ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ତ୍ରିନିଦାଦ ଏବଂ ଟୋବାଗୋର ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
04 JUL 2025 11:37PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୋର୍ଟ ଅଫ୍ ସ୍ପେନସ୍ଥିତ ରାଷ୍ଟ୍ରପତି ଭବନରେ ତ୍ରିନିଦାଦ ଏବଂ ଟୋବାଗୋ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ କ୍ରିଷ୍ଟିନ କାର୍ଲା କାଙ୍ଗାଲୁଙ୍କୁ ସାକ୍ଷାତ କରିଛନ୍ତି । ଏହି ସୌଜନ୍ୟମୂଳକ ସାକ୍ଷାତ ଅତ୍ୟନ୍ତ ଭବ୍ୟ ଥିଲା ଏବଂ ଦୁଇ ଦେଶ ମଧ୍ୟରେ ଥିବା ନିବିଡ଼ ବନ୍ଧୁତାକୁ ପୁନଃ ଉଜ୍ଜୀବିତ କରିଥିଲା ।
ପ୍ରଧାନମନ୍ତ୍ରୀ ତାଙ୍କୁ ଏବଂ ତାଙ୍କ ପ୍ରତିନିଧିମଣ୍ଡଳୀକୁ ପ୍ରଦାନ କରାଯାଇଥିବା ସୌହାର୍ଦ୍ଦ୍ୟପୂର୍ଣ୍ଣ ଆତିଥ୍ୟ ପାଇଁ ଆନ୍ତରିକତାର ସହିତ କୃତଜ୍ଞତା ଜ୍ଞାପନ କରିଥିଲେ । ଏଥିସହିତ 'ଅର୍ଡର ଅଫ୍ ଦି ରିପବ୍ଲିକ୍ ଅଫ୍ ତ୍ରିନିଦାଦ ଆଣ୍ଡ ଟୋବାଗୋ' ସମ୍ମାନରେ ସମ୍ମାନିତ କରିଥିବାରୁ କୃତଜ୍ଞତା ପ୍ରକାଶ କରିଥିଲେ । ଏହା ଭାରତର ୧.୪ ବିଲିୟନ ଲୋକଙ୍କ ପାଇଁ ଏକ ସମ୍ମାନ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ ।
ଚଳିତ ବର୍ଷ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି କାଙ୍ଗାଲୁଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ତାଙ୍କ ବିଶିଷ୍ଟ ଜନସେବା ପାଇଁ ଗଭୀର କୃତଜ୍ଞତା ପ୍ରକାଶ କରିଥିଲେ। ରାଷ୍ଟ୍ରପତି କାଙ୍ଗାଲୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଏବଂ ଭାରତ ପାଇଁ ଥିବା ତାଙ୍କର ଦୃଷ୍ଟିକୋଣକୁ ପ୍ରଶଂସା କରିଥିଲେ ।
ଦୁଇ ନେତା ଉଭୟ ଦେଶ ମଧ୍ୟରେ ଥିବା ସୁଦୃଢ଼ ପାରସ୍ପରିକ ଜନସମ୍ପର୍କ ଉପରେ ଆଧାରିତ ସ୍ଥାୟୀ ସମ୍ପର୍କ ଉପରେ ଆଲୋଚନା କରିଥିଲେ ।
ପ୍ରଧାନମନ୍ତ୍ରୀ ଗ୍ଲୋବାଲ୍ ସାଉଥ୍ ସହଭାଗୀତାକୁ ବୃଦ୍ଧି କରିବା ପାଇଁ ତ୍ରିନିଦାଦ ଏବଂ ଟୋବାଗୋ ଏବଂ CARICOM ପ୍ରତି ଭାରତର ନିରନ୍ତର ସମର୍ଥନକୁ ଦୋହରାଇଥିଲେ । ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି କାଙ୍ଗାଲୁଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ ।
*****
MT
(ରିଲିଜ ଆଡି: 2142392)
ପରିଦର୍ଶକ କାଉଣ୍ଟର : 34
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam