ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଭାରତ ଗସ୍ତକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବିବୃତ୍ତି

Posted On: 21 JUL 2023 1:40PM by PIB Bhubaneshwar

ମହାମହିମ, ରାଷ୍ଟ୍ରପତି ରନିଲ ବିକ୍ରମସିଙ୍ଘେ,

ଦୁଇ ଦେଶର ପ୍ରତିନିଧିଗଣ,

ଗଣମାଧ୍ୟମର ସମସ୍ତ ସାଥୀଗଣ,

ନମସ୍କାର !

ଆୟୁ ବୋବନ !

ୱଣକମ୍‌ !

ମୁଁ ରାଷ୍ଟ୍ରପତି ବିକ୍ରମସିଙ୍ଘେ ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତରେ ହାର୍ଦ୍ଦିକ ସ୍ୱାଗତ କରୁଛି । ଆଜି ରାଷ୍ଟ୍ରପତି ବିକ୍ରମସିଙ୍ଘେ ନିଜ କାର୍ଯ୍ୟକାଳର ଏକ ବର୍ଷ ପୂରଣ କରୁଛନ୍ତି । ଏହି ଅବସରରେ ମୁଁ ତାଙ୍କୁ ଆମ ସମସ୍ତଙ୍କ ତରଫରୁ ହାର୍ଦ୍ଦିକ ଶୁଭକାମନା ଜଣାଉଛି । ବିଗତ ଏକ ବର୍ଷ, ଶ୍ରୀଲଙ୍କାର ଲୋକମାନଙ୍କ ପାଇଁ ଆହ୍ୱାନରେ ପରିପୂର୍ଣ୍ଣ ଥିଲା । ଏକ ନିକଟ ସମ୍ପର୍କୀୟ ଭାବେ, ସବୁ ସମୟ ଭଳି, ଆମେ ଏହି ସଂକଟ ସମୟରେ ମଧ୍ୟ ଶ୍ରୀଲଙ୍କାର ଲୋକମାନଙ୍କ ସହିତ କାନ୍ଧକୁ କାନ୍ଧ ମିଶାଇ ଠିଆ ହୋଇ ରହିଥିଲୁ । ଆଜି ଯେଭଳି ସାହସର ସହିତ, ସେ ଏହି ଆହ୍ୱାନପୂର୍ଣ୍ଣ ପରିସ୍ଥିତିଗୁଡିକର ସାମନା କଲେ, ସେଥି ପାଇଁ ମୁଁ ଶ୍ରୀଲଙ୍କାର ଲୋକମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ,

ଆମର ସମ୍ବନ୍ଧ ଆମର ସଭ୍ୟତାଗୁଡିକ ଭଳି ହିଁ ହେଉଛି ପ୍ରାଚୀନ ଏବଂ ବ୍ୟାପକ ମଧ୍ୟ । ଭାରତର ("Neighbourhood First”) ‘ପଡୋଶୀ ପ୍ରଥମ’ ନୀତି ଏବଂ ‘ସାଗର’ ଦୃଷ୍ଟିଭଙ୍ଗୀ, ଉଭୟରେ ମଧ୍ୟ ଶ୍ରୀଲଙ୍କାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଆଜି ଆମେ ଦ୍ୱିପକ୍ଷୀୟ, ଆଂଚଳିକ ତଥା ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗରେ ନିଜର ବିଚାର ଆଦାନ ପ୍ରଦାନ କରିଛୁ । ଆମେ ସ୍ୱୀକାର କରୁଛୁ ଯେ, ଭାରତ ଏବଂ ଶ୍ରୀଲଙ୍କାର ହିତ ଓ ବିକାଶ ଗୋଟିଏ ଅନ୍ୟ ସହିତ ଜଡ଼ିତ ହୋଇ ରହିଛି । ଆଉ ଏଥିପାଇଁ ଏହା ଆବଶ୍ୟକ ଯେ ଆମେ ଜଣେ ଅନ୍ୟ ଜଣଙ୍କର ସୁରକ୍ଷା ଏବଂ ସମ୍ବେଦନାଗୁଡ଼ିକୁ ଧ୍ୟାନରେ ରଖି ମିଳିମିଶି କାର୍ଯ୍ୟ କରିବୁ ।

ବନ୍ଧୁଗଣ,

ଆଜି ଆମେ ଆମର ଆର୍ଥିକ ଭାଗିଦାରୀ ପାଇଁ ଏକ ଭିଜନ ଡକୁମେଂଟ ବା ଦୃଷ୍ଟିପତ୍ର ଆପଣାଇଛୁ। ଏହି ଭିଜନ ହେଉଛି- ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ନୌବାଣିଜ୍ୟ, ଆକାଶ, ଶକ୍ତି ଏବଂ ଜନ-ଜନଙ୍କ ମଧ୍ୟରେ ଯୋଗାଯୋଗକୁ ସୁଦୃଢ଼ କରିବା । ଏହି ଭିଜନ ହେଉଛି- ପର୍ଯ୍ୟଟନ, ଶକ୍ତି, ବାଣିଜ୍ୟ, ଉଚ୍ଚଶିକ୍ଷା ଏବଂ ଦକ୍ଷତା ବିକାଶରେ ପାରସ୍ପରିକ ସହଯୋଗକୁ ଗତି ପ୍ରଦାନ କରିବା । ଏହି ଭିଜନ ହେଉଛି-  ଶ୍ରୀଲଙ୍କା ପ୍ରତି ଭାରତର ଦୀର୍ଘ ସୂତ୍ରୀ ପ୍ରତିବଦ୍ଧତାର ।

ବନ୍ଧୁଗଣ,

ଆମେ ସ୍ଥିର କରିଛୁ ଯେ ଅର୍ଥନୈତିକ ଏବଂ ବୈଷୟିକ ସହଯୋଗ ବୁଝାମଣା ଉପରେ ମଧ୍ୟ ଶୀଘ୍ର ଆଲୋଚନା ଆରମ୍ଭ କରାଯିବ । ଏହାଦ୍ୱାରା ଉଭୟ ଦେଶ ପାଇଁ ବ୍ୟାପାର ଏବଂ ଆର୍ଥିକ ସହଯୋଗର ନୂତନ ସମ୍ଭାବନାମାନ ଉନ୍ମୁକ୍ତ ହେବ । ଆମେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ବିମାନ ଯୋଗାଯୋଗ ବୃଦ୍ଧି ପାଇଁ ସହମତ ହୋଇଛୁ । ବ୍ୟାପାର ଏବଂ ଲୋକମାନଙ୍କର ଯାତାୟାତ ବୃଦ୍ଧି କରିବା ପାଇଁ, ତାମିଲନାଡ଼ୁର ନାଗପଟ୍ଟନମ୍ ଏବଂ ଶ୍ରୀଲଙ୍କାର କାଙ୍କେ-ସନ୍ତୁରଇ ମଧ୍ୟରେ ଯାତ୍ରୀ ଫେରି ସେବା ଆରମ୍ଭ କରିବାକୁ ମଧ୍ୟ ନିଷ୍ପତ୍ତି ନିଆ ଯାଇଛି ।

ଆମେ ସ୍ଥିର କରିଛୁ, ଯେ ଦୁଇ ଦେଶ ମଧ୍ୟରେ ବିଦ୍ୟୁତ ଗ୍ରୀଡ଼ଗୁଡ଼ିକୁ ସଂଯୋଗ କରିବାର କାର୍ଯ୍ୟକୁ ଦ୍ରୁତ ଗତିରେ ଆଗକୁ ନିଆଯିବ । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ, ପେଟ୍ରୋଲିୟମ ପାଇପ୍ ଲାଇନ୍ ପାଇଁ ସମ୍ଭାବ୍ୟ ଅଧ୍ୟୟନ କରାଯିବ । ଏହା ବ୍ୟତୀତ ଏକ ସମ୍ଭାବ୍ୟ ସଡ଼କ ସେତୁ ନିର୍ମାଣ ଲାଗି ଯାଂଚ କରିବା ପାଇଁ ନିଷ୍ପତ୍ତି ନିଆଗଲା । ଆଜି ଶ୍ରୀଲଙ୍କାରେ ୟୁପିଆଇର ଶୁଭାରମ୍ଭ କରିବା ପାଇଁ ହୋଇଥିବା ବୁଝାମଣା ଦ୍ୱାରା ଫିନଟେକ୍ ଯୋଗାଯୋଗ ମଧ୍ୟ ବୃଦ୍ଧି ପାଇବ ।

ବନ୍ଧୁଗଣ,

ଆଜି ଆମେ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ସହିତ ଜଡ଼ିତ ପ୍ରସଙ୍ଗରେ ମଧ୍ୟ ଆଲୋଚନା କଲୁ । ଆମେ ସହମତ ପ୍ରକାଶ କରିଛୁ ଯେ, ଆମକୁ ଏହି ପ୍ରସଙ୍ଗରେ ଏକ ମାନବୀୟ ଅଭିବ୍ୟକ୍ତି ସହିତ ଆଗକୁ ଅଗ୍ରସର ହେବା ଉଚିତ । ଆମେ ଶ୍ରୀଲଙ୍କାରେ ପୁନଃନିର୍ମାଣ ଓ ପୁନଃବିକାଶ ଉପରେ ମଧ୍ୟ କଥା ହୋଇଛୁ । ରାଷ୍ଟ୍ରପତି ବିକ୍ରମସିଙ୍ଘେ ନିଜର ସମାବେଶୀ ଦୃଷ୍ଟିକୋଣ ସମ୍ପର୍କରେ ମୋତେ ଅବଗତ କରାଇଛନ୍ତି । ଆମେ ଆଶା କରୁଛୁ ଯେ ଶ୍ରୀଲଙ୍କା ସରକାର ତାମିଲମାନଙ୍କର ଆକାଂକ୍ଷାକୁ ପୂରଣ କରିବେ । ସମାନତା, ନ୍ୟାୟ ଏବଂ ଶାନ୍ତି ପାଇଁ ପୁନଃନିର୍ମାଣର ପ୍ରକ୍ରିୟାକୁ ଆଗକୁ ବଢ଼ାଇବେ । ତ୍ରୟୋଦଶ ସଂଶୋଧନର କାର୍ଯ୍ୟାନ୍ୱୟନ ଏବଂ ପ୍ରାଦେଶିକ ପରିଷଦ ନିର୍ବାଚନ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ପୂରଣ କରିବା ଆଉ ଶ୍ରୀଲଙ୍କାର ତାମିଲ ସମୁଦାୟଙ୍କ ପାଇଁ ସମ୍ମାନ ଏବଂ ମର୍ଯ୍ୟାଦାଜନକ ଜୀବନ ସୁନିଶ୍ଚିତ କରିବେ ।

ବନ୍ଧୁଗଣ,

ଚଳିତ ବର୍ଷ ଆମର ଦ୍ୱିପାକ୍ଷୀୟ ସମ୍ପର୍କ ପାଇଁ ଏକ ସ୍ୱତନ୍ତ୍ର ଗୁରୁତ୍ୱ ରଖୁଛି । ଆମେ ନିଜର କୁଟନୈତିକ ସମ୍ବନ୍ଧର ପଂଚସ୍ତରୀବର୍ଷ ପୂର୍ତି ପାଳନ କରୁଛୁ । ଏହା ସହିତ, ଭାରତୀୟ ବଂଶୋଦ୍ଭବ ତାମିଲ ସମୁଦାୟ ଶ୍ରୀଲଙ୍କାକୁ ନିଜ ଆଗମନର 200 ବର୍ଷ ପୂରଣ କରୁଛନ୍ତି । ମୁଁ ଏହା କହି ଆନନ୍ଦ ଅନୁଭବ କରୁଛି ଯେ, ଏହି ଅବସରରେ, ଶ୍ରୀଲଙ୍କାରେ ଭାରତୀୟ ବଂଶୋଦ୍ଭବ ତାମିଲ ସମୁଦାୟ ପାଇଁ 75 କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏହା ସହିତ ଭାରତ, ଶ୍ରୀଲଙ୍କାର ଉତର ଏବଂ ପୂର୍ବାଂଚଳରେ ମଧ୍ୟ ବିକାଶ କାର୍ଯ୍ୟକ୍ରମରେ ଯୋଗଦାନ ଦେବ ।

ମହାମହିମ,

ଏକ ସ୍ଥିର, ସୁରକ୍ଷିତ ଏବଂ ସମୃଦ୍ଧ ଶ୍ରୀଲଙ୍କାରେ ନା କେବଳ ଭାରତର ହିତ ନିହିତ ରହିଛି, ବରଂ ସମଗ୍ର ଭାରତ ମହାସାଗର ଅଂଚଳର ହିତ ରହିଛି । ମୁଁ ପୁଣିଥରେ ଆଶ୍ୱାସନା ଦେଉଛି, ଯେ ଶ୍ରୀଲଙ୍କାର ଲୋକମାନଙ୍କର ଏହି ସଂଘର୍ଷମୟ ସମୟରେ ଭାରତର ଲୋକ ସେମାନଙ୍କ ସାଙ୍ଗରେ ଠିଆ ହୋଇଛନ୍ତି ।

ବହୁତ- ବହୁତ ଧନ୍ୟବାଦ ।

*****

AH



(Release ID: 1941428) Visitor Counter : 110