିକ ପ୍ରଯୁକ୍ତିର ଉପଯୋଗ ବର୍ତ୍ତମାନ ସମୟର ଆବଶ୍ୟକତା । ଆଜି ମୋତେ ବିନା ଚାଳକରେ ମେଟ୍ରୋ ରେଳ ଚଳାଚଳର ଉଦଘାଟନ କରିବାର ସୁଯୋଗ ମିଳିଛି । ଏହି ଉପଲବ୍ଧି ଫଳରେ ଆମ ଦେଶ ବିଶ୍ୱର ସେହି ହାତଗଣତି ଦେଶଗୁଡ଼ିକ ମଧ୍ୟରେ ସାମିଲ ହୋଇପାରିଛି ଯେଉଁଠି ଏହି ସୁବିଧା ରହିଛି । ବ୍ରେକିଂ ସିଷ୍ଟମରେ ଯେତେବେଳେ ବ୍ରେକ ବ୍ୟବହାର କରାଯାଇଥାଏ 50 ପ୍ରତିଶତ ବିଦ୍ୟୁତ ଶକ୍ତି ଗ୍ରୀଡକୁ ଚାଲିଯାଇଥାଏ । ଆଜି ମେଟ୍ରୋ ରେଳରେ 130 ମେଗାୱାଟ ସୌର ଶକ୍ତି ଉପଯୋଗ କରାଯାଉଛି, ଯାହାକି 600 ମେଗାୱାଟକୁ ବୃଦ୍ଧି କରାଯିବ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ପରିପୂର୍ଣ୍ଣ ପ୍ଲାଟଫର୍ମ ଏବଂ ସ୍କ୍ରିନିଂ କବାଟ ଭଳି ଆଧୁନିକ ପ୍ରଯୁକ୍ତି ଉପରେ ମଧ୍ୟ କାମ ଜାରି ରହିଛି ।
ବନ୍ଧୁଗଣ,
ଆଧୁନିକୀକରଣ ଲାଗି ଗୋଟିଏ ପ୍ରକାରର ମାନକ ଓ ସୁବିଧା ଉପଲବ୍ଧ କରାଇବା ଅତ୍ୟନ୍ତ ଜରୁରି ଅଟେ । ଜାତୀୟସ୍ତରରେ କମନ ମୋବିଲିଟି କାର୍ଡ ଏ ଦିଗରେ ଏକ ପଦକ୍ଷେପ । କମନ ମୋବିଲିଟି କାର୍ଡର ଲକ୍ଷ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ ଅଟେ । ଆପଣ ଯେକୌଣସି ସ୍ଥାନକୁ ଯାତ୍ରା କରନ୍ତୁ, ଯେକୌଣସି ସାର୍ବଜନୀନ ପରିବହନ ବ୍ୟବସ୍ଥାର ଉପଯୋଗ କରନ୍ତୁ ଏହି କାର୍ଡ ଆପଣଙ୍କୁ ଏକୀକୃତ ସୁବିଧା ପ୍ରଦାନ କରିବ । ଏହା ସବୁସ୍ଥାନରେ ପ୍ରଚଳିତ ହେବ ।
ବନ୍ଧୁଗଣ,
ମେଟ୍ରୋରେ ଯାତ୍ରା କରୁଥିବା ଲୋକମାନେ ଜାଣନ୍ତି, କିପରି ଭାବେ କେବଳ ଗୋଟିଏ ଟୋକନ ନେବା ଲାଗି କେତେ ସମୟ ପର୍ଯ୍ୟନ୍ତ ଲାଇନରେ ଅପେକ୍ଷା କରିବାକୁ ପଡ଼ିଥାଏ । ଅଫିସ ହେଉ ଅବା କଲେଜରେ ପହଞ୍ଚିବା ଲାଗି ବିଳମ୍ବ ହୋଇଯାଇଥାଏ । ତା’ସାଙ୍ଗକୁ ଟିକେଟ ପାଇବାର ସମସ୍ୟା । ମେଟ୍ରୋରୁ ଓହ୍ଲାଇଲେ ବସ ଟିକେଟ! ଆଜି ଯେତେବେଳେ ସମସ୍ତଙ୍କ ପାଖରେ ସମୟର ଅଭାବ ରହିଛି ରାସ୍ତାରେ ସମୟ ଅପଚୟ କରିବା ସମ୍ଭବ ନୁହେଁ । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଲାଗି ଏପରି ସମସ୍ୟା ଏବେ ଦେଶର ଲୋକମାନଙ୍କ ଆଗରେ ବାଧା ସୃଷ୍ଟି ନକରୁ, ଆମେ ସେ ଦିଗରେ କାର୍ଯ୍ୟ କରୁଛୁ ।
ବନ୍ଧୁଗଣ,
ଦେଶର ସାମର୍ଥ୍ୟ ଓ ସମ୍ବଳ ଦେଶର ବିକାଶରେ ହିଁ ବିନିଯୋଗ ହେଉ, ଏହା ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ । ଆଜି ସମସ୍ତ ବ୍ୟବସ୍ଥାକୁ ଏକୀକୃତ କରି ଦେଶର ଶକ୍ତିକୁ ବୃଦ୍ଧି କରାଯାଉଛି, ଏକ ଭାରତ-ଶ୍ରେଷ୍ଠ ଭାରତକୁ ମଜବୁତ କରାଯାଉଛି । ୱାନ ନେସନ, ୱାନ ମୋବିଲିଟି କାର୍ଡ ଭଳି ବିଗତ ବର୍ଷଗୁଡ଼ିକରେ ଆମ ସରକାର ଦେଶର ବିଭିନ୍ନ ବ୍ୟବସ୍ଥାର ଏକୀକରଣ ଲାଗି ଅନେକ ପଦକ୍ଷେପ ନେଇଛି ।
ଏକ ରାଷ୍ଟ୍ର, ଏକ ଫାସଟ୍ୟାଗ ସୁବିଧା ଦେଶର ସମସ୍ତ ରାଜପଥରେ ଯାତ୍ରାକୁ ବାଧାମୁକ୍ତ କରିଛି । ଏହା ଯାତ୍ରୀମାନଙ୍କୁ ଟ୍ରାଫିକ ଜାମ ଏବଂ ବିଳମ୍ବରୁ ମୁକ୍ତି ଦେଇଛି । ଏକ ରାଷ୍ଟ୍ର ଏକ ଟିକସ ବ୍ୟବସ୍ଥା ରୂପରେ ଜିଏସଟି ଟିକସ ବ୍ୟବସ୍ଥାରେ ରହିଥିବା ଜଟିଳତାକୁ ଦୂର କରିଛି ଏବଂ ପରୋକ୍ଷ ଟିକସ ବ୍ୟବସ୍ଥାରେ ସମାନତା ଆଣିଛି । ଏକ ରାଷ୍ଟ୍ର ଏକ ପାୱାର ଗ୍ରୀଡ ଦେଶର ପ୍ରତ୍ୟେକ ଭାଗରେ ଯଥେଷ୍ଟ ଓ ନିରନ୍ତର ବିଦ୍ୟୁତ ଉପଲବ୍ଧତା ସୁନିଶ୍ଚିତ କରିଛି । ବିଦ୍ୟୁତ ଅପଚୟ ହ୍ରାସ ପାଇଛି ।
ଏକ ରାଷ୍ଟ୍ର, ଏକ ଗ୍ରୀଡ ସହିତ ଦେଶର ସେହିସବୁ ଭାଗକୁ ବାଧାମୁକ୍ତ ଗ୍ୟାସ ସଂଯୋଗ ଯୋଗାଣ ସୁନିଶ୍ଚିତ କରାଯାଉଛି ଯେଉଁଠି ପୂର୍ବରୁ ଗ୍ୟାସ ଆଧାରିତ ଜୀବନ ଏବଂ ଅର୍ଥବ୍ୟବସ୍ଥା ଏକ ସ୍ୱପ୍ନ ଥିଲା। ଏକ ରାଷ୍ଟ୍ର ଏକ ସ୍ୱାସ୍ଥ୍ୟ ବୀମା ରୂପରେ ଆୟୁଷ୍ମାନ ଭାରତ ଜରିଆରେ କୋଟି କୋଟି ଭାରତବାସୀ ଗୋଟିଏ ରାଜ୍ୟରେ ନୁହେଁ ବରଂ ଦେଶର ଯେକୌଣସି ସ୍ଥାନରେ ମାଗଣା ସ୍ୱାସ୍ଥ୍ୟସେବା ପାଇପାରୁଛନ୍ତି । ଏକ ରାଷ୍ଟ୍ର ଏକ ରାସନ କାର୍ଡ ଜରିଆରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିବା ଲୋକମାନେ ନୂଆ ରାସନ କାର୍ଡ କରିବାର ସମସ୍ୟାରୁ ମୁକ୍ତି ପାଇଛନ୍ତି । ଗୋଟିଏ ରାସନ କାର୍ଡରେ ସାରା ଦେଶରେ ଯେକୌଣସି ସ୍ଥାନରେ ଶସ୍ତାରେ ରାସନ ପାଇବାର ସୁବିଧା ମିଳିଛି । ଅନୁରୂପ ଭାବେ ନୂଆ କୃଷି ସଂସ୍କାର ଏବଂ ଇ-ନାମ ଭଳି ବ୍ୟବସ୍ଥା କାରଣରୁ ଦେଶ ଏକ ରାଷ୍ଟ୍ର, ଏକ କୃଷି ବଜାର ଦିଗରେ ଅଗ୍ରସର ହେଉଛି ।
ବନ୍ଧୁଗଣ,
ଦେଶର ପ୍ରତ୍ୟେକ ଛୋଟ-ବଡ଼ ସହର, ଏକବିଂଶ ଶତାବ୍ଦୀରେ ଭାରତର ଅର୍ଥବ୍ୟବସ୍ଥାର ବଡ଼ କେନ୍ଦ୍ରରେ ପରିଣତ ହେବ । ଆମ ଦିଲ୍ଲୀ ଦେଶର ରାଜଧାନୀ ମଧ୍ୟ । ଆଜି ଯେତେବେଳେ ଏକବିଂଶ ଶତାବ୍ଦୀର ଭାରତ ବିଶ୍ୱରେ ନୂଆ ପରିଚୟ ସୃଷ୍ଟି କରୁଛି, ଆମ ରାଜଧାନୀରେ ସେହି ଭବ୍ୟତା ପ୍ରତିଫଳିତ ହେବା ଉଚିତ । ଏତେ ପୁରୁଣା ସହର ହୋଇଥିବା କାରଣରୁ ଏଥିରେ ସମସ୍ୟା ନିଶ୍ଚିତ ଭାବେ ରହିଛି କିନ୍ତୁ ଏହି ସମସ୍ୟା ସହିତ ଏହାକୁ ଆଧୁନିକତାର ନୂତନ ପରିଚୟ ଦେବାକୁ ହେବ । ସେଥିପାଇଁ ଆଜି ଦିଲ୍ଲୀକୁ ଆଧୁନିକ ସ୍ୱରୂପ ଦେବା ଲାଗି ଅନେକ ପ୍ରୟାସ କରାଯାଉଛି । ଦିଲ୍ଲୀରେ ବିଦ୍ୟୁତଚାଳିତ ବାହନ ଚଳାଚଳ ବଢ଼ାଇବା ଲାଗି ସରକାର ଏହାର କ୍ରୟ ଉପରେ ଟିକସ ଛାଡ଼ ସୁବିଧା ଦେଇଛନ୍ତି ।
ଦିଲ୍ଲୀର ଶତାଧିକ କଲୋନୀଗୁଡ଼ିକୁ ନିୟମିତ କରିବା କିମ୍ବା ପୁଣି ବସ୍ତିରେ ରହୁଥିବା ପରିବାରକୁ ଉନ୍ନତ ଆବାସ ଦେବାର ପ୍ରୟାସ ହେଉ ସରକାର ସବୁ ଦିଗରେ ଉଦ୍ୟମ କରୁଛନ୍ତି । ଦିଲ୍ଲୀର ପୁରୁଣା ସରକାରୀ ଅଟ୍ଟାଳିକାଗୁଡ଼ିକୁ ଆଜିର ଆବଶ୍ୟକତା ଅନୁସାରେ ପରିବେଶ ଅନୁକୂଳ କରାଯାଉଛି । ଯେଉଁସବୁ ପୁରୁଣା ଭିତ୍ତିଭୂମି ରହିଛି ସେଗୁଡ଼ିକୁ ଆଧୁନିକ ପ୍ରଯୁକ୍ତି ଆଧାରିତ ଭିତ୍ତିଭୂମି ମାଧ୍ୟମରେ ପରିବର୍ତ୍ତନ କରାଯାଉଛି ।
ବନ୍ଧୁଗଣ,
ଦିଲ୍ଲୀରେ ପୁରୁଣା ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ବ୍ୟତୀତ ଏକବିଂଶ ଶତାବ୍ଦୀର ନୂତନ ଆକର୍ଷଣ ମଧ୍ୟ ରହୁ, ସେଥିପାଇଁ କାମ ଜାରି ରହିଛି । ଦିଲ୍ଲୀ ଅନ୍ତର୍ଜାତୀୟ ସମ୍ମିଳନୀ, ଅନ୍ତର୍ଜାତୀୟ ପ୍ରଦର୍ଶନୀ, ଅନ୍ତର୍ଜାତୀୟ ବ୍ୟବସାୟ ପର୍ଯ୍ୟଟନର ପ୍ରମୁଖ କେନ୍ଦ୍ର ମଧ୍ୟ ହେବାକୁ ଯାଉଛି । ଏଥିପାଇଁ ଦ୍ୱାରକାରେ ଦେଶର ସବୁଠୁ ବଡ଼ ସେଣ୍ଟର ନିର୍ମାଣ କରାଯାଉଛି । ସେହିପରି ଗୋଟିଏ ପଟେ ନୂଆ ସଂସଦ ଭବନ ନିର୍ମାଣ କାମ ଆରମ୍ଭ ହୋଇଥିବା ବେଳେ, ଅନ୍ୟପଟେ ବହୁତ ବଡ଼ ଭାରତ ବନ୍ଦନା ପାର୍କ ନିର୍ମାଣ କରାଯାଉଛି । ଏହିପରି ପ୍ରତ୍ୟେକ କାମ ଫଳରେ ଦିଲ୍ଲୀବାସୀଙ୍କ ଲାଗି ହଜାର ହଜାର ରୋଜଗାର ସୁଯୋଗ ସୃଷ୍ଟି ହୋଇଛି ଏବଂ ସହରର ଚିତ୍ର ମଧ୍ୟ ବଦଳୁଛି ।
ଦିଲ୍ଲୀ 130 କୋଟିରୁ ଅଧିକ ଲୋକଙ୍କର, ବିଶ୍ୱର ସବୁଠୁ ବଡ଼ ଆର୍ଥିକ ଏବଂ ସାମରିକ ଶକ୍ତିର ରାଜଧାନୀ ଅଟେ, ଏହି ଭବ୍ୟତାର ପ୍ରଦର୍ଶନ ଏଠାରେ ରହିବା ଉଚିତ । ମୋର ବିଶ୍ୱାସ ଯେ ଆମେ ସମସ୍ତେ ମିଳିମିଶି କାମ କରି, ଦିଲ୍ଲୀର ନାଗରିକମାନଙ୍କ ଜୀବନକୁ ଆହୁରି ଉନ୍ନତ କରିବା, ଦିଲ୍ଲୀକୁ ଆହୁରି ଆଧୁନିକ କରିବା ।
ପୁଣିଥରେ ନୂଆ ସୁବିଧା ପାଇଁ ଦେଶକୁ ଏବଂ ଦିଲ୍ଲୀବାସୀଙ୍କୁ ମୁଁ ଅନେକ ଅନେକ ଶୁଭେଚ୍ଛା ଜ୍ଞାପନ କରୁଛି ।
ଧନ୍ୟବାଦ!
**********
(रिलीज़ आईडी: 1684190)
आगंतुक पटल : 331
इस विज्ञप्ति को इन भाषाओं में पढ़ें:
Assamese
,
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam