ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶାନ୍ତିନିକେତନ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଶତବାର୍ଷିକ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

• ବିଶ୍ୱଭାରତୀର ଯାତ୍ରା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ: ପ୍ରଧାନମନ୍ତ୍ରୀ

• ବିଶ୍ୱଭାରତୀ ପାଇଁ ଗୁରୁଦେବଙ୍କ ଦୂରଦୃଷ୍ଟି ମଧ୍ୟ ଆତ୍ମନିର୍ଭର ଭାରତର ସାରମର୍ମ: ଶ୍ରୀ ମୋଦୀ

Posted On: 24 DEC 2020 2:02PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଶାନ୍ତିନିକେତନ ସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକ ଉତ୍ସବରେ ଉଦ୍‌ବୋଧନ ଦେଇଛନ୍ତି ।

ଏହି ଅବସରରେ ସେ କହିଛନ୍ତି ଯେ ବିଶ୍ୱଭାରତୀର ଏକଶତ ବର୍ଷର ଯାତ୍ରା ଅତୀବ ସ୍ୱତନ୍ତ୍ର ଏବଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ । ଏହି ବିଶ୍ୱବିଦ୍ୟାଳୟ ଗୁରୁଦେବଙ୍କ ବିଚାର, ଦୂରଦୃଷ୍ଟି ଏବଂ ମା’ ଭାରତୀଙ୍କ ପାଇଁ କଠିନ ପରିଶ୍ରମର ମୂର୍ତ୍ତିମନ୍ତ ପ୍ରତୀକ । ବିଶ୍ୱଭାରତୀ, ଶ୍ରୀନିକେତନ ଏବଂ ଶାନ୍ତିନିକେତନ ନିରବଚ୍ଛିନ୍ନଭାବେ ଗୁରୁଦେବଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟକୁ ପୂରଣ କରିବା ପାଇଁ କାର୍ଯ୍ୟ କରୁଥିବା ଆନନ୍ଦର ବିଷୟ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ବିଶ୍ୱଭାରତୀରୁ ଆସୁଥିବା ବାର୍ତ୍ତାକୁ ଆମ ଦେଶ ସମଗ୍ର ବିଶ୍ୱରେ ସଂପ୍ରସାରିତ କରୁଛି । ଏବେ ଭାରତ ପରିବେଶ ସୁରକ୍ଷା କ୍ଷେତ୍ରରେ ବିଶ୍ୱକୁ ନେତୃତ୍ୱ ଦେଉଛି । ଆନ୍ତର୍ଜାତିକ ସୌରମେଣ୍ଟ ଗଠନ ମାଧ୍ୟମରେ ପ୍ରଦୂଷଣକୁ ହ୍ରାସ କରି ପରିବେଶକୁ ସୁରକ୍ଷିତ କରିବାକୁ ଉଦ୍ୟମ କରାଯାଉଛି । ସେ କହିଛନ୍ତି ଯେ ଭାରତ ବିଶ୍ୱର ଏକମାତ୍ର ବଡ଼ ଦେଶ, ଯିଏ କି ପ୍ୟାରିସ ଚୁକ୍ତି ଅନୁସାରେ ପରିବେଶ ସୁରକ୍ଷାଜନିତ ଲକ୍ଷ୍ୟ ହାସଲ ପାଇଁ ଠିକ୍‌ ରାସ୍ତାରେ କାର୍ଯ୍ୟ କରୁଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁ ପରିସ୍ଥିତିରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଚିନ୍ତା କରାଯାଇଥିଲା ସେ ଭାବନାକୁ ସ୍ମରଣ କରିବାର ସମୟ ଆସିଛି । ସ୍ୱାଧୀନତା ସଂଗ୍ରାମର ଲକ୍ଷ୍ୟ ସହିତ ଏହି ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ ଏକା ପ୍ରକାରର ଥିଲା । ଆହୁରି ମଧ୍ୟ ଏହା ସତ୍ୟ ଯେ ଏସବୁ ଆନ୍ଦୋଳନର ମୂଳଦୁଆ ଦେଶରେ ଯଥେଷ୍ଟ ଆଗରୁ ପଡିଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ସ୍ୱାଧୀନତା ସଂଗ୍ରାମ ଦେଶରେ ଶତାବ୍ଦୀ ଶତାବ୍ଦୀ ଧରି ଚାଲିଥିବା ବିଭିନ୍ନ ଆନ୍ଦୋନରୁ ଶକ୍ତି ପାଇଥିଲା । ଭକ୍ତି ଆନ୍ଦୋଳନ ଭାରତର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଏକତାକୁ ସୁଦୃଢ କରିଥିଲା । ଭକ୍ତି ଆନ୍ଦୋଳନ ସମୟରେ ଭାରତର ବିଭିନ୍ନ ଅଞ୍ଚଳରେ ସାଧୁସନ୍ଥମାନେ ଦେଶର ଚେତନାକୁ ଜାଗ୍ରତ କରି ରଖିଥିଲେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଏକ ସଂଘର୍ଷରତ ଭାରତକୁ ମିଳିତ ଚେତନା ଓ ଆତ୍ମବିଶ୍ୱାସ ଶତାବ୍ଦୀ ଶତାବ୍ଦୀ ଧରି ଯୋଗାଇ ଦେବା ପାଇଁ ଭକ୍ତି ଆନ୍ଦୋଳନ ଏକ ପ୍ରବେଶ ଦ୍ୱାର ଥିଲା ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶ୍ରୀରାମକୃଷ୍ଣ ପରମହଂସଙ୍କ ପାଇଁ ଭାରତ ସ୍ୱାମୀ ବିବେକାନନ୍ଦଙ୍କୁ ପାଇଥିଲା । ସ୍ୱାମୀ ବିବେକାନନ୍ଦଙ୍କଠାରେ ଧ୍ୟାନ, ଜ୍ଞାନ ଓ କର୍ମ ଏ ତିନିଟିଯାକ ନିମଜ୍ଜିତ ହୋଇଯାଇଥିଲା । ଶ୍ରୀ ମୋଦୀ କହିଛନ୍ତି ଯେ ସ୍ୱାମୀ ବିବେକାନନ୍ଦ ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ଦେବତ୍ୱ ଦେଖିବାକୁ ଆରମ୍ଭ କରିଥିଲେ । ସେ ଏଥିସହିତ ଭକ୍ତି ପରିସରକୁ ସଂପ୍ରସାରିତ କରି କର୍ମର ପରିପ୍ରକାଶ ଘଟାଇଥିଲେ ଏବଂ ବ୍ୟକ୍ତି ଓ ଅନୁଷ୍ଠାନ ସୃଷ୍ଟି ଉପରେ ଗୁରୁତ୍ୱ ଦେଇଥିଲେ । ଦେଶର ବିଭିନ୍ନ ଭାଗର ଭକ୍ତି ଆନ୍ଦୋଳନର ମହାନ୍‌ ସନ୍ଥମାନେ ଏକ ଦୃଢ ମୂଳଦୁଆ ସ୍ଥାପନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭକ୍ତି ଆନ୍ଦୋଳନର ଶହ ଶହ ବର୍ଷ ପରେ ଭାରତରେ କର୍ମ ଆନ୍ଦୋଳନ ମଧ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ସେ ଛତ୍ରପତି ଶିବାଜୀ, ମହାରଣା ପ୍ରତାପ, ଝାନ୍ସୀ ରାଣୀ, ରାଣୀ ଚିନ୍ନେମ୍ମା, ଭଗବାନ ବୀର୍ସା ମୁଣ୍ଡା ଏବଂ ଆହୁରି ଅନେକ ଯୋଦ୍ଧା ଓ ବୀରଙ୍କର ଉଦାହରଣ ଦେଇଥିଲେ । ସେ କହିଥିଲେ ଯେ ଦୀର୍ଘକାଳ ଧରି ଭାରତର ଲୋକମାନେ ଦାସତ୍ୱ ଏବଂ ସାମ୍ରାଜ୍ୟବାଦ ବିରୋଧରେ ସଂଗ୍ରାମ କରିଥିଲେ । କଠୋର ପରିଶ୍ରମ, ଆତ୍ମୋତ୍ସର୍ଗ ଏବଂ ଅସୀମ ନିଷ୍ଠା ପ୍ରଦର୍ଶନ କରି ସାଧାରଣ ଭାରତୀୟ ନାଗରିକମାନେ ଏହି ଲଢେଇରେ ସାମିଲ ହୋଇ ଅନ୍ୟାୟ ଏବଂ ଶୋଷଣ ବିରୋଧରେ ସଂଗ୍ରାମ ଜାରି ରଖିଥିଲେ । ବିଦେଶୀ ଶାସନର ଅନ୍ୟାୟ ଓ ଶୋଷଣ ଯେତେବେଳେ ଚରମ ସୀମାରେ ପହଞ୍ଚିଲା ତାହା ଆମର ଭବିଷ୍ୟତର ମୁକ୍ତି ଆନ୍ଦୋଳନକୁ ବଡ଼ ପ୍ରେରଣା ଯୋଗାଇଥିଲା ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭକ୍ତି, କର୍ମ ଓ ଜ୍ଞାନ ଏହି  ତିନି ତତ୍ତ୍ୱ ମୁକ୍ତି ଆନ୍ଦୋଳନର ଚେତନାକୁ ସମୃଦ୍ଧ କରିଥିଲା । ଏହି ସମୟରେ ଦେଶରେ ଏକ ଆଦର୍ଶଗତ ବିପ୍ଳବ ସୃଷ୍ଟିର ଆବଶ୍ୟକତା ରହିଥିଲା । ଜ୍ଞାନର ପ୍ରତିଷ୍ଠା ସହିତ ଭାରତ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ତିଆରି କରିବା ନିମନ୍ତେ ନୂଆ ପିଢି ଗଠନର ଆବଶ୍ୟକତା ଥିଲା । ଜ୍ଞାନଶକ୍ତି ଦ୍ୱାରା ସମୃଦ୍ଧ ଏହି ପିଢିଦ୍ୱାରା ଭାରତ ଯଥାର୍ଥ ମୁକ୍ତି ଆନ୍ଦୋଳନରେ ବିଜୟୀ ହେବାକୁ ଚାହୁଁଥିଲା । ସେ କହିଛନ୍ତି ଯେ ଦେଶର ଅନେକ ମର୍ଯ୍ୟାଦାପୂର୍ଣ୍ଣ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟ ସେତେବେଳେ ଏ  କ୍ଷେତ୍ରରେ ବେଶ୍‌ ବଡ଼ ଭୂମିକା ନିର୍ବାହ କରିଥିଲେ । ଏହିସବୁ ଶିକ୍ଷାନୁଷ୍ଠାନ ନୂଆ ଶକ୍ତି, ନୂଆ ଦିଗ୍‌ଦର୍ଶନ ଏବଂ ନୂଆ ପରାକାଷ୍ଠା ଏହି ଆଦର୍ଶବାଦୀ ଆନ୍ଦୋଳନକୁ ଯୋଗାଇଥିଲେ । ଏହା ଭାରତର ସ୍ୱାଧୀନତା ପାଇଁ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ସାହାଯ୍ୟ କଲା ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ଭକ୍ତି ଆନ୍ଦୋଳନ ଦ୍ୱାରା ଏକୀକୃତ ହୋଇଛୁ । ଜ୍ଞାନ ଆନ୍ଦୋଳନ ଆମକୁ ବୌଦ୍ଧିକ ଶକ୍ତି ଦେଇଛି ଏବଂ କର୍ମ ଆନ୍ଦୋଳନ ଆମକୁ ଆମର ଅଧିକାର ପାଇଁ ଲଢିବାର ସାହସ ଯୋଗାଇଛି । ସେ କହିଛନ୍ତି ଯେ ମୁକ୍ତି ଆନ୍ଦୋଳନ ଯାହା ବାସ୍ତବରେ ଶହ ଶହ ବର୍ଷଧରି ଚାଲିଥିଲା ତାହା ତ୍ୟାଗ, ତପସ୍ୟା ଓ ଭକ୍ତିର ଏକ ଅନୁପମ ଉଦାହରଣ ।  ଏହିସବୁ ଆନ୍ଦୋଳନ ଦ୍ୱାରା ଅନୁପ୍ରାଣିତ ହୋଇ ହଜାର ହଜାର ଜନତା ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇ ଆତ୍ମୋତ୍ସର୍ଗ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ବେଦଠାରୁ ବିବେକାନନ୍ଦଙ୍କ ପର୍ଯ୍ୟନ୍ତ ଜାତୀୟ ଚେତନାର ଧାରା ଗୁରୁଦେବଙ୍କ ଚେତନା ଓ ଜାତୀୟତାବାଦରେ ପ୍ରାଧାନ୍ୟ ଲାଭ କରିଥିଲା । ଏହି ପ୍ରବାହ ଅନ୍ତର୍ମୁଖୀ କିମ୍ବା ସଂକୀର୍ଣ୍ଣ ନ ଥିଲା । ସେ ଭାରତକୁ ସମଗ୍ର ବିଶ୍ୱରୁ ଅଲଗା କରି ରଖିବାକୁ ଚାହୁଁ ନ ଥିଲେ । ଏହି ଲକ୍ଷ୍ୟର ଅର୍ଥ ହେଲା ଯେ ସମଗ୍ର ବିଶ୍ୱ ଭାରତର ଶ୍ରେଷ୍ଠ ବିଷୟଗୁଡିକ ଦ୍ୱାରା ଉପକୃତ ହେଉ ଏବଂ ଦୁନିଆର ଅନ୍ୟତ୍ର ଯାହା ସବୁ ଭଲ କଥା ଅଛି ଭାରତ ମଧ୍ୟ ତାହା ଶିକ୍ଷା କରୁ । ବିଶ୍ୱଭାରତୀ ନାମ ଏହି ବିଚାରକୁ ଚରିତାର୍ଥ କରୁଛି ଏବଂ ଏହା ଭାରତ ଓ ବିଶ୍ୱ ମଧ୍ୟରେ ସଂପର୍କ ସ୍ଥାପନ କଥା ଦର୍ଶାଉଛି । ବିଶ୍ୱଭାରତୀଙ୍କ ପାଇଁ ଗୁରୁଦେବଙ୍କ ଲକ୍ଷ୍ୟ; ଯାହା ତାହା ହିଁ ଆତ୍ମନିର୍ଭର ଭାରତର ସାରକଥା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ଆତ୍ମନିର୍ଭର ଭାରତ ଅଭିଯାନ ମଧ୍ୟ ଭାରତର କଲ୍ୟାଣ ମଧ୍ୟରେ ଜଗତକଲ୍ୟାଣର ମାର୍ଗ । ଏହି ଅଭିଯାନ ଭାରତକୁ ସଶକ୍ତ କରିବା ପାଇଁ ଉଦ୍ଦିଷ୍ଟ ଏକ ଅଭିଯାନ । ଦେଶକୁ ସମୃଦ୍ଧ କରିବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି । ଭାରତ ସମୃଦ୍ଧ ହେଲେ ବିଶ୍ୱ ସମୃଦ୍ଧ ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି ।

 

**********



(Release ID: 1683419) Visitor Counter : 214