ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଇସିଓଏସଓସିର ଉଚ୍ଚସ୍ତରୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ

• ମିଳିତ ଜାତିସଂଘକୁ କେନ୍ଦ୍ରରେ ରଖି ଏଥିରେ ସଂସ୍କାର ସହ ବହୁପକ୍ଷବାଦ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
• ଆମର ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ’ ସଂକଳ୍ପ ସାମଗ୍ରିକ ବିକାଶ ଲାଗି ଏସଡିଜିର ମୂଳ ନୀତିକୁ ପ୍ରତିଫଳିତ କରୁଛି : ପ୍ରଧାନମନ୍ତ୍ରୀ
• ବିକାଶ ଦିଗରେ ଅଗ୍ରସର ହେବା ସମୟରେ, ପୃଥବୀ ପ୍ରତି ରହିଥିବା ଆମର ଦାୟିତ୍ୱକୁ ଆମେ ଭୁଲିଯିବା ଅନୁଚିତ : ପ୍ରଧାନମନ୍ତ୍ରୀ
• ତୃଣମୂଳସ୍ତରରେ ଆମର ସ୍ୱାସ୍ଥ୍ୟ ବ୍ୟବସ୍ଥା ଯୋଗୁ କୋଭିଡ ମୁକାବିଲାରେ ଭାରତ ବିଶ୍ୱର ଶ୍ରେଷ୍ଠ ଆରୋଗ୍ୟ ହାର ହାସଲ କରିପାରିଛି : ପ୍ରଧାନମନ୍ତ୍ରୀ

Posted On: 17 JUL 2020 8:46PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର, 17 ଜୁଲାଇ, 2020ରେ ନ୍ୟୁୟର୍କସ୍ଥିତ ମିଳିତ ଜାତିସଂଘ ଠାରେ ଅନୁଷ୍ଠିତ ମିଳିତ ଜାତିସଂଘ ଅର୍ଥନୈତିକ ଏବଂ ସାମାଜିକ ପରିଷଦ (ଇସିଓଏସଓସି)ର ଏକ ଉଚ୍ଚସ୍ତରୀୟ ଭର୍ଚୁଆଲ ଅଧିବେଶନରେ ଉଦଘାଟନୀ ବକ୍ତବ୍ୟ ଦେଇଛନ୍ତି ।

ଗତ 17 ଜୁନରେ 2021-22 ଅବଧି ଲାଗି ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ବହୁସଂଖ୍ୟକ ମିଳିତ ଜାତିସଂଘ ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇଛନ୍ତି ।

ଚଳିତ ବର୍ଷ ଇସିଓଏସଓସିର ଉଚ୍ଚସ୍ତରୀୟ ଅଧିବେଶନର ବିଷୟବସ୍ତୁ ରଖାଯାଇଛି, “କୋଭିଡ-19 ପରେ ବହୁପକ୍ଷବାଦ : 75ତମ ବର୍ଷ ପୂର୍ତ୍ତି ଅବସରରେ ଆମକୁ କିଭଳି ମିଳିତ ଜାତିସଂଘର ଆବଶ୍ୟକତା ରହିଛି

ମିଳିତ ଜାତିସଂଘ ପ୍ରତିଷ୍ଠାର 75ତମ ବର୍ଷ ପୂର୍ତ୍ତି ଅବସରରେ, ଏହି ବିଷୟବସ୍ତୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ପରବର୍ତ୍ତୀ ସଦସ୍ୟତା ଲାଗି ଭାରତତର ପ୍ରାଥମିକତାକୁ ପ୍ରତିଫଳିତ କରୁଛି । କୋଭିଡ-19 ପରବର୍ତ୍ତୀ ବିଶ୍ୱରେ ସଂସ୍କାରିତ ବହୁପକ୍ଷବାଦପାଇଁ ଭାରତର ଆହ୍ୱାନକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ, ଯାହାକି ସମସାମୟିକ ବିଶ୍ୱର ବାସ୍ତବତାକୁ ପ୍ରତିଫଳିତ କରୁଥିବ ।

ନିଜର ଉଦବୋଧନରେ ପ୍ରଧାନମନ୍ତ୍ରୀ ଇସିଓଏସଓସି, ମିଳିତ ଜାତିସଂଘର ବିକାଶମୂଳକ କାର୍ଯ୍ୟ ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି)ରେ ଭାରତର ଦୀର୍ଘ ସହଭାଗିତା ବିଷୟରେ ଉଲ୍ଲେଖ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସପାଇଁ ଭାରତର ସଂକଳ୍ପ ସାମଗ୍ରିକ ବିକାଶ ନିମନ୍ତେ ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟକୁ ପ୍ରତିଫଳିତ କରୁଛି ।

ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ ଭାରତ ନିଜର ବିପୁଳ ଜନସଂଖ୍ୟାର ସାମାଜିକ-ଅର୍ଥନୈତିକ ସୂଚକାଙ୍କରେ ସୁଧାର ଆଣିବାରେ ସଫଳତା ହାସଲ କରିଛି ଯାହା ଏସଡିଜିର ବୈଶ୍ୱିକ ଲକ୍ଷ୍ୟ ପ୍ରତି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି । ଏସଡିଜି ଲକ୍ଷ୍ୟ ହାସଲ ଲାଗି ଅନ୍ୟ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ସହାୟତା କରିବା ଲାଗି ଭାରତର ପ୍ରତିବଦ୍ଧତା ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ।

ସ୍ୱଚ୍ଛତାରେ ସୁଧାର ଆଣିବା ଲାଗି ସ୍ୱଚ୍ଛ ଭାରତ ଅଭିଯାନ’, ମହିଳା ସଶକ୍ତିକରଣ, ଆର୍ଥିକ ସମାବେଶୀକରଣ, ଏବଂ ସମସ୍ତଙ୍କ ପାଇଁ ଆବାସଆୟୁଷ୍ମାନ ଭାରତଭଳି ପ୍ରମୁଖ ଯୋଜନା ଜରିଆରେ ଆବାସ ନିର୍ମାଣ ଓ ସ୍ୱାସ୍ଥ୍ୟସେବା ସୁଧାର ନିମନ୍ତେ ଭାରତ ପଦକ୍ଷେପ ଗ୍ରହଣ କରିବା ଜାରି ରଖିଛି ବୋଲି ସେ କହିଥିଲେ ।

ପରିବେଶ ସ୍ଥିରତା ଓ ଜୈବ ବିବିଧତାର ସଂରକ୍ଷଣ ଉପରେ ଭାରତ ଜୋର ଦେଉଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିବା ସହିତ ଅନ୍ତର୍ଜାତୀୟ ସୌର ମେଣ୍ଟ ଏବଂ ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ମେଣ୍ଟ ଗଠନରେ ଭାରତର ଅଗ୍ରଣୀ ଭୂମିକା ବିଷୟରେ କହିଥିଲେ ।

କ୍ଷେତ୍ରୀୟ ସ୍ତରରେ ଭାରତ ସବୁବେଳେ ଅଗ୍ରଣୀ ଭୂମିକା ନିର୍ବାହ କରିଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଭାରତ ସରକାର ଏବଂ ବିଭିନ୍ନ ଭାରତୀୟ ଔଷଧ କମ୍ପାନୀଗୁଡ଼ିକ ଅନ୍ୟ ଦେଶଗୁଡ଼ିକୁ ଔଷଧ ଯୋଗାଣ ସୁନିଶ୍ଚିତ କରିଛନ୍ତି ।  ସାର୍କ ଦେଶଗୁଡ଼ିକ ମଧ୍ୟରେ ଏକ ମିଳିତ ମୁକାବିଲା ରଣନୀତି ପ୍ରତିଷ୍ଠା କ୍ଷେତ୍ରରେ ଭାରତ ସମନ୍ୱୟ ରକ୍ଷା କରିଛି ।

ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଇସିଓଏସଓସିରେ ଉଦବୋଧନ ଦେଇଛନ୍ତି । ଏଥିପୂର୍ବରୁ 2016 ଜାନୁଆରୀ ମାସରେ ଇସିଓଏସଓସିର 70 ବର୍ଷ ପୂର୍ତ୍ତି ସମାରୋହରେ ପ୍ରଧାନମନ୍ତ୍ରୀ ଉଦଘାଟନୀ ଅଭିଭାଷଣ ରଖିଥିଲେ ।

 

*********



(Release ID: 1639505) Visitor Counter : 260