ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ-ଲକ୍ସମବର୍ଗ ଭର୍ଚୁଆଲ ସମ୍ମିଳନୀ ଉପରେ ମିଳିତ ବିବୃତି

Posted On: 19 NOV 2020 8:24PM by PIB Bhubaneshwar

1. ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଲକ୍ସମବର୍ଗର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଜାଭିୟର ବେଟେଲ 19 ନଭେମ୍ବର 2020ରେ ପ୍ରଥମ ଥର ପାଇଁ ଭାରତ-ଲକ୍ସମବର୍ଗ ଭର୍ଚୁଆଲ ସମ୍ମିଳନୀ ଆୟୋଜନ କରିଛନ୍ତି ।

2. ଏହି ଅବସରରେ ଉଭୟ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ସିଦ୍ଧାନ୍ତ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ, ସ୍ୱାଧୀନତା, ଆଇନ ଓ ନିୟମ ଓ ମାନବାଧିକାରର ସମ୍ମାନ ଉପରେ ପର୍ଯ୍ୟବସିତ ଭାରତ-ଲକ୍ସମବର୍ଗ ଚମତ୍କାର ସମ୍ପର୍କ ଉପରେ ଆଲୋକପାତ କରିଥିଲେ ।

3. 1948ରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବା ପରଠାରୁ ଅର୍ଥାତ 7 ଦଶନ୍ଧିରୁ ଊର୍ଦ୍ଧ୍ଵ ସମୟ ଧରି ଉଭୟ ରାଷ୍ଟ୍ର ମଧ୍ୟରେ ଥିବା ସୌହାର୍ଦ୍ଦ୍ୟପୂର୍ଣ୍ଣ ତଥା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ବିକାଶ ଉପରେ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ଅବଧି ବେଳେ ଦ୍ୱିପାକ୍ଷିକ ସମ୍ପର୍କ ବେଶ ସମ୍ପ୍ରସାରିତ ହୋଇପାରିଛି ବୋଲି ଉଭୟ ସ୍ୱୀକାର କରିଥିଲେ । ତେବେ ବାଣିଜ୍ୟ, ଅର୍ଥ, ଇସ୍ପାତ, ମହାକାଶ, ଆଇସିଟି, ଉଦ୍ଭାବନ, ଉତ୍ପାଦନ, ଅଟୋମୋଟିଭ, ନିରନ୍ତର ବିକାଶ, ଅକ୍ଷୟ ଶକ୍ତି, ଜଳବାୟୁ ପରିବର୍ତ୍ତନ ଆଦି କ୍ଷେତ୍ରରେ ସହଯୋଗ ବୃଦ୍ଧି ଜରିଆରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ।

4. ଭାରତ ଓ ଲକ୍ସମବର୍ଗ ମଧ୍ୟରେ ଥିବା ଉଚ୍ଚସ୍ତରୀୟ ସହଭାଗିତାକୁ ନେଇ ମଧ୍ୟ ସେମାନେ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ସେମାନେ ମହାମହୀମ ଜାଭିୟର ବେଟେଲଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମକୁ ପୁନଃ ବାସ୍ତବ ରୂପ ଦେବା ପାଇଁ ସହମତି ପ୍ରକାଶ କରିଥିଲେ । କୋଭିଡ-19 ମହାମାରୀକୁ ଦୃଷ୍ଟିରେ ରଖି ତାଙ୍କର ଏହି ଗସ୍ତକୁ ପ୍ରଥମେ ସ୍ଥଗିତ ରଖାଯାଇଥିଲା । ମହାମାରୀ ସ୍ଥିତି ସ୍ୱାଭାବିକ ହେବା ପରେ ଆପୋସ ଆଲୋଚନା ମାଧ୍ୟମରେ ଏହି ଗସ୍ତକୁ ପୁଣି ବାସ୍ତବ ରୂପ ଦିଆଯିବ ।

5. ଉଭୟ ନେତା ଆପୋସ ହିତ ସମ୍ପର୍କିତ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଭାରତ ଏବଂ ଲକ୍ସମବର୍ଗ ମଧ୍ୟରେ କ୍ରମବର୍ଦ୍ଧିଷ୍ଣୁ ସମ୍ପର୍କକୁ ସ୍ୱୀକାର କରିଥିଲେ । ସେମାନେ ଦୁଇ ଦେଶ ମଧ୍ୟରେ ଗଭୀର ବୁଝାମଣା ଏବଂ ସହଯୋଗକୁ ବୃଦ୍ଧି କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧତା ବିନିମୟ କରିଥିଲେ ଏବଂ ଏହି ପ୍ରସଙ୍ଗରେ ସେମାନେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ ଲକ୍ସମବର୍ଗର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟରେ ନିୟମିତ ଦ୍ୱିପାକ୍ଷିକ ପରାମର୍ଶର ଆନୁଷ୍ଠାନିକ ସହଯୋଗକୁ ସ୍ୱାଗତ କରିଥିଲେ ।

ଅର୍ଥନୈତିକ ସମ୍ପର୍କ

6. ଉଭୟ ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ସମ୍ପର୍କକୁ ସ୍ୱାଗତ କରିଥିଲେ ଏବଂ ଭାରତ ଓ ଲକ୍ସମବର୍ଗର କମ୍ପାନିଗୁଡ଼ିକ ଉଭୟ ଦେଶରେ ନିଜ ଉପସ୍ଥିତି ବୃଦ୍ଧି କରୁଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ପ୍ରସଙ୍ଗରେ ବ୍ୟବସାୟିକ ସହଯୋଗର ନୂଆ ସୁଯୋଗ ଖୋଜିବା ପାଇଁ ସେମାନ ସହମତ ହୋଇଥିଲେ । ଦୁଇ ପ୍ରଧାନମନ୍ତ୍ରୀ ଭାରତୀୟ ଏବଂ ଲକ୍ସମବର୍ଗ କମ୍ପାନିଗୁଡ଼ିକ ମଧ୍ୟରେ ପାରସ୍ପରିକ ବ୍ୟବସାୟିକ ସହଯୋଗର ସମର୍ଥନକୁ ଆହୁରି ବିକଶିତ କରିବା ପାଇଁ ଇନଭେଷ୍ଟ ଇଣ୍ଡିଆ ଓ ଲକ୍ସିନୋଭେସନ ମଧ୍ୟରେ ଏକ ସହଯୋଗ ବୁଝାମଣାରେ ହସ୍ତାକ୍ଷର ଲାଗି ସ୍ୱାଗତ କରିଥିଲେ ।

7. ଦୁଇ ପ୍ରଧାନମନ୍ତ୍ରୀ ଇସ୍ପାତ କ୍ଷେତ୍ରରେ ଭାରତ ଓ ଲକ୍ସମବର୍ଗ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ସହଯୋଗକୁ ବି ଧ୍ୟାନ ଦେଇଥିଲେ ଏବଂ ଦୁଇ ନେତା ଏସଏମଇ ଓ ଷ୍ଟାର୍ଟଅପ ସହ ବ୍ୟବସାୟ ଜଗତକୁ ଆହ୍ୱାନ ଦେଇଥିଲେ ଯେ ସେମାନେ ଅର୍ଥନୈତିକ ସମ୍ପର୍କକୁ ବିସ୍ତାର କରିବା ପାଇଁ ଆହୁରି ଅଧିକ ସୁଯୋଗ ଖୋଜନ୍ତୁ । ସ୍ୱଚ୍ଛ ଗଙ୍ଗା ମିଶନ ସମେତ ପରିବେଶ, ସ୍ୱଚ୍ଛ ଶକ୍ତି ଓ ଦୀର୍ଘକାଳୀନ ପ୍ରଯୁକ୍ତି ଆଦି ଭାରତର ବିଭିନ୍ନ ପଦକ୍ଷେପରେ ଲକ୍ସମବର୍ଗର କମ୍ପାନିମାନଙ୍କ ଆଗ୍ରହ ବଢୁଥିବା ସେମାନେ ସ୍ୱୀକାର କରିଥିଲେ ।

8. ନେତାମାନେ ଅର୍ଥନୈତିକ ଓ ବାଣିଜ୍ୟିକ ସମ୍ପର୍କର ସମୀକ୍ଷା ନିମନ୍ତେ ଭାରତ ଏବଂ ବେଲଜିୟମ-ଲକ୍ସମବର୍ଗ ଅର୍ଥନୈତିକ ସଂଘ ମଧ୍ୟରେ ସପ୍ତଦଶ ସଂଯୁକ୍ତ ଅର୍ଥନୈତିକ ଆୟୋଗକୁ ନେଇ ଆଗ୍ରହ ପ୍ରକାଶ କରିଥିଲେ ।

9. ଉଭୟ ନେତା ଯୋଗାଣ ଶୃଙ୍ଖଳକୁ ଅଧିକ ନମନୀୟ, ବିବିଧ, ଦାୟିତ୍ୱସମ୍ପନ୍ନ ଏବଂ ଦୀର୍ଘକାଳୀନ କରିବା ପାଇଁ ଜାରି ରହିଥିବା ଉଦ୍ୟମ ଉପରେ ବିଚାର ଆଦାନପ୍ରଦାନ କରିଥିଲେ । ସେମାନେ କହିଥିଲେ ଯେ ଗତ ଦଶନ୍ଧିଗୁଡ଼ିକରେ ଯୋଗାଣ ଶୃଙ୍ଖଳ ଦ୍ରୁତ ଗତିରେ ଜଟିଳ ହେବାରେ ଲାଗିଛି ଓ ସାରା ବିଶ୍ୱରେ ଥିବା ଅଂଶୀଦାରଙ୍କ ଉପରେ ନିର୍ଭରଶୀଳ ହୋଇଛି । ପରସ୍ପର-ନିର୍ଭରଶୀଳତା ଏବଂ ବ୍ୟାପକ ନମନୀୟତା ମଧ୍ୟରେ ଏକ ସହଜ ଥେରାପିକୁ ସୁନିଶ୍ଚିତ କରିବା ପାଇଁ ଭବିଷ୍ୟତକୈନ୍ଦ୍ରିକ ଅନ୍ତର୍ଜାତୀୟ ଯୋଗାଣ ଶୃଙ୍ଖଳ ବାବଦରେ ଉଭୟ ନେତା ସହମତ ହୋଇଥିଲେ । ଏଥିସହ ମୂଲ୍ୟ ଶୃଙ୍ଖଳରେ ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ହେବା ଜରୁରି ବୋଲି ସେମାନେ ସ୍ୱୀକାର କରିଥିଲେ ।

ଅର୍ଥ

10. ସବୁଜ ବିକାଶ ଓ ଚିରସ୍ଥାୟୀ ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ସବୁଜ ଫାଇନାନ୍ସିଙ୍ଗର ମହତ୍ତ୍ୱକୁ ଗୁରୁତ୍ୱାରୋପ କରି ଉଭୟ ନେତା ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସହ ଲକ୍ସମବର୍ଗ ଷ୍ଟକ ଏକ୍ସଚେଞ୍ଜ ଦ୍ୱାରା ସହଯୋଗ ବୁଝାମଣା ଉପରେ ହସ୍ତାକ୍ଷର ହେବାକୁ ନେଇ ସ୍ୱାଗତ ଜଣାଇଥିଲେ । ସେମାନେ ଆହୁରି କହିଥିଲେ ଯେ ନିୟାମକ ପ୍ରାଧିକରଣ ‘କମିଶନ ଡେ ସର୍ଭେଲାନ୍ସ ଡୁ ସେକ୍ଟର ଫାଇନାନ୍ସିଅର (ସିଏସଏସଏଫ)’ ଏବଂ ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ (ସେବି) ମଧ୍ୟରେ ପ୍ରସ୍ତାବିତ ବୁଝାମଣା ଦ୍ୱାରା ଆର୍ଥିକ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ଆହୁରି ସମୃଦ୍ଧ ହେବ । ଏହି ପ୍ରସଙ୍ଗରେ ସେମାନେ ଆର୍ଥିକ ସେବା କ୍ଷେତ୍ରରେ ସହଯୋଗ ବୃଦ୍ଧି ନିମନ୍ତେ ସେମାନଙ୍କ ପ୍ରତିଶ୍ରୁତିବଦ୍ଧତା ପ୍ରଦର୍ଶନ କରିଥିଲେ । ପ୍ରଧାନମନ୍ତ୍ରୀ ବେଟେଲ କହିଥିଲେ କି ୟୁରୋପରେ ଏକ ଅଗ୍ରଣୀ ଅନ୍ତର୍ଜାତୀୟ ଆର୍ଥିକ କେନ୍ଦ୍ର ହିସାବରେ ଲକ୍ସମବର୍ଗ ଭାରତର ଆର୍ଥିକ ସେବା ଶିଳ୍ପ ଏବଂ ଅନ୍ତର୍ଜାତୀୟ ବଜାର ମଧ୍ୟ ଏକ ପ୍ରମୁଖ ସେତୁ ଭାବେ କାମ କରିବ, ଯଦ୍ଵାରା ଭାରତ ୟୁରୋପୀୟ ଏବଂ ଅନ୍ତର୍ଜାତୀୟ ନିବେଶକଙ୍କ ପାଖରେ ପହଞ୍ଚି ପାରିବ ।

11. ଅନ୍ତର୍ଜାତୀୟ ପରିବର୍ତ୍ତନକୁ ଏକ ସବୁଜ ଏବଂ ଅଧିକ ଦୀର୍ଘସ୍ଥାୟୀ ଅର୍ଥନୀତି ଅଭିମୁଖେ ଅଗ୍ରସର କରାଇବା ପାଇଁ ଆର୍ଥିକ ଶିଳ୍ପର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଉଭୟ ନେତା ସ୍ୱୀକାର କରିଥିଲେ । ଏହି ପରିପ୍ରେକ୍ଷୀରେ ଦୀର୍ଘସ୍ଥାୟୀ ଅର୍ଥର ବିକାଶକୁ ପ୍ରୋତ୍ସାହନ ଏବଂ ସହଯୋଗ ନିମନ୍ତେ ମିଳିତ ପଦକ୍ଷେପକୁ ଚିହ୍ନଟ ଏବଂ ତ୍ୱରାନ୍ୱିତ ପାଇଁ ସେମାନେ ସହମତି ପ୍ରକାଶ କରିଥିଲେ । ଅଧିକନ୍ତୁ, ଦୁଇ ପ୍ରଧାନମନ୍ତ୍ରୀ ଆର୍ଥିକ କ୍ଷେତ୍ରରେ ଉଦ୍ଭାବନ ଏବଂ ଡିଜିଟାଇଜେସନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଉଭୟ ରାଷ୍ଟ୍ର ମଧ୍ୟରେ ଆର୍ଥିକ ପ୍ରଯୁକ୍ତି ଏବଂ ଷ୍ଟାର୍ଟଅପ ସମୁଦାୟଗୁଡ଼ିକର ସଂଯୋଗ ନେଇ ରହିଥିବା ସୁଯୋଗ ଉପରେ ସେମାନେ ଜୋର ଦେଇଥିଲେ ।

ମହାକାଶ ଓ ଡିଜିଟାଲ ସହଯୋଗ

12. ଉଭୟ ନେତା ଉପଗ୍ରହ ପ୍ରସାରଣ ଏବଂ ସଂଚାର କ୍ଷେତ୍ରରେ ଭାରତ ଓ ଲକ୍ସମବର୍ଗ ମଧ୍ୟରେ ଜାରି ରହିଥିବା ମହାକାଶ ସହଯୋଗ ଉପରେ ସକାରାତ୍ମକ ଧ୍ୟାନ ଦେଇଥିଲେ ଏବଂ ସନ୍ତୋଷର ସହ କହିଥିଲେ କି ଲକ୍ସମବର୍ଗ ଆଧାରିତ ମହାକାଶ କମ୍ପାନିଗୁଡ଼ିକ ନିଜର ଉପଗ୍ରହକୁ ପ୍ରକ୍ଷେପଣ କରିବା ପାଇଁ ଭାରତର ସେବାଗୁଡ଼ିକର ଉପଯୋଗ ଆରମ୍ଭ କରିଦେଇଛନ୍ତି । ସେମାନେ 7 ନଭେମ୍ବର 2020ରେ ପିଏସଏଲଭି-ସି49 ମିଶନର ଇସ୍ରୋ ଦ୍ୱାରା ସଫଳ ପ୍ରକ୍ଷେପଣର ସ୍ୱାଗତ କରିଥିଲେ, ଯେଉଁଥିରେ ଲକ୍ସମବର୍ଗର 4 ଉପଗ୍ରହ ସାମିଲ ଥିଲା । ଦୁଇ ନେତା ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟ ପାଇଁ ବାହ୍ୟ ମହାକାଶର ଅନ୍ୱେଷଣ ଏବଂ ଉପଯୋଗ କ୍ଷେତ୍ରରେ ସହଯୋଗ ସାଧନର ପ୍ରାରମ୍ଭିକ ଅନ୍ତିମ ରୂପ ଦେବା ପାଇଁ ତତ୍ପରତା ପ୍ରକାଶ କରିବା ସହ ବର୍ତ୍ତମାନ ଉଭୟ ସରକାର ମଧ୍ୟରେ ଆଲୋଚନା ଜାରି ରହିଥିବା କହିଥିଲେ ।

13. ଦୁଇ ନେତା ସହମତି ପ୍ରକାଶ କରିଥିଲେ ଯେ କୋଭିଡ-19 ଯୋଗୁ ଡିଜିଟାଲକରଣ ଅଧିକ ତ୍ୱରାନ୍ୱିତ ହୋଇଛି ଏବଂ ଏହି ସଂକ୍ରାନ୍ତରେ ସେମାନେ ଡିଜିଟାଲ ଡୋମେନ ଓ ଏହାର ବିକଶିତ ପ୍ରଯୁକ୍ତିଗୁଡ଼ିକରେ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ସେମାନେ ଉଲ୍ଲେଖ କରିଥିଲେ ଯେ ଭାରତ ଓ ଲକ୍ସମବର୍ଗ ଉଭୟ ‘ଡିଜିଟାଲ ଇଣ୍ଡିଆ’ କାର୍ଯ୍ୟକ୍ରମ ଏବଂ ‘ଡିଜିଟାଲ ଲକ୍ସମବର୍ଗ’ ପଦକ୍ଷେପ ମାଧ୍ୟମରେ ଡିଜିଟାଇଜେସନକୁ ତ୍ୱରାନ୍ୱିତ କରୁଛନ୍ତି ଏବଂ ଉଭୟ ପଦକ୍ଷେପ ମଧ୍ୟରେ ସହଯୋଗ ଅନ୍ୱେଷଣ ପାଇଁ ସହମତି ପ୍ରକାଶ କରିଥିଲେ ।

ଉଚ୍ଚ ଶିକ୍ଷା ଓ ଗବେଷଣା

14. ଉଭୟ ନେତା ନ୍ୟାସନାଲ ବ୍ରେନ ରିସର୍ଚ୍ଚ ସେଣ୍ଟର ଏବଂ ଲକ୍ସମବର୍ଗ ଇନଷ୍ଟିଚ୍ୟୁଟ ଅଫ ହେଲଥ ଓ ଲକ୍ସମବର୍ଗ ସେଣ୍ଟର ଫର ସିଷ୍ଟମ୍ସ ବାୟୋମେଡିସିନ ଭଳି ଭାରତୀୟ ସହଯୋଗୀ ସଂସ୍ଥା ମଧ୍ୟରେ ନ୍ୟୁରୋଡିଜେନେରେଟିଭ ଡିଜିଜ କ୍ଷେତ୍ରରେ ଜାରି ରହିଥିବା ସହଯୋଗ ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ । ସେମାନେ ବମ୍ବେ, କାନପୁର, ମାଡ୍ରାସ ଏବଂ ନ୍ୟାସନାଲ ଲ’ ସ୍କୁଲ ଅଫ ଇଣ୍ଡିଆ ସହ ୟୁନିଭର୍ସିଟି ଅଫ ଲକ୍ସମବର୍ଗ ମଧ୍ୟରେ ଥିବା ଲିଙ୍କେଜ ଉପରେ ଆଲୋକପାତ କରିଥିଲେ ଏବଂ ଉଭୟ ଦେଶର ଉଚ୍ଚ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ସେମାନେ ସହମତ ହୋଇଥିଲେ ।

ସଂସ୍କୃତି ଓ ଲୋକଙ୍କ ମଧ୍ୟରେ ସୁସମ୍ପର୍କ

15. ଭାରତ ଓ ଲକ୍ସମବର୍ଗ ଉଭୟ ବର୍ତ୍ତମାନ ବିଶ୍ୱ ପରିବେଶରେ ଅହିଂସାର ଲୋକାଚାର ବିନିମୟ କରୁଥିବା ବାବଦରେ ଉଭୟ ନେତା ଉଲ୍ଲେଖ କରିଥିଲେ । ଏହି ପ୍ରସଙ୍ଗରେ, ପ୍ରଧାନମନ୍ତ୍ରୀ ମୋଦୀ ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀକୁ ମନେରଖିବା ପାଇଁ ଲକ୍ସମବର୍ଗ ଦ୍ୱାରା 2019ରେ ଏକ ସ୍ମାରକ ଡାକଟିକଟ ଜାରି କରାଯିବାକୁ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ବେଟେଲ କହିଲେ ଯେ ଏହି ସ୍ମାରକ ଡାକଟିକଟର ଡିଜାଇନ ଲକ୍ସମବର୍ଗ ସହରରେ ନଗର ନିଗମ ପାର୍କରେ ସ୍ଥାପିତ ମହାତ୍ମା ଗାନ୍ଧୀଙ୍କ କାଂସ୍ୟ ପ୍ରତିମୂର୍ତ୍ତି ଉପରେ ଆଧାରିତ ଥିଲା, ଯାହା ଭାରତୀୟ ଆଧୁନିକତାବାଦୀ କଳାକାର ଅମରନାଥ ସେହଗଲ (1922-2007)ଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା କଳାର ଏକ କାରୁକାର୍ଯ୍ୟ ଥିଲା, ଯେ କି ଭାରତ ଓ ଲକ୍ସମବର୍ଗ ମଧ୍ୟରେ ଦୁଇ ଦଶନ୍ଧି ଧରି ରହିଥିଲେ ।

16. ଦୁଇଦେଶ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବାକୁ ହେଲେ ଲୋକମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ସମୃଦ୍ଧ କରାଯିବାର ଆବଶ୍ୟକତା ରହିଛି ବୋଲି ଉଭୟ ପ୍ରଧାନମନ୍ତ୍ରୀ ସହମତି ପ୍ରକାଶ କରିଥିଲେ । ଏହି ଅବସରରେ ସେମାନେ ଲକ୍ସମବର୍ଗରେ ଥିବା ପ୍ରବାସୀ ଭାରତୀୟଙ୍କ ସକାରାତ୍ମକ ଯୋଗଦାନର ସ୍ୱାଗତ କରିଥିଲେ । ଏମାନଙ୍କ ସଂଖ୍ୟା ବଢ଼ିବା ସାଙ୍ଗକୁ ଲକ୍ସମବର୍ଗର ସମୃଦ୍ଧ ବିବିଧତା ଆହୁରି ପ୍ରସ୍ଫୁଟିତ ହେଉଛି ବୋଲି କୁହାଯାଇଥିଲା । ଏଭଳି ଗତିଶୀଳତାକୁ ଆହୁରି ମଜଭୁତ କରିବା ପାଇଁ ସେମାନେ ଏକ ଆପ୍ରବାସନ ଓ ଗତିଶୀଳତା ବୁଝାମଣାର ତ୍ୱରିତ ସମାପନ ହେବା ନେଇ ଆଗ୍ରହ ପ୍ରକାଶ କରିଥିଲେ । ଏଥିସହ ଭାରତ ଓ ଲକ୍ସମବର୍ଗ ମଧ୍ୟରେ ରାଜନୈତିକ ଓ ସରକାରୀ/ସେବା ପାସପୋର୍ଟ ପାଇଁ ଭିସା ରିହାତି ଉପରେ ବୁଝାମଣା ହୋଇଥିଲା ।

କୋଭିଡ-19 ମହାମାରୀ

17. ଉଭୟ ନେତା ମହାମାରୀ ପ୍ରତିକାର ପାଇଁ କୋଭିଡ-19 ଉପରେ ଆଲୋଚନା କରିବା ସହ ମହାମାରୀର ମୁକାବିଲା ଲାଗି ସଂକଳ୍ପ ବ୍ୟକ୍ତ କରିଥିଲେ । ସେମାନେ ସ୍ଥାୟୀ ସାମାଜିକ-ଆର୍ଥିକ-କୋଭିଡ-19 ସୁଧାରତାକୁ ସୁନିଶ୍ଚିତ କରିବା ପାଇଁ ଏବଂ ଆର୍ଥିକ ବିକାଶ ଓ ଆର୍ଥିକ ନମନୀୟତାକୁ ପ୍ରୋତ୍ସାହିତ କରିବା ଲାଗି ମହାମାରୀକୁ ପ୍ରଭାବୀ ଢଙ୍ଗରେ ପ୍ରତିକାର ନିମନ୍ତେ ଅନ୍ତର୍ଜାତୀୟ ସୌହାର୍ଦ୍ଦ୍ୟର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ସେମାନେ ଭାରତ-ୟୁରୋପୀୟ ସଂଘ ସହଯୋଗିତା ଢାଞ୍ଚା, ପ୍ରସ୍ତୁତି ଏବଂ ପ୍ରତିକ୍ରିୟା କ୍ଷମତାକୁ ମଜଭୁତ କରିବା ପାଇଁ ସ୍ୱତନ୍ତ୍ର, ପାରଦର୍ଶୀ ଏବଂ ତ୍ୱରିତ ଉପାୟରେ ସୂଚନା ବିନିମୟ କରିବା ଏବଂ ସମ୍ବନ୍ଧିତ ଅନ୍ତର୍ଜାତୀୟ ସଂଗଠନ ଯଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ସହ ଅନ୍ତର୍ଜାତୀୟ ପ୍ରତିକ୍ରିୟାରେ ସୁଧାର ଆଣିବା ପାଇଁ ନିଜ ସହଯୋଗକୁ ଜାରି ରଖିବା ପାଇଁ ସହମତ ହୋଇଥିଲେ ।

ୟୁରୋପୀୟ ସଂଘ-ଭାରତ ସମ୍ପର୍କ

18. ଉଭୟ ନେତା ଏକ ସୁରକ୍ଷିତ, ସବୁଜିମା ଏବଂ ଅଧିକ ସ୍ଥିର ବିଶ୍ୱରେ ଯୋଗଦାନ ଲାଗି ଗଣତନ୍ତ୍ର, ସ୍ୱାଧୀନତା, ଆଇନ ଏବଂ ସମ୍ମାନର ବିନିମୟ ସିଦ୍ଧାନ୍ତ ଏବଂ ମୂଲ୍ୟବୋଧରେ ନିହିତ ଭାରତ-ୟୁରୋପୀୟ ସଂଘ ରଣନୀତିକ ଭାଗିଦାରୀର ମହତ୍ତ୍ୱକୁ ସ୍ୱୀକାର କରିଥିଲେ । ଏହି ପରିପ୍ରେକ୍ଷୀରେ ସେମାନେ 15 ଜୁଲାଇ 2020ରେ ଆୟୋଜିତ ସଫଳ ଭାରତ-ୟୁରୋପୀୟ ସଂଘର ଭର୍ଚୁଆଲ ଶିଖର ସମ୍ମିଳନୀକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଭାରତ-ୟୁରୋପୀୟ ସଂଘ ସମ୍ପର୍କକୁ ଆହୁରି ସମ୍ପ୍ରସାରଣ କରିବା ପାଇଁ ସମର୍ଥନ ବ୍ୟକ୍ତ କରିଥିଲେ, ଯେଉଁଥିରେ ଭାରତ-ପ୍ରଶାନ୍ତସାଗରୀୟ କ୍ଷେତ୍ରରେ ପାରସ୍ପରିକ ହିତ ଦିଗରେ ସହଯୋଗକୁ ମଜଭୁତ କରିବା ସାମିଲ ରହିଛି । ଏଥିସହ ବ୍ୟାପକ, ଦୀର୍ଘସ୍ଥାୟୀ ଏବଂ ନିୟମ ଉପରେ ଆଧାରିତ କନେକ୍ଟିଭିଟି ମାଧ୍ୟମରେ ସମ୍ପର୍କ ସୁଦୃଢ଼ ପାଇଁ ସହଯୋଗ ଲାଗି ସହମତି ପ୍ରକାଶ ପାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଦଶନ୍ଧି ଦଶନ୍ଧି ଧରି ଲକ୍ସମବର୍ଗ ଦ୍ୱାରା ନିର୍ବାହ କରାଯାଉଥିବା ଉଲ୍ଲେଖନୀୟ ଭୂମିକାର ପ୍ରଶଂସା କରିଥିଲେ, ଯାହା ମଜଭୁତ ଭାରତ-ୟୁରୋପୀୟ ସଂଘ ସମ୍ପର୍କର ସମର୍ଥନରେ ୟୁରୋପୀୟ ସଂଘର ସଂସ୍ଥାପକ ସଦସ୍ୟଗୁଡ଼ିକ ମଧ୍ୟରୁ ଅନ୍ୟତମ । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ବେଟେଲ ଲକ୍ସମବର୍ଗ ଦ୍ୱାରା ଭାରତ-ୟୁରୋପୀୟ ସଂଘ ସମ୍ପର୍କକୁ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଭାରତ ଓ ୟୁରୋପୀୟ ସଂଘ ଉଭୟ ପରସ୍ପରର ସୁରକ୍ଷା, ସମୃଦ୍ଧି ଏବଂ ନିରନ୍ତର ବିକାଶରେ ଏକ ସମାନ ଆଗ୍ରହ ରଖନ୍ତି ।

19. ନେତାମାନେ ସ୍ୱୀକାର କରିଥିଲେ ଯେ କୋଭିଡ-19 ପରବର୍ତ୍ତୀ ଅର୍ଥନୈତିକ ସୁଧାର ଦୃଷ୍ଟିରୁ ଭାରତ-ୟୁରୋପୀୟ ସଂଘର ଆର୍ଥିକ ସମ୍ପର୍କକୁ ବିକଶିତ କରାଯିବା ଗୁରୁତ୍ୱପୂର୍ଣ୍ଣ । ଏହି ପରିପ୍ରେକ୍ଷୀରେ ସେମାନେ ସନ୍ତୁଳିତ, ମହତ୍ତ୍ୱାକାଂକ୍ଷୀ ଏବଂ ପାରସ୍ପରିକ ଭାବେ ଲାଭପ୍ରଦ ମୁକ୍ତ ବାଣିଜ୍ୟ ଏବଂ ନିବେଶ ବୁଝାମଣା ଦିଗରେ କାମ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ ।

ବହୁପାକ୍ଷିକ ସହଯୋଗ

20. ନେତାମାନେ ଜାତିସଂଘ (ୟୁଏନ) ଏବଂ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ) ସହ ପ୍ରଭାବୀ ଏବଂ ସୁଧାରିତ ବହୁପାକ୍ଷିକ ତଥା ଏକ ନିୟମ ଆଧାରିତ ବହୁପାକ୍ଷିକ ଧାରାକୁ ତ୍ୱରାନ୍ୱିତ କରିବା ପାଇଁ ଦୃଢ଼ ସଂକଳ୍ପ ବୋଲି କହିଥିଲେ । ସେମାନେ ନିରନ୍ତର ବିକାଶ ଲକ୍ଷ୍ୟର କାର୍ଯ୍ୟାନ୍ୱୟନ ଏବଂ ପରିବେଶର ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ଦିଗରେ ସହଯୋଗ କରିବା ପାଇଁ ନିଜର ପ୍ରତିଶ୍ରୁତିବଦ୍ଧତାକୁ ପୁଷ୍ଟି କରିଥିଲେ ।

21. ଏହି ପ୍ରସଙ୍ଗରେ ନେତାମାନେ ପ୍ୟାରିସ ବୁଝାମଣାର କାର୍ଯ୍ୟାନ୍ୱୟନ ପାଇଁ ନିଜ ପ୍ରତିଶ୍ରୁତିବଦ୍ଧତା ବ୍ୟକ୍ତ କରିଥିଲେ, ଯେଉଁଥିରେ ଏହି ବୁଝାମଣା ଅନୁରୂପ ରାଷ୍ଟ୍ରୀୟ ଭାବେ ନିର୍ଦ୍ଧାରିତ ଯୋଗଦାନ ସାମିଲ ରହିଛି । ଦୁଇ ନେତା ଅନ୍ତର୍ଜାତୀୟ ସୌର ମେଣ୍ଟ (ଆଇଏସଏ)ରେ ସୌର ଶକ୍ତି ବ୍ୟବହାରକୁ ତ୍ୱରାନ୍ୱିତ କରିବା ଏବଂ ପରିବେଶଗତ ସ୍ଥାୟୀ ନିବେଶ ଦିଗରେ ଘରୋଇ ପୁଞ୍ଜିନିବେଶ ହାସଲ ପାଇଁ ଇଣ୍ଟରନ୍ୟାସନାଲ ପ୍ଲାଟଫର୍ମ ଅନ ସସଟେନେବଲ ଫାଇନାନ୍ସ (ଆଇପିଏସଏଫ)ରେ ନିଜ ସହଯୋଗକୁ ମଜଭୁତ କରିବା ନେଇ ଆଗ୍ରହ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ବେଟେଲ ଲକ୍ସମବର୍ଗର ଆଗ୍ରହକୁ ଅନ୍ତର୍ଜାତୀୟ ସୌର ମେଣ୍ଟରେ ସାମିଲ ପାଇଁ ଘୋଷଣା କରିଥିଲେ ।

22. ଏହାବ୍ୟତୀତ, ସେମାନେ ନୂଆ ବିପର୍ଯ୍ୟୟକୁ ରୋକିବା ଏବଂ ବର୍ତ୍ତମାନର ବିପର୍ଯ୍ୟୟ ସଙ୍କଟକୁ କମ କରିବା ପାଇଁ ବିପର୍ଯ୍ୟୟ ବିପଦ ନ୍ୟୁନୀକରଣ ପାଇଁ ସେନ୍ଦାଇ ଢାଞ୍ଚା କାର୍ଯ୍ୟକାରୀ କରିବା ଲାଗି ସହଯୋଗ ନିମନ୍ତେ ନିଜ ତତ୍ପରତା ପ୍ରକାଶ କରିଥିଲେ ଏବଂ ଏହି ପ୍ରସଙ୍ଗରେ ବିପର୍ଯ୍ୟୟ ରୋଧୀ ଭିତ୍ତିଭୂମି ମେଣ୍ଟ (ସିଡିଆରଆଇ) ନିମନ୍ତେ ଭାରତ-ୟୁରୋପୀୟ ସହଯୋଗକୁ ବୃଦ୍ଧି ପାଇଁ ଆଗ୍ରହ ପ୍ରକାଶ କରିଥିଲେ ।

23. ପ୍ରଧାନମନ୍ତ୍ରୀ ବେଟେଲ ଜାତିସଂଘ ସୁରକ୍ଷା ପରିଷଦରେ ଅସ୍ଥାୟୀ ଆସନ ପାଇଁ 2021-2022 ନିମନ୍ତେ ଭାରତର ନିର୍ବାଚନକୁ ସ୍ୱାଗତ କରିଥିଲେ ଏବଂ ଜାତିସଂଘ ସୁରକ୍ଷା ପରିଷଦରେ ସୁଧାର ପାଇଁ ଲକ୍ସମବର୍ଗର ସମର୍ଥନକୁ ଦୋହରାଇଥିଲେ । ଯେଉଁଥିରେ ସ୍ଥାୟୀ ଏବଂ ଅସ୍ଥାୟୀ ସଦସ୍ୟତାର ଉଭୟ ଶ୍ରେଣୀରେ ଏହାର ବିସ୍ତାର ସାମିଲ ରହିଛି । ଉଭୟ ପକ୍ଷ ଜାତିସଂଘ ମହାସଭାର 75ତମ ଅଧିବେଶନରେ ଏକ ନିଶ୍ଚିତ ସମୟସୀମାରେ ଠୋସ ପରିଣାମ ପ୍ରାପ୍ତ କରିବାର ସମଗ୍ର ଉଦ୍ଦେଶ୍ୟ ସହ ଲିଖିତ ଆଲୋଚନା ଆରମ୍ଭ କରିବା ଦିଗରେ ନିର୍ଣ୍ଣାୟକ ରୂପରେ ଆନ୍ତଃସରକାରୀ ଆଲୋଚନା (ଆଇଜିଏନ) ପ୍ରକ୍ରିୟାକୁ ନେବାର ଆବଶ୍ୟକତା ଉପରେ ସହମତି ବ୍ୟକ୍ତ କରିଥିଲେ । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ବେଟେଲ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ପାଇଁ ଭାରତର ପ୍ରାର୍ଥିତ୍ୱ ପାଇଁ ଲକ୍ସମବର୍ଗର ସମର୍ଥନକୁ ମଧ୍ୟ ଦୋହରାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଲକ୍ସମବର୍ଗ ଦ୍ୱାରା ବିଭିନ୍ନ ଅନ୍ତଃରାଷ୍ଟ୍ରୀୟ ଏବଂ ବହୁପାକ୍ଷିକ ପ୍ରତିଷ୍ଠାନଗୁଡ଼ିକ ପାଇଁ ଭାରତର ପ୍ରାର୍ଥିତ୍ୱ ନିମନ୍ତେ ବ୍ୟାପକ ସମର୍ଥନ ଲାଗି ଭାରତର ଭୂୟସୀ ପ୍ରଶଂସା କରିଥିଲେ, ଯେଉଁଥିରେ ମିସାଇଲ ପ୍ରଯୁକ୍ତି ନିୟନ୍ତ୍ରଣ ବ୍ୟବସ୍ଥା (ଏମଟିସିଆର)ରେ ଭାରତର ପ୍ରବେଶ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଏବଂ ଏଥିରେ ଭାରତର ଭାଗୀଦାରି ପାଇଁ ନିରନ୍ତର ସମର୍ଥନ ସାମିଲ ରହିଛି । ପରମାଣୁ ଯୋଗାଣକାରୀ ସମୂହ (ଏନଏସଜି)ରେ ଭାରତର ଯୋଗଦାନ ପାଇଁ ନିରନ୍ତର ସମର୍ଥନ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଲକ୍ସମବର୍ଗକୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ବେଟେଲ ଜାତିସଂଘରେ ଲକ୍ସମବର୍ଗର ପ୍ରାର୍ଥିତ୍ୱ ପାଇଁ ଭାରତର ସମର୍ଥନ ନିମନ୍ତେ ଲକ୍ସମବର୍ଗ ପକ୍ଷରୁ ପ୍ରଶଂସା ବ୍ୟକ୍ତ କରିଥିଲେ । ଯେଉଁଥିରେ 2022-2024 ନିମନ୍ତେ ଜାତିସଂଘ ମାନବାଧିକାର ପରିଷଦର ଲକ୍ସମବର୍ଗର ପ୍ରାର୍ଥିତ୍ୱ ବି ସାମିଲ ରହିଛି ।

24. ସୀମାରେ ଆତଙ୍କବାଦ ଏବଂ ଅନ୍ତର୍ଜାତୀୟ ଆତଙ୍କବାଦ ଯୋଗୁ ସୃଷ୍ଟି ହେଉଥିବା ଲଗାତର ବିପଦ ଉପରେ ଚିନ୍ତା ବ୍ୟକ୍ତ କରି ଦୁଇ ନେତା ନିଜର ସମସ୍ତ ଢାଞ୍ଚା ଏବଂ ଅଭିବ୍ୟକ୍ତିରେ ଆତଙ୍କବାଦର ନିନ୍ଦା କରିଥିଲେ । ସେମାନେ ଜାତିସଂଘରେ ଅନ୍ତର୍ଜାତୀୟ ପ୍ରୟାସ ଏବଂ ଆତଙ୍କବାଦକୁ ରୋକିବା ତଥା ମୁକାବିଲା କରିବା ପାଇଁ ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସ (ଏଫଏଟିଏଫ) ଭଳି ମଞ୍ଚ ଉପରେ ଭାରତ ଏବଂ ଲକ୍ସମବର୍ଗ ମଧ୍ୟରେ ନିରନ୍ତର ସହଯୋଗର ଆବଶ୍ୟକତା ନେଇ ସହମତି ପ୍ରକାଶ କରିଥିଲେ ।

ନିଷ୍କର୍ଷ

25. ଭାରତ ଓ ଲକ୍ସମବର୍ଗ ମଧ୍ୟରେ ଅନୁଷ୍ଠିତ ଏହି ପ୍ରଥମ ସମ୍ମିଳନୀ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ନୂଆ ପର୍ଯ୍ୟାୟକୁ ଦର୍ଶାଉଛି ବୋଲି ଉଭୟ ପ୍ରଧାନମନ୍ତ୍ରୀ ସହମତ ହୋଇଥିଲେ । ସେମାନେ ଦ୍ୱିପାକ୍ଷିକ ସମ୍ପର୍କର ସୁଯୋଗକୁ ଆହୁରି ବ୍ୟାପକ ଏବଂ ଗଭୀର କରିବା ଓ ଆପୋସ ତଥା ଅନ୍ତର୍ଜାତୀୟ ହିତ ପ୍ରସଙ୍ଗରେ କ୍ଷେତ୍ରୀୟ ଏବଂ ବହୁପାକ୍ଷିକ ମଞ୍ଚଞ୍ଚଗୁଡ଼ିକରେ ପରାମର୍ଶ ଓ ସମନ୍ୱୟ ବଢ଼ାଇବା ପାଇଁ ନିଜର ପ୍ରତିଶ୍ରୁତିବଦ୍ଧତାକୁ ପୁଣି ପ୍ରତିପାଦନ କରିଥିଲେ । ପ୍ରଧାନମନ୍ତ୍ରୀ ବେଟେଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲକ୍ସମବର୍ଗ ଗସ୍ତ ପାଇଁ ଆମନ୍ତ୍ରଣ କରିଥିଲେ ।

 

**********



(Release ID: 1674512) Visitor Counter : 182