ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି


‘‘ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବା ସମୟରେ ଦେଶକୁ କେତେଦୂର ପର୍ଯ୍ୟନ୍ତ ନେଇଯିବାକୁ ହେବ, କେମିତି ନେଇଯିବାକୁ ହେବ ସେ ସମ୍ପର୍କରେ ଚିନ୍ତା କରିବା ଲାଗି ଏହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମୟ’’

‘‘ଦେଶବାସୀ କେବଳର ନିଜର ସୁରକ୍ଷା ପାଇଁ ନୁହେଁ ବରଂ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ଲାଗି ଟିକା ନେଇଛନ୍ତି। ବିଶ୍ୱ ସ୍ତରରେ ଟିକା ବିରୋଧୀ ବିଭିନ୍ନ ଆନ୍ଦୋଳନ ଚାଲିଥିବା ବେଳେ ଦେଶବାସୀଙ୍କର ଏପରି ବ୍ୟବହାର ପ୍ରଶଂସନୀୟ’’

‘‘ମହାମାରୀ ସମୟରେ ଲୋକମାନେ ଭାରତର ପ୍ରଗତି ଉପରେ ପ୍ରଶ୍ନ ଉଠାଇ ଚାଲିଥିଲେ, କିନ୍ତୁ ଭାରତ ଏହି କରୋନା କାଳରେ ୮୦ କୋଟିରୁ ଅଧିକ ଦେଶବାସୀଙ୍କୁ ମାଗଣା ରାସନ ଯୋଗାଣ ସୁନିଶ୍ଚିତ କରିଛି’’

‘‘ଯେକୌଣସି ପକ୍ଷରେ ଥିଲେ ସୁଦ୍ଧା ଆମକୁ ମିଳିତ ଭାବେ କାମ କରିବାକୁ ହେବ । ବିରୋଧୀ ପକ୍ଷରେ ରହିବାର ଅର୍ଥ ଲୋକମାନଙ୍କର ସମସ୍ୟାର ସମାଧାନ ଦିଗରେ କାମ କରିବା ନାହିଁ, ଏଭଳି ମାନସିକତା ଠିକ୍‌ ନୁହେଁ’’

‘‘କୋଭିଡ-୧୯ ବିରୋଧରେ ଲଢ଼େଇ ଏକ ସୁଦୃଢ଼ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସଂଘୀୟ ଢାଞ୍ଚା ସହ ଯୋଡ଼ି ହୋଇ ରହିଛି । ଏହି ପ୍ରସଙ୍ଗରେ ସମ୍ମାନିତ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ୨୩ଟି ବୈଠକ ଆୟୋଜନ କରାଯାଇଛି’’

‘‘ଆମ ଦୃଷ୍ଟିରେ ଜାତୀୟ ପ୍ରଗତି ଏବଂ କ୍ଷେତ୍ରୀୟ ଆକାଂକ୍ଷା ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ’’

Posted On: 08 FEB 2022 4:12PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ସଂସଦରେ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ବିବୃତ୍ତି ରଖିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘‘ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବା ସମୟରେ ଦେଶକୁ କେତେଦୂର ପର୍ଯ୍ୟନ୍ତ ନେଇଯିବାକୁ ହେବ, କେମିତି ନେଇଯିବାକୁ ହେବ ସେ ସମ୍ପର୍କରେ ଚିନ୍ତା କରିବା ଲାଗି ଏହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମୟ’’ ଏଥିପାଇଁ ସଂକଳ୍ପକୁ ପୂରଣ କରିବା ଲାଗି ଆମକୁ ସାମୂହିକ ଭାଗୀଦାରୀ ଏବଂ ସାମୂହିକ ଉତ୍ତରଦାୟିତ୍ୱର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଶ୍ୱ ଏବେ ସୁଦ୍ଧା କୋଭିଡ-୧୯ ମହାମାରୀ ସହ ସଂଘର୍ଷ କରୁଛି। ମାନବଜାତି ଗତ ୧୦୦ ବର୍ଷ ମଧ୍ୟରେ କେବେବି ଏଭଳି ବିପଦର ସମ୍ମୁଖିନ ହୋଇନଥିଲା। ‘‘ଦେଶବାସୀ କେବଳର ନିଜର ସୁରକ୍ଷା ପାଇଁ ନୁହେଁ ବରଂ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ଲାଗି ଟିକା ନେଇଛନ୍ତି। ବିଶ୍ୱ ସ୍ତରରେ ଟିକା ବିରୋଧୀ ବିଭିନ୍ନ ଆନ୍ଦୋଳନ ମଧ୍ୟରେ ଦେଶବାସୀଙ୍କର ଏପରି ବ୍ୟବହାର ପ୍ରଶଂସନୀୟ,’’ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ମହାମାରୀ ସମୟରେ ଲୋକମାନେ ଭାରତର ପ୍ରଗତି ଉପରେ ପ୍ରଶ୍ନ ଉଠାଇ ଚାଲିଥିଲେ, କିନ୍ତୁ ଭାରତ ଏହି କରୋନା କାଳରେ ୮୦ କୋଟିରୁ ଅଧିକ ଦେଶବାସୀଙ୍କୁ ମାଗଣା ରାସନ ଯୋଗାଣ ସୁନିଶ୍ଚିତ କରିଛି ।’’ ସେ ଆହୁରି କହିଥିଲେ ଯେ, ଗରିବଙ୍କ ପାଇଁ ରେକର୍ଡ ସଂଖ୍ୟକ ଗୃହ ନିର୍ମାଣ କରିବା, ଘରକୁ ପାଣି ସଂଯୋଗ ଦେବା ସୁନିଶ୍ଚିତ କରାଯାଇଛି । ଏହି ମହାମାରୀ ସମୟରେ ଆମେ ୫ କୋଟି ଲୋକମାନଙ୍କୁ ନଳ ମାଧ୍ୟମରେ  ଜଳ ସଂଯୋଗ ଦେଇଛୁ ଏବଂ ଏକ ନୂଆ ରେକର୍ଡ କରିଛୁ । ଆମର ତର୍କସଙ୍ଗତ ଦୃଷ୍ଟିକୋଣ କାରଣରୁ ଆମର ଚାଷୀମାନେ ମହାମାରୀ ସମୟରେ ବିପୁଳ ପରିମାଣର ଶସ୍ୟ ଉତ୍ପାଦନ କରିଛନ୍ତି । ମହାମାରୀ ସମୟରେ ଆମେ ଅନେକ ମୌଳିକ ଭିତ୍ତିଭୂମି ସହ ଜଡ଼ିତ ପ୍ରକଳ୍ପ ସମ୍ପୂର୍ଣ୍ଣ କରିଛୁ, କାରଣ ଆମେ ବିଶ୍ୱାସ କରୁ ଯେ ଏହିସବୁ ପ୍ରକଳ୍ପ ମହାମାରୀ ଭଳି ସଙ୍କଟ ସମୟରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାନ୍ତି । ମହାମାରୀ ସମୟରେ, ଆମର ଯୁବକମାନେ କ୍ରୀଡ଼ା କ୍ଷେତ୍ରରେ ଯଥେଷ୍ଟ ପ୍ରଗତି ହାସଲ କରିଛନ୍ତି ଏବଂ ଦେଶକୁ ଗୌରବାନ୍ୱିତ କରିଛନ୍ତି । ଭାରତୀୟ ଯୁବକମାନେ ନିଜର ଷ୍ଟାର୍ଟ-ଅପ୍‌ ମାଧ୍ୟମରେ ଭାରତକୁ ଷ୍ଟାର୍ଟ-ଅପ୍‌ ଗୁଡ଼ିକର ସଂଖ୍ୟା ଦୃଷ୍ଟିର ବିଶ୍ୱର ଶୀର୍ଷ ତିନୋଟି ଦେଶ ମଧ୍ୟରେ ସାମିଲ କରିପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଏହି ମହାମାରୀ ସମୟରେ ସିଓପି ୨୬ ହେଉ କିମ୍ବା ଜି ୨୦ ସହ ଜଡ଼ିତ ପ୍ରସଙ୍ଗ ଅଥବା ୧୫୦ରୁ ଅଧିକ ଦେଶକୁ ଔଷଧ ରପ୍ତାନି ହେଉ, ଭାରତ ନେତୃତ୍ୱ ଭୂମିକା ନିର୍ବାହ କରି ଆସିଛି । ସାରା ବିଶ୍ୱ ଆଜି ଭାରତର ଏହି ନେତୃତ୍ୱ ଭୂମିକା ସମ୍ପର୍କରେ ଚର୍ଚ୍ଚା କରୁଛି । ପ୍ରଧାନମନ୍ତ୍ରୀ ବିଶେଷ ଜୋର ଦେଇ କହିଥିଲେ ଯେ, ଆମେ ମହାମାରୀ ସମୟରେ ଏମଏସଏମଇ କ୍ଷେତ୍ର ଏବଂ କୃଷି କ୍ଷେତ୍ର ପ୍ରତି ବିଶେଷ ଧ୍ୟାନ କେନ୍ଦ୍ରିତ କରିଛୁ ।

ପ୍ରଧାନମନ୍ତ୍ରୀ ରୋଜଗାର ସଂକ୍ରାନ୍ତରେ ତଥ୍ୟ ଉପସ୍ଥାପନ କରି କହିଥିଲେ ଯେ ୨୦୨୧ରେ ଇପିଏଫଓ ପଞ୍ଜୀକରଣ ତଥ୍ୟରୁ ଜଣାପଡ଼ୁଛି ଯେ ପ୍ରାୟ ୧ କୋଟି ୨୦ ଲକ୍ଷ ନୂଆ ସଦସ୍ୟ ଇପିଏଫଓ ପୋର୍ଟାଲରେ ନାମ ପଞ୍ଜୀକରଣ କରିଛନ୍ତି । ଏ ସବୁ ସଂଗଠିତ ନିଯୁକ୍ତି ଏବଂ ଏମାନଙ୍କ ମଧ୍ୟରୁ ୬୦ରୁ ୬୫ ଲକ୍ଷ ଲୋକମାନଙ୍କର ବୟସ ୧୮ରୁ ୨୫ ବର୍ଷ ମଧ୍ୟରେ, ଅର୍ଥାତ୍‌ ସେମାନଙ୍କୁ ପ୍ରଥମ ଥର ପାଇଁ ଚାକିରି ମିଳିଛି । ମୂଦ୍ରାସ୍ଫୀତି ପ୍ରସଙ୍ଗରେ ମତ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ମୂଦ୍ରାସ୍ଫୀତି ହ୍ରାସ କରିବା ଲାଗି ସମ୍ପୂର୍ଣ୍ଣ ପ୍ରୟାସ କରିଛୁ । ଏ କ୍ଷେତ୍ରରେ ଅନ୍ୟ ଅର୍ଥ୍ୟବସ୍ଥା ସହିତ ତୁଳନା କଲେ ଆମେ ଏହା ସ୍ପଷ୍ଟ ଭାବେ କହିପାରିବା ଯେ ଭାରତ ଏକମାତ୍ର ଅର୍ଥବ୍ୟବସ୍ଥା ଭାବେ ମଧ୍ୟମ ମୂଦ୍ରାସ୍ଫୀତି ହାର ସହିତ ଉଚ୍ଚ ଅଭିବୃଦ୍ଧି ହାସଲ କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯେକୌଣସି ପକ୍ଷରେ ଥିଲେ ସୁଦ୍ଧା ଆମକୁ ମିଳିତ ଭାବେ କାମ କରିବାକୁ ହେବ । ବିରୋଧୀ ପକ୍ଷରେ ରହିବାର ଅର୍ଥ ଲୋକମାନଙ୍କର ସମସ୍ୟାର ସମାଧାନ ଦିଗରେ କାମ କରିବା ନାହିଁ, ଏଭଳି ମାନସିକତା ଠିକ୍‌ ନୁହେଁ । କିଛି ସମ୍ମାନନୀୟ ସଦସ୍ୟ ଯେତେବେଳେ କହିଲେ, ଭାରତର ଟିକାକରଣ ଅଭିଯାନ କୌଣସି ବଡ଼ କଥା ନୁହେଁ,  ସେତେବେଳେ ସେ ଚକିତ ହୋଇଥିବା ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ମହାମାରୀ ଆରମ୍ଭରୁ ସରକାର ଦେଶ ଏବଂ ବିଶ୍ୱରେ ଉପଲବ୍ଧ ଯଥାସମ୍ଭବ ସମ୍ବଳ ଯୋଗାଡ଼ କରିବା ପାଇଁ ଭରପୂର ପ୍ରୟାସ କରିଥିଲେ । ଯେପର୍ଯ୍ୟନ୍ତ ମହାମାରୀ ପ୍ରକୋପ ଜାରି ରହିବ, ଦେଶର ଗରିବଙ୍କୁ ସୁରକ୍ଷା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଭିଡ ୧୯ ମୁକାବିଲା ଏକ ମଜବୁତ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସଂଘୀୟ ଢାଞ୍ଚା ସହ ଜଡ଼ିତ । ସେ କହିଥିଲେ ଯେ ଏହି ପ୍ରସଙ୍ଗରେ ବିଭିନ୍ନ ରାଜ୍ୟର ସମ୍ମାନିତ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ୨୩ଟି ବୈଠକ ଆୟୋଜନ ହୋଇସାରିଛି । କୋଭିଡ-୧୯ ପ୍ରସଙ୍ଗରେ ସର୍ବଦଳୀୟ ବୈଠକରେ ଅଂଶଗ୍ରହଣକୁ କେତେକ ବିରୋଧୀ ଦଳ ବହିଷ୍କାର କରିଥିବାରୁ ପ୍ରଧାନମନ୍ତ୍ରୀ ଦୁଃଖ ବ୍ୟକ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଦେଶରେ ୮୦ ହଜାରରୁ ଅଧିକ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇପାରିଛି । ଏସବୁ କେନ୍ଦ୍ର ଗାଁ ଓ ଘର ପାଖରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସହିତ ଉନ୍ନତ ପ୍ରାଥମିକ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେଉଛନ୍ତି ।

ଗଣତନ୍ତ୍ର ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମେ ସେହି ଲୋକମାନଙ୍କ ଠାରୁ ଗଣତନ୍ତ୍ରର ଶିକ୍ଷା ଲାଭ କରିପାରିବୁ ନାହିଁ ଯେଉଁମାନେ ୧୯୭୫ରେ ଗଣତନ୍ତ୍ରକୁ ପଦାଘାତ କରିଥିଲେ । ଗଣତନ୍ତ୍ର ପାଇଁ ବଂଶବାଦ ସବୁଠୁ ବଡ଼ ବିପଦ ବୋଳି ପ୍ରଧାନମନ୍ତ୍ରୀ କହିଥିଲେ । କୌଣସି ରାଜନୈତିକ ଦଳରେ ଗୋଟିଏ ପରିବାରର ପ୍ରାଦୁର୍ଭାବ ବୃଦ୍ଧି ପାଇଲେ, ରାଜନୈତିକ ପ୍ରତିଭା ସବୁଠୁ ଅଧିକ କ୍ଷତି ସହିଥାଏ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘କିଛି ସଦସ୍ୟ ପଚାରିଥିଲେ- ଯଦି କଂଗ୍ରେସ ନଥାନ୍ତା, କ’ଣ ହୋଇଥାନ୍ତା?’’ ‘‘ମୁଁ ଏଠାରେ କହିବାକୁ ଚାହୁଁଛି ଯେ ଯଦି କଂଗ୍ରେସ ନଥାନ୍ତା ତା’ହେଲେ ଦେଶରେ ଜରୁରିକାଳୀନ ପରିସ୍ଥିତି ଆସି ନଥାନ୍ତା, ଜାତି ଆଧାରରେ ରାଜନୀତି ହୋଇନଥାନ୍ତା, ଶିଖ୍‌ମାନଙ୍କର ନରସଂହାର ହୋଇନଥାନ୍ତା, କାଶ୍ମୀରୀ ପଣ୍ଡିତମାନଙ୍କ ପ୍ରତି କୌଣସି ସମସ୍ୟା ହୋଇନଥାନ୍ତା।’’

ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗକୁ ଦୋହରାଇଥିଲେ ଯେ, ରାଷ୍ଟ୍ର ପ୍ରଗତି ଏବଂ କ୍ଷେତ୍ରୀୟ ଆକାଂକ୍ଷା ମଧ୍ୟରେ କୌଣସି ପାର୍ଥକ୍ୟ ଥିବା ଆମେ ଦେଖିପାରୁନାହୁଁ । ଭାରତ ପ୍ରଗତି ସେତିକିବେଳେ ଆହୁରି ମଜବୁତ ହେବ ଯେତେବେଳେ ଦେଶର ବିକାଶ ପ୍ରତି ଧ୍ୟାନ ଦେଇ କ୍ଷେତ୍ରୀୟ ଆକାଂକ୍ଷା ପୂରଣ କରାଯିବ । ସେ କହିଥିଲେ ଯେ ଆମ ରାଜ୍ୟମାନେ ପ୍ରଗତି ହାସଲ କଲେ, ଦେଶର ବିକାଶ ହୋଇଥାଏ ।

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମେ ଭେଦଭାବର ପରମ୍ପରା ସମାପ୍ତ କରିବା ଆବଶ୍ୟକ। ଏହି ମାନସିକତା ସହିତ ମିଶି ଚାଲିବା ସମୟର ଆବଶ୍ୟକତା। ଏହା ସ୍ୱର୍ଣ୍ଣିମ ମୁହୂର୍ତ୍ତ ଏବଂ ସାରା ବିଶ୍ୱର ଅନେକ ଆଶା ନେଇ ଭାରତ ଆଡ଼କୁ ଚାହୁଁଛି। ଆମେ ଏହି ସୁଯୋଗ ହାତଛଡ଼ା କରିବା ଉଚିତ୍‌ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।






 

********

P.S.



(Release ID: 1796692) Visitor Counter : 134