ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅକ୍ସିଜେନ ଓ ଔଷଧର ଉପଲବ୍ଧତା ଏବଂ ଯୋଗାଣର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଔଷଧର ଉତ୍ପାଦନ ବୃଦ୍ଧି ପାଇଁ ଭାରତ ସରକାର ଉତ୍ପାଦନକାରୀଙ୍କ ସହ ନିୟମିତ ଯୋଗାଯୋଗରେ ରହୁଛନ୍ତି ଓ ଆବଶ୍ୟକ ସମସ୍ତ ସହାୟତା ଯୋଗାଇ ଦେଉଛନ୍ତି

ବିଗତ କିଛି ସପ୍ତାହ ହେଲା ରେମଡେସିଭିର ସମେତ ସମସ୍ତ ଔଷଧର ଉତ୍ପାଦନ ଯଥେଷ୍ଟ ମାତ୍ରାରେ ବୃଦ୍ଧି କରାଯାଇଛି

ପ୍ରଥମ ଲହରିର ଶୀର୍ଷ ସଂକ୍ରମଣ ବେଳେ ଯେଉଁ ମାତ୍ରାରେ ଅକ୍ସିଜେନ ଯୋଗାଣ ହେଉଥିଲା, ଏବେ ତାହା ୩ ଗୁଣାରୁ ଅଧିକ ବୃଦ୍ଧି ପାଇଛି

Posted On: 12 MAY 2021 9:14PM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଅକ୍ସିଜେନ ଓ ଔଷଧର ଉପଲବ୍ଧତା ଏବଂ ଯୋଗାଣର ସମୀକ୍ଷା ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ।

 

କୋଭିଡ ଏବଂ ମ୍ୟୁକୋରମାଇକୋସିସର ପରିଚାଳନାରେ ବ୍ୟବହୃତ ହେଉଥିବା ଔଷଧର ଯୋଗାଣକୁ ସରକାର ସକ୍ରିୟ ଭାବେ ତଦାରଖ କରୁଥିବା ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କୁ ମନ୍ତ୍ରୀ ଜଣାଇଥିଲେ ଯେ ଉତ୍ପାଦନ ବୃଦ୍ଧି ପାଇଁ ଔଷଧ ନିର୍ମାତାଙ୍କ ସହ ସେମାନେ ନିୟମିତ ଭାବେ ଯୋଗାଯୋଗରେ ରହିବା ସହ ସମସ୍ତ ଆବଶ୍ୟକ ସହାୟତା ଯୋଗାଉଛନ୍ତି । ପ୍ରତ୍ୟେକ ଔଷଧ ନିମନ୍ତେ ଏପିଆଇର ବର୍ତ୍ତମାନ ଉତ୍ପାଦନ ଓ ଭଣ୍ଡାରଣ ବାବଦରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା । ଆବଶ୍ୟକ ପରିମାଣରେ ଔଷଧ ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯାଉଥିବା ନେଇ ମଧ୍ୟ ଆଲୋଚନା ହୋଇଥିଲା । ଗତ କିଛି ସପ୍ତାହ ହେଲା ରେମଡେସିଭିର ସମେତ ସମସ୍ତ ଔଷଧର ଉତ୍ପାଦନ ଯଥେଷ୍ଟ ମାତ୍ରାରେ ବୃଦ୍ଧି କରାଯାଇଥିବା ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଏକ ଅତ୍ୟନ୍ତ ଉତ୍ସାହୀ ଫାର୍ମା କ୍ଷେତ୍ର ରହିଛି ଏବଂ ସେମାନଙ୍କ ସହିତ ସରକାରଙ୍କ ନିରନ୍ତର ସମନ୍ୱୟ ଦେଶରେ ସମସ୍ତ ଔଷଧର ଉପଯୁକ୍ତ ଉପଲବ୍ଧତାକୁ ସୁନିଶ୍ଚିତ କରିବ ।

 

ଏହାବ୍ୟତୀତ ଦେଶରେ ଅକ୍ସିଜେନର ଉପଲବ୍ଧତା ଓ ଯୋଗାଣ ସଂକ୍ରାନ୍ତରେ ମଧ୍ୟ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ । କରୋନା ସଂକ୍ରମଣର ପ୍ରଥମ ଲହରି ବେଳେ ଯେଉଁ ମାତ୍ରାର ଅକ୍ସିଜେନ ଯୋଗାଣ ହେଉଥିଲା, ଏବେ ତାହାର ୩ ଗୁଣାରୁ ଅଧିକ ଯୋଗାଣ ହେଉଥିବା ନେଇ ଆଲୋଚନା ହୋଇଥିଲା । ଅକ୍ସିଜେନ ରେଲର ପରିଚାଳନା ଏବଂ ବାୟୁସେନା ବିମାନ ଦ୍ୱାରା ଯୋଗାଇ ଦିଆଯାଉଥିବା ସହାୟତା ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରାଯାଇଥିଲା । ଦେଶରେ ଅକ୍ସିଜେନ କନସେଣ୍ଟ୍ରେଟର, ଅକ୍ସିଜେନ ସିଲିଣ୍ଡରର ସଂଗ୍ରହଣ ସ୍ଥିତି ଓ ଦେଶବ୍ୟାପୀ ସ୍ଥାପନ ହେଉଥିବା ପିଏସଏ ପ୍ଲାଣ୍ଟଗୁଡ଼ିକର ସ୍ଥିତି ବାବଦରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ।

 

ଏକ ସମୟୋଚିତ ଢଙ୍ଗରେ ଭେଣ୍ଟିଲେଟରଗୁଡ଼ିକର ପରିଚାଳନା ଏବଂ ଉତ୍ପାଦନକାରୀଙ୍କ ସହାୟତାରେ ବୈଷୟିକ ତଥା ତାଲିମ ସଂକ୍ରାନ୍ତ ସମସ୍ୟାର ପ୍ରତିକାର କରିବା ଲାଗି ରାଜ୍ୟଗୁଡ଼ିକୁ କୁହାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

****

SR



(Release ID: 1718398) Visitor Counter : 202