ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ-ଅଷ୍ଟ୍ରେଲିଆ ଆଭାସୀ ଶିଖର ବୈଠକର ମିଳିତ ବିବୃତ୍ତି

Posted On: 21 MAR 2022 7:00PM by PIB Bhubaneshwar

 ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଶ୍ରୀ ସ୍କଟ୍ ମୋରିସନଙ୍କ ମଧ୍ୟରେ ଗତକାଲି (ମାର୍ଚ୍ଚ୨୧) ଆଭାସୀ ବ୍ୟବସ୍ଥାରେ ଦ୍ୱିତୀୟ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

୨) ଆଲୋଚନା ଅବସରରେ ଦୁଇ ନେତା ଭାରତ-ଅଷ୍ଟ୍ରେଲିଆ ପୂର୍ଣ୍ଣାଙ୍ଗ ରଣକୌଶଳାତ୍ମକ ଭାଗିଦାରୀ(ସିଏସପି)କୁ ଅଧିକ ନିବିଡ ଓ ମଜବୁତ କରିବାକୁ ପୁନର୍ବାର ଘୋଷଣା କରିଥିଲେ । ରାଜନୀତିକ, ନିରାପତ୍ତା, ସାଇବର, ଟେକ୍‌ନୋଲୋଜି ଓ ପ୍ରତିରକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ପ୍ରଗତି ଏବଂ ନିବିଡତାକୁ ଉଭୟ ସ୍ୱାଗତ କରିବା ସହିତ ଏହି ଦ୍ୱିପାକ୍ଷିକ ସମ୍ପର୍କ ଦୃଢବିଶ୍ୱାସ, ବୁଝାମଣା, ସାଧାରଣ ସ୍ୱାର୍ଥ ଏବଂ ଗଣତନ୍ତ୍ର ଓ ଆଇନର ଶାସନର ମଜବୁତ୍ ଆଧାରଶୀଳା ଉପରେ ପ୍ରତିଷ୍ଠିତ ବୋଲି ମତପ୍ରକାଶ କରିଥିଲେ । ଏହି ନିବିଡ ସମ୍ପର୍କକୁ ଆଗକୁ ବଢାଇବା ପାଇଁ ପ୍ରତିବର୍ଷ ବାର୍ଷିକ ଶିଖର ସମ୍ମିଳନୀ ଆୟୋଜିତ ହେବ ବୋଲି ଉଭୟ କହିଛନ୍ତି ।

୩) ୨୦୨୩ ରେ ଭାରତ ଜି-୨୦ର ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ ଥିବାରୁ ଉଭୟ ନେତା ଏଥିପାଇଁ ବିଶେଷ ଉତ୍ସାହ ପ୍ରକାଶ କରିବା ସହିତ ଆନ୍ତର୍ଜାତିକ ସ୍ୱାର୍ଥ ରକ୍ଷା ଓ ପ୍ରମୁଖ ସମସ୍ୟାବଳୀର ସମାଧାନ ପାଇଁ ଦୁଇ ଦେଶ ମିଳିତଭାବେ କାମ କରିବାକୁ   ସେମାନଙ୍କର ସଂକଳ୍ପ ଦୋହରାଇଥିଲେ ।

ଅର୍ଥନୀତିକ ଓ ବାଣିଜ୍ୟ ସହଯୋଗ

୪) ସିଏସ୍‌ପି ମାଧ୍ୟମରେ ଅର୍ଥନୀତିକ ସହଯୋଗକୁ ଅଧିକ ନିବିଡ କରିବାକୁ ଦୁଇ ନେତା ସେମାନଙ୍କର ଅଙ୍ଗୀକାର ପ୍ରକାଶ କରିଛନ୍ତି । ଏଥିରେ ଅଷ୍ଟ୍ରେଲିଆ-ଭାରତ ବ୍ୟବସାୟ ଆଦାନପ୍ରଦାନକୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଛି । ଅଷ୍ଟ୍ରେଲିଆ-ଭାରତ ଇନ୍‌ଫ୍ରାଷ୍ଟ୍ରକଚର ଫୋରମ୍ ଗଠିତ ହୋଇ କାର୍ଯ୍ୟ ଆରମ୍ଭ କରିଥିବାରୁ  ପ୍ରଧାନମନ୍ତ୍ରୀ ମୋରିସନ୍ ସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଅଷ୍ଟ୍ରେଲିଆ ଖୁବ୍ ଶୀଘ୍ର ବେଙ୍ଗାଲୁରୁରେ ତାହାର କନ୍‌ସୁଲେଟ-ଜେନେରାଲ ଦପ୍ତର(ବାଣିଜ୍ୟ ଦୂତାବାସ) ଖୋଲିବ । ଏହାଛଡା ସେ ମଧ୍ୟ ଦ୍ୱିପାକ୍ଷିକ ବାଣିଜ୍ୟକୁ ବଢାଇବାକୁ ଘୋଷଣା କରିବା ସହିତ ଇନୋଭେସନ, ମାନନିର୍ଦ୍ଧାରଣ, ଭବିଷ୍ୟତର ଦକ୍ଷତା ନିର୍ମାଣ ଆଦି କ୍ଷେତ୍ରରେ ଭାରତ ସହିତ ମିଳିମିଶି ଅଷ୍ଟ୍ରେଲିଆ କାମ କରିବା କଥ।। ସୂଚାଇଛନ୍ତି । ଏହିସବୁ କାମ ଅଷ୍ଟ୍ରେଲିଆ-ଇଣ୍ଡିଆ ଇନୋଭେସନ ନେଟୱାର୍କ ମାଧ୍ୟମରେ କରାଯିବ ।

୫) ପୂର୍ଣ୍ଣାଙ୍ଗ ଅର୍ଥନୀତିକ ସହଯୋଗ ଚୁକ୍ତି(ସିଇସିଏ) କଥାବାର୍ତ୍ତାରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଥିବାରୁ ଉଭୟ ପକ୍ଷ ବିଭିନ୍ନ ପ୍ରସଙ୍ଗ ଉପରେ ସମାନ ଦୃଷ୍ଟିକୋଣ ଓ ଆଭିମୁଖ୍ୟ ପ୍ରକାଶ କରୁଥିବାରୁ ଦୁଇ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତି କରିବା ସହିତ କହିଛନ୍ତି ଯେ ଏହି ଚୁକ୍ତି ଖୁବ୍ ଶୀଘ୍ର ଚୂଡାନ୍ତ ହେବାକୁ ଯାଉଛି । ଅତିଶୀଘ୍ର ଏକ ମଧ୍ୟବର୍ତ୍ତୀକାଳୀନ ସିଇସିଏ ମାଧ୍ୟମରେ କାମ ଆରମ୍ଭ କରି ବର୍ଷ ଶେଷ ସୁଦ୍ଧା ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦିଆଯିବା ଘେନି ଉଭୟ ନେତା ସୂଚନା ଦେଇଛନ୍ତି । ଏହା ଫଳରେ ଦୁଇଦେଶ ମଧ୍ୟରେ ବାଣିଜ୍ୟ ଓ ନିବେଶ ସମ୍ପର୍କ ଅଧିକ ନିବିଡ ହେବ ବୋଲି ଉଭୟ କହିଛନ୍ତି । ପର୍ଯ୍ୟଟନ ସହଯୋଗ ସଂକ୍ରାନ୍ତ ଭାରତ-ଅଷ୍ଟ୍ରେଲିଆ  ବୁଝାମଣାପତ୍ରର ନବୀକରଣକୁ ଦୁହେଁ ସ୍ୱାଗତ କରିଛନ୍ତି ।

୬) ଭାରତ-ଅଷ୍ଟ୍ରେଲିଆ ଦ୍ୱୈତ ଟିକସ ଉଚ୍ଛେଦ ଚୁକ୍ତି (ଡିଟିଏଏ) ମାଧ୍ୟମରେ ଭାରତୀୟ କମ୍ପାନୀଗୁଡିକର ଦରିଆପାରି ଆୟ ଉପରେ ଲାଗୁ ହେଉଥିବା ଟିକସ ସମସ୍ୟାର ଶୀଘ୍ର ସମାଧାନ ଘେନି ଦୁଇ ନେତା ଗୁରୁତ୍ୱ ଆରୋପ କରିଥିଲେ ।

୭) ଦୁଇ ନେତା ମୁକ୍ତ, ଅବାଧ, ନ୍ୟାୟୋଚିତ, ଆଇନସିଦ୍ଧ ଏବଂ ସମାବେଶୀ ବାଣିଜ୍ୟ ପରିବେଶ ନିର୍ମାଣ ଉପରେ ଜୋର ଦେଇଛନ୍ତି । ବିଶ୍ୱବାଣିଜ୍ୟ ସଂଗଠନ ମାଧ୍ୟମରେ ବହୁପାକ୍ଷିକ ବାଣିଜ୍ୟ କାରବାରକୁ ଦୃଢ କରିବାକୁ ଉଭୟ ସମ୍ମତ ହୋଇଛନ୍ତି । ଆସନ୍ତା ଜୁନ୧୫ତାରିଖରେ ହେବାକୁ ଥିବା ଏମ୍‌ସିି-୧୨ ବୈଠକ ଘେନି ଦୁହେଁ ବିଶେଷ ଆଶାବାଦୀ ଅଛନ୍ତି । ବିଶ୍ୱସ୍ତରରେ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ଏହା ଯେପରି ବ୍ୟାହତ ନ ହୁଏ ସେଥିପାଇଁ ମିଳିତଭାବେ କାମ କରିବାକୁ ଉଭୟ ରାଜି ହୋଇଛନ୍ତି ।

ଜଳବାୟୁ, ଊର୍ଜା, ବିଜ୍ଞାନ, ପ୍ରଯୁକ୍ତି ଓ ଗବେଷଣା ସହଯୋଗ

୮) ଦୁଇ ଦେଶ ଦ୍ୱିପାକ୍ଷିକ ବିଜ୍ଞାନ ଓ ପ୍ରଯୁକ୍ତି ସହଯୋଗିତାର ଗୁରୁତ୍ୱ ଓ ଉପଲବ୍ଧିକୁ ସ୍ୱୀକାର କରିଛନ୍ତି । ଅଷ୍ଟ୍ରେଲିଆ-ଭାରତ ଷ୍ଟ୍ରଟେଜିକ୍ ରିସର୍ଚ୍ଚ ଫଣ୍ଡ(ଏଆଇଏସ୍‌ଆର୍‌ଏଫ୍‌)ର ସମ୍ପ୍ରସାରଣକୁ ୍‌ଦୁଇ ପ୍ରଧାନମନ୍ତ୍ରୀ ସ୍ୱାଗତ କରିବା ସହିତ କହିଛନ୍ତି ଯେ ଏହା ଦ୍ୱାରା ଦୁଇ ଦେଶ ଉପକୃତ ହେବେ । ୨୦୨୧ରେ ଭାରତ-ଅଷ୍ଟ୍ରେଲିଆ ସର୍କୁଲାର ଇକନୋମିି ହ୍ୟାକାଥନର ସଫଳ ଆୟୋଜନକୁ ଏକ ମିଳିତ ଉଦ୍ୟମର ଫଳ ବୋଲି କହିଛନ୍ତି ।

୯) ଅଙ୍ଗାରକାମ୍ଳ ହ୍ରାସ କରିବା, ଜଳବାୟୁ ପରିବର୍ତ୍ତନର ମୁକାବିଲା, ଊର୍ଜା ନିରାପତ୍ତା, ନିଯୁକ୍ତି ସୃଷ୍ଟି, କ୍ୱାଡ୍ ମାଧ୍ୟମରେ ଆନ୍ତର୍ଜାତିକ ସହଯୋଗ ପ୍ରତିଷ୍ଠା, ଜି ୨୦, ୟୁଏନ୍‌ଏଫ୍‌ସିସିସି ଓ ଆନ୍ତର୍ଜାତିକ ସୋଲାର ଆଲାଏନ୍ସ ଆଦି ପ୍ରସଙ୍ଗରେ ଉଭୟ ଦେଶ ଗ୍ରହଣ କରୁଥିବା ଆପଣାର ଭୂମିକା ଓ ଅଗ୍ରାଧିକାରକୁ ଗୁରୁତ୍ୱ ଦେଇଛନ୍ତି । ଦୁହେଁ କହିଛନ୍ତି ଯେ ଖାଦ୍ୟ ଉତ୍ପାଦନ ଓ ଭୋଜନ ମଧ୍ୟରେ ନିରନ୍ତରତା ରହିବା ଉଚିତ ।  ସମସ୍ତଙ୍କୁ ଆବଶ୍ୟକ ପରିମାଣର ଖାଦ୍ୟ ଯେପରି ମିଳିବ ତାହା ସୁନିଶ୍ଚିତ ହେବା ଆବଶ୍ୟକ । ସର୍କ୍ୟୁଲାର ଇକୋନମୀ ବା ବୃତ୍ତାକାର ଅର୍ଥନୀତିର ଅର୍ଥ ହେଲା ଉତ୍ପାଦିତ ସାମଗ୍ରୀର ପୁନଃ ବ୍ୟବହାର କରିବା ପାଇଁ ବଜାର ପ୍ରୋତ୍ସାହନ ଯୋଗାଣ । ଏହି ଅର୍ଥନୀତିର ସଫଳ ପ୍ରୟୋଗ ଦ୍ୱାରା ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ସମାଧାନ କରାଯାଇପାରିବ । ତେଣୁ ବୁଝି ବିଚାରି ଉତ୍ପାଦନ ଓ ଉପଭୋଗ କରିବା ସହିତ ସାଧାସିଧା ଜୀବନଯାବନ ତଥା ଅପଚୟ ହ୍ରାସ ଉପରେ ଦୁଇ ନେତା ଗୁରୁତ୍ୱାରୋପ କରିଛନ୍ତି । ଏଥିପାଇଁ ବିଶ୍ୱବ୍ୟାପୀ ଜନ ଆନ୍ଦୋଳନ ସୃଷ୍ଟି କରିବାକୁ ପ୍ରଧାମନ୍ତ୍ରୀ ଶ୍ରୀ ମୋଦୀ ଏହି ଅବସରରେ ଆହ୍ୱାନ ଜଣାଇଛନ୍ତି ।

୧୦) ୨୦୨୨ ଫେବୃୟାରୀ ୧୫ରେ ଦୁଇଦେଶର ଶକ୍ତିମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଚତୁର୍ଥ ଭାରତ-ଅଷ୍ଟ୍ରେଲିଆ ଊର୍ଜା କଥାବର୍ତ୍ତାକୁ ଦୁଇ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି । ଉଭୟ କହିଛନ୍ତି ଯେ ଏହି ଆଲୋଚନା ଊର୍ଜା କ୍ଷେତ୍ରରେ ସହଯୋଗକୁ ନିବିଡ କରିବ । ଦୁଇଦେଶ ମଧ୍ୟରେ ସ୍ୱାକ୍ଷରିତ ନୂତନ ଓ ଅକ୍ଷୟଶକ୍ତି ଟେକ୍ନେଲୋଜି ବୁଝାମଣାକୁ  ଉଭୟ ସ୍ୱାଗତ କରିଛନ୍ତି । ଏହା ପ୍ରଦୂଷଣମୁକ୍ତ ବା ଅତି ସ୍ୱଳ୍ପ ପ୍ରଦୂଷଣ ସୃଷ୍ଟିକାରୀ ଟେକ୍‌ନୋଲେଜିକୁ ଶସ୍ତାରେ ତିଆରି କରିବାକୁ ସହାୟକ ହେବ । ମିଶନ ଇନୋଭେସନ ମାଧ୍ୟମରେ ଦୁଇଦେଶ ସ୍ୱଚ୍ଛ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗକୁ ଆହୁରି ନିବିଡ କରିବାକୁ ଦୁଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଆନ୍ତର୍ଜାତିକ ଊର୍ଜା ସଂସ୍ଥାର ଆଗାମୀ ମନ୍ତ୍ରିସ୍ତରୀୟ ବୈଠକରେ ବହୁପାକ୍ଷିକ ସହଯୋଗ ଓ ନିବିଡତା ବିଭିନ୍ନ ରାଷ୍ଟ୍ରଙ୍କ ମଧ୍ୟରେ ପ୍ରକାଶ ପାଇବା ଘେନି ଉଭୟ ଆଶାପ୍ରକାଶ କରିଛନ୍ତି । ଭାରତକୁ ଆନ୍ତର୍ଜାତିକ ଊର୍ଜା ସଂସ୍ଥାର ସଦସ୍ୟତା ପ୍ରଦାନ ଓ ଏହାର ସ୍ୱଚ୍ଛଇନ୍ଧନ କାର୍ଯ୍ୟକ୍ରମକୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି । ସେହିଭଳି ସ୍ୱଚ୍ଛ ଇନ୍ଧନ କ୍ଷେତ୍ରରେ କାମ କରିବାକୁ ଅଷ୍ଟ୍ରେଲିଆ ଆନ୍ତର୍ଜାତିକ ଊର୍ଜା ସଂସ୍ଥାକୁ ୨ନିୟୁତ ଡଲାର ସହାୟତା ଯୋଗାଇଥିବାରୁ ଭାରତ ତାହାକୁ ସ୍ୱାଗତ କରିଛି । ଭାରତ-ପ୍ରଶାନ୍ତ ମହାସାଗର  ଇଲାକାରେ ସ୍ୱଚ୍ଛ ଇନ୍ଧନ ଯୋଗାଣ ନେଇ ଆସନ୍ତା ଜୁଲାଇ ମାସରେ ସିଡ୍‌ନୀ ଏନର୍ଜୀ ଫୋରମର ଯେଉଁ ବୈଠକ ବସୁଛି ସେଥିରେ ଭାରତର ଅଂଶ ଗ୍ରହଣ ନେଇ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ବିଶେଷ ଆଶାବାଦୀ ।

୧୧) ଦୁଇ ଦେଶ ମତ ଦେଇଛନ୍ତି ଯେ କମ୍ ଅଙ୍ଗାରକାମ୍ଳ ନିର୍ଗମନ ପାଇଁ ଉପଯୁକ୍ତ ଟେକ୍‌ନୋଲୋଜି ଓ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଆବଶ୍ୟକତା ରହିଛି । ଏହା ସବୁ ଦେଶକୁ ସମାନ ଭାବେ ନ ମିଳିଲେ ସ୍ୱଚ୍ଛ ଓ ପ୍ରଦୂଷଣମୁକ୍ତ ଇନ୍ଧନ ଉତ୍ପାଦନ ଓ ବ୍ୟବାହର ସମ୍ଭବ ନୁହେଁ । ଏଥିପାଇଁ ଯୋଗାଣ ବ୍ୟବସ୍ଥାକୁ ସୁସଂହତ କରିବାକୁ ପଡିବ । ଏଥିନିମନ୍ତେ ସହଯୋଗ କରିବାକୁ ଉଭୟ ନେତା ରାଜି ହୋଇଛନ୍ତି । ଭାରତ-ଅଷ୍ଟ୍ରେଲିଆ ଯୁଗ୍ମ ବୈଷୟିକ ଗୋଷ୍ଠୀର କାମ  ଘେନି ଉଭୟ ସନ୍ତୋଷ ପ୍ରକାଶ କରିଛନ୍ତି । ଏହାଫଳରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ବୈଷୟିକ ବିନିମୟ, ଗବେଷଣା, ବିଜ୍ଞାନ ଓ ପ୍ରଯୁକ୍ତିର ଆଦାନପ୍ରଦାନ ସହଜ ହୋଇଛି । ଏହା ମଧ୍ୟ  ଦ୍ୱିପାକ୍ଷିକ ପୁଞ୍ଜିନିବେଶ ବୃଦ୍ଧିରେ ଉଲ୍ଲେଖନୀୟ ଅବଦାନ ରଖିଛି । ଭାରତର କାବିଲ ସଂସ୍ଥା ଓ ଅଷ୍ଟ୍ରେଲିଆର ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ଯୋଗାଣ ଦପ୍ତର ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତିକୁ ଦୁଇ ପ୍ରଧାନମନ୍ତ୍ରୀ ମଧ୍ୟ ସ୍ୱାଗତ କରିଛନ୍ତି।

୧୨) ଦୁଇଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ସାଇବର ଫେମ୍‌ୱାର୍କ କଥାବାର୍ତ୍ତାକୁ ଉଭୟ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି । ୨୦୨୨ ଫେବୃୟାରୀ ୧୨ତାରିଖରେ ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଓ ତାଙ୍କ ଅଷ୍ଟ୍ରେଲିଆ ପ୍ରତିପକ୍ଷ ପାଏନଙ୍କ ମଧ୍ୟରେ ଏହି କଥାବାର୍ତ୍ତା ହୋଇଥିଲା । ଏଥିରେ ସାଇବର ନିରାପତ୍ତା, ସାଇବର ଅପରାଧ, ଡିଜିଟାଲ ଅର୍ଥନୀତି, ନୂଆ ଓ ଗୁରୁତ୍ୱପୂର୍ଣ୍ଣ ଟେକ୍ନୋଲୋଜି ଉପରେ ଦୁଇପକ୍ଷ ଆଲୋଚନା କରିଥିଲେ । ଦୁଇ ନେତା କହିଛନ୍ତି ଯେ ସମଗ୍ର ମାନବ ଜାତିର କଲ୍ୟାଣ କଳ୍ପେ ଟେକ୍‌ନୋଲୋଜିର ଡିଜାଇନ ଓ ନିର୍ମାଣ କରାଯିବା ଉଚିତ । ସାଇବର ଟେକ୍ନେଲୋଜିକୁ ନିରାପଦ, ମୁକ୍ତ, ଅବାଧ,ଗ୍ରହଣଯୋଗ୍ୟ, ସ୍ଥିର, ଶାନ୍ତିପୂର୍ଣ୍ଣ ଓ ଆନ୍ତଃ ସ୍ଥାନାନ୍ତରଣ କରିବା ଉଚିତ ।  ଏହାକୁ ଆନ୍ତର୍ଜାତିକ ଆଇନ  ଅନୁଯାୟୀ କରାଯିବା ଉଚିତ ବୋଲି ଉଭୟ କହିଛନ୍ତି । କୌଣସି ପରିସ୍ଥିତିରେ ଏହି ସାଇବର ଟେକ୍ନୋଲୋଜି ଆନ୍ତର୍ଜାତିକ ଶାନ୍ତି ଓ ସ୍ଥିରତାକୁ ଯେପରି ବିପନ୍ନ ନ କରେ ସେଥିପ୍ରତି ସତର୍କ ରହିବାକୁ ଉଭୟ ମତ ଦେଇଛନ୍ତି । ଉଭୟ କହିଛନ୍ତି ଯେ ସାଇବର ସ୍ପେସ୍ କ୍ଷେତ୍ରରେ ମିଳିତ ଜାତିସଂଘ ସମେତ ସବୁ ଆନ୍ତଜାତିକ ସଂସ୍ଥା ଓ ଦେଶ ସମୂହ ମିଳିତଭାବେ ବୈଶ୍ୱିକ ମାନ ଓ ନୀତିନିୟମ ନିର୍ଦ୍ଧାରଣ କରିବା ଉଚିତ ।

୧୩) ଦୁଇ ନେତା ଗୁରୁତ୍ୱପୂର୍ଣ୍ଣ ଓ ନବ ନିର୍ମିତ ଟେକ୍ନନୋଲୋଜି କ୍ଷେତ୍ରରେ ନିବିଡ ସହଯୋଗ ଉପରେ ଗୁରୁତ୍ୱାଆରୋପ କରିଛନ୍ତି । ଆହୁରି ମଧ୍ୟ ଏହି ଟେକ୍‌ନୋଲୋଜିର ଯୋଗାଣ ବ୍ୟବସ୍ଥା ବିଶ୍ୱସନୀୟ ଓ ବିବିଧ ହେବା ଉପରେ ସେମାନେ ଜୋର ଦେଇଛନ୍ତି । ବେଙ୍ଗାଲୁରୁରେ ଗୁରୁତ୍ୱପୂର୍ଣ୍ଣ ଓ ନବନିର୍ମିତ ଟେକ୍‌ନୋଲୋଜି ନୀତିର ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଦୁଇପକ୍ଷ ମଧ୍ୟରେ ହୋଇଥିବା ଚୁକ୍ତିକୁ ଉଭୟ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି ।

୧୪) ମହାକାଶ ଗବେଷଣା କ୍ଷେତ୍ରରେ ଦୁଇଦେଶର ସହଯୋଗ ଘେନି ଦୁଇ ନେତା ସନ୍ତୋଷ ପ୍ରକାଶ କରିଛନ୍ତି । ଭାରତର ଗଗନଯାନ ମହାକାଶ କାର୍ଯ୍ୟକ୍ରମକୁ ଅଷ୍ଟ୍ରେଲିଆ ସମର୍ଥନ କରୁଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଧନ୍ୟବାଦ ଜଣାଇଛନ୍ତି । ଦ୍ୱିପାକ୍ଷିକ ମହାକାଶ ସହଯୋଗକୁ ବଢାଇବାକୁ ଦୁଇ ଦେଶ ରାଜି ହୋଇଛନ୍ତି ।

ଭାରତର ମହାକାଶ କ୍ଷେତ୍ରରେ ଅଣାଯାଇଥିବା ସଂସ୍କାରକୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଶ୍ରୀ ମୋରିସନ ସ୍ୱାଗତ କରିବା ସହିତ ତାଙ୍କ ଦେଶର ମହାକାଶ ସଂସ୍ଥା ଆନ୍ତର୍ଜାତିକ ମହାକାଶ ନିବେଶ ପ୍ରୟାସରେ ଭାରତ ପାଇଁ ଏକ ସ୍ୱତନ୍ତ୍ର ବିଭାଗ ଖୋଲିବାକୁ ଘୋଷଣା କରିଛନ୍ତି ।

ଲୋକ-ଲୋକ ସମ୍ପର୍କ

୧୫) ଦୁଇ ଦେଶର ଜନତାଙ୍କ ମଧ୍ୟରେ ସିଧାସଳଖ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ ବୃଦ୍ଧି ଉପରେ ଉଭୟ ନେତା ଗୁରୁତ୍ୱ ଆରୋପ କରିଛନ୍ତି । ଶ୍ରୀ ମୋରିସନ କହିଛନ୍ତି ଯେ ଦୁଇଦେଶର ଲୋକ ସ୍ତରୀୟ ସମ୍ପର୍କ ବୃଦ୍ଧି ପାଇଁ ଅଷ୍ଟ୍ରେଲିଆରେ ଏକ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏହାବ୍ୟତୀତ ନୂଆ ମୈତ୍ରୀ ବୃତ୍ତି କାର୍ଯକ୍ରମରେ ମୈତ୍ରୀ  ଅନୁଦାନ ଓ ଫେଲୋସିପ୍ କାର୍ଯ୍ୟକ୍ରମ ତଥା ଅଷ୍ଟ୍ରେଲିଆ -ଭାରତ ମୈତ୍ରୀ ସାଂସ୍କୃତିକ ଅଂଶୀଦାରୀ ଆଗକୁ ବଢିବ ।  ଦୁଇ ଦେଶ ମଧ୍ୟ ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ମାଇଗ୍ରେସନ ଓ ମବିଲିଟି(ଦେଶାଟନ ଓ ଗମନାଗମନ) ବୁଝାମଣାପତ୍ରକୁ ସ୍ୱାଗତ କରିଛନ୍ତି । ଏହାଫଳରେ ଦୁଇ ଦେଶର ଜନତା, ବିଦ୍ୟାର୍ଥୀ ଓ ବୃତ୍ତିଧାରୀମାନେ ଉଭୟ ଦେଶକୁ ସହଜରେ ଆତଯାତ କରିପାରିବେ । ଅଷ୍ଟ୍ରେଲିଆ ସରକାର ଭାରତକୁ ୨୯ଟି କଳାକୃତି ଫେରାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ନିଷ୍ପତିକୁ ସ୍ୱାଗତ କରିଛନ୍ତି । ଏହାଛଡା ଭାରତର ପ୍ରସାର ଭାରତୀ ଅଷ୍ଟ୍ରେଲିଆ  ଏମ୍‌ବିଏସ୍ ସଂସ୍ଥା ସହିତ ସ୍ୱାକ୍ଷରିତ କରିଥିବା ପ୍ରସାରଣ ଚୁକ୍ତି  ଘେନି ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଛନ୍ତି ।

୧୬) ଲିଙ୍ଗଗତ ସମାନତା  ପ୍ରତିଷ୍ଠା କ୍ଷେତ୍ରରେ ଦୁଇଦେଶର  କାମକୁ ଦୁଇ ନେତା ସ୍ୱାଗତ  କରିବା ସହିତ ଏ କ୍ଷେତ୍ରରେ ମିଳିତ ଭାବେ ଅଧିକ କାମ କରିବାକୁ ରାଜି ହୋଇଛନ୍ତି । ମହିଳା ଓ ଝିଅମାନଙ୍କୁ ସଶକ୍ତ କରିବା ସହିତ ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଓ ଗଣିତ ଭଳି କ୍ଷେତ୍ରରେ ଯେଉଁ ଲିଙ୍ଗଗତ ବ୍ୟବଧାନ ରହିଛି ତାହା ଦୂର କରିବାକୁ ଉଭୟ ନେତା ମିଳିତାଭବେ କାମ କରିବାକୁ ଦୁଇ ପ୍ରଧାନମନ୍ତ୍ରୀ ସମ୍ମତି ପ୍ରକାଶ କରିଛନ୍ତି ।

୧୭) ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ସମ୍ପର୍କ ବେଶ୍ ଲମ୍ବା । ତେବେ ଉଭୟ ଦେଶ ମଧ୍ୟରେ ଶିକ୍ଷାର ବ୍ୟବସ୍ଥା ଭିନ୍ନ ଭିନ୍ନ । ତେଣୁ ପରସ୍ପରର ଶିକ୍ଷାଗତ ଯୋଗ୍ୟତାକୁ ମାନ୍ୟତା ଦେବାକୁ ଉଭୟ ନେତା ରାଜି ହୋଇଛନ୍ତି । ଏଥିପାଇଁ ଗଠିତ ଟାସ୍କଫୋର୍ସକୁ ଉଭୟ ନେତା ସ୍ୱାଗତ କରିଛନ୍ତି । ଛମାସ ମଧ୍ୟରେ ଏହି ଟାକ୍ସଫୋର୍ସ ଉଭୟ ଦେଶର ଶିକ୍ଷାଗତ ଯୋଗ୍ୟତାକୁ ମାନ୍ୟତା ପ୍ରଦାନ ସମ୍ପର୍କରେ ଏକ ମିଳିତ ବ୍ୟବସ୍ଥା ବାହାର କରିବ । ଏହା ଫଳରେ ଉଚ୍ଚଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଉଭୟ ଦେଶର ବିଦ୍ୟାର୍ଥୀ ଉପକୃତ ହେବେ ।

କୋଭିଡ-୧୯ କ୍ଷେତ୍ରରେ ସହଯୋଗ

୧୮)କୋଭିଡ ଟିକା ନେଇଥିବା ଲୋକଙ୍କ ଭ୍ୟାକ୍ସିନେସନ ସାର୍ଟିଫିକେଟର ଇଂଟରପୋଟେବିଲିଟି ଘେନି ବିଶ୍ୱର ଯେଉଁ ସମସ୍ୟା ରହିଛି ତାହାର ଶୀଘ୍ର ସମାଧାନ ଉପରେ ଦୁଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱା ଆରୋପ କରିଛନ୍ତି । ଭାରତର ଭ୍ୟାକ୍ସିନ ମୈତ୍ରୀ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ମୋରିସନ୍ ସ୍ୱାଗତ କରିବା ସହିତ ଏହା ଦ୍ୱାରା ଭାରତ ବିଶ୍ୱସ୍ତରରେ କୋଭିଡ ଟିକାଦାନ ପ୍ରଦାନ ପ୍ରୟାସରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ବୋଲି କହିଛନ୍ତି ।

୧୯) ଉଭୟ ଦେଶ କ୍ୱାଡ୍ ଓ କୋଭାକ୍ସରେ ଦ୍ରୁତ ସହଯୋଗ ରକ୍ଷା କରି କାର୍ଯ୍ୟ କରୁଥିବା ଉଭୟ ଦେଶ କହିଛନ୍ତି । ଉତ୍ତମମାନର, ନିରାପଦ, ପ୍ରଭାବଶାଳୀ ସମୋୟଚିତ, ଅବାଧ, ସ୍ୱଳ୍ପମୂଲ୍ୟରେ କୋଭିଡ ଟିକା ଯୋଗାଣ ଉପରେ ଉଭୟ ଗୁରୁତ୍ୱ ଆରୋପ କରିଛନ୍ତି । ଏହାଛଡା ବିଶ୍ୱର ବିଭିନ୍ନ ଦେଶକୁ ଡାକ୍ତରୀ ସାମଗ୍ରୀ, ଚିକିତ୍ସା ସେବା ଯୋଗାଣ କ୍ଷେତ୍ରରେ ଉଭୟ ଦେଶ ମିଳିତ ଭାବେ କାମ କରିବାକୁ ରାଜି ହୋଇଛନ୍ତି । ଏବେ ଦୁଇଦେଶ ମିଳିତଭାବେ ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳ ବୈଶ୍ୱିକ ଅଂଶୀଦାରମାନଙ୍କୁ ଉଚ୍ଚମାନର କୋଭିଡ ଟିକା ଯୋଗାଉଛନ୍ତି । ଏହି ପ୍ର୍ରୟାସକୁ ଆହୁରି ତ୍ୱରାନ୍ୱିତ କରିବାକୁ ଉଭୟ ନେତା ରାଜି ହୋଇଛନ୍ତି ।

ନିରାପତ୍ତା ଓ ପ୍ରତିରକ୍ଷା ସହଯୋଗ

୨୦) ଦୁଇଦେଶ ନିରାପତ୍ତା ଓ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ନିବିଡଭାବେ କାର୍ଯ୍ୟ କରିବେ । ଉଭୟ ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା ବିପଦ ଓ ଆହ୍ୱାନର ଉଚିତ ମୁକାବିଲା ଉପରେ ଗୁରୁତ୍ୱଦେବା ସହିତ ଜେନେରାଲ ରାୱତ ଇଣ୍ଡିଆ-ଅଷ୍ଟ୍ରେଲିଆ ଯୁବ ପ୍ରତିରକ୍ଷା ଅଧିକାରୀ ବିନିମୟ କାର୍ଯ୍ୟକ୍ରମକୁ ସ୍ୱାଗତ କରିଛନ୍ତି । ଏହାଛଡା ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ତଥ୍ୟ ଆଦାନପ୍ରଦାନ ବ୍ୟବସ୍ଥାକୁ ଆହୁରି ନିବିଡ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଏବର୍ଷ ଶେଷ ଆଡକୁ ଅଷ୍ଟ୍ରେଲିଆରେ ଆୟୋଜିତ ଇଣ୍ଡୋ-ଫ୍ୟାସିଫିକ ଏଣ୍ଡେଭର ଏକ୍ସରସାଇଜରେ ଭାରତ ଯୋଗଦେବ ।

୨୧)ସାମୁଦ୍ରିକ ଉପକୂଳ ଓ କରିଡର ସୁରକ୍ଷା ପାଇଁ ଦୁଇଦେଶ ସେମାନଙ୍କର ସାମରିକ ସହଯୋଗକୁ ଆହୁରି ସୁଦୃୃଢ କରିବେ । ଏହାଛଡା ଦୁଇଦେଶ ଗୁରୁତ୍ୱପୂର୍ଣ୍ଣ ଆଂଚଳିକ ସାମୁଦ୍ରିକ କରିଡର ସୃଷ୍ଟି କରିବାକୁ ରାଜି ହୋଇଛନ୍ତି । ଏହା ଦ୍ୱାରା ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ଅଧିକ ଦୃଢ ହେବ ଏବଂ ଦ୍ୱିପାକ୍ଷିକ ସ୍ୱାର୍ଥ ସୁରକ୍ଷିତ ହୋଇପାରିବ ।

୨୨) ଆତଙ୍କବାଦ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏକ ବଡ ବିପଦଭାବେ ଉଭା ହୋଇଥିବାରୁ ଦୁଇ ପ୍ରଧାନମନ୍ତ୍ରୀ ଏହାର ମିଳିତ ମୁକାବିଲା ଉପରେ ଗୁରୁତ୍ୱ ଦେଇଛନ୍ତି । ଉଭୟ କହିଛନ୍ତି ଯେ  କୌଣସି ଦେଶ ଆତଙ୍କବାଦ ଓ ଆତଙ୍କବାଦୀକୁ ପ୍ରୋତ୍ସାହିତ ଯେପରି ନ କରନ୍ତି ସେଥିପାଇଁ ବିଶ୍ୱସ୍ତରରେ ବ୍ୟବସ୍ଥା ହେବା ଆବଶ୍ୟକ । ନିଜ ମାଟିକୁ କୌଣସି ଦେଶ ଆତଙ୍କବାଦୀଙ୍କ ବ୍ୟବହାର ପାଇଁ ନ ଦେବା ଉପରେ ଦୁଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏହି ଯୁଦ୍ଧ ତୁରନ୍ତ ବନ୍ଦ କରିବାକୁ ଉପରେ ଉଭୟ ଗୁରୁତ୍ୱ ଦେଇଛନ୍ତି । ଆତଙ୍କବାଦର ମୁକାବିଲା ପାଇଁ ଉଭୟ ଦେଶ ମିଳିତଭାବେ ଦ୍ୱିପାକ୍ଷିକ ସ୍ତରରେ କ୍ୱାଡ୍ ମାଧ୍ୟମରେ କାମ କରିବାକୁ ରାଜି ହୋଇଛନ୍ତି ।  

ଆଞ୍ଚଳିକ ବହୁ ଓ ବହୁପାକ୍ଷିକ ସହଯୋଗ

୨୩) ଏବେ ୟୁକ୍ରେନରେ ଯେଉଁ ସଂଘର୍ଷ ଓ ମାନବିକ ସଂକଟ ସୃଷ୍ଟି ହୋଇଛି ଏହାକୁ ନେଇ ଉଭୟ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି ଯେ ବର୍ତ୍ତମାନର ଆର୍ନ୍ତଜାତିକ ବ୍ୟବସ୍ଥା ଜାତିସଂଘ ସନନ୍ଦ ଆନ୍ତର୍ଜାତିକ ଆଇନ ଓ ସବୁ ରାଷ୍ଟ୍ରଙ୍କ ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ପ୍ରଦାନ ଆଧାରରେ ପ୍ରସ୍ତୁତ ହୋଇଛି । ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳର ସ୍ଥିତାବସ୍ଥାକୁ ବଜାୟ ରଖିବାକୁ ଉଭୟ ନେତା ମିଳିତଭାବେ କାମ କରିବାକୁ ରାଜି ହୋଇଛନ୍ତି ।

୨୪) ଭାରତ ପ୍ରଶାନ୍ତ କ୍ଷେତ୍ରରେ ଏକ ମୁକ୍ତ ଓ ନିୟମ ଆଧାରିତ ବ୍ୟବସ୍ଥା ଉପରେ ଉଭୟ ଗୁରୁତ୍ୱ ଦେଇଛନ୍ତି । ଆସିଆନକୁ ଏହାର କେନ୍ଦ୍ରରେ ରଖି ଆଞ୍ଚଳିକ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ଦୁଇନେତା ମତପ୍ରକାଶ କରିଛନ୍ତି । ସବୁ ଦେଶଙ୍କୁ ସାମରିକ, ଅର୍ଥନୀତିକ ଓ ରାଜନୀତିକ ଚାପରୁ ମୁକ୍ତି ରଖି ସେମାନଙ୍କ ଆର୍ଥିକ ସାମାଜିକ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ଉଚିତ ବୋଲି ଦୁଇ ପ୍ରଧାନମନ୍ତ୍ରୀ କହିଛନ୍ତି ।

୨୫) ଭାରତ, ଜାପାନ, ଅଷ୍ଟ୍ରେଲିଆ ଓ ଆମେରିକାର ସହଯୋଗ ଉପରେ ଦୁଇ ପ୍ରଧାନମନ୍ତ୍ରୀ ଜୋର ଦେବା ସହିତ  ଆଞ୍ଚଳିକ ସ୍ଥିରତା ଓ ସମୃଦ୍ଧି ପାଇଁ କ୍ୱାଡ ନେତାମାନଙ୍କର ଆଭାସୀ ବୈଠକକୁ ଉଭୟ ସ୍ୱାଗତ କରିଛନ୍ତି ।  ଆଗାମୀ ଦିନରେ ପ୍ରତ୍ୟକ୍ଷ ବୈଠକ ଘେନି ଦୁହେଁ ଆଶାବାଦୀ ଅଛନ୍ତି । ଇଣ୍ଡୋ-ପ୍ୟାସିଫିକ୍ ଓସେନ ଇନିସିଏଟିଭରେ ଭାରତ ଓ ଅଷ୍ଟ୍ରେଲିଆର ନିବିଡ ସମ୍ପର୍କକୁ ଉଭୟ ନେତା ସ୍ୱାଗତ କରିଛନ୍ତି ।

୨୬) ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅଷ୍ଟ୍ରେଲିଆନ-ୟୁକେ-ୟୁଏସ୍ ଅଂଶୀଦାରୀ ସମ୍ପର୍କରେ  ମୋରିସନ୍ ଦେଇଥିବା ସୂଚନାକୁ ପ୍ରଶଂସା କରିଥିଲେ । ଆହୁରି  ମଧ୍ୟ ଆଣବିକ ଅସ୍ତ୍ର ନିର୍ମାଣ ନ କରିବା ଓ ଅଣୁ ପ୍ରସାରକୁ ରୋକିବା ଘେନି ଅଷ୍ଟ୍ରେଲିଆର ନିଷ୍ପତ୍ତିକୁ ମଧ୍ୟ ଶ୍ରୀ ମୋଦୀ ସ୍ୱାଗତ କରିଛନ୍ତି ।

୨୭) ଭାରତ ମହାସାଗର ଅଞ୍ଚଳ ତଥା ଏହା ସଂଲଗ୍ନ ଦେଶ ସମୂହରେ ଭାରତ ଓ ଅଷ୍ଟ୍ରେଲିଆ ନିଜର ସହଯୋଗକୁ ସୁଦୃଢ କରିବାକୁ ରାଜି ହୋଇଛନ୍ତି । ଭାରତ ମହାସାଗର ଅଂଚଳରେ ସାମୁଦ୍ରିକ କାର୍ଯ୍ୟକଳାପ, ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି, ବାଣିଜ୍ୟ କାରବାର, ପୁଞ୍ଜିନିବେଶ ଓ ସଂଯୋଗ ସ୍ଥାପନ ଆଦି କ୍ଷେତ୍ରରେ ଅଷ୍ଟ୍ରେଲିଆର ଅଂଶଗ୍ରହଣ ବୃଦ୍ଧିକୁ ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି । ୨୮)ପ୍ରଶାନ୍ତ ମହାସାଗରୀ କ୍ଷେତ୍ରରେ ଚାଲିଥିବା ସହଯୋଗ ବିଷୟରେ ଦୁଇ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । ଉଭୟ ଦେଶ ଓ  ସେ ଅଞ୍ଚଳର ଦେଶମାନଙ୍କୁ ବିପଦରୁ ଉଦ୍ଧାର ଓ ପୁନର୍ବାସ କାମରେ ସାହାଯ୍ୟ କରୁଛନ୍ତି । ଅଗ୍ନି ଉଦ୍‌ଗୀରଣ ଓ ସୁନାମି ଜନିତ ବିପର୍ଯ୍ୟୟ ପରେ ଭାରତ ଟୋଙ୍ଗାକୁ ସାହାଯ୍ୟ ସହଯୋଗ କରିଥିବାରୁ   ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏହି କାମକୁ ସ୍ୱାଗତ କରିଛନ୍ତି । ସେହିଭଳି କିରିବିଟିକୁ କରୋନା ମୁକାବିଲାରେ ଭାରତ ସହାୟତା ସ୍ୱାଗତଯୋଗ୍ୟ ବୋଲି ସେ କହିଛନ୍ତି । ଏସବୁ ରାଷ୍ଟ୍ରକୁ ଅଷ୍ଟ୍ରେଲିଆ ମଧ୍ୟ ଉଲ୍ଲେଖନୀୟ ସାହାଯ୍ୟ ସହଯୋଗ ଯୋଗାଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।

୨୯) ଦୁଇ ନେତା ଭାରତ-ପ୍ରଶାନ୍ତ କ୍ଷେତ୍ରରେ ସବୁ ସାଗର ଓ ମହାସାଗରରେ ସମସ୍ତଙ୍କୁ ସମାନ ଅଧିକାର ଓ ସ୍ୱାଧୀନତା ପ୍ରଦାନ ଉପରେ ଗୁରୁତ୍ୱ ଦେଇଛନ୍ତି । ଏହା ଜାତିସଂଘ ସନନ୍ଦ, ଆନ୍ତର୍ଜାତିକ ଆଇନ, ସମୁଦ୍ର ନିୟମ ଅନୁସାରେ  କରାଯିବା ଉଚିତ । କୌଣସି ଦେଶ ସାଗର ଓ ମହାସାଗର ଉପରେ ତାହାର ଏକଚାଟିଆ ଅଧିକାର ଜାହିରକୁ ଉଭୟ ବିରୋଧ କରିଛନ୍ତି । ଦକ୍ଷିଣ-ଚୀନ ସାଗର ସମେତ ସବୁ ସମୁଦ୍ର ଓ ସାଗର ଉପରେ ବାଣିଜ୍ୟିକ କାରବାର ପାଇଁ ସମସ୍ତ  ରାଷ୍ଟ୍ରଙ୍କୁ ସୁଯୋଗ ଦେବା ଉପରେ ଉଭୟ ଗୁରୁତ୍ୱ ଦେଇଛନ୍ତି ।

୩୦) ମ୍ୟାଁମାରରେ ଲୋକଙ୍କ ଉପରେ ଚାଲିଥିବା ଦମନଲୀଳା ଓ ହିଂସାକାଣ୍ଡକୁ ତୁରନ୍ତ ବନ୍ଦ କରିବାକୁ ଦୁଇ ନେତା ଆହ୍ୱାନ  ଜଣାଇଛନ୍ତି । ସେହିଭଳି ସେଠାରେ ବେଆଇନ ଭାବେ ଗିରଫ ନେତା ଓ ବ୍ୟକ୍ତିମାନଙ୍କୁ ଅବିଳମ୍ବେ ଖଲାସ କରିବାକୁ ଉଭୟ ଦାବି କରିଛନ୍ତି । ସେଠାରେ ଗିରଫ ବିଦେଶୀମାନଙ୍କୁ ତୁରନ୍ତ ମୁକ୍ତ କରି ମାନବାଧିକାର ଫେରାଇ ଆଣିବାକୁ ଦୁଇ ନେତା ଆହ୍ୱାନ ଜଣାଇଛନ୍ତି । ଉଭୟ କହିଛନ୍ତି ମ୍ୟାଁମାର ଆସିଆନ୍‌ର ପଞ୍ଚସୂତ୍ରୀ ସମାଧାନ ପନ୍ଥାକୁ ପାଳନ କରି ହିଂସାକାଣ୍ଡର ଅବସାନ ଘଟାଇବା  ଆବଶ୍ୟକ ।

୩୧) ଆଫାଗାନବାସୀଙ୍କୁ  ମାନବିକ ସହାୟତା ଯୋଗାଇ   ଦେବାକୁ ଉଭୟ ନେତା ରାଜି ହୋଇଛନ୍ତି । ସେଠାରେ ସ୍ଥିତି କ୍ରମଶଃ ଖରାପ ହେଉଥିବାରୁ ଏହି ସହାୟତା ଯୋଗାଣ ଦରକାର ବୋଲି ଉଭୟ କହିଛନ୍ତି । ଉଭୟ ଆହୁରି କହିଛନ୍ତି ଯେ ସେଠାରେ ଆତଙ୍କବାଦ ଦମନ, ମାନବିକ ଅଧିକାର ପ୍ରତିଷ୍ଠା ପାଇଁ ଜାତିସଂଘ ପ୍ରସ୍ତାବକୁ ସବୁ ପ୍ରଭାବଶାଳୀ ରାଷ୍ଟ୍ର କାର୍ଯ୍ୟକାରୀ କରିବାକୁ ଚାପ ପକାଇବା ଉଚିତ । ସେଠାରେ ମହିଳା ଓ କନ୍ୟାମାନଙ୍କ ସ୍ଥିତି ନେଇ ଦୁଇ ନେତା ଉଦ୍‌ବେଗ ପ୍ରକାଶ କରି ଏହାର ପ୍ରତିକାର ଲୋଡିଛନ୍ତି । ଉଭୟ  କହିଛନ୍ତି ଯେ ଆଫଗାନିସ୍ଥାନରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ସେଠାରେ ସବୁ ପକ୍ଷକୁ ନେଇ ଏକ ମିଳିତ ସରକାର ପ୍ରଥମେ ଗଠନ ହେବା ଆବଶ୍ୟକ ।

****

TM / SLP



(Release ID: 1808948) Visitor Counter : 118