ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ କ୍ରମାଗତ ସକ୍ରିୟ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି

● ଏକ ମାସ ପରେ ପ୍ରଥମ ଥର ପାଇଁ ସକ୍ରିୟ ମାମଲା 9 ଲକ୍ଷ ତଳକୁ ଖସିଛି
● କ୍ରମାଗତ ତୃତୀୟ ସପ୍ତାହ ପାଇଁ ନୂତନ ସୁସ୍ଥଙ୍କ ସଂଖ୍ୟା ନୂତନ ପଜିଟିଭ୍ ମାମଲାଠାରୁ ଅଧିକ ରହିଛି

ପୋଷ୍ଟ କରାଯିବା ଦିନାଙ୍କ: 09 OCT 2020 11:12AM by PIB Bhubaneswar

ଭାରତରେ କରୋନା ସକ୍ରିୟ ମାମଲା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଏକ ମାସ ପରେ, ପ୍ରଥମ ଥର ପାଇଁ ସକ୍ରିୟ ମାମଲା 9 ଲକ୍ଷ ତଳକୁ ଖସିଛି । ଆଜି ଭାରତରେ ସକ୍ରିୟ ମାମଲା ସଂଖ୍ୟା 8.93 ଲକ୍ଷ ଥିବା ବେଳେ ସେପ୍ଟେମ୍ବର 9 ତାରିଖରେ ଏହି ସଂଖ୍ୟା 8.97 ଲକ୍ଷ ଥିଲା ।

ଏବେ ସକ୍ରିୟ ମାମଲା 8,93,592 ରହିଛି, ଯାହାକି ଦେଶର ମୋଟ ପଜିଟିଭ୍ ମାମଲାର ମାତ୍ର 12.94% । ମୋଟ ପଜିଟିଭର ପ୍ରତିଶତ କ୍ରମଶଃ ହ୍ରାସ ପାଇବାରେ ଲାଗିଛି ।

ସୁସ୍ଥତା ହାର କ୍ରମେ ବୃଦ୍ଧି ପାଉଥିବରୁ ସକ୍ରିୟ ମାମଲାର ପ୍ରତିଶତ ନିମ୍ନମୁଖୀ ହେବାରେ ଲାଗିଛି । ମୋଟ ସୁସ୍ଥଙ୍କ ସଂଖ୍ୟା ଏବେ 59,06,069 ରହିଛି । ସୁସ୍ଥ ସଂଖ୍ୟା ଓ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ଏବେ 50 ଲକ୍ଷକୁ ଅତିକ୍ରମ (50,12,477) କରିଛି ।

ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ ଏହି ପାର୍ଥକ୍ୟ ବଢ଼ିବାରେ ଲାଗିଛି ।

ସୁସ୍ଥ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜାତୀୟ ସୁସ୍ଥ ହାର 85.52%ରେ ପହଞ୍ଚି ପାରିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 78,365 ଜଣ ସୁସ୍ଥ ହୋଇଥିବା ବେଳେ ନୂଆ ପଜିଟିଭ୍ ମାମଲା ରହିଛି 70,496 ।

କ୍ରମାଗତ ତୃତୀୟ ସପ୍ତାହରେ ସୁସ୍ଥ ଲୋକଙ୍କ ସଂଖ୍ୟା ନୂଆ ପଜିଟିଭ୍ ମାମଲାରୁ ଅଧିକ ରହିପାରିଛି । ଏହି ତିନି ସପ୍ତାହରେ ନୂଆ ପଜିଟିଭ୍ ସଂଖ୍ୟା କ୍ରମେ ନିମ୍ନମୁଖୀ ହେବାରେ ଲାଗିଛି ।

କେନ୍ଦ୍ର ସରକାରଙ୍କ ଟେଷ୍ଟିଂ, ଟ୍ରାକିଂ, ତୁରନ୍ତ ହସପିଟାଲରେ ଭର୍ତ୍ତି କରିବା ଏବଂ ଉଭୟ ସରକାରୀ/ବେସରକାରୀ ହସପିଟାଲ ଗୁଡ଼ିକରେ ନିର୍ଦ୍ଦିଷ୍ଟ ଚିକିତ୍ସା ପ୍ରଣାଳୀ ଗ୍ରହଣ କରିବା ଏବଂ ହୋମ୍ ଆଇସୋଲେସନ ନୀତିକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ଗ୍ରହଣ କରିବାରୁ ଏହା ସମ୍ଭବ ହୋଇପାରିଛି ।

ନୂଆ ସୁସ୍ଥଙ୍କ ମଧ୍ୟରୁ 75% 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି; ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ, ଉତ୍ତର ପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ, ଦିଲ୍ଲୀ ଏବଂ ମଧ୍ୟପ୍ରଦେଶରୁ ଆସିଛନ୍ତି ।

ମହାରାଷ୍ଟ୍ରରେ କେବଳ ଗୋଟିଏ ଦିନରେ 15 ହଜାର ଲୋକ ସୁସ୍ଥ ହୋଇଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ 70,496ଟି ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି । ଏଥିରୁ 78% 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।

ମହାରାଷ୍ଟ୍ରରେ ସବୁଠାରୁ ଅଧିକ ପଜିଟିଭ୍ ମାମଲା ଅର୍ଥାତ୍, 13 ହଜାର ସାମନାକୁ ଆସିଛି । ଏହା ପଛକୁ କର୍ଣ୍ଣାଟକରେ 10 ହଜାରରୁ ଅଧିକ ମାମଲା ଆସିଛି ।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 964 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ 82% କେବଳ 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ଏହି ମୃତ୍ୟୁ ସଂଖ୍ୟାରୁ 37% ମହାରାଷ୍ଟ୍ର (358 ମୃତ୍ୟୁ)ରେ ହୋଇଛି ।

ଆମୋଦପ୍ରମୋଦ ପାର୍କକୁ ଏବେ ବହୁ ସଂଖ୍ୟାରେ ଲୋକ ଯାଉଛନ୍ତି । ଏସବୁ ପାର୍କ ଏବଂ ସେହିପରି ସ୍ଥାନ ଗୁଡ଼ିକରେ କୋଭିଡ-19ର ସଂକ୍ରମଣ ରୋକିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କ’ଣ ପ୍ରତିଷେଧକ ମୂଳକ ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ସ୍ୱତନ୍ତ୍ର ଏସଓପି ଜାରି କରିଛି ।

 

**********

 


(ରିଲିଜ ଆଡି: 1663247) ପରିଦର୍ଶକ କାଉଣ୍ଟର : 275