ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଐତିହାସିକ ପଦକ୍ଷେପ: ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ କିନ୍ନରମାନେ ପାଇବେ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟସେବା ସୁବିଧା


ଏଥିପାଇଁ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଓ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଆଜିର ଦିନଟି ମୌଳିକ ସାମାଜିକ ପରିବର୍ତ୍ତନ ପାଇଁ ସରକାରଙ୍କ ନିଷ୍ପତ୍ତିର ଏକ ସ୍ମରଣୀୟ ଦିବସ: ଡକ୍ଟର ମନସୁଖ ମାଣ୍ଡଭିୟ

“ଏହି ନିଷ୍ପତ୍ତି ସମାନତାକୁ ସୁନିଶ୍ଚିତ କରିବା ସହିତ ଏ କ୍ଷେତ୍ରରେ ଅଧିକ ସଫଳ ବାଟ ଦେଖାଇବ; ବୁଝାମଣାପତ୍ର ଦ୍ୱାରା ଦେଶର ସମଗ୍ର କିନ୍ନର ସମୁଦାୟ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ଲାଭ ପାଇ ଉପକୃତ ହେବେ

“ସରକାର ଓ ସମାଜର ସହଯୋଗରେ ଦୁର୍ଦ୍ଦଶାଗ୍ରସ୍ତ ଓ ଅସୁବିଧାରେ ଥିବା ସମୁଦାୟ ମର୍ଯ୍ୟାଦାର ସହିତ ଆତ୍ମନିର୍ଭରଶୀଳ ହୋଇପାରିବେ”

“ଶିକ୍ଷା, ମର୍ଯ୍ୟାଦାବନ୍ତ ଜୀବନ, ସ୍ୱାସ୍ଥ୍ୟସେବା ସହାୟତା, ଜୀବିକାର୍ଜନ ପାଇଁ ସମସ୍ତଙ୍କୁ ସୁଯୋଗ ପ୍ରଦାନ ଓ ଦକ୍ଷତା ବିକାଶ-ଏହି ପାଞ୍ଚଟି କ୍ଷେତ୍ରରେ ସମର୍ପିତ ସେବା ଯୋଗାଇ ସମାଜରେ ପରିବର୍ତ୍ତନ ଆଣିବାକୁ ସରକାର କାର୍ଯ୍ୟ କରୁଛନ୍ତି : ଡକ୍ଟର ବୀରେନ୍ଦ୍ର କୁମାର

Posted On: 24 AUG 2022 1:13PM by PIB Bhubaneshwar

ଏକ ଐତିହାସିକ ନିଷ୍ପତ୍ତିକ୍ରମେ କିନ୍ନର ମାନଙ୍କୁ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନ.ଏଚ୍‌.ଏ.) ଓ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣାପତ୍ର ଫଳରେ ଦେଶର ସମସ୍ତ କିନ୍ନରଙ୍କୁ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟ ସେବା ସୁବିଧା ମିଳିବ । ଏହି ବୁଝାମଣାପତ୍ରରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ସିଇଓ ଡକ୍ଟର ଆର୍ ଆର୍ ଶର୍ମା ଏବଂ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗର ସଚିବ ଶ୍ରୀ ଆର. ସୁବ୍ରମଣ୍ୟମ୍ , କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଏବଂ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାରଙ୍କ ଉପସ୍ଥିତିରେ ସ୍ୱାକ୍ଷର କରିଛନ୍ତି ।

 

 ଏହାକୁ ଏକ ଐତିହାସିକ ଦିବସ ଭାବେ ବର୍ଣ୍ଣନା କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ଆଜିର ବୁଝାମଣାପତ୍ର ଦେଶର କିନ୍ନର ସମୁଦାୟଙ୍କୁ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟସେବା ଯୋଗାଣରେ ସହାୟକ ହେବ । ଏହା ଦ୍ୱାରା ସେମାନେ ସମାଜରେ ଉପଯୁକ୍ତ ମର୍ଯ୍ୟାଦାଜନକ ସ୍ଥାନ ପାଇପାରିବେ । ଆଜିର ଦିନଟି ମୌଳିକ ସାମାଜିକ ପରିବର୍ତ୍ତନ ପାଇଁ ସରକାରଙ୍କ ନିର୍ଣ୍ଣାୟକ ନିଷ୍ପତ୍ତିର ଏକ ସ୍ମରଣୀୟ ଦିବସ ହୋଇ ରହିବ । ଏହା ମଧ୍ୟ ସମାଜରେ ଏକ ଐତିହାସିକ ପରିବର୍ତ୍ତନ ନିମନ୍ତେ ଆଧାରଶୀଳା ଭାବେ କାର୍ଯ୍ୟ କରିବ । ଏହି ଚୁକ୍ତି ଫଳରେ କିନ୍ନରମାନେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କେବଳ ସମାନ ଅଧିକାର ପାଇବେ ନାହିଁ; ଏହା ମଧ୍ୟ ଏକାଧିକ କ୍ଷେତ୍ରରେ ସଫଳତାର ବାଟ ଦେଖାଇବ । 

ଏହି ବୁଝାମଣାପତ୍ର ମାଧ୍ୟମରେ ଦେଶର ସମଗ୍ର କିନ୍ନର ସମୁଦାୟ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ଲାଭ ପାଇ ଉପକୃତ ହେବେ । ସେ ଆହୁରି କହିଛନ୍ତି ଯେ ସରକାର ଓ ସମାଜର ସହଯୋଗରେ ଦୁର୍ଦ୍ଦଶା ଓ ଅସୁବିଧାରେ ଥିବା ସମୁଦାୟ ମର୍ଯ୍ୟାଦାର ସହିତ ଆତ୍ମନିର୍ଭର ହୋଇପାରିବେ । କିନ୍ନରନମାନଙ୍କ ପ୍ରତି ଏକ ଭିନ୍ନ ମନୋଭାବ ସମାଜରେ ରହିଛି ଏବଂ ସେମାନେ ମୁଖ୍ୟଧାରାରୁ ଅଲଗା ହୋଇ ରହିଛନ୍ତି । ଅତଏବ ଏହି ବୁଝାମଣାପତ୍ର ଦ୍ୱାରା ସେମାନେ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟସେବା ସୁବିଧା ପାଇ ଅନ୍ୟମାନଙ୍କ ସହିତ ସମାନ ଅଧିକାର ଓ ସୁଯୋଗ ଉପଭୋଗ କରିବ ଏବଂ ସାମାଜିକ ପରିବର୍ତ୍ତନ ପାଇଁ ଏହି ଚୁକ୍ତି ଏକ ଆଧାରଶୀଳା ପାଲଟିବ । ଏକ ସମାବେଶୀ ସମାଜ ଗଠନ ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ । ଏହି ବୁଝାମଣାପତ୍ର ନୂଆଦିଲ୍ଳୀର ଡକ୍ଟର ଆମ୍ବେଦକର ଇଣ୍ଟର ନ୍ୟାଶନାଲ ସେଣ୍ଟରରେ ସ୍ୱାକ୍ଷରିତ ହେବା ଏକ ବିରଳ ସଂଯୋଗ; କାରଣ ବାବାସାହେବ ଏକ ଶ୍ରେଣୀହୀନ ସମତା ଭିତ୍ତିକ ସମାଜ ଗଠନର ପ୍ରମୁଖ ସମର୍ଥକ ଥିଲେ ବୋଲି ଡଃ ମାଣ୍ଡବୀୟ କହିଛନ୍ତି ।

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଅନ୍ତ୍ୟୋଦୟ ମାଧ୍ୟମରେ ସୁବିଧା ସୁଯୋଗରୁ ବଂଚିତ ଶେଷତମ ନାଗରିକର କଲ୍ୟାଣ ପାଇଁ ଅଭିପ୍ରେତ ହୋଇ କାର୍ଯ୍ୟ କରୁଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ । କିନ୍ନର ସମୁଦାୟଙ୍କୁ ସମସ୍ତ ପ୍ରକାର ଅଧିକାର ପ୍ରଦାନ ସହିତ ସେମାନଙ୍କ କଲ୍ୟାଣ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ସେ ଉଲ୍ଲେଖ କରିଥିଲେ । ଏହି ସମୁଦାୟ ପାଇଁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ନାନାବିଧ ପଦକ୍ଷେପ ନେଉଥିବାରୁ ସ୍ୱାସ୍ଥ୍ୟମନ୍ତ୍ରୀ ତାହାକୁ ସ୍ୱାଗତ କରି ମନ୍ତ୍ରଣାଳୟକୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ କିନ୍ନର ସୁରକ୍ଷା ଓ ଅଧିକାର ଆଇନ ୨୦୧୯, ଗରିମା ଗୃହ, ପିଏମ୍ ଦକ୍ଷ ଭଳି ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଆଦି ସମ୍ପୃକ୍ତ ସମୁଦାୟର କଲ୍ୟାଣ ପାଇଁ ଉଦ୍ଦିଷ୍ଟ । ପ୍ରଧାନମନ୍ତ୍ରୀଙ୍କ ‘ନୂଆ ଭାରତ’ ଲକ୍ଷ୍ୟ ହାସଲରେ ଏକ ସମାବେଶୀ ସମାଜ ଗଠନ ଗୁରୁତ୍ୱ ପାଇଛି । ତାହାକୁ ସାକାର କରିବାକୁ ସମାଜର ସବୁ ବର୍ଗ ସାହାଯ୍ୟ ସହଯୋଗ କରିବାକୁ ସେ ଆହ୍ୱାନ ଜଣାଇଥିଲେ । ସେ କହିଥିଲେ ଯେ ସରକାର ଓ ସମାଜର ମିଳିତ ସହଯୋଗରେ ଦୁର୍ଦ୍ଦଶାଗ୍ରସ୍ତ ଓ ଅସୁବିଧାରେ ଥିବା ସମୁଦାୟ ମର୍ଯ୍ୟାଦାର ସହିତ ଆତ୍ମନିର୍ଭରଶୀଳ ହୋଇପାରିବେ । ଯେଉଁମାନେ ତୃତୀୟଲିଙ୍ଗ ବା କିନ୍ନର ସାର୍ଟିଫିକେଟ ପାଇଛନ୍ତି ସେମାନେ ଆଜିର ବୁଝାମଣାପତ୍ରର ଲାଭ ସ୍ୱରୂପ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଲାଭ ପାଇପାରିବେ । କିନ୍ନର ପ୍ରମାଣପତ୍ର ଏଥିପାଇଁ ଉଦ୍ଦିଷ୍ଟ ଜାତୀୟ ପୋର୍ଟାଲରୁ ଉପଲବ୍ଧ ହେଉଛି । ପ୍ରତ୍ୟେକ ସାର୍ଟିଫିକେଟଧାରୀ ଅନ୍ୟାନ୍ୟ ଉଦ୍ଦିଷ୍ଟବର୍ଗଙ୍କ ଭଳି ଉନ୍ନତ ହସ୍‌ପିଟାଲରେ ପାଂଚଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପାଇପାରିବେ । ଏହାଛଡା ସେମାନଙ୍କୁ ସେକ୍ସ ରିଆସାଇନମେଣ୍ଟ ସର୍ଜରୀ ପାଇଁ ମଧ୍ୟ ଏହି ଯୋଜନାର ଲାଭ ମିଳିବ । ଏହାଛଡା ସେମାନେ ଅନ୍ୟାନ୍ୟ କେନ୍ଦ୍ର ଓ ରାଜ୍ୟ ପ୍ରାୟୋଜିତ ଯୋଜନାର ଲାଭ ମଧ୍ୟ ଉଠାଇପାରିବେ । 

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର କହିଥିଲେ ଯେ ଦୃଢ ରାଜନୀତିକ ଇଚ୍ଛାଶକ୍ତି ଯୋଗୁଁ ଦେଶରେ ଉଲ୍ଲେଖନୀୟ ପରିବର୍ତ୍ତନ ବିଭିନ୍ନ କ୍ଷେତ୍ରରେ ହୋଇଛି । ତାଙ୍କ ମନ୍ତ୍ରଣାଳୟ ଶିକ୍ଷା, ମର୍ଯ୍ୟାଦାବନ୍ତ ଜୀବନ, ସ୍ୱାସ୍ଥ୍ୟସେବା ସହାୟତା, ଜୀବିକାର୍ଜନ ପାଇଁ ସମସ୍ତଙ୍କୁ ସୁଯୋଗ ପ୍ରଦାନ ଓ ଦକ୍ଷତାବିକାଶ ଏହି ପାଞ୍ଚଟି କ୍ଷେତ୍ରରେ ସମର୍ପିତ ସେବା ଯୋଗାଇ ସମାଜରେ ପରିବର୍ତ୍ତନ ଆଣିବାକୁ କାର୍ଯ୍ୟ କରୁଛି । ଏହା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିବାକୁ ସରାକର ଉତ୍ସର୍ଗୀକୃତ ଭାବେ କାମ କରୁଛନ୍ତି । ଏସବୁ ପଦକ୍ଷେପ ଦ୍ୱାରା ସାମାଜିକ ଦୃଷ୍ଟିରୁ ଉପେକ୍ଷିତ ଓ ବଞ୍ଚିତତ ବର୍ଗର ଲୋକମାନେ ମର୍ଯ୍ୟାଦାର ସହ ବଞ୍ଚିବାର ସୁଯୋଗ ସୁବିଧା ପାଇବେ ବୋଲି ସେ କହିଛନ୍ତି

ଦୁଇ ମନ୍ତ୍ରଣାଳୟର ଅନେକ ବରିଷ୍ଠ ଅଧିକାରୀ ଓ କିନ୍ନର ସମୁଦାୟର ସମସ୍ୟାଗଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

*****

TKM/SLP



(Release ID: 1854226) Visitor Counter : 183