ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Posted On:
08 AUG 2020 6:01PM by PIB Bhubaneshwar
ଆଜିର ଦିନଟି ବେଶ୍ ଐତିହାସିକ ଦିନ । ଦେଶର ସ୍ୱାଧୀନତା ପାଇଁ ଆଜିର ତାରିଖ ଅର୍ଥାତ୍ 8 ଅଗଷ୍ଟର ବହୁତ ବଡ଼ ଯୋଗଦାନ ରହିଛି । ଆଜିର ପବିତ୍ର ଦିନରେ, 1942 ମସିହାରେ ଗାନ୍ଧୀଜୀଙ୍କ ନେତୃତ୍ୱରେ ସ୍ୱାଧୀନତା ସଂଗ୍ରାମ ସକାଶେ ଏକ ବିରାଟ ଜନ ଆନ୍ଦୋଳାନ ଆରମ୍ଭ କରାଯାଇଥିଲା । ଇଂରେଜ ସରକାର ଭାରତ ଛାଡ଼ ବୋଲି ସ୍ୱର ଉତ୍ତୋଳନ କରାଯାଇଥିଲା । ଏହି ଐତିହାସିକ ଦିବସରେ, ରାଜଘାଟ ସମ୍ମୁଖରେ, ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ରକୁ ଲୋକାର୍ପଣ କରିବା ନିଜସ୍ୱ ଭାବେ ଢ଼େର୍ ପ୍ରାସଙ୍ଗିକତା ବହନ କରେ । ଏହି କେନ୍ଦ୍ର, ବାପୁଙ୍କ ସ୍ୱେଚ୍ଛାଗ୍ରହ ପ୍ରତି 130 କୋଟି ଭାରତବାସୀଙ୍କ ଶ୍ରଦ୍ଧାଞ୍ଜଳି ଅଟେ, କାର୍ଯ୍ୟାଞ୍ଜଳି ବୋଲି ପ୍ରତୀୟମାନ ହୁଏ ।
ସାଥୀଗଣ,
ପୂଜ୍ୟ ବାପୁ, ସ୍ୱଚ୍ଛତା ଭିତରେ ସ୍ୱରାଜର ପ୍ରତିବିମ୍ବ ଲକ୍ଷ୍ୟ କରିପାରୁଥିଲେ । ସେ ସ୍ୱରାଜ୍ୟର ସ୍ୱପ୍ନର ପୂର୍ତ୍ତିର ଏକ ମାର୍ଗ ଭାବେ ସ୍ୱଚ୍ଛତାକୁ ବି ମାନୁଥିଲେ । ମୁଁ ଅତ୍ୟନ୍ତ ଖୁସି ଓ ସନ୍ତୋଷର ସହ କହିବାକୁ ଚାହେଁ ଯେ ସ୍ୱଚ୍ଛତା ପ୍ରତି ବାପୁଙ୍କ ମନରେ ଥିବା ଆଗ୍ରହକୁ ସମର୍ପିତ ଏକ ଆଧୁନିକ ସ୍ମାରକର ନାମ ଏବେ ରାଜଘାଟ ସହିତ ଯୋଡ଼ି ହୋଇଯାଇଛି ।
ସାଥୀଗଣ,
ଋାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର, ଗାନ୍ଧୀଜୀଙ୍କ ସ୍ୱେଚ୍ଛାଗ୍ରହ ଏବଂ ସେଥି ପାଇଁ ସମର୍ପିତ କୋଟି କୋଟି ଭାରତୀୟଙ୍କ ବିରାଟ ସଂକଳ୍ପ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇପାରିଛି । କିଛି ସମୟ ପୂର୍ବରୁ ଯେତେବେଳେ ମୁଁ ଏହି କେନ୍ଦ୍ର ଭିତରକୁ ଯାଇ ବୁଲୁଥିଲି, କୋଟି କୋଟି ଭାରତୀୟଙ୍କ ପ୍ରୟାସର ସଂକଳ୍ପକୁ ଦେଖି ମୋ ମନ ସେମାନଙ୍କୁ ସମସ୍ତଙ୍କୁ ନମସ୍କାର କରିବା ସକାଶେ ଭରି ଉଠିଥିଲା । 6 ବର୍ଷ ପୂର୍ବେ, ଲାଲ କିଲ୍ଲାର ପ୍ରାଚୀରର ଆରମ୍ଭ ହୋଇଥିବା ଏହି ଯାତ୍ରା ପ୍ରତି ମୁହୂର୍ତ୍ତର, ପ୍ରତି କ୍ଷଣର ଚିତ୍ର ମୋ ସ୍ମୃତି ପଟ୍ଟଳ ଆଗରେ ନାଚି ଉଠିଥିଲା ।
ଦେଶର କୋଣ ଅନୁକୋଣରୁ ଯେଉଁଭଳି ଭାବେ କୋଟି କୋଟି ସାଥୀଗଣ ପ୍ରତ୍ୟେକ ସୀମା, ପ୍ରତ୍ୟେକ ପ୍ରତିବନ୍ଧକର ଶୃଙ୍ଖଳକୁ ତୁଟାଇ, ଏକଜୁଟ ହୋଇ, ଏକ ସ୍ୱରରେ ସ୍ୱଚ୍ଛ ଭାରତ ଅଭିଯାନକୁ ଆପଣାଇଥିଲେ, ତାହା ଏହି କେନ୍ଦ୍ର ସହ ସଂଶ୍ଳିଷ୍ଟ ହୋଇଯାଇଛି, ଯୋଡ଼ି ହୋଇଯାଇଛି । ଏହି କେନ୍ଦ୍ରରେ ସତ୍ୟାଗ୍ରହର ପ୍ରେରଣାରୁ ସ୍ୱେଚ୍ଛାଗ୍ରହ ଅଭିମୁଖେର ଆମର ଯାତ୍ରାକୁ ଆଧୁନିକ ପ୍ରଯୁକ୍ତି ମାଧ୍ୟମରେ ଦର୍ଶାଯାଇଛି । ପ୍ରଦର୍ଶିତ କରାଯାଇଛି ଏବଂ ମୁଁ ଏକଥା ମଧ୍ୟ ଦେଖି ପାରିଥିଲି ଯେ ସ୍ୱଚ୍ଛତା ରୋବୋଟ୍ ତ ଏଠାକୁ ଆସିଥିବା ଶିଶୁମାନଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇପାରିଛି । ଏହା ସେମାନଙ୍କର ପୁରାପୁରି ବନ୍ଧୁ ପାଲଟିଯିବା ଭଳି କଥାବାର୍ତ୍ତା କରୁଛି । ସ୍ୱଚ୍ଛତାର ମୂଲ୍ୟ ସହ ଏହି ସଂଯୋଗ, ଦେଶ ଦୁନିଆରୁ ଏଠାକୁ ଆସିଥିବା ପ୍ରତ୍ୟେକ ସାଥୀ ଏବେ ଅନୁଭବ କରିପାରିବେ ଏବଂ ଭାରତର ଏକ ନୂତନ ଚିତ୍ର, ନୂତନ ପ୍ରେରଣା ନେଇ ଫେରିଯିବେ ।
ସାଥୀଗଣ,
ଆଜିର ବିଶ୍ୱ ସକାଶେ ଗାନ୍ଧୀଜୀଙ୍କ ଠାରୁ ବଳି ବଡ଼ ପ୍ରେରଣା ଆଉ କେହି ଥାଇ ନପାରନ୍ତି, ହୋଇ ବି ପାରିବେନାହିଁ । ଗାନ୍ଧୀଜୀଙ୍କ ଜୀବନ ଏବଂ ତାଙ୍କର ଦର୍ଶନକୁ ଆପଣାଇବା ସକାଶେ ସମଗ୍ର ବିଶ୍ୱ ଏବେ ଆଗକୁ ଅଗ୍ରସର ହେଉଛନ୍ତି । ବିଗତ ବର୍ଷ ଯେତେବେଳେ ସମଗ୍ର ବିଶ୍ୱରେ ଗାନ୍ଧୀଜୀଙ୍କ 150ତମ ଜନ୍ମ ଜୟନ୍ତୀ ଭବ୍ୟ ରୂପରେ ପାଳନ କରାଯାଉଥିଲା, ତାହା ବାସ୍ତବିକ ଅଭୂତପୂର୍ବ ଥିଲା । ଗାନ୍ଧୀଜୀଙ୍କ ପ୍ରିୟ ଗୀତ, ‘ବୈଷ୍ଣବ ଜନ ତୋ ତେନେ କହିଏ’କୁ ଅନେକ ଦେଶର ଗୀତୀକାର, ସଙ୍ଗୀତକାର ନିଜ ସ୍ୱରରେ ନିଜ ନିଜ ଢ଼ଙ୍ଗରେ ଗାଇଥିଲେ । ଭାରତୀୟ ଭାଷାର ଏହି ଗୀତକୁ ଖୁବ୍ ସୁନ୍ଦର ଓ ସୁଲଳିତ କଣ୍ଠରେ ଗାଇ ସେହିସବୁ ଲୋକମାନେ ଏକ ନୂତନ ରେକର୍ଡ଼ ସୃଷ୍ଟି କରିଛନ୍ତି । ମିଳିତ ଜାତିସଂଘ ମୁଖ୍ୟାଳୟରେ ଏଥିପାଇଁ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରିବା ନିମନ୍ତେ ପୃଥିବୀର ବଡ଼ ବଡ଼ ରାଷ୍ଟ୍ରମାନଙ୍କରେ ଗାନ୍ଧୀଜୀଙ୍କ ଉପଦେଶକୁ ସ୍ମରଣ କରିଥିଲେ, ତାଙ୍କର ଆଦର୍ଶକୁ ସ୍ମରଣ କରିଥିଲେ । ଏଭଳି ପ୍ରତୀୟମାନ ହେଉଥିଲା ଯେ ଗାନ୍ଧୀଜୀ ସଂପୂର୍ଣ୍ଣ ବିଶ୍ୱକୁ ଗୋଟିଏ ସୂତ୍ରରେ, ଗୋଟିଏ ବନ୍ଧନରେ ବାନ୍ଧି ଦେଇଛନ୍ତି ।
ସାଥୀଗଣ,
ଗାନ୍ଧୀଜୀଙ୍କୁ ସ୍ୱୀକାର୍ଯ୍ୟତା ଏବଂ ତାଙ୍କର ଲୋକପ୍ରିୟତା ଦେଶ, କାଳ ଓ ପରିସ୍ଥିତିର ଉଦ୍ଧ୍ୱର୍ରେ, ଏକଥା ସଭିଏଁ ସ୍ୱୀକାର କରିବେ । ତାହାର ଏକ ବିରାଟ କାରଣ ମଧ୍ୟ ରହିଛି । ସାଧାରଣ ମାଧ୍ୟମମାନଙ୍କୁ ନେଇ ସେ ଯେଉଁ ଅଭୂତପୂର୍ବ ପରିବର୍ତ୍ତନ ଆଣିବାର କ୍ଷମତା ପ୍ରଦର୍ଶନ କରି ଦେଖାଇଥିଲେ ତାହା ଅଦ୍ୱିତୀୟ । ସେଭଳି କ୍ଷମତା ମଧ୍ୟ ଅଦ୍ୱିତୀୟ । ଏକଥା କ’ଣ କିଏ ସଂସାରରେ କେବେ ଚିନ୍ତା କରିପାରିବ ଯେ ଏକ ବାସ୍ତବିକ ଶକ୍ତିଶାଳୀ କ୍ଷମତାତତ୍ତ୍ୱ ଠାରୁ ମୁକ୍ତିର ମାର୍ଗ ସ୍ୱଚ୍ଛତା ମାଧ୍ୟମରେ ବି ହୋଇପାରେ?
ଗାନ୍ଧୀଜୀ କେବଳ ଏ ସଂପର୍କରେ ଚିନ୍ତା କରିନଥିଲେ ଅପରନ୍ତୁ ଏହାକୁ ସ୍ୱାଧୀନତା ସଂଗ୍ରାମର ଏକ ବଳିଷ୍ଠ ଭାବନା ଭାବେ ଯୋଡ଼ି ଦେଇଥିଲେ, ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରି ଦେଇଥିଲେ ।
ସାଥୀଗଣ,
ଗାନ୍ଧୀଜୀ କହୁଥିଲେ ଯେ- “ସ୍ୱରାଜ କେବଳ ସାହସୀ ଏବଂ ସ୍ୱଚ୍ଛ ଲୋକଙ୍କ ଦ୍ୱାରା ସାକାର ହୋଇପାରିବ” । ସ୍ୱଚ୍ଛତା ଏବଂ ସ୍ୱରାଜ ଭିତରେ ଥିବା ସଂପର୍କକୁ ନେଇ ଗାନ୍ଧୀଜୀ ସେଇଥିପାଇଁ ଆଶ୍ୱସ୍ତ ଥିଲେ, କାରଣ ତାଙ୍କର ବିଶ୍ୱାସ ଥିଲାଯେ ଅସ୍ୱଚ୍ଛତା ଯଦି କାହାର ସବୁଠାରୁ ବଡ଼ କ୍ଷତି ସାଧନ କରିବ, ସେମାନେ ହେଉଛନ୍ତି ଗରିବ ଲୋକ । ମଇଳା, ଦାରିଦ୍ର ଲୋକଙ୍କ ଠାରୁ ତାଙ୍କର ସବୁ ଶକ୍ତି ଛଡ଼ାଇ ନେଇଯିବ । ଶାରିରୀକ ଶକ୍ତି, ମାନସିକ ଶକ୍ତି ଏବଂ ଅନ୍ୟାନ୍ୟ ସକଳ ସାମର୍ଥ୍ୟ । ଗାନ୍ଧୀଜୀଙ୍କୁ ଏକଥା ଭଲ ଭାବେ ଜଣାଥିଲା ଯେ ଭାରତକୁ ଯେପର୍ଯ୍ୟନ୍ତ ଏଭଳି ମଇଳା, ଅସ୍ୱଚ୍ଛତାରୁ ମୁକ୍ତି ନମିଳିଛି, ସେମାନଙ୍କୁ ଏସବୁ ଅପଶକ୍ତି ଠାରୁ ମୁକ୍ତ କରାନଯାଇଛି, ସେପର୍ଯ୍ୟନ୍ତ ଭାରତୀୟ ଜନମାନସରେ ଆତ୍ମବିଶ୍ୱାସ ସୃଷ୍ଟି ହୋଇ ପାରିବ ନାହିଁ ଏବଂ ଯେଉଁ ପର୍ଯ୍ୟନ୍ତ ଜନସାଧାରଣଙ୍କ ଭିତରେ ଆତ୍ମବିଶ୍ୱାସ ସୃଷ୍ଟି ନହୋଇଛି, ସେପର୍ଯ୍ୟନ୍ତ ସେମାନେ ନିଜର ସ୍ୱାଧୀନତା ପାଇଁ ଅଣ୍ଟା ସଳଖି କିପରି ଦଣ୍ଡାୟମାନ ହୋଇପାରିବେ?
ସେଇଥିପାଇଁ, ଦକ୍ଷିଣ ଆଫ୍ରିକାଠାରୁ ନେଇ ଚମ୍ପାରଣ ଏବଂ ସାବରମତୀ ଆଶ୍ରମ ପର୍ଯ୍ୟନ୍ତ, ସେ ସ୍ୱଚ୍ଛତାକୁ ହିଁ ନିଜର ଆନ୍ଦୋଳନର ସବୁଠାରୁ ବଡ଼ ମାଧ୍ୟମରେ ପରିଣତ କରିଥିଲେ ।
ସାଥୀଗଣ,
ଏହି କଥାକୁ ନେଇ ମୁଁ ସନ୍ତୁଷ୍ଟ ଯେ ଗାନ୍ଧୀଜୀଙ୍କ ପ୍ରେରଣା ବିଗତ ବର୍ଷମାନଙ୍କରେ ଦେଶର କୋଣ ଅନୁକୋଣରେ ଲକ୍ଷ ଲକ୍ଷ ସ୍ୱେଚ୍ଛାଗ୍ରହୀମାନଙ୍କୁ ସ୍ୱଚ୍ଛ ଭାରତ ଅଭିଯାନକୁ ନିଜ ଜୀବନର ଲକ୍ଷ୍ୟ ବନାଇବାରେ ସକ୍ଷମ ହୋଇଛି । ଏହି କାରଣରୁ 60 ମାସ ଭିତରେ ପାଖାପାଖି 60 କୋଟି ଭାରତୀୟ ଶୌଚାଳୟର ସୁବିଧା ସହିତ ଯୋଡ଼ି ହୋଇପାରିଛନ୍ତି , ଆତ୍ମବିଶ୍ୱାସ ସହ ଯୋଡ଼ି ହୋଇ ଯାଇଛନ୍ତି ।
ଏହି କାରଣରୁ, ଦେଶର କୋଟି କୋଟି ଭଉଣୀମାନଙ୍କୁ ସସମ୍ମାନ, ସୁରକ୍ଷା ଏବଂ ସୁବିଧା ମିଳି ପାରିଛି । ଏହି କାରଣରୁ ଦେଶର କୋଟି କୋଟି କନ୍ୟାମାନଙ୍କୁ ବିନା ରୋକରେ ପାଠ ପଢ଼ିବାର ଭରସା ମିଳିପାରିଛି । ଏହି କାରଣରୁ, ଲକ୍ଷ ଲକ୍ଷ ଗରିବ ଶିଶୁଙ୍କୁ ବେମାରୀରୁ ରକ୍ଷା ପାଇବାର ଉପାୟ ପ୍ରାପ୍ତ ହୋଇପାରିଛି । ଏହି କାରଣରୁ ଦେଶର କୋଟି କୋଟି ଦଳିତ, ବଂଚିତ, ପୀଡ଼ିତ, ଶୋଷିତ, ଆଦିବାସୀ ଭାଇଭଉଣୀଙ୍କ ସମାନତାର ବିଶ୍ୱାସ ମିଳିପାରିଛି ।
ସାଥୀଗଣ,
ସ୍ୱଚ୍ଛ ଭାରତ ଅଭିଯାନ ପ୍ରତ୍ୟେକ ଦେଶବାସୀଙ୍କୁ ଆତ୍ମବିଶ୍ୱାସ ଏବଂ ଆତ୍ମବଳ ବୃଦ୍ଧି କରିବାରେ ସହାୟକ ହୋଇଛି । କିନ୍ତୁ ଏଥିରୁ ସବୁଠାରୁ ଅଧିକ ଲାଭ ଦେଶର ଗରିବ ଲୋକମାନଙ୍କ ଜୀବନରେ ହିଁ ଦେଖିବାକୁ ମିଳିଛି । ସ୍ୱଚ୍ଛ ଭାରତ ଅଭିଯାନରୁ ଆମର ସାମାଜିକ ଚେତନା, ସମାଜିକା ଭାବେ ଆମର ଆଚାର ବ୍ୟବହାରରେ ମଧ୍ୟ ସ୍ଥାନୟୀ ପରିବର୍ତ୍ତନ ଆଣିଛି । ବାରମ୍ବାର ହାତ ଧୋଇବା, ସବୁ ସ୍ଥାନରେ ଚେପ ଖଙ୍କାର ପକାଇବା ଭଳି ଅଭ୍ୟାସକୁ ରୋକିବା, ମଇଳା ଆବର୍ଜନାକୁ ନେଇ ଉଚିତ ସ୍ଥାନରେ ପକାଇବା, ଏଭଳି ସମସ୍ତ କଥା ସହଜରେ ଏବଂ ଅତି ଦ୍ରୁତ ବେଗରେ ସାଧାରଣ ଭାରତୀୟ ଜନତାଙ୍କ ନିକଟରେ ପହଞ୍ଚି ପାରିଛି । ଚାରିଆଡ଼େ ମଇଳା ଆବର୍ଜନାକୁ ଦେଖି ସୁଦ୍ଧା ନିର୍ବିକାର ରହିବା, ଏଭଳି ଭାବନାରୁ ଏବେ ଦେଶ ମୁକୁଳି ପାରିଛି । ଏବେ ଘରେ ହେଉ କିମ୍ବା ସଡ଼କ ଉପରେ ହେଉ ମଇଳା ଆବର୍ଜନା ପକାଇବା ଲୋକଙ୍କୁ କେହି ନା କେହି ଆକଟ କରିପାରୁଛନ୍ତି ଏବଂ ଏଭଳି କାମ ସବୁଠାରୁ ଭଲ ଢ଼ଙ୍ଗରେ ଆଉ କିଏ କରିପାରିବ?
ଆମର ସନ୍ତାନମାନେ, ଆମର କିଶୋରମାନେ, ଆମର ଯୁବଗୋଷ୍ଠୀ ।
ସାଥୀଗଣ,
ଦେଶର ପ୍ରତ୍ୟେକ ଶିଶିଙ୍କ ଭିତରେ ବ୍ୟକ୍ତିଗତ ଏବଂ ସାମାଜିକ ସ୍ୱାସ୍ଥ୍ୟରକ୍ଷାକୁ ନେଇ ଯେଉଁ ଚେତନା ସୃଷ୍ଟି ହୋଇଛି, ତାହାର ବହୁତ ବଡ଼ ଲାଭ କରୋନା ବିରୋଧରେ ସଂଗ୍ରାମରେ ମଧ୍ୟ ଆମକୁ ପ୍ରାପ୍ତ ହୋଇପାରିଛି । ଆପଣମାନେ ଥରେ କଳ୍ପନା କରି ଦେଖନ୍ତୁ, ଯଦି କରୋନା ଭଳି ମହାମାରୀ 2014 ମସିହାରେ ପୂର୍ବରୁ ଆସିଥାନ୍ତ, ତା’ହେଲେ ସ୍ଥିତି କ’ଣ ହୋଇଥାନ୍ତା? ଶୌଚାଳୟର ଅଭାବ ଯୋଗୁ ଆମେ କ’ଣ ସଂକ୍ରମଣର ଗତିକୁ ହ୍ରାସ କରିବାରେ ସକ୍ଷମ ହୋଇ ପାରିଥାନ୍ତେ? ସେତେବେଳେ କ’ଣ ଲକ୍ ଡାଉନ୍ ଭଳି ବ୍ୟବସ୍ଥାମାନ ସମ୍ଭବ ହୋଇ ପାରିଥାନ୍ତା, ଯେତେବେଳେକି ଦେଶର 60 ପ୍ରତିଶତ ଜନତା ମୁକ୍ତାକାଶ ତଳେ ଶୌଚ କାର୍ଯ୍ୟ ମଜବୁର ହୋଇ ସଂପାଦନ କରୁଥିଲେ । ସ୍ୱେଚ୍ଛାଗ୍ରହ କରୋନା ବିରୁଦ୍ଧରେ ଲଢ଼େଇ କରିବାରେ ଆମକୁ ସବୁଠାରୁ ବଡ଼ ସାହାରା ଦେଇଛି, ମାଧ୍ୟମ ଯୋଗାଇଛି ।
ସାଥୀଗଣ,
ସ୍ୱଚ୍ଛତା ଅଭିଯାନ ଏକ ଯାତ୍ରା, ଯାହା ନିରନ୍ତର ଜାରି ରହିଥାଏ । ମୁକ୍ତାକାଶ ତଳେ ଶୌଚକାର୍ଯ୍ୟ ସଂପାଦନ କରିବାରୁ ମୁକ୍ତି ମିଳିବା ପରେ ଏବେ ଆମମାନଙ୍କ ଦାୟିତ୍ୱ ବଢ଼ିଯାଇଛି । ଦେଶକୁ ମୁକ୍ତାକାଶ ଶୌଚାଭ୍ୟାସରୁ ମୁକ୍ତ କରିବା ପରେ ଏବେ ଓଡ଼ିଏଫ ପ୍ଲସ୍ ବନାଇବା ଲକ୍ଷ୍ୟ ଉପରେ କାର୍ଯ୍ୟ ଜାରି ରହିଛି । ଏବେ ଆମକୁ ସହର ହୋଇଥାଉ କି ଗାଁ, ବର୍ଜ୍ୟ ପରିଚାଳନାକୁ, ଆହୁରି ଉତ୍ତମ ଢ଼ଙ୍ଗରେ ସଂପାଦନ କରିବାକୁ ପଡ଼ିବ । ଆମକୁ ବର୍ଜ୍ୟରୁ ସଂପଦ ବନାଇବାକୁ ହେବ । ଏ ଦିଗରେ ଆମକୁ କାର୍ଯ୍ୟ ଆହୁରି ତ୍ୱରାନ୍ୱିତ କରିବାକୁ ପଡ଼ିବ । ଏହି ସଂକଳ୍ପ ପାଇଁ ଆଜି ଭାରତ ଛାଡ଼ ଆନ୍ଦୋଳନ ଠାରୁ ବଳି ଆଉ ଉତ୍ତମ ଦିନ କ’ଣ ହୋଇପାରେ?
ସାଥୀଗଣ,
ଦେଶକୁ ଦୁର୍ବଳ କରିବା ଭଳି ଅପଶକ୍ତିଙ୍କୁ ଭାରତରୁ ବିତାଡ଼ିତ କରିବାକୁ ପଡ଼ିବ । ଏହାଠାରୁ ବଳି ଉତ୍ତମ କାର୍ଯ୍ୟ ଆଉ କ’ଣ ହୋଇପାରେ?
ଏଭଳି ଚିନ୍ତାଧାରାର ସହ ବିଗତ 6 ବର୍ଷଧରି ଦେଶରେ ଏକ ବ୍ୟାପକ ଭାରତ ଛାଡ଼ ଅଭିଯାନ ଜାରି ରହିଛି ।
ଦାରିଦ୍ର୍ୟ- ଭାରତ ଛାଡ଼!
ମୁକ୍ତାକାଶ ଶୌଚ ମଜବୁରୀ- ଭାରତ ଛାଡ଼!
ପାଣି ପାଇଁ ଦୂର ଦୂରାନ୍ତକୁ ଘୂରି ବୁଲିବର ମଜବୁରୀ- ଭାରତ ଛାଡ଼!
ଏକକ ବ୍ୟବହାର ପ୍ଲାଷ୍ଟିକ୍- ଭାରତ ଛାଡ଼!
ଭେଦଭାବର ପ୍ରବୃତ୍ତି- ଭାରତ ଛାଡ଼!
ଭ୍ରଷ୍ଟାଚାରର କୁରୀତି – ଭାରତ ଛାଡ଼!
ଆତଙ୍କ ଏବଂ ହିଂସା – ଭାରତ ଛାଡ଼!
ସାଥୀଗଣ,
ଭାରତ ଛାଡ଼ ପାଇଁ ଏଭଳି ସମସ୍ତ ସଂକଳ୍ପ ସ୍ୱରାଜ ଠାରୁ ସୁରାଜର ଭାବନାର ଅନୁରୂପ ହିଁ ହେବ । ଏହି ମାର୍ଗରେ ଆଜି ଆମ ସମସ୍ତଙ୍କୁ “ଆବର୍ଜନା ଭାରତ ଛାଡ଼”ର ସଂକଳ୍ପକୁ ବି ଦୋହରାଇବାକୁ ପଡ଼ିବ ।
ଆସନ୍ତୁ,
ଆଜି ଠାରୁ 15 ଅଗଷ୍ଟ ପର୍ଯ୍ୟନ୍ତ ଅର୍ଥାତ୍ ସ୍ୱତନ୍ତ୍ରତା ଦିବସ ପର୍ଯ୍ୟନ୍ତ ଦେଶରେ ଏକ ସପ୍ତାହ ଲମ୍ବା ଅଭିଯାନ ଚଳାଇବା । ସ୍ୱରାଜର ସମ୍ମାନର ସପ୍ତାହ ଅର୍ଥାତ୍, “ଆବର୍ଜନା ଭାରତ ଛାଡ଼ ସପ୍ତାହ” । ମୋର ପ୍ରତ୍ୟେକ ଜିଲ୍ଲାର ଦାୟିତ୍ୱବାନ ଅଧିକାରୀମାନଙ୍କୁ ଏହି ନିବେଦନ ଯେ ଏହି ସପ୍ତାହରେ ନିଜ ନିଜ ଜିଲ୍ଲାମାନଙ୍କର ସବୁ ଗ୍ରାମରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରନ୍ତୁ, ସେଗୁଡ଼ିକର ମରାମତି ଅଭିଯାନ ଚଳାନ୍ତୁ । ଯେଉଁଠାରେ ଅନ୍ୟ ରାଜ୍ୟମାନଙ୍କର ସାଥୀ ଶ୍ରମିକମାନେ ରହୁଛନ୍ତି, ସେଭଳି ସ୍ଥାନ ଉପରେ ପ୍ରାଥମିକତା ଆଧାରରେ ଏହି କାର୍ଯ୍ୟ ସଂପାଦନ କରନ୍ତୁ । ଏହି ଭଳି ଭାବେ ବର୍ଜ୍ୟକୁ କମ୍ପୋଷ୍ଟ ପ୍ରସ୍ତୁତ କରିବାର କାର୍ଯ୍ୟ ହୋଇପାରିବ, ଗୋବରଧନ ମିଳିପାରିବ, ଜଳ ପୁନଃଚକ୍ରଣ କାର୍ଯ୍ୟ ହୋଇପାରିବ, ଏକକ ବ୍ୟବହାର ପ୍ଲାଷ୍ଟିକରୁ ମୁକ୍ତି ମିଳିପାରିବ ଏବଂ ଏଥିପାଇଁ ଆମମାନଙ୍କୁ ସମସ୍ତଙ୍କୁ ମିଳିମିଶି ଆଗକୁ ଅଗ୍ରସର ହେବାକୁ ପଡ଼ିବ ।
ସାଥୀଗଣ,
ଯେମିତି ଗଙ୍ଗାଜୀଙ୍କ ନିର୍ମଳତାକୁ ନେଇ ଆମକୁ ଉତ୍ସାହଜନକ ପରିଣାମ ମିଳୁଛି, ସେହିଭଳି ଦେଶର ଅନ୍ୟାନ୍ୟ ନଦୀମାନଙ୍କୁ ମଧ୍ୟ ପ୍ରଦୂଷଣରୁ ମୁକ୍ତ କରିବାକୁ ପଡ଼ିବ । ଏଠାରେ ଅତି ପାଖରେ ହିଁ ଯମୁନା ନଦୀ ପ୍ରବାହିତ ହେଉଛି । ଯମୁନା ଯାହାକୁକି ସମସ୍ତ ବର୍ଜ୍ୟନାଳରୁ ମୁକ୍ତ କରିବାର ଅଭିଯାନକୁ ଆମକୁ ଆହୁରି ତ୍ୱରାନ୍ୱିତ କରିବାକୁ ହେବ । ସେଥିପାଇଁ ଯମୁନା ନଦୀ ଆଖପାଖରେ ଥିବା ସମସ୍ତ ଗାଁ, ପ୍ରତିଟି ସହରରେ ବସବାସ କରୁଥିବା ସାଥୀମାନଙ୍କୁ ସାଙ୍ଗ କରିବା ଏବଂ ସେମାନଙ୍କ ସହଯୋଗ ଜୁଟାଇବା ଏକାନ୍ତ ଜରୁରି କାର୍ଯ୍ୟ ।
ହଁ, ଆଉ ଗୋଟିଏ କଥା, ଏସବୁ କାର୍ଯ୍ୟ କରିବା ବେଳେ ଦୁଇ ଗଜର ଦୂରତା ରକ୍ଷା, ମାସ୍କ ପିନ୍ଧିବା ମଧ୍ୟ ଏକାନ୍ତ ଜରୁରି । ଏହି ନିୟମକୁ ଯେପରି କେହି ଭୁଲି ନଯା’ନ୍ତି । କରୋନା ଭାଇରସ ଆମର ମୁହଁ ଏବଂ ନାକର ମାର୍ଗ ଦେଇ ସଂକ୍ରମଣ କରିଥାଏ ଏବଂ ବିସ୍ତାରିତ ମଧ୍ୟ ହୋଇଥାଏ । ତେଣୁ ଏପରି ସ୍ଥଳେ ମାସ୍କ ପିନ୍ଧିବା, ଦୂରତା ରକ୍ଷା ଏବଂ ସାର୍ବଜନିକ ସ୍ଥାନରେ ଛେପ ଖଙ୍କାର ନଫିଙ୍ଗିବା ନିୟମକୁ ଆମେ କଡ଼ାକଡ଼ି ଭାବେ ପାଳନ କରିବା ଆବଶ୍ୟକ ।
ନିଜକୁ ସୁରକ୍ଷିତ ରଖିବା ସହ, ଏହି ବ୍ୟାପକ ଅଭିଯାନକୁ ବି ଆମମାନଙ୍କୁ ସଫଳ କରିବାର ଅଛି । ଏହି ବିଶ୍ୱାସର ସହିତ ଆଉ ଥରେ ଏହି ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର ପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି!!
ବହୁତ ବହୁତ କୃତଜ୍ଞତା ଜ୍ଞାପନ କରୁଛି !!!
**********
(Release ID: 1644503)
Visitor Counter : 252
Read this release in:
Hindi
,
English
,
Urdu
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam