ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

 ଭୁଜ୍‌ରେ କେକେ ପଟେଲ ସୁପର ସ୍ପେସିଆଲିଟି ହସ୍‌ପିଟାଲ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦେଶ ଉଦ୍ଦେଶ୍ୟରେ ସମର୍ପିତ



“ଭୂମିକମ୍ପରେ ହୋଇଥିବା ଧ୍ୱଂସଲୀଳାକୁ ପଛରେ ପକାଇ ଭୁଜ ଓ କଚ୍ଛବାସୀ ସେମାନଙ୍କ ଅଞ୍ଚଳ ନିମନ୍ତେ କଠିନ ପରିଶ୍ରମ ବଳରେ ନୂତନ ଭାଗ୍ୟର ଫର୍ଦ୍ଧ ଯୋଡୁଛନ୍ତି”

“ଉନ୍ନତ ସ୍ୱାସ୍ଥସେବା କେବଳ ରୋଗର ଉପଚାର ପାଇଁ ନୁହେଁ, ବରଂ ଏହା ସାମାଜିକ ନ୍ୟାୟକୁ ପ୍ରୋତ୍ସାହନ ଦେଇଥାଏ”

“ଯେତେବେଳେ ଗରିବଙ୍କୁ ସକ୍ତା ଓ ଉତ୍କୃଷ୍ଠ ଉପଚାର ମିଳିଥାଏ, ତାର ବ୍ୟବସ୍ଥା ପ୍ରତି ବିଶ୍ୱାସ ଦୃଢ ହୋଇଥାଏ । ସେମାନେ ଉପଚାର ବାବଦ ଖର୍ଚ୍ଚରୁ ମୁକ୍ତି ପାଇଲେ କଠିନ ପରିଶ୍ରମ କରି ସଂକଳ୍ପବଦ୍ଧ ଭାବେ ଦାରିଦ୍ର‌୍ୟରୁ ବର୍ତ୍ତିଯିବା ପାଇଁ ଲାଗିପଡନ୍ତି”

Posted On: 15 APR 2022 2:04PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୃଶ୍ୟଶ୍ରାବ୍ୟ ସମ୍ମିଳନୀ ଜରିଆରେ ଆଜି ଗୁଜରାଟର ଭୁଜଠାରେ କେକେ ପଟେଲ ସୁପର ସ୍ପେଶିଆଲିଟି ହସ୍‌ପିଟାଲକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଭୁଜ୍‌ର କୁଚିଲିଭା ପଟେଲ ସମାଜ ଦ୍ୱାରା ଏହି ହସ୍‌ପିଟାଲ ନିର୍ମାଣ କରାଯାଇଛି । ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଭୁଜ ଓ କଚ୍ଛର ଜନସାଧାରଣ ଭୂମିକମ୍ପର ଧ୍ୱଂସଲୀଳାକୁ ପଛରେ ପକାଇ କଠିନ ପରିଶ୍ରମ ବଳରେ ନିଜ ଅଂଚଳର ଭାଗ୍ୟର ନୂତନ ପୃଷ୍ଠା ଲେଖିଥିବାରୁ ତାହାର ପ୍ରଶଂସା କରିଥିଲେ । ଆଜି ଅନେକ ଆଧୁନିକ ଡାକ୍ତରୀ ଚିକିତ୍ସା ସୁବିଧା ଏହି ଅଞ୍ଚଳରେ ଉପଲବ୍ଧ । ଏହାର ପରିଣାମ ସ୍ୱରୂପ ଆଜି ଭୁଜ୍‌ରେ ଅତ୍ୟାଧୁନିକ ସୁପର ସ୍ପେସିଆଲିଟି ହସ୍‌ପିଟାଲ ସ୍ଥାପିତ ହୋଇଛିବୋଲି ସେ କହିଥିଲେ ।

ଏହା ସେହି ଅଞ୍ଚଳରେ ପ୍ରଥମ ଦାତବ୍ୟ ସୁପରସ୍ପେସିଆଲଟି ହସ୍‌ପିଟାଲ ଯାହା କଚ୍ଛ ଅଞ୍ଚଳବାସୀଙ୍କ ସମେତ ଲକ୍ଷ୍ ଲକ୍ଷ ସୈନିକ, ଅର୍ଦ୍ଧ ସାମରିକ କର୍ମଚାରୀ, ବ୍ୟବସାୟୀ ଇତ୍ୟାଦିଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ଗ୍ୟାରେଂଟି ଦେବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରି କହିଥିଲେ ଯେ ଉନ୍ନତ ସ୍ୱାସ୍ଥ୍ୟସେବା ସୁବିଧା କେବଳ ରୋଗ ଉପଚାର ପାଇଁ ନୁହେଁ, ତାହା ସାମାଜିକ ନ୍ୟାୟକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ । ଯେତେବେଳେ ଶସ୍ତା ଓ ଉତ୍କୃଷ୍ଟ ଉପଚାର ଗରିବକୁ ଉପଲବ୍ଧ ହୁଏ ତାର ବ୍ୟବସ୍ଥା ପ୍ରତି ବିଶ୍ୱାସ ମଧ୍ୟ ସୁଦୃଢ ହୋଇଥାଏ । ସେମାନେ ଚିକିତ୍ସା ପାଇଁ ଖର୍ଚ୍ଚରୁ ମୁକ୍ତି ପାଇଲେ ଅଧିକ ସଂକଳ୍ପ ଓ ପରିଶ୍ରମ ବଳରେ ଦାରିଦ୍ର‌୍ୟର ତାଡନାରୁ ମଧ୍ୟ ମୁକ୍ତି ପାଇଥାନ୍ତିବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବିଗତ ବର୍ଷଗୁଡିକରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା ସମସ୍ତ ଯୋଜନା ଏହି ଚିନ୍ତାଧାରାକୁ ଆଖି ଆଗରେ ରଖି ତ୍ୱରାନ୍ୱିତ କରାଯାଇଛି ।

ଜନ ଔଷଧୀ ଯୋଜନାରେ ଆୟୁଷ୍ମାନ ଭାରତ ଯୋଜନା ପ୍ରତିବର୍ଷ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀୟ ଲୋକମାନଙ୍କ ଲକ୍ଷ ଲକ୍ଷ କୋଟି ଟଙ୍କା ବଂଚାଇବାରେ ସହାୟକ ହୋଇଛି । ସ୍ୱାସ୍ଥ୍ୟ  ସୁଧାରକେନ୍ଦ୍ର ଏବଂ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଯୋଜନା ସମସ୍ତଙ୍କୁ ଉପଚାର ସୁବିଧା ଯୋଗାଇବାରେ ବେଶ ସାହାଯ୍ୟ କରିଛି । 

ଆୟୁଷ୍ମାନ ଭାରତ ଡିଜିଟାଲ ସ୍ୱାସ୍ଥ୍ୟମିଶନ ରୋଗୀମାନଙ୍କୁ ଚିକିତ୍ସା ସୁବିଧା ସମ୍ପ୍ରସାରିତ କରୁଛି । ଆଧୁନିକ ଓ ଜଟିଳ ସ୍ୱାସ୍ଥ୍ୟଯତ୍ନ ଭିତ୍ତିଭୂମି ଆୟୁଷ୍ମାନ ସ୍ୱାସ୍ଥ୍ୟ ଭିତ୍ତିଭୂମି ଅଭିଯାନ ଜରିଆରେ ଜିଲ୍ଲାସ୍ତରରେ ଆରମ୍ଭ କରାଯାଇ ଏବେ ବ୍ଲକ ସ୍ତରରେ ତ୍ୱରାନ୍ୱିତ ହେଉଛି । ପ୍ରତ୍ୟେକ ଜିଲ୍ଲାରେ ହସପିଟାଲ ମାନ ନିର୍ମିତ ହେଉଛି । ମେଡିକାଲ କଲେଜ ମାନ ସମ୍ପ୍ରସାରଣ ହେଉଛି ଓ ଦେଶ ଆଗାମୀ ଦଶବର୍ଷ ମଧ୍ୟରେ ରେକର୍ଡ ସଂଖ୍ୟକ ଡାକ୍ତର ପାଇବାର ସମ୍ଭାବନା ମଧ୍ୟ ରହିଛି ।

ଗୁଜରାଟୀରେ ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ପରିସ୍ଥିତି ଉପୁଜିଛି ଯେ ମୁଁ କଚ୍ଛକୁ ଛାଡି ପାରିବ ନାହିଁ କି କଚ୍ଛ ମତେ ।ସେ ଗୁଜରାଟରେ ନିକଟରେ ଡାକ୍ତରୀ ଶିକ୍ଷାର ସମ୍ପ୍ରସାରଣ ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ ଆଜି ନଅଟି ଏମ୍ସ, ତିନି ଡଜନରୁ ଅଧିକ ମେଡିକାଲ କଲେଜ ଯାହାକି ଆଗଠାରୁ ନଅଟି ଅଧିକ ହୋଇଛି । ମେଡିକାଲ ସିଟ୍ ୧୧୦୦ରୁ ଛଅହଜାରକୁ ବୃଦ୍ଧି ପାଇଛି । ରାଜକୋଟ ଏମ୍ସ କାର୍ଯ୍ୟକ୍ଷମ ହୋଇଛି । ଅହମ୍ମଦାବାଦର ସିଭିଲ ହସ୍‌ପିଟାଲରେ ମାଆ ଓ ଶିଶୁ ସ୍ୱାସ୍ଥ୍ୟ ଯତ୍ନ ନିମନ୍ତେ ୧୫୦୦ସିଟ୍‌ର ଭିତ୍ତିଭୂମି ସୃଷ୍ଟି କରାଯାଇଛି । ହୃଦରୋଗ ଓ ଡାଏଲେସିସ୍ ପାଇଁ ସୁବିଧା ଅଧିକ କରାଯାଇଛି ।

ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ପ୍ରତିଷେଧକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଆରୋପ କରିବା ସହ ସ୍ୱଚ୍ଛତା, ବ୍ୟାୟାମ ଓ ଯୋଗ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ । ସେ ମଧ୍ୟ ଉତ୍ତମ ଖାଦ୍ୟ, ସ୍ୱଚ୍ଛ ଜଳ ଓ ପୌଷ୍ଟିକତାର ଗୁରୁତ୍ୱ ଉପରେ ବୁଝାଇଥିଲେ । କଚ୍ଛ ଅଞ୍ଚଳରେ ଯୋଗଦିବସକୁ ବିଶେଷଭାବେ ପାଳନ କରିବାକୁ ସେ  ପରାମର୍ଶ ଦେଇଥିଲେ । ସେ ମଧ୍ୟ ପଟେଲ ସମ୍ପ୍ରଦାୟକୁ ବିଦେଶରେ କଚ୍ଛ ଉତ୍ସବ ଆୟୋଜନ କରି ଅଧିକରୁ ଅଧିକ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବାକୁ ପରାମର୍ଶ ଦେଇଥିଲେ । ସେ ମଧ୍ୟ ପ୍ରତି ଜିଲ୍ଲାରେ ୭୫ଟି ଅମୃତ ସରୋବର ସୃଷ୍ଟି ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

 

*****





SM / SLP


(Release ID: 1817151) Visitor Counter : 188