ଅର୍ଥ ମନ୍ତ୍ରଣାଳୟ

ଛାତ ଉପରେ ସୌରୀକରଣ ଦ୍ୱାରା ଏକ କୋଟି ପରିବାର ପ୍ରତି ମାସରେ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ପାଇ ପାରିବେ


ସାର୍ବଜନୀନ ପରିବହନ ପାଇଁ ଅଧିକ ଇ - ବସ୍ ଗ୍ରହଣକୁ ଦେୟ ସୁରକ୍ଷା ବ୍ୟବସ୍ଥା ମାଧ୍ୟମରେ ପ୍ରୋତ୍ସାହିତ କରାଯିବ: ଅର୍ଥ ମନ୍ତ୍ରୀ

ପରିବେଶ ଅନୁକୂଳ ବିକଳ୍ପ ପ୍ରଦାନ ପାଇଁ ଜୈବ – ଉତ୍ପାଦନ ଏବଂ ବାୟୋ - ଫାଉଣ୍ଡ୍ରିର ଏକ ନୂତନ ଯୋଜନା

Posted On: 01 FEB 2024 12:47PM by PIB Bhubaneshwar

ଏକ ସର୍ବାଙ୍ଗୀନ, ସର୍ବବ୍ୟାପୀ ଏବଂ ସର୍ବସମାବେଶୀ ବିକାଶ ପ୍ରତି ସରକାରଙ୍କ ଆଭିମୁଖ୍ୟକୁ ପ୍ରୋତ୍ସାହିତ କରିବା ସହିତ, କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ଅନ୍ତରୀଣ ବଜେଟ୍ ୨୦୨୪-୨୦୨୫ ଉପସ୍ଥାପନ କରିବା ସମୟରେ ସବୁଜ ଅଭିବୃଦ୍ଧି ଏବଂ ନବୀକରଣୀୟ ଶକ୍ତିର ପ୍ରୋତ୍ସାହନ ପାଇଁ ଅନେକ ପଦକ୍ଷେପ ସମ୍ପର୍କରେ ଘୋଷଣା କରିଛନ୍ତି ।

ଛାତ ଉପରେ ସୌରୀକରଣ ଏବଂ ମାଗଣା ବିଦ୍ୟୁତ୍‌

ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ଛାତ ଉପରେ ସୌରୀକରଣ ମାଧ୍ୟମରେ ଏକ କୋଟି ପରିବାର ପ୍ରତି ମାସରେ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ପାଇ ପାରିବେ । ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠାର ଐତିହାସିକ ଦିନରେ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପକୁ ଅନୁସରଣ କରି ଏହି ଯୋଜନା କରାଯାଇଛି । ଏଥିରୁ ଆଶା କରାଯାଉଥିବା ଫାଇଦା ଗୁଡ଼ିକ ନିମ୍ନଲିଖିତ ପ୍ରକାରର ଅଟେ :

(କ) ମାଗଣା ସୌର ବିଦ୍ୟୁତ୍ ଏବଂ ବଳକା ଶକ୍ତି ବିତରଣ କମ୍ପାନୀ ମାନଙ୍କୁ ବିକ୍ରି କରି ପରିବାରମାନଙ୍କ ପାଇଁ ବାର୍ଷିକ ପନ୍ଦରରୁ ଅଠର ହଜାର ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ହୋଇପାରିବ

 (ଖ) ଇଲେକ୍ଟ୍ରିକ୍ ଗାଡ଼ି ଚାର୍ଜ ହୋଇ ପାରିବ;

(ଗ) ଯୋଗାଣ ଏବଂ ସଂସ୍ଥାପନ ପାଇଁ ବହୁ ସଂଖ୍ୟକ ବିକ୍ରେତାଙ୍କ ପାଇଁ ଉଦ୍ୟମିତା ସୁଯୋଗ ;

(ଘ) ଉତ୍ପାଦନ, ପ୍ରତିଷ୍ଠା ଏବଂ ରକ୍ଷଣାବେକ୍ଷଣ କ୍ଷେତ୍ରରେ ବୈଷୟିକ ଦକ୍ଷତା ଥିବା ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ;

ସବୁଜ ଶକ୍ତି

୨୦୭୦ ସୁଦ୍ଧା 'ନେଟ୍ ଜିରୋ' ର ପ୍ରତିଶ୍ରୁତି ପୂରଣ କରିବା ଉଦ୍ଦେଶ୍ୟରେ ଶ୍ରୀମତୀ ସୀତାରମଣ ଅନ୍ତରୀଣ ବଜେଟ୍ ୨୦୨୪ - ୨୫ରେ ନିମ୍ନଲିଖିତ ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ପ୍ରସ୍ତାବ ଦେଇଥିଲେ: 

(କ) ଏକ ଗିଗା - ୱାଟ୍‌ର ପ୍ରାରମ୍ଭିକ କ୍ଷମତା ପାଇଁ ଉପକୂଳ ପବନ ଶକ୍ତି ସମ୍ଭାବନାକୁ ଉପଯୋଗ କରିବା ନିମନ୍ତେ ବ୍ୟବହାର୍ଯ୍ୟତା ଅନ୍ତରାଳ ପାଣ୍ଠି ପ୍ରଦାନ କରାଯିବ ।

(ଖ) ୨୦୩୦ ସୁଦ୍ଧା ୧୦୦ ମେଟ୍ରିକ୍ ଟନ୍ କୋଇଲା ଗ୍ୟାସିଫିକେସନ୍ ଏବଂ ତରଳୀକରଣ କ୍ଷମତା ସ୍ଥାପନ କରାଯିବ । ଏହା ପ୍ରାକୃତିକ ଗ୍ୟାସ, ମିଥାନଲ ଏବଂ ଆମୋନିଆ ଆମଦାନୀ ହ୍ରାସ କରିବାରେ ମଧ୍ୟ ସହାୟକ ହେବ । 

(ଗ) ପରିବହନ ପାଇଁ କମ୍ପ୍ରେସ୍ଡ୍ ପ୍ରାକୃତିକ ଗ୍ୟାସ (ସିଏନ୍‌ଜି)ରେ କମ୍ପ୍ରେସ୍ଡ୍ ବାୟୋ ଗ୍ୟାସ୍ (ସିବିଜି) ଏବଂ ଘରୋଇ ଉଦ୍ଦେଶ୍ୟରେ ପାଇପ୍ ମାଧ୍ୟମରେ ପ୍ରାକୃତିକ ଗ୍ୟାସ୍ (ପିଏନଜି)ର ପର୍ଯ୍ୟାୟକ୍ରମେ ମିଶ୍ରଣ ବାଧ୍ୟତାମୂଳକ କରାଯିବ ।

(ଘ) ସଂଗ୍ରହରେ ସହାୟତା ପାଇଁ ବାୟୋମାସ୍ ଏକତ୍ରୀକରଣ ଯନ୍ତ୍ରପାତି କ୍ରୟ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯିବ ।

ଇଲେକ୍ଟ୍ରିକ୍ ଯାନ ପାରିବେଶିକ ବ୍ୟବସ୍ଥା

"ଆମ ସରକାର ଉତ୍ପାଦନ ଏବଂ ଚାର୍ଜିଂ ଭିତ୍ତିଭୂମିକୁ ସମର୍ଥନ କରି ଇ - ଯାନ ପାରିବେଶିକ ବ୍ୟବସ୍ଥାକୁ ସମ୍ପ୍ରସାରଣ ଏବଂ ସୁଦୃଢ଼ କରିବେ", ବୋଲି ଅର୍ଥ ମନ୍ତ୍ରୀ ଘୋଷଣା କରିଥିଲେ ଏବଂ ଏହା ସହିତ ଦେୟ ସୁରକ୍ଷା ବ୍ୟବସ୍ଥା ମାଧ୍ୟମରେ ସର୍ବସାଧାରଣ ପରିବହନ ନେଟୱାର୍କ ପାଇଁ ଇ – ବସ୍‌ର ଅଧିକ ଗ୍ରହଣକୁ ପ୍ରୋତ୍ସାହିତ କରାଯିବ ।

ଜୈବ ଉତ୍ପାଦନ ଏବଂ ବାୟୋ - ଫାଉଣ୍ଡ୍ରି

ସବୁଜ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଶ୍ରୀମତୀ ସୀତାରମଣ ଏକ ନୂତନ ଯୋଜନା ସମ୍ପର୍କରେ ପ୍ରସ୍ତାବ ଦେଇଥିଲେ ।

ଜୈବ ଉତ୍ପାଦନ ଏବଂ ବାୟୋ - ଫାଉଣ୍ଡ୍ରି ଯାହା ଜୈବ ଅବକ୍ଷୟ ଯୋଗ୍ୟ ପଲିମର, ଜୈବ - ପ୍ଲାଷ୍ଟିକ୍‌, ବାୟୋ - ଫାର୍ମାସ୍ୟୁଟିକାଲ୍ସ ଏବଂ ବାୟୋ – ଏଗ୍ରି - ଇନପୁଟ୍ ଭଳି ପରିବେଶ ଅନୁକୂଳ ବିକଳ୍ପ ପ୍ରଦାନ କରିବ । ଏହି ଯୋଜନା ଆଜିର ଉପଭୋକ୍ତା ଉତ୍ପାଦନ ପ୍ରଣାଳୀକୁ ପୁନରୁଦ୍ଧାର ନୀତି ଆଧାରରେ ରୂପାନ୍ତରିତ କରିବାରେ ମଧ୍ୟ ସହାୟକ ହେବ ବୋଲି ସେ କହିଛନ୍ତି ।

*****

SSP



(Release ID: 2002047) Visitor Counter : 51