ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ତ୍ରିପୁରାର ୧. ୪୭ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ପିଏମଏ୍‌ୱାଇ-ଜିର ପ୍ରଥମ କିସ୍ତିର ଅର୍ଥ ପ୍ରଦାନ



“ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଦାନ କରାଯାଇଥିବା ପ୍ରଥମ କିସ୍ତି ଟଙ୍କା ତ୍ରିପୁରାର ସ୍ୱପ୍ନକୁ ପ୍ରୋତ୍ସାହିତ କରିଛି”

“ତ୍ରିପୁରାର ବିକାଶ ପାଇଁ ଡବଲ-ଇଞ୍ଜିନ ସରକାର ପୂରାଦମ୍‌ରେ ନିଷ୍ଠାର ସହ କାର୍ଯ୍ୟ କରୁଛି”

“ନାଗରିକଙ୍କ କଲ୍ୟାଣରେ ଅଯଥା ବାଧା ସୃଷ୍ଟି କରିବାକୁ ଅନାବଶ୍ୟକ ନିୟମ ସବୁକୁ ଅନୁମତି ଦିଆଯାଉନାହିଁ”

“ପୂର୍ବରୁ ଦେଶର ଉତ୍ତର ଓ ପଶ୍ଚିମାଞ୍ଚଳରୁ ବାହାରିଥିବା ନଦୀଗୁଡିକ ପୂର୍ବଦିଗକୁ ପ୍ରବାହିତ ହେଉଥିଲେ ; କିନ୍ତୁ ବିକାଶର ଗଙ୍ଗା ଏଠାରେ ପହଂଚିବା ପୂର୍ବରୁ ବନ୍ଦ ହୋଇଯାଉଥିଲା”

“ଏବେ ଦେଶର ବିକାଶକୁ “ଏକ ଭାରତ, ଶ୍ରେଷ୍ଠ ଭାରତ” ବିଚାରରେ ଦେଖାଯାଉଛି । ବିକାଶ ବର୍ତ୍ତମାନ ଦେଶର ଏକତା ଓ ଅଖଣ୍ଡତାର ପ୍ରତିଶବ୍ଦ ଭାବେ ବିବେଚିତ ହେଉଛି”

“ନଭେମ୍ବର ୧୫ ତାରିଖ ଭଗବାନ ବିର୍‌ସା ମୁଣ୍ଡାଙ୍କ ଜୟନ୍ତୀକୁ ଏଣିକି ଦେଶ ପ୍ରତିବର୍ଷ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରିବ । ଏହି ଦିବସଟି କେବଳ ଆଦିବାସୀ ସମାଜର ଅବଦାନ ଓ ବିର୍‌ସା ମୁଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ ଉଦ୍ଦିଷ୍ଟ ହେବ ନାହିଁ ; ଏହା ମଧ୍ୟ ଏକ ସମନ୍ୱୟୀ ସମାଜର ପ୍ରତୀକଭାବେ ପ୍ରକଟିତ ହେବ”

Posted On: 14 NOV 2021 2:21PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତ୍ରିପୁରାର ୧. ୪୭ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ପିଏମ୍‌ଏୱାଇ-ଜିର ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରିଛନ୍ତି । ଏହି ଅବସରରେ ସମ୍ପୃକ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଏହି ଅର୍ଥ ଯାଇଛି ଏବଂ ଅର୍ଥ ହସ୍ତାନ୍ତରଣ ପ୍ରକ୍ରିୟା ନିର୍ବିଘ୍ନରେ ସମ୍ପନ୍ନ ହୋଇଛି । ତ୍ରିପୁରାର ସ୍ୱତନ୍ତ୍ର ଭୌଗୋଳିକସ୍ଥିତି ଓ ପାଣିପାଗକୁ ବିଚାରକୁ ନେଇ ପିଏମଏ୍‌ୱାଇ-ଜିରେ କେତେକ ପରିବର୍ତ୍ତନ ଆଣିବାକୁ ଯେଉଁ ଅନୁରୋଧ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିଲା, ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ ଫଳରେ ତାହା ପୂରଣ ହୋଇଛି । ତଦନୁସାରେ ତ୍ରିପୁରା ପାଇଁ କଚ୍ଚାଘରର ସଂଜ୍ଞାକୁ ପରିବର୍ତ୍ତନ କରାଯାଇଛି । ଏହା ଫଳରେ କଚ୍ଚା ଘରେ ରହୁଥିବା ବହୁସଂଖ୍ୟକ ହିତାଧିକାରୀ ନିଜର ପକ୍କା ଘର ଖଣ୍ଡିଏ ଲେଖାଁ କରିବା ପାଇଁ ସରକାରୀ ସହାୟତା ପାଇବେ । ଆଜିର କାର୍ଯ୍ୟକ୍ରମରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଏବଂ ତ୍ରିପୁରା ମୁଖ୍ୟମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ କେତେକ ହିତାଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ ।

ପ୍ରଧାନମନ୍ତ୍ରୀ ଧଳାଇ ତ୍ରିପୁରାର ଅନିତା କୁକି ଦେବବର୍ମାଙ୍କ ସହ କଥାବାର୍ତ୍ତାବେଳେ ତାଙ୍କର ଜୀବନ ଓ ଜୀବିକା ବିଷୟରେ ପଚାରି ବୁଝିଥିଲେ । ସହାୟତା ବାବଦରେ ପାଇଥିବା ଅର୍ଥ ଖର୍ଚ୍ଚ କରି ନିଜର ଏକ ସୁଦୃଢ ପକ୍କା ଘର ତିଆରି କରିବା ସହ ନିଜର ପରିବାରକୁ ସୁନ୍ଦର, ସମର୍ଥ ଓ ସ୍ୱାବଲମ୍ବୀ କରିବାକୁ ଚେଷ୍ଟା କରିବାକୁ ପ୍ରଧାନମନ୍ତ୍ରୀ ଅନିତାଙ୍କୁ ପରାମର୍ଶ ଦେଇଥିଲେ । ଶ୍ରୀ ମୋଦୀ ଆହୁରି କହିଥିଲେ ଯେ ଏହି ସରକାର କ୍ଷମତାକୁ ଆସିବା ପରଠାରୁ ଗରିବ ଓ ଆଦିବାସୀମାନଙ୍କ କଲ୍ୟାଣପ୍ରତି ଅଗ୍ରାଧିକାର ଦେଇ କାମ କରି ଆସୁଛି । ଏକଲବ୍ୟ ସ୍କୁଲ ଭଳି ବିଭିନ୍ନ କଲ୍ୟାଣକାରୀଯୋଜନା କାର୍ଯ୍ୟକାରୀ ହେଉଛି । ନିଜର ପିଲାଙ୍କୁ ଉତ୍ତମ ଶିକ୍ଷା ଦେବାକୁ ଅନିତାଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ସିପାହୀଜଲାର ଜଣେ ହିତାଧିକାରୀ ଶ୍ରୀମତୀ ସୋମା ମଜୁମଦାରଙ୍କୁ ପ୍ରଧାନମନ୍ତ୍ରୀ ଏହି ଯୋଜନାର ସୁଫଳ ଏବଂ ତାଙ୍କ ଅଭିଜ୍ଞତା ପଚାରିବା ସହ ପକ୍କା ଘର ଖଣ୍ଡିଏ ପାଇଲେ ତାଙ୍କ ଜୀବନରେ କିପରି ଉନ୍ନତି ଘଟିବ ତାହା ଜାଣିବାକୁ ଚାହିଁଥିଲେ । ସୋମା କହିଥିଲେ ଯେ ଏହି ଯୋଜନା ଦ୍ୱାରା ନିଜର ଖଣ୍ଡିଏ ପକ୍କା ଘର କରିବାର ସ୍ୱପ୍ନ ତାଙ୍କର ପୂରଣ ହୋଇଛି । ମୌସୁମୀ କାଳରେ ପ୍ରବଳ ବର୍ଷାରୁ ରକ୍ଷା ପାଇବା ପାଇଁ ଏହି ଘର ତାଙ୍କୁ   ଓ ତାଙ୍କ ପରିବାରକୁ ବିଶେଷ ସାହାଯ୍ୟ କରିବ । ତାଙ୍କୁ ମିଳିଥିବା ଅର୍ଥକୁ କେବଳ ଘର ତିଆରିରେ  ଖର୍ଚ୍ଚ କରିବାକୁ ପ୍ରଧାନମନ୍ତ୍ରୀ ସୋମାଙ୍କୁ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଲାଭ ହିତାଧିକାରୀ ବିନା ମଧ୍ୟସ୍ଥ ଓ ପ୍ରତିବନ୍ଧକରେ ଯେପରି ପାଆନ୍ତି ତାହା ତାଙ୍କ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ।

ଅନ୍ୟ ଜଣେ ହିତାଧିକାରୀ ସମୀରଣ ନାଥଙ୍କୁ ପ୍ରଧାନମନ୍ତ୍ରୀ ଏହି ଆବାସ ଯୋଜନାର ଲାଭ ଓ ପକ୍କାଘର ପାଇଁ ମିଳିଥିବା ଆର୍ଥିକ କିସ୍ତି ବିଷୟରେ ଅବଗତ ଅଛନ୍ତି କି ନାହିଁ ତାହା ପଚାରି ବୁଝିଥିଲେ ।  ସେ ମଧ୍ୟ ତାଙ୍କୁ ଘର ନିର୍ମାଣ ପୂର୍ବର ସର୍ଭେ ଓ ଅନ୍ୟାନ୍ୟ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ଆଗରୁ ଲାଂଚ ଓ ହାତଗୁଞ୍ଜା ବିନା କିପରି ହିତାଧିକାରୀ ଏଭଳି ସରକାରୀ ଯୋଜାନର ଲାଭ ଲୋକେ ପାଉ ନ ଥିଲେ ତାହା ଦର୍ଶାଇ ପ୍ରଧାନମନ୍ତ୍ରୀ ଏହାର ସମାଲୋଚନା କରିଥିଲେ ।

ଦକ୍ଷିଣ ତ୍ରିପୁରାର ଶ୍ରୀମତୀ କାଦର ବାୟା ନାମକ ଜଣେ ହିତାଧିକାରୀଙ୍କ ସହ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ତାଙ୍କୁ ଏହି ଯୋଜନାରେ ସେ କେତେ କିସ୍ତିର କେତେ ଅର୍ଥ ପାଇବେ ତାହା ଜାଣନ୍ତି କି ବୋଲି ପଚାରିଥିଲେ । ଆହୁରି ମଧ୍ୟ ସେ ସରକାରୀ ଅର୍ଥ ସହାୟତାରେ ନିଜର ଇଚ୍ଛାନୁସାରେ ଖଣ୍ଡେ ପକ୍କା ଘର କରିବାର ସ୍ୱପ୍ନ କେବେ ଦେଖିଥିଲେ କି ବୋଲି ପ୍ରଶ୍ନ କରିଥିଲେ । ପ୍ରଧାନମନ୍ତ୍ରୀ ହିତାଧିକାରୀମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ସେସବୁର ଉତର ପାଇବା ପରେ ଆଶା ପ୍ରକାଶ କରିଥିଲେ ଯେ ସମ୍ପୃକ୍ତ ଲୋକଙ୍କ ଜୀବନରେ ଏହି ପକ୍କାଘର ସବୁ ଆନନ୍ଦ ଆଣିବ । ଶ୍ରୀମତୀ ବାୟାଙ୍କ ଭଳି ହିତାଧିକାରୀଙ୍କ ଘଟଣାରୁ ସ୍ପଷ୍ଟ ହୋଇଯାଇଛି ଯେ ସରକାର ବିନା ବାଛବିଚାରରେ ଓ ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଯୋଜନାର ଲାଭ ସିଧାସଳଖ ଯୋଗାଇ ଦେଉଛନ୍ତି । ସେ କହିଛନ୍ତି ଯେ ନାଗରିକଙ୍କ କଲ୍ୟାଣ ଓ ସ୍ୱାର୍ଥକୁ ସୁନିଶ୍ଚିତ କରି ସେମାନଙ୍କୁ ଲାଭ ଦେବା ମନୋଭାବ ନେଇ ସରକାରୀ କାମ କରୁଛନ୍ତି । ଏଭଳି ଯୋଜନାର କାର୍ଯ୍ୟକାରିତାରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଓ ତାଙ୍କ ଟିମ୍ ଭଲ କାମ କରୁଛନ୍ତି । ସେଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ବିପ୍ଳବ କୁମାର ଦେବଙ୍କ ସରକାର ହେଉ ଅଥବା ମୋଦୀ ସରକାର, କେଉଁଠି ନାଗରିକମାନଙ୍କ କଲ୍ୟାଣ ପାଇଁ ନୀତିନିୟମ ପ୍ରତିବନ୍ଧକ ସାଜିବାର ଅବକାଶ ନାହିଁ । ଏହି ଯୋଜନାରେ ଘରର ମାଲିକାନା ଯଥା ସମ୍ଭବ ଅଧିକ ସଂଖ୍ୟାରେ ମହିଳାଙ୍କ ନାମରେ ରହୁଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି ।

ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ ତ୍ରିପୁରାରେ ଭଲ ଦିନ ଓ ଆଶାର ସମୟ ଆସୁଥିବା ଆଜିର କାର୍ଯ୍ୟକ୍ରମ ସୂଚାଉଛି । ବିପ୍ଳବଦେବ ସରକାର ଓ କେନ୍ଦ୍ର ସରକାର ମିଳିତଭାବେ ତ୍ରିପୁରାର ସର୍ବାଙ୍ଗୀନ ବିକାଶ ପାଇଁ ଅଙ୍ଗୀକୃତ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଜି ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ପ୍ରଥମ କିସ୍ତି ଅର୍ଥ ତ୍ରିପୁରା ସ୍ୱପ୍ନକୁ ପ୍ରୋତ୍ସାହନ ଯୋଗାଇବ । ରାଜ୍ୟର ଯେଉଁ ପ୍ରାୟ ଦେଢଲକ୍ଷ ଲୋକ ଆଜି ଏହି ଯୋଜନାର ପ୍ରଥମ କିସ୍ତିରେ ଯେଉଁ ଲାଭ ପାଇଛନ୍ତି ସେମାନଙ୍କ ସହିତ ସମସ୍ତ ତ୍ରିପୁରାବାସୀଙ୍କୁ ଅଭିନନ୍ଦନ ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଯେଉଁ ଭାବନା ତ୍ରିପୁରାକୁ ଗରିବ କରି ରଖିଥିଲା ଏବଂ ସୁବିଧା ସୁଯୋଗରୁ ବଞ୍ଚିତ କରୁଥିଲା ତାହାର ଅବସାନ ଘଟିଛି । ଡବଲ ଇଞ୍ଜିନ ସରକାର ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ପୂରାଦମ୍‌ରେ ନିଷ୍ଠାର ସହ କାମ କରୁଛି ।

ଏହି ଅଞ୍ଚଳ ପ୍ରତି ଥିôବା ଦୀର୍ଘଦିନର ଅବହେଳା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ ଦେଶର ଉତ୍ତର ଓ ପଶ୍ଚିମାଞ୍ଚଳରୁ ବାହାରିଥିବା ନଦୀଗୁଡିକ ପୂର୍ବଦିଗକୁ ପ୍ରବାହିତ ହେଉଥିଲେ । ତେବେ ବିକାଶର ଗଙ୍ଗା ଏହି ଅଞ୍ଚଳରେ ପହଞ୍ଚିବା ପୂର୍ବରୁ ବନ୍ଦ ହୋଇଯାଉଥିଲା । ଦେଶର ସାମଗ୍ରିକ ବିକାଶ ଏକଦା କାମଚଳା ଗତିରେ ଚାଲିଥିଲା ଏବଂ ରାଜନୈତିକ ବିଚାରରେ କାମ ହେଉଥିଲା । ସେଥିପାଇଁ ଆମର ଉତ୍ତର-ପୂର୍ବାଞ୍ଚଳ ନିଜକୁ ଏବେ ଅବହେଳିତ ମନେ କରୁଛି ।ସେ ଆହୁରି କହିଥିଲେ ଯେ ଏବେ କିନ୍ତୁ ଦେଶର ବିକାଶ ଏକ ଭାରତ, ଶ୍ରେଷ୍ଠ ଭାରତନୀତିରେ  ଚାଲିଛି । ଏବେ ଦେଶର ବିକାଶକୁ ରାଷ୍ଟ୍ରରେ ଏକତା ଓ ଅଖଣ୍ଡତାର ପ୍ରତିଶବ୍ଦ ଭାବେ ବିବେଚିତ କରାଯାଉଛି ।

ଦେଶର ବିକାଶରେ ନାରୀଶକ୍ତିର ଅବଦାନ କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ଯୋଗୁଁ ଏହା ସମ୍ଭବ ହୋଇଛି । ସେମାନଙ୍କ ଅବଦାନର ପଟାନ୍ତର ନାହିଁ । ଆମ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ଆମ ନାରୀଶକ୍ତିର ଏକ ବଡ ପ୍ରତୀକ । ଏହି ସ୍ୱୟଂ ସହାୟିକା ଗୋଷ୍ଠୀ ସମୂହ ଜନଧନ ଆକାଉଣ୍ଟସ ସହିତ ସମ୍ପୃକ୍ତ । ଏସବୁ ଗୋଷ୍ଠୀଙ୍କୁ ବନ୍ଧକ ବିହୀନ ଋଣ ଯୋଗାଣ ପରିମାଣକୁ ଦ୍ୱିଗୁଣିତ କରି ୨୦ଲକ୍ଷ ଟଙ୍କା କରାଯାଇଛି ବୋଲି ଶ୍ରୀ ମୋଦୀ କହିଥିଲେ । 

କାମ୍ ହଜ ଓ ଜୀବନଯାପନ ସୁଗମ ହେବା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ ସାଧାରଣ ଲୋକ ପ୍ରତ୍ୟେକ କାମ ପାଇଁ ବିଭିନ୍ନ ସରକାରୀ ଦପ୍ତରକୁ ଦୌଡି ଦୌଡି  ନୟାନ୍ତ ହେଉଥିଲେ । ଏବେ କିନ୍ତୁ ସେ କଥା ନାହିଁ । ସରକାର ଏବେ ଲୋକଙ୍କ ପାଖରେ ପହଞ୍ଚିଛି  ଏବଂ ସବୁ ସେବା ଓ ସୁବିଧା ଯୋଗାଉଛି । ପୂର୍ବରୁ ସରକାରୀ କର୍ମଚାରୀମାନେ ନିଜର ବେତନ ଠିକ୍ ସମୟରେ ପାଇବା ଘେନି ଚିନ୍ତାରେ ଥିଲେ, ଏବେ ସେମାନେ ସପ୍ତମ ବେତନ ଆୟୋଗ ସୁପାରିସ ଅନୁସାରେ ଦରମା ପାଉଛନ୍ତିବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସ୍ୱାଧୀନତାର ଇତିହାସରେ ଉତ୍ତର-ପୂର୍ବାଞ୍ଚଳ ସମେତ ଦେଶର ଅନ୍ୟାନ୍ୟ ଭାଗର ଆଦିବାସୀ/ଜନଜାତି ମୁକ୍ତି ସଂଗ୍ରାମୀମାନେ ଅନନ୍ୟ ତ୍ୟାଗ ଓ ସାହସ ପ୍ରଦର୍ଶନ କରି ଦେଶମାତୃକା ପାଇଁ ପ୍ରାଣପାତ କରିଛନ୍ତି । ସେହି ପରମ୍ପରାକୁ ସମ୍ମାନୀତ କରିବାକୁ ଦେଶ ନିରନ୍ତର କାମ କରୁଛି । ଏହି ପ୍ରକ୍ରିୟାରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଦେଶ ଏକ ବଡ ନିଷ୍ପତି ନେଇଛି । ଏଣିକି ଦେଶ ଭଗବାନ ବିର୍‌ସା ମୁଣ୍ଡାଙ୍କ ଜୟନ୍ତୀକୁ ପ୍ରତିବର୍ଷ ନଭେମ୍ବର ୧୫ରେ ଆଦିବାସୀ ଗୌରବ ଦିବସ ଭାବେ ପାଳନ କରିବ । ଅକ୍ଟୋବର ୨ର ଅହିଂସା ଦିବସ, ଅକ୍ଟୋବର ୩୧ ଏକତା ଦିବସ, ୨୬ ଜାନୁୟାରୀ ସାଧାରଣତନ୍ତ୍ର ଦିବସ, ରାମନବମୀ, ଜନ୍ମାଷ୍ଟମୀ ଆଦି ଭଳି ବିର୍‌ସା ମୁଣ୍ଡା ଜୟନ୍ତୀ ଦିବସଟିକୁ ବିଶେଷ ଦିନଭାବେ ରାଷ୍ଟ୍ର ପାଳନ କରିବ । ଏହି ଦିବସ ପାଳନର ଉଦ୍ଦେଶ୍ୟ କେବଳ ଆଦିବାସୀ ସମାଜର ଅବଦାନକୁ ସମ୍ମାନ ପ୍ରଦାନ ନୁହେଁ, ଏହା ମଧ୍ୟ ଏକ ସମନ୍ୱୟ ସମାଜର ପ୍ରତୀକ ଭାବେ ପ୍ରକଟିତ ହେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉତ୍ତର-ପୂର୍ବାଞ୍ଚଳର ଯେଉଁ ବିପୁଳ ସାମର୍ଥ୍ୟ ଓ ସମ୍ଭାବନା ରହିଛି ତାହାର ବିନିଯୋଗ ପାଇଁ ଆଧୁନିକ  ଭିତ୍ତିଭୂମି ଓ ସଂଯୋଗ ବ୍ୟବସ୍ଥାର ବିକାଶ କରାଯାଉଛି । ଏହି ଅଂଚଳରେ ଯେଉଁ ବିକାଶ ପ୍ରକ୍ରିୟା ଚାଲିଛି ତାହା ଭାରତକୁ ଅଭିବୃଦ୍ଧିର ନୂଆ ଶିଖରକୁ ଉନ୍ନୀତ କରିବା ଘେନି ସେ ଦୃଢ ଆଶାବାଦୀ ।

 






****

TM / SLP



(Release ID: 1771746) Visitor Counter : 199