ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
750 ମେଗାୱାଟ ରେୱା ସୌରଶକ୍ତି ପ୍ରକଳ୍ପ ରାଷ୍ଟ୍ରକୁ ଉତ୍ସର୍ଗ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
Posted On:
10 JUL 2020 12:22PM by PIB Bhubaneshwar
ମଧ୍ୟପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ ଜୀ, ମଧ୍ୟପ୍ରଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ଜୀ, କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ଆର.କେ. ସିଂହ ଜୀ, ଥାୱରଚନ୍ଦ ଗେହଲେଟ ଜୀ, ନରେନ୍ଦ୍ର ସିଂହ ତୋମର ଜୀ, ଧର୍ମେନ୍ଦ୍ର ପ୍ରଧାନ ଜୀ, ପ୍ରହ୍ଲାଦ ସିଂହ ପଟେଲ ଜୀ, ମଧ୍ୟପ୍ରଦେଶ ମନ୍ତ୍ରିମଣ୍ଡଳର ସଦସ୍ୟଗଣ, ସାଂସଦ ଓ ବିଧାୟକଗଣ, ରେୱା ସହିତ ପୂରା ମଧ୍ୟପ୍ରଦେଶର ମୋର ପ୍ରିୟ ଭାଇ ଓ ଭଉଣୀମାନେ । ଆଜି ରେୱା ଏକ ଉଲ୍ଲେଖନୀୟ ଇତିହାସ ରଚନା କରିଛି । ରେୱାର ପରିଚୟ ନର୍ମଦାର ନାମ ଓ ଧଳାବାଘ ସହିତ ଜଡିତ । ଏବେ ଏହା ସହିତ ଏସିଆର ସବୁଠୁ ବଡ଼ ସୌରଶକ୍ତି ପ୍ରକଳ୍ପର ନାମ ବି ଯୋଡି ହୋଇଗଲା । ଆକାଶ ମାର୍ଗରୁ ନିଆଯାଇଥିବା ଏହାର ଭିଡିଓ ଆପଣ ଦେଖିଲେ ଲାଗିବ ଯେ ସତେ ଯେପରି ହଜାର ହଜାର ସୌର ପ୍ୟାନେଲ ଫସଲର ରୂପ ନେଇ କ୍ଷେତରେ ଲହଡି ଭାଙ୍ଗୁଛି । ଆହୁରି ମଧ୍ୟ କେଉଁ ଗଭୀର ନୀଳ ସମୁଦ୍ର ଉପରେ କେହି ଜଣେ ଅତିକ୍ରମ କରିବାର ଭ୍ରମ ସୃଷ୍ଟି ହେଉଛି । ଏଥିପାଇଁ ମୁଁ ରେୱାର ଲୋକଙ୍କୁ, ମଧ୍ୟପ୍ରଦେଶବାସୀଙ୍କୁ ଅନେକ ଅନେକ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଉଛି ।
ରେୱାର ଏହି ସୌରଶକ୍ତି କେନ୍ଦ୍ର ସମଗ୍ର ଅଞ୍ଚଳକୁ, ଏହି ଦଶକରେ ସବୁଠୁ ବଡ଼ ଊର୍ଜ୍ଜା କେନ୍ଦ୍ରରେ ପରିଣତ କରିବାରେ ସହାୟକ ହେବ । ଏହାଦ୍ୱାରା ମଧ୍ୟପ୍ରଦେଶର ଲୋକେ ଓ ଉଦ୍ୟୋଗୀ ବିଜୁଳି ତ ପାଇବେ, ଏହା ସହିତ ଦିଲ୍ଲୀ ମେଟ୍ରୋ ରେଳ ମଧ୍ୟ ବିଦ୍ୟୁତ ପାଇପାରିବ । ଏହାଛଡା ରେୱା ଭଳି ସାଜାପୁର, ନିମ୍ଚି ଏବଂ ଛତରପୁରରେ ମଧ୍ୟ ସୌରଶକ୍ତି ଉତ୍ପାଦନ ପ୍ରକଳ୍ପ ତିଆରି ଚାଲିଛି । ଓଁକାରେଶ୍ୱର ଡ୍ୟାମର ପାଣି ଉପରେ ମଧ୍ୟ ଭାସମାନ ସୌରଶକ୍ତି ପ୍ଲାଣ୍ଟ ନିର୍ମାଣର ଯୋଜନା ରହିଛି । ଏସବୁ ପ୍ରକଳ୍ପ ତିଆରି ହୋଇଗଲେ ମଧ୍ୟପ୍ରଦେଶ ନିଶ୍ଚିତଭାବେ ଶସ୍ତା ଏବଂ ନିର୍ମଳ ବିଜୁଳିର ଏକ ଉତ୍ପାଦନ କେନ୍ଦ୍ର ପାଲଟିବ । ମଧ୍ୟପ୍ରଦେଶର ଗରିବ, ମଧ୍ୟମବର୍ଗର ପରିବାର, ଚାଷୀ ଓ ଆଦିବାସୀଙ୍କୁ ଏଥିରୁ ସବୁଠୁ ବେଶୀ ଲାଭ ମିଳିବ ।
ବନ୍ଧୁଗଣ,
ଆମ ପରମ୍ପରା ଓ ସଂସ୍କୃତିରେ, ଆମର ନିତ୍ୟନୈମିତିକ ଜୀବନରେ ସୂର୍ଯ୍ୟପୂଜାର ଏକ ବିଶେଷ ସ୍ଥାନ ରହିଛି । ‘ପୁନାତୁ ମାଂଗ୍ ତତ୍ସ୍ୟ ବିତୁର୍ ବରେଣ୍ୟମ୍’ ଅର୍ଥାତ୍ ଯିଏ ଉପାସନା ଯୋଗ୍ୟ ସେ ହିଁ ସୂର୍ଯ୍ୟଦେବ । ସେ ଆମକୁ ପବିତ୍ର କରନ୍ତୁ । ପବିତ୍ରତାର ଏହି ଅନୁଭୂତି ଆଜି ରେୱାରେ ସବୁ ଜାଗାରେ ହେଉଛି । ସୂର୍ଯ୍ୟଦେବଙ୍କ ଏହି ଊର୍ଜ୍ଜାକୁ ଆଜି ପୂରା ଦେଶ ଅନୁଭବ କରୁଛି । ଏହା ତାଙ୍କରି ଆଶୀର୍ବାଦ ଏବଂ ତଦ୍ଦ୍ୱାରା ସୌରଶକ୍ତି କ୍ଷେତ୍ରରେ ବିଶ୍ୱର ଶ୍ରେଷ୍ଠ 5ଟି ଦେଶ ମଧ୍ୟରେ ଆମେ ସ୍ଥାନ ପାଇଛୁ ।
ବନ୍ଧୁଗଣ,
ସୌରଊର୍ଜ୍ଜା କେବଳ ଆଜି ନୁହେଁ, ଏକବିଂଶ ଶତାବ୍ଦୀର ଶକ୍ତି ଆବଶ୍ୟକତା ପୂରଣ କରିବାର ଏକ ବଡ଼ ମାଧ୍ୟମ ହେବାକୁ ଯାଉଛି । କାରଣ ସୌର ଊର୍ଜ୍ଜା ସିଓର, ପିଓର ଏବଂ ସିକ୍ୟୁର ଅଟେ । ସିଓର ଏଇଥିପାଇଁ କାରଣ ଅନ୍ୟ ଊର୍ଜ୍ଜାର ଅବଶେଷ ରହିଛି; କିନ୍ତୁ ସୌର ଊର୍ଜ୍ଜାର ଅବସାନ ନାହିଁ । ଏହା ପିଓର ଏଇଥିପାଇଁ ଏହା ପରିବେଶକୁ ପ୍ରଦୂଷିତ କରେ ନାହିଁ ବରଂ ଏହାକୁ ସୁରକ୍ଷିତ କରେ ଏବଂ ସିକ୍ୟୁର ଏଇଥିପାଇଁ ଏହା ଆତ୍ମନିର୍ଭରତାର ଏକ ବଡ଼ ପ୍ରତୀକ ଅଟେ । ସବୁଠୁ ବଡ଼ ପ୍ରେରଣା ହେଲା ଏହା ଆମର ଊର୍ଜ୍ଜା ଆବଶ୍ୟକତାକୁ ସୁରକ୍ଷିତ କରିପାରିବ । ଭାରତ ବିକାଶର ନୂଆ ଶିଖର ଆଡକୁ ଅଗ୍ରସର ହେଉଥିବାବେଳେ ଆମର ଆଶା ଆକାଂକ୍ଷା ମାନ ବଢୁଛି । ଏହା ସହିତ ତାଳ ଦେଇ ଆମର ଊର୍ଜ୍ଜା ଆବଶ୍ୟକତା ବୃଦ୍ଧି ପାଉଛି । ଆତ୍ମନିର୍ଭର ଭାରତ ପାଇଁ ବିଜୁଳିରେ ଆତ୍ମନିର୍ଭରତା ବହୁତ ଜରୁରୀ । ଏଥିରେ ସୌର ଉର୍ଜ୍ଜାର ଏକ ବଡ ଭୂମିକା ରହିଛି । ଏ କ୍ଷେତ୍ରରେ ଆମର ପ୍ରୟାସ ଜାରି ରହିଛି ।
ବନ୍ଧୁଗଣ,
ଆମେ ଯେତେବେଳେ ଆତ୍ମନିର୍ଭରଶୀଳତା ଓ ପ୍ରଗତିର କଥା କହୁଛି ସେଥିରେ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମଗ୍ର ଦୁନିଆରେ ନୀତି ନିର୍ମାତାଙ୍କ ପାଖରେ ଏକ ବଡ ପ୍ରଶ୍ନ ହେଉଛି, ଅର୍ଥନୀତିକୁ ଦେଖିବେ ନା ପରିବେଶକୁ ଗୁରୁତ୍ୱ ଦେବେ । କିନ୍ତୁ ଉଭୟ ଅର୍ଥନୀତି ଓ ପରିବେଶ ପରସ୍ପରର ପରିପୂରକ । ଗୋଟିଏକୁ ଛାଡି ଅନ୍ୟଟିର ପରିକଳ୍ପନା ଅସମ୍ଭବ । ତେଣୁ ପରିବେଶ ସହିତ ଅର୍ଥନୀତିକୁ ମଧ୍ୟ ସମାନ ଗୁରୁତ୍ୱ ଦେବାକୁ ପଡିବ । ଆମେ ଏହି ନୀତିରେ କାର୍ଯ୍ୟ କରୁଛୁ । ସ୍ୱଚ୍ଛ ଭାରତ ଅଭିଯାନ ହେଉ କିମ୍ବା ପ୍ରତ୍ୟେକ ପରିବାରକୁ ଏଲ୍ପିଜି ଅଥବା ପିଏନ୍ଜି ଭଳି ପରିସ୍କାର ଇନ୍ଧନ ଯୋଗାଣ, ଏସବୁ କ୍ଷେତ୍ରରେ ଆମ ଅଭିଯାନ ଜାରି ରହିଛି । ସମଗ୍ର ଦେଶରେ ସିଏନ୍ଜି ଆଧାରିତ ପରିବହନ ବ୍ୟବସ୍ଥା ପାଇଁ ହେଉଥିବା ପ୍ରୟାସ ସମେତ ଏଭଳି ଅନେକ ପଦକ୍ଷେପ ଦ୍ୱାରା ସାଧାରଣ ମଣିଷ ଜୀବନକୁ ସୁନ୍ଦର ଏବଂ ପରିବେଶ ଅନୁକୂଳ କରିବା ନିମନ୍ତେ କାର୍ଯ୍ୟ ଅବ୍ୟାହତ ରହିଛି । ଭାରତ ପାଇଁ ଅର୍ଥନୀତି ଓ ପରିବେଶ ଦୁଇଟି ଭିନ୍ନ ପକ୍ଷ ନୁହେଁ, ବରଂ ଉଭୟ ଉଭୟର ପରିପୂରକ ।
ବନ୍ଧୁଗଣ,
ଆପଣ ଦେଖୁଛନ୍ତି ସରକାର ଯେତେସବୁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ସେଥିରେ ପରିବେଶର ସୁରକ୍ଷା ଏବଂ ଜୀବନଯାପନକୁ ସହଜ କରିବା ପ୍ରାଥମିକତା ପାଇଛି । ଆମ ପାଇଁ ପରିବେଶ ସୁରକ୍ଷା କେବଳ ଅଳ୍ପ କିଛି ପ୍ରକଳ୍ପରେ ସୀମିତ ନୁହେଁ । ଏହା ଏକ ନୀତି ଓ ଜୀବନଧାରଣର ମାର୍ଗରେ ପରିଣତ ହୋଇଛି । ଆମେ ଯେତେବେଳେ ଅକ୍ଷୟଶକ୍ତିର ବଡ ପ୍ରକଳ୍ପ ସ୍ଥାପନ କରୁଛୁ ସେତେବେଳେ ଏହାର ଲାଭ ଦେଶର ପ୍ରତ୍ୟେକ ଭାଗର ପ୍ରତ୍ୟେକ ବ୍ୟକ୍ତି ଯେପରି ପାଏ ସେହି ସଂକଳ୍ପ ରଖୁଛୁ ଏବଂ ତାହାକୁ ସୁନିଶ୍ଚିତ କରୁଛୁ । ଏକ ଉଦାହରଣ ଦେଉଛି- ଗତ 6 ବର୍ଷ ମଧ୍ୟରେ ପ୍ରାୟ 36 କୋଟି ଏଲ୍ଇଡି ବଲ୍ବ ସମଗ୍ର ଦେଶରେ ବଣ୍ଟା ଯାଇଛି । ଏକ କୋଟିରୁ ଅଧିକ ଏଲ୍ଇଡି ବଲ୍ବ ଦେଶର ଷ୍ଟ୍ରିଟ ଲାଇଟ ବ୍ୟବସ୍ଥାରେ ଲଗାଯାଇଛି । ଶୁଣିବାକୁ ଏହା ତ ସାମାନ୍ୟ ଲାଗୁଛି । କାରଣ ଏହାର ପ୍ରଭାବ ଓ ଲାଭକ୍ଷତି ଉପରେ ଆମେ ଅଧିକ ଚର୍ଚ୍ଚା କରନ୍ତି ନାହିଁ ।
ବନ୍ଧୁଗଣ,
ଯେତେବେଳେ ଏହି ଦୁଧିଆ ଏଲ୍ଇଡି ବଲ୍ବ ନଥିଲା ଆମେ ସେତେବେଳେ ଏହାର ଅଭାବ ଅନୁଭବ କରୁଥିଲୁ । ଏହାର ଦାମ୍ ବହୁତ ଅଧିକ ଥିଲା । ବିକ୍ରି ହେଉନଥିବାରୁ ଉତ୍ପାଦନ ମଧ୍ୟ ହେଉନଥିଲା । ଦେଖନ୍ତୁ, 6 ବର୍ଷ ମଧ୍ୟରେ କେତେବଡ ପରିବର୍ତ୍ତନ ଆସିଲା । ଏଲ୍ଇଡି ବଲ୍ବର ଦାମ୍ ପ୍ରାୟ 10 ଗୁଣ କମିଗଲା । ଅନେକ କଂପାନୀର ଏଭଳି ବଲ୍ବ ବଜାରକୁ ଆସିଲା । ଆଗରୁ 100ରୁ 200 ୱାଟ ବଲ୍ବ ଯେଉଁ କାମ କରୁଥିଲା ଏବେ 9-10 ୱାଟ ବିଶିଷ୍ଟ ବଲ୍ବ ସେ କାମ କରିପାରୁଛି । ଘର ଏବଂ ସାହିବସ୍ତିରେ ଏଲ୍ଇଡି ବଲ୍ବ ଜଳୁଛି । ଏହାଫଳରେ 600 କୋଟି ୟୁନିଟ ବିଜୁଳି ବ୍ୟବହାର କମିଛି ତଥା ଲୋକେ ଭଲ ଆଲୋକ ପାଉଛନ୍ତି । କେବଳ ଏତିକି ନୁହେଁ, ପ୍ରତିବର୍ଷ ପ୍ରାୟ 24 ହଜାର କୋଟି ଟଙ୍କାର ଖର୍ଚ୍ଚ ଦେଶ ବଞ୍ଚାଇ ପାରୁଛି । ଏଲ୍ଇଡି ବଲ୍ବ ଯୋଗୁଁ ବିଜୁଳି ଖର୍ଚ୍ଚ କମିଛି ଏବଂ ଏହାର ଆଉ ଏକ ବଡ ଦିଗ ହେଲା 4 କୋଟି ଟନ କମ୍ ଅଙ୍ଗାରକାମ୍ଲ ପରିବେଶରେ ମିଶିପାରିନାହିଁ । ସରଳ ଭାଷାରେ ଏହା ପ୍ରଦୂଷଣକୁ କମ୍ କରିଛି ।
ବନ୍ଧୁଗଣ,
ବିଜୁଳି ସମସ୍ତଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ପହଞ୍ଚିବ । ଆମର ବାତାବରଣ, ପବନ, ପାଣି ସୁଦ୍ଧ ରହିବ; ଏହି ବିଚାରରେ ଆମେ ନିରନ୍ତର କାର୍ଯ୍ୟ କରୁଛୁ । ଏହି ନୀତି ଓ ରଣନୀତି ଅନୁସାରେ ଆମ କାର୍ଯ୍ୟ ଜାରି ରହିଛି । ଆପଣ ବିଚାର କରନ୍ତୁ, 2014ରେ ୟୁନିଟ ପିଛା ସୌରଶକ୍ତିର ମୂଲ୍ୟ ଥିଲା 7ରୁ 8 ଟଙ୍କା । ଏବେ ଏହା କମି କମି 2ରୁ ଅଢେଇ ଟଙ୍କାରେ ପହଞ୍ଚିଲାଣି । ଏହାର ଏକ ବଡ ଲାଭ ଉଦ୍ୟୋଗକୁ ମିଳୁଛି । ରୋଜଗାର ସୃଷ୍ଟି ଉପରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେଉଛି ଏବଂ ଦେଶବାସୀ ମଧ୍ୟ ଉପକୃତ ହେଉଛନ୍ତି । କେବଳ ଦେଶ ନୁହେଁ, ଦୁନିଆରେ ଚର୍ଚ୍ଚା ହେଉଛି ଯେ ଭାରତରେ ସୌରଶକ୍ତି ଏତେ ଶସ୍ତାରେ କିପରି ଉତ୍ପାଦିତ ହେଉଛି । ଭାରତରେ ଯେଉଁ ଢଙ୍ଗରେ ସୌରଶକ୍ତି ଉତ୍ପାଦିତ ହେଉଛି ସେ ନେଇ ଚର୍ଚ୍ଚା ଆହୁରି ବଢିବ । ଏହାର ସବୁଠୁ ବଡ କାରଣ ହେଲା ଏଥିପାଇଁ ଭାରତରେ ଏକ ଆକର୍ଷଣୀୟ ସୌରଶକ୍ତି ବଜାର ଭିତ୍ତିଭୂମି ପ୍ରତିଷ୍ଠା ହୋଇଛି ଏବଂ ସମସ୍ତେ ଏହି ବଜାରକୁ ମାନ୍ୟତା ଦେଉଛନ୍ତି । ଏବେ ଅକ୍ଷୟଶକ୍ତି ନେଇ ଯେଉଁ ଚର୍ଚ୍ଚା ହେଉଛି ସେଥିରେ ଭାରତ ଏକ ଆଦର୍ଶଭାବେ ପରିଗଣିତ ହେଉଛି ।
ବନ୍ଧୁଗଣ,
ମାନବତାର ଏହି ଆଶା, ଆକାଂକ୍ଷାକୁ ଦୃଷ୍ଟିରେ ରଖି ଆମେ ଆମ ପ୍ରୟାସରେ ସାରା ଦୁନିଆକୁ ଯୋଡିବାକୁ ଉଦ୍ୟମ କରୁଛୁ । ଏହି ବିଚାରରେ ଆନ୍ତର୍ଜାତିକ ସୌର ମେଣ୍ଟ (ଆଇସା) ଗଠିତ ହୋଇଛି । ଗୋଟିଏ ବିଶ୍ୱ, ଗୋଟିଏ ସୂର୍ଯ୍ୟ, ଗୋଟିଏ ଗ୍ରୀଡ ଭାବନାରେ ଲକ୍ଷ୍ୟପୂରଣ କରିବାକୁ ଏହି ମେଣ୍ଟ ଚାଲିଛି । ଏଭଳି ସହଯୋଗ ରହିଲେ ଆମ ଧରିତ୍ରୀ ଆଗରେ ଉଭା, ସଂକଟ କମ୍ ହେବ ଏବଂ ଛୋଟ ଛୋଟ ଓ ଅତି ଗରିବରୁ ଗରିବ ଦେଶଙ୍କ ବିଜୁଳିର ଜରୁରୀ ଆବଶ୍ୟକତା ପୂରଣ ହୋଇପାରିବ ।
ବନ୍ଧୁଗଣ,
ସୌର ଉର୍ଜ୍ଜା ଏକପ୍ରକାର ସାଧାରଣ ଗ୍ରାହକଙ୍କୁ ଉତ୍ପାଦକରେ ମଧ୍ୟ ପରିଣତ କରିଦେଇଛି । ବିଜୁଳି ବଣ୍ଟନ ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ମଧ୍ୟ ପ୍ରଦାନ କରିଛି । ବିଜୁଳି ଉତ୍ପାଦନ କରୁଥିବା ଅନ୍ୟ ମାଧ୍ୟମରେ ସାଧାରଣ ଲୋକଙ୍କ ଭାଗିଦାରୀ ସମାନ ନ ଥାଏ । କିନ୍ତୁ ସୌର ଊର୍ଜ୍ଜାରେ ସେକଥା ନାହିଁ । ଆପଣ ଚାହିଁଲେ ଘରର ଛାତ, ଅଫିସ, କାରଖାନାର ଛାତ କିମ୍ବା ଯେକୌଣସି ଖରା ପଡୁଥିବା ସ୍ଥାନରେ ସୌର ପ୍ୟାନାଲ ଲଗାଇ ବିଜୁଳି ଉତ୍ପାଦନ କରିପାରିବେ । ଏଥିପାଇଁ ସରକାର ବିପୁଳ ପ୍ରୋତ୍ସାହନ ଓ ସହଯୋଗ ଯୋଗାଇ ଦେଉଛନ୍ତି । ବିଜୁଳି ଉତ୍ପାଦନରେ ଆତ୍ମନିର୍ଭରଶୀଳତାର ଏହି ଅଭିଯାନରେ ଏବେ ଆମର କିଷାନ ଅନ୍ନଦାତା, ଊର୍ଜ୍ଜାଦାତା ମଧ୍ୟ ହୋଇପାରିବେ ।
ବନ୍ଧୁଗଣ,
ଆମର କୃଷକ ବେଶ୍ ସକ୍ଷମ ଓ ସମୃଦ୍ଧିଶାଳୀ ହୋଇପାରିଛନ୍ତି । ସେମାନେ ଗୋଟିଏ ନୁହେଁ, ଦୁଇ ଦୁଇଟି ପ୍ରକଳ୍ପ ବସାଇ ଦେଶକୁ ସହାୟତା କରୁଛନ୍ତି । ଗୋଟିଏ ସୌର ପ୍ରକଳ୍ପରେ ସେମାନେ ନିଜର ଚାଷବାସ ଆବଶ୍ୟକତା ପୂରଣ କରୁଛନ୍ତି । ଆଉ ଏକ ସୌରପ୍ରକଳ୍ପ ବସାଇ ସେଥିରୁ ଉତ୍ପାଦିତ ବିଜୁଳି ବିକ୍ରି କରିପାରିବେ । ଚାଷୀଙ୍କର ଯେଉଁ ଜମିରେ ଫସଲ ହେଉନାହିଁ ତାହାକୁ ଏହି କାମରେ ବିନିଯୋଗ କରିହେବ । ଏହାଦ୍ୱାରା ସେମାନଙ୍କର ରୋଜଗାର ବଢିବ ।
କୁସୁମ ଯୋଜନା ମାଧ୍ୟମରେ ଚାଷୀଙ୍କ ଅତିରିକ୍ତ ଜମିରେ ଏଭଳି ସୌର ପ୍ରକଳ୍ପ ବସାଇବାକୁ ଉଦ୍ୟମ ଆରମ୍ଭ ହୋଇଛି । କୃଷି କାର୍ଯ୍ୟପାଇଁ ଚାଷୀ ଯେଉଁ ସୌରପ୍ରକଳ୍ପ ବ୍ୟବହାର କରୁଛି ସେଥିରୁ ବଳକା ଶକ୍ତି ମଧ୍ୟ ବିକି କିଛି ଆୟ କରିପାରିବେ । ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରି ଭାରତକୁ ଏକ ଊର୍ଜ୍ଜା ରପ୍ତାନୀକାରୀ ରାଷ୍ଟ୍ରରେ ପରିଣତ କରିବା ପାଇଁ ଉଦ୍ୟମ ଅବ୍ୟାହତ ରହିଛି । ମଧ୍ୟପ୍ରଦେଶର ଚାଷୀ ସଂକଳ୍ପକୁ ସିଦ୍ଧିରେ ପରିଣତ କରୁଥିବା ଦେଖାଯାଉଛି । ଆପଣମାନଙ୍କ କାର୍ଯ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଆପଣମାନେ ଗହମ ଉତ୍ପାଦନରେ ଯେଉଁ ରେକର୍ଡ ପ୍ରତିଷ୍ଠା କରିଛନ୍ତି ତାହା ପ୍ରଶଂସନୀୟ । କରୋନାର ଏହି କଠିନ ସମୟରେ ଚାଷୀମାନେ ଯେଉଁ ରେକର୍ଡ ଉତ୍ପାଦନ କରିଛନ୍ତି, ମଧ୍ୟପ୍ରଦେଶ ସରକାର ଯେଉଁ ରେକର୍ଡ ଖାଦ୍ୟଶସ୍ୟ କ୍ରୟ କରିଛନ୍ତି । ସେଥିପାଇଁ ଆପଣମାନେ ପ୍ରଶଂସାର ପାତ୍ର । ବିଜୁଳି ଉତ୍ପାଦନ ପ୍ରସଙ୍ଗରେ ମଧ୍ୟପ୍ରଦେଶର ସାମର୍ଥ୍ୟ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ରହିଛି । ବିଶ୍ୱାସର ଏହି ଦିନରେ ଏ ଖବର ମଧ୍ୟ ଦିନେ ଯିବ ଯେ କୁସୁମ ଯୋଜନାରେ ମଧ୍ୟପ୍ରଦେଶର ଚାଷୀ ରେକର୍ଡ ପରିମାଣର ବିଜୁଳି ଉତ୍ପାଦନ କରିଛନ୍ତି ।
ଭାଇ ଓ ଭଉଣୀମାନେ ଆମେ ଯେ ପର୍ଯ୍ୟନ୍ତ ଆମ ଶକ୍ତିର ପୂର୍ଣ୍ଣ ବିନିଯୋଗ ନ କରିଛୁ ସେ ପର୍ଯ୍ୟନ୍ତ ଆମ ଦେଶରେ ବ୍ୟବହାର ହେଉଥିବା ସୌର ପ୍ୟାନେଲ, ଉତ୍ତମ ବ୍ୟାଟେରୀ, ଉତ୍ତମ ଧରଣର ଷ୍ଟୋରେଜ ଦକ୍ଷତା ନିର୍ମାଣ କରିପାରିବା ନାହିଁ । ଏବେ ଏ ଦିଗରେ ଜୋରସୋର୍ କାମ ଚାଲିଛି । ଆତ୍ମନିର୍ଭର ଭାରତ ଅଭିଯାନରେ ଦେଶର ଲକ୍ଷ୍ୟ ହେଲା ସୌର ପ୍ୟାନେଲ ସହିତ ସମଗ୍ର ଉପକରଣର ଆମଦାନୀ କମ୍ କରି ଏହାର ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା । ଭାରତରେ ସୌର ଫଟୋଭୋଲଟାଇକ ସେଲ୍ ଏବଂ ମଡ୍ୟୁଲ ନିର୍ମାଣ ବ୍ୟବସ୍ଥା ଆରମ୍ଭ ହୋଇଗଲାଣି । ଏଥିପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ କାର୍ଯ୍ୟ ଚାଲିଛି । ବିଭିନ୍ନ ସ୍ଥାନରେ ନୂଆ ସୌରଶକ୍ତି କେନ୍ଦ୍ର ନିର୍ମାଣ ପାଇଁ ବେସରକାରୀ କ୍ଷେତ୍ରକୁ ଅନୁମୋଦନ ପ୍ରଦାନ କରାଯାଉଛି । ସରକାର ଏ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରୁଛନ୍ତି । ଏହା ଫଳରେ ଉଦ୍ୟମୀ, ଯୁବବର୍ଗ, ଷ୍ଟାର୍ଟଅପ୍, ଏମ୍ଏସ୍ଏମ୍ଇ କ୍ଷେତ୍ରଙ୍କ ପାଇଁ ଲାଭ ଉଠାଇବାର ସୁଯୋଗ ଆସିଛି । ଏହା ନିଯୁକ୍ତି ସୃଷ୍ଟି କରିବା ସହ ଭାରତକୁ ଊର୍ଜ୍ଜା କ୍ଷେତ୍ରରେ ଆତ୍ମନିର୍ଭଶୀଳ କରିବ । ସାଥୀଗଣ, ଆମ ଭିତରେ ଯେତେବେଳେ ଆତ୍ମବିଶ୍ୱାସ ସୃଷ୍ଟି ହେବ ସେତେବେଳେ ଆମେ ଆତ୍ମନିର୍ଭର ହୋଇପାରିବା ଏବଂ ଦେଶ ଆତ୍ମନିର୍ଭରଶୀଳ ହେବ । ଏଥିପାଇଁ ସାରା ଦେଶ ଓ ବ୍ୟବସ୍ଥା ଦେଶବାସୀଙ୍କ ସହ ରହିଛି । କରୋନା ସଂକଟ ଯୋଗୁଁ ସୃଷ୍ଟ ସ୍ଥିତି ମଧ୍ୟରେ ଭାରତ ସେହି ଆତ୍ମବିଶ୍ୱାସ ସୃଷ୍ଟିକାରୀ ପଦକ୍ଷେପ ନେବାରେ ଲାଗିଛି । ଆଗରୁ ଯେଉଁ ସ୍ତର ଓ ବର୍ଗଙ୍କ ପାଖରେ ସରକାର ପହଞ୍ଚିପାରୁନଥିଲା ଏବେ ସେଠି ସରକାରୀ ସମ୍ବଳ, ସମ୍ବେଦନା ଓ ସାମଗ୍ରୀ ପହଞ୍ଚିପାରୁଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଲକ୍ଡାଉନର ଠିକ୍ ପରେ ପରେ 80 କୋଟିରୁ ଅଧିକ ଗରିବ ଭାରତୀୟଙ୍କ ପାଇଁ ମାଗଣା ଖାଦ୍ୟପଦାର୍ଥ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଥିଲା । ଲକ୍ଡାଉନ ଉଠିବା ପରେ ଆଗାମୀ ଦିନର ଆବଶ୍ୟକତା ପୂରଣ ପାଇଁ ସେ ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଦୀପାବଳି, ଛଟ୍ପୂଜା ଆଦି ପର୍ବପର୍ବାଣୀ ଶେଷ ପର୍ଯ୍ୟନ୍ତ ଲୋକଙ୍କୁ ଏହି ସହାୟତା ଯୋଗାଣ ଫଳରେ ସେମାନଙ୍କ ଜୀବନ ସହଜ ଓ ସରଳ ହୋଇପାରିବ ।
ଏହାଦ୍ୱାରା ଗରିବଙ୍କୁ ତ ସାହାଯ୍ୟ ସହଯୋଗ ମିଳିବ; ସଂପୃକ୍ତ ପରିବାରଗୁଡିକୁ ମାଗଣା ରାସନ ନଭେମ୍ବର ପର୍ଯ୍ୟନ୍ତ ଯୋଗାଣ ନିଶ୍ଚିତ କରାଯାଇଥିବାରୁ ସେମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । କେବଳ ଏତିକି ନୁହେଁ, ବେସରକାରୀ ଉଦ୍ୟୋଗର ଲକ୍ଷ ଲକ୍ଷ କର୍ମଚାରୀଙ୍କ ଇପିଏଫ୍ ଖାତାରେ ସରକାର ମଧ୍ୟ ପୂରା ନିଜ ଅଂଶ ପ୍ରଦାନ କରୁଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ମାଧ୍ୟମରେ ସଂପୃକ୍ତ ଉପେକ୍ଷିତ ବର୍ଗଙ୍କ ଆବଶ୍ୟକତା ପୂରଣ କରାଯାଇପାରୁଛି । ପ୍ରଭାବିତ ଠେଲାଗାଡ଼ି ବ୍ୟବସାୟ ଓ ସେହିଭଳି ଛୋଟମୋଟ ବେପାର କରୁଥିବା ଲୋକଙ୍କୁ 10 ହଜାର ଟଙ୍କା ପର୍ଯ୍ୟନ୍ତ ଋଣ କୋହଳ ସୁଧରେ ଯୋଗାଇ ଦିଆଯାଉଛି । ଏହାଛଡା ଛୋଟ ଛୋଟ ଲଘୁ, କୁଟୀର ଓ ବଡ ଉଦ୍ୟୋଗୀଙ୍କ ପାଇଁ ମଧ୍ୟ ଆବଶ୍ୟକ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି ।
ବନ୍ଧୁଗଣ,
ସରକାର ହେଉ ବା ସମାଜ, ସମ୍ବେଦନା ଏବଂ ସତର୍କତା ଏହି ଦୁଇଟି କଥା ଅସୁବିଧା ସମୟରୁ ମୁକୁଳିବାର ଏକ ବଡ ଉପାୟ । ଆପଣମାନେ ଆଜି ଯେତେବେଳେ ମଧ୍ୟପ୍ରଦେଶ ସହିତ ସମଗ୍ର ଦେଶକୁ ଆଗେଇ ନେବାକୁ ଘରୁ ବାହାରକୁ ବାହାରିଛନ୍ତି ସେତେବେଳେ ଆଉ ଗୋଟିଏ ଦାୟିତ୍ୱ ନିଅନ୍ତୁ । ଦୁଇଗଜର ଦୂରତ୍ୱ ରକ୍ଷା, ମୁହଁରେ ମାସ୍କ ଏବଂ ହାତକୁ ସାବୁନ ଲଗାଇ ଅତି କମ୍ରେ 20 ସେକେଣ୍ଡ ପର୍ଯ୍ୟନ୍ତ ଧୁଅନ୍ତୁ । ଏହି ନିୟମକୁ ସର୍ବଦା ପାଳନ କରନ୍ତୁ । ଆଉ ଥରେ ପୁନର୍ବାର ଆପଣମାନଙ୍କୁ ମଧ୍ୟପ୍ରଦେଶର ଏହି ସୌରଶକ୍ତି କେନ୍ଦ୍ର ପାଇଁ ବହୁତ ବହୁତ ଧନ୍ୟବାଦ । ଆପଣ ସତର୍କ, ସୁରକ୍ଷିତ, ସୁସ୍ଥ ରୁହନ୍ତୁ । ମୁଁ ଆପଣଙ୍କ ପାଖରେ ବହୁତ କୃତଜ୍ଞ ।
**********
(Release ID: 1637891)
Visitor Counter : 209
Read this release in:
Punjabi
,
Gujarati
,
Telugu
,
Kannada
,
Malayalam
,
Assamese
,
English
,
Urdu
,
Marathi
,
Hindi
,
Bengali
,
Manipuri
,
Tamil