ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବାଲି ଠାରେ ଅନୁଷ୍ଠିତ ଜି -୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍‌ବୋଧନର ଇଂରାଜୀ ଅନୁବାଦ, ତୃତୀୟ ଅଧିବେଶନ : ଡିଜିଟାଲ୍ ରୂପାନ୍ତର

Posted On: 16 NOV 2022 8:22PM by PIB Bhubaneshwar

ମହାମାନ୍ୟ ଗଣ,

ଡିଜିଟାଲ୍ ରୂପାନ୍ତର ଆମ ସମୟର ସବୁଠାରୁ ଉଲ୍ଲେଖନୀୟ ପରିବର୍ତ୍ତନ । ଦଶନ୍ଧି ଦଶନ୍ଧି ଧରି ଦାରିଦ୍ର‌୍ୟତା ବିରୋଧରେ ଲଢ଼େଇରେ ଡିଜିଟାଲ ଟେକ୍ନୋଲୋଜିର ଉପଯୁକ୍ତ ବ୍ୟବହାର ଏକ ଶକ୍ତି ଗୁଣନକାରୀ ହୋଇପାରେ । ଜଳବାୟୁ ପରିବର୍ତ୍ତନ ବିରୁଦ୍ଧରେ ଲଢ଼େଇରେ ଡିଜିଟାଲ୍ ସମାଧାନ ମଧ୍ୟ ସହାୟକ ହୋଇପାରେ ଯେମିତି  ଆମେ ସମସ୍ତେ କୋଭିଡ୍ ସମୟରେ ଦୂରରେ ରହି କାର୍ଯ୍ୟ କରୁଥିବା ଏବଂ କାଗଜବିହୀନ ସବୁଜ କାର୍ଯ୍ୟାଳୟର ଉଦାହରଣ ଗୁଡିକ ଆକାରରେ ଦେଖିଥିଲୁ । କିନ୍ତୁ ଏହି ସୁବିଧା କେବଳ ସେତିକି ବେଳେ ହାସଲ ହୋଇ ପାରିବ ଯେତେବେଳେ ଡିଜିଟାଲ୍ ଉପଲବ୍ଧତା ପ୍ରକୃତରେ ଅନ୍ତର୍ଭୁକ୍ତିମୂଳକ ହେବ ଏବଂ ଯେତେବେଳେ ଡିଜିଟାଲ୍ ଟେକ୍ନୋଲୋଜିର ବ୍ୟବହାର ପ୍ରକୃତରେ ବ୍ୟାପକ ହେବ । ଦୁର୍ଭାଗ୍ୟବଶତଃ , ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଏହି ଶକ୍ତିଶାଳୀ ସାଧନକୁ କେବଳ ସାଧାରଣ ବ୍ୟବସାୟର ମାନଦଣ୍ଡ ଦୃଷ୍ଟିକୋଣରୁ ଦେଖିଛୁ, ଏହି ଶକ୍ତିକୁ ଲାଭ ଏବଂ କ୍ଷତିର ହିସାବ ଖାତା ବା ଲେଜରରେ ବାନ୍ଧି ରଖିଛୁ । ଏହା ଆମର ଜି - ୨୦ ନେତା ମାନଙ୍କର ଦାୟିତ୍ୱ ଅଟେ ଯେ , ଡିଜିଟାଲ୍ ରୂପାନ୍ତରର ଲାଭ ମାନବ ଜାତିର ଏକ ଛୋଟ ଅଂଶରେ ଯେପରି ସୀମିତ ନରହେ ।

ବିଗତ କିଛି ବର୍ଷର ଭାରତର ଅଭିଜ୍ଞତା ଆମକୁ ଦର୍ଶାଇଛି ଯେ . ଯଦି ଆମେ ଡିଜିଟାଲ୍ ସ୍ଥାପତ୍ୟକୁ ଅନ୍ତର୍ଭୁକ୍ତିମୂଳକ କରିବୁ, ତାହେଲେ ଏହା ସାମାଜିକ-ଅର୍ଥନୈତିକ ପରିବର୍ତ୍ତନ ଆଣି ପାରିବ । ଡିଜିଟାଲ୍ ବ୍ୟବହାରରେ ବ୍ୟାପକତା ଏବଂ ଗତି ଅଣା ଯାଇପାରେ । ଶାସନରେ ସ୍ୱଚ୍ଛତା ଅଣାଯାଇ ପାରିବ । ଭାରତ ଡିଜିଟାଲ୍ ସାଧାରଣ ସାମଗ୍ରୀର ବିକାଶ କରିଛି , ଯାହାର ମୌଳିକ ସ୍ଥାପତ୍ୟରେ ଗଣତାନ୍ତ୍ରିକ ନୀତି ରହିଛି । ଏହି ସମାଧାନ ଗୁଡ଼ିକ ମୁକ୍ତ ଉତ୍ସ, ମୁକ୍ତ ଏପିଆଇ ସମୂହ , ଖୋଲା ମାନକ ଗୁଡିକ ଉପରେ ଆଧାରିତ ଅଟେ , ଯାହା ପାରସ୍ପରିକ ଭାବେ କାର୍ଯ୍ୟକ୍ଷମ ଏବଂ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ । ଆଜି ଭାରତରେ ଚାଲିଥିବା ଡିଜିଟାଲ ବିପ୍ଳବ ଉପରେ ଆଧାର କରି ଏହା ହେଉଛି ଆମର ଆଭିମୁଖ୍ୟ । ଉଦାହରଣ ସ୍ୱରୂପ, ଆମର ୟୁନିଫାଏଡ୍ ପେମେଂଟ ଇଂଟରଫେସ୍ (ୟୁପିଆଇ)କୁ ନିଆ ଯାଇପାରେ ।

ଗତ ବର୍ଷ, ବିଶ୍ୱର ୪୦% ରୁ ଅଧିକ ରିଅଲ୍ ଟାଇମ୍ ପେମେଂଟ (ବାସ୍ତବ ସମୟର ଦେୟ) କାରବାର ୟୁପିଆଇ ମାଧ୍ୟମରେ ହୋଇଥିଲା । ସେହିଭଳି ଡିଜିଟାଲ ପରିଚୟ ଆଧାରରେ ଆମେ ୪୬୦ ମିଲିୟନ୍ ନୂତନ ବ୍ୟାଙ୍କ ଆକାଉଂଟ ଖୋଲିଛୁ, ଯାହା ଆଜି ଭାରତକୁ ବିଶ୍ୱରେ ଅର୍ଥନୈତିକ ଅନ୍ତର୍ଭୁକ୍ତି କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ଭାବରେ ପରିଚିତ କରାଇଛି । ଆମର ମୁକ୍ତ ଉତ୍ସ କୋ-ୱିନ ପ୍ଲାଟଫର୍ମ ମାନବ ଇତିହାସରେ ସବୁଠାରୁ ବଡ ଟୀକାକରଣ ଅଭିଯାନ କରିଥିଲା, ମହାମାରୀ ସମୟରେ ମଧ୍ୟ ଏହା ଆମର ଏକ ସଫଳତା ଭାବେ ପରିଗଣିତ ।

ମହାମାନ୍ୟ ଗଣ,

ଭାରତରେ, ଆମେ ଡିଜିଟାଲ୍ ବ୍ୟବହାରକୁ ସାର୍ବଜନୀନ କରୁଛୁ, କିନ୍ତୁ ଆନ୍ତର୍ଜାତିକ ସ୍ତରରେ ତଥାପି ଏକ ବିରାଟ ଡିଜିଟାଲ୍ ବିଭେଦ ରହିଛି । ବିଶ୍ୱର ଅଧିକାଂଶ ବିକାଶଶୀଳ ଦେଶର ନାଗରିକ ମାନଙ୍କର କୌଣସି ପ୍ରକାରର ଡିଜିଟାଲ୍ ପରିଚୟ ନାହିଁ । କେବଳ ୫୦ ଟି ଦେଶରେ ଡିଜିଟାଲ୍ ଦେୟ ବ୍ୟବସ୍ଥା ଅଛି । ଆମେ ଏକାଠି ଏକ ପ୍ରତିଜ୍ଞା ନେଇ ପାରିବା କି , ଆଗାମୀ ଦଶ ବର୍ଷ ମଧ୍ୟରେ ଆମେ ପ୍ରତ୍ୟେକ ମନୁଷ୍ୟର ଜୀବନରେ ଡିଜିଟାଲ୍ ପରିବର୍ତ୍ତନ ଆଣିବା, ଯାହା ଦ୍ୱାରା ସାରା ବିଶ୍ୱର କୌଣସି ବ୍ୟକ୍ତି ଡିଜିଟାଲ୍ ଟେକ୍ନୋଲୋଜିର ଲାଭରୁ ବଂଚିତ ହେବେ ନାହିଁ !

ଆସନ୍ତା ବର୍ଷ ଭାରତ ଜି ୨୦ ସମ୍ମିଳନୀର ଅଧ୍ୟକ୍ଷତା କରିବା ସମୟରେ ସମସ୍ତ ଜି- ୨୦ ସହଯୋଗୀ ରାଷ୍ଟ୍ର ମାନଙ୍କ ସହିତ ମିଳିତ ଭାବରେ ଏହି ଉଦ୍ଦେଶ୍ୟରେ କାର୍ଯ୍ୟ କରିବ । "ବିକାଶ ପାଇଁ ତଥ୍ୟର ସିଦ୍ଧାନ୍ତ ଆମର ପ୍ରେସିଡେନ୍ସିର ସାମଗ୍ରିକ ବିଷୟବସ୍ତୁ "ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେବ ।

ଧନ୍ୟବାଦ ।

ଦ୍ରଷ୍ଟବ୍ୟ - ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର ଆପେକ୍ଷିକ ଅନୁବାଦ । ମୂଳ ଟିପ୍ପଣୀ ହିନ୍ଦୀରେ ପ୍ରଦାନ କରା ଯାଇଥିଲା ।

***

SSP



(Release ID: 1876593) Visitor Counter : 135