ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବୈଶ୍ୱିକ ଭାରତୀୟ ବୈଜ୍ଞାନିକ (ବୈଭବ) ସମ୍ମିଳନୀ-2020ରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
Posted On:
02 OCT 2020 10:00PM by PIB Bhubaneshwar
ନମସ୍କାର! ଏହି ଆଲୋଚନାରେ ଯୋଗ ଦେଇଥିବାରୁ ଆପଣମାନଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଉଛି । ଏହି ମଂଚ ଉଭୟ ପ୍ରବାସୀ ଓ ଭାରତର ପ୍ରତିଷ୍ଠିତ ବୁଦ୍ଧିଜୀବୀଙ୍କୁ ଏକତ୍ର କରିଛି । ଭାରତ ଓ ବିଶ୍ୱର ବିଜ୍ଞାନ ଓ ଗବେଷଣାକୁ ନେଇ ବୈଶ୍ୱିକ ଭାରତୀୟ ବୈଜ୍ଞାନିକ (ବୈଭବ) ସମ୍ମିଳନୀ- 2020 ଆୟୋଜିତ ହୋଇଛି । ମୋ ମତରେ ଉନ୍ନତ ଚିନ୍ତାଧାରାର ଏହା ସଙ୍ଗମସ୍ଥଳୀ । ଭାରତ ଓ ପୃଥିବୀର ସଶକ୍ତୀକରଣ ପାଇଁ ଦୀର୍ଘମିଆଦୀ ଭାବେ ଆମେ ଏକାଠି ହୋଇପାରିବା ।
ବନ୍ଧୁଗଣ,
ମତାମତ, ପରାମର୍ଶ ଓ ସିଦ୍ଧାନ୍ତ ବିନିମୟ କରିଥିବା ବୈଜ୍ଞାନିକମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ଖୁବ ପ୍ରଭାବଶାଳୀ ଢଙ୍ଗରେ ନିଜ ଆଲୋଚନାରେ ଆପଣମାନେ ବହୁ ବିଷୟ ଅନ୍ତର୍ଭୁକ୍ତ କରିଛନ୍ତି। ଆପଣମାନଙ୍କ ମଧ୍ୟରୁ ଅନେକ ଭାରତୀୟ ଶିକ୍ଷାବିତ ଓ ଗବେଷଣା ପରିବେଶ ଏବଂ ବିଦେଶୀ ପ୍ରତିପକ୍ଷଙ୍କ ସହ ସହଭାଗିତାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି । ପ୍ରକୃତରେ ତାହା ହିଁ ଶିଖର ସମ୍ମିଳନୀର ମୌଳିକ ଉଦ୍ଦେଶ୍ୟ। ସମାଜର ଆବଶ୍ୟକତା ପୂରଣ ପାଇଁ ବୈଜ୍ଞାନିକ ଗବେଷଣା ଜରୁରି ବୋଲି ଆପଣମାନେ ମତ ଦେଇଛନ୍ତି । ଭାରତରେ ଗବେଷଣା ପରିବେଶର ଉନ୍ନତି ପାଇଁ ଆପଣମାନେ ଅନେକ ଉତ୍ତମ ପ୍ରସ୍ତାବ ଦେଇଛନ୍ତି । ଆପଣମାନଙ୍କ ମତାମତ ପାଇଁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି । ଆପଣମାନଙ୍କ ଆଲୋଚନା ଶୁଣିବା ପରେ ବୈଭବ ଶିଖର ସମ୍ମିଳନୀ ମୂଲ୍ୟବାନ ଓ ଫଳପ୍ରଦ ହେବ ବୋଲି ମୁଁ ଆଶା କରୁଛି ।
ବନ୍ଧୁଗଣ,
ମାନବ ଜାତିର ପ୍ରଗତି ପାଇଁ ବିଜ୍ଞାନର ପ୍ରମୁଖ ଭୂମିକା ରହିଛି । ଆମେ ଯେତେବେଳେ ପଛକୁ ଫେରି ଚାହୁଁ, ମାନବ ଅସ୍ତିତ୍ୱର ଅନେକ ଶତାବ୍ଦୀ ପଛକୁ, ଆମେ କିପରି ସମୟ କାଳକୁ ବିଭକ୍ତ କରୁ? ପ୍ରସ୍ତର ଯୁଗ, କାଂସ୍ୟ ଯୁଗ, ଲୌହ ଯୁଗ, ଶିଳ୍ପ ଯୁଗ, ମହାକାଶ ଯୁଗ ଓ ଡିଜିଟାଲ ଯୁଗ । ଏପରି କିଛି ଶବ୍ଦାବଳୀ ଆମେ ବ୍ୟବହାର କରୁ । ନିଃସନ୍ଦେହରେ ପ୍ରତ୍ୟେକ ପର୍ଯ୍ୟାୟ ନିର୍ଦ୍ଦିଷ୍ଟ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବିକାଶ ଦ୍ୱାରା ସମୃଦ୍ଧ ହୋଇଛି । ପ୍ରଯୁକ୍ତିରେ ପରିବର୍ତ୍ତନ ଆମ ଜୀବନଶୈଳୀରେ ପରିବର୍ତ୍ତନ ଆଣିଦେଇଛି । ଏହା ବିଜ୍ଞାନ ସମ୍ବନ୍ଧୀୟ ଜିଜ୍ଞାସା ବଢ଼ାଇଛି ।
ବନ୍ଧୁଗଣ,
ଭାରତ ସରକାର ବିଜ୍ଞାନ, ଗବେଷଣା ଓ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ପାଇଁ ଅନେକଗୁଡିଏ ପଦକ୍ଷେପ ନେଇଛନ୍ତି । ସାମାଜିକ- ଅର୍ଥନୈତିକ ପରିବର୍ତ୍ତନ ଦିଗରେ ବିଜ୍ଞାନ ଆମ ଉଦ୍ୟମର କେନ୍ଦ୍ରସ୍ଥଳୀରେ ରହିଛି । ଆମେ ବ୍ୟବସ୍ଥାକୁ ଗତିଶୀଳ କରାଇଛୁ । ଟୀକା ପ୍ରସ୍ତୁତିରେ ରହିଥିବା ଦୀର୍ଘ ବିରତି ଭଙ୍ଗ କରିଛୁ । 2014ରେ ଆମ ଟୀକାକରଣ କାର୍ଯ୍ୟକ୍ରମରେ 4ଟି ନୂଆ ଟୀକା ସାମିଲ ହୋଇଛି । ଏଥିରେ ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ରୋଟା-ଭାଇରସ ଟୀକା ସାମିଲ ରହିଛି । ଆମେ ସ୍ୱଦେଶୀ ଟୀକା ପ୍ରସ୍ତୁତିକୁ ପ୍ରୋତ୍ସାହନ ଦେଉଛୁ । ନିକଟରେ ଆମେ ସ୍ୱଦେଶୀ ଜ୍ଞାନ କୈାଶଳରେ ବିକଶିତ ନ୍ୟୁମୋକୋକଲ ଟୀକାର ବଜାର ପ୍ରବେଶକୁ ଅନୁମତି ଦେଇଛୁ । ଏହି ଟୀକାକରଣ କାର୍ଯ୍ୟକ୍ରମ ଓ ପୋଷଣ ମିଶନରେ ଶିଶୁଙ୍କ ସ୍ୱାସ୍ଥ୍ୟ ଓ ପୁଷ୍ଟିକୁ ଗୁରୁତ୍ୱ ପ୍ରଦାନ କରାଯାଉଛି । ଆମ ଟୀକା ପ୍ରସ୍ତୁତକାରୀମାନେ ସକ୍ରିୟ ଅଛନ୍ତି ଓ ଏହି ମହାମାରୀ ବେଳେ ବିଶ୍ୱସ୍ତରରେ ପ୍ରତିଯୋଗୀ ହୋଇଛନ୍ତି । ସମୟର ଆବଶ୍ୟକତାକୁ ଆମେ ବୁଝି ପାରିଛୁ ।
2025 ସୁଦ୍ଧା ଭାରତରୁ ଯକ୍ଷ୍ମା ଦୂରେଇବା ପାଇଁ ଆମେ ଉଚ୍ଚାକାଂକ୍ଷୀ ମିଶନ ଆରମ୍ଭ କରିଛୁ ।
ବନ୍ଧୁଗଣ,
ଆଉ କିଛି ଉଦ୍ୟମ ମଧ୍ୟ ଜାରି ରହିଛି । ସୁପରକମ୍ପ୍ୟୁଟିଂ ଓ ସାଇବର ଫିଜିକାଲ ପ୍ରଣାଳୀ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ମିଶନ ଆରମ୍ଭ ହୋଇଛି । ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ରୋବୋଟିକ୍ସ, ସେନସର ଓ ବିଗ ଡାଟା ଆନାଲିଟିକ୍ସ ଭଳି ମୌଳିକ ଗବେଷଣା ଓ ପ୍ରୟୋଗ ସାମିଲ ରହିଛି । ଭାରତୀୟ ଉତ୍ପାଦନକୁ ଏହା ପ୍ରୋତ୍ସାହିତ କରିବ । କୁଶଳୀ ଯୁବ ମାନବ ସମ୍ବଳ ସୃଷ୍ଟି କରିବାରେ ଏହା ସାହାଯ୍ୟ କରିବ । ଷ୍ଟାର୍ଟ ଅପ କ୍ଷେତ୍ର ସମୃଦ୍ଧ ହେବ । ଏହି ମିଶନରେ 25ଟି ଟେକ୍ନୋଲଜି ଇନୋଭେସନ ହବ ଆରମ୍ଭ ହୋଇ ସାରିଛି ।
ବନ୍ଧୁଗଣ,
ଚାଷୀମାନଙ୍କୁ ସାହାଯ୍ୟ କରିବା ପାଇଁ ଆମେ ଶ୍ରେଷ୍ଠ ସ୍ତରର ବୈଜ୍ଞାନିକ ଗବେଷଣା ଚାହୁଁଛୁ । ଆମର କୃଷି ଗବେଷଣା ବୈଜ୍ଞାନିକମାନେ କଠିନ ପରିଶ୍ରମ କରି ଡାଲି ବଢାଇ ପାରିଛନ୍ତି । ଆଜି ଆମେ ଖୁବ କମ୍ ପରିମାଣର ଡାଲି ଆମଦାନୀ କରୁଛୁ । ଆମର ଖାଦ୍ୟଶସ୍ୟ ଉତ୍ପାଦନ ନୂଆ ରେକର୍ଡ କରିଛି ।
ବନ୍ଧୁଗଣ,
ନିକଟରେ ଭାରତକୁ ଜାତୀୟ ଶିକ୍ଷା ନୀତି ମିଳିଛି । ତିନି ଦଶନ୍ଧିରୁ ଅଧିକ ସମୟ ପରେ ଭାରତକୁ ଏପରି ନୀତି ମିଳିଛି । କିଛି ମାସ ଧରି ବ୍ୟାପକ ଆଲୋଚନା ପରେ ଏହି ନୀତି ପ୍ରସ୍ତୁତ କରାଯାଇଛି । ବିଜ୍ଞାନ ପ୍ରତି ଜିଜ୍ଞାସା ମନୋଭାବ ବଢାଇବା ଏହି ଜାତୀୟ ଶିକ୍ଷା ନୀତିର ଲକ୍ଷ୍ୟ । ବହୁ ଆକାଂକ୍ଷିତ ଗବେଷଣା ଓ ନବୋନ୍ମେଷକୁ ଏହା ପ୍ରୋତ୍ସାହିତ କରିବ । ବହୁ ବିଷୟ ପାଠ୍ୟକ୍ରମକୁ ଗୁରୁତ୍ୱ ଦିଆଯିବା ନେଇ ମୁଁ ବେଶ ଆଶାବାଦୀ । ଉନ୍ମୁକ୍ତ ଓ ବ୍ୟାପକ ଶୈକ୍ଷଣିକ ପରିବେଶ ଯୁବ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବ ।
ଏବେ ବିଶ୍ୱ ସ୍ତରର ବୈଜ୍ଞାନିକ ଗବେଷଣା ଓ ବିକାଶ ଉଦ୍ୟମରେ ଭାରତ ପ୍ରମୁଖ ଭାଗୀଦାର ଓ ସହଯୋଗୀ । ଏଥିରୁ କେତେକ ହେଲା- ଫେବୃଆରୀ 2016ରେ ଅନୁମୋଦିତ ଲେଜର ଇଣ୍ଟରଫେରୋମିଟର ଗ୍ରାଭିଟେସନାଲ ୱେଭ ଅବଜରଭେଟୋରି (ଏଲଆଇଜିଓ), ୟୁରୋପିଆନ ଅର୍ଗାନାଇଜେସନ ଫର ନ୍ୟୁକ୍ଲିୟର ରିସର୍ଚ୍ଚ (ସିଇଆରଏନ), ଏଥିରେ ଭାରତ ଜାନୁୟାରୀ 2017ରୁ ସହଯୋଗୀ ସଦସ୍ୟ ରହିଛି ଓ ଇଣ୍ଟରନ୍ୟାସନାଲ ଥର୍ମୋନ୍ୟୁକ୍ଲିୟର ଏକ୍ସପେରିମେଣ୍ଟାଲ ରିଆକ୍ଟର (ଆଇ-ଟିଇଆର) । ଏହି ସହଯୋଗୀ ଗବେଷଣା ମୋ ଗୃହ ରାଜ୍ୟ ଗୁଜୁରାଟର ଇନଷ୍ଟିଚ୍ୟୁଟ ଅଫ ପ୍ଲାଜମା ରିସର୍ଚ୍ଚରେ ହେଉଛି ।
ବନ୍ଧୁଗଣ,
ଅଧିକରୁ ଅଧିକ ଯୁବପୀଢିଙ୍କୁ ବିଜ୍ଞାନ ପ୍ରତି ଆକର୍ଷିତ କରିବା ଆଜିର ସମୟର ଆହ୍ୱାନ । ଏଥିପାଇଁ ଆମକୁ ବିଜ୍ଞାନର ଇତିହାସ ଓ ଇତିହାସର ବିଜ୍ଞାନ ସହ ଭଲ ଭାବେ ପରିଚିତ ହେବାକୁ ପଡ଼ିବ । ଗତ ଶତାବ୍ଦୀରେ ଅନେକ ଇତିହାସ ଭିତ୍ତିକ ପ୍ରଶ୍ନ ବିଜ୍ଞାନ ସହାୟତାରେ ସମାଧାନ ହୋଇପାରିଛି । ସମୟ ନିର୍ଣ୍ଣୟରେ ଏବେ ବୈଜ୍ଞାନିକ ପଦ୍ଧତି ବ୍ୟବହାର ହେଉଛି ଓ ଗବେଷଣାରେ ସାହାଯ୍ୟ କରୁଛି ।
ଭାରତୀୟ ବିଜ୍ଞାନର ସମୃଦ୍ଧ ଇତିହାସକୁ ବିସ୍ତାର କରିବାକୁ ପଡିବ । ଦୁଃଖର କଥା ଦୀର୍ଘଦିନ ଧରି ଆଧୁନିକତା ପୂର୍ବର ସମୟ ଅନ୍ଧବିଶ୍ୱାସ ଓ ଅନ୍ଧକାରର ଯୁଗ ଥିଲା ବୋଲି ଯୁବପିଢ଼ିଙ୍କୁ ମିଛ କୁହାଯାଉଥିଲା । ଆଜିର ଯୁଗ କମ୍ପ୍ୟୁଟର, ପ୍ରୋଗ୍ରାମିଂ, ମୋବାଇଲ ଓ ଆପ୍ଲିକେସନର ଯୁଗ । ହେଲେ କମ୍ପ୍ୟୁଟିଂର ଭିତ୍ତି କଣ ? ଏହା ହେଉଛି ବାଇନାରୀ କୋଡ 1 ଓ 0 ।
ବନ୍ଧୁଗଣ,
ଯେତେବେଳେ ଜଣେ ଶୂନର କଥା କହୁଛି, ତେବେ ସେ ଭାରତ କଥା କିପରି ନଭାବିବ ? ଶୂନ ଗଣିତର ଅନେକାଂଶ ପ୍ରସ୍ତୁତ କରିଛି ଆଉ ବାଣିଜ୍ୟ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରିଛି । ଜଣେ ଯୁବକ ନିଶ୍ଚିତ ଭାବେ ବୌଦ୍ଧଧ୍ୟାନ, ଭାସ୍କର, ବରାହମିହିର, ନାଗାର୍ଜୁନ, ସୁଶ୍ରୁତ ଓ ଆହୁରି ଅନେକ ଯେପରିକି ସତ୍ୟେନ୍ଦ୍ର ନାଥ ବୋଷ ଓ ଆଧୁନିକ ଯୁଗର ସାର ସିଭି ରମଣଙ୍କ ସମ୍ପର୍କରେ ଜାଣିବା ଉଚିବ । ଏହି ତାଲିକା ବେଶ ଲମ୍ବା !
ବନ୍ଧୁଗଣ,
ଆମର ମହାନ ଅତୀତ ଦ୍ୱାରା ଅନୁପ୍ରାଣିତ ଓ ବର୍ତ୍ତମାନର ଉପଲବ୍ଧି ଦ୍ୱାରା ଶକ୍ତି ସମୃଦ୍ଧ ହୋଇ ବେଶ ଆକାଂକ୍ଷାର ସହ ଆଗେଇ ଚାଲିଛୁ । ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ଓ ସମୃଦ୍ଧ ଭବିଷ୍ୟତ ନିର୍ମାଣ ଆମର ଲକ୍ଷ୍ୟ । ଆତ୍ମନିର୍ଭର ଭାରତ ଆହ୍ୱାନରେ ବିଶ୍ୱର କଲ୍ୟାଣର ଲକ୍ଷ୍ୟ ସାମିଲ ରହିଛି । ଏହି ସ୍ୱପ୍ନ ସାକାର କରିବା ପାଇଁ ମୁଁ ଆପଣମାନଙ୍କୁ ଆମନ୍ତ୍ରଣ ଜଣାଉଛି ଓ ସହାୟତା ଆଶା କରୁଛି । ଖୁବ ନିକଟରେ ଭାରତରେ ଅଗ୍ରଣୀ ମହାକାଶ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ସଂସ୍କାର ଦ୍ୱାରା ଉଭୟ ଶିଳ୍ପ ଓ ଶିକ୍ଷା କ୍ଷେତ୍ରକୁ ସୁଯୋଗ ପ୍ରଦାନ କରିବ । ଆପଣମାନେ ଭାରତର ଷ୍ଟାର୍ଟ ଅପ୍ ପରିତନ୍ତ୍ର ସମ୍ପର୍କରେ ଅବଗତ ଥିବେ । ବୈଜ୍ଞାନିକ, ଗବେଷକ ଓ ଶିକ୍ଷାବିତମାନଙ୍କ ଅବଦାନ ବିନା ଆଗେଇ ପାରିବ ନାହିଁ । ଆମ ଷ୍ଟାର୍ଟ ଅପ କ୍ଷେତ୍ର ଆପଣମାନଙ୍କ ପରାମର୍ଶରେ ଆଗେଇ ପାରିବ ।
ବନ୍ଧୁଗଣ,
ପ୍ରବାସୀ ଭାରତୀୟ ବିଶ୍ୱ ସ୍ତରରେ ଭାରତର ପ୍ରକୃଷ୍ଟ ରାଷ୍ଟ୍ରଦୂତ । ସେମାନେ ଯିବାବେଳେ ନିଜ ସହିତ ଭାରତୀୟ ଲୋକାଚାର ନେଇ ଯାଇଥିଲେ । ନିଜ ନୂଆ ଘରର ସଂସ୍କୃତିକୁ ସେମାନେ ଗ୍ରହଣ କରିଥିଲେ । ପ୍ରବାସୀ ଭାରତୀୟ ବିଭିନ୍ନ କ୍ଷେତ୍ରରେ ସଫଳ । ଶିକ୍ଷାକ୍ଷେତ୍ର ଏହାର ସବୁଠାରୁ ଭଲ ଉଦାହରଣ । ବିଶ୍ୱର ଅଧିକାଂଶ ପ୍ରମୁଖ ବିଶ୍ୱବିଦ୍ୟାଳୟ ଓ ବିଶ୍ୱର ପ୍ରମୁଖ ପ୍ରଯୁକ୍ତି ସଂସ୍ଥା ଭାରତୀୟ ପ୍ରତିଭାମାନଙ୍କ ଉପସ୍ଥିତି ଯୋଗୁଁ ବେଶ ଲାଭାନ୍ୱିତ ହେଉଛନ୍ତି ।
ବୈଭବ ମାଧ୍ୟମରେ ଆମେ ଆପଣମାନଙ୍କୁ ବିପୁଳ ସୁଯୋଗ ପ୍ରଦାନ କରୁଛୁ । ସଂଯୋଗ ସ୍ଥାପନ ଓ ଯୋଗଦାନର ସୁଯୋଗ । ଆପଣମାନଙ୍କ ଉଦ୍ୟମ ଭାରତ ଓ ବିଶ୍ୱକୁ ସାହାଯ୍ୟ କରିବ । ଭାରତ ଯେତେବେଳେ ସମୃଦ୍ଧ ହେବ ବିଶ୍ୱ ଆଗେଇବ । ଏହି ବିନିମୟ ବେଶ ଉପଯୋଗୀ ହେବ । ଆପଣମାନଙ୍କ ଉଦ୍ୟମ ଆଦର୍ଶ ଗବେଷଣା ପରିତନ୍ତ୍ର ସୃଷ୍ଟି କରିବ । ଏହାଦ୍ୱାରା ପରମ୍ପରା ସହ ଆଧୁନିକତା ମିଶ୍ରଣ ହେବ । ଆମେ ସମ୍ମୁଖୀନ ହେଉଥିବା ଆହ୍ୱାନର ସମ୍ମୁଖୀନ ହେବା ପାଇଁ ଏହା ଭାରତକୁ ସ୍ୱବିକଶିତ ସମାଧାନ ପ୍ରଦାନ କରିବ । ଏହା ଅନ୍ୟମାନଙ୍କୁ ମଧ୍ୟ ସମୃଦ୍ଧ କରିବ । ନୂଆ ନୂଆ ପ୍ରଯୁକ୍ତି ସୃଷ୍ଟି କରିବାରେ ଏହା ଭାରତକୁ ସାହାଯ୍ୟ କରିବ ।
ବନ୍ଧୁଗଣ,
ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ଅବସରରେ ଆମେ ଏକାଠି ହୋଇଛେ । ପ୍ରାୟ ଶହେ ବର୍ଷ ତଳେ 1925ରେ ମହାରାଜା କଲେଜ, ତିରୁଅନନ୍ତପୁରମରେ ଗାନ୍ଧିଜୀ କହିଥିବା କଥାଟିଏ ମୁଁ ଆପଣମାନଙ୍କୁ ମନେ ପକାଇ ଦେଉଛି । ବୈଜ୍ଞାନିକ ପ୍ରଗତିର ସୁଫଳ ଅଧିକାଂଶ ଭାରତୀୟ ବାସ କରୁଥିବା ଗ୍ରାମୀଣ ଭାରତରେ ପହଞ୍ଚୁ ବୋଲି ସେ ଚାହୁଁଥିଲେ । ବାପୁ ବିଜ୍ଞାନ ଉପରେ ବିସ୍ତୃତ ଭିତିଭୂମି ନିର୍ମାଣ କରିବାକୁ ଗୁରୁତ୍ୱ ଦେଇଥିଲେ । 1929ରେ ସେ କିଛି ନିଆରା ପ୍ରୟୋଗ କରିଥିଲେ । ସେ କ୍ରାଉଡ ସୋର୍ସିଂ ଆରମ୍ଭ କରିଥିଲେ । ହାଲୁକା ଚରଖା ତିଆରି ପାଇଁ ସେ ଆହ୍ୱାନ ଦେଇଥିଲେ । ଗାଁ, ଯୁବପିଢ଼ି, ଗରିବଙ୍କ ପ୍ରତି ତାଙ୍କର ଭଲ ପାଇବା ଓ ଅଧିକ ଲୋକଙ୍କୁ ବିଜ୍ଞାନ ସହ ଯୋଡ଼ିବାର ଲକ୍ଷ୍ୟ ଆମକୁ ପ୍ରେରିତ କରୁଛି । ଆଜି ଆମେ ଭାରତ ମାତାର ଆଉ ଜଣେ ଗୌରବଶାଳୀ ସନ୍ତାନଙ୍କୁ ତାଙ୍କୁ ଜୟନ୍ତୀ ଅବସରରେ ସ୍ମରଣ କରୁଛୁ । ସେ ହେଲେ ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀଜୀ । ତାଙ୍କର ବିନମ୍ରତା, ସରଳତା ଓ ମହାନ ନେତୃତ୍ୱକୁ ଆମେ ମନେ ପକାଉଛୁ ।
ବନ୍ଧୁଗଣ,
ଆପଣମାନଙ୍କ ଆଲୋଚନା ପାଇଁ ଆପଣଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ମୁ ଆପଣଙ୍କୁ ଆଶ୍ୱାସନା ଦେଉଛି ବୈଭବ କାର୍ଯ୍ୟକାରୀ ହେବ ଓ ଏହାର ନିର୍ଯାସ ବେଶ ସଫଳ ହେବ । ଭାଷଣ ସାରିବା ପୂର୍ବରୁ ନିଜ ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ଯତ୍ନ ନେବା, ସମସ୍ତ ସାବଧାନତା ଅବଲମ୍ବନ କରିବା ଓ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଉଛି ।
ଧନ୍ୟବାଦ, ଅଶେଷ ଧନ୍ୟବାଦ ।
**********
(Release ID: 1661374)
Visitor Counter : 244
Read this release in:
English
,
Urdu
,
Marathi
,
Hindi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam