ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜୁନ୍ ୨୦ ଓ ୨୧ରେ ଜାମ୍ମୁ - କାଶ୍ମୀର ଗସ୍ତ କରିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଜାମ୍ମୁ ଓ କାଶ୍ମୀରରେ ୧,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୮୪ଟି ବୃହତ୍ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ

ପ୍ରଧାନମନ୍ତ୍ରୀ ୧୮୦୦ କୋଟି ଟଙ୍କାର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ପ୍ରତିଯୋଗିତାମୂଳକ ଉନ୍ନତି ପ୍ରକଳ୍ପ (ଜେକେସିଆଇପି) ର ଶୁଭାରମ୍ଭ କରିବେ

ଶ୍ରୀନଗରରେ ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ ଉତ୍ସବର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ

ଦଶମ ଅନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ ହେଉଛି "ନିଜ ପାଇଁ ଓ ସମାଜ ପାଇଁ ଯୋଗ"

Posted On: 19 JUN 2024 4:26PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୨୦ ଏବଂ ୨୧, ୨୦୨୪ ରେ ଜାମ୍ମୁ ଓ କାଶ୍ମୀର ଗସ୍ତ କରିବେ ।

ଜୁନ୍ ୨୦ ତାରିଖ ସନ୍ଧ୍ୟା ପ୍ରାୟ ୬ଟାରେ ପ୍ରଧାନମନ୍ତ୍ରୀ ଶ୍ରୀନଗରସ୍ଥିତ ଶେର-ଇ-କାଶ୍ମୀର ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର (ଏଏସ୍‌କେଆଇସିସି)ରେ 'ଯୁବ ସଶକ୍ତିକରଣ, ଜାମ୍ମୁ- କାଶ୍ମୀରର ରୂପାନ୍ତରଣ' କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ଜାମ୍ମୁ ଓ କାଶ୍ମୀରରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ । ସେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ପ୍ରତିଯୋଗିତାମୂଳକ ଉନ୍ନତି ପ୍ରକଳ୍ପ (ଜେକେସିଆଇପି)ର ଶୁଭାରମ୍ଭ କରିବେ ।

ଜୁନ୍ ୨୧ ତାରିଖ ସକାଳ ପ୍ରାୟ ସାଢ଼େ ୬ଟାରେ ପ୍ରଧାନମନ୍ତ୍ରୀ ଶ୍ରୀନଗରର ଏସ୍‌କେଆଇସିସି ଠାରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବେ ଏବଂ ଏହା ପରେ ସିୱାଇପି ଯୋଗ ଅଧିବେଶନରେ ଅଂଶଗ୍ରହଣ କରିବେ ।

ଯୁବଗୋଷ୍ଠୀଙ୍କୁ ସଶକ୍ତିକରଣ, ଜାମ୍ମୁ – କାଶ୍ମୀରର ରୂପାନ୍ତରଣ

"ଯୁବଗୋଷ୍ଠୀଙ୍କୁ ସଶକ୍ତିକରଣ, ଜାମ୍ମୁ - କାଶ୍ମୀରର ରୂପାନ୍ତରଣ" କାର୍ଯ୍ୟକ୍ରମ ଏହି ଅଞ୍ଚଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ, ଯେଉଁଥିରେ ପ୍ରଗତି ପ୍ରଦର୍ଶନ ଏବଂ ଯୁବ ସଫଳତା ହାସଲକାରୀଙ୍କୁ ପ୍ରେରଣା ପ୍ରଦାନ କରାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଷ୍ଟଲ୍ ଗୁଡ଼ିକର ସମୀକ୍ଷା କରିବା ସହ ଜାମ୍ମୁ - କାଶ୍ମୀରର ଯୁବବର୍ଗଙ୍କ ସହ ଆଲୋଚନା କରିବେ ।

ପ୍ରଧାନମନ୍ତ୍ରୀ ୧୫୦୦ କୋଟିରୁ ଅଧିକ ମୂଲ୍ୟର ୮୪ଟି ବୃହତ୍ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଏହି ଉଦ୍‌ଘାଟନୀ ଉତ୍ସବରେ ସଡ଼କ ଭିତ୍ତିଭୂମି, ଜଳ ଯୋଗାଣ ଯୋଜନା ଏବଂ ଉଚ୍ଚଶିକ୍ଷା ସମ୍ବନ୍ଧୀୟ ଭିତ୍ତିଭୂମି ଇତ୍ୟାଦି ପ୍ରକଳ୍ପ ଅନ୍ତର୍ଭୁକ୍ତ ହେବ । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଚେନାନି - ପଟନିଟପ - ନାଶରୀ କ୍ଷେତ୍ରର ଉନ୍ନତି, ଶିଳ୍ପାଞ୍ଚଳର ବିକାଶ ଏବଂ ୦୬ଟି ସରକାରୀ ଡିଗ୍ରୀ କଲେଜ ନିର୍ମାଣ ଭଳି ପ୍ରକଳ୍ପର ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ୧,୮୦୦ କୋଟି ଟଙ୍କାର କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ପ୍ରତିଯୋଗିତାମୂଳକ ଉନ୍ନତି (ଜେକେସିଆଇପି) ପ୍ରକଳ୍ପର ଶୁଭାରମ୍ଭ କରିବେ । ଜାମ୍ମୁ - କାଶ୍ମୀରର ୨୦ଟି ଜିଲ୍ଲାର ୯୦ଟି ବ୍ଲକ୍‌ରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ଏବଂ ଏଥିରେ ୧୫ ଲକ୍ଷ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରି ୩,୦୦,୦୦୦ ପରିବାରକୁ ସାମିଲ କରାଯିବ ।

ସରକାରୀ ଚାକିରି ପାଇଥିବା ୨୦୦୦ରୁ ଅଧିକ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତି ପତ୍ର ବଣ୍ଟନ କରିବେ ।

ଏହି ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ / ଉଦଘାଟନ ଏବଂ ଶୁଭାରମ୍ଭ ଯୁବକମାନଙ୍କୁ ସଶକ୍ତ କରିବ ଏବଂ ଜାମ୍ମୁ- କାଶ୍ମୀରରେ ଭିତ୍ତିଭୂମି କ୍ଷେତ୍ରରେ ଉନ୍ନତି ଆଣିବ ।

ଅନ୍ତର୍ଜାତୀୟ ଯୋଗ ଦିବସ

ଜୁନ୍ ୨୧, ୨୦୨୪ ରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିୱାଇ) ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀନଗରର ଏସକେଆଇସିସି ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ଉତ୍ସବର ନେତୃତ୍ୱ ନେବେ । ଚଳିତ ବର୍ଷର କାର୍ଯ୍ୟକ୍ରମ ଯୁବ ମନ ଓ ଶରୀର ଉପରେ ଯୋଗର ଗଭୀର ପ୍ରଭାବକୁ ଦର୍ଶାଉଛି । ଏହି ଉତ୍ସବର ଉଦ୍ଦେଶ୍ୟ ହେଉଛି ହଜାର ହଜାର ଲୋକଙ୍କୁ ଯୋଗ ଅଭ୍ୟାସରେ ଏକାଠି କରିବା, ବିଶ୍ୱସ୍ତରରେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ।

୨୦୧୫ ରୁ ପ୍ରଧାନମନ୍ତ୍ରୀ ଦିଲ୍ଲୀ, ଚଣ୍ଡିଗଡ଼, ଡେରାଡୁନ, ରାଞ୍ଚି, ଲକ୍ଷ୍ନୌ, ମହୀଶୁର ଏବଂ ଏପରିକି ନ୍ୟୁୟର୍କରେ ଥିବା ଜାତିସଂଘ ମୁଖ୍ୟାଳୟ ସମେତ ବିଭିନ୍ନ ପ୍ରସିଦ୍ଧ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିୱାଇ) ପାଳନର ନେତୃତ୍ୱ ନେଉଛନ୍ତି ।

ଚଳିତ ବର୍ଷର ବିଷୟବସ୍ତୁ "ନିଜ ପାଇଁ ଓ ସମାଜ ପାଇଁ ଯୋଗ" ଉଭୟ ବ୍ୟକ୍ତିଗତ ଏବଂ ସାମାଜିକ କଲ୍ୟାଣକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଛି । ଏହି କାର୍ଯ୍ୟକ୍ରମ ତୃଣମୂଳ ସ୍ତରର ଯୋଗରେ ଅଂଶଗ୍ରହଣ ଏବଂ ଗ୍ରାମାଞ୍ଚଳରେ ଯୋଗର ପ୍ରସାରକୁ ପ୍ରୋତ୍ସାହିତ କରିବ ।

***

SSP



(Release ID: 2026804) Visitor Counter : 29