ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନୂଆଦିଲ୍ଲୀର କରିଆପ୍ପା ଗ୍ରାଉଣ୍ଡ ଠାରେ ଏନସିସି ସମାବେଶରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Posted On: 28 JAN 2022 3:22PM by PIB Bhubaneshwar

କାର୍ଯ୍ୟକ୍ରମରେ ଉପସ୍ଥିତ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀମାନ୍‌ ରାଜନାଥ ସିଂ ମହୋଦୟ, ଏନସିସିର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଗୁରବୀର ପାଲ ସିଂ ମହୋଦୟ, ଏଠାରେ ଉପସ୍ଥିତ ସମସ୍ତ ବିଶିଷ୍ଟ ବ୍ୟକ୍ତିଗଣ, ଅଧିକାରୀ ଗଣ, ଗଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିଥିବା କଳାକାର, ଏନଏସଏସ-ଏନସିସିର ସାଥୀମାନେ!

ବର୍ତ୍ତମାନ ଦେଶ ନିଜ ସ୍ଵାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ଯେତେବେଳେ ଏକ ଯୁବ ରାଷ୍ଟ୍ର ଏପରି କୌଣସି ଐତିହାସିକ ଅବସରକୁ ପାଳନ କରିଥାଏ, ଏହାର ଉତ୍ସବରେ ଏକ ଭିନ୍ନ ଉତ୍ସାହ ଦେଖିବାକୁ ମିଳିଥାଏ। ଏହି ଉତ୍ସାହ ମୁଁ ଏବେ କରିଆପ୍ପା ଗ୍ରାଉଣ୍ଡରେ ଦେଖିବାକୁ ପାଉଛି। ମୁଁ ଏଠାରେ ଭାରତର ଯୁବଶକ୍ତିକୁ ଦର୍ଶନ କରିପାରୁଛି। ସେମାନେ ଆମ ସଂକଳ୍ପକୁ ପୂରଣ କରିବେ। ୨୦୪୭ରେ ଦେଶ ଯେତେବେଳେ ସ୍ଵାଧୀନତାର ଶହେ ବର୍ଷ ପୂରଣ କରିବ ସେତେବେଳେ ଏହି ଶକ୍ତି ଏକ ଭବ୍ୟ ଭାରତର ନିର୍ମାଣରେ ସହାୟକ ହେବ।

ମୁଁ ବି ଆପଣମାନଙ୍କ ଭଳି ଦିନେ ଏନସିସିର ସକ୍ରିୟ କ୍ୟାଡେଟ୍‌ ଥିଲି। ଆଜି ମୁଁ ସେଥିପାଇଁ ଗର୍ବିତ। ଆପଣମାନଙ୍କୁ ଆଜି ଯେଉଁ ସୌଭାଗ୍ୟ ମିଳିଛି, ମୋତେ ମଧ୍ୟ ମିଳିଥିଲା। ମୋତେ ଏନସିସିରେ ଯେଉଁ ପ୍ରଶିକ୍ଷଣ ମିଳିଥିଲା, ଯାହା ମୁଁ ଜାଣିବାକୁ ପାଇଥିଲି, ଯାହା ଶିଖିଥିଲି, ତାହା ଆଜି ଦେଶର ଦାୟିତ୍ୱ ନିର୍ବାହ କରିବାରେ ମୋତେ ସହାୟକ ହୋଇଛି। ଏନସିସିରୁ ମିଳିଥିବା ସଂସ୍କାର ଓ ପ୍ରଶିକ୍ଷଣରୁ ମୋତେ ଅସୀମ ଶକ୍ତି ମିଳୁଛି। କିଛିଦିନ ପୂର୍ବରୁ ମୋତେ ଏନସିସିର ପୂର୍ବତନ ସଦସ୍ୟ ଭାବେ କାର୍ଡ ମିଳିଥିଲା। ଆଜି ଦେଶର ପ୍ରଧାନମନ୍ତ୍ରୀ ହେବା ସହିତ ମୁଁ ଆପଣମାନଙ୍କର ବନ୍ଧୁ ମଧ୍ୟ, ଆପଣଙ୍କ ସହ ମୁଁ ଯୋଡ଼ି ହୋଇ ରହିଛି। ମୁଁ ଏନସିସିର ସମସ୍ତ ଅଧିକାରୀମାନଙ୍କୁ, ଏବଂ ସମସ୍ତ ସାଥୀ କ୍ୟାଡେଟ୍‌ମାନଙ୍କୁ ଏହି ଅବସରରେ ସଲାମ୍‌ କରୁଛି। ଆଜି ଯେଉଁ କ୍ୟାଡେଟ୍‌ମାନଙ୍କୁ ପୁରସ୍କାର ମିଳିଛି, ସେମାନଙ୍କୁ ମଧ୍ୟ ମୁଁ ହାର୍ଦ୍ଦିକ ଶୁଭକାମନା ଜଣାଉଛି। ଆଜି ମହାନ ସ୍ଵାଧୀନତା ସଂଗ୍ରାମୀ, ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ଜୟନ୍ତୀ। ଆଜି ମଧ୍ୟ ଫିଲ୍ଡ ମାର୍ଶାଲ କରିଆପ୍ପାଙ୍କ ଜୟନ୍ତୀ। ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଦେଶର ଏହି ବୀର ସୁପୁତ୍ରମାନଙ୍କୁ ମୁଁ ଆଦରପୂର୍ବକ ପ୍ରଣାମ କରୁଛି।

ବନ୍ଧୁଗଣ,

ଆଜି ଯେତେବେଳେ ଦେଶ ନୂତନ ସଂକଳ୍ପ ସହିତ ଆଗକୁ ବଢ଼ୁଛି, ଦେଶରେ ଏନସିସିକୁ ମଜବୁତ କରିବା ଲାଗି ମଧ୍ୟ ଆମର ପ୍ରୟାସ ଜାରି ରହିଛି। ସେଥିପାଇଁ ଦେଶରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା କମିଟି ପ୍ରତିଷ୍ଠା କରାଯାଇଛି। ବିଗତ ଦୁଇ ବର୍ଷ ମଧ୍ୟରେ ଆମେ ଦେଶର ସୀମାବର୍ତ୍ତୀ କ୍ଷେତ୍ରରେ ୧ ଲକ୍ଷ ନୂଆ କ୍ୟାଡେଟମାନଙ୍କୁ ପ୍ରସ୍ତୁତ କରିଛୁ। ମୁଁ ଆନନ୍ଦିତ ଯେ ଏନସିସି କ୍ୟାଡେଟମାନଙ୍କର ପ୍ରଶିକ୍ଷଣରେ ସିମୁଲେସନ ଭଳି ଆଧୁନିକ ପ୍ରଯୁକ୍ତିର ଉପଯୋଗ ବଢ଼ୁଛି। ଆମର ଶିକ୍ଷା ବ୍ୟବସ୍ଥାକୁ ଏନସିସି ସହ ଯୋଡ଼ିବା ଲାଗି ମଧ୍ୟ ଦେଶ ଅନେକ ପଦକ୍ଷେପ ଗ୍ରହଣ କରୁଛି। ସମ୍ପୂର୍ଣ୍ଣ ଭାବେ ସେଲ୍ଫ-ଫାଇନାନ୍ସିଂ ଯୋଜନା ଅଧୀନରେ ଦେଶର ବିଭିନ୍ନ କଲେଜରେ ୧ ଲକ୍ଷ କ୍ୟାଡେଟ୍‌ମାନଙ୍କୁ ସୃଷ୍ଟି କରାଯାଇଛି। ୧ ଲକ୍ଷ କ୍ୟାଡେଟ୍‌ଙ୍କୁ ସୃଷ୍ଟି କରାଯିବାର ଏହି ପ୍ରୟାସ ଏବେ ବିଦ୍ୟାଳୟଗୁଡ଼ିକରେ ମଧ୍ୟ ଆରମ୍ଭ କରାଯାଇଛି।

ନୂଆ ଜାତୀୟ ଶିକ୍ଷା ନୀତି ଅଧୀନରେ ଦେଶର ୯୦ଟି ବିଶ୍ୱବିଦ୍ୟାଳୟରେ ଏନସିସିକୁ ଇଲେକ୍ଟିଭ ବା ଇଚ୍ଛାଧୀନ ବିଷୟ ଭାବେ ଆରମ୍ଭ କରାଯାଇଛି। ମୁଁ ଆଜି ଏଠାରେ ବହୁସଂଖ୍ୟାରେ ଉପସ୍ଥିତ ବାଳିକା କ୍ୟାଡେଟମାନଙ୍କୁ ମଧ୍ୟ ଦେଖିପାରୁଛି। ସେମାନେ ଦେଶର ପରିବର୍ତ୍ତିତ ମନୋବୃତ୍ତିର ପରିଚାୟକ। ଦେଶ ଆଜି ଆପଣମାନଙ୍କ ବିଶେଷ ଯୋଗଦାନ ଆବଶ୍ୟକ କରୁଛି। ଦେଶରେ ଆପଣମାନଙ୍କ ପାଇଁ ଆଜି ଅପାର ସୁଯୋଗ ରହିଛି। ଏବେ ଦେଶର ଝିଅମାନେ ସୈନିକ ସ୍କୁଲରେ ନାମ ଲେଖାଉଛନ୍ତି। ସେନାବାହିନୀରେ ମହିଳାମାନଙ୍କୁ ବଡ଼ ଦାୟିତ୍ୱ ମିଳୁଛି। ଏୟାରଫୋର୍ସରେ ଦେଶର ଝିଅମାନେ ଯୁଦ୍ଧ ବିମାନ ଉଡ଼ାଉଛନ୍ତି। ଏପରି ସ୍ଥିତିରେ ଅଧିକରୁ ଅଧିକ ଝିଅମାନେ ଯେପରି ଏନସିସିରେ ସାମିଲ ହେବେ ସେଥିପାଇଁ ଆମେ ପ୍ରୟାସ କରିବା ଉଚିତ୍‌। ଯେଉଁ ଝିଅମାନେ ନିଜେ ଏନସିସିରେ ଯୋଗ ଦେଇଛନ୍ତି ସେମାନେ ଏଥିପାଇଁ ପ୍ରେରଣା ହୋଇପାରିବେ।

ବନ୍ଧୁଗଣ,

ଦେଶର ପ୍ରସିଦ୍ଧ କବି ମାଖନଲାଲ ଚତୁର୍ବେଦୀଙ୍କ କବିତା ଏଠାରେ ପ୍ରଣିଧାନଯୋଗ୍ୟ । ସେ କବିତାର ପଙ୍କ୍ତିରେ ସେ କହିଥିଲେ –

ଭୂଖଣ୍ଡ ବିଛା, ଆକାଶ ଓଢ଼, ନୟନୋଦକ ଲେ, ମୋଦକ ପ୍ରହାର,

ବ୍ରହ୍ମାଣ୍ଡ ହଥେଲି ପର ଉଚ୍ଛାଲ, ଅପନେ ଜୀବନ ଧନ କୋ ନିହାର।

ଏ ସବୁ ପଙ୍କ୍ତି, ସାମର୍ଥ୍ୟର ପରାକାଷ୍ଠାକୁ ବର୍ଣ୍ଣନା କରୁଛି। ଶକ୍ତି ଏପରି ହେବା ଉଚିତ୍‌ ଯାହା ଭୂଖଣ୍ଡ ବିଛାଇପାରିବ, ଆକାଶକୁ ଘୋଡ଼ାଇ ଦେଇ ପାରିବ, ବ୍ରହ୍ମାଣ୍ଡକୁ ହାତ ପାପୁଲିରେ ନେଇ ଉପରକୁ ଫିଙ୍ଗି ପାରିବ । ଶକ୍ତି ଏପରି ହେବା ଉଚିତ୍‌ ଯାହା କଠିନରୁ କଠିନ ପରିସ୍ଥିତିକୁ ମଧ୍ୟ ହସି ହସି, ସାହସର ସହିତ ମୁକାବିଲା କରିବ। ଆଜି ମା’ ଭାରତୀ, ଭାରତର ଯୁବପିଢ଼ିମାନଙ୍କୁ ଏହି ଆହ୍ୱାନ କରୁଛି।

ଭୂଖଣ୍ଡ ବିଛା, ଆକାଶ ଓଢ଼, ନୟନୋଦକ ଲେ, ମୋଦକ ପ୍ରହାର,

ବ୍ରହ୍ମାଣ୍ଡ ହଥେଲି ପର ଉଚ୍ଛାଲ, ଅପନେ ଜୀବନ ଧନ କୋ ନିହାର।

ଆଗାମୀ ୨୫ ବର୍ଷର ଅମୃତ କାଳ, ଦେଶଭକ୍ତିର ଜୁଆର ନେଇ ଆସିବ। ଦୁନିଆରେ କେହି ଏହାକୁ ଗ୍ରହଣ କରିବ କି ନାହିଁ, ଆଜି ତାହା ଏକ ସମସ୍ୟା ହୋଇ ରହିନାହିଁ। ଆଜି ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସାରା ବିଶ୍ୱ ଅନେକ ଆଶା ଓ ଭରସା ସହିତ ଆଜି ଭାରତକୁ ଚାହିଁ ରହିଛି। ତେଣୁ ଭାରତ ନିଜ ପ୍ରୟାସରେ କେବେହେଲେ ଦୁର୍ବଳ ହେବା ଉଚିତ୍‌ ନୁହେଁ।

ଆଜି ସ୍ଵାଧୀନତାର ଅମୃତ ମହୋତ୍ସବରେ ଭାରତ ଯେଉଁ ସଂକଳ୍ପ ନେଇଛି, ଯେଉଁ ଅଭିଯାନ ଆରମ୍ଭ କରିଛି ତାହା ନିରନ୍ତର ଶକ୍ତି ହାସଲ କରୁ, ଏହି ବହୁତ ବଡ଼ ଦାୟିତ୍ୱ ଆମ ଦେଶର କୋଟି କୋଟି ନବଯୁବକ ମାନଙ୍କ ଉପରେ ରହିଛି। ଆଜି ଯେଉଁ ଯୁବକ-ଯୁବତୀମାନେ ଏନସିସି, ଏନଏସଏସରେ ଯୋଗ ଦେଇଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଚଳିତ ଶତାବ୍ଦୀରେ ହିଁ ଜନ୍ମ ନେଇଛନ୍ତି। ୨୦୪୭ ସୁଦ୍ଧା ଆପଣମାନଙ୍କୁ ହିଁ ଭାରତର ମାନ, ପ୍ରତିଷ୍ଠା ଓ ସମ୍ମାନ ବଢ଼ାଇବାକୁ ହେବ। ସେଥିପାଇଁ ଆପଣମାନଙ୍କର ପ୍ରୟାସ, ଆପଣଙ୍କର ସଂକଳ୍ପ, ସେହିସବୁ ସଂକଳ୍ପର ସିଦ୍ଧି, ଭାରତର ସିଦ୍ଧି ଓ ସଫଳତାରେ ପରିଣତ ହେବ। ରାଷ୍ଟ୍ର ଭକ୍ତି ଠାରୁ ବଡ଼ କୌଣସି ଭକ୍ତି ନାହିଁ, ରାଷ୍ଟ୍ର ହିତ ଠାରୁ ବଡ଼ କୌଣସି ହିତ ନାହିଁ। ଦେଶକୁ ସର୍ବୋପରି ରଖି, ଆପଣମାନେ ଯାହା କରିବେ, ତାହା ଦେଶର ବିକାଶରେ ସହାୟକ ହେବ। ଆଜି ଆମର ଯୁବକମାନେ ଭାରତକୁ ଷ୍ଟାର୍ଟଅପ୍‌ ଦୁନିଆର ଶୀର୍ଷରେ ପହଞ୍ଚାଇ ଦେଇଛନ୍ତି। କରୋନାର ଏହି ସଙ୍କଟ କାଳରେ ବହୁସଂଖ୍ୟକ ୟୁନିକର୍ଣ୍ଣ ପ୍ରତିଷ୍ଠା ହୋଇଛି, ଏସବୁ ଭାରତର ଯୁବକମାନଙ୍କର ଶକ୍ତିକୁ ପ୍ରଦର୍ଶିତ କରୁଛି। ୫୦ରୁ ଅଧିକ ୟୁନିକର୍ଣ୍ଣ କରୋନା ମହାମାରୀ କାଳରେ ପ୍ରତିଷ୍ଠା ହେବା ବିଷୟରେ ଆପଣ ଥରେ କଳ୍ପନା କରନ୍ତୁ। ଆପଣମାନେ ଏହା ଜାଣିଥିବେ ଯେ ଗୋଟିଏ ଗୋଟିଏ ୟୁନିକର୍ଣ୍ଣ, ଗୋଟିଏ ଗୋଟିଏ ଷ୍ଟାର୍ଟଅପ୍‌ର ପୁଞ୍ଜି ସାଢ଼େ ସାତ ହଜାର କୋଟି ଟଙ୍କାରୁ ଅଧିକ। ଏହି କ୍ଷମତା, ଏହି ସାମର୍ଥ୍ୟ ବହୁତ ବଡ଼ ବିଶ୍ୱାସ ସୃଷ୍ଟି କରିଥାଏ। ଏଥିରେ ସବୁଠୁ ବଡ଼ କଥା କ’ଣ ଜାଣନ୍ତି? ଏସବୁ ହଜାର ହଜାର ଷ୍ଟାର୍ଟଅପ୍ସ, ଦେଶର କୌଣସି ନା କୌଣସି ଆବଶ୍ୟକତାକୁ ପୂରଣ କରିବା ଲାଗି ତିଆରି ହୋଇଛି। କିଏ କୃଷି କ୍ଷେତ୍ରରେ ଅଭିନବ ପ୍ରଣାଳୀ କାର୍ଯ୍ୟକାରୀ କରିବାକୁ ପ୍ରୟାସ କରୁଛି ତ’ ପୁଣି କିଏ ଯୋଗାଣ ଶୃଙ୍ଖଳାରେ ସୁଧାର ଆଣିବା ଲାଗି ନୂତନ କାର୍ଯ୍ୟ କରୁଛି। ଆହୁରି କେହି କେହି ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଲାଗି ଷ୍ଟାର୍ଟଅପ୍ସ ମାଧ୍ୟମରେ ନୂଆ କିଛି କରିବା ଲାଗି ପ୍ରୟାସ କରୁଛନ୍ତି। ଏମାନଙ୍କ ମଧ୍ୟରେ ଦେଶ ପାଇଁ କିଛି କରିବାର ସାହସ ରହିଛି, ଇତିହାସ ସୃଷ୍ଟି କରିବାର ସାମର୍ଥ୍ୟ ରହିଛି।

ବନ୍ଧୁଗଣ,

ଯେଉଁ ଦେଶର ଯୁବଶକ୍ତି, ରାଷ୍ଟ୍ର ପ୍ରଥମ ଭାବନା ନେଇ ଆଗକୁ ବଢ଼ିଥାଏ, ବିଶ୍ୱର କୌଣସି ଶକ୍ତି ତା’କୁ ଅଟକାଇ ପାରିନଥାଏ। ଆଜି କ୍ରୀଡ଼ା ମୈଦାନରେ, ଭାରତର ସଫଳତା ଏହାର ସବୁଠୁ ବଡ଼ ଉଦାହରଣ। ଖେଳାଳୀମାନଙ୍କର ପ୍ରତିଭା, ଖେଳାଳୀ ମାନଙ୍କର ସଂକଳ୍ପ ସେସବୁ କଥାର ବିଶେଷ ମହତ୍ୱ ରହିଛି। ଖେଳାଳୀମାନଙ୍କର ପରିଶ୍ରମର ମଧ୍ୟ ବିଶେଷ ମହତ୍ୱ ରହିଛି, କିନ୍ତୁ ଏବେ ସେମାନଙ୍କର ହାର୍‌-ଜିତ୍‌ ସହିତ ୧୩୦ କୋଟି ଦେଶବାସୀ ଯୋଡ଼ି ହୋଇଯାଉଛନ୍ତି। ଭାରତର ଯୁବ ପ୍ରତିଭା, ଯେକୌଣସି ମୈଦାନରେ ଯାହା ସହିତ ମଧ୍ୟ ମୁକାବିଲା କରୁ, ସାରା ଦେଶ ତା’ପଛରେ ଏକଜୁଟ ହୋଇଯାଉଛି। ଖେଳାଳୀମାନଙ୍କ ଭିତରେ ମଧ୍ୟ ଏହି ଭାବନା ପ୍ରବଳ ହୋଇଛି। ସେମାନେ ପୁରସ୍କାର ପାଇଁ ନୁହେଁ, ବରଂ ଦେଶ ପାଇଁ ଖେଳୁଥିବାର ମନୋଭାବ ପୋଷଣ କରି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ଭାବନା ନେଇ ପ୍ରତ୍ୟେକ କ୍ଷେତ୍ରରେ ଭାରତର ଯୁବପିଢ଼ି, ଦେଶର ଭବିଷ୍ୟତ ପିଢ଼ି ଆଗକୁ ବଢ଼ିବା ଦରକାର।

ବନ୍ଧୁଗଣ,

ଏ କରୋନା କାଳରେ, ଆମେ ଭାରତବାସୀ ସାରା ବିଶ୍ୱକୁ ଶୃଙ୍ଖଳା ଓ ସାମାଜିକ ଶକ୍ତିର ପରିଚୟ ଦେଇଛୁ। ଜନତା କର୍ଫ୍ୟୁ ସମୟରେ ସାରା ଦେଶ ଯେତେବେଳେ କରୋନା ବିରୋଧରେ ଲଢ଼ିବା ପାଇଁ ଏକଜୁଟ ହୋଇଗଲା, ସାରା ବିଶ୍ୱ ଏହା ଦେଖି ଚକିତ ହେଲା। କିଛି ଲୋକ ଆମ ସମାଜକୁ ନିନ୍ଦା କରୁଥିଲେ କିନ୍ତୁ ଏ ସମାଜ ଦେଖାଇ ଦେଲା ଯେ ଯେତେବେଳେ ଦେଶ କଥା ଉଠିବ, ତା’ ଆଗରେ ସବୁକିଛି ତୁଚ୍ଛ ହୋଇଯିବ। ସଠିକ୍‌ ମାର୍ଗଦର୍ଶନ, ଉଦାହରଣ ମିଳିଲେ, ଆମ ଦେଶ କେତେ କ’ଣ କରିପାରିବ, ଏହା ତାହାର ଏକ ଉଦାହରଣ।

ଆପଣମାନେ, ଏନସିସି ଏବଂ ଏନଏସଏସର ଯୁବକମାନେ ମଧ୍ୟ କରୋନାର ଏହି ସଙ୍କଟ କାଳରେ ନିଜର ସେବାଭାବ ବଳରେ ସମସ୍ତଙ୍କ ମନ ଜିଣିପାରିଛନ୍ତି। ଏବେ ଆପଣମାନଙ୍କ ପାଇଁ ଏକ ଦାୟିତ୍ୱ ଅଛି, ଏନସିସିରେ ଆପଣମାନେ ଯାହା ଶିଖିଛନ୍ତି ତାହା କେବଳ ୟୁନିଫର୍ମ ପିନ୍ଧିବା ସମୟରେ କାମରେ ନଲାଗୁ ବରଂ ଆପଣଙ୍କ ସମ୍ପୂର୍ଣ୍ଣ ଜୀବନରେ ଉପଯୋଗ ହେଉ। ବିଭିନ୍ନ ପରିସ୍ଥିତି ଓ ସମୟରେ ଆପଣ ସେହି ଶିକ୍ଷାକୁ ଉପଯୋଗ କରନ୍ତୁ। ଜଣେ କ୍ୟାଡେଟ୍‌ ଭାବେ ଆପଣମାନେ ଯାହା ଶିଖିଛନ୍ତି, ସମାଜ ସେଥିରୁ କିଭଳି ଲାଭ ପାଇବ ସେ ସମ୍ପର୍କରେ ମଧ୍ୟ ଆପଣ ଚିନ୍ତା କରିବା ଉଚିତ୍‌। ଆପଣ ଯେଉଁ ଗାଁରେ ରହୁଛନ୍ତି, ସେହି ଗାଁରେ କେହି ବିଦ୍ୟାର୍ଥୀ ଅଧାରୁ ସ୍କୁଲ ଛାଡ଼ିଥିଲେ ତା’କୁ ପୁଣିଥରେ କେମିତି ସ୍କୁଲକୁ ଫେରାଇ ନେବାକୁ ହେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଆପଣ ସେହି ବିଦ୍ୟାର୍ଥୀକୁ ଭେଟନ୍ତୁ, ତା’ର ସମସ୍ୟା ବୁଝନ୍ତୁ। ତାହାର ପାଠପଢ଼ା କେମିତି ପୁଣିଥରେ ଆରମ୍ଭ ହୋଇପାରିବ, ସେଥିପାଇଁ ଯଦି ଆପଣ ଚେଷ୍ଟା କରିବେ ତା’ହେଲେ ଏନସିସିର ଭାବନାକୁ ଆପଣ ଆଗକୁ ବଢ଼ାଇ ପାରିବେ।

ଆପଣମାନେ ସ୍ୱଚ୍ଛତା ଅଭିଯାନକୁ ପ୍ରୋତ୍ସାହନ ଦେବା ଲାଗି ମଧ୍ୟ ନିଜ ଗାଁ ପରିବେଶ, ସହରାଞ୍ଚଳରେ ଭିନ୍ନ ଭିନ୍ନ ଦଳ ଗଠନ କରିପାରିବେ। ଆପଣ ଏଠାରେ ନେତୃତ୍ୱ ନେବାର ଗୁଣ ଶିଖିଛନ୍ତି, ଏବେ ଆପଣ ତାହାକୁ ସମାଜରେ ପ୍ରୟୋଗ କରିପାରିବେ। ଯେପରି ଭାବେ ଆପଣମାନେ ସମୁଦ୍ର ଉପକୂଳରେ ‘ପୂନୀତ ସାଗର ଅଭିଯାନ’ ଆରମ୍ଭ କରି, ଉଚ୍ଚ ପ୍ରଶଂସା ସାଉଣ୍ଟି ପାରିଛନ୍ତି, ତାହା ଏନସିସି କାର୍ଯ୍ୟକାଳ ପରେ ମଧ୍ୟ ଜାରି ରହିବା ଉଚିତ୍‌। ଦେଶରେ ଏବେ କ୍ୟାଚ୍‌ ଦ ରେନ୍‌ (ବର୍ଷା ଜଳ ସଂରକ୍ଷଣ) ଏକ ଜନ ଆନ୍ଦୋଳନ ଭାବେ ଜାରି ରହିଛି। ଆମେ କିଭଳି ବର୍ଷା ଜଳ ସଞ୍ଚୟ କରିପାରିବା। ଆମ ପୁଷ୍କରିଣୀ, ଝରଣାକୁ କିପରି ଭାବେ ସଫା ରଖିପାରିବେ, ସେ ଦିଗରେ ଆପଣମାନେ ସଚେତନତା ସୃଷ୍ଟି କରିପାରିବେ।

ବନ୍ଧୁଗଣ,

ସ୍ଵାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀ ଦେଶର ସାଧାରଣନ ଜନତାଙ୍କୁ ଏପରି ପ୍ରବୃତ୍ତି ସହ ଯୋଡ଼ିପାରିଥିଲେ, ଯାହାଦ୍ୱାରା ଲୋକମାନଙ୍କର ଜୀବନଜୀବିକା ଚାଲିପାରିବ ଏବଂ ମିଳିତ ଭାବେ ଦେଶଭକ୍ତିର ଆନ୍ଦୋଳନ ମଧ୍ୟ ତ୍ୱରାନ୍ୱିତ ହେବ। କେହି ସୂତା କାଟିବାର କାମ କରୁଥିଲା, ଆଉ କିଏ ପ୍ରୌଢ଼ ଶିକ୍ଷା ସହ ଯୋଡ଼ି ହୋଇ ରହିଥିଲା। କିଏ ଗୋପାଳନ କାମ କରୁଥିଲା, ଆଉ କିଏ ସ୍ୱଚ୍ଛତା ସହ ଜଡ଼ିତ କାମ କରୁଥିଲା। ଏସବୁ ବିଷୟକୁ ଗାନ୍ଧୀଜୀ ସ୍ଵାଧୀନତା ଆନ୍ଦୋଳନ ସହ ଯୋଡ଼ିପାରିଥିଲେ। ଏହିପରି ଭାବେ ସ୍ଵାଧୀନତାର ଅମୃତକାଳରେ, ଆଜି ଠାରୁ ଆରମ୍ଭ କରି ଆସନ୍ତା ୨୫ ବର୍ଷ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ, ଆପଣମାନଙ୍କୁ ନିଜ ପ୍ରବୃତ୍ତି ଓ ନିଜ କାର୍ଯ୍ୟକୁ ଦେଶର ବିକାଶ, ଦେଶବାସୀଙ୍କ ଆଶାଆକାଂକ୍ଷା ସହ ଯୋଡ଼ିବାକୁ ହେବ। ଆଜି ଦେଶ ଆତ୍ମନିର୍ଭର ଭାରତ ସଂକଳ୍ପକୁ ନେଇ ଆଗକୁ ବଢ଼ୁଅଛି। ଆପଣମାନେ ସମସ୍ତେ, ଯୁବକଯୁବତୀମାନେ ଭୋକାଲ ଫର ଲୋକାଲ ଅଭିଯାନରେ ମଧ୍ୟ ବଡ଼ ଭୂମିକା ନିର୍ବାହ କରିପାରବେ।

ଯେଉଁ ସାମଗ୍ରୀ ନିର୍ମାଣରେ ଭାରତୀୟମାନଙ୍କର ଶ୍ରମ, ସାମର୍ଥ୍ୟ ବିନିଯୋଗ ହୋଇଛି, କେବଳ ସେହି ସାମଗ୍ରୀ କିଣିବା ଲାଗି ଭାରତର ଯୁବଶକ୍ତି ପ୍ରତିଜ୍ଞା କଲେ ଭାରତର ଭାଗ୍ୟ ଦ୍ରୁତ ଗତିରେ ବଦଳି ପାରିବ। ଭୋକାଲ ଫର ଲୋକାଲ ମନ୍ତ୍ର ସିଧାସଳଖ ଦେଶର ଯୁବଶକ୍ତିଙ୍କ ସହ ମଧ୍ୟ ଯୋଡ଼ି ହୋଇଛି। ଲୋକମାନେ ସ୍ଥାନୀୟ ଉତ୍ପାଦ କିଣିଲେ, ସ୍ଥାନୀୟ ଉତ୍ପାଦନ ବୃଦ୍ଧି ପାଇବ। ସାମଗ୍ରୀର ଗୁଣବତ୍ତାରେ ମଧ୍ୟ ସୁଧାର ଆସିବ। ସ୍ଥାନୀୟ ଉତ୍ପାଦନ ବୃଦ୍ଧି ପାଇବା କାରଣରୁ ସ୍ଥାନୀୟ ସ୍ତରରେ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇବ।

ବନ୍ଧୁଗଣ,

ବର୍ତ୍ତମାନ ପ୍ରଯୁକ୍ତି ଓ ନବସୃଜନର ସମୟ। ଏହା ମଧ୍ୟ ଡିଜିଟାଲ ବିପ୍ଳବର ସମୟ। ମୋର ଯୁବ ସାଥୀମାନେ, ଆପଣମାନେ ହିଁ ଏ ଯୁଗର ନାୟକ। ସେଥିପାଇଁ ପରିବର୍ତ୍ତନର ଏ ସମୟରେ ଜଣେ କ୍ୟାଡେଟ୍‌ ଭାବେ ଅନେକ ନୂଆ ଦାୟିତ୍ୱ ଆପଣମାନଙ୍କ ପାଖରେ ରହିଛି। ଆପଣମାନଙ୍କୁ ଏହି ବିପ୍ଳବରେ ଭାରତକୁ ଅଗ୍ରଣୀ କରିବା ଲାଗି, ଦେଶର ନେତୃତ୍ୱ ନେବାକୁ ହେବ। ଏହାସହିତ ଆପଣମାନଙ୍କୁ ଆହ୍ୱାନଗୁଡ଼ିକର ମଧ୍ୟ ମୁକାବିଲା କରିବାକୁ ହେବ। ଆଜି ଗୋଟିଏ ପଟେ ଡିଜିଟାଲ ପ୍ରଯୁକ୍ତି ଏବଂ ସୂଚନା ସହ ଜଡ଼ିତ ଉନ୍ନତ ସମ୍ଭାବନା ରହିଛି, ଅନ୍ୟପଟେ ଅପପ୍ରଚାରର ବିପଦ ମଧ୍ୟ ରହିଛି। ଆମ ଦେଶର ଜନସାଧାରଣ, ଯେପରି କୌଣସି ଗୁଜବର ଶିକାର ନହେବେ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବା ଜରୁରି। ଏନସିସି କ୍ୟାଡେଟମାନେ ଏଥିପାଇଁ ସଚେତନତା ଅଭିଯାନ ଚଳାଇପାରିବେ। ଆଜିର ଯୁବପିଢ଼ିଙ୍କ ଆଗରେ ଆଉ ଏକ ଆହ୍ୱାନ ମଧ୍ୟ ରହିଛି, ତାହା ହେଉଛି ଭର୍ଚୁଆଲ ଏବଂ ବାସ୍ତବ ଜୀବନ ମଧ୍ୟରେ ସନ୍ତୁଳନ ବିଗିଡ଼ିଯିବା। ଏନସିସି ନିଜ କ୍ୟାଡେଟ୍‌ମାନଙ୍କ ପାଇଁ ଏହି ସନ୍ତୁଳନକୁ ବଜାୟ ରଖିବା ଲାଗି ପ୍ରଶିକ୍ଷଣ ପଦ୍ଧତି ପ୍ରସ୍ତୁତ କରିପାରିବ, ଯାହାକି ଅନ୍ୟ ଲୋକମାନଙ୍କ ପାଇଁ ମଧ୍ୟ ସହାୟକ ହୋଇପାରିବ।

ବନ୍ଧୁଗଣ,

ଆଉ ଏକ ବିଷୟ ମୁଁ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ଚାହୁଁଛି। ତାହା ହେଉଛି ଡ୍ରଗ୍ସ, ନିଶାର ବିଷୟ। ନିଶା ଆମ ଯୁବପିଢ଼ିକୁ କେତେ ନଷ୍ଟ କରି ଦେଉଛି, ତାହା ଆପଣମାନେ ଭଲ ଭାବେ ଜାଣିଛନ୍ତି। ତେଣୁ ଯେଉଁ ସ୍କୁଲ ଓ କଲେଜରେ ଏନସିସି, ଏନଏସଏସ ସକ୍ରିୟ ଅଛନ୍ତି ସେଠାରେ ଡ୍ରଗ୍ସ ପହଞ୍ଚିବା ଉଚିତ୍‌ ନୁହେଁ। ଆପଣମାନେ କ୍ୟାଡେଟ୍‌ ଭାବେ ନିଶା ଠାରୁ ଦୂରରେ ରୁହନ୍ତୁ ଏବଂ ଏଥିସହିତ ନିଜ କ୍ୟାମ୍ପସକୁ ମଧ୍ୟ ଡ୍ରଗ୍ସ ମୁକ୍ତ ରଖନ୍ତୁ। ଆପଣମାନଙ୍କ ସାଥୀ, ଯେଉଁମାନେ ଏନସିସି-ଏନଏସଏସରେ ନାହାନ୍ତି, ସେମାନଙ୍କୁ ମଧ୍ୟ ଏହି ଖରାପ ଅଭ୍ୟାସ ଛାଡ଼ିବାରେ ସହାୟତା କରନ୍ତୁ।

ବନ୍ଧୁଗଣ,

ଦେଶର ଏପରି ସାମୂହିକ ପ୍ରୟାସକୁ ନୂତନ ଶକ୍ତି ଦେବା ଲାଗି କିଛି ବର୍ଷ ତଳେ ଏକ ପୋର୍ଟାଲ ମଧ୍ୟ ଆରମ୍ଭ କରାଯାଇଥିଲା। ଏହି ପୋର୍ଟାଲ ହେଉଛି - Self4Society ପୋର୍ଟାଲ। ଏହି ପୋର୍ଟାଲରେ ଭିନ୍ନ ଭିନ୍ନ ବ୍ୟକ୍ତି, କମ୍ପାନୀ, ସଂଗଠନ ସାମିଲ ହୋଇ ସମାଜସେବା କାର୍ଯ୍ୟ କରୁଛନ୍ତି। ଏଥିରେ ସହଯୋଗ ମଧ୍ୟ କରୁଛନ୍ତି। ବିଶେଷ କରି ଭାରତର ଆଇଟି ଏବଂ ଟେକ୍‌ କମ୍ପାନୀଗୁଡ଼ିକ ଏ ଦିଗରେ ବହୁତ ଭଲ କାମ କରିଛନ୍ତି। ଆଜି ଏଥିରେ ୭ ହଜାରରୁ ଅଧିକ ସଂଗଠନ ଏବଂ ଦୁଇ ଲକ୍ଷରୁ ଅଧିକ ଲୋକ ଯୋଡ଼ି ହୋଇପାରିଛନ୍ତି। ସେମାନେ କିଛି ନା କିଛି ସମାଜସେବା କାମ କରୁଛନ୍ତି। ଏନସିସି-ଏନଏସଏସର ଲକ୍ଷ ଲକ୍ଷ ଯୁବକମାନେ ମଧ୍ୟ ଏହି ପୋର୍ଟାଲରେ ନିଶ୍ଚିତ ଭାବେ ଯୋଡ଼ି ହେବା ଉଚିତ୍‌।

ଭାଇ ଓ ଭଉଣୀମାନେ,

ଆମକୁ ଗୋଟିଏ ପଟେ ଏନସିସି କ୍ୟାଡେଟମାନଙ୍କର ସଂଖ୍ୟା ବଢ଼ାଇବାକୁ ହେବ ଅନ୍ୟପଟେ କ୍ୟାଡେଟମାନଙ୍କର ଭୂମିକାକୁ ମଧ୍ୟ ଆଗକୁ ନେବାକୁ ହେବ। ଏହି ଭାବନା ସବୁ ଲୋକଙ୍କ ନିକଟରେ ପହଞ୍ଚିବା ଉଚିତ୍‌। ସବୁ ଗାଁରେ ଏହାର ସ୍ୱର ଗୁଞ୍ଜରିତ ହେବା ଉଚିତ। ଆମ ସମସ୍ତଙ୍କୁ ଏହି ଦାୟିତ୍ୱ ନିର୍ବାହ କରିବାକୁ ହେବ।  ଏଥିରେ ଏନସିସିର ପୂର୍ବତନ ସଦସ୍ୟମାନଙ୍କର ମଧ୍ୟ ଭୂମିକା ରହିଛି ବୋଲି ମୁଁ ଭାବୁଛି। ଏନସିସିର ପୂର୍ବତନ କ୍ୟାଡେଟମାନଙ୍କର ସଂଘ ଏହି କାମକୁ ଏକ ସେତୁ ରୂପରେ, ଏକ ନେଟୱର୍କ ଭାବେ ସୂଚାରୁ ରୂପରେ ନିର୍ବାହ କରିପାରିବ। ମୁଁ ନିଜେ ଏହି ସଂଘର ସଦସ୍ୟ ହୋଇଥିବାରୁ, ଦେଶ ବିଦେଶରେ ଥିବା ଅନ୍ୟ ପୂର୍ବତନ ଏନସିସି ସାଥୀମାନଙ୍କୁ ମୁଁ ଅନୁରୋଧ କରୁଛି ଯେ ସେମାନେ ଏହି ଅଭିଯାନ ସହ ସକ୍ରିୟ ଭାବେ ଯୋଡ଼ି ହୁଅନ୍ତୁ। କାରଣ ଥରେ ଜଣେ କ୍ୟାଡେଟ୍‌ ହେଲେ, ସବୁଦିନ କ୍ୟାଡେଟ୍‌ ହୋଇଥାନ୍ତି। ଆମେ ଯେଉଁଠି ବି ଅଛୁ, ଯେକୌଣସି କ୍ଷେତ୍ରରେ ଆମର ସେବା ଦେଉଛୁ, ଆମର ଅଭିଜ୍ଞତା ଦେଶ ଓ ନୂତନ ପିଢ଼ିର ଯୁବକମାନଙ୍କ ପାଇଁ ବେଶ୍‌ କାମରେ ଲାଗିପାରିବ। ଆମ ଅଭିଜ୍ଞତା ଏକ ସଂଗଠନ ଭାବେ ଏନସିସିକୁ ପୂର୍ବାପେକ୍ଷା ଅଧିକ ଉନ୍ନତ ହେବାର ମାଧ୍ୟମ ହୋଇପାରିବ। ଏହାଫଳରେ ଏନସିସିର ଭାବନା ଓ କର୍ତ୍ତବ୍ୟ ସମ୍ପାଦନର ଉତ୍ସାହ ସମାଜରେ ମଧ୍ୟ ବିସ୍ତାରିତ ହୋଇପାରିବ।

ମୋର ସମ୍ପୂର୍ଣ୍ଣ ଭରସା ରହିଛି, ସ୍ଵାଧୀନତାର ଅମୃତ ମହୋତ୍ସବରେ ଆମର ଏ ପ୍ରୟାସ ନୂତନ ଭାରତ ନିର୍ମାଣର ଶକ୍ତି ପାଲଟିବ। ଏନସିସି କ୍ୟାଡେଟ୍‌ମାନେ ଏଥିରେ ବହୁତ ବଡ଼ ଭୂମିକା ନିର୍ବାହ କରିପାରିବେ। ଏହି ବିଶ୍ଵାସ ସହିତ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ!

ଭାରତ ମାତା କୀ, ଜୟ!

ଭାରତ ମାତା କୀ, ଜୟ!

ଭାରତ ମାତା କୀ, ଜୟ!

ବନ୍ଦେ ମାତରମ୍‌, ବନ୍ଦେ ମାତରମ୍‌!

 

**********

P.S.



(Release ID: 1793361) Visitor Counter : 153