ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଶ୍ୱ ଜଳ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ‘ଜଳଶକ୍ତି ଅଭିଯାନ: ‘କ୍ୟାଚ ଦି ରେନ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଐତିହାସିକ କେନ-ବେତୱା ନଦୀ ସଂଯୋଗ ବୁଝାମଣାପତ୍ର ସ୍ୱାକ୍ଷରିତ

ଭାରତର ପ୍ରଗତି ଓ ଆତ୍ମ ନିର୍ଭରଶୀଳତା ଜଳ ନିରାପତ୍ତା ଓ ଜଳ ସଂଯୋଗ ଉପରେ ନିର୍ଭରଶୀଳ: ପ୍ରଧାନମନ୍ତ୍ରୀ

ଜଳର ମାନ ପରୀକ୍ଷାକୁ ଅତି ଗୁରୁତର ସହିତ ଗ୍ରହଣ କରାଯାଇଛି: ଶ୍ରୀ ମୋଦୀ

Posted On: 22 MAR 2021 2:25PM by PIB Bhubaneshwar

ବିଶ୍ୱ ଜଳଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଜଳଶକ୍ତି ଅଭିଯାନକ୍ୟାଚ ଦି ରେନ୍‌କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କେନ୍‌-ବେଟୁଆ ନଦୀ ସଂଯୋଗ ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଏବଂ ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ଐତିହାସିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ନଦୀ ସଂଯୋଗ ଯୋଜନାରେ ଜାତୀୟସ୍ତରର ଏହା ପ୍ରଥମ ପ୍ରକଳ୍ପ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଆଜି ମଧ୍ୟ ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଜସ୍ଥାନ, ଉତ୍ତରାଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଗୁଜରାଟର ସରପଞ୍ଚ ଓ ୱାର୍ଡ ପଞ୍ଚମାନଙ୍କ ସହ ମତବିନିମୟ କରିଛନ୍ତି ।

          ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆନ୍ତର୍ଜାତିକ ଜଳ ଦିବସରେ କ୍ୟାଚ ଦି ରେନ୍‌ର ଶୁଭାରମ୍ଭ ସହିତ କେନ-ବେତୱା ସଂଯୋଗ କେନାଲ ଖନନ ପାଇଁ ବଡ ପଦକ୍ଷେପ ଗ୍ରହଣ କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନଦୀ ସଂଯୋଗ ସ୍ୱପ୍ନକୁ ସାକାର କରିବା ପାଇଁ ଆଜିର ଚୁକ୍ତିନାମା ବିଶେଷ ଗୁରୁତ୍ୱପୂର୍ଣ୍ଣ । ଏହି ଦୁଇ ନଦୀ ମଧ୍ୟରେ ସଂଯୋଗ ସ୍ଥାପନ ହେଲେ ମଧ୍ୟପ୍ରଦେଶ ଏବଂ ଉତର ପ୍ରଦେଶର ଲକ୍ଷ ଲକ୍ଷ ପରିବାର ଉପକୃତ ହେବେ । ଜଳ ନିରାପତା ଓ ସଫଳ ଜଳ ପରିଚାଳନା ବିନା ଦ୍ରୁତ ପ୍ରଗତି ସମ୍ଭବ ନୁହେଁ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର ବିକାଶ ଲକ୍ଷ୍ୟ ଓ ଏହାର ଆତ୍ମନିର୍ଭରଶୀଳତା ଆମ ଜଳସମ୍ପଦ ଏବଂ ଜଳସଂଯୋଗର ସଫଳତା ଉପରେ ନିର୍ଭରଶୀଳ ।

          ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ପ୍ରଗତି ସହିତ ତାଳଦେଇ ସମାନଭାବେ ଜଳସମ୍ପଦ ବଢିଚାଲିଛିଭବିଷ୍ୟତ ପିଢିର ଜଳ ଆବଶ୍ୟକତା ପୂରଣ କରିବା ଦାୟିତ୍ୱ ବର୍ତ୍ତମାନ ପିଢି ଉପରେ ନ୍ୟସ୍ତ । ଭାରତ ସରକାର ନିଜର ନୀତି ଓ ନିଷ୍ପତ୍ତିରେ ଜଳ ପ୍ରଶାସନ ଓ ସୁପରିଚାଳନାକୁ ଅଗ୍ରାଧିକାର ପ୍ରଦାନ କରିଛନ୍ତି । ଗତ ୬ବର୍ଷ ମଧ୍ୟରେ ଏ କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି

          ସେ କହିଛନ୍ତି ଯେ, କୃଷି ସିଞ୍ଚାଇ ଯୋଜନା, ସବୁ କ୍ଷେତକୁ ପାଣି, ପ୍ରତି ଜଳବିନ୍ଦୁରେ ଅଧିକ ଫସଲ ଅମଳ, ନମାମୀ ଗଙ୍ଗେ, ଜଳଜୀବନ ମିଶନ ଓ ଅଟଳ ଭୂଜଳ ଯୋଜନା ଆଦି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ଜଳପରିଚାଳନା ଓ ସଂରକ୍ଷଣ ପାଇଁ କାର୍ଯ୍ୟ କରୁଛନ୍ତି । ଏସବୁ ଯୋଜନାରେ ବିଭିନ୍ନ କାମ ଦୃତଗତିରେ ଚାଲିଥିବା ପ୍ରଧାନମନ୍ତ୍ରୀ ସୂଚାଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ, ଭାରତ ଯେତେ ଭଲ ଭାବରେ ବର୍ଷା ଜଳର ପରିଚାଳନା କରିବ, ଭୂତଳ ଜଳ ଉପରେ ନିର୍ଭରଶୀଳତା ସେତେ କମ୍ ହେବ । ସେଥିପାଇଁ କ୍ୟାଚ ଦି ରେନ ବା ବର୍ଷା ପାଣିକୁ ସାଇତି ରଖ ଅଭିଯାନ ଆରମ୍ଭ ହୋଇଛି ଏବଂ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେ କହିଛନ୍ତି ଯେ, ଉଭୟ ସହର ଓ ଗ୍ରାମାଞ୍ଚଳକୁ ଜଳଶକ୍ତି ଅଭିଯାନରେ ସାମିଲ କରାଯାଇଛି । ମୌସୁମୀ ବର୍ଷା ଆଗମନ ପର୍ଯ୍ୟନ୍ତ ଦେଶରେ ଜଳ ସଂରକ୍ଷଣ ଉଦ୍ୟମକୁ ତ୍ୱରାନ୍ୱିତ କରିବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି ।

          ଜଳ ଶପଥ କାର୍ଯକ୍ରମରେ ପ୍ରଧାନମନ୍ତ୍ରୀ ଦେଶର ସରପଞ୍ଚ ଓ ଜିଲ୍ଲାପାଳମାନଙ୍କ ଗୁରୁ ଦାୟିତ୍ୱ କଥା ସ୍ମରଣ କରାଇ ଦେଇଛନ୍ତି । ଦେଶବ୍ୟାପୀ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ସମସ୍ତେ ଯେପରି ଶପଥ ନିଅନ୍ତି, ତାହା ନିଶ୍ଚିତ କରିବାକୁ ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି  ଯେ, ଆମ ସ୍ୱାଭାବ ଯେତେବେଳେ ବଦଳିଯାଏ, ବିଶେଷକରି ଜଳର ବ୍ୟବହାର ଉପଯୋଗ ଘେନି ଆମ ବ୍ୟବହାରରେ ଯେତେବେଳେ ପରିବର୍ତନ ଘଟେ, ସେତେବେଳେ ପ୍ରକୃତି ମଧ୍ୟ ଆମକୁ ସାହାଯ୍ୟ କରିଥାଏ ।

          ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବର୍ଷାଜଳ ଅମଳ ବ୍ୟତୀତ ନଦୀ ଜଳର ସୁପରିଚାଳନ ଘେନି ଆମ ଦେଶରେ ଦଶନ୍ଧି ଦଶନ୍ଧି ଧରି ଚର୍ଚ୍ଚା ହୋଇଆସୁଛି । ଦେଶକୁ ଜଳସଙ୍କଟର ରକ୍ଷା କରିବା ପାଇଁ ଏ ଦିଗରେ ଏବେ ଦ୍ରୁତଗତିରେ କାମ କରିବାର ଆବଶ୍ୟକତା ରହିଛି । କେନ-ବେଟୁଆ ନଦୀ ସଂଯୋଗ ପ୍ରକଳ୍ପ ଏହି ବୃହତର ଲକ୍ଷ୍ୟର ଅଂଶବିଶେଷ । ଏହି ପ୍ରକଳ୍ପକୁ ବାସ୍ତବ ରୂପ ଦେବାରେ ସହଯୋଗ ଯୋଗାଇ ଥିବାରୁ ସେ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଶଂସା କରିଛନ୍ତି ।

          ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମାତ୍ର ୧.୫ବର୍ଷ ଆଗରୁ ଆମର ୧୯ କୋଟି ଗ୍ରାମୀଣ ପରିବାର ମଧ୍ୟରୁ ୩.୫କୋଟି ପରିବାର ପାଇପ ଯୋଗେ ପାନୀୟ ଜଳର ସୁବିଧା ପାଇଥିଲେ । ଜଳ ଜୀବନ ମିଶନ କାର୍ଯ୍ୟକାରୀ ହେବା ପରେ ପ୍ରାୟ ୪କୋଟି ନୂଆ ପରିବାର ଏହି ପାନୀୟ ଜଳ ସୁବିଧା ଅତି କମ୍ ସମୟରେ ପାଇପାରିଛନ୍ତି । ଏହି ସଫଳତାରେ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହିତ ଜଳଜୀବନ ମିଶନର ସଫଳତା ପଛରେ ଥିବା ଜନ ସହଯୋଗ ଓ ସ୍ଥାନୀୟ ସ୍ୱାୟତ ଶାସନ ସଂସ୍ଥାଗୁଡିକର ଭୂମିକାକୁ ପ୍ରଶଂସା କରିଛନ୍ତି ।

          ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଏକ ସରକାର ଦେଶରେ ଜଳର ମାନ ପରୀକ୍ଷାକୁ ଅତ୍ୟନ୍ତ ଗୁରୁତର ସହ ଗ୍ରହଣ କରି ସେ ଦିଗରେ କାମ କରୁଛନ୍ତି । ଏହି ଜଳ ପରୀକ୍ଷଣ ଅଭିଯାନରେ ଗ୍ରାମାଞ୍ଚଳ ଭଉଣୀ ଓ ଝିଅମାନଙ୍କୁ ଅଂଶୀଦାର କରାଯାଇଛି । କରୋନା ମହାମାରୀ ସଂକ୍ରମଣ ସମୟରେ ପ୍ରାୟ ୪.୫ଲକ୍ଷ ମହିଳାଙ୍କୁ ଜଳ ପରୀକ୍ଷଣ ତାଲିମ ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ  ଗ୍ରାମରେ ଅତି କମ୍‌ରେ ୫ ଜଣ ତାଲିମପ୍ରାପ୍ତ ମହିଳାଙ୍କୁ ପାଣି ପରୀକ୍ଷା ପାଇଁ ରଖାଯାଇଛି । ଜଳ ଶାସନରେ ମହିଳାମାନଙ୍କର ଅଧିକ ଅଂଶଗ୍ରହଣ ଫଳରେ ଏ କ୍ଷେତ୍ରରେ ଆହୁରି ଭଲ ଫଳ ନିଶ୍ଚିତ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

*****

TKM

 



(Release ID: 1706708) Visitor Counter : 313