ଯୋଗାଯୋଗ ମନ୍ତ୍ରଣାଳୟ
ଜରୁରୀ ଖାଦ୍ୟ ପଦାର୍ଥ ଆବଶ୍ୟକ କରୁଥିବା ଲୋକଙ୍କ ଉପରେ ଧ୍ୟାନ ଦେବାକୁ ଡାକ ବିଭାଗକୁ ରବି ଶଙ୍କର ପ୍ରସାଦଙ୍କ ନିର୍ଦ୍ଦେଶ
• ଦୂରଦୂରାନ୍ତ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଉଛି ଡାକ ବିଭାଗ
Posted On:
18 APR 2020 5:02PM by PIB Bhubaneshwar
କୋଭିଡ-19 ସଂକ୍ରମଣ କାଳରେ ଭାରତୀୟ ଡାକ ବିଭାଗ ଏହାର ବିଶାଳ ସଂଗଠନ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ସହାୟତା କରୁଛି । ଯୋଗାଯୋଗ, ଆଇନ, ନ୍ୟାୟ, ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ ପ୍ରତ୍ୟେକ ରାଜ୍ୟର ମୁଖ୍ୟ ମହାଡାକପାଳ ଓ ମୁଖ୍ୟ ସାଧାରଣ ପ୍ରବନ୍ଧକମାନଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ସମଗ୍ର ଦେଶର ଲୋକମାନଙ୍କୁ ସାହାଯ୍ୟକରିବା ନେଇ ଆଲୋଚନା କରିଛନ୍ତି । ବାସ୍ତବ କରୋନା ଯୋଦ୍ଧା ଭାବେ ଡାକ ବିଭାଗ ଦୂର ଦୁରାନ୍ତରେ ଥିବା ଲକ୍ଷ ଲକ୍ଷ ଜନସାଧାରଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାରେ ସକ୍ଷମ ହୋଇଛି ।
ଖାଦ୍ୟ ଓ ଶୁଖିଲା ସଉଦା ସାମଗ୍ରୀ ବଣ୍ଟନ
ଭିଡିଓ କନଫରେନ୍ସ ଜରିଆରେ ଶ୍ରୀ ରବି ଶଙ୍କର ପ୍ରସାଦ ଗରିବ ଓ ଅବହେଳିତ ବ୍ୟକ୍ତିମାନଙ୍କ ନିକଟରେ ଜରୁରି ଖାଦ୍ୟ ସାମଗ୍ରୀ ପହଞ୍ଚାଇବା ଲାଗି ଗୁରୁତ୍ଵ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଡାକ ବିଭାଗର କର୍ମଚାରୀମାନେ ବିଭିନ୍ନ ସହରତଳି, ଦାଦନ ଶ୍ରମିକ ଓ ଦିନ ମଜୁରିଆଙ୍କୁ ଖାଦ୍ୟ, ଶୁଖିଲା ସଉଦାପତ୍ର ଓ ମାସ୍କ ଇତ୍ୟାଦି ବିତରଣ କରୁଛନ୍ତି । ଗତ କିଛିଦିନ ମଧ୍ୟରେ ସେମାନେ 1 ଲକ୍ଷ ଖାଦ୍ୟ ଓ ସଉଦାପତ୍ର ପୁଡିଆ ବଣ୍ଟନ କରିଛନ୍ତି । କେବଳ ଉତ୍ତରପ୍ରଦେଶର ନଇଡା, ଗାଜିଆବାଦ, ଲକ୍ଷ୍ନୌ, ପ୍ରୟାଗରାଜ ଓ ଫଇଜାବାଦ ଅଞ୍ଚଳରେ ସେମାନେ 50 ହଜାର ଖାଦ୍ୟ ଓ ଶୁଖିଲା ସଉଦାପତ୍ର ପୁଡିଆ ଦାଦନ ଓ ନିର୍ମାଣ ଶ୍ରମିକ ଏବଂ ଜରୁରି ଆବଶ୍ୟକ କରୁଥିବା ଲୋକଙ୍କୁ ବାଣ୍ଟିଛନ୍ତି । ସେହିଭଳି ବିହାରରେ 16 ହଜାର ଖାଦ୍ୟ ପୁଡିଆ, 11 ହଜାର ସାବୁନ, ଗ୍ଲୋବ୍ସ, ମାସ୍କ ଓ ସାନିଟାଇଜର ପ୍ୟାକେଟ ସ୍ଵେଚ୍ଛାକୃତ ଭାବେ ବାଣ୍ଟିଛନ୍ତି । ଉଦାହରଣ ସ୍ୱରୂପ ତେଲଙ୍ଗାନାର ହାଇଦ୍ରାବାଦ ମହାନଗରରେ ଲକଡାଉନ ସମୟରେ ଡାକ କର୍ମଚାରୀମାନେ ସରକାରୀ ଭ୍ୟାନରେ 1750 ପରିବାରକୁ ଖାଦ୍ୟ ଓ ଅନ୍ୟାନ୍ୟ ସଉଦାପତ୍ର ବାଣ୍ଟିଛନ୍ତି । ସେହିପରି ନାଗପୁରରେ ପ୍ରାୟ 1500 ଦାଦନ ଶ୍ରମିକଙ୍କୁ ଖାଦ୍ୟ ଓ ଶୁଖିଲା ସଉଦାପତ୍ର ପ୍ରଦାନ କରିଛନ୍ତି । ପଞ୍ଜାବ ଡାକ ମଣ୍ଡଳ ପକ୍ଷରୁ ଭ୍ରାମ୍ୟମାଣ ଗାଡିରେ ନିର୍ମାଣ ଶ୍ରମିକ, ବୁଲାବେପାରୀ, ରିକ୍ସା ଚାଳକ ଓ ପିଜିଆଇ ଚଣ୍ଡିଗଡରେ ଥିବା ରୋଗୀମାନଙ୍କ ସହାୟକ ଓ ଚଣ୍ଡିଗଡର ବିଭିନ୍ନ ଅଞ୍ଚଳରେ ଫସି ରହିଥିବା ଶ୍ରମିକମାନଙ୍କୁ ଖାଦ୍ୟ ପଦାର୍ଥ ବାଣ୍ଟିଛନ୍ତି । ଚଣ୍ଡିଗଡର ଖାଦ୍ୟ ଓ ଯୋଗାଣ ବିଭାଗ ସହଯୋଗରେ ଡାକ କର୍ମଚାରୀମାନେ ମେଲ ଭ୍ୟାନ ଜରିଆରେ ବିଭିନ୍ନ ସ୍ଥାନରେ ଦୁଇ ଓଳି ଖାଦ୍ୟ ପୁଡିଆ ବଣ୍ଟନ କରିଛନ୍ତି । 2000 ରୁ 3500 ପର୍ଯ୍ୟନ୍ତ ଲୋକଙ୍କୁ ଖାଦ୍ୟ ବାଣ୍ଟିବା ସମୟରେ ସେମାନେ ସାମାଜିତ ଦୂରତା ରକ୍ଷା କରି ଏହି କାର୍ଯ୍ୟକ୍ରମ ତୁଲାଇଥିଲେ । ଡାକ ବିଭାଗର ଲାଲ ମେଲ ଗାଡି ଏବେ ଅନେକ ନିରାଶ୍ରୟ ବ୍ୟକ୍ତିମାନଙ୍କ ଆଶାର ବାହନ ସଦୃଶ ହୋଇଛି ଏବଂ ସେମାନେ ଗାଡିର ଆଗମନକୁ ଚାତକ ଭଳି ଚାହିଁ ବସିଛନ୍ତି । ମୁମ୍ବାଇରେ ଡାକ କର୍ମଚାରୀମାନେ ଦାଦନ ଶ୍ରମିକ ଓ ସହରତଳି ଲୋକମାନଙ୍କୁ ଖାଇବା ଦେବା ସହ ସବୁଠୁ ଅଧିକ କରୋନା ପ୍ରଭାବିତ ଧରାଭୀ ଅଞ୍ଚଳରେ ମାସ୍କ ଓ ସାନିଟାଇଜର ବାଣ୍ଟିଛନ୍ତି ।
ଔଷଧପତ୍ର ଯୋଗାଣ ବ୍ୟବସ୍ଥା:
ଲକଡାଉନ କାଳରେ ସାଧାରଣ ଔଷଧପତ୍ର ମିଳୁଥିବା ବେଳେ କର୍କଟ, ବୃକକ ଉପଚାର ଓ ଅନ୍ୟାନ୍ୟ ଗୁରୁତର ରୋଗଗୁଡିକ ପାଇଁ ବିଭିନ୍ନ ସ୍ଥାନରୁ ଔଷଧ ମଗାଇବାକୁ ପଡିଥାଏ । ଏ ସଂକ୍ରାନ୍ତରେ ଦୂରସଞ୍ଚାର ମନ୍ତ୍ରୀଙ୍କୁ ଅନେକ ଲୋକ ପ୍ରସ୍ତାବ ଦେବା ସହ ଟ୍ଵିଟର ଜରିଆରେ ଜଣାଇଥିଲେ । ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରୀ ଡାକ ବିଭାଗକୁ ତ୍ଵରିତ ଡାକସେବା ଜରିଆରେ ଜୀବନ ରକ୍ଷାକାରୀ ଔଷଧ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ଉଦାହରଣ ସ୍ଵରୂପ ଭାରତୀୟ ସେନାର ବରିଷ୍ଠ ଅଧିକାରୀ ସୁଶୀଲ ଯୋଶୀଙ୍କ ପିତା ଏମ.ପି. ଯୋଶୀଙ୍କୁ ସୁଦୂର ଉତ୍ତରାଖଣ୍ଡର ଗୌଚରଠାରେ ଜୀବନ ରକ୍ଷାକାରୀ ଔଷଧ ପହଞ୍ଚାଯାଇଛି । ସେହିପରି MyLabର ଅନୁରୋଧ କ୍ରମେ ଏପ୍ରିଲ 13 ତାରିଖ ଦିନ 11ଟା ବେଳେ ପୁଣେରୁ କୋଭିଡ-19 ପରୀକ୍ଷଣ କିଟ ସଂଗ୍ରହ କରାଯାଇ ଏପ୍ରିଲ 14 ତାରିଖ ଦିନ ସକାଳେ ଗୁଜରାଟର ଅଙ୍କଲେଶ୍ଵରଠାରେ ପହଞ୍ଚାଯାଇଛି । ସେହିଭଳି ତାମିଲନାଡ଼ୁର ଚେନ୍ନାଇରୁ ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ 36 ଘଣ୍ଟା ମଧ୍ୟରେ 40ଟି ଡେଫିବ୍ରିଲେଟର୍ସ ପହଞ୍ଚାଯାଇପାରିଛି । ପୁଡୁଚେରୀରୁ ଭେଣ୍ଟିଲେଟର ଅଣାଯାଇ ଓଡିଶା ଓ ଗୁଜରାଟରେ ପହଞ୍ଚାଯାଇଥିବା ବେଳେ ଟନ ଟନ ଔଷଧପତ୍ର ଓ ଡାକ୍ତରୀ ଉପକରଣ କୋଲକତାରୁ ରାଞ୍ଚି ଓ ସିଲିଗୁଡିଠାରେ ପହଞ୍ଚାଇ ଦିଆଯାଇଛି ।
ଦୂଆର ମୁହଁରେ ଆର୍ଥିକ ସେବା:
ଆଧାରଯୁକ୍ତ ଅର୍ଥ ଉଠାଣ ବ୍ୟବସ୍ଥା ଜରିଆରେ ଡାକ ବିଭାଗ ଘରେ ଘରେ ନଗଦ ଅର୍ଥ ପ୍ରଦାନ ସୁବିଧା କରିଛି । ଏହାଫଳରେ ମନରେଗା, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ବାବଦ ଅର୍ଥକୁ ହିତାଧିକାରୀମାନଙ୍କୁ ପ୍ରତ୍ୟକ୍ଷ ଅର୍ଥ ପଇଠ ବ୍ୟବସ୍ଥା ଜରିଆରେ ପ୍ରଦାନ କରାଯାଉଛି । ଏହି ବ୍ୟବସ୍ଥା ଏତେ ଜନାଦୃତ ହୋଇଛି ଯେ, ଏପ୍ରିଲ 13 ତାରିଖ ଦିନ ଭାରତୀୟ ଡାକ ବିଭାଗର ଅର୍ଥ ପ୍ରଦାନ ବ୍ୟାଙ୍କ 22 କୋଟି 82 ଲକ୍ଷ ଟଙ୍କାରର ନେଣଦେଣ କରିଛି ।
**********
(Release ID: 1615809)
Visitor Counter : 223
Read this release in:
English
,
Malayalam
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada