ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାତୀୟ ରାଜପଥ-19ର ବାରାଣସୀ-ପ୍ରୟାଗରାଜ ସେକ୍ସନର 6 ଲେନ ବିଶିଷ୍ଟ ପ୍ରଶସ୍ତିକରଣ ପ୍ରକଳ୍ପ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Posted On: 30 NOV 2020 6:40PM by PIB Bhubaneshwar

କାଶୀର ମୋର ପ୍ରିୟ ଭାଇ ଓ ଭଉଣୀମାନେ,

ଆପଣମାନଙ୍କୁ ସମସ୍ତଙ୍କୁ ମୋର ପ୍ରଣାମ।

ବିଶେଷ କରି ରାଜାତାଲାବ, ମିର୍ଜାମୁରଦା, କଛବା, କପସେଠୀ, ରୋହନିୟା, ସେବାପୁରୀ କ୍ଷେତ୍ରର ଅନ୍ନଦେବତା ମାନଙ୍କୁ ପ୍ରଣାମ!

ଆପଣମାନଙ୍କୁ ସମସ୍ତଙ୍କୁ ଦେବ ଦୀପାବଳି ଓ ଗୁରୁପର୍ବର ଅନେକ ଅନେକ ଅଭିନନ୍ଦନ ଓ ଶୁଭକାମନା!!

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ସଂସଦରେ ମୋର ସାଥୀ ଭାଇ ରମେଶ ଚନ୍ଦ ଏବଂ ବିଶାଳ ସଂଖ୍ୟାରେ ଉପସ୍ଥିତ କାଶୀର ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଦେବ ଦୀପାବଳି ଓ ଗୁରୁ ନାନକ ଦେବ ଜୀଙ୍କ ପ୍ରକାଶୋତ୍ସବରେ ଆଜି କାଶୀକୁ ଆଧୁନିକ ଭିତ୍ତିଭୂମିର ଆଉ ଏକ ଉପହାର ମିଳୁଛି। ଏହାର ଲାଭ କାଶୀ ସହିତ ପ୍ରୟାଗରାଜର ଲୋକମାନଙ୍କୁ ମଧ୍ୟ ମିଳିବ। ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା।

ମୋର ମନେ ଅଛି, ବର୍ଷ 2013ରେ ମୋର ପ୍ରଥମ ଜନସଭା ଏହି ମଇଦାନରେ ହୋଇଥିଲା। ସେତେବେଳେ ଏହି ସ୍ଥାନ ଦେଇ ଯାଇଥିବା ରାଜପଥ ଚାରି ଲେନ ବିଶିଷ୍ଟ ଥିଲା। ଆଜି ବାବା ବିଶ୍ୱନାଥଙ୍କ ଆଶୀର୍ବାଦରୁ ଏହି ରାଜପଥ 6 ଲେନ ବିଶିଷ୍ଟ ହୋଇସାରିଛି। ପୂର୍ବରୁ ଯେଉଁ ଲୋକମାନେ ହଣ୍ଡିଆରୁ ରାଜାତାଲାବ ଯିବଆସିବା କରୁଥିଲେ, ସେମାନେ ଜାଣିଥିଲେ ଏହି ରାଜପଥରେ କେତେ ଅସୁବିଧା ହେଉଥିଲା। ବିଭିନ୍ନ ସ୍ଥାନରେ ଟ୍ରାଫିକ ଜାମ, ଖୁବ ଧିମା ଗତିରେ ଟ୍ରାଫିକ ଚାଲିଥିଲା। ଦିଲ୍ଲୀ ଓ ଅନ୍ୟ ସହରରୁ ଯେଉଁ ଲୋକମାନେ ଏଠାକୁ ଆସୁଥିଲେ ସେମାନେ ରାସ୍ତାରେ ଆସି ବ୍ୟସ୍ତବିବ୍ରତ ହୋଇ ପଡ଼ୁଥିଲେ। ସତୁରି କିମିରୁ ଅଧିକ ଏହି ରାସ୍ତାରେ ଯାତ୍ରା ଏବେ ଆରାମଦାୟକ ହେବ। ଦ୍ରୁତଗତିରେ ଯାତାୟାତ ସମ୍ଭବ ହୋଇପାରିବ। ଏହି ରାଜପଥ ଚଉଡ଼ା ହେବା ଫଳରେ କାଶୀ ଓ ପ୍ରୟାଗ ମଧ୍ୟରେ ଯାତାୟାତ ଏବେ ସହଜ ହୋଇପାରିବ। କାଉଡ଼ିଆ ଯାତ୍ରା ସମୟରେ କାଉଡ଼ିଆମାନଙ୍କୁ ଏବଂ ଏହି ଅଞ୍ଚଳର ଲୋକମାନଙ୍କୁ ଯେଉଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା ତାହା ଏବେ ସମାପ୍ତ ହୋଇଯିବ। କେବଳ ସେତିକି ନୁହେଁ, ଏହାର ଲାଭ କୁମ୍ଭ ମେଳା ସମୟରେ ମଧ୍ୟ ମିଳିବ।

ଭାଇ ଓ ଭଉଣୀମାନେ,

ଆସ୍ଥା ସହ ଜଡ଼ିତ ସ୍ଥାନ ହେଉ ଅବା କୌଣସି ବିଶେଷ କାର୍ଯ୍ୟ, ଲୋକମାନେ କୌଣସି ସ୍ଥାନକୁ ଯିବା ଆସିବା କରିବା ପୂର୍ବରୁ ଚିନ୍ତା କରିଥାନ୍ତି ସେ ସ୍ଥାନକୁ ଯିବାଆସିବା କେତେ ସହଜ ହେବ ଏହିପରି ସୁବିଧା ଦେଶୀ-ବିଦେଶୀ, ପ୍ରତ୍ୟେକ ପ୍ରକାରର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନଙ୍କ ମାନଙ୍କୁ ପ୍ରୋତ୍ସାହିତ ମଧ୍ୟ କରିଥାଏ। ବିଗତ ବର୍ଷଗୁଡ଼ିକରେ କାଶୀର ସୌନ୍ଦର୍ଯ୍ୟକରଣ ସହିତ ଏଠାକାର ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ଯେଉଁ କାମ ହେଲା, ତା’ର ଲାଭ ଏବେ ସବୁଆଡ଼େ ଦେଖିବାକୁ ମିଳୁଛି। ନୂଆ ରାଜପଥ ନିର୍ମାଣ ହେଉ, ପୁଲ ଫ୍ଲାଏ ଓଭର ନିର୍ମାଣ ହେଉ ଟ୍ରାଫିକ ଜାମ ହ୍ରାସ କରିବା ଲାଗି ରାସ୍ତା ପ୍ରଶସ୍ତିକରଣ ହେଉ, ବନାରସ ଓ ଏହାର ଆଖପାଖ ଅଞ୍ଚଳରେ ବର୍ତ୍ତମାନ ଯେଉଁ ପରିମାଣରେ ବିକାଶମୂଳକ କାମ ହେଉଛି ସ୍ୱାଧୀନତା ପରେ ଏପରି କାମ କେବେହେଲେ ହୋଇନଥିଲା। ବନାରସର ସେବକ ହୋଇଥିବା କାରଣରୁ, ବନାରସର ଲୋକମାନଙ୍କର ଅସୁବିଧା ଦୂର କରିବା, ସେମାନଙ୍କ ଜୀବନକୁ ସହଜ କରିବା ଲାଗି ମୁଁ ସବୁବେଳେ ପ୍ରୟାସ କରୁଛି। ବିଗତ ଛଅ ବର୍ଷରେ ବନାରସରେ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଖୁବ ଦ୍ରୁତଗତିରେ ସମ୍ପୂର୍ଣ୍ଣ କରାଯାଇଛି ଏବଂ ଅନେକ ପ୍ରକଳ୍ପ ଉପରେ ବର୍ତ୍ତମାନ ସୁଦ୍ଧା କାମ ଚାଲୁ ରହିଛି। ବିମାନ ବନ୍ଦରରୁ ସହରକୁ ଯୋଡ଼ୁଥିବା ସଡ଼କ ଆଜି ବନାରସରେ ବିକାଶ କାର୍ଯ୍ୟର ପରିଚୟ ପାଲଟିଛି। ରେଳ ଷ୍ଟେସନକୁ ଯୋଗାଯୋଗ ଆହୁରି ଉନ୍ନତ ହୋଇଛି। ଏଠାରୁ କିଛି ଦୂରରେ ହିଁ ରିଙ୍ଗ ରୋଡ ଫେଜ-2ର କାର୍ଯ୍ୟ ଖୁବ ଦ୍ରୁତ ଗତିରେ ଚାଲୁ ଅଛି। ଏହା ସମ୍ପୂର୍ଣ୍ଣ ହେବା ପରେ ସୁଲତାନପୁର, ଆଜମଗଡ଼ ଓ ଗାଜିପୁରରୁ ଆସୁଥିବା ଭାରୀ ଯାନ ସହର ଭିତରକୁ ପ୍ରବେଶ ନକରି, ସିଧା ଏହି ନୂଆ 6 ଲେନ ବିଶିଷ୍ଟ ରାଜପଥ ଦେଇ ଚାଲିଯାଇପାରିବେ। ସେହିପରି ଯେଉଁ ଅନ୍ୟ ରାଜପଥ ନିର୍ମାଣ କାର୍ଯ୍ୟ ଚାଲୁ ଅଛି ସେଗୁଡ଼ିକ ମଧ୍ୟ ଖୁବଶୀଘ୍ର ସମ୍ପୂର୍ଣ୍ଣ କରିବା ଲାଗି ପ୍ରୟାସ କରାଯାଉଛି। ଏହି ରାଜପଥ ନିର୍ମାଣ ହେବା ଫଳରେ ବାରାଣସୀ, ଲକ୍ଷ୍ନୌ, ଆଜମଗଡ଼ ଓ ଗୋରଖପୁର ଯାତ୍ରା ଆହୁରି ସହଜ ହେବ।

ଭାଇ ଓ ଭଉଣୀମାନେ,

ଭଲ ସଡ଼କ, ଭଲ ରେଳପଥ, ଭଲ ଏବଂ ଶସ୍ତା ବିମାନ ସେବା ସୁବିଧା, ଏସବୁ ସମାଜର ପ୍ରତ୍ୟେକ ବର୍ଗକୁ ସୁବିଧା ପ୍ରଦାନ କରିଥାଏ। ବିଶେଷ କରି ଗରିବଙ୍କୁ, ଛୋଟ ଉଦ୍ୟମୀଙ୍କୁ, ମଧ୍ୟମବର୍ଗଙ୍କୁ ଏହାର ଲାଭ ମିଳିଥାଏ। ନିର୍ମାଣ କାର୍ଯ୍ୟ ଚାଲିବା ସମୟରେ ଅନେକ ଲୋକଙ୍କୁ ରୋଜଗାର ମିଳିଥାଏ। ପ୍ରକଳ୍ପଗୁଡ଼ିକ ନିର୍ମାଣ ଶେଷ ହେଲେ, ସମୟ ସଞ୍ଚୟ ହୋଇଥାଏ, ଖର୍ଚ୍ଚ କମିଥାଏ ଏବଂ ଲୋକମାନଙ୍କର ସମସ୍ୟା ଦୂର ହୋଇଥାଏ। କରୋନାର ଏହି ସମୟରେ ମଧ୍ୟ ଶ୍ରମିକ ସାଥୀମାନଙ୍କ ପାଇଁ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ବହୁତ ବଡ଼ ରୋଜଗାରର ମାଧ୍ୟମ ପାଲଟିଛି।

ଭାଇ ଓ ଭଉଣୀମାନେ

ମୁଁ ଆନନ୍ଦିତ ଯେ ଉତ୍ତର ପ୍ରଦେଶରେ ଯୋଗୀ ଜୀ ଏବଂ ତାଙ୍କର ସମ୍ପୂର୍ଣ୍ଣ ଟିମ ସରକାର ଗଠନ ହେବା ପରେ ଏଠାରେ ମଧ୍ୟ ଭିତ୍ତିଭୂମି ନିର୍ମାଣରେ ଅଭୂତପୂର୍ବ ଗତି ଆସିଛି। ପୂର୍ବରୁ ଉତ୍ତର ପ୍ରଦେଶରେ ଭିତ୍ତିଭୂମିର ସ୍ଥିତି କ’ଣ ଥିଲା, ତାହା ଆପଣମାନେ ଭଲ ଭାବେ ଜାଣିଛନ୍ତି। ଆଜି ଉତ୍ତର ପ୍ରଦେଶର ପରିଚୟ ଏକ୍ସପ୍ରେସ ପ୍ରଦେଶ ରୂପରେ ସଶକ୍ତ ହେଉଛି। ଉତ୍ତର ପ୍ରଦେଶରେ ହଜାର ହଜାର କୋଟି ଟଙ୍କାର ପାଞ୍ଚଟି ଯୋଗାଯୋଗ ପ୍ରକଳ୍ପ ଉପରେ କାମ ଏକ ସମୟରେ ଜାରି ରହିଛି। ଆଜି ପୂର୍ବାଞ୍ଚଳ ହେଉ, ବୁନ୍ଦେଲଖଣ୍ଡ, ପଶ୍ଚିମ ଉତ୍ତର ପ୍ରଦେଶ ହେଉ ପ୍ରତ୍ୟେକ କୋଣକୁ ଏକ୍ସପ୍ରେସ ରାଜପଥ ସହ ଯୋଡ଼ାଯାଉଛି। ଦେଶର ଦୁଇଟି ବଡ଼ ଏବଂ ଆଧୁନିକ ଡିଫେନ୍ସ କରିଡର ମଧ୍ୟରୁ ଗୋଟିଏ ଆମର ଉତ୍ତର ପ୍ରଦେଶରେ ନିର୍ମିତ ହେଉଛି।

ଭାଇ ଓ ଭଉଣୀମାନେ

କେବଳ ସଡ଼କ ନୁହେଁ, ବରଂ ବିମାନ ଯୋଗାଯୋଗରେ ମଧ୍ୟ ସୁଧାର ଅଣାଯାଉଛି। ତିନି ଚାରି ବର୍ଷ ପୂର୍ବେ ଉତ୍ତର ପ୍ରଦେଶରେ ମାତ୍ର ଦୁଇଟି ବଡ଼ ବିମାନ ବନ୍ଦର ପ୍ରଭାବୀ ଢଙ୍ଗରେ କାମ କରୁଥିଲା। ଆଜି ପାଖାପାଖି ଏକ ଡଜନ ବିମାନବନ୍ଦର ଉତ୍ତର ପ୍ରଦେଶରେ ସେବା ପ୍ରଦାନ କରିବା ଲାଗି ପ୍ରସ୍ତୁ ହେଉଛି। ଏଠାରେ ବାରାଣସୀ ବିମାନ ବନ୍ଦରର ସମ୍ପ୍ରସାରଣ କାମ ଚାଲୁ ଅଛି। ପ୍ରୟାଗରାଜରେ ବିମାନ ବନ୍ଦର ଟର୍ମିନାଲ ଖୁବ ଦ୍ରୁତ ଗତିରେ ନିର୍ମାଣ ହୋଇ ରେକର୍ଡ ସୃଷ୍ଟି କରିଛି। ଏହାବ୍ୟତୀତ କୁଶୀନଗର ବିମାନ ବନ୍ଦରକୁ  ମଧ୍ୟ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ରୂପରେ ବିକଶିତ କରାଯାଉଛି। ନୋଏଡ଼ାର ଜେବରରେ ଇଣ୍ଟରନ୍ୟାସନାଲ ଗ୍ରୀନଫିଲ୍ଡ ଏୟାରପୋର୍ଟ ନିର୍ମାଣ କାମ ଦ୍ରୁତ ଗତିରେ ଜାରି ରହିଛି।

ସାଥୀଗଣ,

ଯେତେବେଳେ କୌଣସି କ୍ଷେତ୍ରରେ ଆଧୁନିକ ଯୋଗାଯୋଗର ସମ୍ପ୍ରସାରଣ ହୋଇଥାଏ, ଏହାର ବହୁତ ବଡ଼ ଲାଭ ଆମର କୃଷକମାନଙ୍କୁ ମଧ୍ୟ ମିଳିଥାଏ, କୃଷି କ୍ଷେତ୍ରକୁ ମିଳିଥାଏ। ବିଗତ ବର୍ଷଗୁଡ଼ିକରେ ନିରନ୍ତର ଭାବେ ଗ୍ରାମଗୁଡ଼ିକୁ ଆଧୁନିକ ସଡ଼କ ସହିତ ଯୋଡ଼ିବା ଏବଂ ପଣ୍ୟାଗାର, ଶୀତଳଭଣ୍ଡାର ପାଇଁ ଆଧୁନିକ ବ୍ୟବସ୍ଥା ନିର୍ମାଣ କରିବା ପାଇଁ ପ୍ରୟାସ କରାଯାଇଛି। ନିକଟରେ ଏଥିପାଇଁ ଏକ ଲକ୍ଷ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ମଧ୍ୟ କୃଷକମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ଚଳିତ ବର୍ଷ ଦେଶର ଇତିହାସରେ ପ୍ରଥମ ଥର ଭ୍ରାମ୍ୟମାଣ ଶୀତଳ ଭଣ୍ଡାର ଅର୍ଥାତ କିଷାନ ରେଳ ଶୁଭାରମ୍ଭ କରାଯାଇଛି। ଏହି ପ୍ରୟାସ ଫଳରେ କୃଷକମାନଙ୍କୁ ନୂଆ ବଜାର ମିଳୁଛି, ବଡ଼ ସହର ପର୍ଯ୍ୟନ୍ତ ସେମାନଙ୍କର ପହଞ୍ଚ  ଆହୁରି ବୃଦ୍ଧି ପାଉଛି। ଏହାର ସିଧାସଳଖ ପ୍ରଭାବ ସେମାନଙ୍କ ଆୟ ଉପରେ ପଡ଼ୁଛି, ଅର୍ଥାତ ସେମାନଙ୍କର ରୋଜଗାର ଆହୁରି ବୃଦ୍ଧି ପାଉଛି।

ସାଥୀଗଣ,

ବାରାଣସୀ ସମେତ ପୂର୍ବାଞ୍ଚଳରେ ହିଁ ଯେଉଁ ଉନ୍ନତ ଭିତ୍ତିଭୂମି ନିର୍ମିତ ହୋଇଛି, ଏହାର ଖୁବ ଅଧିକ ଲାଭ ଏହି ସମଗ୍ର କ୍ଷେତ୍ରକୁ ହୋଇଛି। ବାରାଣସୀରେ ପେରିସେବୁଲ କାର୍ଗୋ ସେଣ୍ଟର ନିର୍ମିତ ହେବା କାରଣରୁ ଏବେ ଏଠାରେ କୃଷକମାନଙ୍କୁ ଫଳ ଓ ପନିପରିବା ସଂରକ୍ଷିତ କରି ରଖିବା ଏବଂ ସେଗୁଡ଼ିକୁ ସହଜରେ ବିକ୍ରି କରିବା ଲାଗି ବହୁତ ବଡ଼ ସୁବିଧା ମିଳିପାରିଛି। ଏହି ଷ୍ଟୋରେଜ ସୁବିଧା କାରଣରୁ ପ୍ରଥମ ଥର ପାଇଁ ଏଠାକାର କୃଷକମାନଙ୍କର ଉତ୍ପାଦନ ଅଧିକ ମାତ୍ରାରେ ବିଦେଶକୁ ରପ୍ତାନି ହୋଇପାରୁଛି। ଆଜି ବନାରସର ଲଙ୍ଗଡ଼ା ଓ ଦଶହରୀ ଆମ୍ବ ଲଣ୍ଡନ ଏବଂ ମିଡିଲ ଇଷ୍ଟରେ ନିଜର ବାସ୍ନା ଖେଳାଉଛି। ଏବେ ବନାରସ ଆମ୍ବର ଚାହିଦା ବିଦେଶରେ ମଧ୍ୟ ନିରନ୍ତର ବଢ଼ୁଅଛି। ଏବେ ଏଠାରେ ପ୍ୟାକେଜିଂର ଯେଉଁ ସୁବିଧା ପ୍ରସ୍ତୁତ ହେଉଛି, ସେହି କାରଣରୁ ପ୍ୟାକେଜିଂ ନିମନ୍ତେ ଅନ୍ୟ ବଡ଼ ସହରକୁ ଯିବାକୁ ଆବଶ୍ୟକତା ଦେଖାଦେବ ନାହିଁ। ଆମ୍ବ ବ୍ୟତୀତ ଏଠାକାର ସତେଜ ପରିବା ମଧ୍ୟ ଏ ବର୍ଷ ଦୁବାଇ ଓ ଲଣ୍ଡନରେ ପହଞ୍ଚିଛି। ଏହି ରପ୍ତାନି ବିମାନ ମାର୍ଗରେ ହୋଇଛି। ଅର୍ଥାତ ଉନ୍ନତ ବିମାନ ସେବାର ସିଧାସଳଖ ଲାଭ ଛୋଟ ଛୋଟ କୃଷକମାନଙ୍କୁ ମିଳୁଛି। ଦେବୀ ଗଙ୍ଗାଙ୍କ ଗର୍ଭରେ ଦେଶର ପ୍ରଥମ ଅନ୍ତର୍ଦେଶୀୟ ଜଳ ମାର୍ଗ ନିର୍ମାଣ କରାଯାଇଛି, ଏହାର ଉପଯୋଗ କୃଷକମାନଙ୍କ ଉତ୍ପାଦିତ ଫସଲ ପରିବହନ ଲାଗି ଅଧିକରୁ ଅଧିକ ମାତ୍ରାରେ କରିବା ଲାଗି ଉଦ୍ୟମ କରାଯାଉଛି।

ସାଥୀଗଣ,

ସରକାରଙ୍କ ପ୍ରୟାସ ଏବଂ ଆଧୁନିକ ଭିତ୍ତିଭୂମି ଫଳରେ ଚାଷୀଙ୍କୁ କେତେ ପରିମାଣର ଲାଭ ହୋଇପାରୁଛି ତା’ର ସବୁଠୁ ଚମତ୍କାର ଉଦାହରଣ ଭାବେ ଚନ୍ଦୌଲୀର କଳା ଧାନକୁ ନିଆଯାଇପାରେ। ଏହି ଚାଉଳ ଚନ୍ଦୌଲୀର କୃଷକମାନଙ୍କ ଘରେ ସମୃଦ୍ଧି ନେଇ ଆସିଛି। ଚନ୍ଦୌଲୀର କୃଷକମାନଙ୍କ ଆୟ ବୃଦ୍ଧି ଲାଗି ଦୁଇ ବର୍ଷ ପୂର୍ବେ କଳା ଧାନର ଏକ କିସମ ଏଠାରେ ପ୍ରୟୋଗ କରାଯାଇଥିଲା। ବିଗତ ବର୍ଷ ଖରିଫ ଋତୁରେ ପାଖାପାଖି ଚାରି ଶହ କୃଷକମାନଙ୍କୁ ଏହି ଧାନ ଚାଷ କରିବା ଲାଗି ଦିଆଯାଇଥିଲା। ଏହି କୃଷକମାନଙ୍କର ଏକ ସମିତି ଗଠନ କରାଯାଇଥିଲା, ଏଥିପାଇଁ ବଜାର ସନ୍ଧାନ କରାଗଲା। ସାଧାରଣ ଚାଉଳ ଯେଉଁଠି କିଲୋପ୍ରତି 35-40 ଟଙ୍କାରେ ବିକ୍ରି ହେଉଥିଲା ଏହି ଚମତ୍କାରୀ କଳା ଚାଉଳ କିଲୋପ୍ରତି 300 ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଲା। ବଡ଼ କଥା ହେଉଛି ବ୍ଲାକ ରାଇସ ପାଇଁ ବିଦେଶୀ ବଜାର ମଧ୍ୟ ମିଳିଗଲା। ପ୍ରଥମ ଥର ଅଷ୍ଟ୍ରେଲିଆକୁ ଏହି ଚାଉଳ ରପ୍ତାନି ହେଲା, ତାହା ପୁଣି କିଲୋପ୍ରତି 850 ଟଙ୍କାରେ। ଅର୍ଥାତ ଯେଉଁଠି ସାଧାରଣ ଧାନର ଏମଏସପି 1800 ଟଙ୍କା ସେହି ତୁଳନାରେ କଳା ଚାଉଳ କୁଇଣ୍ଟାଲ ପ୍ରତି ସାଢ଼େ ଆଠ ହଜାର ଟଙ୍କାରେ ବିକ୍ରି ହେଲା। ମୁଁ ସୂଚନା ପାଇଲି ଯେ ଏହି ସଫଳତାକୁ ଦେଖି ଚଳିତ ବର୍ଷ ଖରିଫ ଋତୁରେ ପାଖାପାଖି ଏକ ହଜାର କୃଷକ ପରିବାର କଳା ଚାଉଳ ଚାଷ କରୁଛନ୍ତି।

ଭାଇ ଓ ଭଉଣୀମାନେ,

କୃଷକମାନଙ୍କୁ ଆଧୁନିକ ସୁବିଧା ଦେବା, ଛୋଟ କୃଷକମାନଙ୍କୁ ସଂଗଠିତ କରି ସେମାନଙ୍କୁ ବଡ଼ ଶକ୍ତିରେ ପରିଣତ କରିବା, କୃଷକମାନଙ୍କ ଆୟ ନିରନ୍ତର ବଢ଼ାଇବା ଲାଗି ପ୍ରୟାସ ଜାରି ରହିଛି। ବିଗତ ବର୍ଷଗୁଡ଼ିକରେ ଫସଲ ବୀମା ହେଉ ଅବା ଜଳସେଚନ, ବିହନ ହେଉ ଅବା ବଜାର, ପ୍ରତ୍ୟେକ ସ୍ତରରେ କାମ କରାଯାଇଛି। ପ୍ରଧାନମନ୍ତ୍ରୀ ଫସଲ  ବୀମା ଯୋଜନା ଫଳରେ ଦେଶର ପାଖାପାଖି ଚାରି କୋଟି କୃଷକ ପରିବାର ସହାୟତା ପାଇପାରିଛନ୍ତି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଫଳରେ ପାଖାପାଖି 47 ଲକ୍ଷ ହେକ୍ଟର ଜମି କ୍ଷୁଦ୍ର ଜଳସେଚନ ପରିଧି ମଧ୍ୟୁ ଆସିପାରିଛି। ପାଖାପାଖି 77 ହଜାର କୋଟି ଟଙ୍କାର ଜଳସେଚନ ପ୍ରକଳ୍ପ ଉପରେ ଦ୍ରୁତ ଗତିରେ କାମ ଜାରି ରହିଛି।

କିନ୍ତୁ ସାଥୀଗଣ, ସଫଳ ପ୍ରକଳ୍ପ ଯଥେଷ୍ଟ ନୁହେଁ। ଏହା ସହିତ କୃଷକମାନଙ୍କୁ ସେହି ବଡ଼ ଏବଂ ବ୍ୟାପକ ବଜାରର ଲାଭ ମଧ୍ୟ ମିଳିବା ଆବଶ୍ୟକ ଯାହା ଆମ ଦେଶ, ଦୁନିଆର ବଜାର ଚାଷୀଙ୍କ ପାଇଁ ଉପଲବ୍ଧ କରିଥାଏ। ସେଥିପାଇଁ ବିକଳ୍ପ ମାଧ୍ୟମରେ କୃଷକମାନଙ୍କୁ ସଶକ୍ତ କରିବାର ରାସ୍ତା ଗ୍ରହଣ କରାଯାଇଛି। କୃଷକଙ୍କ ହିତ ଲାଗି ଅଣାଯାଇଥିବା କୃଷି ସଂସ୍କାର କୃଷକଙ୍କୁ ଏପରି ବିକଳ୍ପ ପ୍ରଦାନ କରୁଛି। ଯଦି କୃଷକମାନଙ୍କୁ ସିଧାସଳଖ ଜମିରୁ ଫସଲ ଉଠାଉଥିବା କ୍ରେତା ମିଳିଯାଆନ୍ତି, ପରିବହନ ଠାରୁ ଆରମ୍ଭ କରି ଲଜିଷ୍ଟିକ୍ସ ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା କରିପାରୁଛି, ଅଧିକ ଦାମ ଦେଉଛି ତା’ହେଲେ କାହିଁକି ଚାଷୀଙ୍କୁ ନିଜର ଉତ୍ପାଦ ବିକ୍ରି କରିବାର ସ୍ୱାଧୀନତା ମିଳିବ ନାହିଁ? ମିଳିବା ଉଚିତ ନା ନାହିଁ? ଭାରତ କୃଷି ଉତ୍ପାଦ ସମଗ୍ର ବିଶ୍ୱରେ ପ୍ରସିଦ୍ଧକୃଷକମାନଙ୍କୁ ଏହି ବଡ଼ ବଜାର ଏବଂ ଅଧିକ ଦାମ ମିଳିବା ଉଚିତ କି ନୁହେଁ? ପୁରୁଣା ବ୍ୟବସ୍ଥାରେ ଯଦି କେହି କାରବାର ଚାହୁଁଛନ୍ତି ତା’ହେଲେ ଆଇନରେ ସେଥିପ୍ରତି କାହିଁ କୌଣସି ପ୍ରତିବନ୍ଧକ ଅଛି କି?

ସାଥୀଗଣ,

ନୂଆ କୃଷି ସଂସ୍କାର ଫଳରେ କୃଷକମାନଙ୍କୁ ନୂଆ ବିକଳ୍ପ ଏବଂ ନୂଆ ଆଇନର ସଂରକ୍ଷଣ ପ୍ରଦାନ କରାଯାଇଛି। ପୂର୍ବରୁ ମଣ୍ଡି ବାହାରେ କାରବାର ବେଆଇନ ବୋଲି ପରିଗଣିତ ହେଉଥିଲା। ଏପରି ସ୍ଥିତିରେ ଛୋଟ ଚାଷୀ ବାରମ୍ବାର ପ୍ରତାରିତ ହେଉଥିଲେ, ବିବାଦ ଦେଖା ଦେଉଥିଲା। କାରଣ ଛୋଟ ଚାଷୀ ମଣ୍ଡି ନିକଟରେ ପହଞ୍ଚି ପାରୁନଥିଲା। ଏବେ ସେପରି ହେବ ନାହିଁ। ଏବେ ଛୋଟରୁ ଛୋଟ ଚାଷୀ, ମଣ୍ଡି ବାହାରେ ହୋଇଥିବା କାରବାରକୁ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ଅର୍ଥାତ କୃଷକମାନଙ୍କୁ ଏବେ ନୂଆ ବିକଳ୍ପ କେବଳ ମିଳୁନାହିଁ ବରଂ ଛଳନା, ପ୍ରତାରଣା, ତା’କୁ ବଞ୍ଚାଇବା ଲାଗି ଆଇନଗତ ସଂରକ୍ଷଣ ମଧ୍ୟ ମିଳୁଛି। କୃଷକମାନଙ୍କୁ ପ୍ରକଳ୍ପ ସହିତ ନୂଆ ବିକଳ୍ପ ଦେବା ଫଳରେ ହିଁ ଆମ କୃଷି କ୍ଷେତ୍ରର କାୟାକଳ୍ପ ହୋଇପାରିବ। ସରକାରଙ୍କ ପକ୍ଷରୁ ପ୍ରକଳ୍ପ, କୃଷକଙ୍କ ପାଇଁ ବିକଳ୍ପ ଏବଂ ଉଭୟ ସାଥୀ ହୋଇ ଚାଲିଲେ, ଦେଶରେ ବଡ଼ ପରିବର୍ତ୍ତନ ଆସିପାରିବ।

ସାଥୀଗଣ,

ସରକାର ନୀତି, ଆଇନ-କାନୁନ ତିଆରି କରିଥାନ୍ତି। ନୀତି ଓ ଆଇନକୁ ସମର୍ଥନ ମିଳିଲେ କିଛି ପ୍ରଶ୍ନ ଉଠିବା ସାଧାରଣ କଥା। ଏହା ଲୋକତନ୍ତ୍ରର ଅଂଶବିଶେଷ ଏବଂ ଭାରତରେ ଏହି ଜୀବନ୍ତ ପରମ୍ପରା ରହି ଆସିଛି। କିନ୍ତୁ ବିଗତ କିଛି ସମୟ ଧରି ଭିନ୍ନ ଭିନ୍ନ ଧାରା ଦେଶରେ ଦେଖିବାକୁ ମିଳୁଛି। କାଶୀରେ ଆପଣମାନେ ସମସ୍ତେ ସଚେତନ ସାଥୀମାନେ ମଧ୍ୟ ଏହା ନିଶ୍ଚିତ ଭାବେ ଅନୁଭବ କରିଥିବେ। ପୂର୍ବରୁ ସରକାରଙ୍କ କୌଣସି ନିଷ୍ପତ୍ତି କାହାକୁ ପସନ୍ଦ ନହେଲେ ତା’ର ବିରୋଧ କରାଯାଉଥିଲା। କିନ୍ତୁ ବିଗତ କିଛି ସମୟ ଧରି ଆମେ ଏକ ନୂଆ ଧାରା ଦେଖୁଛୁ, ଏବେ ବିରୋଧର ଆଧାର ନିଷ୍ପତ୍ତି ନୁହେଁ ବରଂ ଭ୍ରମ, ଆଶଙ୍କା, ଭବିଷ୍ୟତକୁ ନେଇ ଭ୍ରାନ୍ତ ଆକଳନକୁ ଆଧାର କରି ବିରୋଧ କରାଯାଉଛି। ନିଷ୍ପତ୍ତି ଠିକ କିନ୍ତୁ ଜଣାନାହିଁ ଭବିଷ୍ୟତରେ କ’ଣ ହେବ ଏବଂ ଏମିତି ହେବ। ଏହିପରି ଭାବେ ଅନେକ ଅପପ୍ରଚାର କରାଯାଉଛି। ଐତିହାସିକ କୃଷି ସଂସ୍କାର ମାମଲାରେ ମଧ୍ୟ ଜାଣିଶୁଣି ଏହି ଖେଳ ଖେଳାଯାଉଛି। ଆମକୁ ମନେ ରଖିବାକୁ ହେବ, ଏମାନେ ସେହି ଲୋକ ଯେଉଁମାନେ ବହୁ ଦଶନ୍ଧି ଧରି କୃଷକମାନଙ୍କୁ ଲଗାତାର ପ୍ରତାରିତ କରି ଆସୁଥିଲେ। ଏମଏସପି ଘୋଷଣା ହେଉଥିଲା କିନ୍ତୁ ଏମଏସପିରେ ଖୁବ କମ କ୍ରୟ ହେଉଥିଲା। କେବଳ ଘୋଷଣା ହେଉଥିଲା, ଫସଲ କିଣା ହେଉନଥିଲା। ବହୁବର୍ଷ ଧରି ଏମଏସପିକୁ ନେଇ ଛଳନା କରାଗଲା। କୃଷକମାନଙ୍କ ନାମରେ ବଡ଼ ବଡ଼ ଋଣଛାଡ଼ ପ୍ୟାକେଜ ଘୋଷଣା କରାଯାଉଥିଲା। କିନ୍ତୁ କ୍ଷୁଦ୍ର ଓ ନାମାତ୍ର ଚାଷୀଙ୍କ ପାଖରେ ଏଗୁଡ଼ିକ ପହଞ୍ଚି ପାରୁନଥିଲା। ଅର୍ଥାତ ଋଣ ଛାଡ଼କୁ ନେଇ ମଧ୍ୟ ଛଳ କରାଯାଉଥିଲା। କୃଷକମାନଙ୍କ ନାମରେ ବଡ଼ ବଡ଼ ଯୋଜନା ଘୋଷଣା କରାଯାଉଥିଲା। କିନ୍ତୁ ସେମାନେ ନିଜେ ଏହା ସ୍ୱୀକାର କରୁଥିଲେ ଯେ ଏକ ଟଙ୍କା ମଧ୍ୟରୁ ମାତ୍ର 15 ପଇସା କୃଷକଙ୍କ ନିକଟରେ ପହଞ୍ଚି ପାରୁଛି।

ଅର୍ଥାତ ଯୋଜନା ନାଁରେ ଛଳନାକୃଷକମାନଙ୍କ ନାମରେ, ସାର ଉପରେ ବହୁତ ଅଧିକ ସବସିଡି ଦିଆଯାଇଥିଲା। କିନ୍ତୁ ସାର ଜମି ଅପେକ୍ଷା କଳାବଜାରୀଙ୍କ ନିକଟରେ ଅଧିକ ମାତ୍ରାରେ ପହଞ୍ଚି ଯାଉଥିଲା। ଅର୍ଥାତ ୟୁରିଆ ସାର ନାମରେ ମଧ୍ୟ ଚାଷୀଙ୍କୁ ପ୍ରତାରଣାକୃଷକମାନଙ୍କର ଉତ୍ପାଦନ ବଢ଼ାଇବା ଲାଗି କୁହାଗଲା କିନ୍ତୁ ଲାଭ କୃଷକଙ୍କ ବ୍ୟତୀତ ଅନ୍ୟମାନଙ୍କୁ ଦିଆଗଲା। ଆଗ ଭୋଟ ପାଇଁ ପ୍ରତିଶ୍ରୁତି ତା’ପରେ ଛଳନା, ଏହି ଖେଳ ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଶରେ ଚାଲିଥିଲା।

ସାଥୀଗଣ,

ଛଳନାର ଇତିହାସ ରହିଥିବାରୁ ଦୁଇଟି କଥା ସ୍ୱାଭାବିକପ୍ରଥମେ ଯଦି କୃଷକମାନେ ସରକାରଙ୍କ କୌଣସି ପ୍ରତିଶ୍ରୁତିକୁ ନେଇ ଆଶଙ୍କିତ ରହୁଛନ୍ତି ତା’ ପଛରେ ବହୁ ଦଶନ୍ଧିର ଲମ୍ବା ପ୍ରତାରଣାର ଇତିହାସ ରହିଛି। ଦ୍ୱିତୀୟରେ ଯେଉଁମାନେ ପ୍ରତିଶ୍ରୁତି ଦେଇ ପୂରଣ କରିନାହାନ୍ତି, ଛଳନା କରିଛନ୍ତି, ସେମାନଙ୍କ ପାଇଁ ମିଛ ପ୍ରଚାର କରିବା ଏକ ପ୍ରଭାର ଅଭ୍ୟାସ ପାଲଟିଯାଇଛି। ବାଧ୍ୟବାଧକତା ପାଲଟିଯାଇଛିଯାହା ପୂର୍ବରୁ ହେଉଥିଲା ଏବେ ମଧ୍ୟ ସେପରି ହେବାକୁ ଯାଉଛି ବୋଲି ସେମାନେ ଭାବୁଛନ୍ତି। କାରଣ ସେମାନେ ଏପରି କରିଥିଲେ ସେହି ଫର୍ମୁଲା ପ୍ରୟୋଗ କରି ଆଜି ମଧ୍ୟ ସେପରି ହେବ ବୋଲି ସେମାନେ ଭାବୁଛନ୍ତି। କିନ୍ତୁ ଆମ ସରକାରର ଟ୍ରାକ ରେକର୍ଡ ଦେଖିଲେ ଆପଣମାନେ ସତ କ’ଣ ଜାଣିପାରିବେ। ଆମେ କହିଥିଲୁ ୟୁରିଆ କଳାବଜାର ବନ୍ଦ କରିବୁ ଏବଂ କୃଷକମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ୟୁରିଆ ଯୋଗାଇ ଦେବୁ। ବିଗତ ଛଅ ବର୍ଷ ହେବ ଆମେ ୟୁରିଆ ଅଭାବ ହେବାକୁ ଦେଇନାହୁଁ। ପୂର୍ବରୁ ୟୁରିଆ ବ୍ଲାକରେ କିଣିବାକୁ ପଡ଼ୁଥିଲା, ୟୁରିଆ ପାଇଁ ରାତି ରାତି ଲାଇନରେ ଛିଡ଼ା ହୋଇ ରାତିରେ ଥଣ୍ଡାରେ ବାହାରେ ଶୋଇବାକୁ ପଡ଼ୁଥିଲା ଏବଂ ଅନେକ ଥର ୟୁରିଆ ନେଉଥିବା କୃଷକମାନଙ୍କ ଉପରେ ଲାଠି ଚାର୍ଜ କରାଯିବା ଭଳି ଘଟଣା ଘଟୁଥିଲା। ଆଜି ସେସବୁ ବନ୍ଦ ହୋଇଯାଇଛି। ଏପରିକି କରୋନା ଲକଡାଉନ ସମୟରେ ସବୁକିଛି ବନ୍ଦ ଥିବା ସମୟରେ ଆମେ ୟୁରିଆ ଅଭାବ ହେବାକୁ ଦେଇନାହୁଏ ଆମେ ୟୁରିଆ ପହଞ୍ଚାଇବାରେ କୌଣସି ଅସୁବିଧା ସୃଷ୍ଟି ହେବାକୁ ଦେଇନାହୁଁ। ଆମେ ପ୍ରତିଶ୍ରୁତି ଦେଇଥିଲୁ ଯେ ସ୍ୱାମୀନାଥନ ଆୟୋଗଙ୍କ ସୁପାରିସ ଅନୁଯାୟୀ ଚାଷୀଙ୍କୁ ଖର୍ଚ୍ଚର ଦେଢ଼ଗୁଣା ଏମଏସପି ଦେବୁ। ଏହି ପ୍ରତିଶ୍ରୁତି କେବଳ କାଗଜକଲମରେ ସୀମିତ ରହିଲା ନାହିଁ, ଏହି ପ୍ରତିଶ୍ରୁତି ଆମେ ପୂରଣ କଲୁ। ଖାଲି ସେତିକି ନୁହେଁ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପହଞ୍ଚାଇବା ସୁନିଶ୍ଚିତ କଲୁ।

ସାଥୀଗଣ,

କେବଳ ଡାଲି କଥା କହିଲେ, 2014 ପୂର୍ବର 5 ବର୍ଷରେ ଆମ ପୂର୍ବରୁ ଯେଉଁ ସରକାର ଥିଲା ପାଞ୍ଚ ବର୍ଷରେ 650 କୋଟି ଟଙ୍କାର ଡାଲି ଚାଷୀଙ୍କ ଠାରୁ କିଣାଯାଇଥିଲା, ସାରା ଦେଶ ଏହା ଜାଣିବା ଉଚିତ ଯେ 650 କୋଟି। କିନ୍ତୁ ଆମେ ପାଞ୍ଚ ବର୍ଷରେ କ’ଣ କଲୁ, ଆମେ ପାଞ୍ଚ ବର୍ଷରେ ପାଖାପାଖି 49 ହଜାର କୋଟି ଟଙ୍କା ଅର୍ଥାତ ପାଖାପାଖି 50 ହଜାର କୋଟି ଟଙ୍କାର ଡାଲି ଏମଏସପି ଦରରେ କିଣିଲୁ। ଅର୍ଥାତ ପାଖାପାଖି 75 ଗୁଣା ବୃଦ୍ଧି। କେଉଁଠି 650 କୋଟି ଏବଂ କେଉଁଠି 50 ହଜାର କୋଟି। 2014 ପୂର୍ବର 5 ବର୍ଷରେ, ସେମାନଙ୍କର ଶେଷ ସରକାର ବିଷୟରେ ମୁଁ କହୁଛି, 5 ବର୍ଷ ପୂର୍ବ ସରକାର 2 ଲକ୍ଷ କୋଟି ଟଙ୍କାର ଧାନ କିଣିଥିଲା ସାରା ଦେଶରୁ, 2 ଲକ୍ଷ କୋଟି ଟଙ୍କା ଏମଏସପି ଦରରେ କିନ୍ତୁ ଆମେ ଆମ ପାଞ୍ଚ ବର୍ଷରେ ଧାନ ଲାଗି 5 ଲକ୍ଷ କୋଟି ଟଙ୍କା ଏମଏସପି ଆକାରରେ କୃଷକମାନଙ୍କ ନିକଟରେ ପହଞ୍ଚାଇ ଦେଲୁ ବନ୍ଧୁଗଣ। ଅର୍ଥାତ ପାଖାପାଖି ଅଢ଼େଇ ଗୁଣରୁ ଅଧିକ ଅର୍ଥ କୃଷକମାନଙ୍କ ନିକଟରେ ପହଞ୍ଚିଛି। 2014 ପୂର୍ବରୁ 5 ବର୍ଷରେ ଗହମ କ୍ରୟ ଲାଗି ଦେଢ଼ ଲକ୍ଷ କୋଟି ଟଙ୍କା ପାଖାପାଖି କୃଷକମାନଙ୍କୁ ମିଳିଥିଲା। ଦେଢ଼ ଲକ୍ଷ କୋଟି, ତାଙ୍କ ସରକାରଙ୍କ ପାଞ୍ଚ ବର୍ଷରେ। ଆମେ ପାଞ୍ଚ ବର୍ଷରେ ଏମଏସପି ଦରରେ ଗହମ କିଣିବା ବାବଦରେ ତିନି ଲକ୍ଷ କୋଟି ଟଙ୍କା କୃଷକମାନଙ୍କୁ ଏମଏସପି ଦରରେ ଯୋଗାଇ ଦେଇଛୁ ଅଥାତ ପାଖାପାଖି ଦୁଇ ଗୁଣା। ଏବେ ଆପଣମାନେ କୁହନ୍ତୁ ଯଦି ମଣ୍ଡି ଏବଂ ଏମଏସପିକୁ ଉଚ୍ଛେଦ କରାଯିବାର ଥିଲା, ତା’ହେଲେ ଏତେ ବଡ଼ କ୍ଷମତା ଆମେ କାହିଁକି ଦେଇଥାନ୍ତୁ? ଆମେ ଏଗୁଡ଼ିକ ଉପରେ ଏତେ ଅଧିକ ନିବେଶ କାହିଁକି କରିଥାନ୍ତୁ? ଆମ ସରକାର ମଣ୍ଡିକୁ ଆହୁରି ଆଧୁନିକ କରିବା ଲାଗି, ମଜବୁତ କରିବା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି।

ଭାଇ ଓ ଭଉଣୀମାନେ,

ଆପଣମାନଙ୍କୁ ମନେ ରଖିବାକୁ ହେବ, ଏହି ଲୋକମାନେ ହିଁ କିଷାନ ସମ୍ମାନ ନିଧି ଆରମ୍ଭ କରାଯିବା ସମୟରେ ପ୍ରଶ୍ନ ଉଠାଇଥିଲେ। ପ୍ରତି ଗଳିକନ୍ଦିରେ, ପ୍ରେସ କନଫରେନ୍ସରେ, ଟୁଇଟରରେ ପ୍ରଶ୍ନ ଉଠାଉଥିଲେ। ଏହି ଲୋକମାନେ ଗୁଜବ ସୃଷ୍ଟି କରୁଥିଲେ, ଇଏ ମୋଦୀ, ନିର୍ବାଚନ ଆସୁଥିବାରୁ ସେଥିପାଇଁ କିସାନ ସମ୍ମାନ ନିଧି ନେଇ ଆସିଛି। ଥରେ 2000 ଟଙ୍କା ଦେବ, ଆଉ କେବେ ଦେବ ନାହିଁ। ଦ୍ୱିତୀୟ ମିଥ୍ୟା ଅପପ୍ରଚାର କରାଗଲା ଯେ ଏବେ 2000 ଟଙ୍କା ଦେଉଛି, କିନ୍ତୁ ନିର୍ବାଚନ ପରେ ସୁଧ ସମେତ ଫେରାଇ ନେବ। ଆପଣମାନେ ଆଶ୍ଚର୍ଯ୍ୟ ହେବେ, ଗୋଟିଏ ରାଜ୍ୟରେ ଏତେ ଅଧିକ ମିଥ୍ୟା ଅପପ୍ରଚାର କରାଗଲା, ଏତେ ମିଛ କୁହାଗଲା ଯେ କୃଷକମାନେ କହିଲେ, ଆମକୁ 2000 ଟଙ୍କା ଦରକାର ନାହିଁ, ମିଛ ପ୍ରଚାର ଏପରି ସ୍ତରକୁ ଖସିଯାଇଥିଲା। ଏମିତି ବି କିଛି ରାଜ୍ୟ ଅଛନ୍ତି, ଯେଉଁମାନେ କୃଷକଙ୍କ ହିତ କଥା କହୁଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାକୁ ନିଜ ରାଜ୍ୟରେ ଲାଗୁ କଲେ ନାହିଁ କାରଣ ସେମାନେ ଏପରି କରିଥିଲେ ଟଙ୍କା କୃଷକଙ୍କ ନିକଟରେ ପହଞ୍ଚିଯାଇଥାନ୍ତା ଏବଂ ସେମାନେ ମୋଦୀର ଜୟଜୟକାର କରିଥାନ୍ତେ। ଏପରି ସ୍ଥିତିରେ ସେମାନଙ୍କର ରାଜନୈତିକ ସ୍ଥିତି କ’ଣ ହେବ ସେହି ଡର ସେମାନଙ୍କୁ ଖାଇଯାଉଥିଲା। କୃଷକଙ୍କ ପକେଟକୁ ଟଙ୍କା ଯିବାକୁ ଦେଲେ ନାହିଁ। ମୁଁ ସେହି ରାଜ୍ୟର ଚାଷୀଭାଇ ମାନଙ୍କୁ କହିବାକୁ ଚାହୁଁଛି, ଆଗାମୀ ଦିନରେ ଯେତେବେଳେ ଆମ ସରକାର ଗଠନ ହେବ, ଏହି ଅର୍ଥ ମୁଁ ସେହି କୃଷକମାନଙ୍କୁ ନିଶ୍ଚିତ ଭାବେ ପ୍ରଦାନ କରିବି।

ସାଥୀଗଣ,

ଦେଶର ଦଶ କୋଟିରୁ ଅଧିକ ଚାଷୀ ପରିବାରଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ସହାୟତା ଦିଆଯାଉଛି ଏବଂ ଏହା ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା କାରଣରୁ ସମ୍ଭବ ହୋଇପାରୁଛି। ବର୍ଷରେ ତିନି ଥର ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ପାଖାପାଖି ଏକ ଲକ୍ଷ କୋଟି ଟଙ୍କା ସିଧାସଳଖ କୃଷକମାନଙ୍କ ବ୍ୟାଙ୍କ ଖାତାରେ ପହଞ୍ଚି ସାରିଛି।

ସାଥୀଗଣ,

ଆମେ ପ୍ରତିଶ୍ରୁତି ଦେଇଥିଲୁ ଯେ କୃଷକମାନଙ୍କ ପାଇଁ ପେନସନ ଯୋଜନା ଆରମ୍ଭ କରିବୁ। ଆଜି ପିଏମ କିଷାନ ମାନଧନ ଯୋଜନା ଲାଗୁ କରାଯାଇଛି ଏବଂ ଅତି କମ ସମୟ ମଧ୍ୟରେ ହିଁ 21 ଲକ୍ଷ କୃଷକ ପରିବାର ଏହା ସହିତ ଯୋଡ଼ି ହୋଇସାରିଲେଣି।

ଭାଇ ଓ ଭଉଣୀମାନେ,

ପ୍ରତିଶ୍ରୁତିକୁ ବାସ୍ତବ ରୂପ ଦେବାର ଏହି ଟ୍ରାକ ରେକର୍ଡ ବଳରେ କୃଷକମାନଙ୍କ ହିତ ଲାଗି ନୂଆ କୃଷି ସଂସ୍କାର ଆଇନ ଅଣାଯାଇଛି। କୃଷକମାନଙ୍କୁ ନ୍ୟାୟ ପ୍ରଦାନ କରିବାରେ, ଏହା କେତେ କାମରେ ଲାଗିବ ତାହା ଆମେ ଆଗାମୀ ଦିନରେ ନିଶ୍ଚିତ ଭାବେ ଦେଖିପାରିବା, ଅନୁଭବ କରିପାରିବା। ମୋର ଦୃଢ଼ବିଶ୍ୱାସ ରହିଛି ଯେ ଗଣମାଧ୍ୟମରେ ମଧ୍ୟ ଏହାକୁ ନେଇ ସକାରାତ୍ମକ ଚର୍ଚ୍ଚା ହେବ ଏବଂ ଆମକୁ ଦେଖିବାକୁ, ପଢ଼ିବାକୁ ସୁଯୋଗ ମିଳିବ। ମୁଁ ଅନୁଭବ କରିପାରୁଛି ଯେ  ବହୁ ଦଶନ୍ଧି ଧରି ଚାଷୀଙ୍କ ସହିତ କରାଯାଇଥିବା ଛଳନା କାରଣରୁ ସେମାନେ ଆଶଙ୍କିତ ହୋଇ ରହିଛନ୍ତି। କୃଷକମାନଙ୍କର ଦୋଷ ନାହିଁ, କିନ୍ତୁ ମୁଁ ଦେଶବାସୀଙ୍କୁ କହିବାକୁ ଚାହୁଁଛି, ମୁଁ ମୋର କୃଷକ ଭାଇଭଉଣୀମାନଙ୍କୁ କହିବାକୁ ଚାହୁଁଛି ଏବଂ ମୁଁ ମା’ ଗଙ୍ଗାଙ୍କ ଘାଟରେ ଛିଡ଼ା ହୋଇ କହୁଛି, କାଶୀ ଭଳି ପବିତ୍ର ନଗରୀରୁ କହୁଛି ଏବଂ ଛଳନା ନୁହେଁ ଗଙ୍ଗା ଜଳ ଭଳି ପବିତ୍ର ଉଦ୍ଦେଶ୍ୟ ନେଇ କାମ କରାଯାଉଛି।

ଭାଇ ଓ ଭଉଣୀମାନେ

ଆଶଙ୍କା ଆଧାରରେ ଭ୍ରମ ସୃଷ୍ଟି କରୁଥିବା ଲୋକମାନଙ୍କ ଅସଲମୁଖା ଲଗାତାର ଦେଶବାସୀଙ୍କ ସାମ୍ନାକୁ ଆସିଛି। ଗୋଟିଏ ବିଷୟରେ ଏମାନଙ୍କର ମିଛ ଧରାପଡ଼ିଗଲେ, ସେମାନେ ଅନ୍ୟ ଏକ ବିଷୟରେ ମିଛ ପ୍ରଚାର କରିଥାନ୍ତି। 24 ଘଣ୍ଟା ଏମାନଙ୍କର କେବଳ ଏହା ହିଁ କାମ। ଦେଶର କୃଷ, ଏ କଥା ଭଲ ଭାବେ ବୁଝିଛନ୍ତି। ଯେଉଁ କୃଷକ ପରିବାରଙ୍କ ମନରେ ଏବେ ସୁଦ୍ଧା କୌଣସି ଚିନ୍ତା କିମ୍ବା ପ୍ରଶ୍ନ ରହିଛି, ତାହାର ଉତ୍ତର ସରକାର ଲଗାତାର ଭାବେ ଦେଉଛନ୍ତି, ସମାଧାନ କରିବା ଲାଗି ଭରପୂର ପ୍ରୟାସ କରୁଛନ୍ତି। ମା’ ଅନ୍ନପୂର୍ଣ୍ଣାଙ୍କ ଆଶୀର୍ବାଦ ଫଳରେ ଆମର ଅନ୍ନଦାତା ଆତ୍ମନିର୍ଭର ଭାରତର ନେତୃତ୍ୱ ନେବ ମୋର ବିଶ୍ୱାସ ରହିଛି, ଆଜି ଯେଉଁ କୃଷକମାନଙ୍କ ମନରେ କୃଷି ସଂସ୍କାରକୁ ନେଇ କିଛି ଶଙ୍କା ରହିଛି ସେମାନେ ମଧ୍ୟ ଏହି କୃଷି ସଂସ୍କାରର ଲାଭ ଉଠାଇ, ନିଜର ଆୟ ବଢ଼ାଇବେ ଏହା ମୋର ଦୃଢ଼ ବିଶ୍ୱାସ

ଶେଷରେ ପୁଣିଥରେ, ଆପଣମାନଙ୍କୁ ସମସ୍ତଙ୍କୁ ଏହି ଆଧୁନିକ ରାଜପଥ ଲାଗି ଅନେକ ଅନେକ ଅଭିନନ୍ଦନ ଜ୍ଞାପନ କରୁଛି। କାଶୀ ରୂପରେ ଏବଂ ସ୍ୱରୂପରେ ଏହିପରି ଭବ୍ୟ ହୋଇଚାଲୁ, ସେଥିପାଇଁ ଆମର ନିରନ୍ତର ପ୍ରୟାସ ଜାରି ରହିବ। ଏବେ ମୋର ବନାରସରେ ଆହୁରି କେତେକ କାର୍ଯ୍ୟକ୍ରମ ରହିଛି, ସେଠାରେ ମଧ୍ୟ ଅନେକ ବିଷୟରେ ବିସ୍ତାରପୂର୍ବକ ଆଲୋଚନା କରିବି। କରୋନା କାରଣରୁ ଏଥର ଆସିବାରେ ମୋର ଟିକିଏ ବିଳମ୍ବ ହୋଇଗଲା। କିନ୍ତୁ ଆଜି ଆପଣମାନଙ୍କର ଦର୍ଶନ ହୋଇଛି, ମୋତେ ନୂଆ ଉତ୍ସାହ ମିଳିଛି। ଆପଣମାନଙ୍କର ଆଶୀର୍ବାଦ ମିଳିଛି, କାମ କରିବା ପାଇଁ ନୂଆ ଶକ୍ତି ମିଳିଛି। ଆପଣମାନେ ଏତେ ଅଧିକ ସଂଖ୍ୟାରେ ଆସି ଆର୍ଶୀବାଦ ଦେଉଛନ୍ତି, ଏହା ହିଁ ମୋର ଶକ୍ତି, ଏହା ହିଁ ମୋ ପାଇଁ ଆଶୀର୍ବାଦ। ମୁଁ ଆପଣମାନଙ୍କ ନିକଟରେ ଅତ୍ୟନ୍ତ କୃତଜ୍ଞ। ମୋ ସହିତ ଦୁଇ ହାତ ମୁଠା କରି ସମ୍ପୂର୍ଣ୍ଣ ଶକ୍ତିରେ କୁହନ୍ତୁ ଭାରତ ମାତା କୀ ଜୟ।

ବହୁତ ବହୁତ ଧନ୍ୟବାଦ।

 

*********

 



(Release ID: 1677276) Visitor Counter : 183