ଅର୍ଥ ମନ୍ତ୍ରଣାଳୟ
ସଫଳତାର ୧୦ ବର୍ଷ: ବିଶ୍ୱର ସବୁଠାରୁ ବୃହତ୍ ଡିଜିଟାଲ୍ କାରବାର ମାଧ୍ୟମ ଭାବେ ଗ୍ଲୋବାଲ୍ ସ୍ୱୀକୃତି ପାଇଲା ୟୁପିଆଇ
୧.୭୮ କୋଟିରୁ ୨୪,୧୬୨ କୋଟି: କାରବାର ସଂଖ୍ୟାରେ ୧୩,୦୦୦ ଗୁଣ ବୃଦ୍ଧି
₹୦.୦୭ ଲକ୍ଷ କୋଟିରୁ ₹୩୧୪ ଲକ୍ଷ କୋଟି: ୪,୦୦୦ ଗୁଣ ବଢ଼ିଲା ୟୁପିଆଇ କାରବାର ମୂଲ୍ୟ
ଆନ୍ତର୍ଜାତିକ ସ୍ତରରେ ବଢ଼ୁଛି ୟୁପିଆଇ ପ୍ରଭାବ: ୧୧ଟି ଦେଶରେ ଚାଲୁଛି ଭାରତର ଡିଜିଟାଲ୍ ପେମେଣ୍ଟ ସିଷ୍ଟମ୍
प्रविष्टि तिथि:
24 AUG 2026 1:57PM by PIB Bhubaneswar
ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟାମକ ତଦାରଖରେ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ଦ୍ୱାରା ୨୫ ଅଗଷ୍ଟ ୨୦୧୬ରେ ଆରମ୍ଭ ହୋଇଥିବା ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (ୟୁପିଆଇ) ୧୦ ବର୍ଷ ପୂରଣ କରିଛି। ଏହି ୧୦ ବର୍ଷ ମଧ୍ୟରେ ୟୁପିଆଇ ଭାରତରେ ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ବୈପ୍ଲବିକ ରୂପାନ୍ତରଣ ଆଣିଛି। ଏହା ଭାରତର ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାର ମେରୁଦଣ୍ଡ ହେବା ସହ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ଏକ ପ୍ରମୁଖ ଚାଳକ ଭାବରେ ଉଭା ହୋଇଛି।
ଏହି ଗୋଟିଏ ଦଶନ୍ଧିର କାର୍ଯ୍ୟକାଳ ମଧ୍ୟରେ ୟୁପିଆଇ ଅସାଧାରଣ ଅଭିବୃଦ୍ଧି ଏବଂ ଗତିଶୀଳତା ପ୍ରଦର୍ଶନ କରିଛି। ବାର୍ଷିକ କାରବାର ସଂଖ୍ୟା ଆର୍ଥିକ ବର୍ଷ ୨୦୧୬-୧୭ ରେ ମାତ୍ର ୧.୭୮ କୋଟି ଥିବା ବେଳେ ଆର୍ଥିକ ବର୍ଷ ୨୦୨୫-୨୬ରେ ଏହା ବୃଦ୍ଧି ପାଇ ୨୪,୧୬୨ କୋଟିରୁ ଅଧିକ ହୋଇଛି, ଯାହା କାରବାର ପରିମାଣରେ ପ୍ରାୟ ୧୩,୦୦୦ ଗୁଣ ବୃଦ୍ଧିକୁ ଦର୍ଶାଉଛି। ସେହିପରି, ମୋଟ କାରବାରର ମୂଲ୍ୟ ଆର୍ଥିକ ବର୍ଷ ୨୦୧୬-୧୭ରେ ୦.୦୭ ଲକ୍ଷ କୋଟି ଟଙ୍କା ଥିବାବେଳେ ୨୦୨୫-୨୬ ସୁଦ୍ଧା ଏହା ପ୍ରାୟ ୪୦୦୦ ଗୁଣ ବୃଦ୍ଧି ପାଇ ୩୧୪ ଲକ୍ଷ କୋଟିରେ ପହଞ୍ଚିଛି।
ୟୁପିଆଇ ଭାରତର ସାର୍ବଜନୀନ ଡିଜିଟାଲ ଭିତ୍ତିଭୂମିର ଅନ୍ୟତମ ସଫଳ ସ୍ତମ୍ଭ ଭାବରେ ଉଭା ହୋଇଛି। ଏହା ଏକ ପରସ୍ପର ସହ ସଂଯୁକ୍ତ, ରିଅଲ-ଟାଇମ୍ ପେମେଣ୍ଟ ପ୍ଲାଟଫର୍ମ ପ୍ରଦାନ କରେ, ଯାହା ଗୋଟିଏ ଆପ୍ଲିକେସନ୍ ମାଧ୍ୟମରେ ସହଜରେ ବ୍ୟକ୍ତି-ରୁ-ବ୍ୟକ୍ତି ଏବଂ ବ୍ୟକ୍ତି-ରୁ-ବ୍ୟବସାୟିକ କାରବାର କରିବାକୁ ସକ୍ଷମ କରିଥାଏ। ଆଜି ଏହା କୋଟି କୋଟି ବ୍ୟବହାରକାରୀଙ୍କ ପାଇଁ ପସନ୍ଦର ପେମେଣ୍ଟ ମାଧ୍ୟମ ପାଲଟିଛି, ଯାହା ଭାରତର କାରବାର ଶୈଳୀକୁ ବଦଳାଇ ଦେଇଛି। ଡିଜିଟାଲ୍ ବ୍ୟବଧାନକୁ ହ୍ରାସ କରି, ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ଆଗେଇ ନେଇ ଏବଂ ଡିଜିଟାଲ୍ ଆର୍ଥିକ ସେବାର ପହଞ୍ଚକୁ ସମ୍ପ୍ରସାରିତ କରି ୟୁପିଆଇ ସାରା ଦେଶରେ ବ୍ୟକ୍ତି ଏବଂ ସମୁଦାୟକୁ ସଶକ୍ତ କରିବା ସହ ବ୍ୟାପକ ଅର୍ଥନୈତିକ ଭାଗିଦାରୀକୁ ପ୍ରୋତ୍ସାହିତ କରିଛି।
କାରବାର ସଂଖ୍ୟା ଏବଂ ମୂଲ୍ୟର ଏହି ସମାନ୍ତରାଳ ସମ୍ପ୍ରସାରଣ, ଦୈନନ୍ଦିନ ଖୁଚୁରା ପେମେଣ୍ଟରେ ୟୁପିଆଇର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଉଛି। ୟୁପିଆଇ ଦ୍ୱାରା ହାସଲ କରାଯାଇଥିବା ଅଭୂତପୂର୍ବ ପରିମାଣ, ବିଶ୍ୱସନୀୟତା ଏବଂ ଆନ୍ତଃ-କାର୍ଯ୍ୟକ୍ଷମତା ସାରା ବିଶ୍ବରେ ସ୍ୱୀକୃତି ଲାଭ କରିଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ୟୁପିଆଇକୁ କାରବାର ପରିମାଣ ଦୃଷ୍ଟିରୁ ବିଶ୍ୱର ସବୁଠାରୁ ବଡ଼ ରିଅଲ-ଟାଇମ୍ ପେମେଣ୍ଟ ସିଷ୍ଟମ୍ ଭାବରେ ସ୍ୱୀକୃତି ଦେଇଛି, ଯାହା ବିସ୍ତାରଯୋଗ୍ୟ, ସମାବେଶୀ ଏବଂ ଅଭିନବ ସାର୍ବଜନୀନ ଡିଜିଟାଲ ଭିତ୍ତିଭୂମି ନିର୍ମାଣରେ ଭାରତର ନେତୃତ୍ୱକୁ ଦର୍ଶାଉଛି।
(କ) ଏକ ଦଶନ୍ଧିର ସଫଳତା:
୨୦୧୬-୧୭ ଆର୍ଥିକ ବର୍ଷରେ ୟୁପିଆଇ ମାଧ୍ୟମରେ ବାର୍ଷିକ ୧.୭୮ କୋଟି କାରବାର ହେଉଥିବାବେଳେ ୨୦୨୫-୨୬ରେ ଏହା ବୃଦ୍ଧି ପାଇ ୨୪,୧୬୨ କୋଟିରେ ପହଞ୍ଚିଛି। ଏହି ସମୟରେ କାରବାରର ମୂଲ୍ୟ ୦.୦୭ ଲକ୍ଷ କୋଟି ଟଙ୍କାରୁ ୩୧୪ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୨୬ରେ ପ୍ରତିଦିନ ହାରାହାରି ୬୬ କୋଟି ୟୁପିଆଇ କାରବାର ହେଉଛି। ଜୁଲାଇ ୨୦୨୬ରେ ମାସିକ କାରବାର ୨,୩୬୬ କୋଟି ଏବଂ ମୋଟ କାରବାର ମୂଲ୍ୟ ୨୯.୮୮ ଲକ୍ଷ କୋଟି ଟଙ୍କାର ରେକର୍ଡ ଛୁଇଁଛି। ଏହା ସହିତ ୟୁପିଆଇ ସହ ଯୋଡ଼ିଥିବା ବ୍ୟାଙ୍କ ସଂଖ୍ୟା ୨୦୧୬ର ୨୧ରୁ ବଢ଼ି ୨୦୨୬ ଜୁଲାଇ ସୁଦ୍ଧା ୭୪୧ରେ ପହଞ୍ଚିଛି। ୨୦୨୫-୨୬ରେ ଭାରତର ଡିଜିଟାଲ୍ ପେମେଣ୍ଟର ୮୪ ପ୍ରତିଶତ ୟୁପିଆଇ ମାଧ୍ୟମରେ ହୋଇଥିବାବେଳେ, ୨୦୨୫ରେ ବିଶ୍ୱର ରିଅଲ୍-ଟାଇମ୍ ପେମେଣ୍ଟ କାରବାରରେ ଭାରତର ୟୁପିଆଇର ଅଂଶ ୪୯ ପ୍ରତିଶତ ଥିଲା। ବର୍ତ୍ତମାନ ୧୧ଟି ଦେଶରେ ୟୁପିଆଇ ଗ୍ରହଣ କରାଯାଉଛି।
(ଖ) ୨୦୨୬ରେ ମାସିକ ପ୍ରଦର୍ଶନ:
୨୦୨୬ ବର୍ଷଟି ୟୁପିଆଇର ଅଭିବୃଦ୍ଧି ପଥରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଥିଲା। ମେ ୨୦୨୬ ରେ ପ୍ରଥମ ଥର ପାଇଁ ମାସିକ କାରବାର ସଂଖ୍ୟା ୨,୩୦୦ କୋଟି ଅତିକ୍ରମ କରି ୨,୩୨୦ କୋଟିରେ ପହଞ୍ଚିଥିଲା, ଯାହା ଏହାର ବ୍ୟାପକ ଗ୍ରହଣୀୟତାକୁ ଦର୍ଶାଉଛି। ଏହି ଗତି ନିରନ୍ତର ଜାରି ରହି ଜୁଲାଇ ୨୦୨୬ ରେ ୨,୩୬୬ କୋଟି କାରବାର ରେକର୍ଡ କରିଥିଲା, ଯାହା ୟୁପିଆଇର ଏକ ଦଶନ୍ଧି ଧରି ଚାଲିଥିବା ଯାତ୍ରାରେ ସର୍ବାଧିକ ମାସିକ କାରବାର ସଂଖ୍ୟା ଅଟେ।
(ଗ) ୟୁପିଆଇରେ ବ୍ୟାଙ୍କମାନଙ୍କ ଅଭୂତପୂର୍ବ ଅଂଶଗ୍ରହଣ :
ୟୁପିଆଇରେ ସକ୍ରିୟ ଥିବା ବ୍ୟାଙ୍କଗୁଡ଼ିକର ସଂଖ୍ୟା ଆର୍ଥିକ ବର୍ଷ ୨୦୧୬-୧୭ରେ ୪୪ ଟି ବ୍ୟାଙ୍କରୁ ବୃଦ୍ଧି ପାଇ ଆର୍ଥିକ ବର୍ଷ ୨୦୨୫-୨୬ ସୁଦ୍ଧା ୭୦୩ଟି ବ୍ୟାଙ୍କରେ ପହଞ୍ଚିଛି। ଏହି ଯୋଗଦାନରେ ସରକାରୀ କ୍ଷେତ୍ର ବ୍ୟାଙ୍କ, ଘରୋଇ ବ୍ୟାଙ୍କ, ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ, ପେମେଣ୍ଟ ବ୍ୟାଙ୍କ ଏବଂ ସମବାୟ ବ୍ୟାଙ୍କ ଅନ୍ତର୍ଭୁକ୍ତ, ଯାହା ୟୁପିଆଇର ସୁଦୂର ଭୌଗୋଳିକ ପହଞ୍ଚକୁ ସମ୍ଭବ କରିପାରିଛି। ପ୍ରତ୍ୟେକ ବ୍ୟାଙ୍କ ଏକ ରେମିଟର ପିଏସପି (ପଠାଯାଉଥିବା କାରବାର ପ୍ରକ୍ରିୟାକରଣ) ଏବଂ/କିମ୍ବା ଏକ ବେନିଫିସିଆରୀ ପିଏସପି (ଅର୍ଥ ଗ୍ରହଣ କରିବା) ଭାବରେ କାର୍ଯ୍ୟ କରନ୍ତି, ଏବଂ ଏନପିସିଆଇ ସମସ୍ତ ଅଂଶଗ୍ରହଣକାରୀଙ୍କ ପ୍ରଦର୍ଶନ ମାପଦଣ୍ଡ ଉପରେ ନଜର ରଖିଥାଏ।
(ଘ) କାରବାର ବର୍ଗୀକରଣ:
ୟୁପିଆଇ କାରବାରର ବିଶ୍ଳେଷଣରୁ ବିଭିନ୍ନ ପ୍ରକାରର ପେମେଣ୍ଟ୍ କ୍ଷେତ୍ରରେ ପରିମାଣ ଏବଂ ମୂଲ୍ୟ ମଧ୍ୟରେ ଏକ ସ୍ପଷ୍ଟ ପାର୍ଥକ୍ୟ ବାରିହୋଇପଡ଼େ। ମୋଟ କାରବାର ପରିମାଣର ୬୩% ହେଉଛି ବ୍ୟକ୍ତି-ରୁ-ବ୍ୟବସାୟୀ (P2M) କାରବାର, ଯାହା ଅଧିକ ସଂଖ୍ୟକ ଏବଂ କମ୍ ମୂଲ୍ୟର ଖୁଚୁରା ପେମେଣ୍ଟ୍ ପାଇଁ ୟୁପିଆଇର ବ୍ୟାପକ ବ୍ୟବହାରକୁ ଦର୍ଶାଏ। ଏହାର ବିପରୀତରେ, ବ୍ୟକ୍ତି-ରୁ-ବ୍ୟକ୍ତି (P2P) କାରବାରଗୁଡ଼ିକ ମୋଟ କାରବାର ମୂଲ୍ୟର ୭୧% ଅଂଶ ଗ୍ରହଣ କରି ପ୍ରାଧାନ୍ୟ ବିସ୍ତାର କରିଛନ୍ତି, ଯାହା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଅଧିକ ଟଙ୍କାର କାରବାର ପାଇଁ ଏହାର ବ୍ୟବହାରକୁ ସୂଚାଏ। ଏହି ପାର୍ଥକ୍ୟ ସାର୍ବଜନୀନ ଖୁଚୁରା ପେମେଣ୍ଟ୍ ପ୍ଲାଟଫର୍ମ ଏବଂ ଅଧିକ ମୂଲ୍ୟର ଅର୍ଥ ସ୍ଥାନାନ୍ତର ପାଇଁ ଏକ ବିଶ୍ୱସନୀୟ ମାଧ୍ୟମ ଭାବରେ ୟୁପିଆଇର ଦ୍ୱିବିଧ ଭୂମିକାକୁ ସ୍ପଷ୍ଟ କରେ।
(ଙ) ଟିକେଟ୍ ଆକାର ଅନୁସାରେ କାରବାର ବଣ୍ଟନ:
ଆର୍ଥିକ ବର୍ଷ ୨୦୨୫-୨୬ରେ ୟୁପିଆଇମାଧ୍ୟମରେ ମୋଟ ୨୪,୧୬୨ କୋଟି କାରବାର ହୋଇଥିବା ଏହି ପ୍ଲାଟଫର୍ମ ଦେଶବ୍ୟାପୀ ଦୈନନ୍ଦିନ ଡିଜିଟାଲ୍ ପେମେଣ୍ଟ ବ୍ୟବହାରରେ କେତେ ଗଭୀର ଭାବେ ସାମିଲ ହୋଇଛି ତାହା ପ୍ରତିଫଳିତ କରେ। ବିଶେଷକରି ବ୍ୟବସାୟୀ ବା ମର୍ଚ୍ଚାଣ୍ଟ୍ ସେଗମେଣ୍ଟରେ ୟୁପିଆଇର ବ୍ୟବହାରରେ ଦୃଢ଼ ଗତି ଦେଖିବାକୁ ମିଳିଛି। P2M (ବ୍ୟକ୍ତିରୁ ବ୍ୟବସାୟ) କାରବାରର ଅଧିକାଂଶ ଛୋଟ ମୂଲ୍ୟର ପେମେଣ୍ଟ ଦ୍ୱାରା ପରିଚାଳିତ ହୋଇଛି। ଏଥିରୁ ୮୬% କାରବାରର ମୂଲ୍ୟ ୫୦୦ ଟଙ୍କାରୁ କମ୍ ଥିଲା। ଏହା ଦୈନନ୍ଦିନ ଖୁଚୁରା କିଣାକାଟା ଓ ସାଧାରଣ ବ୍ୟବସାୟିକ ଲେଣଦେଣରେ ୟୁପିଆଇ କେତେ ଗଭୀର ଭାବେ ସାମିଲ ହୋଇଛି ତାହା ଦର୍ଶାଏ। ତେବେ ଏହା ସହିତ ଅଧିକ ମୂଲ୍ୟର କାରବାର ମଧ୍ୟ ବୃଦ୍ଧି ପାଇଛି। ସେହିପରି, P2P (ବ୍ୟକ୍ତିରୁ ବ୍ୟକ୍ତି) କାରବାରରେ ମଧ୍ୟ ୫୯% ନେଣଦେଣ ୫୦୦ ଟଙ୍କାରୁ କମ୍ ମୂଲ୍ୟର ଥିଲା। ଅନ୍ୟପକ୍ଷରେ, ୫୦୦ ଟଙ୍କାରୁ ଅଧିକ ମୂଲ୍ୟର ୪୧% କାରବାର ଦର୍ଶାଉଛି ଯେ, ଉଭୟ କମ ମୂଲ୍ୟ ଓ ଅଧିକ ମୂଲ୍ୟର ଅର୍ଥ ଦିଆନିଆ କ୍ଷେତ୍ରରେ ୟୁପିଆଇର ଗ୍ରହଣୀୟତା ବୃଦ୍ଧି ପାଇଛି।
(ଚ) ୟୁପିଆଇର ଅନ୍ତର୍ଜାତୀୟ ସଫଳତା:
ୟୁପିଆଇ ଆଜି ଡିଜିଟାଲ୍ ପେମେଣ୍ଟ୍ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ମାନଦଣ୍ଡରେ ପରିଣତ ହୋଇଛି। ୨୦୨୫ ସୁଦ୍ଧା, ବିଶ୍ୱର ମୋଟ ରିଅଲ-ଟାଇମ୍ (ତତ୍କାଳ) ପେମେଣ୍ଟ୍ କାରବାର ପରିମାଣର ପ୍ରାୟ ୪୯% ଅଂଶ କେବଳ ୟୁପିଆଇ ରହିଛି, ଯାହା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଅଟେ। ଦୈନିକ ୬୬ କୋଟିରୁ ଅଧିକ କାରବାର ପ୍ରକ୍ରିୟାକରଣ ସହିତ, ୟୁପିଆଇ ବିଶ୍ୱର ପ୍ରମୁଖ ପେମେଣ୍ଟ୍ ନେଟୱର୍କଗୁଡ଼ିକୁ ପଛରେ ପକାଇ ଦେଇଛି, ଯାହା ତତ୍କାଳ, ସୁରକ୍ଷିତ ଏବଂ ଅନ୍ତର୍ଭୁକ୍ତିମୂଳକ ଡିଜିଟାଲ୍ ପେମେଣ୍ଟ୍ କ୍ଷେତ୍ରରେ ଭାରତର ବିଶ୍ୱନେତୃତ୍ୱକୁ ଆହୁରି ମଜବୁତ୍ କରିଛି। ୟୁପିଆଇ ସୀମାପାର ଡିଜିଟାଲ୍ ପେମେଣ୍ଟ୍ ପାଇଁ ମଧ୍ୟ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଭାବରେ ଉଭା ହୋଇଛି । ବର୍ତ୍ତମାନ ଏହା ୧୧ଟି ଦେଶରେ କାର୍ଯ୍ୟକ୍ଷମ ଅଛି, ଯଥା: ସଂଯୁକ୍ତ ଆରବ ଏମିରେଟ୍ସ, ଫ୍ରାନ୍ସ, ଭୁଟାନ, ଶ୍ରୀଲଙ୍କା, ନେପାଳ, ସିଙ୍ଗାପୁର, ମରିସସ, କତର, କାମ୍ବୋଡିଆ, ଗ୍ରୀସ ଏବଂ ମାଳଦ୍ୱୀପ।
(ଛ) ୟୁପିଆଇର ଆଗାମୀ ଦଶନ୍ଧି:
ୟୁପିଆଇର ଆଗାମୀ ଦଶନ୍ଧିରେ ଭାରତର ଡିଜିଟାଲ୍ ପେମେଣ୍ଟ୍ ପରିବେଶରେ ଆହୁରି ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ। ୟୁପିଆଇ ଇକୋସିଷ୍ଟମରେ ନୂତନ ବ୍ୟବହାରକାରୀ ଏବଂ ବ୍ୟବସାୟୀମାନଙ୍କୁ ସାମିଲ କରି, ଭାରତ ସରକାର ନିରନ୍ତର ନୀତିଗତ ସହାୟତା, ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି ଏବଂ ବ୍ୟାପକ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ମାଧ୍ୟମରେ ୟୁପିଆଇ-ଚାଳିତ ଉଦ୍ଭାବନର ପରବର୍ତ୍ତୀ ପର୍ଯ୍ୟାୟକୁ ସକ୍ଷମ କରିବା ଏବଂ ଭାରତର ଡିଜିଟାଲ୍ ପେମେଣ୍ଟ୍ ଇକୋସିଷ୍ଟମକୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ରତିବଦ୍ଧ ଅଛନ୍ତି।
TKM
(रिलीज़ आईडी: 2302961)
आगंतुक पटल : 4
इस विज्ञप्ति को इन भाषाओं में पढ़ें:
Khasi
,
English
,
Gujarati
,
Urdu
,
Nepali
,
हिन्दी
,
Marathi
,
Bengali
,
Bengali-TR
,
Assamese
,
Tamil
,
Telugu
,
Kannada
,
Malayalam