ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
2021 ଏପ୍ରିଲ ପହିଲା ଠାରୁ 2026 ମାର୍ଚ୍ଚ 31 ପର୍ଯ୍ୟନ୍ତ ବିଦ୍ୟାଳୟ ଶିକ୍ଷା ପାଇଁ ସମଗ୍ର ଶିକ୍ଷା ଯୋଜନାକୁ ଜାରି ରଖିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି
ଯୋଜନା ପାଇଁ ମୋଟ 2,94,283.04 କୋଟି ଟଙ୍କା ଖର୍ଚ୍ଚ ହେବ, ସେଥିମଧ୍ୟରୁ କେନ୍ଦ୍ର ସରକାର 1,85,398.32 କୋଟି ଟଙ୍କା ଖର୍ଚ୍ଚ କରିବେ ଏହି ଯୋଜନାରେ 1.16 ନିୟୁତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ, 156 ନିୟୁତରୁ ଅଧିକ ଛାତ୍ରଛାତ୍ରୀ ଏବଂ 537 ନିୟୁତ ଶିକ୍ଷକ ଶିକ୍ଷୟିତ୍ରୀ ହେବେ ସାମିଲ
Posted On:
04 AUG 2021 3:57PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ପାଞ୍ଚ ବର୍ଷର ଅବଧି ଲାଗି ଅର୍ଥାତ୍ 2021-22 ଠାରୁ 2025-26 ପର୍ଯ୍ୟନ୍ତ ସଂଶୋଧିତ ସମଗ୍ର ଶିକ୍ଷା ଯୋଜନା ଜାରି ରଖିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଥିପାଇଁ ମୋଟ 2,94,283.04 କୋଟି ଟଙ୍କା ଖର୍ଚ୍ଚ ହେବ, ସେଥିମଧ୍ୟରୁ କେନ୍ଦ୍ର ସରକାର 1,85,398.32 କୋଟି ଟଙ୍କା ଖର୍ଚ୍ଚ କରିବେ।
ଲାଭ :
ଏହି ଯୋଜନାରେ ପ୍ରାକ୍-ପ୍ରାଥମିକ ଠାରୁ ଆରମ୍ଭ କରି ବରିଷ୍ଠ ମାଧ୍ୟମିକ ସ୍ତରରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ 1.16 ନିୟୁତ ବିଦ୍ୟାଳୟ, 156 ନିୟୁତର ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏବଂ 5.7 ନିୟୁତରୁ ଅଧିକ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ସାମିଲ କରାଯିବ।
ବିବରଣୀ :
ସମଗ୍ର ଶିକ୍ଷା ଯୋଜନା ହେଉଛି ବିଦ୍ୟାଳୟ ଶିକ୍ଷା ପାଇଁ ଏକ ସମନ୍ବିତ ଯୋଜନା ଯେଉଁଥିରେ ପ୍ରାକ ବିଦ୍ୟାଳୟ ଶିକ୍ଷା ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଛି। ଏହି ଯୋଜନାରେ ବିଦ୍ୟାଳୟ ଶିକ୍ଷାକୁ ଏକ ନିରନ୍ତର ପ୍ରକ୍ରିୟା ଭାବେ ଗ୍ରହଣ କରାଯାଇଛି ଏବଂ ଏହା ଶିକ୍ଷା ପାଇଁ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି-4)ର ଅନୁରୂପ। ଏହି ଯୋଜନା କେବଳ ଶିକ୍ଷା ଅଧିକାର ଆଇନର କାର୍ଯ୍ୟକାରିତାକୁ ସମର୍ଥନ କରିନଥାଏ ବରଂ ଜାତୀୟ ଶିକ୍ଷା ନୀତି 2020ର ସୁପାରିସଗୁଡ଼ିକୁ ଅନୁପାଳନ କରି କାର୍ଯ୍ୟ କରିବାର ବ୍ୟବସ୍ଥା ମଧ୍ୟ ଏଥିରେ ରହିଛି। ଏହା ପ୍ରତ୍ୟେକ ଶିଶୁଙ୍କୁ ସମାନତାପୂର୍ଣ୍ଣ ଏବଂ ସମାବେଶୀ ଶ୍ରେଣୀଗୃହ ପରିବେଶରେ ଗୁଣବତ୍ତାଯୁକ୍ତ ଶିକ୍ଷାଦାନ ଉପଲବ୍ଧ କରାଇବା ପ୍ରତି ସଂକଳ୍ପବଦ୍ଧ। ଏହା ମଧ୍ୟ ଛାତ୍ରଛାତ୍ରୀଙ୍କ ବିବିଧ ପୃଷ୍ଠଭୂମି, ବହୁଭାଷୀ ଆବଶ୍ୟକତା, ଭିନ୍ନ ଭିନ୍ନ ଶିକ୍ଷାଗତ କ୍ଷମତା ପ୍ରତି ଧ୍ୟାନ ଦେବା ସହିତ ପାଠପଢ଼ା ପ୍ରକ୍ରିୟାରେ ସେମାନଙ୍କ ସକ୍ରିୟ ଅଂଶଗ୍ରହଣକୁ ସୁନିଶ୍ଚିତ କରିଥାଏ।
ଏହି ଯୋଜନା ଅନ୍ତର୍ଗତ ବିଦ୍ୟାଳୟର ସମସ୍ତ ସ୍ତରରେ କେତେକ ପ୍ରମୁଖ ହସ୍ତକ୍ଷେପ ପାଇଁ ବ୍ୟବସ୍ଥା ରହିଛି ସେଗୁଡ଼ିକ ହେଲା : (କ) ଭିତ୍ତିଭୂମି ବିକାଶ ଏବଂ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ବୃଦ୍ଧି ସମେତ ସାମଗ୍ରିକ ଶିକ୍ଷା ଉପଲବ୍ଧତା; (ଖ) ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ;(ଗ) ଲିଙ୍ଗ ଓ ସମାନତା; (ଘ) ସମାବେଶୀ ଶିକ୍ଷା; (ଙ) ଗୁଣବତ୍ତା ଏବଂ ନବୋନ୍ମେଷ; (ଚ) ଆର୍ଥିକ ସହାୟତା ଏବଂ ଶିକ୍ଷକଙ୍କ ଦରମା; (ଛ) ଡିଜିଟାଲ ଯୋଜନା; (ଜ) ବିଦ୍ୟାଳୟ ପୋଷାକ, ପାଠ୍ୟପୁସ୍ତକ ସମେତ ଶିକ୍ଷା ଅଧିକାର ଆଇନ ଅନ୍ତର୍ଗତ ଅଧିକାର; (ଝ)ଇସିସିଇ ପାଇଁ ସହାୟତା; (ଞ) ଧନ୍ଦାମୂଳକ ଶିକ୍ଷା; (ଟ) କ୍ରୀଡ଼ା ଓ ଶାରୀରିକ ଶିକ୍ଷା; (ଠ) ଶିକ୍ଷକଙ୍କ ଶିକ୍ଷାଦାନ ଓ ପ୍ରଶିକ୍ଷଣକୁ ସୁଦୃଢ଼ କରିବା; (ଡ) ଅନୁଧ୍ୟାନ; (ଢ) କାର୍ଯ୍ୟକ୍ରମ ପରିଚାଳନା; ଏବଂ (ଣ) ଜାତୀୟ ଉପାଦାନ।
ଜାତୀୟ ଶିକ୍ଷା ନୀତି 2020ର ସୁପାରିସ ଆଧାରରେ ସଂଶୋଧିତ ସମଗ୍ର ଶିକ୍ଷା ଯୋଜନାରେ ନିମ୍ନଲିଖିତ ନୂତନ ହସ୍ତକ୍ଷେପକୁ ସାମିଲ କରାଯାଇଛି :
- ଯୋଜନାର ପ୍ରତ୍ୟକ୍ଷ ପ୍ରସାରକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ, ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଏକ ଆଇଟି ଆଧାରିତ ପ୍ଲାଟଫର୍ମରେ ଡିବିଟି ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସିଧାସଳଖ ସମସ୍ତ ଶିଶୁ କୈନ୍ଦ୍ରିକ ସହାୟତା ଯୋଗାଇ ଦିଆଯିବ।
- ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗୀୟ ସଂସ୍ଥାଗୁଡ଼ିକ ମଧ୍ୟରେ ପ୍ରଭାବୀ ସମନ୍ବୟ ପାଇଁ ବ୍ୟବସ୍ଥା କରାଯାଇଛି। ଧନ୍ଦାମୂଳକ ଶିକ୍ଷାର ସମ୍ପ୍ରସାରଣ ଲାଗି ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଏବଂ କୌଶଳ ବିକାଶ ପାଇଁ ପାଣ୍ଠି ଯୋଗାଣ କରୁଥିବା ଅନ୍ୟ ମନ୍ତ୍ରଣାଳୟ ମଧ୍ୟରେ ସମନ୍ବୟ ସ୍ଥାପନ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ। କେବଳ ବିଦ୍ୟାଳୟ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ନୁହେଁ ବରଂ ବିଦ୍ୟାଳୟ ଛାଡ଼ିଥିବା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ବର୍ତ୍ତମାନର ବିଦ୍ୟାଳୟ, ଆଇଟିଆଇ ଏବଂ ପଲିଟେକ୍ନିକର ଭିତ୍ତିଭୂମିଗୁଡ଼ିକର ସର୍ବୋତ୍ତମ ଉପଯୋଗ କରାଯିବ।
- ଅଙ୍ଗନବାଡ଼ି କର୍ମୀଙ୍କ ପ୍ରଶିକ୍ଷଣ ଏବଂ ଇସିସିଇ ଶିକ୍ଷକମାନଙ୍କ ଇନସର୍ଭିସ ଶିକ୍ଷକ ପ୍ରଶିକ୍ଷଣ ନିମନ୍ତେ ମାଷ୍ଟର ଟ୍ରେନରମାନଙ୍କୁ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା କରାଯାଇଛି।
- ଶିକ୍ଷାଦାନ ଅଧ୍ୟୟନ ସାମଗ୍ରୀ (ଟିଏଲଏମ), ସ୍ବଦେଶୀ ଖେଳନା ଏବଂ ଗେମ, ଖେଳ ଆଧାରିତ ଅଭ୍ୟାସ ନିମନ୍ତେ ସରକାରୀ ବିଦ୍ୟାଳୟର ପ୍ରାକ୍ ପ୍ରାଥମିକ ଶ୍ରେଣୀରେ ପ୍ରତି ପିଲା ପିଛା 500 ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯିବାର ବ୍ୟବସ୍ଥା ରହିଛି।
- ଏହି ଯୋଜନା ଅନ୍ତର୍ଗତ ତୃତୀୟ ଶ୍ରେଣୀ ପାଠପଢ଼ା ଶେଷ ସୁଦ୍ଧା ଏବଂ ପଞ୍ଚମ ଶ୍ରେଣୀ ପାଠପଢ଼ା ପରେ ନୁହେଁ, ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ପଢ଼ିବା, ଲେଖିବା ଏବଂ ସଂଖ୍ୟାଜ୍ଞାନ କ୍ଷେତ୍ରରେ ଆବଶ୍ୟକ ଶାସ୍ତ୍ର ପ୍ରଦାନ କରିବା ସୁନିଶ୍ଚିତ କରିବା ନିମନ୍ତେ ଏକ ଜାତୀୟ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ଅଭିଯାନ-‘ନିପୁଣ ଭାରତ’ର ଆରମ୍ଭ କରାଯାଇଛି। ଏହା ଅଧୀନରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଟିଏଲଏମ ବ୍ୟବସ୍ଥା ପାଇଁ ବାର୍ଷିକ 500 ଟଙ୍କା ଲେଖାଏଁ, ଶିକ୍ଷକ ମାନୁଆଲ ଓ ସମ୍ବଳ ପାଇଁ ପ୍ରତି ଶିକ୍ଷକଙ୍କ ପିଛା 150 ଟଙ୍କା ଏବଂ ଆକଳନ ପାଇଁ ପ୍ରତି ଜିଲ୍ଲା ପିଛା 10-20 ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ।
- ଏନସିଇଆରଟିର ନିଷ୍ଠା ଅନ୍ତର୍ଗତ ନିର୍ଦ୍ଦିଷ୍ଟ ପ୍ରଶିକ୍ଷଣ ମଡ୍ୟୁଲ ମାଧ୍ୟମିକ ଓ ପ୍ରାଥମିକ ଶିକ୍ଷକମାନଙ୍କର ପ୍ରଶିକ୍ଷଣ ପାଇଁ ପ୍ରସ୍ତୁତ କରାଯାଇଛି।
- ପୂର୍ବର ପ୍ରାକ-ପ୍ରାଥମିକ ବିଦ୍ୟାଳୟକୁ ବାଦ ଦେଇ ପ୍ରାକ-ପ୍ରାଥମିକ ଠାରୁ ଆରମ୍ଭ କରି ବରିଷ୍ଠ ମାଧ୍ୟମିକ ପର୍ଯ୍ୟନ୍ତ ବିଦ୍ୟାଳୟର ଭିତ୍ତିଭୂମି ବିକଶିତ କରାଯିବ।
- ପ୍ରତ୍ୟେକ ଛାତ୍ରୀନିବାସରେ ଇନସିନେରେଟର ଏବଂ ସାନିଟାରୀ ପ୍ୟାଡ ଭେଣ୍ଡିଂ ମେସିନ ସଂଯୋଗ କରାଯିବ।
- ବର୍ତ୍ତମାନର ବରିଷ୍ଠ ମାଧ୍ୟମିକ ବିଦ୍ୟାଳୟରେ ବିଭାଗ (ଷ୍ଟ୍ରିମ) ପରିବର୍ତ୍ତେ ନୂତନ ବିଷୟ ଯୋଡ଼ାଯିବ।
- ବାର୍ଷିକ 6000 ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯାଇ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ପରିବହନ ବ୍ୟବସ୍ଥାକୁ ସମ୍ପ୍ରସାରଣ କରାଯାଇଛି।
- 16ରୁ 19 ବର୍ଷ ବୟସର ସ୍କୁଲ ଛାଡ଼ିଥିବା ଛାତ୍ରଛାତ୍ରୀଙ୍କ ପାଇଁ ସହାୟତା ଯୋଗାଇ ଦିଆଯିବ। ଏସସି, ଏସଟି, ଭିନ୍ନକ୍ଷମ ଶିଶୁଙ୍କ ପାଇଁ ପ୍ରତି ଶ୍ରେଣୀ ପିଛା ଛାତ୍ରଛାତ୍ରୀଙ୍କୁ ମାଧ୍ୟମିକ/ବରିଷ୍ଠ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ 2000 ଟଙ୍କା ଲେଖାଏଁ ଏନଆଇଓଏସ/ଏସଓଏସ ମାଧ୍ୟମରେ ଦିଆଯିବ।
- ଶିଶୁ ଅଧିକାର ଏବଂ ନିରାପତ୍ତାର ସୁରକ୍ଷା ପାଇଁ ରାଜ୍ୟର ଏଲିମେଣ୍ଟାରୀ ସ୍କୁଲଗୁଡ଼ିକ ପିଛା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପାଇଁ 50 ଟଙ୍କାର ଆର୍ଥିକ ସହାୟତା।
- ସାମଗ୍ରିକ ଅଗ୍ରଗତି କାର୍ଡ (ଏଚପିସି) ଆକାରରେ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ବୁଦ୍ଧିମତା, ପ୍ରଭାବ ଏବଂ ମାନସିକ ସ୍ତରର ଆକଳନ ପାଇଁ ଏକ ସାମଗ୍ରିକ, 360 ଡିଗ୍ରୀ, ବହୁମୁଖି ରିପୋର୍ଟ ପ୍ରଦର୍ଶିତ କରିବାର ବ୍ୟବସ୍ଥା କରାଯିବ।
- ଏକ ଜାତୀୟ ଆକଳନ କେନ୍ଦ୍ର ପରଖ (ପରଫର୍ମାନ୍ସ, ଆସେସମେଣ୍ଟ, ରିଭ୍ୟୁ ଆଣ୍ଡ ଆନାଲିସିସ ଅପ ନଲେଜ ଫର ହୋଲିଷ୍ଟିକ ଡେଭଲମେଣ୍ଟ) ବା ସାମଗ୍ରିକ ବିକାଶ ପାଇଁ ପ୍ରଦର୍ଶନ, ଆକଳନ, ସମୀକ୍ଷଶ ଓ ଜ୍ଞାନର ବିଶ୍ଳେଷଣ ନିମନ୍ତେ ସହାୟତା ଯୋଗାଇ ଦିଆଯିବ।
- କୌଣସି ବିଦ୍ୟାଳୟର ଅତିକମରେ ଦୁଇ ଜଣ ପିଲା ଜାତୀୟ ସ୍ତରରେ ଖେଲୋ ଇଣ୍ଡିଆ ଅଭିଯାନରେ ପଦକ ଜିତିଲେ ସେହି ବିଦ୍ୟାଳୟକୁ 25000 ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଅନୁଦାନ ଯୋଗାଇ ଦିଆଯିବ।
- ବ୍ୟାଗମୁକ୍ତ ଦିବସ, ବିଦ୍ୟାଳୟ କମ୍ପ୍ଲେକ୍ସ, ସ୍ଥାନୀୟ କାରୀଗରଙ୍କ ସହିତ ଇଣ୍ଟର୍ଣ୍ଣସିପ, ପାଠ୍ୟକ୍ରମ ଏବଂ ଶିକ୍ଷାବିଜ୍ଞାନ ସଂକ୍ରାନ୍ତ ସଂସ୍କାର ଆଦିକୁ ସାମିଲ କରାଯାଇଛି।
- ଏହି ଯୋଜନାରେ ଭାଷା ଶିକ୍ଷକଙ୍କୁ ନିଯୁକ୍ତି ଦେବା ନିମନ୍ତେ ଏକ ନୂତନ ଉପାଦାନ ଯୋଡ଼ାଯାଇଛି-ଶିକ୍ଷକମାନଙ୍କୁ ତାଲିମ ଏବଂ ବହୁଭାଷୀ ପୁସ୍ତକ ଏବଂ ଶିକ୍ଷକ ପ୍ରଶିକ୍ଷଣ ସାମଗ୍ରୀ ଆଦି ଉପାଦାନ ଯୋଡ଼ାଯାଇଛି, ଏହାଛଡ଼ା ଶିକ୍ଷକମାନଙ୍କ ଦରମା ପାଇଁ ସହାୟତା ଦିଆଯିବ।
- ସମସ୍ତ କେଜିବିଭିଗୁଡ଼ିକୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଉନ୍ନୀତ କରିବାର ବ୍ୟବସ୍ଥା କରାଯାଇଛି।
- ସେହିପରି ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବର୍ତ୍ତମାନର ପୃଥକ ଛାତ୍ରୀନିବାସ (କେଜିବିଭି ଶ୍ରେଣୀ iv)କୁ ମିଳୁଥିବା ବାର୍ଷିକ ସହାୟତା 25 ଲକ୍ଷ ଟଙ୍କାରୁ 40 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।
- ‘ରାଣୀ ଲକ୍ଷ୍ମୀବାଇ ଆତ୍ମ ରକ୍ଷା ପ୍ରଶିକ୍ଷଣ’ ଅନ୍ତର୍ଗତ ତିନି ମାସ ପାଇଁ ଆତ୍ମସୁରକ୍ଷା ତାଲିମ ଦିଆଯିବ ଏବଂ ଏ ବାବଦରେ ମାସିକ ଅନୁଦାନ ପରିମାଣକୁ 3000 ଟଙ୍କାରୁ 5000 ଟଙ୍କାକୁ ବୃଦ୍ଧି କରାଯାଇଛି।
- ପ୍ରାକ-ପ୍ରାଥମିକ ଠାରୁ ବରିଷ୍ଠ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଉପାଦାନ ବ୍ୟତୀତ 10 ମାସ ପାଇଁ ସିଡବ୍ଲୁଏସଏନ ବାଳିକାମାନଙ୍କୁ ପୃଥକ ଭାବେ ମାସିକ 200 ଟଙ୍କାର ଷ୍ଟାଇପେଣ୍ଡ ବ୍ୟବସ୍ଥା।
- ବ୍ଲକ ସ୍ତରରେ ସିଡବ୍ଲୁଏସଏନ ପାଇଁ ବାର୍ଷିକ କ୍ୟାମ୍ପ ଚିହ୍ନଟ ବ୍ୟବସ୍ଥା କରାଯାଇଛି ଏବଂ ପ୍ରତି କ୍ୟାମ୍ପ ପାଇଁ 10 ହଜାର ଟଙ୍କା ଖର୍ଚ୍ଚ କରାଯିବ। ଏଥିସହିତ ସିଡବ୍ଲୁଏସଏନଙ୍କ ପୁନର୍ବାସ ଓ ସ୍ବତନ୍ତ୍ର ପ୍ରଶିକ୍ଷଣ ପାଇଁ ବ୍ଲକ ସମ୍ବଳ କେନ୍ଦ୍ରଗୁଡ଼ିକୁ ସହାୟତା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି।
- ନୂଆ ଏସସିଇଆରଟି ପ୍ରତିଷ୍ଠା ପାଇଁ ବ୍ୟବସ୍ଥାକୁ ସାମିଲ କରାଯାଇଛି ଏବଂ 31 ମାର୍ଚ୍ଚ 2020 ସୁଦ୍ଧା ଜିଲ୍ଲାସ୍ତରରେ ନୂଆ ଡିଆଇଇଟି ଗଠନ କରାଯାଇଛି।
- ବିଭିନ୍ନ ଉପଲବ୍ଧି ସର୍ବେକ୍ଷଣ କରିବା, ପରୀକ୍ଷା ଉପକରଣ ଏବଂ ଆଇଟମ ବ୍ୟାଙ୍କ ବିକଶିତ କରିବା, ବିଭିନ୍ନ ଅଂଶୀଦାରମାନଙ୍କର ପ୍ରଶିକ୍ଷଣ ଏବଂ ପରୀକ୍ଷା ପ୍ରଶାସନ, ତଥ୍ୟ ସଂଗ୍ରହ ବିଶ୍ଳେଷଣ ଏବଂ ରିପୋର୍ଟ ପ୍ରସ୍ତୁତି କରିବା ଆଦି ନିମନ୍ତେ ପ୍ରାଥମିକତା ଭିତ୍ତିରେ ଏସସିଇଆରଟି ଠାରେ ଏକ ଆକଳନ କକ୍ଷ ପ୍ରତିଷ୍ଠା କରାଯିବ।
- ପ୍ରାକ୍ ପ୍ରାଥମିକ ଏବଂ ମାଧ୍ୟମିକ ସ୍ତର ପାଇଁ ମଧ୍ୟ ବିଆରସି ଓ ସିଆରସିମାନଙ୍କୁ ଶିକ୍ଷାଗତ ସହାୟତା ଯୋଗାଇ ଦିଆଯିବ।
- ସରକାରୀ ବିଦ୍ୟାଳୟ ବ୍ୟତୀତ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ମଧ୍ୟ ଧନ୍ଦାମୂଳକ ଶିକ୍ଷା ଅଧୀନରେ ସହାୟତା ଯୋଗାଇ ଦିଆଯାଇଛି। ନାମଲେଖା ଏବଂ ଚାହିଦା ଆଧାରରେ ଭିନ୍ନ ଭିନ୍ନ ଭୂମିକା/ବିଭାଗର ଅନୁଦାନ/ସଂଖ୍ୟା ନିର୍ଦ୍ଧାରଣ କରାଯାଉଛି।
- ଆଖପାଖରେ ଥିବା ଅନ୍ୟ ବିଦ୍ୟାଳୟଗୁଡ଼ିକ ପାଇଁ ହବ୍ ଭାବେ କାର୍ଯ୍ୟ କରୁଥିବା ଧନ୍ଦାମୂଳକ ଶିକ୍ଷା ପାଇଁ ବିଦ୍ୟାଳୟଗୁଡ଼ିକରେ ଶ୍ରେଣୀ ଗୃହ ତଥା ଓ୍ବାର୍କସପ ବ୍ୟବସ୍ଥା କରାଯାଇଛି। ସହାୟକ ବିଦ୍ୟାଳୟଗୁଡ଼ିକ ପାଇଁ ପରିବହନ ଏବଂ ଆକଳନ ଖର୍ଚ୍ଚ ଦେବା ନିମନ୍ତେ ବ୍ୟବସ୍ଥା କରାଯାଇଛି।
- ଆଇସିଟି ଲ୍ୟାବ, ସ୍ମାର୍ଟ କ୍ଲାସରୁମ ସମେତ ଡିଜିଟାଲ ବୋର୍ଡ, ସ୍ମାର୍ଟ କ୍ଲାସରୁମ, ଭର୍ଚୁଆଲ କ୍ଲାସରୁମ ଏବଂ ଡିଟିଏଚ ଚ୍ୟାନେଲ ଯୋଗାଇ ଦେବା ନିମନ୍ତେ ବ୍ୟବସ୍ଥା କରାଯାଇଛି।
- ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ପାଇଁ ଶିଶୁମାନଙ୍କୁ ଠାବ କରିବାର ବ୍ୟବସ୍ଥା କରାଯାଇଛି।
- ପ୍ରତି ବର୍ଷ 20% ବିଦ୍ୟାଳୟର ସାମାଜିକ ଅଡିଟ୍ କରିବା ନିମନ୍ତେ ସହାୟତା କରାଯିବା ଯାହାଫଳରେ ପାଞ୍ଚ ବର୍ଷ ମଧ୍ୟରେ ସମସ୍ତ ବିଦ୍ୟାଳୟଗୁଡ଼ିକରେ ଏହାକୁ ସାମିଲ କରାଯାଇପାରିବ।
କାର୍ଯ୍ୟକାରିତାର ରଣନୀତି ଏବଂ ଲକ୍ଷ୍ୟ :
- ଏହି ଯୋଜନାକୁ ଏକ କେନ୍ଦ୍ର ପ୍ରାୟୋଜିତ ଯୋଜନା ଭାବେ କାର୍ଯ୍ୟକାରୀ କରାଯିବ। ରାଜ୍ୟ ସ୍ତରରେ ଗୋଟିଏ ଏକକ ରାଜ୍ୟ କାର୍ଯ୍ୟକାରୀ ସମିତି (ଏସଆଇଏସ) ଏହାକୁ କାର୍ଯ୍ୟକାରୀ କରିବ। ଜାତୀୟ ସ୍ତରରେ, ଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ପରିଚାଳନା ପରିଷଦ/ସଂସ୍ଥା ରହିବ ଏବଂ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ଏକ ପ୍ରକଳ୍ପ ଅନୁମୋଦନ ବୋର୍ଡ (ପିଏବି) ରହିବ। ଏହି ଯୋଜନାର ସାମଗ୍ରିକ ବ୍ୟବସ୍ଥା ମଧ୍ୟରେ ପରିଚାଳନା ପରିଷଦ/ସଂସ୍ଥା ଆର୍ଥିକ ଏବଂ କାର୍ଯ୍ୟକ୍ରମଜନିତ ସର୍ତ୍ତରେ ପରିବର୍ତ୍ତନ ଆଣିବା ଏବଂ କାର୍ଯ୍ୟକାରୀ କରିବା ଲାଗି ଏକ ବିସ୍ତୃତ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ଲାଗି କ୍ଷମତାପ୍ରାପ୍ତ ହେବ। ବିଦ୍ୟାଳୟ ଶିକ୍ଷାର ଗୁଣବତ୍ତାରେ ସୁଧାର ପାଇଁ ଅଭିନବ ବ୍ୟବସ୍ଥା ଓ ହସ୍ତକ୍ଷେପ ପାଇଁ ଆବଶ୍ୟକ ପରିବର୍ତ୍ତନ କରାଯାଇପାରିବ।
- ଯୋଜନାର ପ୍ରତ୍ୟକ୍ଷ ପ୍ରସାରକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ, ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଏକ ଆଇଟି ଆଧାରିତ ପ୍ଲାଟଫର୍ମରେ ଡିବିଟି ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସିଧାସଳଖ ସମସ୍ତ ଶିଶୁ କୈନ୍ଦ୍ରିକ ସହାୟତା ଯୋଗାଇ ଦିଆଯିବ।
- ଏହି ଯୋଜନାରେ ପ୍ରାକ୍-ପ୍ରାଥମିକ ଠାରୁ ଆରମ୍ଭ କରି ବରିଷ୍ଠ ମାଧ୍ୟମିକ ସ୍ତରରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ 1.16 ନିୟୁତ ବିଦ୍ୟାଳୟ, 156 ନିୟୁତର ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏବଂ 5.7 ନିୟୁତରୁ ଅଧିକ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ସାମିଲ କରାଯିବ। ଗୁଣାବତ୍ତାପୂର୍ଣ୍ଣ, ସମାବେଶୀ ଏବଂ ସମାନତାପୂର୍ଣ୍ଣ ଶିକ୍ଷା ପ୍ରଦାନ କରିବା ଲାଗି ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ସମସ୍ତ ଅଂଶୀଦାର ଯଥା ଶିକ୍ଷକ, ଶିକ୍ଷକ ପ୍ରଶିକ୍ଷକ, ଛାତ୍ରଛାତ୍ରୀ, ଅଭିଭାବକ, ସମୁଦାୟ, ବିଦ୍ୟାଳୟ ପରିଚାଳନା ସମିତି, ଏସସିଇଆରଟି, ଡିଆଇଇଟି, ବିଆଇଟିଇ, ବ୍ଲକ ସମ୍ବଳ ବ୍ୟକ୍ତିତ୍ବ, କ୍ଲଷ୍ଟର ସମ୍ବଳ ବ୍ୟକ୍ତିତ୍ବ, ସ୍ବେଚ୍ଛାସେବୀମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ। ଆହୁରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ/ବିକାଶମୂଳକ ସଂସ୍ଥାଗୁଡ଼ିକ ମଧ୍ୟରେ ଏହା ଏକ ପ୍ରଭାବୀ ସମନ୍ବୟ ସ୍ଥାପନ କରିବ। ଜାତୀୟ ଶିକ୍ଷା ନୀତି 2020ର ପରିକଳ୍ପନା ଅନୁଯାୟୀ, ଛାତ୍ରଛାତ୍ରୀଙ୍କ କୌଶଳ ବିକାଶ ଉପରେ ଅଧିକ ଗୁରୁତ୍ବାରୋପ କରାଯାଇଛି। ଧନ୍ଦାମୂଳକ ଶିକ୍ଷାର ସମ୍ପ୍ରସାରଣ ଲାଗି ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଏବଂ କୌଶଳ ବିକାଶ ପାଇଁ ପାଣ୍ଠି ଯୋଗାଣ କରୁଥିବା ଅନ୍ୟ ମନ୍ତ୍ରଣାଳୟ ମଧ୍ୟରେ ସମନ୍ବୟ ସ୍ଥାପନ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ। କେବଳ ବିଦ୍ୟାଳୟ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ନୁହେଁ ବରଂ ବିଦ୍ୟାଳୟ ଛାଡ଼ିଥିବା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ବର୍ତ୍ତମାନର ବିଦ୍ୟାଳୟ, ଆଇଟିଆଇ ଏବଂ ପଲିଟେକ୍ନିକର ଭିତ୍ତିଭୂମିଗୁଡ଼ିକର ସର୍ବୋତ୍ତମ ଉପଯୋଗ କରାଯିବ।
ପ୍ରମୁଖ ପ୍ରଭାବ:
- ଏହି ଯୋଜନାର ଲକ୍ଷ୍ୟ ହେଉଛି, ବିଦ୍ୟାଳୟ ଶିକ୍ଷାର ସାର୍ବଜନୀନ ପ୍ରସାର, ବଞ୍ଚିତ ବର୍ଗ ଏବଂ ଦୁର୍ବଳ ବର୍ଗଙ୍କୁ ସାମିଲ କରି ସମାବେଶୀତାକୁ ପ୍ରୋତ୍ସାହନ ଏବଂ ସମସ୍ତ ବିଦ୍ୟାଳୟ ଶିକ୍ଷା ସ୍ତରରେ ଶିକ୍ଷାର ଗୁଣବତ୍ତାରେ ସୁଧାର ଆଣିବା। ଯୋଜନାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ନିମ୍ନ କ୍ଷେତ୍ରରେ ସହାୟତା କରିବା :
- ଜାତୀୟ ଶିକ୍ଷା ନୀତି 2020 (ଏନଇପି 2020)ର ସୁପାରିସକୁ କାର୍ଯ୍ୟକାରୀ କରିବା;
- ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ(ଆରଟିଇ), 2009ର କାର୍ଯ୍ୟକାରିତା;
- ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ଉପରେ ଗୁରୁତ୍ବ;
- ଛାତ୍ରଛାତ୍ରୀଙ୍କୁ ଏକବିଂଶ ଶତାବ୍ଦୀର କୌଶଳ ପ୍ରଦାନ କରିବା ଲାଗି ସାମଗ୍ରିକ, ସମନ୍ବିତ, ସମାବେଶୀ ଏବଂ ଅଭ୍ୟାସ ଆଧାରିତ ପାଠ୍ୟକ୍ରମ ଏବଂ ଶିକ୍ଷା ବିଜ୍ଞାନ ଉପରେ ଗୁରୁତ୍ବ;
- ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ଏବଂ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପରିଣାମ ବୃଦ୍ଧି ନିମନ୍ତେ ବ୍ୟବସ୍ଥା;
- ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ସାମାଜିକ ଓ ଲିଙ୍ଗଗତ ବ୍ୟବଧାନ ଦୂର କରିବା;
- ବିଦ୍ୟାଳୟ ଶିକ୍ଷାର ସମସ୍ତ ସ୍ତରରେ ସମାନତାପୂର୍ଣ୍ଣ ଏବଂ ସମାବେଶୀ ଶିକ୍ଷାଦାନ ସୁନିଶ୍ଚିତ କରିବା;
- ଶିକ୍ଷକଙ୍କ ତାଲିମ ପାଇଁ ନୋଡାଲ ଏଜେନ୍ସି ଭାବେ ରାଜ୍ୟ ଗବେଷଣା ଓ ଶିକ୍ଷା ପରିଷଦ (ଏସସିଇଆରଟି)/ରାଜ୍ୟ ଶିକ୍ଷା ସଂସ୍ଥାନ ଏବଂ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ସଂସ୍ଥାନ (ଡିଆଇଇଟି)ଗୁଡ଼ିକର ସୁଦୃଢ଼ୀକରଣ ଏବଂ ଉନ୍ନତିକରଣ;
- ସୁରକ୍ଷିତ, ନିରାପଦ ଏବଂ ଅନୁକୂଳ ପାଠପଢ଼ା ପରିବେଶ ସୁନିଶ୍ଚିତ କରିବା ଏବଂ ବିଦ୍ୟାଳୟ ଶିକ୍ଷାଦାନ ବ୍ୟବସ୍ଥାର ମାନ ବଜାୟ ରଖିବା ଏବଂ ଧନ୍ଦାମୂଳକ ଶିକ୍ଷାର ପ୍ରୋତ୍ସାହନ;
ଆତ୍ମନିର୍ଭର ଭାରତ :
- ଜାତୀୟ ବିକାଶରେ ମୌଳିକ ଦକ୍ଷତାର ପ୍ରମୁଖ ଭୂମିକାକୁ ସ୍ବୀକାର କରି ‘ଆତ୍ମନିର୍ଭର ଭାରତ’ ଅଭିଯାନରେ ଏହା ଘୋଷଣା କରାଯାଇଥିଲା ଯେ ଏକ ଜାତୀୟ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଶାସ୍ତ୍ର ମିଶନ ବା ନ୍ୟାସନାଲ ଫାଉଣ୍ଡେସନ ଲିଟେରାସି ଓ ନ୍ୟୁମୋରେସି ମିଶନର ଶୁଭାରମ୍ଭ କରାଯିବ। ଯାହାଫଳରେ 2026-27 ସୁଦ୍ଧା ଦେଶର ପ୍ରତ୍ୟେକ ଶିଶୁ ତୃତୀୟ ଶ୍ରେଣୀ ପାଠପଢ଼ା ସରିବା ସୁଦ୍ଧା ଆବଶ୍ୟକ ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଶାସ୍ତ୍ର ଜ୍ଞାନ ହାସଲ କରିପାରିବେ। ଏହି ପରିପ୍ରେକ୍ଷୀରେ, 5 ଜୁଲାଇ 2021ରେ ସମଗ୍ର ଶିକ୍ଷା ଅନ୍ତର୍ଗତ “ଏକ ଜାତୀୟ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ଅଭିଯାନ (ନିପୁଣ ଭାରତ)”ର ଶୁଭାରମ୍ଭ କରାଯାଇଛି।
ପୂର୍ବରୁ ଜାରି ରହିଥିଲେ ଯୋଜନାର ବିବରଣୀ ଓ ଅଗ୍ରଗତି:
- ସାରା ଦେଶରେ ବିଦ୍ୟାଳୟ ଶିକ୍ଷାର ଗୁଣବତ୍ତାରେ ସୁଧାର ଆଣିବା ଏବଂ ବିଦ୍ୟାଳୟ ଶିକ୍ଷାକୁ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସହାୟତା କରିବା ଲାଗି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଭାଗିତାରେ ଏହି ଯୋଜନାକୁ ଏକ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଭାବେ କାର୍ଯ୍ୟକାରୀ କରାଯାଉଛି। ସମଗ୍ର ଶିକ୍ଷାର ଉପଲବ୍ଧିଗୁଡ଼ିକ ନିମ୍ନରେ ଦିଆଗଲା:
- 2018-19ରୁ 2020-2021 ମଧ୍ୟରେ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତରରେ 1160ଟି ବିଦ୍ୟାଳୟର ଉନ୍ନତିକରଣ କରାଯାଇଛି, 54ଟି ନୂଆ ଆବାସିକ ବିଦ୍ୟାଳୟ/ଛାତ୍ରାବାସ ଖୋଲାଯାଇଛି, 41180 ବିଦ୍ୟାଳୟର ସଦୃଢ଼ିକରଣ (ଅତିରିକ୍ତ ଶ୍ରେଣୀଗୃହ ସମେତ) କରାଯାଇଛି, 13.51 ଲକ୍ଷ ବିଦ୍ୟାଳୟରେ ପାଠାଗାର ବ୍ୟବସ୍ଥା କରାଯାଇଛି, 13.14 ଲକ୍ଷ ବିଦ୍ୟାଳୟକୁ କ୍ରୀଡ଼ା ସରଞ୍ଜାମ ଯୋଗାଇ ଦିଆଯାଇଛି, 12633ଟି ବିଦ୍ୟାଳୟକୁ ଆଇସିଟି ଏବଂ ଡିଜିଟାଲ ଯୋଜନାରେ ସାମିଲ କରାଯାଇଛି, 5579 ବିଦ୍ୟାଳୟକୁ ଧନ୍ଦାମୂଳକ ଶିକ୍ଷାରେ ସାମିଲ କରାଯାଇଛି, 783ଟି କେଜିବିଭିକୁ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଉନ୍ନୀତ କରାଯାଇଥିବା ବେଳେ 925 କେଜିବିଭିକୁ ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଉନ୍ନୀତ କରାଯାଇଛି ଏବଂ 11562 ପୃଥକ ବାଳିକା ଶୌଚାଳୟ ନିର୍ମାଣ କରାଯାଇଛି।
- ଏହାଛଡ଼ା, 2018-2019 ସମୟରେ, 4.78 ଲକ୍ଷ ସ୍କୁଲ ଛାଡ଼ିଥିବା ପିଲାମାନଙ୍କୁ ପ୍ରାଥମିକ ସ୍ତରରେ ସ୍ବତନ୍ତ୍ର ଶିକ୍ଷାଦାନ କରାଯାଇଛି, 4.24 ଲକ୍ଷ ପିଲାମାନଙ୍କୁ ପରିବହନ ଓ ଯାତାୟାତ ସୁବିଧା ଯୋଗାଇ ଦିଆଯାଇଛି, 16.76 ଲକ୍ଷ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଅଧିକାର ଆଇନର ଧାରା 12(l)(c) ଅଧୀନରେ ଅନ୍ତର୍ଭୂକ୍ତ କରାଯାଇଛି, 6.96 କୋଟି ପିଲାମାନଙ୍କୁ ମାଗଣାରେ ୟୁନିଫର୍ମ ଯୋଗାଇ ଦିଆଯାଇଛି, 8.72 କୋଟି ପିଲାଙ୍କୁ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଛି, 0.74 କୋଟି ଛାତ୍ରଛାତ୍ରୀଙ୍କୁ ପ୍ରତିକାରକ ଶିକ୍ଷାଦାନ କରାଯାଇଛି, 14.58 ଲକ୍ଷ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି, 69173 ବିଦ୍ୟାଳୟରେ ବାଳିକାମାନଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ ଦିଆଯାଇଛି, 3.79 ଲକ୍ଷ ସିଡବ୍ଲୁଏସଏନ ବାଳିକାମାନଙ୍କୁ ଷ୍ଟାଇପେଣ୍ଡ ଯୋଗାଇ ଦିଆଯାଇଛି ଏବଂ 23183 ସ୍ବତନ୍ତ୍ର ଶିକ୍ଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।
- ଏହାଛଡ଼ା, 2019-2020 ସମୟରେ, 5.07 ଲକ୍ଷ ସ୍କୁଲ ଛାଡ଼ିଥିବା ପିଲାମାନଙ୍କୁ ପ୍ରାଥମିକ ସ୍ତରରେ ସ୍ବତନ୍ତ୍ର ଶିକ୍ଷାଦାନ କରାଯାଇଛି, 6.78 ଲକ୍ଷ ପିଲାମାନଙ୍କୁ ପରିବହନ ଓ ଯାତାୟାତ ସୁବିଧା ଯୋଗାଇ ଦିଆଯାଇଛି, 21.58 ଲକ୍ଷ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଅଧିକାର ଆଇନର ଧାରା 12(l)(c) ଅଧୀନରେ ଅନ୍ତର୍ଭୂକ୍ତ କରାଯାଇଛି, 6.89 କୋଟି ପିଲାମାନଙ୍କୁ ମାଗଣାରେ ୟୁନିଫର୍ମ ଯୋଗାଇ ଦିଆଯାଇଛି, 8.78 କୋଟି ପିଲାଙ୍କୁ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଛି, 1.76 କୋଟି ଛାତ୍ରଛାତ୍ରୀଙ୍କୁ ପ୍ରତିକାରକ ଶିକ୍ଷାଦାନ କରାଯାଇଛି, 28.84 ଲକ୍ଷ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି, 166528 ବିଦ୍ୟାଳୟରେ ବାଳିକାମାନଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ ଦିଆଯାଇଛି, 3.22 ଲକ୍ଷ ସିଡବ୍ଲୁଏସଏନ ବାଳିକାମାନଙ୍କୁ ଷ୍ଟାଇପେଣ୍ଡ ଯୋଗାଇ ଦିଆଯାଇଛି ଏବଂ 24030 ସ୍ବତନ୍ତ୍ର ଶିକ୍ଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।
- ଏହାଛଡ଼ା, 2020-2021ରେ, 3.23 ଲକ୍ଷ ସ୍କୁଲ ଛାଡ଼ିଥିବା ପିଲାମାନଙ୍କୁ ପ୍ରାଥମିକ ସ୍ତରରେ ସ୍ବତନ୍ତ୍ର ଶିକ୍ଷାଦାନ କରାଯାଇଛି, 2.41 ଲକ୍ଷ ପିଲାମାନଙ୍କୁ ପରିବହନ ଓ ଯାତାୟାତ ସୁବିଧା ଯୋଗାଇ ଦିଆଯାଇଛି, 32.67 ଲକ୍ଷ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଅଧିକାର ଆଇନର ଧାରା 12(l)(c) ଅଧୀନରେ ଅନ୍ତର୍ଭୂକ୍ତ କରାଯାଇଛି, 6.57 କୋଟି ପିଲାମାନଙ୍କୁ ମାଗଣାରେ ୟୁନିଫର୍ମ ଯୋଗାଇ ଦିଆଯାଇଛି, 8.84 କୋଟି ପିଲାଙ୍କୁ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଛି, 1.44 କୋଟି ଛାତ୍ରଛାତ୍ରୀଙ୍କୁ ପ୍ରତିକାରକ ଶିକ୍ଷାଦାନ କରାଯାଇଛି, 14.32 ଲକ୍ଷ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି, 81288 ବିଦ୍ୟାଳୟରେ ବାଳିକାମାନଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ ଦିଆଯାଇଛି, 3.52 ଲକ୍ଷ ସିଡବ୍ଲୁଏସଏନ ବାଳିକାମାନଙ୍କୁ ଷ୍ଟାଇପେଣ୍ଡ ଯୋଗାଇ ଦିଆଯାଇଛି ଏବଂ 22990 ସ୍ବତନ୍ତ୍ର ଶିକ୍ଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।
**********
P.S
(Release ID: 1742504)
|