ରାଷ୍ଟ୍ରପତିଙ୍କ ସଚିବାଳୟ

ପ୍ରଥମ ଜାତୀୟ ମହାକାଶ ଦିବସ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି

Posted On: 23 AUG 2024 1:31PM by PIB Bhubaneshwar

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ଅଗଷ୍ଟ ୨୩, ୨୦୨୪) ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ପ୍ରଥମ ଜାତୀୟ ମହାକାଶ ଦିବସ ଉତ୍ସବରେ ଯୋଗ ଦେଇଛନ୍ତି । ଅଗଷ୍ଟ ୨୩, ୨୦୨୩ରେ ଚନ୍ଦ୍ର ପୃଷ୍ଠରେ 'ବିକ୍ରମ' ଲ୍ୟାଣ୍ଡରର ସଫଳ ଅବତରଣ ସ୍ମୃତିରେ ଜାତୀୟ ମହାକାଶ ଦିବସ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି 'ରୋବୋଟିକ୍ସ ଚ୍ୟାଲେଞ୍ଜ' ଓ 'ଭାରତୀୟ ଅନ୍ତରୀକ୍ଷ ହାକାଥନ୍'ର ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ ଯେ ଇସ୍ରୋ ଏହାର ପ୍ରାରମ୍ଭିକ ଦିନରୁ ଏକ ଚମତ୍କାର ଯାତ୍ରା ଜାରି ରଖିଛି । ମହାକାଶ କ୍ଷେତ୍ରରେ ଏହା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହା ସହ ଇସ୍ରୋ ଦେଶର ସାମାଜିକ ଓ ଅର୍ଥନୈତିକ ବିକାଶରେ ଅମୂଲ୍ୟ ଅବଦାନ ରଖିଛି । ସର୍ବନିମ୍ନ ସମ୍ବଳ ବ୍ୟବହାର କରି ଭାରତର ମହାକାଶ କାର୍ଯ୍ୟକ୍ରମକୁ ବିଶ୍ୱର ଶ୍ରେଷ୍ଠ ମହାକାଶ କାର୍ଯ୍ୟକ୍ରମ ମଧ୍ୟରେ ସ୍ଥାନିତ କରିଥିବା ସମର୍ପିତ ବୈଜ୍ଞାନିକମାନଙ୍କୁ ସେ ପ୍ରଶଂସା କରିଥିଲେ। ମହାକାଶ ବିଜ୍ଞାନରେ ଆମ ଦେଶ ନିରନ୍ତର ପ୍ରଗତି କରିବ ଏବଂ ଆମେ ଉତ୍କର୍ଷତାର ନୂତନ ମାନଦଣ୍ଡ ସ୍ଥାପିତ କରିବା ଜାରି ରଖିବୁ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ।

ରାଷ୍ଟ୍ରପତି କହିଥିଲେ ଯେ ଭାରତର ମହାକାଶ କ୍ଷେତ୍ରର ଅଗ୍ରଗତି ଅସାଧାରଣ। ସୀମିତ ସମ୍ବଳ ରେ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଥିବା ମଙ୍ଗଳ ଅଭିଯାନ ହେଉ କିମ୍ବା ଏକାଥରକେ ଶହେରୁ ଅଧିକ ଉପଗ୍ରହର ସଫଳ ଉତକ୍ଷେପଣ ହେଉ, ଆମେ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛୁ।

ରାଷ୍ଟ୍ରପତି କହିଥିଲେ ଯେ ମହାକାଶ ଗବେଷଣା ମଣିଷର ସାମର୍ଥ୍ୟ ବୃଦ୍ଧି କରିଛି ଏବଂ ଆମର କଳ୍ପନାକୁ ବାସ୍ତବରେ ପରିଣତ କରିଛି । କିନ୍ତୁ ମହାକାଶ ଗବେଷଣା ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ। ମହାକାଶ ଅନୁସନ୍ଧାନ ସମୟରେ ସମସ୍ୟାର ସମାଧାନ ପାଇଁ କରାଯାଇଥିବା ଗବେଷଣା ବିଜ୍ଞାନର ବିକାଶକୁ ତ୍ୱରାନ୍ୱିତ କରିଥାଏ ଏବଂ ମାନବ ଜୀବନରେ ଉନ୍ନତି ଆଣିଥାଏ । ସ୍ୱାସ୍ଥ୍ୟ ଓ ଔଷଧ, ପରିବହନ, ନିରାପତ୍ତା, ଶକ୍ତି, ପରିବେଶ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ସମେତ ମହାକାଶ କ୍ଷେତ୍ରର ବିକାଶ ଦ୍ୱାରା ଅନେକ କ୍ଷେତ୍ର ଉପକୃତ ହୋଇଛନ୍ତି ।

ଘରୋଇ କ୍ଷେତ୍ର ପାଇଁ ମହାକାଶ କ୍ଷେତ୍ର ଖୋଲିବା ସହ ଷ୍ଟାର୍ଟଅପ୍ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି ବୋଲି ରାଷ୍ଟ୍ରପତି ଦର୍ଶାଇଥିଲେ। ଏହା କେବଳ ମହାକାଶ ଗବେଷଣାରେ ଅଗ୍ରଗତି ଆଣିନାହିଁ ବରଂ ଆମର ଯୁବପିଢ଼ିଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ଏବଂ ଉନ୍ନତି ପାଇଁ ନୂତନ ସୁଯୋଗ ଦେଇଛି । କିଛି ମାସ ତଳେ ଏକ ଭାରତୀୟ କମ୍ପାନି ସିଙ୍ଗଲ ପିସ୍ ଥ୍ରୀଡି ପ୍ରିଣ୍ଟେଡ୍ ସେମି କ୍ରାୟୋଜେନିକ୍ ଇଞ୍ଜିନ୍ ଚାଳିତ ରକେଟ୍ କୁ ସଫଳତାର ସହ ଉତକ୍ଷେପଣ କରିଥିଲା, ଯାହା କି ପ୍ରଥମ ସଫଳତା।

ଭବିଷ୍ୟତର ଆହ୍ୱାନ ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ରାଷ୍ଟ୍ରପତି କହିଛନ୍ତି। ମହାକାଶ ଆବର୍ଜନା ମହାକାଶ ଅଭିଯାନ ପାଇଁ ସମସ୍ୟା ସୃଷ୍ଟି କରିପାରେ । ମହାକାଶ ଗବେଷଣା କାର୍ଯ୍ୟକଳାପର ନିରନ୍ତର ଅଗ୍ରଗତିକୁ ସୁନିଶ୍ଚିତ କରିବା ପାଇଁ ପରିଚାଳିତ ହେଉଥିବା 'ଇସ୍ରୋ ସିଷ୍ଟମ୍ ଫର୍ ସେଫ୍ ଆଣ୍ଡ ସଷ୍ଟେନେବଲ୍ ଅପରେସନ୍ ମ୍ୟାନେଜମେଣ୍ଟ' ସୁବିଧାକୁ ସେ ପ୍ରଶଂସା କରିଥିଲେ। ୨୦୩୦ ସୁଦ୍ଧା ଭାରତ ନିଜର ସମସ୍ତ ମହାକାଶ ଅଭିଯାନକୁ ଆବର୍ଜନାମୁକ୍ତ କରିବା ଦିଗରେ ଆଗେଇ ଚାଲିଛି ବୋଲି ସେ ଖୁସି ବ୍ୟକ୍ତ କରିଛନ୍ତି।

ରାଷ୍ଟ୍ରପତିଙ୍କ ଅଭିଭାଷଣ ଦେଖିବା ପାଇଁ ଦୟାକରି ଏଠାରେ କ୍ଲିକ୍ କରନ୍ତୁ -

 

BS



(Release ID: 2048231) Visitor Counter : 24