ରାଷ୍ଟ୍ରପତିଙ୍କ ସଚିବାଳୟ
ସାଧାରଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦବୋଧନ
ପୋଷ୍ଟ କରାଯିବା ଦିନାଙ୍କ:
25 JAN 2025 7:17PM by PIB Bhubaneshwar
ମୋର ପ୍ରିୟ ଦେଶବାସୀ,
ନମସ୍କାର!
ଏହି ଐତିହାସିକ ଅବସରରେ ଆପଣମାନଙ୍କୁ ସମ୍ବୋଧିତ କରି ମୁଁ ଆନନ୍ଦିତ। ସାଧାରଣତନ୍ତ୍ର ଦିବସ ଅବସରରେ ମୁଁ ଆପଣମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ୭୫ ବର୍ଷ ପୂର୍ବେ, ଜାନୁଆରୀ ୨୬ ତାରିଖରେ ଭାରତ ଗଣରାଜ୍ୟର ଆଧାର ଗ୍ରନ୍ଥ ଅର୍ଥାତ ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା।
ପ୍ରାୟ ତିନି ବର୍ଷର ବିତର୍କ ପରେ ସମ୍ବିଧାନ ସଭା ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ସମ୍ବିଧାନକୁ ଗ୍ରହଣ କରିଥିଲେ। ୨୦୧୫ ମସିହା ଠାରୁ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ଭାବରେ ପାଳନ କରାଯାଉଛି।
ସାଧାରଣତନ୍ତ୍ର ଦିବସ ପାଳନ ସମସ୍ତ ଦେଶବାସୀଙ୍କ ପାଇଁ ସାମୂହିକ ଉଲ୍ଲାସ ଓ ଗୌରବର ବିଷୟ। ଏହା କୁହାଯାଇପାରେ ଯେ ଗୋଟିଏ ଦେଶର ଇତିହାସରେ ୭୫ ବର୍ଷର ସମୟ ଆଖିର ପଲକ ପକାଇବା ଭଳି ସ୍ୱଳ୍ପ କ୍ଷଣ ହୋଇପାରେ। କିନ୍ତୁ ଭାରତ ପାଇଁ ଗତ ୭୫ ବର୍ଷର ପରିପ୍ରେକ୍ଷୀରେ ଏହା ଆଦୌ କୁହାଯାଇପାରିବ ନାହିଁ ବୋଲି ମୁଁ ଭାବୁଛି। ଏହା ହେଉଛି ସେହି ସମୟ ଯେତେବେଳେ ଭାରତର ଦୀର୍ଘ ଦିନର ସୁପ୍ତ ଆତ୍ମା ପୁଣି ଜାଗ୍ରତ ହୋଇଛି ଏବଂ ଆମ ଦେଶ ବିଶ୍ୱରେ ନିଜର ଉଚିତ ସ୍ଥାନ ଦଖଲ କରିବାକୁ ଆଗେଇ ଆସିଛି। ପୃଥିବୀର ପୁରାତନ ସଭ୍ୟତାରେ ସାମିଲ ଭାରତକୁ ଜୀବନ ଓ ଜ୍ଞାନର ପୀଠ ବୋଲି ବିବେଚନା କରାଯାଉଥିଲା। କିନ୍ତୁ ଭାରତକୁ ଅନ୍ଧକାର ସମୟ ଦେଇ ଗତି କରିବାକୁ ପଡ଼ିଥିଲା। ଔପନିବେଶିକ ଶାସନ ସମୟରେ ଅମାନବୀୟ ଶୋଷଣ ଯୋଗୁଁ ଦେଶରେ ଅତ୍ୟଧିକ ଦାରିଦ୍ର୍ୟ ବୃଦ୍ଧି ପାଇଥିଲା।
ଆଜିର ଦିନରେ ପ୍ରଥମେ ଆମେ ସେହି ବୀର ଯବାନମାନଙ୍କୁ ସ୍ମରଣ କରୁଛୁ ଯେଉଁମାନେ ମାତୃଭୂମିକୁ ବିଦେଶୀ ଶାସନର କବଳରୁ ମୁକ୍ତ କରିବା ପାଇଁ ସବୁଠାରୁ ବଡ଼ ବଳିଦାନ ଦେଇଥିଲେ। ସେମାନଙ୍କ ମଧ୍ୟରୁ କେତେଜଣ ପରିଚିତ ଥିଲେ ମଧ୍ୟ ଅନ୍ୟମାନଙ୍କ ପରିଚୟ ଆଜିଯାଏଁ ଲୋକଲୋଚନକୁ ଆସିପାରିନାହିଁ। ଚଳିତ ବର୍ଷ ଆମେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛୁ। ସେ ହେଉଛନ୍ତି ଅନ୍ୟତମ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ, ଯାହାଙ୍କ ଭୂମିକାକୁ ଏବେ ଆମ ଜାତୀୟ ଇତିହାସ ଦୃଶ୍ୟପଟ୍ଟରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି।
ବିଂଶ ଶତାବ୍ଦୀର ପ୍ରାରମ୍ଭିକ ଦଶନ୍ଧିରେ ସ୍ୱାଧୀନତା ସଂଗ୍ରାମୀଙ୍କ ସଂଘର୍ଷ ସଂଗଠିତ ଦେଶବ୍ୟାପୀ ଆନ୍ଦୋଳନର ରୂପ ନେଇଥିଲା। ଆମ ଦେଶ ଭାଗ୍ୟବାନ ଥିଲା ଯେ ମହାତ୍ମା ଗାନ୍ଧୀ, ରବୀନ୍ଦ୍ରନାଥ ଟାଗୋର ଏବଂ ବାବାସାହେବ ଆମ୍ବେଦକରଙ୍କ ଭଳି ମହାନ ବ୍ୟକ୍ତିତ୍ୱ ଆମ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପୁନର୍ଜୀବିତ କରିଥିଲେ। ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭାଇଚାରା କେବଳ ତାତ୍ତ୍ୱିକ ଧାରଣା ନୁହେଁ ଯାହା ସହ ଆମେ ଆଧୁନିକ ଯୁଗରେ ପରିଚିତ ହୋଇଛୁ। ଏହି ମୂଲ୍ୟବୋଧ ସବୁବେଳେ ଆମ ସଭ୍ୟତା ଓ ସଂସ୍କୃତିର ଏକ ଅଂଶ ହୋଇ ରହିଛି। ନବସ୍ୱାଧୀନ ଭାରତର ସମ୍ବିଧାନ ଓ ଗଣତନ୍ତ୍ରର ଭବିଷ୍ୟତକୁ ନେଇ ସନ୍ଦେହ ପ୍ରକାଶ କରିଥିବା ସମାଲୋଚକମାନେ ଏହାର ମୂଲ୍ୟବୋଧ ଯୋଗୁ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ ହୋଇଥିଲେ।
ଆମର ସମ୍ବିଧାନ ସଭାର ଗଠନ ମଧ୍ୟ ଆମର ଗଣତାନ୍ତ୍ରିକ ମୂଲ୍ୟବୋଧର ସାକ୍ଷୀ ଥିଲା। ଏଥିରେ ଦେଶର ସବୁ ପ୍ରାନ୍ତ ଓ ସମସ୍ତ ସମ୍ପ୍ରଦାୟର ପ୍ରତିନିଧି ଥିଲେ। ସରୋଜିନୀ ନାଇଡୁ, ରାଜକୁମାରୀ ଅମୃତ କୌର, ସୁଚେତା କୃପାଲାନି, ହଂସାବେନ ମେହେଟ୍ଟା ଓ ମାଳତୀ ଚୌଧୁରୀଙ୍କ ଭଳି ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ଏଥିରେ ୧୫ ଜଣ ମହିଳା ସଦସ୍ୟ ଥିଲେ। ଯେତେବେଳେ ବିଶ୍ୱର ଅନେକ ସ୍ଥାନରେ ନାରୀ ସମାନତା କେବଳ ଏକ ସୁଦୂର ଆଦର୍ଶ ଥିଲା, ସେତେବେଳେ ଭାରତରେ ମହିଳାମାନେ ଦେଶର ଭାଗ୍ୟ ଗଢିବାରେ ସକ୍ରିୟ ଭାବରେ ଯୋଗଦାନ କରିଥିଲେ।
ଆମ ସମ୍ବିଧାନ ଏକ ଜୀବନ୍ତ ଦସ୍ତାବିଜରେ ପରିଣତ ହୋଇଛି କାରଣ ଶହ ଶହ ବର୍ଷ ଧରି ଜୀବନ ପ୍ରତି ଆମର ନୈତିକ ଦୃଷ୍ଟିକୋଣରେ ନାଗରିକଙ୍କ ସଚ୍ଚୋଟତାର ଏକ ପ୍ରମୁଖ ଉପାଦାନ ପାଲଟିଛି। ଭାରତୀୟଙ୍କ ହିସାବରେ ଆମ ସମ୍ବିଧାନ ହେଉଛି ଆମର ସାମୂହିକ ପରିଚୟର ମୌଳିକ ଆଧାର, ଯାହା ଆମକୁ ଏକ ପରିବାର ପରି ଏକାଠି କରିଛି। ବିଗତ ୭୫ ବର୍ଷ ଧରି ସମ୍ବିଧାନ ଆମ ପ୍ରଗତିର ମାର୍ଗ ପ୍ରଶସ୍ତ କରିଛି। ଆଜିର ଦିନରେ ଆମେ ସମ୍ବିଧାନ ସଭାର ଡ୍ରାଫ୍ଟିଂ କମିଟି ଅଧ୍ୟକ୍ଷ ଡ. ବିଆର୍ ଆମ୍ବେଦକର, ଅନ୍ୟାନ୍ୟ ବିଶିଷ୍ଟ ସଦସ୍ୟଗଣ, ସମ୍ବିଧାନ ପ୍ରସ୍ତୁତି ସହ ଜଡ଼ିତ ବିଭିନ୍ନ ଅଧିକାରୀ ଏବଂ ଅନ୍ୟମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ, ଯେଉଁମାନଙ୍କ କଠିନ ପରିଶ୍ରମ ଯୋଗୁଁ ଆମକୁ ଏହି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମିଳିପାରିଛି।
ପ୍ରିୟ ଦେଶବାସୀ,
ସମ୍ବିଧାନ ପ୍ରଣୟନ ହେବାର ଏହି ୭୫ ବର୍ଷ ଆମ ଯୁବ ଗଣତନ୍ତ୍ରର ସର୍ବାଙ୍ଗୀନ ପ୍ରଗତିର ସାକ୍ଷୀ। ସ୍ୱାଧୀନତା ସମୟରେ ଏବଂ ଏହା ପରେ ମଧ୍ୟ ଦେଶର ଏକ ବଡ଼ ଭାଗରେ ଅତ୍ୟନ୍ତ ଦାରିଦ୍ର୍ୟ ଓ ଅନାହାର ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ଆମର ଆତ୍ମବିଶ୍ୱାସ କେବେ ବି ହ୍ରାସ ପାଇନଥିଲା। ଆମେ ଏପରି ପରିସ୍ଥିତି ସୃଷ୍ଟି କରିବାକୁ ସଂକଳ୍ପ ନେଇଛୁ ଯେଉଁଥିରେ ସମସ୍ତେ ବିକାଶ ଦିଗରେ ଅଗ୍ରସର ହେବାର ସୁଯୋଗ ପାଇବେ। ଆମର କୃଷକ ଭାଇ ଭଉଣୀମାନେ କଠିନ ପରିଶ୍ରମ କରି ଆମ ଦେଶକୁ ଖାଦ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିଛନ୍ତି। ଭିତ୍ତିଭୂମି ଏବଂ ଉତ୍ପାଦନ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ଆମର ଶ୍ରମିକ ଭାଇ ଭଉଣୀମାନେ ଅକ୍ଳାନ୍ତ ପରିଶ୍ରମ କରିଥିଲେ। ସେମାନଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତୀୟ ଅର୍ଥବ୍ୟବସ୍ଥା ଆଜି ବିଶ୍ୱର ଆର୍ଥିକ ଦୃଶ୍ୟପଟକୁ ପ୍ରଭାବିତ କରୁଛି। ଆଜିର ଭାରତ ଅନ୍ତର୍ଜାତୀୟ ମଞ୍ଚରେ ଏକ ଅଗ୍ରଣୀ ସ୍ଥାନ ହାସଲ କରୁଛି। ସମ୍ବିଧାନରେ ନିର୍ଦ୍ଧାରିତ ଢାଞ୍ଚା ବିନା ଏହି ବ୍ୟାପକ ପରିବର୍ତ୍ତନ ସମ୍ଭବ ହୋଇନଥାନ୍ତା।
ସାମ୍ପ୍ରତିକ ବର୍ଷଗୁଡ଼ିକରେ ଆର୍ଥିକ ଅଭିବୃଦ୍ଧି ହାର କ୍ରମାଗତ ଭାବେ ଅଧିକ ରହିଛି, ଯାହା ଆମ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି, କୃଷକ ଏବଂ ଶ୍ରମିକଙ୍କ ହାତରେ ଅଧିକ ଅର୍ଥ ପହଞ୍ଚାଇଛି ଏବଂ ବହୁ ସଂଖ୍ୟକ ଲୋକଙ୍କୁ ଦାରିଦ୍ର୍ୟରୁ ବାହାରକୁ ଆଣିବାରେ ସଫଳ ହୋଇଛି। ସାହସିକ ଏବଂ ଦୂରଦର୍ଶୀ ଆର୍ଥିକ ସଂସ୍କାର ଦ୍ୱାରା ସମର୍ଥିତ ପ୍ରଗତିର ଏହି ଗତି ଆଗାମୀ ବର୍ଷଗୁଡ଼ିକରେ ଜାରି ରହିବ। ସାମଗ୍ରିକ ଅଭିବୃଦ୍ଧି ହେଉଛି ଆମର ପ୍ରଗତିର ମୂଳଦୁଆ, ଯାହାଦ୍ୱାରା ବିକାଶର ଲାଭ ଆମର ଅଧିକାଂଶ ଦେଶବାସୀଙ୍କ ପାଖରେ ପହଞ୍ଚିପାରୁଛି।
ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଥିବାରୁ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ମୁଦ୍ରା ଯୋଜନା, ଷ୍ଟାଣ୍ଡଅପ୍ ଇଣ୍ଡିଆ ଏବଂ ଅଟଳ ପେନସନ ଯୋଜନା ଭଳି ଆର୍ଥିକ ସହାୟତା ଯୋଜନାକୁ ସମ୍ପ୍ରସାରଣ କରାଯାଇଛି ଯାହା ଫଳରେ ବିଭିନ୍ନ ପ୍ରକାର ଆର୍ଥିକ ସହାୟତା ଅଧିକ ସଂଖ୍ୟକ ଲୋକଙ୍କ ପାଖରେ ପହଞ୍ଚି ପାରୁଛି।
ଏହା ମଧ୍ୟ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଯେ ସରକାର ଜନକଲ୍ୟାଣକୁ ନୂଆ ରୂପ ଦେଇଛନ୍ତି, ଯେଉଁଥିରେ ବାସଗୃହ ଏବଂ ପାନୀୟ ଜଳ ଭଳି ମୌଳିକ ଆବଶ୍ୟକତାକୁ ଅଧିକାର ଭାବରେ ବିବେଚନା କରାଯାଇଛି। ବଞ୍ଚିତ ବର୍ଗ, ବିଶେଷ କରି ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ସହାୟତା କରିବା ପାଇଁ ସମସ୍ତ ଉଦ୍ୟମ କରାଯାଉଛି। ଅନୁସୂଚିତ ଜାତିର ଯୁବକଯୁବତୀଙ୍କ ପାଇଁ ପ୍ରାକ-ମାଟ୍ରିକ୍ ଓ ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି, ଜାତୀୟ ସ୍ତରୀୟ ଓ ବିଦେଶରେ ଶିକ୍ଷା ଗ୍ରହଣ ପାଇଁ ଛାତ୍ରବୃତ୍ତି, ହଷ୍ଟେଲ ଓ କୋଚିଂ ସୁବିଧା ଯୋଗାଇ ଦିଆଯାଉଛି। ପ୍ରଧାନମନ୍ତ୍ରୀ ଅନୁସୂଚିତ ଜାତି ଅଭ୍ୟୁଦୟ ଯୋଜନା ନିଯୁକ୍ତି ଓ ରୋଜଗାର ସୁଯୋଗ ସୃଷ୍ଟି କରି ଅନୁସୂଚିତ ଜାତିର ଦାରିଦ୍ର୍ୟକୁ ଦ୍ରୁତ ଗତିରେ ହ୍ରାସ କରାଇବାରେ ସହାୟକ ହେଉଛି। ଅନୁସୂଚିତ ଜନଜାତି ସମ୍ପ୍ରଦାୟର ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଧରତୀ ଆବା ଆଦିବାସୀ ଗ୍ରାମ ଉତ୍କର୍ଷ ଅଭିଯାନ ଏବଂ ପ୍ରଧାନମନ୍ତ୍ରୀ ଜନଜାତୀୟ ଆଦିବାସୀ ନ୍ୟାୟ ମହା ଅଭିଯାନ, ପିଏମ-ଜନମାନ ସମେତ ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରାଯାଇଛି। ଅଣ-ଅଧିସୂଚିତ, ଯାଯାବର ଓ ଅର୍ଦ୍ଧଯାଯାବର ସମ୍ପ୍ରଦାୟ ପାଇଁ ବିକାଶ ଓ କଲ୍ୟାଣ ବୋର୍ଡ ଗଠନ କରାଯାଇଛି।
ଗତ ଦଶନ୍ଧି ମଧ୍ୟରେ ସଡ଼କ ଓ ରେଳପଥ, ବନ୍ଦର ଏବଂ ପରିବହନ କେନ୍ଦ୍ର ସମେତ ଭୌତିକ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ଏହା ଏକ ମଜଭୁତ ଭିତ୍ତିଭୂମି ବିକଶିତ କରିଛି ଯାହା ଆଗାମୀ ଦଶନ୍ଧିରେ ଅଭିବୃଦ୍ଧି କ୍ଷେତ୍ରରେ ସହାୟତା ପ୍ରଦାନ କରିବ।
ସରକାର ଆର୍ଥିକ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳକୁ ଯେପରି ବ୍ୟବହାର କରୁଛନ୍ତି, ତାହା ଏକ ନିଦର୍ଶନ। ଡିଜିଟାଲ ଦେୟର ବିଭିନ୍ନ ବିକଳ୍ପ ସହିତ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ବ୍ୟବସ୍ଥା ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିଛି, ଯାହାଦ୍ୱାରା ବହୁ ସଂଖ୍ୟକ ଲୋକଙ୍କୁ ଆନୁଷ୍ଠାନିକ ବ୍ୟବସ୍ଥାରେ ସାମିଲ କରାଯାଇ ପାରିଛି। ଏହା ମଧ୍ୟ ବ୍ୟବସ୍ଥାରେ ଅଭୂତପୂର୍ବ ସ୍ୱଚ୍ଛତା ଆଣିଛି। ଏହି ପ୍ରକ୍ରିୟାରେ, କିଛି ବର୍ଷ ମଧ୍ୟରେ, ଆମେ ଏକ ଶକ୍ତିଶାଳୀ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ବିକଶିତ କରିଛୁ ଯାହା ବିଶ୍ୱର ସର୍ବୋତ୍ତମ ମଧ୍ୟରୁ ଅନ୍ୟତମ ହୋଇପାରିଛି।
ଋଣ ପରିଶୋଧ କ୍ଷମତା ଏବଂ ଦେବାଳିଆ ହେବା ଭଳି ପରିସ୍ଥିତିର ମୁକାବିଲା ଲାଗି କେତେକ ସାହସିକ ପଦକ୍ଷେପ ଯୋଗୁଁ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଏବେ ଉତ୍ତମ ସ୍ଥିତିରେ ରହିଛି। ଏହା ଦ୍ୱାରା ନିର୍ଦ୍ଧାରିତ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକର ଅନାଦେୟ ଋଣ କ୍ଷେତ୍ରରେ ଉଲ୍ଲେଖନୀୟ ହ୍ରାସ ଘଟିଛି।
ପ୍ରିୟ ଦେଶବାସୀ,
୧୯୪୭ ମସିହାରେ ଆମେ ସ୍ୱାଧୀନତା ହାସଲ କରିଥିଲୁ, କିନ୍ତୁ ଉପନିବେଶବାଦୀ ମାନସିକତାର ଅନେକ ଅଂଶ ଦୀର୍ଘ ଦିନ ଧରି ରହିଥିଲା। ସାମ୍ପ୍ରତିକ ସମୟରେ ଆମେ ସେହି ମାନସିକତାକୁ ବଦଳାଇବା ପାଇଁ ମିଳିତ ପ୍ରୟାସ କରୁଛୁ। ଏଭଳି ପ୍ରୟାସ ମଧ୍ୟରେ ଭାରତୀୟ ଦଣ୍ଡବିଧି ସଂହିତା, ଅପରାଧିକ ପ୍ରକ୍ରିୟା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଆଇନ ବଦଳରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ପ୍ରଣୟନ ନିଷ୍ପତ୍ତି ସବୁଠାରୁ ଉଲ୍ଲେଖନୀୟ। ନ୍ୟାୟଶାସ୍ତ୍ରର ଭାରତୀୟ ପରମ୍ପରା ଆଧାରରେ ଦଣ୍ଡ ପରିବର୍ତ୍ତେ ନ୍ୟାୟ ଦେବାର ଭାବନାକୁ ଅପରାଧିକ ନ୍ୟାୟ ବ୍ୟବସ୍ଥାର କେନ୍ଦ୍ରରେ ରଖାଯାଇଛି। ଏହାବ୍ୟତୀତ ନୂଆ ଆଇନରେ ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧର ମୁକାବିଲାକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି।
ଏତେଗୁଡିଏ ସଂସ୍କାର ପାଇଁ ସାହସିକ ଦୂରଦୃଷ୍ଟିର ଆବଶ୍ୟକତା ରହିଛି। ଦେଶରେ ଏକକାଳୀନ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ସଂସଦରେ ଉପସ୍ଥାପିତ ହୋଇଥିବା ଏହି ବିଲ୍ ସୁଶାସନକୁ ନୂଆ ଦିଗ ଦେବାର ଆଉ ଏକ ପ୍ରୟାସ। 'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' ବ୍ୟବସ୍ଥା ଶାସନ ନିରନ୍ତରତାକୁ ପ୍ରୋତ୍ସାହିତ କରିବା, ନୀତି ନିର୍ଦ୍ଧାରଣ ସହ ଜଡିତ ନିଷ୍କ୍ରିୟତା ଦୂର କରିବା ଏବଂ ସମ୍ବଳ ଅପଚୟ ରୋକିବା ସହ ଆର୍ଥିକ ବୋଝକୁ ହ୍ରାସ କରିପାରିବ। ଏହା ବ୍ୟତୀତ ଜନସ୍ୱାର୍ଥରେ ଆହୁରି ଅନେକ ଫାଇଦା ମିଳିପାରିବ।
ଆମର ସାଂସ୍କୃତିକ ଐତିହ୍ୟ ସହିତ ଆମ ସମ୍ପର୍କ ଗଭୀର ହୋଇଛି। ଏହି ସମୟରେ ଆୟୋଜିତ ହେଉଥିବା ପ୍ରୟାଗରାଜ ମହାକୁମ୍ଭକୁ ସେହି ସମୃଦ୍ଧ ଐତିହ୍ୟର ଏକ ପ୍ରଭାବଶାଳୀ ଅଭିବ୍ୟକ୍ତି ଭାବରେ ବିବେଚନା କରାଯାଇପାରେ। ସଂସ୍କୃତି କ୍ଷେତ୍ରରେ ଆମ ପରମ୍ପରା ଓ ରୀତିନୀତିର ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ଅନେକ ଉତ୍ସାହଜନକ ପ୍ରୟାସ କରାଯାଉଛି।
ଭାରତ ଏକ ମହାନ ଭାଷାଗତ ବିବିଧତାରେ ସମୃଦ୍ଧ ଦେଶ। ଏହି ସମୃଦ୍ଧିକୁ ବଜାୟ ରଖିବା ଏବଂ ଏହି ପରମ୍ପରାକୁ ଆଗକୁ ବଢ଼ାଇବା ପାଇଁ ସରକାର ଆସାମୀ, ବଙ୍ଗଳା, ମରାଠୀ, ପାଲି ଓ ପ୍ରାକୃତକୁ ଶାସ୍ତ୍ରୀୟ ଭାଷା ଭାବେ ମାନ୍ୟତା ଦେଇଛନ୍ତି। ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ, ମାଲାୟଲମ ଏବଂ ଓଡ଼ିଆ ଭାଷା ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ ହୋଇସାରିଛି। ସରକାର ବର୍ତ୍ତମାନ ଏହି ୧୧ଟି ଶାସ୍ତ୍ରୀୟ ଭାଷାରେ ଗବେଷଣା କାର୍ଯ୍ୟକୁ ସକ୍ରିୟ ଭାବରେ ପ୍ରୋତ୍ସାହିତ କରୁଛନ୍ତି।
ଗୁଜରାଟର ବଡନଗରରେ ଥିବା ଭାରତର ପ୍ରଥମ ପ୍ରତ୍ନତାତ୍ତ୍ୱିକ ଅନୁଭୂତି ସଂଗ୍ରହାଳୟର କାର୍ଯ୍ୟ ଶେଷ ହେବାକୁ ଯାଉଥିବାରୁ ମୁଁ ଆନନ୍ଦିତ। ଏହି ସଂଗ୍ରହାଳୟ ଏକ ପ୍ରତ୍ନତାତ୍ତ୍ୱିକ ସ୍ଥାନ ସହ ସଂଯୁକ୍ତ। ଏହି ସ୍ଥାନରେ ଖ୍ରୀଷ୍ଟପୂର୍ବ ୮୦୦ରେ ମନୁଷ୍ୟ ବସବାସର ପ୍ରମାଣ ମିଳେ। ଏହି ମ୍ୟୁଜିୟମରେ ବିଭିନ୍ନ ଯୁଗର କଳା, ହସ୍ତଶିଳ୍ପ ଓ ସାଂସ୍କୃତିକ ସାମଗ୍ରୀ ପ୍ରଦର୍ଶିତ ହେବ।
ପ୍ରିୟ ଦେଶବାସୀ,
ଆଜିର ଯୁବପିଢ଼ି ଆସନ୍ତାକାଲିର ଭାରତ ନିର୍ମାଣ କରିବେ। ଆମ ଯୁବପିଢ଼ିଙ୍କ ପ୍ରତିଭା ଶିକ୍ଷା ମାଧ୍ୟମରେ ଆହୁରି ଉନ୍ନତ ହୋଇଥାଏ। ସେଥିପାଇଁ ସରକାର ଶିକ୍ଷା କ୍ଷେତ୍ରରେ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବା ସହ ଶିକ୍ଷାର ପ୍ରତ୍ୟେକ ମାନରେ ଉନ୍ନତି ଆଣିବା ପାଇଁ ମିଳିତ ପ୍ରୟାସ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଫଳାଫଳ ଉତ୍ସାହଜନକ ରହିଛି। ଗତ ଦଶନ୍ଧି ମଧ୍ୟରେ ଶିକ୍ଷାର ଗୁଣବତ୍ତା, ଭୌତିକ ଭିତ୍ତିଭୂମି ଏବଂ ଡିଜିଟାଲ ଅନ୍ତର୍ଭୁକ୍ତୀକରଣର ଦିଗ ନାଟକୀୟ ଭାବେ ପରିବର୍ତ୍ତନ ହୋଇଛି। ଶିକ୍ଷାର ବିଭିନ୍ନ ସ୍ତରରେ ଆଞ୍ଚଳିକ ଭାଷାକୁ ଶିକ୍ଷାର ମାଧ୍ୟମ ଭାବେ ପ୍ରୋତ୍ସାହିତ କରାଯାଉଛି। ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନରେ ଆଶାନୁରୂପ ଉନ୍ନତି ଘଟିଛି। ମୁଁ ଏହା ଜାଣି ଆନନ୍ଦିତ ଯେ ଶିକ୍ଷୟିତ୍ରୀମାନେ ଏହି ପରିବର୍ତ୍ତନରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଗତ ଦଶନ୍ଧି ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ମଧ୍ୟରୁ ୬୦ ପ୍ରତିଶତରୁ ଅଧିକ ହେଉଛନ୍ତି ମହିଳା।
ଧନ୍ଦାମୂଳକ ଶିକ୍ଷା ଓ ଦକ୍ଷତା ବିକାଶର ସମ୍ପ୍ରସାରଣ ଓ ମୁଖ୍ୟ ସ୍ରୋତରେ ସାମିଲ ହେବା ଏକ ସ୍ୱାଗତଯୋଗ୍ୟ ଉପଲବ୍ଧି। ଏହି ପ୍ରକ୍ରିୟାକୁ ଆଗେଇ ନେଇ ଏବେ କର୍ପୋରେଟ୍ କ୍ଷେତ୍ରରେ ଆମର ଯୁବବର୍ଗଙ୍କୁ ଯୋଜନାବଦ୍ଧ ଭାବେ ଇଣ୍ଟର୍ନସିପ୍ ସୁଯୋଗ ଯୋଗାଇ ଦିଆଯାଉଛି।
ବିଦ୍ୟାଳୟସ୍ତରୀୟ ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହିତ ଶିକ୍ଷାର ବିଭିନ୍ନ ଶାଖା, ବିଶେଷ କରି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଆମ ଦେଶ ନୂତନ ସଫଳତା ହାସଲ କରୁଛି। ବୌଦ୍ଧିକ ସମ୍ପତ୍ତି ଦାଖଲ କ୍ଷେତ୍ରରେ ଭାରତ ବିଶ୍ୱର ଷଷ୍ଠ ସ୍ଥାନରେ ରହିଛି। ବିଶ୍ୱ ଉଦ୍ଭାବନ ସୁଚକାଙ୍କରେ ଭାରତର ମାନ୍ୟତା କ୍ରମାଗତ ଭାବେ ବୃଦ୍ଧି ହେଉଛି। ୨୦୨୦ରେ ଭାରତ ୪୮ତମ ସ୍ଥାନରେ ଥିଲା। ସ୍ଥିତିରେ ସୁଧାର ଆଣି ୨୦୨୪ରେ ଭାରତ ୩୯ତମ ସ୍ଥାନକୁ ଅଗ୍ରସର ହୋଇଛି।
ବୃଦ୍ଧି ପାଉଥିବା ଆତ୍ମବିଶ୍ୱାସ ସହିତ, ଆମେ ଅନେକ ପଦକ୍ଷେପ ମାଧ୍ୟମରେ ଅତ୍ୟାଧୁନିକ ଗବେଷଣାରେ ଆମର ଅଂଶଗ୍ରହଣ ବଢ଼ାଉଛୁ। ବୈଷୟିକ ଜ୍ଞାନକୌଶଳର ଏହି ନୂତନ କ୍ଷେତ୍ରରେ ଏକ ଜୀବନ୍ତ ଏବଂ ଅଭିନବ ଇକୋ-ସିଷ୍ଟମ ବିକଶିତ କରିବା ହେଉଛି ଜାତୀୟ କ୍ୱାଣ୍ଟମ ମିଶନର ଉଦ୍ଦେଶ୍ୟ। ଅନ୍ୟ ଏକ ଉଲ୍ଲେଖନୀୟ ପଦକ୍ଷେପ ହେଉଛି ଆନ୍ତଃ ବିଭାଗୀୟ ସାଇବର ଫିଜିକାଲ ସିଷ୍ଟମ ଉପରେ ଜାତୀୟ ମିଶନର ସହଯୋଗ। ଏହା ଅଧୀନରେ କୃତ୍ରିମ ବୁଦ୍ଧିମତା, ମସିନ୍ ଲର୍ଣ୍ଣିଂ, ରୋବୋଟିକ୍ସ ଏବଂ ସାଇବର ସୁରକ୍ଷା ଭଳି ଅନେକ ଉନ୍ନତ ଜ୍ଞାନକୌଶଳ ଉପରେ କାମ କରିବାର ଯୋଜନା ରହିଛି। ପୂର୍ବରୁ ଏହି ଜ୍ଞାନକୌଶଳକୁ ସୁଦୂର ଭବିଷ୍ୟତ ବୋଲି ବିବେଚନା କରାଯାଉଥିଲା, କିନ୍ତୁ ବର୍ତ୍ତମାନ ଏହା ଦ୍ରୁତ ଗତିରେ ଆମ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଛି।
ଜିନୋମ ଇଣ୍ଡିଆ ପ୍ରକଳ୍ପ କେବଳ ପ୍ରକୃତିର ରହସ୍ୟ ଆବିଷ୍କାର ପାଇଁ ଏକ ଆକର୍ଷଣୀୟ ଅଭିଯାନ ନୁହେଁ, ବରଂ ଏହା ଭାରତୀୟ ବିଜ୍ଞାନ ଇତିହାସରେ ଏକ ନିର୍ଣ୍ଣାୟକ ଅଧ୍ୟାୟ । ଏହାର ଫ୍ଲାଗସିପ୍ କାର୍ଯ୍ୟକ୍ରମ ଅଧୀନରେ ୧୦ ହଜାର ଭାରତୀୟଙ୍କ ଜିନୋମ ସିକ୍ୱେନ୍ସିଂ ଚଳିତ ମାସ ପ୍ରାରମ୍ଭରେ ଗବେଷଣା ପାଇଁ ଉପଲବ୍ଧ କରାଯାଇଥିଲା। ଜ୍ଞାନର ନୂତନ ରହସ୍ୟ ଉନ୍ମୋଚନ କରିଥିବା ଏହି ପ୍ରକଳ୍ପ ଜୈବ-ପ୍ରଯୁକ୍ତି ବିଦ୍ୟା ଗବେଷଣା କ୍ଷେତ୍ରରେ ନୂତନ ମାର୍ଗ ଉନ୍ମୁକ୍ତ କରିବା ସହ ସାର୍ବଜନୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରିବ।
ଭାରତୀୟ ମହାକାଶ ଗବେଷଣା ସଂଗଠନ ଗତ କିଛି ବର୍ଷ ମଧ୍ୟରେ ମହାକାଶ ବିଜ୍ଞାନ କ୍ଷେତ୍ରରେ ବଡ଼ ସଫଳତା ହାସଲ କରିଛି। ଚଳିତ ମାସରେ ଇସ୍ରୋ ନିଜର ସଫଳ ସ୍ପେସ୍ ଡକିଂ ପରୀକ୍ଷଣ ଦ୍ୱାରା ପୁଣି ଥରେ ଦେଶକୁ ଗର୍ବିତ କରିଛି। ଏହି ସାମର୍ଥ୍ୟ ହାସଲ କରିବାରେ ଭାରତ ଏବେ ବିଶ୍ୱର ଚତୁର୍ଥ ଦେଶ ପାଲଟିଛି।
ଏକ ରାଷ୍ଟ୍ର ଭାବରେ ଆମର ବଢୁଥିବା ଆତ୍ମବିଶ୍ୱାସ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ପ୍ରତିଫଳିତ ହେଉଛି ଆମ ଖେଳାଳିମାନେ ସଫଳତାର ଚମତ୍କାର ଅଧ୍ୟାୟ ସୃଷ୍ଟି କରିଛନ୍ତି। ଗତବର୍ଷ ଅଲିମ୍ପିକ୍ କ୍ରୀଡ଼ାରେ ଆମ କ୍ରୀଡ଼ାବିତମାନେ ଭଲ ପ୍ରଦର୍ଶନ କରିଥିଲେ। ସଦ୍ୟତମ ପାରାଲିମ୍ପିକ୍ କ୍ରୀଡ଼ାରେ ଆମେ ସର୍ବବୃହତ ଦଳ ପଠାଇଥିଲୁ, ଯେଉଁମାନେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଫିଡେ ଚେସ୍ ଅଲିମ୍ପିଆଡରେ ଆମ ଖେଳାଳିମାନେ ସେମାନଙ୍କ ପ୍ରଦର୍ଶନ ଦ୍ୱାରା ବିଶ୍ୱ ସମୁଦାୟକୁ ପ୍ରଭାବିତ କରିଥିଲେ ଏବଂ ଉଭୟ ପୁରୁଷ ଏବଂ ମହିଳା ଖେଳାଳି ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୦୨୪ ମସିହାରେ ଡି.ଗୁକେଶ ସର୍ବକନିଷ୍ଠ ବିଶ୍ବ ବିଜେତା ହୋଇ ଇତିହାସ ସୃଷ୍ଟି କରିଥିଲେ।
ସମଗ୍ର ଦେଶରେ ତୃଣମୂଳ ସ୍ତରରେ ପ୍ରଶିକ୍ଷଣ ସୁବିଧାରେ ବହୁତ ଉନ୍ନତି ହୋଇଛି ଏବଂ ଏହା ଯୋଗୁ ଆମ କ୍ରୀଡ଼ାବିତମାନେ ବିଜୟୀ ହୋଇ ଆମକୁ ଗର୍ବିତ କରିଛନ୍ତି। ଏଥିସହିତ ସେମାନେ ପରବର୍ତ୍ତୀ ପିଢ଼ିକୁ ଆହୁରି ଉଚ୍ଚ ଲକ୍ଷ୍ୟ ହାସଲ ପାଇଁ ପ୍ରେରଣା ଦେଇଛନ୍ତି।
ବିଦେଶରେ ରହୁଥିବା ଆମର ଭାଇ ଭଉଣୀମାନେ ଆମ ସଂସ୍କୃତି ଓ ସଭ୍ୟତାର ସବୁଠାରୁ ସମୃଦ୍ଧ ଦିଗକୁ ବିଶ୍ୱର ବିଭିନ୍ନ ସ୍ଥାନରେ ପହଞ୍ଚାଇଛନ୍ତି ଏବଂ ଅନେକ କ୍ଷେତ୍ରରେ ସେମାନଙ୍କର ସଫଳତା ଦ୍ୱାରା ଆମକୁ ଗର୍ବିତ କରିଛନ୍ତି। ଭାରତର ଗୌରବ ସହ ସେମାନେ ସର୍ବଦା ସାମିଲ ହୋଇଛନ୍ତି। ଚଳିତ ମାସ ପ୍ରାରମ୍ଭରେ ପ୍ରବାସୀ ଭାରତୀୟ ଦିବସ ଅବସରରେ ମୁଁ କହିଥିଲି ଯେ, ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନରେ ପ୍ରବାସୀ ଭାରତୀୟଙ୍କ ସକ୍ରିୟ ଏବଂ ଉତ୍ସାହଜନକ ଅଂଶଗ୍ରହଣ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ରହିଛି।
ପ୍ରିୟ ଦେଶବାସୀ,
ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଏବଂ ମହତ୍ୱପୂର୍ଣ୍ଣ ପ୍ରଗତି ବଳରେ ଆମେ ଦୃଢତାର ସହ ଭବିଷ୍ୟତ ଆଡକୁ ଅଗ୍ରସର ହେଉଛୁ। ଆମର ଯୁବପିଢ଼ି, ବିଶେଷ କରି ଆମ ଝିଅମାନେ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବେ। ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବା ସମୟରେ ଯୁବପିଢିଙ୍କ ସ୍ୱପ୍ନରେ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ଆକାର ନେଉଛି ଏବଂ ଆଜିର ପିଲାମାନେ ୨୦୫୦ ଜାନୁଆରୀ ୨୬ ତାରିଖରେ ଜାତୀୟ ପତାକାକୁ ନମସ୍କାର କରୁଥିବା ବେଳେ ସେମାନେ ସେମାନଙ୍କ ପରବର୍ତ୍ତୀ ପିଢ଼ିକୁ କହିବେ ଯେ ଆମ ଅବିଶ୍ୱସନୀୟ ସମ୍ବିଧାନରୁ ମିଳିଥିବା ମାର୍ଗଦର୍ଶନ ବିନା ଆମ ଦେଶର ଗୌରବର ଯାତ୍ରା ସମ୍ଭବ ହୋଇନଥାନ୍ତା।
ସ୍ୱାଧୀନ ଭାରତର ଆଦର୍ଶକୁ ଆମ ଭବିଷ୍ୟତ ପିଢ଼ି ବିଶ୍ୱ ମଞ୍ଚରେ ଅନୁଭବ କରିବେ। ମୁଁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତାକୁ ଦୋହରାଇବାକୁ ଚାହେଁ। ବାପୁ କହିଥିଲେ, ଯଦି ସ୍ୱରାଜର ଅର୍ଥ ଆମକୁ ସଭ୍ୟ କରିବା ଏବଂ ଆମ ସଭ୍ୟତାକୁ ଶୁଦ୍ଧ ଓ ସ୍ଥାୟୀ କରିବା ନୁହେଁ, ତେବେ ଏହାର କୌଣସି ମୂଲ୍ୟ ନାହିଁ। ଆମ ସଭ୍ୟତାର ମୂଳ କଥା ହେଉଛି, ରାଜନୈତିକ ହେଉ ଅବା ବ୍ୟକ୍ତିଗତ, ଆମର ସମସ୍ତ କାର୍ଯ୍ୟରେ ନୈତିକତାକୁ ସର୍ବୋତ୍ତମ ସ୍ଥାନ ଦେବା।"
ଆଜିର ଦିନରେ ଆସନ୍ତୁ ଗାନ୍ଧିଜୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଇବା। ସତ୍ୟ ଓ ଅହିଂସାର ତାଙ୍କ ଆଦର୍ଶ ବିଶ୍ୱ ସମୁଦାୟ ପାଇଁ ପ୍ରାସଙ୍ଗିକ ରହିବ। ସେ ଆମକୁ ଏହା ମଧ୍ୟ ଶିଖାଇଥିଲେ ଯେ ଅଧିକାର ଏବଂ କର୍ତ୍ତବ୍ୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ସତ କଥା ହେଉଛି କର୍ତ୍ତବ୍ୟ ହେଉଛି ଅଧିକାରର ପ୍ରକୃତ ଉତ୍ସ। ଆସନ୍ତୁ ସମସ୍ତଙ୍କ ପ୍ରତି କରୁଣା ବିଷୟରେ ତାଙ୍କର ଶିକ୍ଷାକୁ ସ୍ମରଣ କରିବା। ସେ କହୁଥିଲେ ଯେ କେବଳ ମଣିଷ ନୁହେଁ ବରଂ ଆମ ଆଖପାଖରେ ଥିବା ପଶୁପକ୍ଷୀ, ଗଛଲତା, ନଦୀ ଓ ପର୍ବତ ପ୍ରତି ମଧ୍ୟ ଆମର କରୁଣା ରହିବା ଉଚିତ।
ଜଳବାୟୁ ପରିବର୍ତ୍ତନର ବିଶ୍ୱ ସଙ୍କଟର ମୁକାବିଲା ପାଇଁ ପ୍ରୟାସରେ ଯୋଗଦାନ କରିବା ଆମ ସମସ୍ତଙ୍କ ଦାୟିତ୍ୱ ଅଟେ। ଏ ଦିଗରେ ଦୁଇଟି ଦୃଷ୍ଟାନ୍ତମୂଳକ ପ୍ରୟାସ କରାଯାଇଛି। ବିଶ୍ୱସ୍ତରରେ ଭାରତ 'ପରିବେଶ ପାଇଁ ଜୀବନଶୈଳୀ ଅଭିଯାନ' ନାମକ ଏକ ଜନ ଆନ୍ଦୋଳନର ନେତୃତ୍ୱ ନେଉଛି। ପରିବେଶର ସୁରକ୍ଷା ଓ ପ୍ରୋତ୍ସାହନ ଦିଗରେ ବ୍ୟକ୍ତି ବିଶେଷ ଓ ସମ୍ପ୍ରଦାୟକୁ ଅଧିକ ସକ୍ରିୟ ହେବାକୁ ପ୍ରେରଣା ଦେବା ଏହାର ଉଦ୍ଦେଶ୍ୟ। ଗତବର୍ଷ ବିଶ୍ୱ ପରିବେଶ ଦିବସ ଅବସରରେ ଆମେ ‘ମାଙ୍କ ନାମରେ ଗଛଟିଏ’ ବାର୍ତ୍ତା ନେଇ ଏକ ନିଆରା ଅଭିଯାନ ଆରମ୍ଭ କରିଥିଲୁ, ଯେଉଁଥିରେ ମା’ଙ୍କ ସହ ଜୀବନ ଦାୟିନୀ ପ୍ରକୃତିର ପୋଷଣ ଶକ୍ତି ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ଏହି ଅଭିଯାନରେ ଧାର୍ଯ୍ୟ ସମୟ ପୂର୍ବରୁ ୮୦ କୋଟି ଚାରା ରୋପଣ ଲକ୍ଷ୍ୟ ଶେଷ ହୋଇଥିଲା। ଏଭଳି ଅଭିନବ ପ୍ରୟାସରୁ ବିଶ୍ୱ ସମୁଦାୟ ନିଶ୍ଚୟ ଶିଖିପାରିବ। ଲୋକମାନେ ଏଭଳି ପ୍ରୟାସକୁ ଏକ ଆନ୍ଦୋଳନ ଭାବେ ଗ୍ରହଣ କରିପାରିବେ।
ପ୍ରିୟ ଦେଶବାସୀ,
ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଉଛି। ମୁଁ ସୀମାର ସୁରକ୍ଷା କରୁଥିବା ଆମର ଯବାନ ଏବଂ ସୀମା ମଧ୍ୟରେ ଦେଶକୁ ସୁରକ୍ଷିତ ରଖିଥିବା ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀର ଯବାନମାନଙ୍କୁ ଅଭିନନ୍ଦନ ଜଣାଉଛି। ନ୍ୟାୟପାଳିକା, ପ୍ରଶାସନିକ ସେବା ଅଧିକାରୀ ଏବଂ ବିଦେଶରେ ଥିବା ଆମର ଦୂତାବାସର ସଦସ୍ୟମାନଙ୍କୁ ମଧ୍ୟ ମୋର ଅଭିନନ୍ଦନ ଜଣାଉଛି। ମୁଁ ଆପଣମାନଙ୍କୁ ଆପଣଙ୍କ ପ୍ରୟାସରେ ସଫଳତା କାମନା କରୁଛି।
ଧନ୍ୟବାଦ!
ଜୟ ହିନ୍ଦ !
ଜୟ ଭାରତ!
***********
(ରିଲିଜ ଆଡି: 2096368)
ପରିଦର୍ଶକ କାଉଣ୍ଟର : 218
ଏହି ରିଲିଜ ପଢନ୍ତୁ :
Tamil
,
Kannada
,
Malayalam
,
Assamese
,
English
,
Khasi
,
Urdu
,
हिन्दी
,
Nepali
,
Marathi
,
Bengali
,
Manipuri
,
Bengali-TR
,
Punjabi
,
Gujarati
,
Telugu