ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବାରାଣାସୀର ସିଗ୍ରାଠାରେ ବିବିଧ ବିକାଶମୂଳକ ଉପକ୍ରମର ଶୁଭ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରଦତ୍ତ ଭାଷଣ

Posted On: 07 JUL 2022 7:48PM by PIB Bhubaneshwar

ହର ହର ମହାଦେବ !

କାଶୀ ମେଁ କହଲ ଜାଲା କୀ ଇହବାଁ ସାତ ବାର ଔର ନୌ ତ୍ୟୋହାର ହୋଲା । କହଲେ କା ମତଲବ ହୋ, କୀ ଇହବାଁ ରୋଜ- ରୋଜ ନୟା ନୟା ତ୍ୟୋହାର ମନାବଲ ଜାଲା । ଆଜ କେ ଏହି ପ୍ରସଙ୍ଗ ମେଁ ୟହାଁ ଜୁଟଲ ଆପ୍‌ ସବ୍‌ ଲୋଗନ କେ ପ୍ରଣାମ ହ!

ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲଜୀ, ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଜୀ, ମଞ୍ଚରେ ଉପସ୍ଥିତ ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀଗଣ, ସାଂସଦଗଣ, ସମସ୍ତ ବିଧାୟକଗଣ ଏବଂ ବନାରସର ମୋର ଭାଇ ଓ ଭଉଣୀଗଣ,

ମୁଁ ସର୍ବ ପ୍ରଥମେ ତ ଆପଣମାନଙ୍କୁ ସମସ୍ତଙ୍କୁ ହୃଦୟର ସହିତ ଧନ୍ୟବାଦ ଦେବାକୁ ଚାହେଁ । ବିଧାନସଭା ନିର୍ବାଚନ ସମୟରେ ଆପଣମାନଙ୍କ ସମସ୍ତଙ୍କ ନିକଟକୁ ମୁଁ ଆସିଥିଲି ଏବଂ ଉତ୍ତର ପ୍ରଦେଶରେ ଦ୍ୱିତୀୟବାର ସରକାର ଗଠନ ନିମନ୍ତେ ଆପଣମାନଙ୍କ ସମସ୍ତଙ୍କ ସହଯୋଗ ଭିକ୍ଷା କରିଥିଲି । କିନ୍ତୁ ଆପଣମାନେ, ଉତ୍ତର ପ୍ରଦେଶର ନାଗରିକମାନେ ଏବଂ ମୋର କାଶୀର ଲୋକମାନେ ଯେଉଁ ସମର୍ଥନ ଜ୍ଞାପନ କରିଛନ୍ତି, ଯେଉଁ ବିଶ୍ୱାସ ଏବଂ ଉତ୍ସାହର ସହିତ ମୋତେ ସାଥ୍‌ ଦେଇଛନ୍ତି, ସେଥିପାଇଁ ମୁଁ ଆଜି ଯେତେବେଳେ ନିର୍ବାଚନ ପରେ ପ୍ରଥମ ଥର ପାଇଁ ଆପଣମାନଙ୍କ ଗହଣକୁ ଆସିଛି, ଆଦରପୂର୍ବକ କାଶୀବାସୀଙ୍କୁ, ଉତ୍ତର ପ୍ରଦେଶବାସୀଙ୍କୁ  ହୃଦୟର ସହିତ ଧନ୍ୟବାଦ ଜଣାଉଛି, ଅଭିନନ୍ଦନ ଜ୍ଞାପନ କରୁଛି ।

ଦିବ୍ୟ, ଭବ୍ୟ, ନବ୍ୟ କାଶୀରେ ବିଗତ ଆଠବର୍ଷ ଭିତରେ ବିକାଶର ଯେଉଁ ଉତ୍ସବ ଜାରି ରହିଛି, ଆଜି ଏହାକୁ ଆମେ ପୁଣି ଥରେ ଗତି ପ୍ରଦାନ କରୁଛୁ । କାଶୀ ସଦାସର୍ବଦା ଜୀବନ୍ତ, ନିରନ୍ତର ପ୍ରବହମାନ ରହିଆସିଛି । ଏବେ କାଶୀର ଏକ ନୂତନ ସ୍ୱରୂପ ସମଗ୍ର ଦେଶକୁ ଦୃଶ୍ୟ ହେଉଛି ଯେଉଁଥିରେ ଐତିହ୍ୟ, ବୈଭବ ବି ରହିଛି ଏବଂ ବିକାଶର ଧାରା ମଧ୍ୟ ରହିଛି । ଏଭଳି ଦିବ୍ୟ ବୈଭବ, ଯାହାକୁ ଭବ୍ୟ, ଦିବ୍ୟ ଏବଂ ନବ୍ୟ କରିବା ନିମନ୍ତେ ନିରନ୍ତର କାର୍ଯ୍ୟ ଜାରି ରହିଛି । ଏଭଳି ବିକାଶ ଯାହା କାଶୀର ସଡ଼କ ଠାରୁ ନେଇ ଗଳି ପର୍ଯ୍ୟନ୍ତ, କୁଣ୍ଡ ଠାରୁ ଜଳାଶୟ ପର୍ଯ୍ୟନ୍ତ, ଘାଟ ଠାରୁ ପାଟ ପର୍ଯ୍ୟନ୍ତ, ରେଳ ଷ୍ଟେସନ ଠାରୁ ଆରମ୍ଭ କରି ବିମାନ ବନ୍ଦର ପର୍ଯ୍ୟନ୍ତ ନିରନ୍ତର ଗତିମାନ ରହିଆସିଛି ।

କାଶୀରେ ଯେତେବେଳେ ଗୋଟିଏ ପ୍ରକଳ୍ପ ଶେଷ ହୋଇଥାଏ ସେତେବେଳେ ଚାରିଟି ନୂଆ ପ୍ରକଳ୍ପ ଆରମ୍ଭ ହୋଇଥାଏ । ଆଜି ମଧ୍ୟ ଏଠାରେ ୧୭୦୦ କୋଟିରୁ ଅଧିକ ଟଙ୍କାର ଡଜନ ଡଜନ ପ୍ରକଳ୍ପର ଲୋକାର୍ପଣ କରାଯାଇଛି ଏବଂ ଶିଳାନ୍ୟାସ ମଧ୍ୟ ହୋଇଛି । କାଶୀର ସଡ଼କ, ପାଣି, ବିଜୁଳି, ସ୍ୱାସ୍ଥ୍ୟ, ଶିକ୍ଷା, ସ୍ୱଚ୍ଛତା ଏବଂ ସୌନ୍ଦର୍ଯ୍ୟକରଣ ସହିତ ସଂଶ୍ଳିଷ୍ଟ ହଜାର ହଜାର କୋଟି ଟଙ୍କାର ପରିଯୋଜନା ସଂପୂର୍ଣ୍ଣ ହୋଇସାରିଛି । ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଉପରେ କାମ ଲଗାତାର ଭାବେ ଜାରି ରହିଛି ।

ଭାଇ ଓ ଭଉଣୀଗଣ,

କାଶୀର ଆତ୍ମା ଅବିନାଶୀ, କିନ୍ତୁ କାୟାରେ ଆମେ ନିରନ୍ତର ନବୀନତା ଆଣିବା ସକାଶେ ମନ- ପ୍ରାଣ ଦେଇ ପ୍ରୟାସ ଜାରି ରଖିଛୁ । ଆମର ବିକାଶ କାଶୀକୁ ଆହୁରି ଅଧିକ ଗତିଶୀଳ, ପ୍ରଗତିଶୀଳ ଏବଂ ସମ୍ବେଦନଶୀଳ କରିବା ନିମନ୍ତେ ଉଦ୍ଦିଷ୍ଟ । କାଶୀକୁ ଆଧୁନିକ ସଂସାଧନର ଗତିଶୀଳତାକୁ ଆହୁରି ବେଗବାନ କରୁଛି । ଶିକ୍ଷା, କୌଶଳ, ପର୍ଯ୍ୟାବରଣ, ସ୍ୱଚ୍ଛତା, ବ୍ୟାପାର ନିମନ୍ତେ ଯେତେବେଳେ ପ୍ରୋତ୍ସାହନ ମିଳିପାରୁଛି, ନୂଆ ନୂଆ ସଂସ୍ଥାନମାନ ଖୋଲିବାରେ ଲାଗିଛି, ଆସ୍ଥା ଏବଂ ଆଧ୍ୟାତ୍ମ୍ୟ ସହିତ ଯୋଡ଼ିହୋଇ ରହିଥିବା ପବିତ୍ର ସ୍ଥାନମାନଙ୍କର ଦିବ୍ୟତାକୁ ଯେତେବେଳେ ଆଧୁନିକ ଭବ୍ୟତା ସହିତ ଯୋଡ଼ାଯାଉଛି, ସେତେବେଳେ ବିକାଶ ପ୍ରଗତିଶୀଳ ହେବାରେ ଲାଗିଛି । ଯେତେବେଳେ ଗରିବ ଲୋକମାନଙ୍କୁ ଘର, ବିଜୁଳି, ପାଣି, ଗ୍ୟାସ, ଶୌଚାଗାର ଭଳି ସୁବିଧା ମିଳିପାରୁଛି, ନାବିକମାନଙ୍କ, ବୁଣାକାରମାନଙ୍କୁ, ହସ୍ତଶିଳ୍ପୀମାନଙ୍କୁ, ରାସ୍ତାକଡ଼ର ବୁଲାବିକାଳୀମାନଙ୍କ ଠାରୁ ନେଇ ବାସଗୃହହୀନ ସବୁ ଲୋକଙ୍କୁ ସୁଫଳ ମିଳିପାରୁଛି, ସେତେବେଳେ ବିକାଶ ସମ୍ବେଦନଶୀଳ ହୋଇଛି ବୋଲି ବିବେଚନା କରାଯାଇଥାଏ ।

ଆଜି ଏହି କାର୍ଯ୍ୟକ୍ରମ ଅବସରରେ ଯେଉଁ ଲୋକାର୍ପଣ ଏବଂ ଶିଳାନ୍ୟାସ କାର୍ଯ୍ୟ ସମ୍ପନ୍ନ ହୋଇଛି, ସେଥିରେ ଗତିଶୀଳତା, ପ୍ରଗତିଶୀଳତା ଏବଂ ସମ୍ବେଦନଶୀଳତା, ତିନିଟିର ଝଲକ ଭରିରହିଛି । ମୋର କାଶୀ, ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସର ଉତ୍ତମ ଉଦାହରଣ ପାଲଟିଛି ।

ଭାଇ ଓ ଭଉଣୀଗଣ,

ଆପଣମାନେ ମୋତେ ନିଜର ସାଂସଦ ରୂପେ ନିର୍ବାଚିତ କରି ମଧ୍ୟ ସେବା କରିବାର ଅବସର ପ୍ରଦାନ କରିଛନ୍ତି । ସେଥିପାଇଁ ଯେତେବେଳେ ଆପଣମାନେ କିଛି ଉତ୍ତମ କାର୍ଯ୍ୟ କରୁଛନ୍ତି, ସେତେବେଳେ ମୋତେ ଦୁଇଗୁଣ ଖୁସି ଅନୁଭବ ହେଉଛି । ମୋର ଆନନ୍ଦ ଆହୁରି ବଢ଼ିଯାଉଛି । କାଶୀର ସଚେତନ ନାଗରିକଗଣ ଯେଉଁଭଳି ଭାବେ ଦେଶରକୁ ଦିଶା ପ୍ରଦାନକାରୀ କାର୍ଯ୍ୟ କରୁଛନ୍ତି, ତାହା ଦେଖି ମୁଁ ଅତ୍ୟନ୍ତ ଆାନନ୍ଦିତ । କାଶୀର ନାଗରିକମାନେ ଦେଶକୁ ଏହି ବାର୍ତ୍ତା ଦେଇଛନ୍ତି ଯେ ସଟ୍ କଟ୍ ଉପାୟରେ କୌଣସି କାର୍ଯ୍ୟ ଦେଶପାଇଁ କଦାପି ହିତସାଧନକାରୀ ହୋଇପାରିବ ନାହିଁ । ଏହା ଦ୍ୱାରା ନା କିଛି ନେତାଙ୍କର ଭଲ ହେବ, ନା ଜନତାଙ୍କର ନା ଦେଶର ।

ମୋର ସ୍ମରଣ ଅଛି ୨୦୧୪ ପୂର୍ବରୁ କାଶୀକୁ ବାହାରୁ ଆସୁଥିବା ଲୋକମାନେ ଏହି ପ୍ରଶ୍ନ ପଚାରୁଥିଲେ ଯେ ଏଠାରେ ଏତେସବୁ ଅବ୍ୟବସ୍ଥା କାହିଁକି ରହିଛି । ଏସବୁ କିପରି ଭାବେ ଠିକ୍ କରାଯାଇପାରିବ ? ଲୋକମାନେ ଏହିକଥା ପଚାରୁଥିଲେ ନା ? ସେମାନଙ୍କର ଚିନ୍ତା ମଧ୍ୟ ଉଚିତ ଥିଲା । ବନାରସରେ ଯେଉଁଆଡ଼େ ଦୃଷ୍ଟି ଘୂରାଇବ, ପରିବର୍ତ୍ତନର ଆବହାୱା ଏବେ ନଜରକୁ ଆସିବ । ସଫାସୁତୁରା ଲାଗିବ । ବନାରସର ସ୍ଥିତିକୁ ସୁଧାରିବା ନିମନ୍ତେ ଦଶନ୍ଧି ଦଶନ୍ଧି ଧରି କୌଣସି କାର୍ଯ୍ୟ କରାଯାଇ ନଥିଲା । ଏବେ ସେଥିପାଇଁ ଯେକୌଣସି ବ୍ୟକ୍ତି ପାଇଁ ସଟ୍ କଟ୍ ରାସ୍ତା ଆପଣାଇବା ଖୁବ୍ ସହଜ ଥିଲା । ଲୋକମାନଙ୍କୁ ଏହା ଦେଇଦିଆଯିବ, ଏହା ଫଳରେ ସେମାନଙ୍କର ଚିନ୍ତା ଆଉ ଅବ୍ୟବସ୍ଥା ଆଡ଼କୁ ଯିବନାହିଁ । କିଏ ଏତେ ପରିଶ୍ରମ କରିବ, କିଏ ସେଥିରେ ନିଜର ମୁଣ୍ଡ ପୁରାଇବ, କିଏ ଝାଳ ବୁହାଇବ ?

କିନ୍ତୁ ମୁଁ ବନାରସର ଲୋକମାନଙ୍କୁ ଧନ୍ୟବାଦ ଦେବି ଯେ ସେମାନେ ଉଚିତ ମାର୍ଗ ଚୟନ କରିଛନ୍ତି, ଉଚିତ ରାସ୍ତା ଅନ୍ୟମାନଙ୍କୁ ଦେଖାଇଛନ୍ତି । ସେମାନେ ଦି’ପଦ କହିଦେଲେ ଯେ କାମ ଏମିତି ହେବା ଦରକାର, ଯାହା ବର୍ତ୍ତମାନକୁ ଠିକ୍ କରିହେବ ଏବଂ ଭବିଷ୍ୟତରେ ମଧ୍ୟ କେତେ ଦଶକ ପର୍ଯ୍ୟନ୍ତ ବନାରସକୁ ଲାଭ ପହଞ୍ଚାଇବ ।

ମୋର ପ୍ରିୟ କାଶୀବାସୀ ଭାଇ ଓ ଭଉଣୀଗଣ,

ମୋତେ ଗୋଟିଏ କଥା କହନ୍ତୁ ଯେଉଁ ବିକାଶ କାର୍ଯ୍ୟ ଏବେ ପ୍ରବର୍ତ୍ତନ କରାଯାଉଛି ତାହା ଭବିଷ୍ୟତ ପାଇଁ ମଧ୍ୟ କାମରେ ଆସିବ କି ନାହିଁ ? ଭବିଷ୍ୟତ ପିଢ଼ିମାନଙ୍କ ନିମନ୍ତେ ଉପକାରସିଦ୍ଧ ହେବ ନା ନାହିଁ ? ଏଠାକାର ଯୁବଗୋଷ୍ଠୀଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବ କି ନାହିଁ ? ସମଗ୍ର ଭାରତକୁ କାଶୀ ଆଡ଼କୁ ଆକର୍ଷିତ କରିବ ନାହିଁ ? ସମଗ୍ର ଭାରତବର୍ଷ କାଶୀ ଦେଖିବାକୁ ମନ ବଳାଇବ କି ନାହିଁ ?

ସାଥୀଗଣ,

ଆଜି ଆମେ ଦେଖୁଛୁ ଯେ ଯେତେବେଳେ ଦୂରଗାମୀ ଯୋଜନାମାନ କାର୍ଯ୍ୟକାରୀ କରାଯାଉଛି, ସେଥିରୁ କିପ୍ରକାର ସୁଫଳ ପ୍ରାପ୍ତ ହେଉଛି । ବିଗତ ଆଠବର୍ଷ ଭିତରେ କାଶୀର ଭିତ୍ତିଭୂମି, କେଉଁଠୁ ଆସି କେଉଁଠାରେ ପହଂଚିସାରିଛି । ଏହା ଫଳରେ କୃଷକମାନଙ୍କ ଠାରୁ ନେଇ, ଶ୍ରମିକମାନଙ୍କୁ, ବ୍ୟାପାରୀମାନଙ୍କୁ ସମସ୍ତଙ୍କୁ ଲାଭ ମିଳିପାରିଛି । ବ୍ୟବସାୟ ବଢ଼ିଛି, କାରବାର ବୃଦ୍ଧି ପାଇଛି, ପର୍ଯ୍ୟଟନ କ୍ଷେତ୍ର ବିସ୍ତାରିତ ହେବାରେ ଲାଗିଛି ।

ରିକ୍ସାଚାଳକମାନେ ସୁଦ୍ଧା କହୁଛନ୍ତି ଯେ ସାହାବ, ଦିନତମାମ ଏତିକି କାମ ଏବେ ମିଳିପାରୁଛି । ବେପାରୀ ବନ୍ଧୁମାନେ କହୁଛନ୍ତି, ସାହାବ, ଛଅ ଛଅ ମାସର ମାଲ୍ ଗୋଟିଏ ମାସରେ ଏବେ ବିକ୍ରି ହୋଇଯାଉଛି । ଏକଥା ହେଉଛି ନା ନାହିଁ ? ସବୁଥିରେ କ୍ଷିପ୍ରତା ଆସିଛି ନା ନାହିଁ ? ଏବଂ ଏହିଯେଉଁ ସଡ଼କମାନ ନିର୍ମିତ ହେଉଛି, ଗରିବ ଲୋକମାନଙ୍କ ପାଇଁ ଯେଉଁ ବାସଗୃହ ନିର୍ମିତ ହେଉଛି, ଯେଉଁ ପାଇପ ଲାଇନ୍ ବିଛାଯାଉଛି, ସେଥିରେ ଯେଉଁସବୁ ସାମଗ୍ରୀ ଲାଗୁଛି, ସେଥିରେ ସିମେଣ୍ଟ ଅଛି, ଏବଂ ଷ୍ଟୀଲ୍ ଓ ନିର୍ମାଣ ଶିଳ୍ପ ସହିତ ସଂଶ୍ଳିଷ୍ଟ ଅନ୍ୟାନ୍ୟ ଉଦ୍ୟୋଗକୁ, ଛୋଟମୋଟ ଦୋକାନୀମାନଙ୍କୁ ସେମାନଙ୍କର ବ୍ୟବସାୟ ବୃଦ୍ଧି ପାଉଛି । ଅର୍ଥାତ୍, ବାରାଣାସୀ ଏବଂ ଏହାର ସମଗ୍ର କ୍ଷେତ୍ରରେ ରୋଜଗାର ଏକ ବହୁତ ବଡ଼ ମାଧ୍ୟମ ସୃଷ୍ଟି ହୋଇପାରିଛି ।

ବନାରସର ଲୋକ ଯେଉଁ ସୁଦୂରପ୍ରସାରୀ ଚିନ୍ତାଧାରାରେ ଆଗକୁ ଚାଲିବା ଆରମ୍ଭ କରିଛନ୍ତି, ଆଜି ଏହାର ଲାଭ ସମଗ୍ର କ୍ଷେତ୍ରକୁ ପ୍ରାପ୍ତ ହେଉଛି । ଆଜି କାଶୀର ଚତୁଃପାଶ୍ୱର୍କୁ ଯଦି ଆମେ ଲକ୍ଷ୍ୟ କରିବା, ତେବେ ଜାଣିପାରିବା ଯେ ସେଠାରେ ରିଙ୍ଗ୍ ରୋଡ, ଚଉଡ଼ା ଚଉଡ଼ା ଜାତୀୟ ରାଜପଥ, ବାବତପୁର ସିଟି ଲିଙ୍କ୍ ରୋଡ଼, ଆଶାକୁର ଆରଓବି, ଚୌକାଘାଟ- ଲହରତାରା ଫ୍ଲାଇଓଭର, ମହମୁରଗଞ୍ଜ - ମଣ୍ଡବାଡ଼ି ଫ୍ଲାଇଓଭର ଏହି ସମସ୍ତ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ବନାରସର ଲୋକମାନଙ୍କ ଜୀବନକୁ କେତେ ମାତ୍ରାରେ ଫାଇଦା ପହଞ୍ଚାଇଛି । ରେଳବାଇ ଓଭର ବ୍ରିଜ୍, ବରୁଣା ନଦୀ ଉପରେ ପୋଲ ଯେତେବେଳେ ନିର୍ମିତ ହୋଇଯିବ, ଏହାର ସୁବିଧା ଆହୁରି ବ୍ୟାପକ ମାତ୍ରାରେ ଉପଲବ୍ଧ ହୋଇପାରିବ ।

ଆଜି କାଶୀର ଆଉ ତିନୋଟି ସଡ଼କର ଚଉଡ଼ାକରଣ କାମର ଶୁଭାରମ୍ଭ କରାଯାଇଛି । ଏହା ଫଳରେ ମଉ, ଆଜମଗଡ଼, ଗାଜୀପୁର, ବଲିଆ, ଭଦୋହୀ, ମୀର୍ଜାପୁର ଭଳି ଅନେକ ସ୍ଥାନରୁ ଏଠାକୁ ଯାତାୟାତ ଆହୁରି ସୁଗମ ହୋଇପାରିବ ଏବଂ କାଶୀରେ ଟ୍ରାଫିକ୍ ଜାମ୍ ଭଳି ସମସ୍ୟା ହ୍ରାସ ପାଇପାରିବ ।

ଭାଇ ଓ ଭଉଣୀଗଣ,

ସହରମାନଙ୍କରେ ଏହିସବୁ ଚଉଡ଼ା ସଡ଼କକୁ ଆଖାପାଖ ଗ୍ରାମମାନଙ୍କ ସହ ଯୋଡ଼ିବା ନିମନ୍ତେ ଆଜି ଜନପଦର ନଅଟି ସଡ଼କ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରାଯାଇଛି । ଏହିସବୁ ସଡ଼କ ନିର୍ମିତ ହେବା ଫଳରେ ବର୍ଷାଦିନେ ଏବେ ଲୋକମାନଙ୍କୁ ଯେଉଁସବୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ଆଖପାଖର ଗ୍ରାମର କୃଷକ, ଯୁବକଯୁବତୀମାନଙ୍କୁ ସହରରେ ପହଂଚିବା ଲାଗି ଯେଉଁ ଅସୁବିଧା ହେଉଛି ତାହା ସଂପୂର୍ଣ୍ଣ ରୂପେ ଦୂର ହୋଇପାରିବ ।

ଯୋଗୀଜୀଙ୍କ ସରକାର ତହସିଲ ଏବଂ ବ୍ଲକ୍ ମୁଖ୍ୟାଳୟମାନଙ୍କୁ ଜିଲ୍ଲା ମୁଖ୍ୟାଳୟ ସହିତ ସଂଯୋଗ କରିବା ନିମନ୍ତେ ଚଉଡ଼ା ସଡ଼କ ନିର୍ମାଣ ପାଇଁ ଯେଉଁସବୁ କାର୍ଯ୍ୟ କରୁଛନ୍ତି, ସେହିସବୁ କାମ ବେଶ୍ ପ୍ରଶଂସନୀୟ । ଆଜି ସେବାପୁରୀକୁ ବନାରସ ସହିତ ସଂଯୋଗ କରୁଥିବା ସଡ଼କର ପ୍ରଶସ୍ତିକରଣ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଛି । ଏହି କାମ ଯେତେବେଳେ ସଂପୂର୍ଣ୍ଣ ହେବ ସେତେବେଳେ ବାରାଣସୀ ଜନପଦର ସମସ୍ତ ତହସିଲ ଏବଂ ବ୍ଲକ୍ ମୁଖ୍ୟାଳୟକୁ ସାତ ମିଟର ଚଉଡ଼ା ସଡ଼କ ସହିତ ସଂଯୋଗ କରାଯାଇପାରିବ ।

ଭାଇ ଓ ଭଉଣୀଗଣ,

ଏବେ ଶ୍ରାବଣ ମାସ ଆସି ଦ୍ୱାର ଦେଶରେ ଦଣ୍ଡାୟମାନ । ଆମ ଦ୍ୱାର ଦେଶରେ ଏହି ପବିତ୍ର ମାସ ଖଟଖଟ କରିବା ଆରମ୍ଭ କଲାଣି । ଶ୍ରାବଣ, ଶ୍ରାବଣ ମାସ ଏବେ ଆଉ ଦୂର ନାହିଁ । ଦେଶ ଏବଂ ଦୁନିଆରେ ବାବାଙ୍କ ଭକ୍ତମାନେ ବିପୁଳ ସଂଖ୍ୟାରେ କାଶୀ ନଗରୀକୁ ଆସିବେ । ବିଶ୍ୱନାଥ ଧାନ ପରିଯୋଜନା ସଂପୂର୍ଣ୍ଣ ହେବା ପରେ ଏହା ପ୍ରଥମ ଶ୍ରାବଣ ଉତ୍ସବ ହେବ । ବିଶ୍ୱନାଥ ଧାମକୁ ନେଇ ସାରା ଦୁନିଆ କେତେ ଉତ୍ସାହରେ ଅଛି ଏବଂ ତାହା ଆପଣମାନେ ବିଗତ କିଛି ମାସରେ ଅବଶ୍ୟ ଅନୁଭବ କରିଥିବେ ।

ମୋତେ ସୂଚୀତ କରାଯାଇଛି ଯେ ଖରାଦିନ ସତ୍ତ୍ୱେ ଏଥର ପ୍ରତିଦିନ ଏବଂ ଏବେ ଯୋଗୀଜୀ ମଧ୍ୟ ମୋତେ କହୁଥିଲେ, ପ୍ରତିଦିନ ଲକ୍ଷଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ କାଶୀ ବିଶ୍ୱନାଥ ଧାମକୁ ଦର୍ଶନ ଆସି ବାବାଙ୍କ ପବିତ୍ର ଦର୍ଶନ କରୁଛନ୍ତି । ଶ୍ରାବଣ ମାସରେ ବି ଏଠାକୁ ବାବାଙ୍କର ଭକ୍ତମାନେ ଦିବ୍ୟ, ଭବ୍ୟ ଏବଂ ନବ୍ୟ କାଶୀର ଅନୁଭବ ଅବଶ୍ୟ ପ୍ରାପ୍ତ ହେବ ।

ଭାଇ ଓ ଭଉଣୀଗଣ,

ସାରା ସଂସାରର ଶ୍ରଦ୍ଧାଳୁମାନଙ୍କର, ପର୍ଯ୍ୟଟକମାନଙ୍କର କାଶୀ ନଗରୀ ଉପରେ ଆସ୍ଥା ଏବଂ ଆଧ୍ୟାତ୍ମ୍ୟର ନିର୍ବାଧ ଅନୁଭବ କିଭଳି ଭାବେ ପ୍ରାପ୍ତ ହେବ ସେହି ପ୍ରତିଶ୍ରୁତି ଆମେ ସମସ୍ତଙ୍କୁ ପ୍ରଦାନ କରିଛୁ । ପୂର୍ବର ଯେତେବେଳେ କୌଣସି ତୀର୍ଥଯାତ୍ରୀ ଆସୁଥିଲେ ସେତେବେଳେ ଗାଁରେ ଲୋକମାନେ ତାଙ୍କୁ ନିଜ ଘରକୁ ଆମନ୍ତ୍ରଣ କରି ଖାଦ୍ୟପାନୀୟ ଦେଉଥିଲେ, ସକଳ ପ୍ରକାର ସେବା ଯୋଗାଉଥିଲେ । ଆମର କାଶୀରେ ମଧ୍ୟ ପୂର୍ବରୁ ଏହି ପରମ୍ପରା ଥିଲା । ବାହାରୁ ଯେଉଁ ଲୋକମାନେ ଆସୁଥିଲେ ସେମାନଙ୍କର ଏଠାକାର ପୂଜକମାନଙ୍କର ଯଜମାନ ହେଉଥିଲେ, ସେମାନଙ୍କୁ ଏହି ପୂଜକମାନେ ନିଜ ଘରକୁ ନେଇ ରଖୁଥିଲେ । ସେମାନଙ୍କ ପାଇଁ ସବୁପ୍ରକାର ବ୍ୟବସ୍ଥା ଓ ବନ୍ଦୋବସ୍ତ କରୁଥିଲେ । ସେମାନଙ୍କ ମନରେ ଏହି ଭାବନା ଥିଲା ଯେ ଶ୍ରଦ୍ଧାଳୁମାନଙ୍କର ଯେମିତି କୌଣସି ପ୍ରକାର ଅସୁବିଧା ନହୁଏ ।

ଏହିଭଳି ଭାବନା ଉପରେ ଆମର ସରକାର ମଧ୍ୟ ପରିଚାଳିତ ହେଉଛି । କାଶୀ ଭୈରବ ଯାତ୍ରା, ନବ ଗୌରୀ ଯାତ୍ରା, ନବଦୁର୍ଗା ଯାତ୍ରା, ଅଷ୍ଟବିନାୟକ ଯାତ୍ରା, ଆସ୍ଥାର ଏହିଭଳି ସକଳ ପ୍ରକାର ଯାତ୍ରା କିପରି ଭାବେ ସୁଗମ ହୋଇପାରିବ, ସେଥି ନିମନ୍ତେ ସରକାର ସକଳ ପ୍ରକାର ସୁବିଧା ବ୍ୟବସ୍ଥାମାନ ନିର୍ମାଣ କରିଚାଲିଛନ୍ତି । ପଞ୍ଚକୋଶୀ ପରିକ୍ରମା ନିମନ୍ତେ ରାସ୍ତାରେ ଅନେକ ସ୍ଥାନରେ ବିଶ୍ରାମ ନେବାର ସୁବିଧା, ପୂଜାପାଠରେ ସୁଗମତା ନିମନ୍ତେ ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି । କାଶୀର ପରିଚୟ ଏଠାକାର ଗଳି ଓ ଘାଟକୁ ସଫାସୁତରା ରଖିବା ଏବଂ ସୁବ୍ୟବସ୍ଥିତ କରିବା କିମ୍ବା ଗଙ୍ଗାଜୀକୁ ନିର୍ମଳ କରିବା ସଂକଳ୍ପ ହୋଇଥାଉ, ଏହା ଉପରେ ମଧ୍ୟ ଦ୍ରୁତ ବେଗରେ କାର୍ଯ୍ୟ ଜାରି ରହିଛି ।

ଭାଇ ଓ ଭଉଣୀଗଣ,

ଆମ ପାଇଁ ବିକାଶର ଅର୍ଥ କେବଳ ବାହ୍ୟ ଚାକଚକ୍ୟ ନୁହେଁ । ଆମ ପାଇଁ ବିକାଶର ଅର୍ଥ ହେଲା ଗରିବ, ଦଳିଦ, ବଂଚିତ, ପଛୁଆବର୍ଗ, ଆଦିବାସୀ, ମାତା- ଭଉଣୀ ଏମାନଙ୍କୁ ସମସ୍ତଙ୍କୁ ସଶକ୍ତ କରିବା । ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ବାରାଣସୀର ୬୦୦ରୁ ଅଧିକ ଗରିବ ପରିବାରଙ୍କୁ ନିଜର ପକ୍କା ଘର ପ୍ରଦାନ କରାଯାଇଛି । ଅର୍ଥାତ୍, ୬୦୦ ନୂଆ ଲକ୍ଷପତି ସୃଷ୍ଟି ହୋଇଛନ୍ତି । ଯେଉଁ ସାଥୀମାନଙ୍କ ବାସଗୃହ ସ୍ୱପ୍ନ ଆଜି ସାକାର ହୋଇଛି, ସେମାନଙ୍କୁ ବହୁତ ବହୁତ ଅଭିନନ୍ଦନ । ଏବଂ ସେହିସବୁ ପରିବାରର ମାତା ଓ ଭଉଣୀମାନଙ୍କୁ ବିଶେଷ ବଧେଇ ମୁଁ ଜଣାଉଛି । କାରଣ ଆମର ପ୍ରୟାସ ସଦାବେଳେ ରହିଆସିଛି ଯେ ଘର ନିର୍ମିତ ହେଲାପରେ ମାଆ ଓ ଭଉଣୀମାନଙ୍କ ନାମରେ ତାହା ହେବା ଦରକାର ଏବଂ ସେଥିପାଇଁ ସେମାନଙ୍କୁ ମୁଁ ବିଶେଷ ଭାବେ ଅଭିନନ୍ଦନ ଜ୍ଞାପନ କରୁଛି ।

ପ୍ରତ୍ୟେକ ଗରିବ ପରିବାରଙ୍କୁ ପକ୍କା ଘର ଦେବା ଏବଂ ପ୍ରତି ଗ୍ରାମୀଣ ପରିବାରକୁ ପାଇପ୍ ଯୋଗେ ନିରାପଦ ପାନୀୟ ଜଳ ଯୋଗାଣ ସହ ସଂଯୋଗ କରିବା, ଏହି ସଂକଳ୍ପର ସହିତ ଆମେ ଦ୍ରୁତଗତିରେ କାର୍ଯ୍ୟ କରିଚାଲିଛୁ । ଜଳ ଜୀବନ ମିଶନ ଅଧୀନରେ ଡଜନ ଡଜନ ଜଳ ପରିଯୋଜନା ମଧ୍ୟ ଆରମ୍ଭ କରାଯାଇସାରିଛି । ଏହା ଦ୍ୱାରା ହଜାର ହଜାର ପରିବାରଙ୍କୁ, ବିଶେଷ କରି ଭଉଣୀମାନଙ୍କୁ ଫାଇଦା ପହଂଚିପାରୁଛି । ନିରାଶ୍ରୀତ ମାତା, ଭଉଣୀ, କନ୍ୟାମାନଙ୍କ ନିମନ୍ତେ ନିର୍ମିତ ଆଶ୍ରମ ଗୃହ ଦ୍ୱାରା ମଧ୍ୟ ସବକା ବିକାଶ ଭାବନା ସଶକ୍ତ ହୋଇପାରିଛି ।

ଭାଇ ଓ ଭଉଣୀଗଣ,

ଏଭଳି ସର୍ବସ୍ପର୍ଶୀ, ସର୍ବହିତକାରୀ ବିକାଶ ଏବଂ ଏହାକୁ ହିଁ ତ ସୁଶାସନ ବୋଲି କୁହାଯାଏ । ଆପଣମାନେ ଲକ୍ଷ୍ୟ କରନ୍ତୁ, ରାସ୍ତାକଡରେ ବୁଲାବିକାଳୀ ଭାବେ ଛୋଟ ଛୋଟ କାରବାର କରୁଥିବା ସାଥୀଗଣମାନଙ୍କୁ କେତେ ପ୍ରକାର ସମସ୍ୟାର ମୁକାବିଲା କରିବାକୁ ପଡ଼ିଥାଏ । ଏବେ ଗଦୌଲିୟାଠାରୁ ଦଶାଶ୍ୱମେଧ ମଧ୍ୟରେ ଗୌରବ ପଥ ବି ନିର୍ମାଣ କରାଯାଉଛି । ସେଠାରେ ଏବେ ଦଶାଶ୍ୱମେଧ ସଂକୁଳ ମଧ୍ୟ ନିର୍ମିତ ହେବାକୁ ଯାଉଛି । ଏହି ସଂକୁଳ ବୁଲାବିକାଳୀମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବ । ସେଠାରେ ସେମାନେ ନିଜର ଦୋକାନ ମଧ୍ୟ ଖୋଲି ପାରିବେ । ଚୌକାଘାଟ- ଲହରତାରା ଫ୍ଲାଇଓଭର, ଏହା ତଳେ ପାଖାପାଖି ଦୁଇ କିଲୋମିଟର ଲମ୍ବା ଏକ ବିଶେଷ ଭେଣ୍ଡିଂ ଜୋନର ବିକାଶ ଘଟାଯାଉଛି । ସାରନାଥଠାରେ ମଧ୍ୟ ବୁଦ୍ଧିଷ୍ଟ ସର୍କିଟର ନିର୍ମାଣ କାର୍ଯ୍ୟ ଆଜି ଆରମ୍ଭ କରାଯାଇଛି ଏବଂ ସେଠାରେ ବୁଲାବିକାଳୀ ସାଥୀମାନଙ୍କ ନିମନ୍ତେ ବିଶେଷ ସୁବିଧା ବ୍ୟବସ୍ଥା ନିର୍ମିତ ହେବ ।

ସାଥୀଗଣ,

ଆପଣମାନେ ସ୍ୱତନ୍ତ୍ର ଆର୍ଥିକ ଜୋନ୍ (ଏସଇଜେଡ), ଆର୍ଥିକ କରିଡୋର ଭଳି ବ୍ୟବସ୍ଥା ସଂପର୍କରେ ବହୁତ କିଛି ଶୁଣିଥିବେ, କିନ୍ତୁ ବୁଲାବିକାଳୀମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଜୋନ୍ କାଶୀରେ ନିର୍ମିତ ହେବା କଥା ସ୍ୱଚକ୍ଷୁରେ ଦେଖୁଛନ୍ତି । କେବଳ ସୁବିଧା ନୁହେଁ, ପିଏମ ସ୍ୱନିଧି ଯୋଜନା ଅଧୀନରେ ପ୍ରଥମ ଥର ପାଇଁ ଷ୍ଟ୍ରୀଟ୍ ଭେଣ୍ଡର୍ସଙ୍କୁ ବ୍ୟାଙ୍କରୁ ଋଣ ଯୋଗାଣ ସୁବିଧା ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ଦେଶରେ ପାଖାପାଖି ୩୩ ଲକ୍ଷ ସାଥୀଙ୍କୁ ଏହା ଅଧୀନରେ ଋଣ ମିଳିସାରିଛି ଯେଉଁଥିରେ ହଜାର ହଜାର ସାଥୀ ସାମିଲ ଅଛନ୍ତି ।

ସାଥୀଗଣ,

ଆମ ସରକାର ସଦାସର୍ବଦା ଗରିବ ଲୋକମାନଙ୍କ ସମସ୍ୟାର ସମାଧାନ କରିବା ନିମନ୍ତେ ପ୍ରୟାସ କରିଆସୁଛନ୍ତି, ସେମାନଙ୍କ ସୁଖଦୁଃଖରେ ସେମାନଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଠିଆ ହେବାଲାଗି ଚେଷ୍ଟା କରୁଛନ୍ତି । କରୋନା ମହାମାରୀର ମାଗଣା ପ୍ରତିଷେଧକ ଟିକା ଠାରୁ ନେଇ ଗରିବ ଲୋକମାନଙ୍କୁ ମାଗଣାରେ ଖାଦ୍ୟାନ୍ନ ଯୋଗାଣ ବ୍ୟବସ୍ଥା ପର୍ଯ୍ୟନ୍ତ, ସରକାର ଆପଣମାନଙ୍କ ସେବାରେ କୌଣସି ପ୍ରକାର ଅବସରକୁ ଛାଡ଼ିନାହାନ୍ତି । ବିଗତ ବର୍ଷମାନଙ୍କରେ ଡିଜିଟାଲ ସଂସାଧନରେ ଯେଉଁପ୍ରକାର ସୁଧାର ଅଣାଯାଇଛି, ତଦ୍ୱାରା ମଧ୍ୟ ଗରିବ ଲୋକମାନଙ୍କୁ ଏବଂ ମଧ୍ୟମ ବର୍ଗଙ୍କୁ ସବୁଠାରୁ ଅଧିକ ଫାଇଦା ମିଳିପାରିଛି ।

ଆଜି ବନାରସର ଆପଣମାନେ ସମସ୍ତେ ସାକ୍ଷୀ ଅଛନ୍ତି ଯେ କେଉଁଭଳି ଭାବେ ମୋବାଇଲ୍ ଫୋନ୍ ଶସ୍ତା ହୋଇପାରିଛି, କଲ୍ କରିବା ପ୍ରାୟ ମାଗଣା ହୋଇପାରିଛି । ଏବେ ଇଣ୍ଟରନେଟନ୍ ବହୁତ ଶସ୍ତା ହୋଇଯାଇଛି, ଜୀବନ ଆହୁରି ସହଜସାଧ୍ୟ ହୋଇପାରିଛି, ଉପାର୍ଜନର ନୂଆ ନୂଆ ସାଧନ ଓ ଉପାୟ ଖୋଲିବାରେ ଲାଗିଛି । ଦେଶରେ ଫୋନ୍ ଏବଂ ଇଣ୍ଟରନେଟ୍ ୟୁସରଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଏହା ସହିତ ସଂଶ୍ଳିଷ୍ଟ ଅନ୍ୟାନ୍ୟ ବ୍ୟବସାୟ ମଧ୍ୟ ବିସ୍ତାରିତ ହେବାରେ ଲାଗିଛି ।

ଖୁବ୍ କମ୍ ନିବେଶ କରି ଯୁବକଯୁବତୀମାନେ ଏହା ସହିତ ସଂଯୁକ୍ତ ସେବା କ୍ଷେତ୍ରରେ ରୋଜଗାରର ଅବସର ମିଳିପାରିଛି । ଏହିଭଳି ଭାବେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯେଉଁ ମାଗଣା ଚିକିତ୍ସା ସୁବିଧା କରାଯାଇଛି, ଏହା ଫଳରେ ଗରିବ ଲୋକମାନଙ୍କର ହିଁ ସବୁଠାରୁ ଅଧିକ ଦୁଶ୍ଚିନ୍ତା ଦୂର ହୋଇପାରିଛି । ଏହି ସୁବିଧା ବଳରେ ଗରିବ ଲୋକମାନେ ମଧ୍ୟ ବଡ଼ ବଡ଼ ହସପିଟାଲକୁ ଯାଇ ଚିକିତ୍ସା ସୁବିଧା ପାଇବାକୁ ମନରେ ସାହସ କୁଳାଇ ପାରିଛନ୍ତି । ପୂର୍ବରୁ ସେମାନେ ଅର୍ଥ ଅଭାବରୁ ଏଭଳି ସୁବିଧାରୁ ବଂଚିତ ହେଉଥିଲେ । ଅର୍ଥାତ୍, ଦେଶରେ ହସପିଟାଲମାନଙ୍କର ଚାହିଦା ବୃଦ୍ଧି ପାଇବାରେ ଲାଗିଛି, ମେଡ଼ିକାଲ କଲେଜର ଚାହିଦା ବଢ଼ିବାରେ ଲାଗିଛି । ବିଗତ କିଛି ବର୍ଷ ଭିତରେ ଆମେ ଉତ୍ତର ପ୍ରଦେଶରେ ହିଁ ଏକ ଡଜନ ନୂଆ ମେଡ଼ିକାଲ କଲେଜ ସ୍ଥାପନ କରିଛୁ । ଏଠାରେ କାଶୀରେ ହିଁ କ୍ୟାନସର ରୋଗର ଚିକିତ୍ସା  ଠାରୁ ନେଇ ତମାମ ରୋଗର ଅତ୍ୟାଧୁନିକ ଚିକିତ୍ସା ସୁବିଧାର କେତେ ବଡ଼ ନେଟୱାର୍କ ପ୍ରସ୍ତୁତ ହୋଇପାରିଛି ।

ସାଥୀଗଣ,

ଗୋଟିଏ ପଟେ ଆମେ ଦେଶର ସହରମାନଙ୍କୁ ଧୂମମୁକ୍ତ କରିବା ନିମନ୍ତେ ସିଏନଜି ଦ୍ୱାରା ଚାଳିତ ଯାନବାହନ ନିମନ୍ତେ ସୁବିଧାର ବିସ୍ତାର କରୁଛୁ । ଅନ୍ୟ ପକ୍ଷରେ ଆମେ ଗଙ୍ଗାଜୀଙ୍କ ପ୍ରତି ଭକ୍ତି ଓ ଧ୍ୟାନ ରଖିବା ପୂର୍ବକ ଆମର ନାବିକମାନଙ୍କୁ ଡିଜେଲ ଏବଂ ପେଟ୍ରୋଲରେ ଚାଲୁଥିବା ଡଙ୍ଗାଗୁଡ଼ିକୁ ମଧ୍ୟ ସିଏନଜି ସହିତ ଯୋଡ଼ିବାର ବିକଳ୍ପ ପ୍ରଦାନ କରିଛୁ । ଘାଟମାନଙ୍କରେ ଥିବା ଦେଶର ପ୍ରଥମ ସିଏନଜି ଷ୍ଟେସନ କାଶୀରେ ହିଁ ରହିଛି ଏବଂ ଏହି କଥାକୁ ନେଇ କାଶୀ ଗର୍ବ ଅନୁଭବ କରିପାରିବ । ଡିଜେଲ- ପେଟ୍ରୋଲ ଦ୍ୱାରା ଚାଳିତ ୬୫୦ଟି ନୌକାରୁ ୫୦୦କୁ ଆମେ ସିଏନଜିର ସୁବିଧା ସହିତ ସଂଯୋଗ କରିସାରିଛୁ ।

ଏଭଳି ସୁବିଧା ଦ୍ୱାରା ପର୍ଯ୍ୟଟକମାନଙ୍କୁ ଶାନ୍ତିରେ ଗଙ୍ଗାଜୀଙ୍କ ଦର୍ଶନ କରିବାର ସୁଖ ମିଳିପାରିବ, ପର୍ଯ୍ୟାବରଣକୁ ମଧ୍ୟ ସୁଫଳ ମିଳିବ । ପୁଣି ନାବିକମାନଙ୍କୁ ଇନ୍ଧନ ପାଇଁ କରିବାକୁ ପଡ଼ୁଥିବା ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ । ଅର୍ଥାତ୍ କମ୍ ଖର୍ଚ୍ଚରେ ଅଧିକ ଉପାର୍ଜନର ମାର୍ଗ ଏବେ ସେମାନଙ୍କ ପାଇଁ ଉନ୍ମୁକ୍ତ ହୋଇଛି ।

ଭାଇ ଓ ଭଉଣୀଗଣ,

କାଶୀ ଜ୍ୟାନ, ଆସ୍ଥା, ଆଧ୍ୟାତ୍ମ୍ୟର ନଗରୀ ଭାବେ ପ୍ରାଚୀନ କାଳରୁ ସୁପରିଚିତ ରହିଆସିଛି । ଏଠାରେ ଖେଳକୁଦର ମଧ୍ୟ ଏକ ସମୃଦ୍ଧ ପରମ୍ପରା ରହିଛି । ଆଜି ଏୟାରପୋର୍ଟ ଠାରୁ ଏପର୍ଯ୍ୟନ୍ତ ସମସ୍ତ କ୍ରୀଡ଼ାବିତଙ୍କ ସହିତ ମୋର ଭେଟସାକ୍ଷାତ ହୋଇପାରୁଛି । ମୋର ସମସ୍ତ କ୍ରୀଡ଼ାବିତ୍ ସାଥୀ ମୋ ସାମ୍ନାରେ ବସିଛନ୍ତି । ଏପଟେ ମଧ୍ୟ ଖେଳାଳୀମାନେ ଭରପୂର ହୋଇ ବସିଛନ୍ତି । ଆଜି ସେମାନଙ୍କର ଉତ୍ସାହ ଏବଂ ଆକାଂକ୍ଷାକୁ ମୁଁ ଉତ୍ତମ ରୂପେ ଦେଖି ପାରୁଛି, ମୋତେ ଲାଗୁଛି ଯେ କାଶୀରେ ଯେଉଁ ଷ୍ଟାଡ଼ିୟମ୍ ନିର୍ମାଣ କରାଯାଉଛି ତାହା ଏବେ କାଶୀକୁ ଆଉ ଏକ ନୂତନ ଶୀର୍ଷରେ ପହଞ୍ଚାଇବ । ଏଠାକାର ଆଖଡ଼ା କସରତ ଏବଂ କୁସ୍ତି ଦ୍ୱାରା ଫିଟନେସକୁ ମଧ୍ୟ ପ୍ରୋତ୍ସାହନ ମିଳିପାରିବ । ଆଜି ମଧ୍ୟ ନାଗ ପଞ୍ଚମୀ ତିଥିରେ ଆମେ ଏହି ଆଖଡ଼ାରେ ପୁରୁଣା ଦିନର ଝଲକ ଦେଖିପାରିବା । କିନ୍ତୁ ଖେଳକୁଦ କେବଳ ଫିଟନେସ୍ ଏବଂ ମନୋରଂଜନ ନିମନ୍ତେ ନୁହେଁ, ବରଂ ରାଷ୍ଟ୍ରର ଗୌରବ ବୃଦ୍ଧି କରିବା ଏବଂ ଉତ୍ତମ କ୍ୟାରିଅର୍ ଗଠନର ମଧ୍ୟ ଏକ ଉତ୍ତମ ମାଧ୍ୟମ । ବିଗତ ବର୍ଷମାନଙ୍କରେ ବାରାଣାସୀ ସହିତ ପୂର୍ବାଞ୍ଚଳର ଅନେକ କ୍ରୀଡ଼ାବିତ୍ ଅନ୍ତରାଷ୍ଟ୍ରୀୟ ସ୍ତରରେ ବେଶ୍ ଉତ୍ତମ ପ୍ରଦର୍ଶନ କରିଛନ୍ତି । ସରକାର ଏହା ନିରନ୍ତର ଭାବେ ପ୍ରୟାସ କରିଆସୁଛନ୍ତି ଯେ ଅଲିମ୍ପିକ୍ସ କ୍ରୀଡ଼ା ପ୍ରତିଯୋଗିତା ସହିତ ସଂଶ୍ଳିଷ୍ଟ ପ୍ରତ୍ୟେକ କ୍ରୀଡ଼ାବିତଙ୍କ ଅତ୍ୟାଧୁନିକ ସୁବିଧା ଆମର କାଶୀରେ ହିଁ ପ୍ରାପ୍ତ ହେବା ବାଂଛନୀୟ ।

ଆଜି ଯେଉଁ ଷ୍ଟାଡିୟମରେ ଆମେ ଏହି ଜନସଭା କରୁଛେ, ସେଠାରେ ଖୁବ୍ ଶୀଘ୍ର ବିଶ୍ୱସ୍ତରୀୟ ସକଳ ପ୍ରକାର ସୁବିଧା ସୁଯୋଗ ସହିତ ଯୋଡ଼ିହେବାକୁ ଯାଉଛି । ଛଅ ଦଶନ୍ଧି ପୂର୍ବେ ନିର୍ମିତ ଏହି ଷ୍ଟାଡିୟମ୍ରେ ଏକବିଂଶ ଶତାବ୍ଦୀର ସୁବିଧା ପ୍ରସ୍ତୁତ କରାଯିବ । ଏଠାରେ ୨୦ରୁ ଅଧିକ କ୍ରୀଡ଼ା ନିମନ୍ତେ ଅଲ୍ଟ୍ରା ମଡର୍ଣ୍ଣ ଇନଡୋର ସୁବିଧା ଉପଲବ୍ଧ ହେବ । ଉତ୍ତମ ତାଲିମ୍ ସେଟ୍ଅପ୍, ଫିଟନେସ୍ ସେଣ୍ଟର, ହଷ୍ଟେଲ ଭଳି ବ୍ୟବସ୍ଥା ଏଠାରେ ମିଳିପାରିବ ।

ଶିଶୁମାନଙ୍କ ନିମନ୍ତେ କିଡ୍ସ ଜୋନ୍ ବି ରହିବ, ଯାହା ଫଳରେ ସେମାନଙ୍କ ମନରେ ଖେଳକୁଦକୁ ନେଇ, ଫିଟନେସକୁ ନେଇ ଉତ୍ସାହ ବୃଦ୍ଧି ପାଇବ । କମ୍ ବୟସରେ ହିଁ ସେମାନଙ୍କ ମନରେ ପ୍ରୋଫେସନାଲ କ୍ରୀଡ଼ା ଦିଗରେ ଆଗ୍ରହ ସୃଷ୍ଟି ହେବ । ଏହି ସମଗ୍ର ପରିସର ଆଧୁନିକ ସୁବିଧାସୁଯୋଗର ସହିତ ପାରା ଗେମ୍ସ ପାଇଁ ମଧ୍ୟ ଖୁବ୍ ଅନୁକୂଳ ପରିବେଶ ସୃଷ୍ଟି କରିବ । ଡକ୍ଟର ଭୀମରାଓ ଆମ୍ବେଦକର ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଆଥଲେଟିକ୍ସ ଏବଂ ବାସ୍କେଟବଲର ଆଧୁନିକ ସୁବିଧା ଉପଲବ୍ଧ ହେବା ଫଳରେ ଯୁବ ଖେଳାଳୀମାନଙ୍କୁ ସବୁଠାରୁ ଅଧିକ ସୁବିଧା ମିଳିପାରିବ ।

ଭାଇ ଓ ଭଉଣୀଗଣ,

କାଶୀର ଏହି ଅବିରାମ ବିକାଶର ଧାରା ଗଙ୍ଗାଜୀଙ୍କ ଭଳି ଏଭଳି ଅବିରଳ ଭାବେ ପ୍ରବାହିତ ହୋଇ ଚାଲିଥାଉ, ଏଥିପାଇଁ ଆମମାନଙ୍କର ପ୍ରୟାସ ମଧ୍ୟ ଜାରି ରହିଥାଉ । ହଁ, କାଶୀର, ଗଙ୍ଗାଜୀଙ୍କ ସ୍ୱଚ୍ଛତା ନିମନ୍ତେ ଆମେ ଯେଉଁ ସଂକଳ୍ପ ନେଇଥିଲେ, ତାହାକୁ କଦାପି ଆମେ ଭୁଲିବାନାହିଁ । ଆପଣମାନେ ଏକଥା ସ୍ମରଣ ରଖିବେ ନା ? ସ୍ମରଣ ରଖିବେ ନା ? ଆପଣମାନେ ନିଜର ଦୁଇ ହାଜ ଉପରକୁ କରି ଉଚ୍ଚାରଣ କରନ୍ତୁ – ସ୍ମରଣ ରଖିବେ ନା ? ଆମ କାଶୀ ସ୍ୱଚ୍ଛ ରହିବ ନା ? ଆମର କାଶୀ ସ୍ୱଚ୍ଛ ରହିବ ନା ? ଆମର ମା ଗଙ୍ଗା ସ୍ୱଛ ରହିବ ନା ? ଏହାକୁ କେଇ ଅସ୍ୱଚ୍ଛ କରିବେ ନାହିଁ ନା ? ଏହାକୁ କେହି ମଇଳା ହେବାକୁ ଦେବେନାହିଁ ନା ? ଏଇ ହେଉଛି ଆମର କାଶୀ, ଏହି କାଶୀକୁ ଆମକୁ ବଞ୍ଚାଇ ରଖିବାକୁ ହେବ । ଏହି କାଶୀକୁ ଆମକୁ ନୂତନ ଭାବେ ଗଢ଼ିବାକୁ ହେବ । ଆମେ ସମସ୍ତେ ମିଳିମିଶି ଏହି କାର୍ଯ୍ୟ ସଂପାଦନ କରିବା ।

ସଡ଼କକୁ, ଘାଟକୁ, ବଜାରକୁ ସଫାସୁତୁରା ରଖିବା ହେଉଛି ଆମ ସମସ୍ତଙ୍କର, କାଶୀବାସୀଙ୍କର ଦାୟିତ୍ୱ । କାଶୀବାସୀଙ୍କ ବିଶ୍ୱାସ, ବାବା ବିଶ୍ୱନାଥଙ୍କ ଆଶୀର୍ବାଦରୁ ଆମର ପ୍ରତିଟି ସଂକଳ୍ପ ଅବଶ୍ୟ ସିଦ୍ଧ ହେବ । ପୁଣି ଥରେ ଆପଣମାନଙ୍କୁ ବହୁତ ବହୁତ ବଧେଇ ।

ହର ହର ମହାଦେବ! ଧନ୍ୟବାଦ!

SS/DD



(Release ID: 1840146) Visitor Counter : 155