ରାଷ୍ଟ୍ରପତିଙ୍କ ସଚିବାଳୟ

ସଂସଦରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ

Posted On: 31 JAN 2024 12:35PM by PIB Bhubaneshwar

ସମ୍ମାନିତ ସଦସ୍ୟ,

୧. ଏହି ନୂତନ ସଂସଦ ଭବନରେ ଏହା ମୋର ପ୍ରଥମ ଅଭିଭାଷଣ । "ସ୍ୱାଧୀନତାର ଅମୃତ କାଳ" ର ପ୍ରାରମ୍ଭରେ ଏହି ଭବ୍ୟ ଭବନ ନିର୍ମାଣ କରାଯାଇଛି ।

 ଏହା 'ଏକ ଭାରତ ଶ୍ରେଷ୍ଠ ଭାରତ' ର ସୁଗନ୍ଧରେ ପରିପୂର୍ଣ୍ଣ ଏବଂ ଭାରତର ସଭ୍ୟତା ଓ ସଂସ୍କୃତିର ପ୍ରମାଣ ।

ଏହା ଆମର ଗଣତାନ୍ତ୍ରିକ ଏବଂ ସଂସଦୀୟ ପରମ୍ପରାକୁ ସମ୍ମାନ ଦେବାର ସଂକଳ୍ପକୁ ମଧ୍ୟ ପ୍ରତିଫଳିତ କରେ ।

 ଏହା ବ୍ୟତୀତ , ଏହା ଏକବିଂଶ ଶତାବ୍ଦୀର ନୂତନ ଭାରତ ପାଇଁ ନୂତନ ପରମ୍ପରା ସୃଷ୍ଟି କରିବାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ।

 ମୋର ବିଶ୍ୱାସ ଯେ ଏହି ନୂତନ ଭବନ ଆମ ସ୍ୱାଧୀନତାର ଅମୃତ କାଳରେ 'ବିକଶିତ ଭାରତ' ସଂକଳ୍ପକୁ ଆକାର ଦେଉଥିବା ନୀତି ଉପରେ ଫଳପ୍ରଦ ଆଲୋଚନାର ସାକ୍ଷୀ ହେବ ।

 ମୁଁ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି ।

ସମ୍ମାନିତ ସଦସ୍ୟ,

 ୨. ଚଳିତ ବର୍ଷ ଆମ ସମ୍ବିଧାନ ଅଙ୍ଗୀକୃତ କରିବାର ୭୫ତମ ବର୍ଷ ।

 ଏହି ସମୟ ମଧ୍ୟରେ , ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଅମୃତ ମହୋତ୍ସବ ସମ୍ପନ୍ନ ହୋଇଥିଲା ।

 ଏହି ସମୟରେ ସାରା ଦେଶରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

    ଦେଶ ନିଜର ଲୋକଲୋଚନକୁ ଆସି ପାରିନଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେ ପକାଇଛି ।

 ୭୫ ବର୍ଷ ପରେ , ଯୁବପିଢ଼ି ସ୍ୱାଧୀନତା ସଂଗ୍ରାମର ସେହି ସମୟକୁ ପୁନର୍ଜୀବିତ କରିଛନ୍ତି ।

 ୩. ଏହି ଅଭିଯାନ ସମୟରେ:

'ମେରି ମାଟି, ମେରା ଦେଶ' ଅଭିଯାନ ଅଧୀନରେ ଦେଶର ପ୍ରତ୍ୟେକ ଗ୍ରାମରୁ ମାଟି ଥିବା ଅମୃତ କଳସକୁ ଦିଲ୍ଲୀ ଅଣାଯାଇଥିଲା ।

୨ ଲକ୍ଷରୁ ଅଧିକ ଫଳକ ଲଗାଯାଇଥିଲା ।

୩ କୋଟିରୁ ଅଧିକ ଲୋକ ପଞ୍ଚ ପ୍ରାଣର ଶପଥ ନେଇଛନ୍ତି ।

୭୦ ହଜାରରୁ ଅଧିକ ଅମୃତ ସରୋବର ନିର୍ମାଣ କରାଯାଇଥିଲା ।

ଦୁଇ ଲକ୍ଷରୁ ଅଧିକ ଅମୃତ ବାଟିକା ନିର୍ମାଣ ଶେଷ ହୋଇଛି ।

୨ କୋଟିରୁ ଅଧିକ ବୃକ୍ଷରୋପଣ କରାଯାଇଥିଲା ।

୧୬ କୋଟିରୁ ଅଧିକ ଲୋକ ତ୍ରିରଙ୍ଗା ସହ ନିଜର ସେଲଫି ଅପଲୋଡ କରିଛନ୍ତି ।

 ୪. ଅମୃତ ମହୋତ୍ସବ ସମୟରେ ହିଁ,

"କର୍ତ୍ତବ୍ୟ ପଥ" ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା ।

ଦେଶର ସମସ୍ତ ପ୍ରଧାନମନ୍ତ୍ରୀଙ୍କୁ ସମର୍ପିତ ଏକ ସଂଗ୍ରହାଳୟ ଜାତୀୟ ରାଜଧାନୀ ଦିଲ୍ଲୀରେ ଉଦଘାଟିତ ହୋଇଛି ।

ଶାନ୍ତିନିକେତନ ଓ ହୟଶାଳା ମନ୍ଦିର ବିଶ୍ୱ ଐତିହ୍ୟ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ।

'ସାହିବଜାଦେ' ଙ୍କ ସ୍ମୃତିରେ ବୀର ବାଳ ଦିବସ ଘୋଷଣା କରାଯାଇଥିଲା ।

ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ 'ଜନଜାତୀୟ ଗୌରବ ଦିବସ' ଭାବେ ଘୋଷଣା କରାଯାଇଛି ।

ବିଭାଜନର ଭୟାବହତାକୁ ମନେ ପକାଇବା ପାଇଁ ଅଗଷ୍ଟ ୧୪କୁ "ବିଭାଜନ ବିଭୀଷିକା ସ୍ମୃତି ଦିବସ" ଭାବେ ଘୋଷଣା କରାଯାଇଥିଲା ।

ସମ୍ମାନିତ ସଦସ୍ୟ,

 ୫. ଗତ ବର୍ଷ ଭାରତ ପାଇଁ ଐତିହାସିକ ଉପଲବ୍ଧିରେ ପରିପୂର୍ଣ୍ଣ ଥିଲା । ଏହି ସମୟରେ ଏମିତି ଅନେକ ମୁହୂର୍ତ୍ତ ଆସିଥିଲା ଯାହା ଦେଶବାସୀଙ୍କ ଗର୍ବକୁ ବଢ଼ାଇ ଦେଇଥିଲା ।

ଗମ୍ଭୀର ବିଶ୍ୱ ସଙ୍କଟ ମଧ୍ୟରେ ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ଉଭା ହୋଇ କ୍ରମାଗତ ଦୁଇ ତ୍ରୈମାସିକରେ କ୍ରମାଗତ ଭାବେ ୭.୫ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ହାର ବଜାୟ ରଖିଛି ।

ଚନ୍ଦ୍ରର ଦକ୍ଷିଣ ମେରୁରେ ପତାକା ଉଡାଇବାରେ ଭାରତ ପ୍ରଥମ ଦେଶ ପାଲଟିଛି ।

ଭାରତ ଆଦିତ୍ୟ ମିଶନର ସଫଳ ଉତକ୍ଷେପଣ କରିଥିଲା ଏବଂ ଏହାର ଉପଗ୍ରହ ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ପହଞ୍ଚିଥିଲା ।

ଐତିହାସିକ ଜି -୨୦ ଶିଖର ସମ୍ମିଳନୀର ସଫଳତା ଭାରତର ବିଶ୍ୱସ୍ତରୀୟ ସ୍ଥିତିକୁ ସୁଦୃଢ଼ କରିଛି ।

ଏସୀୟ କ୍ରୀଡ଼ାରେ ଭାରତ ପ୍ରଥମ ଥର ପାଇଁ ୧୦୦ରୁ ଅଧିକ ପଦକ ଜିତିଛି ।

ପାରା ଏସୀୟ କ୍ରୀଡ଼ାରେ ମଧ୍ୟ ଆମେ ୧୦୦ରୁ ଅଧିକ ପଦକ ଜିତିଛୁ ।

ଭାରତକୁ ସବୁଠାରୁ ବଡ ସାମୁଦ୍ରିକ ସେତୁ ଅଟଳ ସେତୁ ମିଳିଛି ।

ଭାରତକୁ ପ୍ରଥମ ନମୋ ଭାରତ ଟ୍ରେନ୍ ଏବଂ ପ୍ରଥମ ଅମୃତ ଭାରତ ଟ୍ରେନ୍ ମିଳିଛି ।

ଭାରତ ବିଶ୍ୱର ଦ୍ରୁତତମ ୫ଜି ରୋଲଆଉଟ୍ ଦେଶ ପାଲଟିଛି ।

ଏକ ଭାରତୀୟ ଏୟାରଲାଇନ୍ସ କମ୍ପାନୀ ବିଶ୍ୱର ସବୁଠାରୁ ବଡ଼ ବିମାନ ଚୁକ୍ତି କରିଛି ।

ଗତ ବର୍ଷ , ମୋ ସରକାର ମିଶନ ମୋଡରେ ଲକ୍ଷ ଲକ୍ଷ ଯୁବକଯୁବତୀଙ୍କୁ ସରକାରୀ ଚାକିରି ଦେଇଛନ୍ତି ।

ସମ୍ମାନିତ ସଦସ୍ୟ,

 ୬. ଗତ ୧୨ ମାସ ମଧ୍ୟରେ , ମୋ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ଆଇନ ପ୍ରଣୟନ କରିଛନ୍ତି ।

ସମସ୍ତ ସାଂସଦଙ୍କ ସହଯୋଗରେ ଏହି ଆଇନ ପ୍ରଣୟନ କରାଯାଇଛି ।

ଏଗୁଡ଼ିକ ହେଉଛି 'ବିକଶିତ ଭାରତ' ର ସ୍ୱପ୍ନକୁ ସାକାର କରିବା ପାଇଁ ଏକ ମଜଭୁତ ଭିତ୍ତିଭୂମି ସ୍ଥାପନ କରୁଥିବା ନିୟମ ସମୂହ ।

ତିନି ଦଶନ୍ଧିର ଅପେକ୍ଷା ପରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପ୍ରଣୟନ କରିଥିବାରୁ ମୁଁ ଆପଣ ସମସ୍ତଙ୍କୁ ପ୍ରଶଂସା କରୁଛି ।

ଏହା ଦ୍ୱାରା ଲୋକସଭା ଓ ବିଧାନସଭାରେ ମହିଳା ମାନଙ୍କର ଅଧିକ ଅଂଶଗ୍ରହଣ ସୁନିଶ୍ଚିତ ହୋଇଛି ।

ଏହା ଦ୍ୱାରା ମହିଳାଙ୍କ ନେତୃତ୍ୱାଧୀନ ବିକାଶ ପାଇଁ ମୋ ସରକାରଙ୍କ ସଂକଳ୍ପ ଦୃଢ଼ ହୋଇଛି ।

ମୋ ସରକାର ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରଣ ପାଇଁ ନିଜର ପ୍ରତିବଦ୍ଧତାକୁ କ୍ରମାଗତ ଭାବରେ ବଜାୟ ରଖିଛନ୍ତି ।

ଦାସତ୍ୱ ଯୁଗରେ ଗଢ଼ି ଉଠିଥିବା ଅପରାଧିକ ନ୍ୟାୟ ବ୍ୟବସ୍ଥା ଏବେ ଇତିହାସ ପାଲଟିଛି । ଏବେ ଦଣ୍ଡ ଅପେକ୍ଷା ନ୍ୟାୟକୁ ପ୍ରାଧାନ୍ୟ ଦିଆଯାଉଛି । 'ଜଷ୍ଟିସ୍ ଫାଷ୍ଟ' (ନ୍ୟାୟ ପ୍ରଥମ) ର ନୀତି ଆଧାରରେ ଦେଶକୁ ମିଳିଛି ଏକ ନୂଆ ନ୍ୟାୟ ସଂହିତା ।

ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଆକ୍ଟ ଡିଜିଟାଲ ସ୍ପେସ୍‌କୁ ଅଧିକ ସୁରକ୍ଷିତ କରିବ ।

"ଅନୁସନ୍ଧାନ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ ଆକ୍ଟ" ଦେଶରେ ଗବେଷଣା ଏବଂ ଉଦ୍ଭାବନକୁ ସୁଦୃଢ଼ କରିବ ।

ଜାମ୍ମୁ - କାଶ୍ମୀର ସଂରକ୍ଷଣ ଆଇନ ସେଠାରେ ଆଦିବାସୀ ମାନଙ୍କୁ ପ୍ରତିନିଧିତ୍ୱ କରିବାର ଅଧିକାର ସୁନିଶ୍ଚିତ କରିବ ।

ଏହି ସମୟ ମଧ୍ୟରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ କରାଯାଇଥିଲା । ଏହା ଦ୍ୱାରା ତେଲେଙ୍ଗାନାରେ ଏକ ସାମ୍ମାକ୍କା ସରକ୍କା କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପଥ ଉନ୍ମୁକ୍ତ ହୋଇଥିଲା ।

ଗତ ବର୍ଷ ଅନ୍ୟ ୭୬ଟି ପୁରୁଣା ଆଇନକୁ ମଧ୍ୟ ରଦ୍ଦ କରାଯାଇଥିଲା ।

ବିଭିନ୍ନ ପରୀକ୍ଷାରେ ଅନିୟମିତତା ନେଇ ଯୁବପିଢ଼ିଙ୍କ ଚିନ୍ତା ସମ୍ପର୍କରେ ମୋ ସରକାର ଅବଗତ ଅଛନ୍ତି ।

ତେଣୁ ଏଭଳି ଦୁର୍ନୀତିର କଠୋର ମୁକାବିଲା ପାଇଁ ନୂଆ ଆଇନ ପ୍ରଣୟନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସମ୍ମାନିତ ସଦସ୍ୟ,

 ୭. ଯେ କୌଣସି ରାଷ୍ଟ୍ର ଅତୀତର ଆହ୍ୱାନକୁ ଅତିକ୍ରମ କରି ଭବିଷ୍ୟତରେ ସର୍ବାଧିକ ଶକ୍ତି ବିନିଯୋଗ କଲେ ହିଁ ଦ୍ରୁତ ଗତିରେ ଅଗ୍ରଗତି କରିପାରିବ ।

ବିଗତ ୧୦ ବର୍ଷ ମଧ୍ୟରେ ଭାରତରେ ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ଏଭଳି ଅନେକ କାର୍ଯ୍ୟ ସମ୍ପନ୍ନ ହୋଇଛି, ଯେଉଁଥିପାଇଁ ଦେଶବାସୀ ଅନେକ ଦଶନ୍ଧି ଧରି ଅପେକ୍ଷା କରି ରହିଥିଲେ ।

ଶହ ଶହ ବର୍ଷ ଧରି ରାମ ମନ୍ଦିର ନିର୍ମାଣ ପାଇଁ ଆକାଂକ୍ଷା ଥିଲା । ଆଜି ଏହା ଏକ ବାସ୍ତବତା ।

ଜମ୍ମୁ - କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ସଂଶୟ ରହିଥିଲା । ତାହା ଏବେ ଇତିହାସ ପାଲଟିଛି ।

ଏହି ସଂସଦ 'ତିନି ତଲାକ୍‌' ବିରୋଧରେ ଏକ କଠୋର ଆଇନ ମଧ୍ୟ ପ୍ରଣୟନ କରିଥିଲା ।

ଏହି ସଂସଦ ଆମ ପଡ଼ୋଶୀ ଦେଶର ନିର୍ଯାତିତ ସଂଖ୍ୟାଲଘୁଙ୍କୁ ନାଗରିକତା ଦେବା ପାଇଁ ଏକ ଆଇନ ମଧ୍ୟ ପ୍ରଣୟନ କରିଥିଲା ।

ମୋ ସରକାର ୱାନ୍ ରାଙ୍କ୍ ୱାନ୍ ପେନ୍‌ସନ୍ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ କରିଛନ୍ତି, ଯାହାକୁ ଚାରି ଦଶନ୍ଧି ଧରି ଅପେକ୍ଷା କରାଯାଇଥିଲା । ଓଆରଓପି କାର୍ଯ୍ୟକାରୀ ହେବା ପରେ ପୂର୍ବତନ ସୈନିକମାନେ ଏପର୍ଯ୍ୟନ୍ତ ପାଖାପାଖି ୧ ଲକ୍ଷ କୋଟି ଟଙ୍କା ପାଇସାରିଲେଣି ।

ପ୍ରଥମ ଥର ପାଇଁ , ଭାରତର ପ୍ରତିରକ୍ଷା ବାହିନୀ ପାଇଁ ଜଣେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ନିଯୁକ୍ତ ହୋଇଛନ୍ତି ।

ସମ୍ମାନିତ ସଦସ୍ୟ,

 ୮. ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଅମର ଲେଖା ଅସୀମ ଦେଶପ୍ରେମର ଭାବନାକୁ ପ୍ରେରଣା ଦେଇଥାଏ । ସେ କହିଥିଲେ ଯେ,

ମିଶୁ ମୋର ଦେହ ଏ ଦେଶ ମାଟିରେ

ଦେଶବାସୀ ଚାଲି ଯାଆନ୍ତୁ ପିଠିରେ,

ଦେଶର ସ୍ୱରାଜ୍ୟ - ପଥେ ଯେତେ ଗାଡ଼

ପୁରୂ ତହିଁ ପଡି ମୋର ମାଂସହାଡ ।

ଏହାର ଅର୍ଥ ହେଉଛି, 

 ମୋ ଶରୀରକୁ ଏହି ଦେଶର ମାଟିରେ ଦ୍ରବୀଭୂତ ହେବାକୁ ଦିଅନ୍ତୁ,

 ଦେଶବାସୀଙ୍କୁ ମୋ ପିଠିରେ ଚଢ଼ି ଯିବାକୁ ଦିଅନ୍ତୁ ।

 ଦେଶର ସ୍ୱାଧୀନତା ପଥରେ ଯେଉଁ ସବୁ ଗର୍ତ୍ତ ରହିଛି,

 ସେସବୁ ମୋର ମାଂସ ଏବଂ ହାଡ଼ରେ ଭର୍ତ୍ତି ପୂରଣ ହେଉ ।

 ଏହି ପଂକ୍ତିରେ ଆମେ କର୍ତ୍ତବ୍ୟର ଶିଖର ସ୍ତର ଏବଂ ରାଷ୍ଟ୍ର - ପ୍ରଥମର ଆଦର୍ଶକୁ ଦେଖୁଛେ ।

 ୯. ଆଜି ଆମକୁ ଯେଉଁ ସଫଳତା ଦେଖିବାକୁ ମିଳୁଛି, ତାହା ହେଉଛି ଗତ ୧୦ ବର୍ଷର ପ୍ରୟାସର ଫଳ ।

 ପିଲାଦିନରୁ ଆମେ 'ଗରିବି ହଟାଓ' ର ସ୍ଲୋଗାନ ଶୁଣି ଆସୁଛୁ । ଏବେ ଜୀବନରେ ପ୍ରଥମ ଥର ପାଇଁ ବହୁ ପରିମାଣରେ ଦାରିଦ୍ର‌୍ୟ ଦୂରୀକରଣ ଦେଖିବାକୁ ମିଳୁଛି ।

 ନୀତି ଆୟୋଗ ଅନୁଯାୟୀ, ମୋ ସରକାରର ଗତ ଏକ ଦଶନ୍ଧି ସମୟ ମଧ୍ୟରେ ପ୍ରାୟ ୨୫ କୋଟି ଦେଶବାସୀଙ୍କୁ ଦାରିଦ୍ର‌୍ୟରୁ ମୁକ୍ତ କରାଯାଇଛି ।

 ଏହା ଏପରି ଏକ ଜିନିଷ ଯାହା ଗରିବଙ୍କ ମଧ୍ୟରେ ପ୍ରବଳ ଆତ୍ମବିଶ୍ୱାସ ସୃଷ୍ଟି କରେ । 

 ଯଦି ୨୫ କୋଟି ଲୋକଙ୍କ ଦାରିଦ୍ର‌୍ୟ ଦୂର କରା ଯାଇପାରିବ , ତେବେ ସେମାନଙ୍କ ଦାରିଦ୍ର‌୍ୟ ମଧ୍ୟ ଦୂର ହୋଇ ପାରିବ ।

୧୦. ଯଦି ଆମେ ଆଜି ଅର୍ଥନୀତିର ବିଭିନ୍ନ ଦିଗକୁ ଅବଲୋକନ କରୁ, ତେବେ ଭାରତ ସଠିକ୍ ଦିଗରେ ଅଗ୍ରସର ହେଉଛି, ସଠିକ୍ ନିଷ୍ପତ୍ତି ନେଉଛି ବୋଲି ଏହା ଆମର ଆତ୍ମବିଶ୍ୱାସକୁ ବୃଦ୍ଧି କରିଥାଏ ।

ଗତ ୧୦ ବର୍ଷ ମଧ୍ୟରେ:

ଆମେ ଦେଖିଛୁ ଯେ ଭାରତ "ଦୁର୍ବଳ ପାଞ୍ଚ" ରୁ "ଶୀର୍ଷ ପାଞ୍ଚ" ଅର୍ଥନୀତିରେ ପରିଣତ ହୋଇଛି ।

ଭାରତର ରପ୍ତାନି ପ୍ରାୟ ୪୫୦ ବିଲିୟନ ଡଲାରରୁ ୭୭୫ ବିଲିୟନ ଡଲାରକୁ ବୃଦ୍ଧି ପାଇଛି ।

ଏଫଡିଆଇ (ପ୍ରତ୍ୟେକ୍ଷ ପୁଞ୍ଜି ନିବେଶ) ପ୍ରବାହ ଦ୍ୱିଗୁଣିତ ହୋଇଛି ।

ଖଦି ଓ ଗ୍ରାମ୍ୟ ଶିଳ୍ପ ଉତ୍ପାଦର ବିକ୍ରି ୪ ଗୁଣରୁ ଅଧିକ ବୃଦ୍ଧି ପାଇଛି ।

ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ଲୋକ ମାନଙ୍କ ସଂଖ୍ୟା ପ୍ରାୟ ୩.୨୫ କୋଟିରୁ ପ୍ରାୟ ୮.୨୫ କୋଟିକୁ ବୃଦ୍ଧି ପାଇଛି , ଅର୍ଥାତ୍ ଏହା ଦୁଇ ଗୁଣରୁ ଅଧିକ ହୋଇଛି ।

ଏକ ଦଶନ୍ଧି ପୂର୍ବେ:

ଦେଶରେ ମାତ୍ର କେତେ ଶହ ଷ୍ଟାର୍ଟ - ଅପ୍ ଥିଲା ଯାହା ଆଜି ଏକ ଲକ୍ଷରୁ ଅଧିକ ହୋଇଯାଇଛି ।

ଗୋଟିଏ ବର୍ଷରେ ୯୪ ହଜାର କମ୍ପାନି ପଞ୍ଜୀକୃତ ହୋଇଛନ୍ତି । ଏବେ ଏହି ସଂଖ୍ୟା ୧ ଲକ୍ଷ ୬୦ ହଜାରକୁ ବୃଦ୍ଧି ପାଇଛି ।

୨୦୧୭ ଡିସେମ୍ବରରେ ୯୮ ଲକ୍ଷ ଲୋକ ଜିଏସଟି ଦେଉଥିବା ବେଳେ ଆଜି ସେମାନଙ୍କ ସଂଖ୍ୟା ୧ କୋଟି ୪୦ ଲକ୍ଷ ରହିଛି ।

୨୦୧୪ ମସିହା ପୂର୍ବରୁ ୧୦ ବର୍ଷ ମଧ୍ୟରେ ପ୍ରାୟ ୧୩ କୋଟି ଗାଡ଼ି ବିକ୍ରି ହୋଇଥିଲା । କିନ୍ତୁ ବିଗତ ୧୦ ବର୍ଷ ମଧ୍ୟରେ ଦେଶବାସୀ ୨୧ କୋଟିରୁ ଅଧିକ ଗାଡ଼ି କ୍ରୟ କରିଛନ୍ତି ।

୨୦୧୪ - ୧୫ରେ ପ୍ରାୟ ୨ ହଜାର ଇଲେକ୍ଟ୍ରିକ୍ ଗାଡ଼ି ବିକ୍ରି ହୋଇଥିଲା । ସେହିପରି ୨୦୨୩ - ୨୪ ବର୍ଷ ପାଇଁ ଡିସେମ୍ବର ମାସ ସୁଦ୍ଧା ପ୍ରାୟ ୧୨ ଲକ୍ଷ ଇଲେକ୍ଟ୍ରିକ୍ ଗାଡ଼ି ବିକ୍ରି ହୋଇଛି ।

ସମ୍ମାନିତ ସଦସ୍ୟ,

୧୧. ଗତ ଦଶନ୍ଧି ମଧ୍ୟରେ ମୋ ସରକାର ସୁଶାସନ ଓ ସ୍ୱଚ୍ଛତାକୁ ପ୍ରତ୍ୟେକ ଅନୁଷ୍ଠାନର ମୁଖ୍ୟ ଭିତ୍ତିଭୂମିରେ ପରିଣତ କରିଛନ୍ତି ।

ଏହାର ପରିଣାମ ସ୍ୱରୂପ ଆମେ ବଡ଼ ଧରଣର ଅର୍ଥନୈତିକ ସଂସ୍କାର ଦେଖିଛୁ ।

ଏହି ସମୟ ମଧ୍ୟରେ ଦେଶରେ ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍‌ସି କୋଡ୍ ପ୍ରଣୟନ କରାଯାଇଥିଲା ।

ଦେଶରେ ଏବେ ଜିଏସଟି ଆକାରରେ ଗୋଟିଏ ଦେଶ ଗୋଟିଏ ଟିକସ ଆଇନ ରହିଛି ।

ମୋ ସରକାର ମଧ୍ୟ ସମଷ୍ଟି - ଅର୍ଥନୈତିକ ସ୍ଥିରତା ସୁନିଶ୍ଚିତ କରିଛନ୍ତି ।

୧୦ ବର୍ଷ ମଧ୍ୟରେ କ୍ୟାପେକ୍ସ ୫ ଗୁଣା ବୃଦ୍ଧି ପାଇ ୧୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ବିତ୍ତୀୟ ନିଅଣ୍ଟ ମଧ୍ୟ ନିୟନ୍ତ୍ରଣରେ ରହିଛି ।

ବର୍ତ୍ତମାନ ଆମ ପାଖରେ ୬୦୦ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ବୈଦେଶିକ ମୁଦ୍ରା ଭଣ୍ଡାର ରହିଛି ।

ଚାପୂର୍ବରୁ ଅତ୍ୟନ୍ତ ଖରାପ ଅବସ୍ଥାରେ ଥିବା ଆମ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଆଜି ବିଶ୍ୱର ସବୁଠାରୁ ମଜଭୁତ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ପରିଣତ ହୋଇଛି ।

ଅତୀତରେ ଦୁଇ ଅଙ୍କରେ ଥିବା ବ୍ୟାଙ୍କ ଗୁଡ଼ିକର ଏନ୍‌ପିଏ ପରିମାଣ ଆଜି ମାତ୍ର ୪ ପ୍ରତିଶତ ରହିଛି ।

ମେକ୍ ଇନ୍ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତ ଅଭିଯାନ ଆମର ଶକ୍ତି ପାଲଟିଛି ।

ଆଜି ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ ୍ ଫୋନ୍ ଉତ୍ପାଦନକାରୀ ଦେଶ ।

ଗତ ଏକ ଦଶନ୍ଧି ମଧ୍ୟରେ ମୋବାଇଲ ୍ ଫୋନ୍ ଉତ୍ପାଦନରେ ପାଞ୍ଚ ଗୁଣ ବୃଦ୍ଧି ଘଟିଛି ।

କିଛି ବର୍ଷ ପୂର୍ବେ , ଭାରତ ଖେଳନା ଆମଦାନୀ କରୁଥିଲା, କିନ୍ତୁ ଆଜି ଭାରତ ଭାରତରେ ପ୍ରସ୍ତୁତ କରାଯାଇଥିବା ଖେଳନା ରପ୍ତାନି କରୁଛି ।

ଭାରତର ପ୍ରତିରକ୍ଷା କ୍ଷେତ୍ରର ଉତ୍ପାଦନ ଏକ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି ।

ଆଜି ଦେଶର ସ୍ୱଦେଶୀ ବିମାନବାହୀ ଜାହାଜ ଆଇଏନ୍‌ଏସ୍ ବିକ୍ରାନ୍ତକୁ ଦେଖି ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରୁଛନ୍ତି ।

ଲଢୁଆ ବିମାନ ତେଜସ୍ ଆମ ବାୟୁସେନାର ଶକ୍ତି ପାଲଟିଛି ।

ପରିବହନ ବିମାନ ସି -୨୯୫ର ଉତ୍ପାଦନ ଭାରତରେ ହେବାକୁ ଯାଉଛି ।

ଭାରତରେ ଅତ୍ୟାଧୁନିକ ବିମାନ ଇଞ୍ଜିନ ମଧ୍ୟ ତିଆରି ହେବ ।

ଉତ୍ତର ପ୍ରଦେଶ ଓ ତାମିଲନାଡୁ ରାଜ୍ୟରେ ପ୍ରତିରକ୍ଷା କରିଡର ନିର୍ମାଣ କରାଯାଉଛି ।

ମୋ ସରକାର ପ୍ରତିରକ୍ଷା କ୍ଷେତ୍ରରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ସୁନିଶ୍ଚିତ କରିଛନ୍ତି ।

ଆମ ସରକାର ମହାକାଶ କ୍ଷେତ୍ରକୁ ମଧ୍ୟ ଯୁବ ଷ୍ଟାର୍ଟଅପ୍ ମାନଙ୍କ ପାଇଁ ଖୋଲି ଦେଇଛନ୍ତି ।

ସମ୍ମାନିତ ସଦସ୍ୟ,

୧୨. ମୋ ସରକାର ସମ୍ପତ୍ତି ସୃଷ୍ଟିକାରୀଙ୍କ ଅବଦାନକୁ ସ୍ୱୀକାର କରନ୍ତି ଏବଂ ଭାରତର ଘରୋଇ କ୍ଷେତ୍ରର ସାମର୍ଥ୍ୟରେ ବିଶ୍ୱାସ କରନ୍ତି ।

ଭାରତରେ ବ୍ୟବସାୟ କରିବା ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ଏବଂ ସରକାର ଏହି ଲକ୍ଷ୍ୟରେ କ୍ରମାଗତ ଭାବରେ କାର୍ଯ୍ୟ କରୁଛନ୍ତି ।

ଇଜ୍ ଅଫ୍ ଡୁଇଂ ବିଜନେସ୍ (ବ୍ୟବସାୟରେ ସହଜତା) ରେ କ୍ରମାଗତ ଉନ୍ନତି ଘଟିଛି ।

ଗତ କିଛି ବର୍ଷ ମଧ୍ୟରେ ୪୦,୦୦୦ରୁ ଅଧିକ ଅନୁପାଳନକୁ ହଟାଇ ଦିଆଯାଇଛି କିମ୍ବା ସରଳୀକରଣ କରାଯାଇଛି ।

କମ୍ପାନୀ ଅଧିନିୟମ ଏବଂ ସୀମିତ ଦେୟତା ଭାଗୀଦାରୀ ଅଧିନିୟମରେ ଥିବା ୬୩ଟି ବ୍ୟବସ୍ଥାକୁ ଅପରାଧିକ ଅପରାଧ ତାଲିକାରୁ ହଟାଇ ଦିଆଯାଇଛି ।

ଜନ ବିଶ୍ୱାସ ଆଇନରେ ବିଭିନ୍ନ ଆଇନ ଅଧୀନରେ ୧୮୩ଟି ବ୍ୟବସ୍ଥାକୁ ଅପରାଧମୁକ୍ତ କରାଯାଇଛି ।

ଅଦାଲତ ବାହାରେ ବିବାଦର ଆପୋଷ ସମାଧାନ ପାଇଁ ମଧ୍ୟସ୍ଥତା ଆଇନ ପ୍ରଣୟନ କରାଯାଇଛି ।

ଏବେ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ପାଇଁ ୭୫ ଦିନରୁ କମ୍ ସମୟ ଲାଗୁଥିବା ବେଳେ ପୂର୍ବରୁ ୬୦୦ ଦିନ ଲାଗୁଥିଲା ।

ଫେସଲେସ୍ ଆସେସମେଣ୍ଟ ସ୍କିମ୍ (ମୁହଁନଦେଖି ମୂଲ୍ୟାୟନ ଯୋଜନା) ଟିକସ ପ୍ରଶାସନରେ ଅଧିକ ସ୍ୱଚ୍ଛତା ଆଣିଛି ।

ସମ୍ମାନିତ ସଦସ୍ୟ,

୧୩. ସଂସ୍କାର ଦ୍ୱାରା ଆମର ଏମଏସଏମଇ କ୍ଷେତ୍ର ମଧ୍ୟ ବହୁତ ଉପକୃତ ହେଉଛି । 

ଆପଣ ମାନେ ଜାଣନ୍ତି ଯେ ଆଜି କୋଟି କୋଟି ନାଗରିକ ଏମ୍‌ଏସ୍‌ଏମ୍‌ଇରେ କାମ କରୁଛନ୍ତି ।

ଆମ ସରକାର ଏମଏସଏମଇ ଏବଂ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି ।

ଏମଏସଏମଇର ସଂଜ୍ଞାକୁ ସମ୍ପ୍ରସାରଣ କରାଯାଇଛି ।

ନୂଆ ସଂଜ୍ଞାରେ ନିବେଶ ଓ କାରବାରକୁ ଯୋଡ଼ାଯାଇଛି ।

ବର୍ତ୍ତମାନ ପ୍ରାୟ ୩.୫ କୋଟି ଏମଏସଏମଇ ଉଦ୍ୟମ ଏବଂ ଉଦ୍ୟମ ସହାୟତା ପୋର୍ଟାଲରେ ପଞ୍ଜୀକୃତ ହୋଇଛନ୍ତି ।

ଏମ୍‌ଏସ୍‌ଏମ୍‌ଇ ଗୁଡ଼ିକ ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍ ଅଧୀନରେ ଗତ କିଛି ବର୍ଷ ମଧ୍ୟରେ ପାଖାପାଖି ୫ ଲକ୍ଷ କୋଟି ଟଙ୍କାର ଗ୍ୟାରେଣ୍ଟି ମଞ୍ଜୁର କରାଯାଇଛି ।

ଏହା ୨୦୧୪ ପୂର୍ବରୁ ପୂର୍ବ ଦଶନ୍ଧିରେ ପ୍ରଦାନ କରାଯାଇଥିବା ରାଶି ତୁଳନାରେ ୬ ଗୁଣ ଅଧିକ ଅଟେ ।

ସମ୍ମାନିତ ସଦସ୍ୟ,

୧୪. ମୋ ସରକାରର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ହେଉଛି ଡିଜିଟାଲ ଇଣ୍ଡିଆ ଗଠନ । ଡିଜିଟାଲ ଇଣ୍ଡିଆ ଭାରତରେ ଜୀବନ ଓ ବ୍ୟବସାୟକୁ ଅଧିକ ସହଜ କରିଛି ।

ଆଜି ସମଗ୍ର ବିଶ୍ୱ ଏହାକୁ ଭାରତର ଏକ ବଡ଼ ଉପଲବ୍ଧି ଭାବେ ସ୍ୱୀକାର କରୁଛି । ଏପରିକି ବିକଶିତ ଦେଶ ମାନଙ୍କରେ ମଧ୍ୟ ଭାରତ ଭଳି ଡିଜିଟାଲ ବ୍ୟବସ୍ଥା ନାହିଁ ।

ଏପରିକି ଗାଁରେ ମଧ୍ୟ ନିୟମିତ କ୍ରୟ ବିକ୍ରୟ ଡିଜିଟାଲ ମାଧ୍ୟମରେ ହେବ ବୋଲି କିଛି ଲୋକଙ୍କ କଳ୍ପନା ବାହାରେ ଥିଲା ।

ଆଜି ବିଶ୍ୱର ମୋଟ ବାସ୍ତବ ସମୟ ଡିଜିଟାଲ କାରବାରର ୪୬ ପ୍ରତିଶତ ଭାରତରେ ହୋଇଥାଏ ।

ଗତ ମାସରେ ୟୁପିଆଇ ଜରିଆରେ ରେକର୍ଡ ୧୨୦୦ କୋଟି କାରବାର ହୋଇଥିଲା ।

ଏହା ୧୮ ଲକ୍ଷ କୋଟି ଟଙ୍କାର ରେକର୍ଡ କାରବାର ।

ବିଶ୍ୱର ଅନ୍ୟାନ୍ୟ ଦେଶ ମଧ୍ୟ ଏବେ ୟୁପିଆଇ ଜରିଆରେ ଟଙ୍କା ଦେଣନେଣର ସୁବିଧା ପ୍ରଦାନ କରୁଛନ୍ତି ।

ଡିଜିଟାଲ୍ ଇଣ୍ଡିଆ ବ୍ୟାଙ୍କିଙ୍ଗକୁ ଅଧିକ ସୁବିଧାଜନକ କରିଛି ଏବଂ ଋଣ ପ୍ରଦାନକୁ ସହଜ କରିଛି ।

ଜନଧନ ଆଧାର ମୋବାଇଲ (ଜେଏଏମ)ର ଟ୍ରିନିଟି ଦୁର୍ନୀତି ରୋକିବାରେ ସହାୟକ ହୋଇଛି ।

ମୋ ସରକାର ଏପର୍ଯ୍ୟନ୍ତ ଡିବିଟି ମାଧ୍ୟମରେ ୩୪ ଲକ୍ଷ କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି ।

ଜନଧନ ଆଧାର ମୋବାଇଲ (ଜେଏ୍‌ଏମ୍‌) ଯୋଗୁଁ ପ୍ରାୟ ୧୦ କୋଟି ନକଲି ହିତାଧିକାରୀଙ୍କୁ ଏହି ବ୍ୟବସ୍ଥାରୁ ବାଦ୍ ଦିଆଯାଇଛି ।

ଏହା ୨.୭୫ ଲକ୍ଷ କୋଟି ଟଙ୍କାକୁ ଭୁଲ ହାତକୁ ଯିବାରୁ ରୋକିବାରେ ସହାୟକ ହୋଇଛି ।

ଡିଜିଲକରର ସୁବିଧା ମଧ୍ୟ ଜୀବନକୁ ସହଜ କରୁଛି । ବର୍ତ୍ତମାନ ସୁଦ୍ଧା ଏହାର ଉପଭୋକ୍ତାଙ୍କୁ ୬ ବିଲିୟନରୁ ଅଧିକ ଡକ୍ୟୁମେଣ୍ଟ ଜାରି କରାଯାଇଛି ।

ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ ଅଧୀନରେ ପାଖାପାଖି ୫୩ କୋଟି ଲୋକଙ୍କ ଡିଜିଟାଲ ସ୍ୱାସ୍ଥ୍ୟ ଆଇଡି ସୃଷ୍ଟି କରାଯାଇଛି ।

ସମ୍ମାନିତ ସଦସ୍ୟ,

୧୫. ଡିଜିଟାଲ ସହିତ ଭୌତିକ ଭିତ୍ତିଭୂମିରେ ମଧ୍ୟ ରେକର୍ଡ ପୁଞ୍ଜି ନିବେଶ ହୋଇଛି । ଆଜି ଭାରତରେ ଏଭଳି ଭିତ୍ତିଭୂମି ନିର୍ମାଣ ହେଉଛି, ଯାହାକୁ ନେଇ ପ୍ରତ୍ୟେକ ଭାରତୀୟ ସ୍ୱପ୍ନ ଦେଖୁଥିଲେ ।

ଗତ ୧୦ ବର୍ଷ ମଧ୍ୟରେ:

ଗ୍ରାମ ଗୁଡ଼ିକରେ ପାଖାପାଖି ୩.୭୫ ଲକ୍ଷ କିଲୋମିଟର ନୂତନ ରାସ୍ତା ନିର୍ମାଣ କରାଯାଇଛି । 

ଜାତୀୟ ରାଜପଥର ଦୈର୍ଘ୍ୟ ୯୦ ହଜାର କିଲୋମିଟରରୁ ୧ ଲକ୍ଷ ୪୬ ହଜାର କିଲୋମିଟରକୁ ବୃଦ୍ଧି ପାଇଛି ।

୪ ଲେନ୍ ବିଶିଷ୍ଟ ଜାତୀୟ ରାଜପଥର ଦୈର୍ଘ୍ୟ ଅଢ଼େଇ ଗୁଣ ବୃଦ୍ଧି ପାଇଛି । 

ପୂର୍ବରୁ ଏହି ଦ୍ରୁତଗତି ସମ୍ପନ୍ନ କରିଡରର ଲମ୍ବ ୫୦୦ କିଲୋମିଟର ଥିବା ବେଳେ ଏବେ ଏହା ୪ ହଜାର କିଲୋମିଟର ରହିଛି ।

ବିମାନବନ୍ଦର ସଂଖ୍ୟା ୭୪ ରୁ ୧୪୯କୁ ବୃଦ୍ଧି ପାଇଛି ।

ଦେଶର ପ୍ରମୁଖ ବନ୍ଦର ଗୁଡ଼ିକରେ କାର୍ଗୋ ହ୍ୟାଣ୍ଡଲିଂ କ୍ଷମତା ଦ୍ୱିଗୁଣିତ ହୋଇଛି ।

ବ୍ରଡବ୍ୟାଣ୍ଡ ବ୍ୟବହାରକାରୀ ମାନଙ୍କ ସଂଖ୍ୟା ୧୪ ଗୁଣା ବୃଦ୍ଧି ପାଇଛି ।

ଦେଶର ପାଖାପାଖି ୨ ଲକ୍ଷ ଗ୍ରାମ ପଞ୍ଚାୟତକୁ ଅପ୍ଟିକାଲ ଫାଇବର ସଂଯୋଗ କରାଯାଇଛି ।

ପ୍ରତି ଗ୍ରାମରେ ୪ ଲକ୍ଷରୁ ଅଧିକ ସାଧାରଣ ସେବା କେନ୍ଦ୍ର ଖୋଲାଯାଇଛି । ଏହା ରୋଜଗାରର ଏକ ପ୍ରମୁଖ ଉତ୍ସ ପାଲଟିଛି ।

ଦେଶରେ ୧୦ ହଜାର କିଲୋମିଟର ଗ୍ୟାସ ପାଇପ ଲାଇନ ବିଛାଯାଇଛି ।

ୱାନ୍ ନେସନ୍‌, ୱାନ୍ ପାୱାର ଗ୍ରିଡ୍ ଦେଶରେ ବିଦ୍ୟୁତ ୍ ସଂପ୍ରସାରଣରେ ଉନ୍ନତି ଆଣିଛି ।

ଗୋଟିଏ ଦେଶ, ଗୋଟିଏ ଗ୍ୟାସ୍ ଗ୍ରିଡ୍ ଗ୍ୟାସ୍ ଭିତ୍ତିକ ଅର୍ଥନୀତିକୁ ପ୍ରୋତ୍ସାହନ ଦେଉଛି ।

ମାତ୍ର ୫ଟି ସହରରେ ସୀମିତ ଥିବା ଏହି ମେଟ୍ରୋ ସୁବିଧା ଏବେ ୨୦ଟି ସହରରେ ରହିଛି ।

୨୫ ହଜାର କିଲୋମିଟରରୁ ଅଧିକ ରେଳ ଧାରଣା ବିଛାଯାଇଥିଲା । ଏହା ଅନେକ ବିକଶିତ ଦେଶରେ ରେଳ ଧାରଣାର ମୋଟ ଲମ୍ବ ଠାରୁ ଅଧିକ ଅଟେ ।

ଭାରତରେ ରେଳବାଇର ଶତ ପ୍ରତିଶତ ବିଦ୍ୟୁତୀକରଣ ହେଉଛି ।

ଏହି ସମୟ ମଧ୍ୟରେ , ଭାରତରେ ପ୍ରଥମ ଥର ପାଇଁ ସେମି ହାଇସ୍ପିଡ୍ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି ।

ଚା ଆଜି ବନ୍ଦେ ଭାରତ ଟ୍ରେନ୍ ୩୯ରୁ ଅଧିକ ମାର୍ଗରେ ଚଳାଚଳ କରୁଛି ।

ଅମୃତ ଭାରତ ଷ୍ଟେସନ ଯୋଜନାରେ ୧୩୦୦ରୁ ଅଧିକ ରେଳ ଷ୍ଟେସନର ରୂପାନ୍ତରଣ କରାଯାଉଛି ।

ସମ୍ମାନିତ ସଦସ୍ୟ,

୧୬. ମୋ ସରକାର ବିଶ୍ୱାସ କରନ୍ତି ଯେ ୪ଟି ମଜଭୁତ ସ୍ତମ୍ଭ ଉପରେ \'ବିକଶିତ ଭାରତ\' ର ଭବ୍ୟ କୋଠା ନିର୍ମାଣ କରାଯିବ ।

 ଏହି ସ୍ତମ୍ଭଗୁଡ଼ିକ ହେଲା - ଯୁବ ଶକ୍ତି, ନାରୀ ଶକ୍ତି, କୃଷକ ଓ ଗରିବ ।

 ସେମାନଙ୍କର ଅବସ୍ଥା ଓ ସ୍ୱପ୍ନ ଦେଶର ସମାଜର ପ୍ରତ୍ୟେକ ବର୍ଗରେ ସମାନ ।

 ତେଣୁ ଏହି ଚାରିସ୍ତମ୍ଭକୁ ସଶକ୍ତ କରିବା ପାଇଁ ମୋ ସରକାର ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି ।

ମୋ ସରକାର ଏହି ସ୍ତମ୍ଭଗୁଡ଼ିକୁ ସଶକ୍ତ କରିବା ପାଇଁ ଟିକସ ରାଜସ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଖର୍ଚ୍ଚ କରିଛନ୍ତି ।

୪ କୋଟି ୧୦ ଲକ୍ଷ ଗରିବ ପରିବାରକୁ ନିଜସ୍ୱ ପକ୍କା ଘର ମିଳିଛି । ଏଥିପାଇଁ ପାଖାପାଖି ୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ପ୍ରଥମ ଥର ପାଇଁ ପ୍ରାୟ ୧୧ କୋଟି ଗ୍ରାମୀଣ ପରିବାରରେ ପାଇପ୍ ଯୋଗେ ପାଣି ପହଞ୍ଚିଛି ।

ଏଥିପାଇଁ ପାଖାପାଖି ୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି ।

ବର୍ତ୍ତମାନ ସୁଦ୍ଧା ୧୦ କୋଟି ଉଜ୍ଜ୍ୱଳା ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଛି ।

ଏହି ହିତାଧିକାରୀ ଭଉଣୀମାନଙ୍କୁ ମଧ୍ୟ ଅତ୍ୟନ୍ତ ଶସ୍ତାରେ ରନ୍ଧନ ଗ୍ୟାସ ଯୋଗାଇ ଦିଆଯାଉଛି ।

ଏହି ଯୋଜନାରେ ସରକାର ପ୍ରାୟ ଅଢ଼େଇ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

କରୋନା ମହାମାରୀ ଆରମ୍ଭ ହେବା ପର ଠାରୁ ୮୦ କୋଟି ଦେଶବାସୀଙ୍କୁ ମାଗଣା ରାସନ ଦିଆଯାଉଛି ।

ଏବେ ଏହି ସୁବିଧାକୁ ଆଉ ୫ ବର୍ଷ ପାଇଁ ବୃଦ୍ଧି କରାଯାଇଛି ।

ଏଥିପାଇଁ ଅତିରିକ୍ତ ୧୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ।

ପ୍ରତ୍ୟେକ ଯୋଜନାକୁ ତ୍ୱରାନ୍ୱିତ କରିବା ସହିତ ସଂତୃପ୍ତି ପାଇଁ ମୋ ସରକାର ପ୍ରୟାସ କରୁଛନ୍ତି । କୌଣସି ଯୋଗ୍ୟ ବ୍ୟକ୍ତି ଏଥିରୁ ବଞ୍ଚିତ ରହିବେ ନାହିଁ ।

ଏହି ଉଦ୍ଦେଶ୍ୟରେ ନଭେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଛି ବିକଶିତ ଭାରତ ସଂକଳ୍ପ ଯାତ୍ରା । ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୯ କୋଟି ନାଗରିକ ଏହି ଯାତ୍ରାରେ ସାମିଲ ହୋଇଛନ୍ତି ।

ସମ୍ମାନିତ ସଦସ୍ୟ,

 ୧୭, ଗତ କିଛି ବର୍ଷ ମଧ୍ୟରେ ବିଶ୍ୱ ଦୁଇଟି ବଡ଼ ଯୁଦ୍ଧର ସାକ୍ଷୀ ହୋଇଛି ଏବଂ କରୋନା ଭଳି ଏକ ବିଶ୍ୱ ମହାମାରୀର ସମ୍ମୁଖୀନ ହୋଇଛି ।

 ଏଭଳି ବୈଶ୍ୱିକ ସଙ୍କଟ ସତ୍ତ୍ୱେ , ମୋ ସରକାର ଦେଶର ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବାରେ ସଫଳ ହୋଇଛନ୍ତି, ଯାହା ଆମ ଦେଶବାସୀଙ୍କ ଉପରେ ଅତିରିକ୍ତ ବୋଝକୁ ରୋକି ପାରିଛି ।

 ୨୦୧୪ ପୂର୍ବରୁ ୧୦ ବର୍ଷରେ ହାରାହାରି ମୁଦ୍ରାସ୍ଫୀତି ହାର ୮ ପ୍ରତିଶତରୁ ଅଧିକ ଥିଲା । ତେବେ ଗତ ଦଶନ୍ଧିରେ ହାରାହାରି ମୁଦ୍ରାସ୍ଫୀତି ହାର ୫ ପ୍ରତିଶତରେ ବଜାୟ ରଖାଯାଇଛି ।

ସାଧାରଣ ନାଗରିକ ମାନଙ୍କର ସଞ୍ଚୟ ବୃଦ୍ଧି କରିବା ପାଇଁ ମୋ ସରକାରଙ୍କ ପ୍ରୟାସ ରହିଛି ।

ଏହା ପୂର୍ବରୁ ଭାରତରେ ୨ ଲକ୍ଷ ଟଙ୍କାରୁ ଅଧିକ ଆୟ ଉପରେ ଆୟକର ଆଦାୟ କରାଯାଉଥିଲା ।

ଆଜି ଭାରତରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଲାଗୁ ହୋଇନାହିଁ ।

ଟିକସ ଛାଡ଼ ଏବଂ ସଂସ୍କାର ଯୋଗୁଁ ଭାରତୀୟ ଟିକସଦାତାମାନେ ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିଛନ୍ତି ।

ଆୟୁଷ୍ମାନ ଭାରତ ଯୋଜନା ବ୍ୟତୀତ କେନ୍ଦ୍ର ସରକାର ବିଭିନ୍ନ ଡାକ୍ତରଖାନାରେ ମଧ୍ୟ ମାଗଣା ଚିକିତ୍ସା ଯୋଗାଇ ଦେଉଛନ୍ତି । ଏହା ଦ୍ୱାରା ଦେଶର ନାଗରିକମାନେ ପାଖାପାଖି ସାଢ଼େ ୩ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିପାରିଛନ୍ତି ।

ଜନ ଔଷଧି କେନ୍ଦ୍ର ଆମ ଦେଶବାସୀଙ୍କୁ ଔଷଧ କିଣିବା କ୍ଷେତ୍ରରେ ପ୍ରାୟ ୨୮ ହଜାର କୋଟି ଟଙ୍କା ସଞ୍ଚୟ କରିବାରେ ସାହାଯ୍ୟ କରିଛି ।

କୋରୋନାରି ଷ୍ଟେଣ୍ଟ, ଆଣ୍ଠୁ ପ୍ରତିରୋପଣ, କର୍କଟ ଔଷଧର ମୂଲ୍ୟ ମଧ୍ୟ ହ୍ରାସ କରାଯାଇଛି । ଫଳରେ ରୋଗୀମାନେ ପ୍ରତିବର୍ଷ ପାଖାପାଖି ୨୭ ହଜାର କୋଟି ଟଙ୍କା ସଞ୍ଚୟ କରୁଛନ୍ତି ।

ମୋ ସରକାର କିଡନୀ ରୋଗୀଙ୍କୁ ମାଗଣା ଡାଏଲିସିସ୍ ଯୋଗାଇବା ପାଇଁ ଏକ କାର୍ଯ୍ୟକ୍ରମ ମଧ୍ୟ ଚଳାଉଛନ୍ତି । ପ୍ରତି ବର୍ଷ ୨୧ ଲକ୍ଷରୁ ଅଧିକ ରୋଗୀ ଏହି ସୁବିଧା ପାଉଛନ୍ତି । ଏହା ରୋଗୀ ମାନଙ୍କୁ ପ୍ରତି ବର୍ଷ ଏକ ଲକ୍ଷ ଟଙ୍କା ସଞ୍ଚୟ କରିବାରେ ସହାୟକ ହେଉଛି ।

ଗରିବ ଲୋକମାନେ ଯେପରି ରିହାତି ରାସନ ପାଇବେ ସେଥିପାଇଁ ମୋ ସରକାର ପାଖାପାଖି ୨୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ରେଳବାଇ ପ୍ରାୟ ୫୦ ପ୍ରତିଶତ ରିହାତି ଦେଇଥାଏ । ଫଳରେ ଗରିବ ଓ ମଧ୍ୟବିତ୍ତ ଯାତ୍ରୀମାନେ ପ୍ରତିବର୍ଷ ୬୦ ହଜାର କୋଟି ଟଙ୍କା ସଞ୍ଚୟ କରିଥାନ୍ତି ।

ଗରିବ ଓ ମଧ୍ୟବିତ୍ତ ଙ୍କୁ କମ୍ ଦାମରେ ବିମାନ ଟିକେଟ ଉପଲବ୍ଧ କରାଯାଉଛି । ଉଡାନ ଯୋଜନାରେ ଗରିବ ଓ ମଧ୍ୟବିତ୍ତ ମାନେ ବିମାନ ଟିକେଟରେ ୩ ହଜାର କୋଟିରୁ ଅଧିକ ଟଙ୍କା ସଞ୍ଚୟ କରିଛନ୍ତି ।

ଏଲ୍‌ଇଡି ବଲ୍‌ବ ଯୋଜନା ଯୋଗୁଁ ୨୦ ହଜାର କୋଟିରୁ ଅଧିକ ବିଦ୍ୟୁତ ୍ ବିଲ୍ ସଞ୍ଚୟ ହୋଇଛି ।

ଜୀବନ ଜ୍ୟୋତି ବୀମା ଯୋଜନା ଓ ସୁରକ୍ଷା ବୀମା ଯୋଜନାରେ ଗରିବ ଲୋକଙ୍କୁ ୧୬ ହଜାର କୋଟିରୁ ଅଧିକ ଟଙ୍କାର ଦାବି ଅର୍ଥ ମିଳିଛି ।

ସମ୍ମାନିତ ସଦସ୍ୟ,

୧୮. ନାରୀ ଶକ୍ତିକୁ ସୁଦୃଢ଼ କରିବା ପାଇଁ ମୋ ସରକାର ସବୁ ସ୍ତରରେ କାର୍ଯ୍ୟ କରୁଛନ୍ତି ।

ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ ମଧ୍ୟ ମହିଳା ସଶକ୍ତିକରଣ ପାଇଁ ଉତ୍ସର୍ଗ କରା ଯାଇଥିଲା ।

ଏହି ପ୍ୟାରେଡରେ , ସାରା ବିଶ୍ୱ ପୁଣି ଥରେ ଆମ ଝିଅ ମାନଙ୍କର ସାମର୍ଥ୍ୟ ଦେଖିଛି ।

ଜଳ, ସ୍ଥଳ, ଆକାଶ ଓ ମହାକାଶ କ୍ଷେତ୍ରରେ ମୋ ସରକାର ଝିଅମାନଙ୍କ ଭୂମିକାକୁ ବ୍ୟାପକ କରିଛନ୍ତି ।

ମହିଳାଙ୍କ ପାଇଁ ଅର୍ଥନୈତିକ ସ୍ୱାଧୀନତାର ଅର୍ଥ କ'ଣ ତାହା ଆମେ ସମସ୍ତେ ଜାଣିଛୁ ।

ମହିଳାଙ୍କ ଅର୍ଥନୈତିକ ଭାଗିଦାରୀ ବୃଦ୍ଧି କରିବା ପାଇଁ ମୋ ସରକାର ନିରନ୍ତର ପ୍ରୟାସ ଜାରି ରଖିିଛନ୍ତି ।

ଆଜି ପ୍ରାୟ ୧୦ କୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡିତ ଅଛନ୍ତି ।

ଏହି ଗୋଷ୍ଠୀ ଗୁଡ଼ିକୁ ୮ ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ ଋଣ ଏବଂ ୪୦ ହଜାର କୋଟି ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରାଯାଇଛି ।

୨ କୋଟି ମହିଳା ଲକ୍ଷପତି ଦିଦିଙ୍କୁ ଗଢ଼ି ତୋଳିବା ପାଇଁ ସରକାର ଏକ ଅଭିଯାନ କାର୍ଯ୍ୟକାରୀ କରୁଛନ୍ତି ।

ନମୋ ଡ୍ରୋନ୍ ଦିଦି ଯୋଜନାରେ ଗୋଷ୍ଠୀ ମାନଙ୍କୁ ୧୫ ହଜାର ଡ୍ରୋନ୍ ଯୋଗାଇ ଦିଆଯାଉଛି ।

ମାତୃତ୍ୱ ଛୁଟିକୁ ୧୨ ସପ୍ତାହରୁ ୨୬ ସପ୍ତାହକୁ ବୃଦ୍ଧି କରିବା ଦ୍ୱାରା ଦେଶର ଲକ୍ଷ ଲକ୍ଷ ମହିଳା ମଧ୍ୟ ବହୁତ ଉପକୃତ ହୋଇଛନ୍ତି ।

ଆମ ସରକାର ପ୍ରଥମ ଥର ପାଇଁ ସଶସ୍ତ୍ର ବାହିନୀରେ ମହିଳାମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିଛନ୍ତି ।

ପ୍ରଥମ ଥର ପାଇଁ ସୈନିକ ସ୍କୁଲ ଓ ଜାତୀୟ ପ୍ରତିରକ୍ଷା ଏକାଡେମୀରେ ମହିଳା କ୍ୟାଡେଟଙ୍କ ନାମ ଲେଖାଯାଇଛି ।

ଆଜି ମହିଳାମାନେ ମଧ୍ୟ ଲଢୁଆ ପାଇଲଟ ଏବଂ ପ୍ରଥମ ଥର ପାଇଁ ନୌସେନା ଜାହାଜର କମାଣ୍ଡ କରୁଛନ୍ତି ।

ମୁଦ୍ରା ଯୋଜନାରେ ଦିଆଯାଇଥିବା ୪୬ କୋଟିରୁ ଅଧିକ ଋଣ ମଧ୍ୟରୁ ୩୧ କୋଟିରୁ ଅଧିକ ଋଣ ମହିଳାଙ୍କୁ ଦିଆଯାଇଛି ।

କୋଟି କୋଟି ମହିଳା ଏହି ଯୋଜନାର ଲାଭ ଉଠାଇ ଆତ୍ମନିୟୋଜିତ ହୋଇଛନ୍ତି ।

ସମ୍ମାନିତ ସଦସ୍ୟ,

୧୯. ଚାଷକୁ ଅଧିକ ଲାଭଦାୟକ କରିବା ଉପରେ ମୋ ସରକାର ଗୁରୁତ୍ୱ ଦେଉଛନ୍ତି । ଲାଭ ବଢ଼ାଇବା ସହିତ ଚାଷର ଖର୍ଚ୍ଚ ହ୍ରାସ କରିବା ଆମର ଲକ୍ଷ୍ୟ ।

 ମୋ ସରକାର ପ୍ରଥମ ଥର ପାଇଁ ଦେଶର କୃଷି ନୀତି ଓ ଯୋଜନାରେ ୧୦ କୋଟିରୁ ଅଧିକ କ୍ଷୁଦ୍ର କୃଷକଙ୍କୁ ପ୍ରାଥମିକତା ଦେଇଛନ୍ତି ।

ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀଙ୍କୁ ଏପର୍ଯ୍ୟନ୍ତ ୨ ଲକ୍ଷ ୮୦ ହଜାର କୋଟିରୁ ଅଧିକ ଟଙ୍କା ମିଳିଛି ।

ଗତ ୧୦ ବର୍ଷ ମଧ୍ୟରେ , ଚାଷୀଙ୍କ ପାଇଁ ବ୍ୟାଙ୍କରୁ ସହଜ ଋଣ ପରିମାଣ ତିନି ଗୁଣ ବୃଦ୍ଧି ପାଇଛି ।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ , କୃଷକମାନେ ୩୦ ହଜାର କୋଟି ଟଙ୍କାର ପ୍ରିମିୟମ ପୈଠ କରିଛନ୍ତି । ଏହା ବଦଳରେ , ସେମାନଙ୍କୁ ଦେଢ଼ ଲକ୍ଷ କୋଟି ଟଙ୍କାର ଦାବି ଅର୍ଥ ମିଳିଛି ।

ଗତ ୧୦ ବର୍ଷ ମଧ୍ୟରେ , ଚାଷୀମାନେ ଧାନ ଓ ଗହମ ଫସଲ ପାଇଁ ଏମ୍‌ଏସ୍‌ପି (ସର୍ବନିମ୍ନ ସହାୟକ ମୂଲ୍ୟ) ବାବଦରେ ପାଖାପାଖି ୧୮ ଲକ୍ଷ କୋଟି ଟଙ୍କା ପାଇଛନ୍ତି ।

ଏହା ୨୦୧୪ ପୂର୍ବରୁ ପୂର୍ବ ୧୦ ବର୍ଷ ତୁଳନାରେ ୨.୫ ଗୁଣ ଅଧିକ ଅଟେ ।

ପୂର୍ବରୁ , ତୈଳବୀଜ ଓ ଡାଲି ଜାତୀୟ ଫସଲର ସରକାରୀ କ୍ରୟ ନଗଣ୍ୟ ଥିଲା ।

ଗତ ଦଶନ୍ଧି ମଧ୍ୟରେ , ତୈଳବୀଜ ଏବଂ ଡାଲି ଜାତୀୟ ଫସଲ ଉତ୍ପାଦନ କରୁଥିବା କୃଷକମାନେ ଏମ୍‌ଏସ୍‌ପି ବାବଦରେ ୧.୨୫ ଲକ୍ଷ କୋଟି ଟଙ୍କାରୁ ଅଧିକ ପାଇଛନ୍ତି ।

ଆମ ସରକାର ହିଁ ପ୍ରଥମ ଥର ପାଇଁ ଦେଶରେ କୃଷି ରପ୍ତାନି ନୀତି ପ୍ରଣୟନ କରିଛନ୍ତି ।

ଫଳରେ କୃଷି ରପ୍ତାନି ୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ।

ଗତ ୧୦ ବର୍ଷ ମଧ୍ୟରେ ଚାଷୀଙ୍କୁ ସୁଲଭ ମୂଲ୍ୟରେ ସାର ଯୋଗାଇଦେବା ପାଇଁ ୧୧ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି ।

ମୋ ସରକାର ୧.୭୫ ଲକ୍ଷରୁ ଅଧିକ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା , ପାଖାପାଖି ୮ ହଜାର କୃଷକ ଉତ୍ପାଦକ ସଂଗଠନ (ଏଫ୍‌ପିଓ) ଗଠନ କରାଯାଇଛି ।

ମୋ ସରକାର କୃଷିକ୍ଷେତ୍ରରେ ସମବାୟକୁ ପ୍ରୋତ୍ସାହିତ କରୁଛନ୍ତି । ତେଣୁ , ଦେଶରେ ପ୍ରଥମ ଥର ପାଇଁ ସମବାୟ ମନ୍ତ୍ରଣାଳୟ ପ୍ରତିଷ୍ଠା କରାଯାଇଛି ।

ସମବାୟ କ୍ଷେତ୍ରରେ ବିଶ୍ୱର ସର୍ବବୃହତ୍ ଶସ୍ୟ ସଂରକ୍ଷଣ ଯୋଜନା ଆରମ୍ଭ ହୋଇଛି ।

ଯେଉଁ ଗାଁରେ ସମବାୟ ସମିତି ନାହିଁ ସେଠାରେ ୨ ଲକ୍ଷ ସମିତି ପ୍ରତିଷ୍ଠା କରାଯାଉଛି ।

ମତ୍ସ୍ୟ କ୍ଷେତ୍ରରେ ୩୮ ହଜାର କୋଟିରୁ ଅଧିକ ଟଙ୍କାର ଯୋଜନା କାର୍ଯ୍ୟକାରୀ ହେଉଥିବାରୁ ମାଛ ଉତ୍ପାଦନ ୯୫ ଲକ୍ଷ ମେଟ୍ରିକ୍ ଟନ୍‌ରୁ ୧୭୫ ଲକ୍ଷ ମେଟ୍ରିକ୍ ଟନ୍‌କୁ ବୃଦ୍ଧି ପାଇଛି , ଅର୍ଥାତ୍ ଗତ ୧୦ ବର୍ଷ ମଧ୍ୟରେ ଏହା ପ୍ରାୟ ଦ୍ୱିଗୁଣିତ ହୋଇଛି ।

ଆଭ୍ୟନ୍ତରୀଣ ମତ୍ସ୍ୟ ଉତ୍ପାଦନ ୬୧ ଲକ୍ଷ ମେଟ୍ରିକ୍ ଟନ୍‌ରୁ ୧୩୧ ଲକ୍ଷ ମେଟ୍ରିକ୍ ଟନ୍‌କୁ ବୃଦ୍ଧି ପାଇଛି ।

ମତ୍ସ୍ୟ କ୍ଷେତ୍ରରେ ରପ୍ତାନି ଦ୍ୱିଗୁଣିତ ଅର୍ଥାତ୍ ୩୦ ହଜାର କୋଟିଟଙ୍କାରୁ ୬୪ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ଦେଶରେ ପ୍ରଥମ ଥର ପାଇଁ ପଶୁସମ୍ପଦ ଚାଷୀ ଓ ମତ୍ସ୍ୟଜୀବୀଙ୍କୁ କିଷାନ କ୍ରେଡିଟ୍ କାର୍ଡର ଲାଭ ଦିଆଯାଇଛି ।

ଗତ ଦଶନ୍ଧି ମଧ୍ୟରେ , ମୁଣ୍ଡପିଛା କ୍ଷୀର ଉପଲବ୍ଧତା ୪୦ ପ୍ରତିଶତ ବୃଦ୍ଧି ପାଇଛି ।

ପଶୁମାନଙ୍କୁ ପାଦ ଓ ପାଟି ରୋଗରୁ ରକ୍ଷା କରିବା ପାଇଁ ଚାଲିଛି ପ୍ରଥମ ମାଗଣା ଟିକାକରଣ ଅଭିଯାନ ।

ବର୍ତ୍ତମାନ ସୁଦ୍ଧା , ୪ଟି ପର୍ଯ୍ୟାୟରେ ପଶୁମାନଙ୍କୁ ୫୦ କୋଟିରୁ ଅଧିକ ଡୋଜ୍ ଦିଆଯାଇଛି ।

ସମ୍ମାନିତ ସଦସ୍ୟ,

୨୦. ଏହି ସବୁ ଜନକଲ୍ୟାଣକାରୀ ଯୋଜନା କେବଳ ସେବା ନୁହେଁ । ଯାହା ଦେଶର ନାଗରିକଙ୍କ ଜୀବନ ଚକ୍ର ଉପରେ ସକାରାତ୍ମକ ପ୍ରଭାବ ପକାଉଛି ।

ମୋ ସରକାରଙ୍କ ଯୋଜନାର ଫଳାଫଳ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନର ଅଧ୍ୟୟନର ବିଷୟ ପାଲଟିଛି ।

ଏହି ଯୋଜନା ଗୁଡ଼ିକର ଫଳାଫଳ ପ୍ରଭାବଶାଳୀ ହୋଇଛି ଏବଂ ଦାରିଦ୍ର‌୍ୟ ମୁକାବିଲାରେ ନିୟୋଜିତ ପ୍ରତ୍ୟେକ ଦେଶ ପାଇଁ ଏହା ପ୍ରେରଣାଦାୟକ ଉଦାହରଣ ଭାବେ କାର୍ଯ୍ୟ କରିବ ।

ବିଗତ ବର୍ଷ ମାନଙ୍କରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ:

୧୧ କୋଟି ଶୌଚାଳୟ ନିର୍ମାଣ ଏବଂ ଖୋଲାରେ ମଳତ୍ୟାଗ ବନ୍ଦ ହେବା ଦ୍ୱାରା ଅନେକ ରୋଗର ପ୍ରକୋପକୁ ରୋକା ଯାଇପାରିଛି ।

ଫଳରେ ସହରାଞ୍ଚଳର ପ୍ରତ୍ୟେକ ଗରିବ ପରିବାର ଚିକିତ୍ସା ଖର୍ଚ୍ଚ ବାବଦରେ ବାର୍ଷିକ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରୁଛନ୍ତି ।

ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ଯୋଗୁଁ ପ୍ରତିବର୍ଷ ଲକ୍ଷ ଲକ୍ଷ ପିଲାଙ୍କ ଜୀବନ ବଞ୍ଚାଯାଉଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ନିର୍ମାଣ ହିତାଧିକାରୀ ପରିବାରର ସାମାଜିକ ସ୍ଥିତି ଓ ସମ୍ମାନ ବୃଦ୍ଧି କରିଛି ।

ପକ୍କା ଘର ଥିବା ପରିବାରର ପିଲାଙ୍କ ପାଠପଢ଼ାରେ ଉନ୍ନତି ଘଟିଛି ଏବଂ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ହାର ହ୍ରାସ ପାଇଛି ।

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଅଧୀନରେ ଆଜି ଦେଶରେ ଶତ ପ୍ରତିଶତ ସଂସ୍ଥାଗତ ପ୍ରସବ ହେଉଛି । ଫଳରେ ମାତୃ ମୃତ୍ୟୁ ହାର ଦ୍ରୁତ ଗତିରେ ହ୍ରାସ ପାଇଛି ।

ଅନ୍ୟ ଏକ ଅଧ୍ୟୟନ ଅନୁଯାୟୀ , ଉଜ୍ଜ୍ୱଳା ହିତାଧିକାରୀ ପରିବାରରେ ଗମ୍ଭୀର ରୋଗର ପ୍ରକୋପ ହ୍ରାସ ପାଇଛି ।

ସମ୍ମାନିତ ସଦସ୍ୟ,

୨୧. ମୋ ସରକାର ମାନବ କେନ୍ଦ୍ରିତ ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି । ପ୍ରତ୍ୟେକ ନାଗରିକଙ୍କ ମର୍ଯ୍ୟାଦା ଆମ ପାଇଁ ସର୍ବୋପରି । ଏହା ହେଉଛି ସାମାଜିକ ନ୍ୟାୟ ବିଷୟରେ ଆମର ଧାରଣା । ଏହା ମଧ୍ୟ ଭାରତୀୟ ସମ୍ବିଧାନର ପ୍ରତ୍ୟେକ ଧାରାର ଭାବନା ।

 ଦୀର୍ଘ ଦିନ ଧରି କେବଳ ଅଧିକାର ଉପରେ ଆଲୋଚନା ହେଉଥିଲା । ସରକାରଙ୍କ କର୍ତ୍ତବ୍ୟ ଉପରେ ମଧ୍ୟ ଆମେ ଗୁରୁତ୍ୱ ଦେଇଥିଲୁ । ଏହା ନାଗରିକଙ୍କ ମଧ୍ୟରେ ମଧ୍ୟ କର୍ତ୍ତବ୍ୟ ଭାବନା ଜାଗ୍ରତ କରିଛି । ଆଜି ଏପରି ଏକ ଭାବନା ସୃଷ୍ଟି ହୋଇଛି ଯେ, ନିଜ କର୍ତ୍ତବ୍ୟ ପାଳନ ଦ୍ୱାରା ନିଜ ଅଧିକାରର ଗ୍ୟାରେଣ୍ଟି ସୁନିଶ୍ଚିତ ହୋଇଥାଏ ।

 ଯେଉଁମାନେ ଏପର୍ଯ୍ୟନ୍ତ ବିକାଶ ଧାରାରୁ ଦୂରେଇ ରହିଛନ୍ତି , ସେମାନଙ୍କର ମଧ୍ୟ ମୋ ସରକାର ଯତ୍ନ ନେଇଛନ୍ତି । ବିଗତ ୧୦ ବର୍ଷ ମଧ୍ୟରେ ହଜାର ହଜାର ଆଦିବାସୀ ଗାଁକୁ ପ୍ରଥମ ଥର ପାଇଁ ବିଜୁଳି ଓ ସଡ଼କ ସଂଯୋଗ ଯୋଗାଇ ଦିଆଯାଇଛି । ଲକ୍ଷ ଲକ୍ଷ ଆଦିବାସୀ ପରିବାରକୁ ଏବେ ପାଇପ୍ ଯୋଗେ ଜଳ ଯୋଗାଣ ଆରମ୍ଭ ହୋଇଛି । ଏକ ସ୍ୱତନ୍ତ୍ର ଅଭିଯାନ ଅଧୀନରେ ମୋ ସରକାର ଆଦିବାସୀ ଅଧ୍ୟୁଷିତ ହଜାର ହଜାର ଗ୍ରାମକୁ ୪ଜି ଇଣ୍ଟରନେଟ୍ ସଂଯୋଗ ମଧ୍ୟ ଯୋଗାଇ ଦେଉଛନ୍ତି । ବନ ଧନ କେନ୍ଦ୍ର ସ୍ଥାପନ ଓ ୯୦ରୁ ଅଧିକ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ଏମଏସପି ଲାଗିବା ଦ୍ୱାରା ଆଦିବାସୀମାନେ ବହୁତ ଉପକୃତ ହୋଇଛନ୍ତି ।

ମୋ ସରକାର ପ୍ରଥମ ଥର ପାଇଁ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀଙ୍କ ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ଗୋଷ୍ଠୀ ମାନଙ୍କ ପାଇଁ ପାଖାପାଖି ୨୪ ହଜାର କୋଟି ଟଙ୍କା ବ୍ୟୟରେ ପିଏମ ଜନମନ ଯୋଜନା ଆରମ୍ଭ କରାଯାଇଛି । ଆଦିବାସୀ ପରିବାରର ପିଢ଼ି ସିକଲ୍ ସେଲ ରକ୍ତହୀନତାରେ ପୀଡିତ ହୋଇଥାନ୍ତି । ଏହାର ସମାଧାନ ପାଇଁ ପ୍ରଥମ ଥର ପାଇଁ ଏକ ଜାତୀୟ ମିଶନ ଆରମ୍ଭ କରାଯାଇଛି । ଏହି ମିଶନ ଅଧୀନରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୧ କୋଟି ୪୦ ଲକ୍ଷ ଲୋକଙ୍କର ପରୀକ୍ଷଣ କରାଯାଇଛି ।

 ଦିବ୍ୟାଙ୍ଗଜନଙ୍କ ପାଇଁ ମୋ ସରକାର 'ସୁଗମ୍ୟ ଭାରତ ଅଭିଯାନ' ମଧ୍ୟ ଆରମ୍ଭ କରିଛନ୍ତି । ଭାରତୀୟ ସାଙ୍କେତିକ ଭାଷାରେ ପାଠ୍ୟପୁସ୍ତକ ମଧ୍ୟ ଉପଲବ୍ଧ କରାଯାଇଛି ।

 ସମାଜରେ କିନ୍ନରମାନଙ୍କୁ ସମ୍ମାନଜନକ ସ୍ଥାନ ଦେବା ଏବଂ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ଏକ ଆଇନ ମଧ୍ୟ ପ୍ରଣୟନ କରାଯାଇଛି ।

ସମ୍ମାନିତ ସଦସ୍ୟ,

 ୨୧. ବିଶ୍ୱକର୍ମା ପରିବାର ବିନା ଦୈନନ୍ଦିନ ଜୀବନର କଳ୍ପନା କରିବା କଷ୍ଟକର । ଏହି ପରିବାରମାନେ ପିଢ଼ି ପିଢ଼ି ସେମାନଙ୍କ ଦକ୍ଷତା ପ୍ରଦାନ କରିଥାନ୍ତି । ହେଲେ ସରକାରୀ ସହାୟତା ଅଭାବରୁ ଆମ ବିଶ୍ୱକର୍ମା ସାଥୀମାନେ କଠିନ ସମୟର ସମ୍ମୁଖୀନ ହେଉଥିଲେ । ମୋ ସରକାର ମଧ୍ୟ ଏଭଳି ବିଶ୍ୱକର୍ମା ପରିବାରର ଯତ୍ନ ନେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୮୪ ଲକ୍ଷରୁ ଅଧିକ ଲୋକ ପିଏମ୍ ବିଶ୍ୱକର୍ମା ଯୋଜନାରେ ଯୋଡ଼ି ହୋଇଛନ୍ତି ।

 ଅନେକ ଦଶନ୍ଧି ଧରି, ଷ୍ଟ୍ରିଟ୍ ଭେଣ୍ଡର ଭାବରେ କାମ କରୁଥିବା ଆମର ସାଥୀମାନଙ୍କୁ ମଧ୍ୟ ସେମାନଙ୍କ ଭାଗ୍ୟ ଉପରେ ଛାଡି ଦିଆଯାଇଥିଲା । ମୋ ସରକାର ସେମାନଙ୍କୁ ପିଏମ୍ ସ୍ୱନିଧି ଯୋଜନା ମାଧ୍ୟମରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ପ୍ରବେଶ କରାଇଛନ୍ତି । ସେମାନଙ୍କୁ ବର୍ତ୍ତମାନ ସୁଦ୍ଧା ୧୦,୦୦୦ କୋଟି ଟଙ୍କାରୁ ଅଧିକ ଋଣ ପ୍ରଦାନ କରାଯାଇଛି । ସେମାନଙ୍କ ଉପରେ ଭରସା କରି ସରକାର ବିନା ବନ୍ଧକରେ ଋଣ ଦେଇଥିଲେ । ଏହି ବିଶ୍ୱାସକୁ ସୁଦୃଢ଼ କରି ଅଧିକାଂଶ ଲୋକ କେବଳ ଋଣ ପରିଶୋଧ କରିନାହାନ୍ତି ବରଂ ପରବର୍ତ୍ତୀ କିସ୍ତି ମଧ୍ୟ ନେଇଥିଲେ । ଏଥିରୁ ଅଧିକାଂଶ ହିତାଧିକାରୀ ହେଉଛନ୍ତି ଦଳିତ, ପଛୁଆ ବର୍ଗ, ଆଦିବାସୀ ଓ ମହିଳା ।

ସମ୍ମାନିତ ସଦସ୍ୟ,

୨୩. "ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଏବଂ ସବ୍‌କା ପ୍ରୟାସ" ମନ୍ତ୍ରରେ ପରିଚାଳିତ ମୋ ସରକାର ସମାଜର ପ୍ରତ୍ୟେକ ବର୍ଗକୁ ଉଚିତ ସୁଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ।

ପ୍ରଥମ ଥର ପାଇଁ ସାଧାରଣ ବର୍ଗର ଅର୍ଥନୈତିକ ଦୁର୍ବଳ ବର୍ଗର ଲୋକଙ୍କୁ ସଂରକ୍ଷଣର ସୁବିଧା ପ୍ରଦାନ କରାଯାଇଛି ।

ସ୍ନାତକୋତ୍ତର ଓ ସ୍ନାତକୋତ୍ତର ଡାକ୍ତରୀ ପାଠ୍ୟକ୍ରମରେ ଓବିସି ମାନଙ୍କ ପାଇଁ କେନ୍ଦ୍ରୀୟ କୋଟା ଅଧୀନରେ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ କରାଯାଇଛି ।

ଜାତୀୟ ପଛୁଆ ବର୍ଗ ଆୟୋଗକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରାଯାଇଛି ।

ବାବା ସାହେବ ଆମ୍ବେଦକରଙ୍କ ସହ ଜଡିତ ୫ଟି ସ୍ଥାନକୁ ପଞ୍ଚତୀର୍ଥ ଭାବେ ବିକଶିତ କରାଯାଇଛି ।

ସାରା ଦେଶରେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମର୍ପିତ ୧୦ଟି ସଂଗ୍ରହାଳୟ ନିର୍ମାଣ କରାଯାଉଛି ।

ସମ୍ମାନିତ ସଦସ୍ୟ,

୨୪. ଅନେକ ଦଶନ୍ଧି ଧରି ଅବହେଳିତ ଥିବା ଅଞ୍ଚଳରେ ମୋ ସରକାର ପ୍ରଥମ ଥର ପାଇଁ ବିକାଶ ଆଣିଛନ୍ତି । ଆମ ସୀମାକୁ ଲାଗିରହିଥିବା ଗାଁଗୁଡ଼ିକୁ ଦେଶର ଅନ୍ତିମ ଗ୍ରାମ ଭାବେ ବିବେଚନା କରାଯାଉଥିଲା । ଆମେ ସେମାନଙ୍କୁ ଦେଶର ପ୍ରଥମ ଗ୍ରାମ ଭାବରେ ସ୍ୱୀକୃତି ଦେଇଥିଲୁ । ଏହି ଗ୍ରାମ ଗୁଡ଼ିକର ବିକାଶ ପାଇଁ ଭାଇବ୍ରେଣ୍ଟ ଭିଲେଜ୍ (ସ୍ଫୁର୍ତ୍ତିଶୀଳ ଗ୍ରାମ) କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । 

 ଆଣ୍ଡାମାନ - ନିକୋବର ଏବଂ ଲାକ୍ଷାଦ୍ୱୀପ ଭଳି ଆମର ଦୁର୍ଗମ ଏବଂ ଦୂର ଦ୍ୱୀପ ମଧ୍ୟ ବିକାଶରୁ ବଞ୍ଚିତ ହୋଇଥିଲା । ମୋ ସରକାର ଏହି ଦ୍ୱୀପରେ ମଧ୍ୟ ଆଧୁନିକ ସୁବିଧା ବିକଶିତ କରିଛନ୍ତି । ସେଠାରେ ସଡ଼କ, ବିମାନ ଯୋଗାଯୋଗ ଏବଂ ଦ୍ରୁତ କ୍ଷମତାସମ୍ପନ୍ନ ଇଣ୍ଟରନେଟ୍ ସୁବିଧା ଯୋଗାଇ ଦିଆଯାଇଛି । କିଛି ସପ୍ତାହ ତଳେ ଲାକ୍ଷାଦ୍ୱୀପକୁ ଅଣ୍ଡରୱାଟର ଅପ୍ଟିକାଲ ଫାଇବର ସହିତ ମଧ୍ୟ ସଂଯୋଗ କରାଯାଇଥିଲା । ଏହା ଦ୍ୱାରା ସ୍ଥାନୀୟ ଜନସାଧାରଣଙ୍କ ସହ ପର୍ଯ୍ୟଟକମାନେ ମଧ୍ୟ ଉପକୃତ ହେବେ ।

ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅଧୀନରେ ଆମ ସରକାର ଦେଶର ଶହେରୁ ଅଧିକ ଜିଲ୍ଲାର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି । ଏହାର ସଫଳତାକୁ ଦୃଷ୍ଟିରେ ରଖି ସରକାର ଆକାଂକ୍ଷୀ ବ୍ଲକ ୍ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି । ପଛରେ ପଡ଼ିଥିବା ଦେଶର ଏହି ବ୍ଲକ୍ ଗୁଡ଼ିକର ବିକାଶ ଉପରେ ଏବେ ବିଶେଷ ଗୁରୁତ୍ୱ ଦିଆଯାଉଛି ।

ସମ୍ମାନିତ ସଦସ୍ୟ,

 ୨୫. ଆଜି ମୋ ସରକାର ସମଗ୍ର ସୀମାରେ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ କରୁଛନ୍ତି । ଏହି କାର୍ଯ୍ୟ ବହୁ ପୂର୍ବରୁ ପ୍ରାଥମିକତା ଭିତ୍ତିରେ ହେବା କଥା । ଆତଙ୍କବାଦ ହେଉ କି ବିସ୍ତାରବାଦ, ଆଜି ଆମ ସେନା ଏହାର ଉଚିତ ଜବାବ ଦେଉଛି ।

ଆଭ୍ୟନ୍ତରୀଣ ନିରାପତ୍ତାକୁ ସୁଦୃଢ଼ କରିବା ପାଇଁ ମୋ ସରକାରଙ୍କ ପ୍ରୟାସର ପ୍ରକୃତ ଫଳ ଆମକୁ ଦୃଶ୍ୟମାନ ହେଉଛି ।

ଜାମ୍ମୁ - କାଶ୍ମୀରରେ ଆଜି ନିରାପତ୍ତା ଭାବନା ଦେଖିବାକୁ ମିଳିଛି ।

ଧର୍ମଘଟ ଯୋଗୁଁ ବଜାର ପୂର୍ବରୁ ଶୁନଶାନ୍ ରହୁଥିବା ବେଳେ ତାହା ଏବେ ଜନଗହଳିପୂର୍ଣ୍ଣ ବଜାରରେ ପରିବର୍ତ୍ତିତ ହୋଇଛି ।

ଉତ୍ତର - ପୂର୍ବାଞ୍ଚଳରେ ବିଚ୍ଛିନ୍ନତାବାଦ ଘଟଣାରେ ଯଥେଷ୍ଟ ହ୍ରାସ ଘଟିଛି ।

ସ୍ଥାୟୀ ଶାନ୍ତି ଦିଗରେ ଅନେକ ସଂଗଠନ ପଦକ୍ଷେପ ନେଇଛନ୍ତି ।

ନକ୍ସଲ ପ୍ରଭାବିତ ଅଂଚଳ ପରିମାଣ ହ୍ରାସ ପାଇଛି ଏବଂ ନକ୍ସଲ ହିଂସାରେ ଦ୍ରୁତ ହ୍ରାସ ଘଟିଛି ।

ସମ୍ମାନିତ ସଦସ୍ୟ,

୨୬. ଆଗାମୀ ଶତାବ୍ଦୀ ପାଇଁ ଭବିଷ୍ୟତ ରଚନା କରିବା ପାଇଁ ଭାରତ ପାଇଁ ଏହା ସମୟ ଅଟେ । ଆମର ପୂର୍ବପୁରୁଷମାନେ ଆମକୁ ହଜାର ହଜାର ବର୍ଷର ଏକ ଐତିହ୍ୟ ପ୍ରଦାନ କରିଛନ୍ତି । ଆଜି ବି ଆମେ ଆମ ପୂର୍ବପୁରୁଷଙ୍କ ଅସାଧାରଣ ସଫଳତାକୁ ଗର୍ବର ସହ ସ୍ମରଣ କରୁଛୁ । ଆଜିର ପିଢ଼ି ମଧ୍ୟ ଏକ ସ୍ଥାୟୀ ଐତିହ୍ୟ ନିର୍ମାଣ କରିବା ଉଚିତ , ଯାହା ଅନେକ ଶତାବ୍ଦୀ ଧରି ସ୍ମରଣୀୟ ହୋଇ ରହିବ ।

           ସେଥିପାଇଁ ମୋ ସରକାର ଏବେ ଏକ ବଡ଼ ଦୃଷ୍ଟିକୋଣ ଉପରେ କାମ କରୁଛନ୍ତି ।

 ଏହି ଭିଜନରେ ଆଗାମୀ ୫ ବର୍ଷ ପାଇଁ ଏକ କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏଥିରେ ଆଗାମୀ ୨୫ ବର୍ଷ ପାଇଁ ରୋଡମ୍ୟାପ୍ ମଧ୍ୟ ରହିଛି । ଆମ ପାଇଁ ବିକଶିିତ ଭାରତର ସ୍ୱପ୍ନ କେବଳ ଅର୍ଥନୈତିକ ସମୃଦ୍ଧିରେ ସୀମିତ ନୁହେଁ । ଆମେ ସାମାଜିକ, ସାଂସ୍କୃତିକ ଏବଂ ରଣନୈତିକ ଶକ୍ତିକୁ ସମାନ ଗୁରୁତ୍ୱ ଦେଉଛୁ । ସେମାନଙ୍କ ବିନା ବିକାଶ ଓ ଅର୍ଥନୈତିକ ସମୃଦ୍ଧି ସ୍ଥାୟୀ ହୋଇ ପାରିବ ନାହିଁ । ଗତ ଦଶନ୍ଧିର ନିଷ୍ପତ୍ତି ମଧ୍ୟ ଏହି ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ନିଆଯାଇଛି । ଏହି ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଆହୁରି ଅନେକ ପଦକ୍ଷେପ ନିଆଯାଉଛି ।

ସମ୍ମାନିତ ସଦସ୍ୟ,

 ୨୭. ଆଜି ବିଶ୍ୱର ପ୍ରତ୍ୟେକ ଏଜେନ୍ସି ଭାରତର ଦ୍ରୁତ ବିକାଶ ପାଇଁ ନିଶ୍ଚିତ ଅଛନ୍ତି । ଜାତୀୟ ଏବଂ ଅନ୍ତର୍ଜାତୀୟ ଏଜେନ୍ସି ଗୁଡ଼ିକର ଆକଳନ ଭାରତର ନୀତି ଉପରେ ଆଧାରିତ । ଭିତ୍ତିଭୂମି ଏବଂ ନୀତି ସଂସ୍କାର କ୍ଷେତ୍ରରେ ରେକର୍ଡ ପୁଞ୍ଜି ନିବେଶ ନିବେଶକ ମାନଙ୍କର ଆତ୍ମବିଶ୍ୱାସକୁ ଆହୁରି ବୃଦ୍ଧି କରିଛି । ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ଏକ ସ୍ଥିର ଓ ଶକ୍ତିଶାଳୀ ସରକାର ନିମନ୍ତେ ଭାରତୀୟଙ୍କ ପସନ୍ଦ ମଧ୍ୟ ବିଶ୍ୱର ଆତ୍ମବିଶ୍ୱାସକୁ ନବୀକରଣ କରିଛି ।

ଆଜି ସାରା ବିଶ୍ୱ ବିଶ୍ୱାସ କରୁଛି ଯେ କେବଳ ଭାରତ ହିଁ ବିଶ୍ୱ ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିପାରିବ । ସେଥିପାଇଁ ଭାରତ ମଧ୍ୟ ଆଜି ଏ ଦିଗରେ ବଡ଼ ପଦକ୍ଷେପ ନେଉଛି । ଦେଶରେ ଏମଏସଏମଇର ଏକ ଶକ୍ତିଶାଳୀ ନେଟୱାର୍କ ବିକଶିତ ହେଉଛି ।

 ମୋ ସରକାର ୧୪ଟି କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୯ ଲକ୍ଷ କୋଟି ଟଙ୍କାର ଉତ୍ପାଦନ ହୋଇଛି । ଏହା ଦ୍ୱାରା ଦେଶରେ ଲକ୍ଷ ଲକ୍ଷ ନୂଆ ନିଯୁକ୍ତି ଓ ସ୍ୱରୋଜଗାର ସୁଯୋଗ ସୃଷ୍ଟି ହୋଇଛି ।

 ଇଲେକ୍ଟ୍ରୋନିକ୍‌, ଫାର୍ମା, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ମେଡିକାଲ ୍ ଉପକରଣ କ୍ଷେତ୍ରକୁ ମଧ୍ୟ ପିଏଲ୍‌ଆଇ ଉପକୃତ କରୁଛି । ମେଡିକାଲ ଉପକରଣ ସହ ଜଡ଼ିତ ଡଜନାଧିକ ପ୍ରକଳ୍ପରେ ଉତ୍ପାଦନ ଆରମ୍ଭ ହୋଇଛି । ମୋ ସରକାର ଦେଶରେ ୩ଟି ବୃହତ୍ ଔଷଧ ପାର୍କ ବିକଶିତ କରିଛନ୍ତି ।

ସମ୍ମାନିତ ସଦସ୍ୟ,

୨୮. ଆଜି ମେଡ୍ ଇନ୍ ଇଣ୍ଡିଆ (ଭାରତରେ ପ୍ରସ୍ତୁତ) ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡରେ ପରିଣତ ହୋଇଛି । ଏବେ ସାରା ବିଶ୍ୱ ଆମର ମେକ୍ ଇନ୍ ଇଣ୍ଡିଆ ନୀତିକୁ ନେଇ ବେଶ୍ ଉତ୍ସାହିତ । 'ଆତ୍ମନିର୍ଭର ଭାରତ' ର ଉଦ୍ଦେଶ୍ୟକୁ ସମଗ୍ର ବିଶ୍ୱ ପ୍ରଶଂସା କରୁଛି । ଆଜି ସାରା ବିଶ୍ୱର କଂପାନିଗୁଡ଼ିକ ଭାରତରେ ଉଦୀୟମାନ କ୍ଷେତ୍ରକୁ ନେଇ ଉତ୍ସାହିତ ଅଛନ୍ତି । ସେମିକଣ୍ଡକ୍ଟର କ୍ଷେତ୍ରରେ ପୁଞ୍ଜି ନିବେଶରୁ ଏହା ସ୍ପଷ୍ଟ ହୋଇଛି । ସେମିକଣ୍ଡକ୍ଟର କ୍ଷେତ୍ରରୁ ଇଲେକ୍ଟ୍ରୋନିକ୍ସ ଓ ଅଟୋମୋବାଇଲ କ୍ଷେତ୍ର ମଧ୍ୟ ଯଥେଷ୍ଟ ଲାଭବାନ ହେବ ।

 ମୋ ସରକାର ସବୁଜ ଗତିଶୀଳତାକୁ ବ୍ୟାପକ ଭାବରେ ପ୍ରୋତ୍ସାହିତ କରୁଛନ୍ତି । କେବଳ ଗତ କିଛି ବର୍ଷ ମଧ୍ୟରେ ଦେଶରେ ଲକ୍ଷ ଲକ୍ଷ ଇଲେକ୍ଟ୍ରିକ୍ ଯାନ ଉତ୍ପାଦନ ହୋଇଛି । ଏବେ ଆମେ ଭାରତରେ ବଡ଼ ବିମାନ ନିର୍ମାଣ ପାଇଁ ମଧ୍ୟ ପଦକ୍ଷେପ ନେଇଛୁ । ଆଗାମୀ ଦିନରେ ଉତ୍ପାଦନ କ୍ଷେତ୍ରରେ କୋଟି କୋଟି ନୂଆ ନିଯୁକ୍ତି ସୃଷ୍ଟି ହେବ ।

          ସମ୍ମାନିତ ସଦସ୍ୟ,

୨୯. ଆଜି ସମଗ୍ର ବିଶ୍ୱରେ , ପରିବେଶ ଅନୁକୂଳ ଉତ୍ପାଦର ବିଶେଷ ଚାହିଦା ରହିଛି । ସେଥିପାଇଁ ମୋ ସରକାର ଜିରୋ ଇଫେକ୍ଟ ଜିରୋ ଡିଫେକ୍ଟ ଉପରେ ଗୁରୁତ୍ୱ ଦେଉଛନ୍ତି । ଆମେ ଏବେ ସବୁଜ ଶକ୍ତି ଉପରେ ଅଧିକ ଧ୍ୟାନ ଦେଉଛୁ ।

୧୦ ବର୍ଷ ମଧ୍ୟରେ ଅଣଜୀବାଶ୍ମ ଇନ୍ଧନ ଭିତ୍ତିକ ଶକ୍ତି କ୍ଷମତା ୮୧ ଗିଗାୱାଟରୁ ୧୮୮ ଗିଗାୱାଟକୁ ବୃଦ୍ଧି ପାଇଛି ।

ଏହି ସମୟ ମଧ୍ୟରେ ସୌର ଶକ୍ତି କ୍ଷମତା ୨୬ ଗୁଣ ବୃଦ୍ଧି ପାଇଛି ।

ସେହିପରି ପବନର ଶକ୍ତି କ୍ଷମତା ଦ୍ୱିଗୁଣିତ ହୋଇଛି ।

ନବୀକରଣୀୟ ଶକ୍ତି ସ୍ଥାପନ କ୍ଷମତା ଦୃଷ୍ଟିରୁ ଆମେ ବିଶ୍ୱରେ ଚତୁର୍ଥ ସ୍ଥାନରେ ଅଛୁ ।

ପବନ ଶକ୍ତି କ୍ଷମତାରେ ଆମେ ଚତୁର୍ଥ ସ୍ଥାନରେ ଅଛୁ ।

ସୌର ଶକ୍ତି କ୍ଷମତାରେ ଆମେ ପଞ୍ଚମ ସ୍ଥାନରେ ଅଛୁ ।

୨୦୩୦ ସୁଦ୍ଧା ଅଣ ଜୀବାଶ୍ମ ଇନ୍ଧନରୁ ୫୦ ପ୍ରତିଶତ ବିଦ୍ୟୁତ ଶକ୍ତି ଉତ୍ପାଦନ କରିବାକୁ ଭାରତ ଲକ୍ଷ୍ୟ ଧାର୍ଯ୍ୟ କରିଛି ।

ଗତ ୧୦ ବର୍ଷ ମଧ୍ୟରେ ୧୧ଟି ନୂଆ ସୌର ପାର୍କ ନିର୍ମାଣ କରାଯାଇଛି । ଏବେ ୯ଟି ସୋଲାର ପାର୍କ ଉପରେ କାମ ଚାଲିଛି ।

କିଛି ଦିନ ତଳେ ସୌର ଛାତ ସ୍ଥାପନ ପାଇଁ ଏକ ନୂଆ ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନା ଅଧୀନରେ ୧ କୋଟି ପରିବାରକୁ ସହାୟତା ଯୋଗାଇ ଦିଆଯିବ । ଏହା ଦ୍ୱାରା ଲୋକଙ୍କ ବିଜୁଳି ବିଲ୍ ମଧ୍ୟ ହ୍ରାସ ପାଇବ ଏବଂ ଉତ୍ପାଦିତ ଅତିରିକ୍ତ ବିଜୁଳି ବଜାରରୁ କିଣାଯିବ ।

ଆଣବିକ ଶକ୍ତି କ୍ଷେତ୍ରରେ ମଧ୍ୟ ବହୁତ ଦ୍ରୁତ ଗତିରେ କାମ କରାଯାଉଛି । ମୋ ସରକାର ୧୦ଟି ନୂତନ ପରମାଣୁ ଶକ୍ତି କେନ୍ଦ୍ରକୁ ମଞ୍ଜୁରୀ ଦେଇଛନ୍ତି ।

ହାଇଡ୍ରୋଜେନ ଶକ୍ତି କ୍ଷେତ୍ରରେ ମଧ୍ୟ ଭାରତ ଦ୍ରୁତ ଗତିରେ ଅଗ୍ରଗତି କରୁଛି । ବର୍ତ୍ତମାନ ସୁଦ୍ଧା ଆମେ ଲଦାଖ ଏବଂ ଡାମନ- ଡିଉରେ ଦୁଇଟି ପ୍ରକଳ୍ପ ଆରମ୍ଭ କରିଛୁ ।

ମୋ ସରକାର ଇଥାନଲ କ୍ଷେତ୍ରରେ ଅଭୂତପୂର୍ବ କାର୍ଯ୍ୟ କରିଛନ୍ତି । ଦେଶ ୧୨ ପ୍ରତିଶତ ଇଥାନଲ ମିଶ୍ରଣ ଲକ୍ଷ୍ୟ ହାସଲ କରିଛି । ୨୦ ପ୍ରତିଶତ ଇଥାନଲ ମିଶ୍ରଣ ଲକ୍ଷ୍ୟ ମଧ୍ୟ ଖୁବ୍ ଶୀଘ୍ର ପୂରଣ ହେବାକୁ ଯାଉଛି । ଏହା ଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି ପାଇବ । ବର୍ତ୍ତମାନ ସୁଦ୍ଧା ସରକାରୀ କମ୍ପାନିମାନେ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କାର ଇଥାନଲ୍ କିଣିସାରିଲେଣି । ଏହି ସବୁ ପ୍ରୟାସ ଆମର ଶକ୍ତି ଆବଶ୍ୟକତା ପାଇଁ ବାହାର ଦେଶ ଉପରେ ନିର୍ଭରଶୀଳତା ହ୍ରାସ କରିବ । କିଛି ଦିନ ତଳେ ବଙ୍ଗୋପସାଗରର ଏକ ନୂଆ ବ୍ଲକରେ ତୈଳ ଉତ୍ପାଦନ ଆରମ୍ଭ ହୋଇଛି । ଏହା ଦେଶ ପାଇଁ ଏକ ବଡ଼ ଉପଲବ୍ଧି ।

ସମ୍ମାନିତ ସଦସ୍ୟ,

୩୦. ପୃଥିବୀରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ପରିମାଣ ସୀମିତ । ସେଥିପାଇଁ ମୋ ସରକାର ସର୍କୁଲାର ଅର୍ଥନୀତିକୁ ପ୍ରୋତ୍ସାହନ ଦେଉଛନ୍ତି । ଭାରତର ପ୍ରଥମ 'ଭେହିକଲ୍ ସ୍କ୍ରାପେଜ୍ ପଲିସି' ମଧ୍ୟ ଏହି ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛି ।

 ଗଭୀର ସମୁଦ୍ର ଖନନ ମାଧ୍ୟମରେ ଖଣିଜ ପଦାର୍ଥର ସମ୍ଭାବନା ଅନୁସନ୍ଧାନ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଏହି ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଗଭୀର ମହାସାଗର ଅଭିଯାନ ଆରମ୍ଭ କରାଯାଇଛି । ଏହି ମିଶନ ସାମୁଦ୍ରିକ ଜୀବନ ବିଷୟରେ ଆମର ବୁଝାମଣାକୁ ମଧ୍ୟ ଉନ୍ନତ କରିବ । ଭାରତର 'ସମୁଦ୍ରାୟନ' ଏହାକୁ ନେଇ ଗବେଷଣାରେ ନିୟୋଜିତ ଅଛନ୍ତି ।

 ମୋ ସରକାର ଭାରତକୁ ବିଶ୍ୱର ଏକ ପ୍ରମୁଖ ମହାକାଶ ଶକ୍ତିରେ ପରିଣତ କରିବାରେ ନିୟୋଜିତ ଅଛନ୍ତି । ଏହା ମାନବ ଜୀବନରେ ଉନ୍ନତି ଆଣିବାର ଏକ ମାଧ୍ୟମ । ଏହାବ୍ୟତୀତ ମହାକାଶ ଅର୍ଥନୀତିରେ ଭାରତର ଭାଗ ବଢ଼ାଇବାକୁ ମଧ୍ୟ ଏହା ପ୍ରୟାସ କରୁଛି । ଭାରତର ମହାକାଶ କାର୍ଯ୍ୟକ୍ରମକୁ ବିସ୍ତାର କରିବା ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି । ଏହା ଦ୍ୱାରା ଅନେକ ନୂତନ ମହାକାଶ ଷ୍ଟାର୍ଟ ଅପ୍ ଗଠନ ହୋଇଛି । ଭାରତର ଗଗନାୟନ କାର୍ଯ୍ୟକ୍ରମ ମାଧ୍ୟମରେ ମହାକାଶରେ ପହଞ୍ଚିବାର ଦିନ ଦୂର ନୁହେଁ ।

ସମ୍ମାନିତ ସଦସ୍ୟ,

୩୧. ମୋ ସରକାର ଭାରତକୁ ବିଶ୍ୱର ଏକ ଅଗ୍ରଣୀ ଡିଜିଟାଲ ଅର୍ଥନୀତିରେ ପରିଣତ କରିଛନ୍ତି । ଫଳରେ କୋଟି କୋଟି ଯୁବକଯୁବତୀଙ୍କୁ ରୋଜଗାର ମିଳିଛି ।

 ଚତୁର୍ଥ ଶିଳ୍ପ ବିପ୍ଳବରେ ଭାରତ ବିଶ୍ୱର ସବୁଠୁ ଆଗରେ ରହିବା ହେଉଛି ଆମର ପ୍ରୟାସ ।

 ମୋ ସରକାର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମିଶନରେ କାମ କରୁଛନ୍ତି । ଏହା ଦ୍ୱାରା ଭାରତର ଯୁବପିଢ଼ିଙ୍କୁ ନୂଆ ସୁଯୋଗ ମିଳିବ । ଏହା ଦ୍ୱାରା ନୂଆ ଷ୍ଟାର୍ଟଅପ୍ ପାଇଁ ବାଟ ଖୋଲିବ । ଏହା ଦ୍ୱାରା କୃଷି, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ ।

 ମୋ ସରକାର ଜାତୀୟ କ୍ୱାଣ୍ଟମ ମିଶନକୁ ମଧ୍ୟ ଅନୁମୋଦନ ଦେଇଛନ୍ତି । କ୍ୱାଣ୍ଟମ କମ୍ପ୍ୟୁଟିଂ ଏକ ନୂତନ ଯୁଗର ଡିଜିଟାଲ ଭିତ୍ତିଭୂମି ବିକଶିତ କରିବ । ଏବେ ଭାରତ ଏଥିରେ ଯେପରି ଆଗୁଆ ରହିବ ସେଥିପାଇଁ କାମ ଚାଲିଛି ।

ସମ୍ମାନିତ ସଦସ୍ୟ,

୩୨. ମୋ ସରକାର ଭାରତର ଯୁବବର୍ଗଙ୍କ ଶିକ୍ଷା ଏବଂ ଦକ୍ଷତା ବିକାଶ ପାଇଁ କ୍ରମାଗତ ଭାବରେ ନୂତନ ପଦକ୍ଷେପ ନେଉଛନ୍ତି । ଏଥିପାଇଁ ଏକ ନୂଆ ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତ କରାଯାଇ ଦ୍ରୁତ ଗତିରେ କାର୍ଯ୍ୟକାରୀ କରାଯାଉଛି ।

 ଜାତୀୟ ଶିକ୍ଷା ନୀତିରେ ମାତୃଭାଷା ଓ ଭାରତୀୟ ଭାଷାରେ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ଭାରତୀୟ ଭାଷାରେ ଇଞ୍ଜିନିୟରିଂ, ମେଡିକାଲ, ଆଇନ ଭଳି ବିଷୟର ପାଠପଢ଼ା ଆରମ୍ଭ ହୋଇଛି ।

 ସ୍କୁଲ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ମୋ ସରକାର ୧୪ ହଜାରରୁ ଅଧିକ 'ପିଏମ୍ ଶ୍ରୀ ବିଦ୍ୟାଳୟ' ଉପରେ କାମ କରୁଛନ୍ତି । ସେଥି ମଧ୍ୟରୁ ୬୦୦୦ରୁ ଅଧିକ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି ।

ମୋ ସରକାରଙ୍କ ପ୍ରୟାସ ଯୋଗୁଁ ଦେଶରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ହାର ହ୍ରାସ ପାଇଛି । ଉଚ୍ଚଶିକ୍ଷା କ୍ଷେତ୍ରରେ ଝିଅଙ୍କ ନାମଲେଖା ବୃଦ୍ଧି ପାଇଛି । ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରାୟ ୪୪%, ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ନାମଲେଖା ୬୫% ଏବଂ ଓବିସି ଛାତ୍ରଛାତ୍ରୀଙ୍କ ନାମଲେଖା ୪୪% ରୁ ଅଧିକ ବୃଦ୍ଧି ପାଇଛି ।

 ଅଟଳ ଇନୋଭେସନ ମିଶନ ଅଧୀନରେ ନବସୃଜନକୁ ପ୍ରୋତ୍ସାହନ ଦେବା ପାଇଁ ୧୦,୦୦୦ ଅଟଳ ଟିଙ୍କରିଂ ଲ୍ୟାବ୍ ପ୍ରତିଷ୍ଠା କରାଯାଇଛି । ଏଥିରେ ୧ କୋଟିରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି ।

 ୨୦୧୪ ସୁଦ୍ଧା ଦେଶରେ ୭ଟି ଏମ୍ସ ଓ ୩୯୦ରୁ କମ୍ ମେଡିକାଲ କଲେଜ ଥିବା ବେଳେ ଗତ ଦଶନ୍ଧି ମଧ୍ୟରେ ୧୬ଟି ଏମ୍ସ ଓ ୩୧୫ଟି ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି ।

 ସେହିପରି ୧୫୭ଟି ନର୍ସିଂ କଲେଜ ପ୍ରତିଷ୍ଠା କରାଯାଉଛି ।

 ଗତ ଏକ ଦଶନ୍ଧି ମଧ୍ୟରେ , ଏମ୍‌ବିବିଏସ୍ ସିଟ୍ ସଂଖ୍ୟା ଦୁଇ ଗୁଣରୁ ଅଧିକ ହୋଇଛି ।

        ସମ୍ମାନିତ ସଦସ୍ୟ,

୩୩. ପର୍ଯ୍ୟଟନ ହେଉଛି ଏକ ବଡ଼ କ୍ଷେତ୍ର ଯାହା ଯୁବପିଢ଼ିଙ୍କୁ ରୋଜଗାର ପ୍ରଦାନ କରିଥାଏ । ଗତ ୧୦ ବର୍ଷ ମଧ୍ୟରେ ମୋ ସରକାର ପର୍ଯ୍ୟଟନ କ୍ଷେତ୍ରରେ ଅଭୂତପୂର୍ବ କାର୍ଯ୍ୟ କରିଛନ୍ତି । ଭାରତରେ ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା ସହିତ ଭାରତକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ।

 ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧିର କାରଣ ହେଉଛି ଭାରତର ବଢୁଥିବା ମାନ । ଆଜି ସାରା ବିଶ୍ୱ ଭାରତକୁ ଖୋଜିବା ଏବଂ ଜାଣିବାକୁ ଚାହୁଁଛି । ଏହାବ୍ୟତୀତ ଉତ୍କୃଷ୍ଟ ଯୋଗାଯୋଗ ଯୋଗୁଁ ପର୍ଯ୍ୟଟନର ପରିସର ମଧ୍ୟ ବୃଦ୍ଧି ପାଇଛି । ବିଭିନ୍ନ ସ୍ଥାନରେ ବିମାନ ବନ୍ଦର ନିର୍ମାଣ ମଧ୍ୟ ଲାଭଦାୟକ ହୋଇଛି । ଏବେ ଉତ୍ତର ପୂର୍ବରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ଦେଖିବାକୁ ମିଳୁଛି । ଏବେ ଆଣ୍ଡାମାନ - ନିକୋବର ଏବଂ ଲାକ୍ଷାଦ୍ୱୀପ ଦ୍ୱୀପକୁ ନେଇ ଉତ୍ସାହ ବଢିବାରେ ଲାଗିଛି ।

 ମୋ ସରକାର ସାରା ଦେଶରେ ତୀର୍ଥସ୍ଥଳ ଏବଂ ଐତିହାସିକ ସ୍ଥଳର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି । ଫଳରେ ଏବେ ଭାରତରେ ତୀର୍ଥଯାତ୍ରା ସହଜ ହୋଇଛି । ସେପଟେ ଭାରତରେ ଐତିହ୍ୟ ପର୍ଯ୍ୟଟନ ପ୍ରତି ବିଶ୍ୱରେ ଆଗ୍ରହ ବଢିବାରେ ଲାଗିଛି । ଗତ ଏକ ବର୍ଷ ମଧ୍ୟରେ ୮.୫ କୋଟି ଲୋକ କାଶୀ ଭ୍ରମଣ କରିଛନ୍ତି । ମହାକାଳକୁ ୫ କୋଟିରୁ ଅଧିକ ଲୋକ ଆସିଛନ୍ତି । କେଦାର ଧାମକୁ ୧୯ ଲକ୍ଷରୁ ଅଧିକ ଲୋକ ଆସିଛନ୍ତି । 'ପ୍ରାଣ ପ୍ରତିଷ୍ଠା' ର ୫ ଦିନ ମଧ୍ୟରେ ୧୩ ଲକ୍ଷ ଶ୍ରଦ୍ଧାଳୁ ଅଯୋଧ୍ୟା ଧାମ ଦର୍ଶନ କରିଛନ୍ତି । ଭାରତର ପ୍ରତ୍ୟେକ ଭାଗ, ପୂର୍ବ - ପଶ୍ଚିମ - ଉତ୍ତର - ଦକ୍ଷିଣରେ ତୀର୍ଥସ୍ଥଳୀ ଗୁଡ଼ିକରେ ସୁବିଧାର ଅଭୂତପୂର୍ବ ସମ୍ପ୍ରସାରଣ ହୋଇଛି ।                            

 ମୋ ସରକାର ମଧ୍ୟ ବୈଠକ ଏବଂ ପ୍ରଦର୍ଶନୀ ସମ୍ବନ୍ଧୀୟ କ୍ଷେତ୍ରରେ ଭାରତକୁ ଏକ ଅଗ୍ରଣୀ ଗନ୍ତବ୍ୟ ସ୍ଥଳରେ ପରିଣତ କରିବାକୁ ଚାହୁଁଛନ୍ତି । ଏଥିପାଇଁ ଭାରତ ମଣ୍ଡପମ୍‌, ଯଶୋଭୂମି ଭଳି ସୁବିଧା ସୃଷ୍ଟି କରାଯାଇଛି । ନିକଟ ଭବିଷ୍ୟତରେ ପର୍ଯ୍ୟଟନ ରୋଜଗାରର ଏକ ପ୍ରମୁଖ ଉତ୍ସ ପାଲଟିବ ।

ସମ୍ମାନିତ ସଦସ୍ୟ,

୩୪. ଦେଶର ଯୁବବର୍ଗଙ୍କୁ ଦକ୍ଷତା ଓ ରୋଜଗାର ସହ ଯୋଡ଼ିବା ପାଇଁ ଆମେ କ୍ରୀଡ଼ା ଅର୍ଥନୀତିକୁ ସୁଦୃଢ଼ କରୁଛୁ । ମୋ ସରକାର କ୍ରୀଡ଼ା ଓ କ୍ରୀଡ଼ାବିତ୍ ମାନଙ୍କୁ ଅଭୂତପୂର୍ବ ସହାୟତା ଦେଇଛନ୍ତି । ଆଜି ଭାରତ ଏକ ମହାନ କ୍ରୀଡ଼ା ଶକ୍ତିରେ ପରିଣତ ହେବା ଦିଗରେ ଅଗ୍ରସର ହେଉଛି ।

 ଖେଳାଳିଙ୍କ ସହ ଆଜି ଆମେ କ୍ରୀଡ଼ା ସହ ଜଡ଼ିତ ଅନ୍ୟାନ୍ୟ କ୍ଷେତ୍ର ଉପରେ ମଧ୍ୟ ଗୁରୁତ୍ୱ ଦେଉଛୁ । ଆଜି ଜାତୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଛି । ଆମେ ଦେଶରେ ଡଜନାଧିକ ଉତ୍କର୍ଷ କେନ୍ଦ୍ର ବିକଶିତ କରିଛୁ । ଏହାଦ୍ୱାରା ଯୁବପିଢ଼ିଙ୍କୁ କ୍ରୀଡ଼ାକୁ ବୃତ୍ତି ଭାବେ ବାଛିବାର ସୁଯୋଗ ମିଳିବ । କ୍ରୀଡ଼ା ସାମଗ୍ରୀ ଶିଳ୍ପକୁ ମଧ୍ୟ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି ।

 ବିଗତ ୧୦ ବର୍ଷ ମଧ୍ୟରେ , ଭାରତ ଅନେକ କ୍ରୀଡ଼ା ସହ ଜଡ଼ିତ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିଛି ।

 ଆମ ଯୁବପିଢ଼ିଙ୍କୁ 'ବିକଶିତ ଭାରତ' ଗଠନ ଦିଗରେ ଯୋଗଦାନ କରିବା ପାଇଁ ଉତ୍ସାହିତ କରିବା ଏବଂ ସେମାନଙ୍କ ମଧ୍ୟରେ କର୍ତ୍ତବ୍ୟ ଓ ସେବା ଭାବନା ଜାଗ୍ରତ କରିବା ପାଇଁ 'ମେରା ଯୁବ ଭାରତ' ସଂଗଠନ ଗଠନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୧ କୋଟି ଯୁବକ ଏହି ଅଭିଯାନରେ ସାମିଲ ହୋଇଛନ୍ତି ।

ସମ୍ମାନିତ ସଦସ୍ୟ,

୩୫. ଉତ୍ତେଜନା ସମୟରେ ଏକ ଶକ୍ତିଶାଳୀ ସରକାର ରହିବାର ଫାଇଦା ଆମେ ଦେଖିଛୁ । ବିଗତ ୩ ବର୍ଷ ହେଲା ସାରା ଦୁନିଆ ଅଶାନ୍ତ ଅବସ୍ଥାରେ ରହିଛି । ପୃଥିବୀର ବିଭିନ୍ନ ସ୍ଥାନରେ ଅନେକ ବିବାଦ ଲାଗି ରହିଛି । ଏହି କଠିନ ସମୟରେ ମୋ ସରକାର ଭାରତକୁ ବିଶ୍ୱ - ମିତ୍ର ଭାବରେ ପ୍ରତିଷ୍ଠିତ କରିଛନ୍ତି । ବିଶ୍ୱ - ମିତ୍ର ଭାବରେ ଭାରତର ଭୂମିକା ଯୋଗୁଁ ଆମେ ଆଜି ଦକ୍ଷିଣ ବିଶ୍ୱର ସ୍ୱର ହୋଇପାରିଛୁ ।

ବିଗତ ୧୦ ବର୍ଷ ମଧ୍ୟରେ ଆଉ ଏକ ପାରମ୍ପରିକ ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି । ପୂର୍ବରୁ କୂଟନୀତି ସହ ଜଡ଼ିତ ଘଟଣା କେବଳ ଦିଲ୍ଲୀର କରିଡରରେ ସୀମିତ ରହିଥିଲା । ମୋ ସରକାର ଏଥିରେ ଜନସାଧାରଣଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣ ସୁନିଶ୍ଚିତ କରିଛନ୍ତି । ଭାରତର ଜି - ୨୦ ଅଧ୍ୟକ୍ଷତା ସମୟରେ ଆମେ ଏହାର ଏକ ବଡ଼ ଉଦାହରଣ ଦେଖିଥିଲୁ । ଜି - ୨୦କୁ ଭାରତ ଯେଭଳି ଭାବେ ଜନସାଧାରଣଙ୍କ ସହ ଯୋଡ଼ିଛି ତାହା ଅଭୂତପୂର୍ବ ଥିଲା । ସାରା ଦେଶରେ ଆୟୋଜିତ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତର ପ୍ରକୃତ ସମ୍ଭାବନା ସହିତ ବିଶ୍ୱ ପରିଚିତ ହୋଇଥିଲା । ଜାମ୍ମୁ - କାଶ୍ମୀର ଏବଂ ଉତ୍ତର - ପୂର୍ବରେ ପ୍ରଥମ ଥର ପାଇଁ ଏତେ ବଡ଼ ଅନ୍ତର୍ଜାତୀୟ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା ।

 ଭାରତରେ ଅନୁଷ୍ଠିତ ଐତିହାସିକ ଜି- ୨୦ ଶିଖର ସମ୍ମିଳନୀକୁ ସମଗ୍ର ବିଶ୍ୱ ପ୍ରଶଂସା କରିଛି । ଖଣ୍ଡିତ ପରିବେଶରେ ମଧ୍ୟ ଦିଲ୍ଲୀ ଘୋଷଣାନାମାକୁ ସର୍ବସମ୍ମତିକ୍ରମେ ଗ୍ରହଣ କରିବା ଐତିହାସିକ । 'ମହିଳାଙ୍କ ନେତୃତ୍ୱାଧୀନ ବିକାଶ' ରୁ ଆରମ୍ଭ କରି ପରିବେଶ ପ୍ରସଙ୍ଗ ପର୍ଯ୍ୟନ୍ତ ଭାରତର ଦୃଷ୍ଟିକୋଣ ଏହି ଘୋଷଣାର ଆଧାର ପାଲଟିଛି ।

 ଜି -୨୦ରେ ଆଫ୍ରିକୀୟ ସଂଘର ସ୍ଥାୟୀ ସଦସ୍ୟତା ହାସଲ ପାଇଁ ଆମର ପ୍ରୟାସକୁ ମଧ୍ୟ ପ୍ରଶଂସା କରାଯାଇଛି । ଏହି ସମ୍ମିଳନୀରେ ଭାରତ – ମଧ୍ୟପ୍ରାଚ୍ୟ - ୟୁରୋପ କରିଡରର ବିକାଶ ପାଇଁ ଘୋଷଣା କରା ଯାଇଥିଲା । ଏହି କରିଡର ଭାରତର ସାମୁଦ୍ରିକ କ୍ଷମତାକୁ ଆହୁରି ସୁଦୃଢ଼ କରିବ । ବୈଶ୍ୱିକ ଜୈବ ଇନ୍ଧନ ମେଂଟ ଶୁଭାରମ୍ଭ ମଧ୍ୟ ଏକ ବଡ଼ କାର୍ଯ୍ୟକ୍ରମ । ଏଭଳି ପଦକ୍ଷେପ ବୈଶ୍ୱିକ ସମସ୍ୟାର ସମାଧାନରେ ଭାରତର ଭୂମିକାକୁ ବିସ୍ତାର କରୁଛି ।

ସମ୍ମାନିତ ସଦସ୍ୟ,

 ୩୬. ବିଶ୍ୱ ବିବାଦ ଓ ସଂଘର୍ଷର ଏହି ଯୁଗରେ ମଧ୍ୟ ମୋ ସରକାର ଭାରତର ସ୍ୱାର୍ଥକୁ ଦୃଢ଼ତାର ସହ ବିଶ୍ୱ ଆଗରେ ରଖିଛନ୍ତି । ଆଜି ଭାରତର ବୈଦେଶିକ ନୀତିର ପରିସର ଅତୀତର ପ୍ରତିବନ୍ଧକ ଠାରୁ ବହୁ ଦୂରକୁ ଯାଇଛି । ଆଜି ଭାରତ ଅନେକ ବୈଶ୍ୱିକ ସଂଗଠନର ସମ୍ମାନିତ ସଦସ୍ୟ । ଆତଙ୍କବାଦ ବିରୋଧରେ ଆଜି ଭାରତ ବିଶ୍ୱରେ ଏକ ଅଗ୍ରଣୀ ସ୍ୱର ।

 ଆଜି ଭାରତ ଏହାର ଦୃଢ଼ ଜବାବ ଦେଉଛି ଏବଂ ସଙ୍କଟରେ ଫସିଥିବା ମାନବ ଜାତି ପାଇଁ ପଦକ୍ଷେପ ନେଉଛି । ଆଜି ବିଶ୍ୱରେ ଯେଉଁଠି ବି ସଙ୍କଟ ରହିଛି, ଭାରତ ତୁରନ୍ତ ଏହାର ଜବାବ ଦେବାକୁ ଚେଷ୍ଟା କରୁଛି । ମୋ ସରକାର ସମଗ୍ର ବିଶ୍ୱରେ କାର୍ଯ୍ୟରତ ଭାରତୀୟଙ୍କ ମଧ୍ୟରେ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଛି । ଯେଉଁଠି ବି ସଙ୍କଟ ଦେଖାଦେଇଛି, ଅପରେସନ ଗଙ୍ଗା, ଅପରେସନ କାବେରୀ, ବନ୍ଦେ ଭାରତ ଭଳି ଅଭିଯାନ ମାଧ୍ୟମରେ ଆମେ ପ୍ରତ୍ୟେକ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛୁ ।

 ଯୋଗ, ପ୍ରାଣାୟାମ ଏବଂ ଆୟୁର୍ବେଦର ଭାରତୀୟ ପରମ୍ପରାକୁ ସମଗ୍ର ବିଶ୍ୱରେ ପ୍ରସାରିତ କରିବା ପାଇଁ ମୋ ସରକାର ନିରନ୍ତର ପ୍ରୟାସ କରିଛନ୍ତି । ଗତ ବର୍ଷ ଜାତିସଂଘ ମୁଖ୍ୟାଳୟରେ ୧୩୫ଟି ଦେଶର ପ୍ରତିନିଧି ଏକାଠି ଯୋଗ କରିଥିଲେ । ଏହା ନିଜେ ଏକ ରେକର୍ଡ । ମୋ ସରକାର ଆୟୁଷ ବିକାଶ ପାଇଁ ଏକ ନୂତନ ମନ୍ତ୍ରଣାଳୟ ଗଠନ କରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଥମ ଗ୍ଲୋବାଲ ସେଣ୍ଟର ଫର ଟ୍ରାଡିସନାଲ ମେଡିସିନ ଭାରତରେ ପ୍ରତିଷ୍ଠା କରାଯାଉଛି ।

ସମ୍ମାନିତ ସଦସ୍ୟ,

୩୭. ସଭ୍ୟତାର ଇତିହାସରେ ଏମିତି କିଛି ସମୟ ଆସିଛି, ଯାହା ଆଗାମୀ ଶତାବ୍ଦୀର ଭବିଷ୍ୟତକୁ ଆକାର ଦେଇଥାଏ । ଭାରତର ଇତିହାସରେ ମଧ୍ୟ ଏଭଳି ଅନେକ ନିର୍ଣ୍ଣାୟକ ମୁହୂର୍ତ୍ତ ରହିଛି ।

 ଚଳିତ ବର୍ଷ ଜାନୁଆରୀ ୨୨ ତାରିଖରେ ଦେଶରେ ମଧ୍ୟ ସମାନ ଏକ ଯୁଗାନ୍ତକାରୀ ମୁହୂର୍ତ୍ତ ଦେଖିବାକୁ ମିଳିଥିଲା ।

 ଶହ ଶହ ବର୍ଷ ଧରି ଅପେକ୍ଷା କରିବା ପରେ ରାମଲାଲା ଏବେ ଅଯୋଧ୍ୟାରେ ତାଙ୍କ ଭବ୍ୟ ମନ୍ଦିରରେ ସ୍ଥାନ ପାଇଛନ୍ତି ।

 ଏହା କୋଟି କୋଟି ଦେଶବାସୀଙ୍କ ପାଇଁ ଆକାଂକ୍ଷା ଓ ବିଶ୍ୱାସର ବିଷୟ ଥିଲା ଏବଂ ଏହାର ସମାଧାନ ସୌହାର୍ଦ୍ଦ୍ୟପୂର୍ଣ୍ଣ ଢଙ୍ଗରେ ସମ୍ପନ୍ନ ହୋଇଛି ।

ସମ୍ମାନିତ ସଦସ୍ୟ,

୩୮. ଆପଣମାନେ ସମସ୍ତେ କୋଟି କୋଟି ଭାରତୀୟଙ୍କ ଆକାଂକ୍ଷାର ପ୍ରତିନିଧିତ୍ୱ କରନ୍ତି । ଆଜି ସ୍କୁଲ ଓ କଲେଜରେ ଯୁବପିଢ଼ିଙ୍କ ସ୍ୱପ୍ନ ସଂପୂର୍ଣ୍ଣ ଭିନ୍ନ । ଅମୃତ ପିଢ଼ିର ସ୍ୱପ୍ନକୁ ପୂରଣ କରିବାରେ ସମସ୍ତ ପ୍ରତିବନ୍ଧକକୁ ଦୂର କରିବା ଆମ ସମସ୍ତଙ୍କର ଦାୟିତ୍ୱ । ବିକଶିିତ ଭାରତ ଆମ ଅମୃତ ପିଢ଼ିର ସ୍ୱପ୍ନ ପୂରଣ କରିବ । ଏଥିପାଇଁ ଆମ ସମସ୍ତଙ୍କୁ ମିଳିମିଶି ଏହି ପ୍ରୟାସରେ ସଫଳତା ହାସଲ କରିବାକୁ ପଡ଼ିବ ।

ସମ୍ମାନିତ ସଦସ୍ୟ,

୩୯. ସମ୍ମାନନୀୟ ଅଟଳଜୀ କହିଥିଲେ-

ଆମର ଲକ୍ଷ୍ୟପଥରେ ,

ଆମେ କେବେ ଅଟକି ନାହୁଁ, 

କୌଣସି ଆହ୍ୱାନ ସାମନାରେ

କେବେ ମଥାନତ କରି ନାହୁଁ ।

 ମୋ ସରକାର ୧୪୦ କୋଟି ଦେଶବାସୀଙ୍କ ସ୍ୱପ୍ନ ପୂରଣ କରିବାର ଗ୍ୟାରେଣ୍ଟି ନେଇ ଆଗକୁବଢୁଛି ।

  ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଏହି ନୂତନ ସଂସଦ ଭବନ ଭାରତର ଆକାଂକ୍ଷୀ ଯାତ୍ରାକୁ ଶକ୍ତି ପ୍ରଦାନ କରିବ ଏବଂ ନୂତନ ଏବଂ ସୁସ୍ଥ ପରମ୍ପରା ସୃଷ୍ଟି କରିବ ।

 ଅନେକ ବନ୍ଧୁ ୨୦୪୭ ମସିହାକୁ ଦେଖିବା ପାଇଁ ଏହି ଗୃହରେ ରହିବେ ନାହିଁ । କିନ୍ତୁ ଆମର ପରମ୍ପରା ଏପରି ହେବା ଦରକାର ଯେ ଭବିଷ୍ୟତ ପିଢ଼ି ଆମକୁ ମନେ ରଖିବେ ।

ଆପଣ ସମସ୍ତଙ୍କୁ ଶୁଭେଚ୍ଛା !

ଧନ୍ୟବାଦ!

ଜୟ ହିନ୍ଦ !

ଜୟ ଭାରତ !

**********

SSP

 

 

 

 



(Release ID: 2001007) Visitor Counter : 66