ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସ୍ୱାମୀ ଆତ୍ମସ୍ଥାନନ୍ଦଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ


ସ୍ୱାମୀଜୀଙ୍କ ମିଶନ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚିତ୍ର ଆତ୍ମକଥା ଓ ବୃତ୍ତଚିତ୍ର ଉନ୍ମୋଚନରେ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

“ସନ୍ନ୍ୟାସର ଅର୍ଥ ନିଃସ୍ୱାର୍ଥ ଭାବେ ସମାଜର ସେବା କରିବା ଓ ସମାଜ ପାଇଁ ବଞ୍ଚିବା”

ସ୍ୱାମୀ ବିବେକାନନ୍ଦ ଜୀ ପବିତ୍ର ସନ୍ନ୍ୟାସ ପରମ୍ପରାକୁ ଆଧୁନିକ ରୂପ ପ୍ରଦାନ କରିଥିଲେ

ରାମକୃଷ୍ଣ ମିଶନର ଆଦର୍ଶ ମିଶନ ମୋଡରେ କାମ କରିବା, ନୂତନ ଅନୁଷ୍ଠାନ ଗଢିବା ଓ ଅନୁଷ୍ଠାନକୁ ମଜବୁତ କରିବା

ଭାରତର ସନ୍ଥ ପରମ୍ପରା ସବୁବେଳେ ଏକ ଭାରତ, ଶ୍ରେଷ୍ଠ ଭାରତକୁ ପ୍ରତିପାଦିତ କରିଥାଏ

ରାମକୃଷ୍ଣ ମିଶନର ସନ୍ଥମାନଙ୍କୁ ଦେଶରେ ଜାତୀୟ ଏକତାର ସୂତ୍ରଧର ଭାବେ ସମସ୍ତେ ଜାଣନ୍ତି

ସ୍ୱାମୀ ରାମକୃଷ୍ଣ ପରମହଂସ ଏପରି ଜଣେ ସନ୍ଥ ଥିଲେ ଯାହାଙ୍କ ନିକଟରେ ମା କାଳୀଙ୍କ ସ୍ପଷ୍ଟ ଦୃଷ୍ଟି ଥିଲା

ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଭାରତ ବିଶ୍ୱରେ ଅଗ୍ରଣୀ ହୋଇଛି

Posted On: 10 JUL 2022 11:27AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ସ୍ୱାମୀ ଆତ୍ମସ୍ଥାନନ୍ଦଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ବକ୍ତବ୍ୟ ପ୍ରଦାନ କରିଛନ୍ତି । 

ସ୍ୱାମୀଜୀଙ୍କ ସହ ବିତାଇଥିବା ମୁହୂର୍ତ୍ତଗୁଡିକୁ ମନେ ପକାଇ ପ୍ରଧାନମନ୍ତ୍ରୀ ସ୍ୱାମୀ ଆତ୍ମସ୍ଥାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ସହିତ ବହୁ ଭାବନା ଓ ସ୍ମୃତି ଜଡିତ ବୋଲି ସେ କହିଥିଲେ । ସଦାବେଳେ ତାଙ୍କ ଆଶୀର୍ବାଦ ମିଳିଥିଲା ଓ ତାଙ୍କ ସହ ସମୟ ଅତିବାହିତ କରିବାର ସୁଯୋଗ ମିଳିଥିଲା । ଏହା ମୋର ସୌଭାଗ୍ୟ ଯେ, ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ତାଙ୍କ ସଂସ୍ପର୍ଶରେ ରହି ପାରିଥିଲି ।

ସ୍ୱାମୀଜୀଙ୍କ ମିଶନ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚିତ୍ର ଜୀବନୀ ଓ ବୃତ୍ତଚିତ୍ର ଉନ୍ମୋଚନ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଥିପାଇଁ ଶ୍ରୀ ମୋଦୀ ରାମକୃଷ୍ଣ ମିଶନର ସଭାପତି ପୂଜ୍ୟ ସ୍ୱାମୀ ସ୍ମରାନନ୍ଦ ଜୀ ମହାରାଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସ୍ୱାମୀ ଆତ୍ମସ୍ଥାନନ୍ଦ ଜୀ, ଶ୍ରୀ ରାମକୃଷ୍ଣ ପରମହଂସଙ୍କ ଶିଷ୍ୟ ପୂଜ୍ୟ ସ୍ୱାମୀ ବିଜ୍ଞାନନ୍ଦ ଜୀଙ୍କ ଠାରୁ ଦୀକ୍ଷା ଗ୍ରହଣ କରିଥିଲେ । ସ୍ୱାମୀ ରାମକୃଷ୍ଣ ପରମହଂସଙ୍କ ପ୍ରବୁଦ୍ଧ ଓ ଆଧ୍ୟାତ୍ମିକ ଶକ୍ତି ତାଙ୍କ ଠାରେ ସ୍ପଷ୍ଟ ପ୍ରତୀୟମାନ ହେଉଥିଲା । ଏହି ଅବସରରେ ଶ୍ରୀ ମୋଦୀ ମହାନ ତ୍ୟାଗ ପରମ୍ପରା ସମ୍ପର୍କରେ କହିଥିଲେ । ବାନପ୍ରସ୍ଥ ଆଶ୍ରମ ମଧ୍ୟ ସନ୍ନ୍ୟାସ ଦିଗରେ ଏକ ପଦକ୍ଷେପ । ସନ୍ନ୍ୟାସର ଅର୍ଥ ସ୍ୱାର୍ଥ ତ୍ୟାଗ କରି ସମାଜର ସେବା କରିବା ଓ ସମାଜ ପାଇଁ ବଞ୍ଚିବା ଏବଂ ସମାଜ ପ୍ରତି ବ୍ୟାପ୍ତ ହେବା ବୋଲି ସେ କହିଥିଲେ । ଜଣେ ସନ୍ନ୍ୟାସୀଙ୍କ ପାଇଁ ଜୀବନ୍ତ ବ୍ୟକ୍ତିଙ୍କ ସେବା ମାଧବ ସେବା, ଜୀବନ୍ତ ଭିତରେ ଶିବ ଦର୍ଶନ ସର୍ବୋପରି । ସ୍ୱାମୀ ବିବେକାନନ୍ଦ ଜୀ ମହାନ ସନ୍ୟାସ୍ଥ ପରମ୍ପରାକୁ ଆଧୁନିକ ରୂପ ପ୍ରଦାନ କରିଥିଲେ । ସ୍ୱାମୀ ଆତ୍ମସ୍ଥାନନ୍ଦ ଜୀ ଏହି ରୂପକୁ ଗ୍ରହଣ କରି ଜୀବଦ୍ଦଶାରେ ଏହାକୁ ରୂପାୟନ କରିଥିଲେ । ଏହି ଅବସରରେ ବେଲୁର ମଠ ଓ ରାମକୃଷ୍ଣ ମିଶନର ତତ୍ତ୍ୱାବଧାନରେ କେବଳ ଭାରତ ନୁହେଁ ନେପାଳ ଓ ବାଂଲାଦେଶରେ ଚାଲିଥିବା ଉଦ୍ଧାର ଓ ରିଲିଫ କାର୍ଯ୍ୟ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । ଗ୍ରାମାଞ୍ଚଳର ଲୋକଙ୍କ କଲ୍ୟାଣ ପାଇଁ ସ୍ୱାମୀଜୀ ନିରନ୍ତର କାର୍ଯ୍ୟ କରିଥିଲେ । ସ୍ୱାମୀଜୀଙ୍କ ଦ୍ୱାରା ଗଢା ଅନୁଷ୍ଠାନଗୁଡିକ ଗରିବ ଲୋକଙ୍କୁ ନିୟୋଜନ ଓ ଜୀବିକା ନିର୍ବାହରେ ସାହାଯ୍ୟ କରୁଛି ।

ସ୍ୱାମୀଜୀ ଦରିଦ୍ର ସେବା, ଜ୍ଞାନର ପ୍ରସାର ଓ ଏହାସହିତ ଜଡିତ କାମକୁ ପୂଜା ଭାବେ ବିବେଚନା କରୁଥିଲେ । ମିଶନ ମୋଡରେ କାମ କରିବା, ନୂତନ ଅନୁଷ୍ଠାନ ଗଢିବା ଓ ଅନୁଷ୍ଠାନଗୁଡିକୁ ସୁଦୃଢ କରିବା ରାମକୃଷ୍ଣ ମିଶନର ଆଦର୍ଶ । ଏପରି ସନ୍ଥ ଯେଉଁଠି ଥାଆନ୍ତି ତାହା ମାନବ ସେବା କେନ୍ଦ୍ର ପାଲଟେ ବୋଲି ସ୍ୱାମୀଜୀ ନିଜ ସନ୍ନ୍ୟାସ ଜୀବନରେ ପ୍ରତିପାଦିତ କରିଛନ୍ତି । ଶତ ଶତ ବର୍ଷ ପୂର୍ବର ଆଦି ଶଙ୍କରାଚାର୍ଯ୍ୟ ହୁଅନ୍ତୁ କିମ୍ବା ଆଧୁନିକ ଯୁଗର ସ୍ୱାମୀ ବିବେକାନନ୍ଦ ହୁଅନ୍ତୁ ଭାରତର ସନ୍ଥ ପରମ୍ପରା ସଦାବେଳେ ଏକ ଭାରତ, ଶ୍ରେଷ୍ଠ ଭାରତକୁ ପ୍ରଚାରିତ କରିଥାଏ । ସ୍ୱାମୀ ବିବେକାନନ୍ଦଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେ ଏହି ସଂକଳ୍ପକୁ ମିଶନ ଭାବେ ଜୀଇଁଥିଲେ । ଦେଶର ସମସ୍ତ ଭାଗରେ ତାଙ୍କ ପ୍ରଭାବ ପରିଲକ୍ଷିତ ହୋଇଥିଲା ଓ ତାଙ୍କ ଭ୍ରମଣ ଦ୍ୱାରା ଦାସତ୍ୱ ସମୟରେ ଦେଶରେ ପ୍ରାଚୀନ ଜାତୀୟ ଚେତନା ଉଦବୁଦ୍ଧ ହୋଇଥିଲା ଏବଂ ନୂଆ ଆତ୍ମବିଶ୍ୱାସ ଭରି ଯାଇଥିଲା । ରାମକୃଷ୍ଣ ମିଶନର ପରମ୍ପରାକୁ ସ୍ୱାମୀ ଆତ୍ମସ୍ଥାନନ୍ଦ ଜୀ ସାରା ଜୀବନ ଆଗେଇ ନେଇଥିଲେ । ସ୍ୱାମୀଜୀଙ୍କ ସହ ବିତାଇଥିବା ସମୟକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ତାଙ୍କ ସହ ଗୁଜୁରାଟିରେ କଥା ହେବାର ସୌଭାଗ୍ୟ ମିଳିଥିଲା । କଛ ଭୂମିକମ୍ପ ବେଳେ ସ୍ୱାମୀ ଜୀଙ୍କ ଦିଗଦର୍ଶନରେ ହୋଇଥିବା ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ରାମକୃଷ୍ଣ ମିଶନର ସନ୍ଥମାନେ ଦେଶରେ ଜାତୀୟ ଏକତାର ସୂତ୍ରଧର ବୋଲି ସମସ୍ତେ ଜାଣନ୍ତି । ବିଦେଶରେ ସେମାନେ ଭାରତୀୟତାକୁ ପ୍ରତିନିଧିତ୍ୱ କରନ୍ତି । 

ମା କାଳୀଙ୍କ ସ୍ପଷ୍ଟ ଦୃଷ୍ଟି ସ୍ୱାମୀ ରାମକୃଷ୍ଣ ପରମହଂସଙ୍କ ନିକଟରେ ଥିଲା ଓ ସେ ନିଜକୁ ମା କାଳୀଙ୍କ ପାଦପଦ୍ମରେ ସମ୍ପୂର୍ଣ୍ଣ ସମର୍ପଣ କରିଥିଲେ । ସମଗ୍ର ବିଶ୍ୱ, ପରିବର୍ତ୍ତନଶୀଳ ଓ ସ୍ଥିର, ସବୁକିଛି ମାଆଙ୍କ ଚେତନାରେ ବ୍ୟାପ୍ତ । ଏହି ଚେତନା ବେଙ୍ଗଲର କାଳୀ ପୂଜା ବେଳେ ଦେଖିବାକୁ ମିଳେ । ଏହି ଚେତନା ଓ ଶକ୍ତିର ଝଲକ ସ୍ୱାମୀ ବିବେକାନନ୍ଦଙ୍କ ଭଳି ଯୁଗପୁରୁଷଙ୍କ ମାଧ୍ୟମରେ ସ୍ୱାମୀ ରାମକୃଷ୍ଣ ପରମହଂସଙ୍କ ଦ୍ୱାରା ଉଦଭାଷିତ ହୋଇଥିଲା । ମା କାଳୀଙ୍କ ସମ୍ପର୍କରେ ସ୍ୱାମୀ ବିବେକାନନ୍ଦଙ୍କ ଆଧ୍ୟାତ୍ମିକ ପରିକଳ୍ପନା ତାଙ୍କ ମଧ୍ୟରେ ଅସାଧାରଣ କ୍ଷମତା ଓ ଶକ୍ତି ଭରି ଦେଇଥିଲା । ସ୍ୱାମୀ ବିବେକାନନ୍ଦଙ୍କ ଭଳି ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଜଗନ୍ମାତା କାଳୀଙ୍କ ସ୍ମରଣମାତ୍ରେ ଶିଶୁ ଭଳି ଭକ୍ତିରେ ଉଦବେଳିତ ହେଉଥିଲେ । ସ୍ୱାମୀ ଆତ୍ମସ୍ଥାନନ୍ଦ ଜୀଙ୍କ ମଧ୍ୟରେ ସେହି ନିଷ୍ଠା ଓ ଶକ୍ତି ସାଧନାର ପ୍ରଭାବ ପରିଲକ୍ଷିତ ହେଉଥିଲା । 

ସ୍ୱାମୀ ଆତ୍ମସ୍ଥାନନ୍ଦ ଜୀଙ୍କ ଜୀବନ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଚିନ୍ତା ବ୍ୟାପ୍ତ ଥିବା ବେଳେ ସନ୍ଥମାନେ ପଥ ପ୍ରଦର୍ଶନ କରିଥାନ୍ତି । ଆମେ କେବେ ବି ନିଜ ଉଦ୍ୟମରେ ଏକାକୀ ନଥାଉ ! ବିନା ସମ୍ବଳରେ ଶିଖର ସ୍ପର୍ଶ କରିଥିବା ଅନେକ ସନ୍ଥଙ୍କ ଜୀବନ ଯାତ୍ରା ଭାରତବର୍ଷ ଦେଖିଛି । ସେହି ବିଶ୍ୱାସ ଓ ସମର୍ପଣ ଆତ୍ମସ୍ଥାନନ୍ଦ ଜୀଙ୍କ ଜୀବନରେ ଦେଖିବାକୁ ମିଳିଥିଲା । ଭାରତର ଜଣେ ବ୍ୟକ୍ତି, ଜଣେ ସନ୍ଥ ଯେତେବେଳେ ଏତେ କିଛି କରିପାରନ୍ତି ସେତେବେଳେ ଏପରି କିଛି ଲକ୍ଷ୍ୟ ନାହିଁ ଯାହା ୧୩୦ କୋଟି ଦେଶବାସୀ ସାମୂହିକ ଭାବେ ହାସଲ କରିପାରିବେ ନାହିଁ ।

ଡିଜିଟାଲ ଇଣ୍ଡିଆର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଭାରତ ବିଶ୍ୱରେ ଅଗ୍ରଣୀ ଭାବେ ଉଭା ହୋଇଛି । ଦେଶବାସୀଙ୍କୁ ୨୦୦ କୋଟି ଟୀକା ଡୋଜ ପ୍ରଦାନର ଉପଲବ୍ଧି ସମ୍ପର୍କରେ ମଧ୍ୟ ସେ ଆଲୋକପାତ କରିଥିଲେ । ଏସବୁ ଉଦାହରଣ ସୂଚାଇଥାଏ ଯେ, ଭାବନା ଶୁଦ୍ଧ ଥିଲେ ଉଦ୍ୟମ ଅବିଳମ୍ବେ ସଫଳ ହୁଏ ଓ ବାଧାବିଘ୍ନ ପଥ ପ୍ରଦର୍ଶିତ କରେ ।    

ଉପସ୍ଥିତ ପୂଜ୍ୟ ସନ୍ଥମାନଙ୍କୁ ପ୍ରଧାନମନ୍ତ୍ରୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ଆଜାଦି କା ଅମ୍ରିତ ମହୋତ୍ସବ ଅନ୍ତର୍ଗତ ପ୍ରତ୍ୟେକ ଜିଲ୍ଲାରେ ୭୫ ଅମ୍ରିତ ସରୋବର ପ୍ରସ୍ତୁତ ହେଉଛି । ସମସ୍ତଙ୍କୁ ପ୍ରେରିତ କରି ମାନବ ସେବାରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଶତବାର୍ଷିକୀ ବର୍ଷ ନୂତନ ଶକ୍ତି ଓ ପ୍ରେରଣାର ବର୍ଷ ହେବା ସହ ଦେଶର କର୍ତ୍ତବ୍ୟପରାୟଣତାବୋଧକୁ ଉଜ୍ଜୀବିତ କରିବାରେ ଆଜାଦି କା ଅମ୍ରିତ ମହୋତ୍ସବ ସଫଳ ହେଉ ବୋଲି ସେ କାମନା କରିଥିଲେ । ସମସ୍ତଙ୍କ ସାମୂହିକ ଅବଦାନ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । 

 SR



(Release ID: 1840627) Visitor Counter : 154