ଅର୍ଥ ମନ୍ତ୍ରଣାଳୟ
ନିମ୍ନ ଓ ମଧ୍ୟମ ଆୟ ଅର୍ଥନୀତିମାନଙ୍କ ମଧ୍ୟରେ ଭିତ୍ତିଭୂମି କ୍ଷେତ୍ରରେ ବ୍ୟକ୍ତିଗତ ପୁଞ୍ଜି ନିବେଶରେ ଶ୍ରେଷ୍ଠ ୫ ରାଷ୍ଟ୍ରରେ ସ୍ଥାନ ପାଇଲା ଭାରତ
ପୋଷ୍ଟ କରାଯିବା ଦିନାଙ୍କ:
29 JAN 2026 2:10PM by PIB Bhubaneshwar
- ଉଚ୍ଚ ଗତି କରିଡୋରଗୁଡ଼ିକ ପ୍ରାୟ ଦଶ ଗୁଣ ବୃଦ୍ଧି ପାଇ ୫୫୦ କିଲୋମିଟର (ଆର୍ଥିକ ବର୍ଷ ୧୪)ରୁ ୫,୩୬୪ କିଲୋମିଟର (ଆର୍ଥିକ ବର୍ଷ ୨୬ ଡିସେମ୍ବର ପର୍ଯ୍ୟନ୍ତ) ହୋଇଛି
- ଭାରତ ବିଶ୍ୱର ତୃତୀୟ ବୃହତ୍ ଘରୋଇ ବିମାନ ଚଳାଚଳ ବଜାର ହୋଇଛି, ବିମାନ ବନ୍ଦର ସଂଖ୍ୟା ୨୦୧୪ ମସିହାରେ ୭୪ରୁ ବୃଦ୍ଧି ପାଇ୧୬୪ରେ ପହଞ୍ଚିଛି
- ଉତ୍ତମ କାର୍ଯ୍ୟକାଳ ସହିତ, ବିଶ୍ୱ ବ୍ୟାଙ୍କର ସୂଚକାଙ୍କ ୨୦୨୪ରେ ଶ୍ରେଷ୍ଠ ୧୦୦ଗୋଟି ମଧ୍ୟରେ ଭାରତର ୭ଟି ବନ୍ଦରର ବୈଶିଷ୍ଟ୍ୟ ରହିଛି
- ସାମଗ୍ରିକ ସୌର ଶକ୍ତି ଏବଂ ସ୍ଥାପିତ ସୌରଶକ୍ତି କ୍ଷମତାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି
ଭାରତୀୟ ଅଭିବୃଦ୍ଧି ରଣନୀତିରେ ଭିତ୍ତିଭୂମି କେନ୍ଦ୍ରସ୍ଥଳରେ ରହିଛି । ଆର୍ଥିକ ବର୍ଷ ୨୦୧୫ ଠାରୁ ସାର୍ବଜନୀନ ପୁଞ୍ଜି ବ୍ୟୟ ଏକ ନିରନ୍ତର ଉର୍ଦ୍ଧ୍ୱଗାମୀ ଗତିପଥ ଅନୁସରଣ କରିଆସିଛି । ଏହି ପରିବର୍ତ୍ତନର ଏକ ନିର୍ଣ୍ଣାୟକ ବୈଶିଷ୍ଟ୍ୟ ହେଉଛି ପ୍ରଧାନମନ୍ତ୍ରୀ ଗତି ଶକ୍ତି ମାଧ୍ୟମରେ ବହୁମୁଖୀ ଯୋଜନାଗୁଡ଼ିକର ପ୍ରତିଷ୍ଠାଗତିକରଣ, ଯାହା ଜାତୀୟ ଲଜିଷ୍ଟିକ୍ସ ନୀତି ଏବଂ ଡିଜିଟାଲ ପ୍ଲାଟଫର୍ମ ଦ୍ୱାରା ପରିପୂରକ ଏବଂ ଏହା କାରବାର ବ୍ୟୟ ଏବଂ କାର୍ଯ୍ୟାନ୍ୱୟନ ବିପଦକୁ ହ୍ରାସ କରୁଛି । କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ଅର୍ଥନୈତିକ ସର୍ଭେ ୨୦୨୫-୨୬ ଉପସ୍ଥାପନ କରିବା ଅବସରରେ କହିଛନ୍ତି ।
ସାର୍ବଜନୀନ ପୁଞ୍ଜି ବ୍ୟୟରେ ବିପୁଳ ଅଭିବୃଦ୍ଧି
ଏହି ପରିବର୍ତ୍ତନର ଏକ ମୁଖ୍ୟ ଉପାଦାନ ହେଉଛି ସାର୍ବଜନୀନ ପୁଞ୍ଜି ବ୍ୟୟରେ ବ୍ୟାପକ ଅଭିବୃଦ୍ଧି । ଭାରତ ସରକାରଙ୍କ ପୁଞ୍ଜି ବ୍ୟୟରେ ପ୍ରାୟ ୪.୨ ଗୁଣ ବୃଦ୍ଧି ଘଟିଛି । ୨୦୧୮ ଆର୍ଥିକ ବର୍ଷରେ ଏହା ୨.୬୩ ଲକ୍ଷ କୋଟି ଟଙ୍କା ଥିବାବେଳେ ୨୦୨୬ ଆର୍ଥିକ ବର୍ଷରେ ତାହା ୧୧.୨୧ ଲକ୍ଷ କୋଟି ଟଙ୍କା ଛୁଇଁଛି । ସେହିଭଳି ଆର୍ଥିକ ବର୍ଷ ୨୦୨୬ (ବି.ଇ.)ରେ ପ୍ରଭାବୀ ପୁଞ୍ଜି ବ୍ୟୟ ୧୫.୪୮ ଲକ୍ଷ କୋଟି ଟଙ୍କା, ଭିତ୍ତିଭୂମିକୁ ଏକ ପ୍ରମୁଖ ଅଭିବୃଦ୍ଧିର ବାହକ ଭାବରେ ଉପସ୍ଥାପନ କରିଛି ।
ଭାରତର ଭିତ୍ତିଭୂମି ଆର୍ଥିକ ପରିବର୍ତ୍ତନର ଭୂମି
ଭାରତର ଭିତ୍ତିଭୂମି ଆର୍ଥିକ ପରିଦୃଶ୍ୟରେ ପରିବର୍ତ୍ତନ ଘଟିଛି ଏବଂ ବ୍ୟାଙ୍କ ଋଣ ବ୍ୟତୀତ ନିରବଚ୍ଛିନ୍ନ ଭାବରେ ବିବିଧତାରେ ପରିଣତ ହେଉଛି । ୨୦୨୦ ଠାରୁ ୨୦୨୫ ମଧ୍ୟରେ ବାଣିଜ୍ୟିକ କ୍ଷେତ୍ରକୁ ଏନ.ବି.ଏଫ.ସି, ଋଣ ୪୩.୩ ପ୍ରତିଶତ ସି.ଏ.ଜି.ଆରରେ ବୃଦ୍ଧି ପାଇଛି ବୋଲି ରିପୋର୍ଟ ଦର୍ଶାଇଛି।
ସାର୍ବଜନୀନ ଘରୋଇ ସହଭାଗିତା
୨୦୨୫-୨୬ ଆର୍ଥିକ ବର୍ଷର ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଯେ ବିଶ୍ୱ ବ୍ୟାଙ୍କ ନିମ୍ନ ଏବଂ ମଧ୍ୟମ ଆୟକାରୀ ଅର୍ଥନୀତି ମଧ୍ୟରେ ଭିତ୍ତିଭୂମିରେ ଘରୋଇ ନିବେଶ ଦୃଷ୍ଟିରୁ ଭାରତକୁ ବିଶ୍ୱର ସର୍ବଶ୍ରେଷ୍ଠ ପାଞ୍ଚଗୋଟି ରାଷ୍ଟ୍ରଙ୍କ ମଧ୍ୟରେ ସ୍ଥାନୀତ କରିଛି । ଭାରତ ଦକ୍ଷିଣ ଏସିଆରେ ପି.ପି.ଆଇ. ନିବେଶର ସର୍ବବୃହତ୍ ଗ୍ରହଣକାରୀ ଭାବରେ ମଧ୍ୟ ମୁଣ୍ଡ ଟେକିଛି, ଯାହା ଏହି କ୍ଷେତ୍ରର ମୋଟ ଘରୋଇ ଭିତ୍ତିଭୂମି ନିବେଶର ୯୦ ପ୍ରତିଶତରୁ ଅଧିକ ଥିବା ଦର୍ଶାଯାଇଛି । ଏଭଳି ଦୃଢ଼ ବିଶ୍ୱ ସ୍ଥିତି ଘରୋଇ ଭାବରେ ସରକାରୀ- ଘରୋଇ ସହଭାଗିତା ମୂଲ୍ୟାଙ୍କନ କମିଟି (ପି.ପି.ପି.ଏ.ସି.) ଦ୍ୱାରା ପ୍ରକଳ୍ପ ଅନୁମୋଦନରେ ଉଲ୍ଲେଖନୀୟ ବୃଦ୍ଧିରେ ପ୍ରତିଫଳିତ ହୋଇଛି ।
ମୂଳ ଭୌତିକ ଭିତ୍ତିଭୂମି
ଜାତୀୟ ରାଜମାର୍ଗ
ଭିତ୍ତିଭୂମି ଯଥେଷ୍ଟ ମାତ୍ରାରେ ବିସ୍ତାରିତ ହୋଇଛି । ବର୍ତ୍ତମାନ ଜାତୀୟ ରାଜପଥ ନେଟୱାର୍କରେ ପ୍ରାୟ ୬୦ ପ୍ରତିଶତ ବୃଦ୍ଧି ଘଟିଛି । ୨୦୧୪ ମସିହାରେ ତାହା ୯୧,୨୮୭ କିଲୋମିଟର ଥିବାବେଳେ ୨୦୨୬ ମସିହା ଡିସେମ୍ବର ପର୍ଯ୍ୟନ୍ତ ତାହା ୧,୪୬,୫୭୨ କିଲୋମିଟର ଛୁଇଁଛି ଏବଂ କାର୍ଯ୍ୟକ୍ଷମ ହାଇସ୍ପିଡ୍ କରିଡୋରଗୁଡ଼ିକ ପ୍ରାୟ ଦଶ ଗୁଣ ବଢ଼ିଛି । ୨୦୧୪ ମସିହାରେ ୫୫୦ କିଲୋମିଟରରୁ ୨୦୨୬ ମସିହା ଡିସେମ୍ବର ପର୍ଯ୍ୟନ୍ତ ୫,୩୬୪ କିଲୋମିଟର ହୋଇଛି ।
ରେଳ ଭିତ୍ତିଭୂମି
ସାରା ଦେଶରେ ରେଳ ଭିତ୍ତିଭୂମି ବିସ୍ତାରିତ ହୋଇ ଚାଲିଛି ଏବଂ ମାର୍ଚ୍ଚ ୨୦୨୫ ମସିହା ସୁଦ୍ଧା ରେଳ ନେଟୱାର୍କ ୬୯,୪୩୯ ରୁଟ୍ କିଲୋମିଟର ଛୁଇଁଛି । ଆର୍ଥିକ ବର୍ଷ ୨୦୨୬ରେ ୩,୫୦୦ କିଲୋମିଟର ଲକ୍ଷ୍ୟ ବୃଦ୍ଧି ଏବଂ ଅକ୍ଟୋବର ୨୦୨୫ ସୁଦ୍ଧା ତାହା ୯୯.୧ ପ୍ରତିଶତ ବିଦ୍ୟୁତିକରଣ ଲକ୍ଷ୍ୟ ହାସଲ କରାଯାଇଛି ।
ବେସାମରିକ ବିମାନ ଚଳାଚଳ
ବର୍ତ୍ତମାନ ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍ ଘରୋଇ ବିମାନ ବଜାର ଭାବରେ ମୁଣ୍ଡ ଟେକିଛି । ୨୦୧୪ରେ ଦେଶରେ ୭୪ଟି ବିମାନ ବନ୍ଦର ଥିବାବେଳେ ୨୦୨୫ ମସିହାରେ ତାହା ୧୬୪ ଛୁଇଁଛି । ଆର୍ଥକ ବର୍ଷ ୨୦୨୫ରେ ଭାରତୀୟ ବିମାନ ବନ୍ଦରଗୁଡ଼ିକ ୪୧୨ ନିୟୁତ ଯାତ୍ରୀଙ୍କ ଯାତ୍ରା ପରିଚାଳନା କରିଥିଲା ଏବଂ ଆର୍ଥିକ ବର୍ଷ ୨୦୩୧ ସୁଦ୍ଧା ତାହା ୬୬୫ ନିୟୁତକୁ ବୃଦ୍ଧି ପାଇବାର ଅନୁମାନ କରାଯାଇଛି । ସେହିଭଳି ବିମାନ କାର୍ଗୋ ପରିମାଣ ୨୦୧୫ରେ ୨.୫୩ ନିୟୁତ ମେଟ୍ରିକ ଟନ୍ ଥିବାବେଳେ ୨୦୨୫ରେ ତାହା ୩.୭୨ ନିୟୁତ ମେଟ୍ରିକ ଟନକୁ ଛୁଇଁଛି ।
ବନ୍ଦର ଏବଂ ପରିବହନ
ଭାରତର ସାମୁଦ୍ରିକ ଦୃଷ୍ଟିକୋଣ ୨୦୩୦ ଏବଂ ସାମୁଦ୍ରିକ ଅମୃତ କାଳ ଦୃଷ୍ଟିକୋଣ ୨୦୪୭ ଅଧୀନରେ ବନ୍ଦରମାନଙ୍କର ଭିତ୍ତିୂମିର ଉନ୍ନତିସାଧନ, ନିୟାମନ ଢାଞ୍ଚା ବୃଦ୍ଧି, କାର୍ଯ୍ୟକ୍ରମ ଦକ୍ଷତାରେ ଉନ୍ନତି ଏବଂ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ବୃଦ୍ଧିରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି । ଦେଶର ଆଭ୍ୟନ୍ତରୀଣ ଜଳ ପରିବହନରେ ମଧ୍ୟ ଯଥେଷ୍ଟ ପ୍ରଗତି ଘଟିଛି । ୨୦୨୫ ମସିହା ନଭେମ୍ବର ସୁଦ୍ଧା ୫୧୫୫ କିଲୋମିଟର ବ୍ୟାପୀ ୩୨ଗୋଟି ଜାତୀୟ ଜଳପଥ କାର୍ଯ୍ୟକ୍ଷମ ହୋଇଛି । ଜାହାଜ ନିର୍ମାଣ କ୍ଷେତ୍ରରେ ଭାରତ ୨୦୨୫ ମସିହା ସେପ୍ଟେମ୍ବର ମାସରେ ୬୯,୭୨୫ କୋଟି ଟଙ୍କାର ଏକ ବ୍ୟାପକ ପ୍ୟାକେଜକୁ ଅନୁମୋଦନ କରିଛି ।
ଶକ୍ତି କ୍ଷେତ୍ର
ବିଦ୍ୟୁତ୍ କ୍ଷେତ୍ରରେ ନିରନ୍ତର କ୍ଷମତା ବିସ୍ତାର ଘଟିଚାଲିଛି । ନଭେମ୍ବର ୨୦୨୫ ସୁଦ୍ଧା ସ୍ଥାପିତ କ୍ଷମତା ୧୧.୬ ପ୍ରତିଶତ ବୃଦ୍ଧି ପାଇଁ ୫୦୯.୭୪ ଗିଗାୱାଟ ଛୁଇଁଛି । ଭାରତ ସରକାର ପ୍ରତି ଘରକୁ ନିରନ୍ତର ବିଜୁଳି ଯୋଗା ନିମନ୍ତେ ରାଜ୍ୟ/ ବଣ୍ଟନ ଉପଯୋଗତାଗୁଡ଼ିକୁ ସମର୍ଥନ ଯୋଗାଇବା ଉଦ୍ଦେଶ୍ୟରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।
ଅତଏବ ଅର୍ଥନୈତିକ ସର୍ଭେ ଏହି ସିଦ୍ଧାନ୍ତରେ ପହଁଞ୍ଚିଛି ଯେ, ସାମ୍ପ୍ରତିକ ବର୍ଷମାନଙ୍କରେ ଭାରତର ଭିତ୍ତିଭୂମି ରଣନୀତି ମାତ୍ରା, ସମନ୍ୱୟ ଏବଂ ଗୁଣବତ୍ତା ପ୍ରତି ଏକ ନିର୍ଣ୍ଣାୟକ ପରିବର୍ତ୍ତନକୁ ପ୍ରତିଫଳିତ କରେ ।
*************
(ରିଲିଜ ଆଡି: 2221123)
ପରିଦର୍ଶକ କାଉଣ୍ଟର : 8
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam