ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
‘ପାରଦର୍ଶୀ ଟିକସ ବ୍ୟବସ୍ଥା-ସଚ୍ଚୋଟଙ୍କୁ ସମ୍ମାନ’ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
Posted On:
13 AUG 2020 12:38PM by PIB Bhubaneshwar
ଦେଶରେ ଜାରି ରହିଥିବା ଢାଂଚାଗତ ସଂସ୍କାରର ଧାରା ଆଜି ଏକ ନୂଆ ସୋପାନରେ ପହଞ୍ଚିଛି । ‘ପାରଦର୍ଶୀ ଟିକସ ବ୍ୟବସ୍ଥା-ସଚ୍ଚୋଟଙ୍କୁ ସମ୍ମାନ’, ଏକବିଂଶ ଶତାବ୍ଦୀର ଟିକସ ବ୍ୟବସ୍ଥା ଭାବେ ଆଜି ଏହି ନୂଆ ବ୍ୟବସ୍ଥାର ଲୋକାର୍ପଣ କରାଯାଇଛି ।
ଏହି ପ୍ଲାଟଫର୍ମରେ ସାକ୍ଷାତମୁକ୍ତ ଆକଳନ, ସାକ୍ଷାତମୁକ୍ତ ଆବେଦନ ଏବଂ ଟିକସଦାତା ଚାର୍ଟର ଭଳି ବଡ଼ ସଂସ୍କାର ରହିଛି । ସାକ୍ଷାତମୁକ୍ତ ଆକଳନ ଏବଂ ଟିକସଦାତା ଚାର୍ଟର ଆଜିଠାରୁ ଲାଗୁ ହେଉଛି । ସାକ୍ଷାତମୁକ୍ତ ଆବେଦନ ସୁବିଧା 25 ସେପ୍ଟେମ୍ବର ଅର୍ଥାତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ସାରା ଦେଶରେ ନାଗରିକମାନଙ୍କ ପାଇଁ ଉପଲବ୍ଧ ହେବ । ଏବେ ଟିକସ ବ୍ୟବସ୍ଥା ସାକ୍ଷାତମୁକ୍ତ ହେଉଥିଲେ ମଧ୍ୟ ଏହା ଟିକସଦାତାମାନଙ୍କୁ ସ୍ୱଚ୍ଛତା ଏବଂ ଭୟଶୂନ୍ୟତାର ବିଶ୍ୱାସ ପ୍ରଦାନ କରିବ । ମୁଁ ସମସ୍ତ ଟିକସଦାତାମାନଙ୍କୁ ଏଥିପାଇଁ ଅନେକ ଅନେକ ଅଭିନନ୍ଦନ ଜ୍ଞାପନ କରୁଛି ଏବଂ ଆୟକର ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ମଧ୍ୟ ଅନେକ ଅନେକ ଶୁଭକାମନା ।
ସାଥୀଗଣ,
ବିଗତ 6 ବର୍ଷ ଧରି ଆମେ ବ୍ୟାଙ୍କ ସେବାରୁ ବଂଚିତ ଲୋକମାନଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବା, ଅସୁରକ୍ଷିତମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଏବଂ ପାଣ୍ଠିରୁ ବଂଚିତ ଲୋକମାନଙ୍କୁ ପାଣ୍ଠି ଯୋଗାଇ ଦେବା ଦିଗରେ କାର୍ଯ୍ୟ କରିଆସିଛୁ । ସଚ୍ଚୋଟଙ୍କୁ ସମ୍ମାନ । ଦେଶର ସଚ୍ଚୋଟ ଟିକସଦାତା ରାଷ୍ଟ୍ର ନିର୍ମାଣରେ ବହୁତ ବଡ଼ ଭୂମିକା ନିର୍ବାହ କରିଥାନ୍ତି । ଯେତେବେଳେ ଦେଶର ସଚ୍ଚୋଟ ଟିକସଦାତାର ଜୀବନ ସହଜ ହୋଇଥାଏ, ସେ ଆଗକୁ ବଢ଼ିଥାଏ, ସାରା ଦେଶର ମଧ୍ୟ ବିକାଶ ହୋଇଥାଏ, ଦେଶ ମଧ୍ୟ ଆଗକୁ ବଢ଼ିଥାଏ ।
ସାଥୀଗଣ,
ଆଜିଠାରୁ ଆରମ୍ଭ ହେଉଥିବା ନୂଆ ବ୍ୟବସ୍ଥା, ନୂଆ ସୁବିଧା, ସର୍ବନିମ୍ନ ସରକାର, ସର୍ବାଧିକ ପ୍ରଶାସନ ପ୍ରତି ଆମର ପ୍ରତିବଦ୍ଧତାକୁ ଅଧିକ ମଜବୁତ କରୁଛି । ଏହା ଦେଶବାସୀଙ୍କ ଜୀବନରେ ସରକାର ଏବଂ ସରକାରୀ ହସ୍ତକ୍ଷେପକୁ ହ୍ରାସ କରିବା ଦିଗରେ ଏକ ବହୁତ ବଡ଼ ପଦକ୍ଷେପ ।
ସାଥୀଗଣ, ଆଜି ପ୍ରତ୍ୟେକ ନିୟମ-କାନୁନ, ପ୍ରତ୍ୟେକ ନୀତିକୁ ପ୍ରକ୍ରିୟା ଏବଂ କ୍ଷମତା କୈନ୍ଦ୍ରିକ ଆଭିମୁଖ୍ୟ ଠାରୁ ବାହାରକୁ ଆଣି ତା’କୁ ଜନକୈନ୍ଦ୍ରିକ ଏବଂ ଜନ ଅନକୂଳ କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି । ଏହା ନୂଆ ଭାରତରେ ନୂଆ ପ୍ରଶାସନିକ ମଡେଲର ପ୍ରୟୋଗ । ଏହାର ସୁଖଦ ପରିଣାମ ମଧ୍ୟ ଦେଶକୁ ମିଳିବାରେ ଲାଗିଛି । ଆଜି ପ୍ରତ୍ୟେକଙ୍କୁ ଏପରି ଅନୁଭବ ହେଉଛି ଯେ ଗଳାବାଟ ଠିକ ନୁହେଁ, ଭୁଲ ପଦ୍ଧତି ଆପଣାଇବା ଠିକ ନୁହେଁ । ସେ ସମୟ ଏବେ ଅତୀତ ହୋଇଯାଇଛି । ଏବେ ଦେଶରେ ଏପରି ଏକ ପରିବେଶ ସୃଷ୍ଟି ହୋଇଚାଲିଛି ଯେଉଁଠି କର୍ତବ୍ୟ ଭାବନାକୁ ସର୍ବୋପରି ରଖାଯାଇ ସମସ୍ତ କାମ କରାଯାଉଛି ।
ତେବେ ପ୍ରଶ୍ନ ଉଠୁଚି ଯେ ଏପରି ପରିବର୍ତନ ଆସିଲା କିପରି? ଏହା କ’ଣ କେବଳ କଠୋର ବ୍ୟବସ୍ଥା କାରଣରୁ ଆସିଛି? ନା, ଆଦୌ ନୁହେଁ । ଏହାର ଚାରିଟି ବଡ଼ କାରଣ ରହିଛି ।
ପ୍ରଥମତଃ ନୀତି ଆଧାରିତ ପ୍ରଶାସନ । ଯେତେବେଳେ ନୀତି ସ୍ପଷ୍ଟ ହୁଏ ‘ଗ୍ରେ ଏରିଆ’ର ପ୍ରଭାବ କମ ହୋଇଥାଏ ଏବଂ ଏହି କାରଣରୁ ବ୍ୟବସାୟ, କାରବାରରେ ସତକର୍ତାର ଆବଶ୍ୟକତା କମିଯାଇଥାଏ ।
ଦ୍ୱିତୀୟତଃ-ଜନସାଧାରଣଙ୍କର ସଚ୍ଚୋଟତା ଉପରେ ବିଶ୍ୱାସ ।
ତୃତୀୟତଃ, ସରକାରୀ ବ୍ୟବସ୍ଥାରେ ମାନବୀୟ ହସ୍ତକ୍ଷେପକୁ ସୀମିତ କରି ଟେକ୍ନୋଲୋଜିର ବ୍ୟାପକ ଉପଯୋଗ । ଆଜି ସରକାରୀ କ୍ରୟ ହେଉ, ସରକାରୀ ଟେଣ୍ଡର କିମ୍ବା ସରକାରୀ ସେବା ପ୍ରଦାନ, ସବୁ ସ୍ଥାନରେ ପ୍ରଯୁକ୍ତି ପ୍ରୟୋଗ କରାଯାଇ ସେବା ପ୍ରଦାନ କରାଯାଉଛି ।
ଚତୁର୍ଥତଃ, ଆମର ଯେଉଁ ସରକାରୀ ବ୍ୟବସ୍ଥା, ଅମଲାତନ୍ତ୍ର ରହିଛି ସେଥିରେ ଦକ୍ଷତା, ବିଶ୍ୱସନୀୟତା ଏବଂ ସମ୍ବେଦନଶୀଳତା ଆଦି ଗୁଣ ପାଇଁ ପୁରସ୍କୃତ କରାଯାଉଛି ।
ସାଥୀଗଣ,
ଏପରି ଏକ ସମୟ ଥିଲା ଯେତେବେଳେ ଆମ ଦେଶରେ ସଂସ୍କାର ବିଷୟରେ ବ୍ୟାପକ ଆଲୋଚନା ହେଉଥିଲା । କେବେ ବାଧ୍ୟବାଧକତାରେ ନିଷ୍ପତି ନିଆଯାଉଥିଲା, ଆଉ କେବେ ଚାପରେ ପଡ଼ି କେତେକ ନିଷ୍ପତ୍ତି ନିଆଯାଉଥିଲା, ସେଗୁଡ଼ିକୁ ସଂସ୍କାର ନାଁ ମଧ୍ୟ ଦେଇ ଦିଆଯାଉଥିଲା । ଏହି କାରଣରୁ ଆଶାନୁରୂପ ପରିଣାମ ମିଳୁନଥିଲା । ଏବେ ସେହି ଚିନ୍ତାଧାରା ଓ ଆଭିମୁଖ୍ୟ, ଉଭୟ ବଦଳି ଯାଇଛି । ଆମ ପାଇଁ ସଂସ୍କାରର ଅର୍ଥ, ନୀତିଆଧାରିତ ସଂସ୍କାର, ଖଣ୍ଡିତ ନୁହେଁ ବରଂ ସାମଗ୍ରିକ । ଏହାଛଡ଼ା ଗୋଟିଏ ସଂସ୍କାର ଅନ୍ୟ ସଂସ୍କାରର ଆଧାର ହେଉ, ନୂଆ ସଂସ୍କାର ପାଇଁ ମାର୍ଗ ପ୍ରଶସ୍ତ କରିବା ଭଳି ବ୍ୟବସ୍ଥା କରାଯାଇଛି । ଆମେ ଥରେ ସଂସ୍କାର ଆଣିବା ପରେ ଅଟକି ଯାଇନାହୁଁ । ଏହା ନିରନ୍ତର, ସ୍ଥାୟୀ ଭାବେ ଚାଲିଥିବା ଏକ ପ୍ରକ୍ରିୟା । ବିଗତ କିଛି ବର୍ଷ ମଧ୍ୟ ଦେଶରେ ଦେଢ଼ ହଜାରରୁ ଅଧିକ ଆଇନକୁ ଉଚ୍ଛେଦ କରି ଦିଆଯାଇଛି ।
ବ୍ୟବସାୟିକ ସୁଗମତା ର୍ୟାଙ୍କିଙ୍ଗରେ ଭାରତ କିଛି ବର୍ଷ ପୂର୍ବେ ୧୩୪ତମ ସ୍ଥାନରେ ରହିଥିବା ବେଳେ ଆଜି 63ତମ ସ୍ଥାନରେ ରହିଛି । ରେଙ୍କିଂରେ ଏତେ ବଡ଼ ପରିବର୍ତ୍ତନ ପଛରେ ଅନେକ ସଂସ୍କାର ରହିଛି, ଅନେକ ନିୟମ-କାନୁନରେ ପରିବର୍ଟ୍ଟନ ରହିଛି । ସଂସ୍କାର ପ୍ରତି ଭାରତର ଏହି ପ୍ରତିବଦ୍ଧତାକୁ ଦେଖି, ବିଦେଶୀ ନିବେଶକମାନଙ୍କ ବିଶ୍ୱାସ ମଧ୍ୟ ଭାରତ ଉପରେ ଲଗାତାର ବଢ଼ୁଛି । କରୋନାର ଏହି ସଙ୍କଟ ସମୟରେ ମଧ୍ୟ ଭାରତକୁ ରେକର୍ଡ ଏଫଡିଆଇ ଆସିବା, ଏହାର ଏକ ଉଦାହରଣ ।
ସାଥୀଗଣ,
ଭାରତର ଟିକସ ବ୍ୟବସ୍ଥାରେ ମୌଳିକ ଏବଂ ଢାଂଚାଗତ ସଂସ୍କାରର ଆବଶ୍ୟକତା ରହିଥିଲା । କାରଣ ଆମ ପାଖରେ ଥିବା ଆଜିର ଏହି ବ୍ୟବସ୍ଥା ଉପନିବେଶବାଦ ସମୟରେ ପ୍ରସ୍ତୁତ ହୋଇଥିଲା ଏବଂ ଏହାପରେ ଧୀରେ ଧୀରେ ବୃଦ୍ଧି ପାଇଛି । ସ୍ୱାଧୀନତା ପରେ ଏଥିରେ ଅଳ୍ପବହୁତ ପରିବର୍ଟ୍ଟନ କରାଯାଇଥିଲା, କିନ୍ତୁ ବ୍ୟବସ୍ଥାର ବ୍ୟାପକ ସ୍ୱଭାବ ସେହିପରି ରହିଥିଲା ।
ଯାହାର ପରିଣାମ ସ୍ୱରୂପ ରାଷ୍ଟ୍ର ନିର୍ମାଣର ଦୃଢ଼ ସ୍ତମ୍ଭ କୁହାଯାଉଥିବା ଟିକସଦାତା, ଯେଉଁମାନେ ଦେଶରୁ ଦାରିଦ୍ର୍ୟ ଦୂରୀକରଣ ଲାଗି ଯୋଗଦାନ ଦେଉଛନ୍ତି, ସେମାନଙ୍କୁ କାଠଗଡ଼ାରେ ଛିଡ଼ା କରାଗଲା । ଆୟକର ବିଭାଗର ନୋଟିସ ବିଚାରାଦେଶ ଭଳି ହୋଇଗଲା । ଦେଶ ସହିତ ଛଳନା କରୁଥିବା କିଛି ହାତଗଣତି ଲୋକମାନଙ୍କ ପରିଚୟ ଲାଗି ଅନେକ ଲୋକଙ୍କୁ ଅନାବଶ୍ୟକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଲା । ଏହାଦ୍ୱାରା ଟିକସଦାତାଙ୍କ ସଂଖ୍ୟା ସଗର୍ବେ ବୃଦ୍ଧି ପାଇବା ବଦଳରେ ସଲାସୁତରା, ଧରାଧରି ପାଇଁ ଏକ ବ୍ୟବସ୍ଥା ସୃଷ୍ଟି ହୋଇଗଲା ।
ଏହି ବିସଙ୍ଗତି ମଧ୍ୟରେ କଳା ଓ ଧଳାର ଉଦ୍ୟୋଗ ମଧ୍ୟ ବଢ଼ି ବଢ଼ି ଚାଲିଲା । ଏହି ବ୍ୟବସ୍ଥା ସଚ୍ଚୋଟତାର ସହିତ ବ୍ୟବସାୟ-କାରବାର କରୁଥିବା ଲୋକମାନଙ୍କୁ, ରୋଜଗାର ଦେଉଥିବା ଲୋକମାନଙ୍କୁ ଏବଂ ଦେଶର ଯୁବଶକ୍ତିଙ୍କ ଆକାଂକ୍ଷାକୁ ପ୍ରୋତ୍ସାହିତ କରିବା ବଦଳରେ ଦଳି ମକଚି ଦେଲା ।
ସାଥୀଗଣ,
ଯେଉଁଠି ଜଟିଳତା ଥାଏ, ସେଠି ଅନୁପାଳନ ସହଜ ହୋଇନଥାଏ । ଅତି କମ ଆଇନ, ସ୍ପଷ୍ଟ ଆଇନଗତ ବ୍ୟବସ୍ଥା ରହିଲେ ଟିକସଦାତା ଖୁସି ରହିଥାନ୍ତି ଏବଂ ଦେଶ ମଧ୍ୟ । ବିଗତ କିଛି ସମୟ ଧରି ଏହି କାମ ଜାରି ରହିଛି । ଏବେ ଯେପରି ଡଜନରୁ ଊର୍ଦ୍ଧ୍ଵ ଟିକସ ବ୍ୟବସ୍ଥା ବଦଳରେ ଜିଏସଟି ଆସିଛି । ରିଟର୍ଣ୍ଣ ଠାରୁ ଆରମ୍ଭ କରି ରିଫଣ୍ଡର ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅନଲାଇନ କରାଯାଉଛି ।
ଯେଉଁ ନୂଆ ସ୍ଲାବ ସିଷ୍ଟମ ଆସିଛି, ତାହାଦ୍ୱାରା ଅକାରଣରେ କାଗଜପତ୍ର ଏବଂ ଦସ୍ତାବିଜ ଯୋଗାଡ଼ କରିବାର ବାଧ୍ୟବାଧକତାରୁ ମୁକ୍ତି ମିଳିଛି । କେବଳ ସେତିକି ନୁହେଁ, ପୂର୍ବରୁ 10 ଲକ୍ଷ ଟଙ୍କା ଠାରୁ ଅଧିକ ବିବାଦକୁ ନେଇ ସରକାର ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ନିକଟରେ ପହଂଚିଯାଉଥିଲେ । ଏବେ ହାଇକୋର୍ଟରେ 1 କୋଟି ଟଙ୍କା ପର୍ଯ୍ୟନ୍ତ ଏବଂ ସୁପ୍ରିମକୋର୍ଟରେ 2 କୋଟି ଟଙ୍କା ପର୍ଯ୍ୟନ୍ତ ମାମଲା ଯିବା ଲାଗି ସୀମା ନିର୍ଦ୍ଧାରଣ କରାଯାଇଛି । ବିବାଦରୁ ବିଶ୍ୱାସ ଭଳି ଯୋଜନା ମାଧ୍ୟମରେ ପ୍ରୟାସ କରାଯାଉଛି ଯେ ଅଧିକାଂଶ ମାମଲା କୋର୍ଟ ବାହାରେ ହିଁ ସମାଧାନ ହୋଇଯାଉ । ଏହାର ଫଳସ୍ୱରୂପ ଖୁବ କମ ସମୟ ମଧ୍ୟରେ ପାଖାପାଖି ତିନି ଲକ୍ଷ ମାମଲା ସମାଧାନ କରାଯାଇପାରିଛି ।
ସାଥୀଗଣ,
ପ୍ରକ୍ରିୟାଗତ ଜଟିଳତା ସହିତ ଟିକସ ମଧ୍ୟ ଦେଶରେ ହ୍ରାସ କରାଯାଇଛି । 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଏବେ ଜିରୋ ଟିକସ ଲାଗୁ ହେଉଛି । ବାକି ସ୍ଲାବରେ ମଧ୍ୟ ଟିକସ କମ ହୋଇଛି । କର୍ପୋରେଟ ଟିକସ ବ୍ୟାପାରରେ ଆମେ ବିଶ୍ୱର ସବୁଠୁ କମ ଟିକସ ନେଉଥିବା ଦେଶ ଗୁଡ଼ିକ ମଧ୍ୟରୁ ଅନ୍ୟତମ ।
ସାଥୀଗଣ,
ଆମର ଟିକସ ବ୍ୟବସ୍ଥାକୁ ବାଧାମୁକ୍ତ (ସିମଲେସ), ଯନ୍ତ୍ରଣାମୁକ୍ତ (ପେନଲେସ), ସାକ୍ଷାତମୁକ୍ତ (ଫେସଲେସ) କରିବା ଲାଗି ପ୍ରୟାସ କରାଯାଉଛି । ସିମଲେସ ଅର୍ଥାତ ଟିକସ ପ୍ରଶାସନ ପ୍ରତ୍ୟେକ ଟିକସଦାତାଙ୍କୁ ଫସାଇବା ବଦଳରେ ସମସ୍ୟା ସମାଧାନ କରିବାର କାମ କରିବ । ପେନଲେସ ଅର୍ଥାତ ପ୍ରଯୁକ୍ତିଠାରୁ ଆରମ୍ଭ କରି ନିୟମ ପର୍ଯ୍ୟନ୍ତ ସବୁକିଛି ସହଜ ହେବ । ଫେସଲେସ ଅର୍ଥାତ ଟିକସଦାତା ଏବଂ ଟିକସ ଅଧିକାରୀ ଯିଏ ହୁଅନ୍ତୁ ନା କାହିଁକି ସେଥିରେ କିଛି ଯାଏଆସେ ନାହିଁ । ଆଜି ଠାରୁ ଲାଗୁ ହେଉଥିବା ସଂସ୍କାର ଏହି ଚିନ୍ତାଧାରାକୁ ଆଗକୁ ବଢ଼ାଇବ ।
ସାଥୀଗଣ,
ବର୍ତ୍ତମାନ ସୁଦ୍ଧା ଏପରି ହୋଇଆସୁଥିଲା, ଯେଉଁ ସହରରେ ଆମେ ରହୁଛୁ, ସେହି ସହରର ଟିକସ ବିଭାଗ ଆମର ଟିକସ ସମ୍ବନ୍ଧୀୟ ସମସ୍ତ ମାମଲାଗୁଡ଼ିକୁ ଦେଖୁଥିଲା । ଯାଞ୍ଚ ହେଉ, ନୋଟିସ ହେଉ, ସର୍ବେକ୍ଷଣ ହେଉ କିମ୍ବା ବାଜ୍ୟାପ୍ତି, ଏଥିରେ ସେହି ସହରର ଆୟକର ବିଭାଗ, ଆୟକର ଅଧିକାରୀ ମୁଖ୍ୟ ଭୂମିକା ନିର୍ବାହ କରୁଥିଲେ । ଏବେ ଏହି ଭୂମିକା ଏକ ପ୍ରକାର ଶେଷ ହୋଇଯାଇଛି । ଏବେ ଏହାକୁ ଟେକ୍ନୋଲୋଜି ସହାୟତାରେ ବଦଳାଇ ଦିଆଯାଇଛି ।
ଏବେ ଯାଞ୍ଚ ମାମଲାକୁ ଦେଶର ଯେକୌଣସି କ୍ଷେତ୍ରରେ ଯେକୌଣସି ଅଧିକାରୀଙ୍କ ନିକଟକୁ ରାଣ୍ଡମ (ମିଶ୍ରିତ) ଭାବେ ଆବଂଟିତ କରିଦିଆଯିବ । ଧରାଯାଉ, ମୁମ୍ବାଇରେ କେହି ଜଣେ ଟିକସଦାତାଙ୍କ ରିଟର୍ଣ୍ଣ ସଂକ୍ରାନ୍ତ ମାମଲା ସାମ୍ନାକୁ ଆସିଛି, ଏବେ ଏହାର ଯାଞ୍ଚ ଦାୟିତ୍ୱ ମୁମ୍ବାଇର ଅଧିକାରୀଙ୍କ ପାଖକୁ ଯିବ ନାହିଁ, ବରଂ ସମ୍ଭବତଃ ଏହି ମାମଲା ଚେନ୍ନାଇର ଫେସଲେସ ଟିମ ପାଖକୁ ଯାଇପାରେ । ଆହୁରି ସେଠାରୁ ମଧ୍ୟ ଯେଉଁ ଆଦେଶ ଜାରି ହେବ ଅନ୍ୟ କୌଣସି ସହରରେ ତା’ର ସମୀକ୍ଷା କରାଯିବ, ଯେପରିକି ଜୟପୁର କିମ୍ବା ବେଙ୍ଗାଲୁରୁର ଟିମ କରିବ । ଫେସଲେସ ଟିମ କେଉଁଠି ହେବ, ଏଥିରେ କେଉଁମାନେ ରହିବେ, ତାହା ମଧ୍ୟ ମିଶ୍ରିତ ଭାବେ କରାଯିବ । ପ୍ରତିବର୍ଷ ଏଥିରେ ପରିବର୍ତ୍ତନ ଜାରି ରହିବ ।
ସାଥୀଗଣ,
ଏହି ବ୍ୟବସ୍ଥା ଫଳରେ ଟିକସଦାତା ଆୟକର କାର୍ଯ୍ୟାଳୟରେ ଚିହ୍ନା-ପରିଚିତ ସୃଷ୍ଟି କରିବା ଏବଂ ଚାପ ପକାଇବାର ସୁଯୋଗ ରହିବ ନାହିଁ । ସମସ୍ତେ ନିଜ ନିଜ ଦାୟିତ୍ୱକୁ ହିସାବ କରି କାମ କରିବେ । ଏହାଦ୍ୱାରା ଅନାବଶ୍ୟକ ମାମଲାଖୋରୀର ଲାଭ ବିଭାଗକୁ ମିଳିବ । ଅନ୍ୟପକ୍ଷରେ ଟ୍ରାନ୍ସଫର-ପୋଷ୍ଟିଂରେ ଖର୍ଚ୍ଚ ହେଉଥିବା ଅନାବଶ୍ୟକ ଶ୍ରମରୁ ମଧ୍ୟ ରକ୍ଷା ମିଳିବ । ସେହିପରି ଟିକସ ସହ ଜଡ଼ିତ ମାମଲାଗୁଡ଼ିକର ଯାଞ୍ଚ ସହିତ ଆବେଦନ ମଧ୍ୟ ଏବେ ଫେସଲେସ (ସାକ୍ଷାତମୁକ୍ତ) ହେବ ।
ସାଥୀଗଣ,
ଟିକସଦାତା ଚାର୍ଟର ମଧ୍ୟ ଦେଶର ବିକାଶଯାତ୍ରା ଦିଗରେ ବହୁତ ବଡ଼ ପଦକ୍ଷେପ । ଭାରତର ଇତିହାସରେ ପ୍ରଥମ ଥର ପାଇଁ କରଦାତାମାନଙ୍କ ଅଧିକାର ଏବଂ କର୍ତବ୍ୟକୁ ସୂଚୀତ କରାଯାଇଛି, ସେମାନଙ୍କୁ ମାନ୍ୟତା ଦିଆଯାଇଛି । ଟିକସଦାତାମାନଙ୍କୁ ଏପରି ସ୍ତରରେ ସମ୍ମାନ ଓ ସୁରକ୍ଷା ଦେଉଥିବା ହାତଗଣତି ଦେଶ ମଧ୍ୟରେ ଏବେ ଭାରତ ସାମିଲ ହୋଇଯାଇଛି । ଏବେ ଟିକସଦାତାମାନଙ୍କୁ ଉଚିତ, ବିନମ୍ର ଓ ତର୍କସଂଗତ ବ୍ୟବହାର ପାଇଁ ଭରସା ଦିଆଯାଇଛି । ଅର୍ଥାତ ଆୟକର ବିଭାଗ ଏବେ ସମ୍ବେଦଶୀଳତା ସହିତ ଟିକସଦାତାଙ୍କ ସମ୍ମାନ ପ୍ରତି ଧ୍ୟାନ ରଖିବ । ଏବେ ଟିକସଦାତାଙ୍କ କଥାରେ ତା’କୁ ବିଶ୍ୱାସ କରିବାକୁ ହେବ, ବିଭାଗ ଏବେ ଅକାରଣରେ ଟିକସଦାତାଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିପାରିବ ନାହିଁ । ଯଦି କୌଣସି ପ୍ରକାର ସନ୍ଦେହ ରହିଛି ତାହେଲେ ଟିକସଦାତାଙ୍କୁ ଏବେ ଆବେଦନ ଓ ସମୀକ୍ଷା କରିବାର ଅଧିକାର ଦିଆଯିବ ।
ସାଥୀଗଣ,
ଅଧିକାର ସବୁବେଳେ ଦାୟିତ୍ୱ ସହିତ ଆସିଥାଏ, କର୍ତବ୍ୟ ସହିତ ଆସିଥାଏ । ଏହି ଚାର୍ଟରରେ ମଧ୍ୟ ଟିକସଦାତାଙ୍କ ଠାରୁ କିଛି ଆଶା କରାଯାଇଛି । ଟିକସଦାତାଙ୍କ ପାଇଁ ଟିକସ ଦେବା କିମ୍ବା ସରକାରଙ୍କ ପାଇଁ ଟିକସ ନେବା, ଏହା କୌଣସି ଅଧିକାରର ବିଷୟ ନୁହେଁ, ବରଂ ଏହା ଉଭୟଙ୍କ ଦାୟିତ୍ୱ । ଟିକସଦାତାଙ୍କୁ ଏଥିପାଇଁ ଟିକସ ଦେବାକୁ ହେବ ଯେ ଏହାଦ୍ୱାରା ବ୍ୟବସ୍ଥା ଚାଲିଥାଏ, ଦେଶର ଏକ ବଡ଼ ଜନସଂଖ୍ୟା ପ୍ରତି ଦେଶ ନିଜର ଦାୟିତ୍ୱ ନିର୍ବାହ କରି ପାରିଥାଏ ।
ଏହି ଟିକସ ବଳରେ ନିଜେ ଟିକସଦାତା ମଧ୍ୟ ଉନ୍ନତି ଲାଗି, ପ୍ରଗତି ଲାଗି, ଉନ୍ନତ ସୁବିଧା ଏବଂ ଭିତ୍ତିଭୂମି ପାଇପାରିଥାଏ । ଅନ୍ୟପଟେ ସରକାରଙ୍କ ଦାୟିତ୍ୱ ହେଉଛି ଟିକସଦାତାଙ୍କ ଦ୍ୱାରା ପ୍ରଦତ ଗୋଟିଏ ଗୋଟିଏ ଟଙ୍କାର ସଦୁପଯୋଗ କରିବା । ଏପରି ସ୍ଥିତିରେ ଆଜି ଯେତେବେଳେ ଟିକସଦାତାଙ୍କୁ ସୁବିଧା ଓ ସୁରକ୍ଷା ମିଳୁଛି, ଦେଶର ପ୍ରତ୍ୟେକ ଟିକସଦାତା ନିଜ ଦାୟିତ୍ୱ ପ୍ରତି ଅଧିକ ସଚେତନ ହେବେ ବୋଲି ଆଶା କରାଯାଉଛି ।
ସାଥୀଗଣ,
ଦେଶବାସୀଙ୍କ ପ୍ରତି ଭରସା, ଏହି ଚିନ୍ତାଧାରାର ପ୍ରଭାବ କିପରି ଭାବେ ତୃଣମୂଳ ସ୍ତରରେ ପରିଲକ୍ଷିତ ହେଉଛି, ଏହା ବୁଝିବା ମଧ୍ୟ ଅତ୍ୟନ୍ତ ଜରୁରି । 2012-13ରେ ଯେତିକି ଟିକସ ରିଟର୍ଣ୍ଣ ଦାଖଲ କରାଯାଉଥିଲା, ସେଥିମଧ୍ୟରୁ 0.94 ପ୍ରତିଶତ ଯାଞ୍ଚ କରାଯାଉଥିଲା । 2018-19 ଏହି ତଥ୍ୟ ହ୍ରାସ ପାଇ 0.26 ପ୍ରତିଶତରେ ପହଂଚିଛି । ଅର୍ଥାତ ମାମଲା ଯାଞ୍ଚ, ପାଖାପାଖି 4 ଗୁଣା କମ ହୋଇଛି । ଯାଞ୍ଚ 4 ଗୁଣା କମ ହେବା, ବ୍ୟାପକ ପରିବର୍ତ୍ତନକୁ ଦର୍ଶାଉଛି ।
ସାଥୀଗଣ,
ବିଗତ 6 ବର୍ଷ ମଧ୍ୟରେ ଭାରତର ଟିକସ ବ୍ୟବସ୍ଥାରେ ପ୍ରଶାସନର ଏକ ନୂଆ ମଡେଲ ବିକଶିତ ହୋଇଥିବା ପରିଲକ୍ଷିତ ହୋଇଛି ।
ଆମେ ଜଟିଳତା ହ୍ରାସ କରିଛୁ, ଟିକସ କମାଇଛୁ, ବିବାଦ କମାଇଛୁ, ସ୍ୱଚ୍ଛତା ବଢ଼ାଇଛୁ, ଟିକସ ଅନୁପାଳନ ବଢ଼ାଇଛୁ, ଟିକସଦାତାଙ୍କ ବିଶ୍ୱାସ ବଢ଼ାଇଛୁ ।
ସାଥୀଗଣ,
ଏ ସମସ୍ତ ପ୍ରୟାସ ମଧ୍ୟରେ ବିଗତ 6-7 ବର୍ଷ ମଧ୍ୟରେ ଆୟକର ରିଟର୍ଣ୍ଣ ଭରୁଥିବା ଲୋକଙ୍କ ସଂଖ୍ୟା ପାଖାପାଖି ଅଢ଼େଇ କୋଟି ବଢ଼ିଛି । କିନ୍ତୁ ଏହା ମଧ୍ୟ ସତ୍ୟ ଯେ 130 କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ଏହା ଏବେବି ଖୁବ କମ ରହିଛି । ଏତେ ବଡ଼ ଦେଶରେ ମାତ୍ର ଦେଢ଼ କୋଟି ସାଥୀ ଆୟକର ଜମା କରୁଛନ୍ତି । ଏଥିପ୍ରତି ଦେଶକୁ ଆତ୍ମଚିନ୍ତନ କରିବାକୁ ହେବ । ଆତ୍ମନିର୍ଭର ଭାରତ ଲାଗି ଆତ୍ମଚିନ୍ତନ ଜରୁରି । ଏ ଦାୟିତ୍ୱ କେବଳ ଆୟକର ବିଭାଗର ନୁହେଁ, ପ୍ରତ୍ୟେକ ଭାରତୀୟଙ୍କର । ଯେଉଁମାନେ ଟିକସ ଦେବା ଲାଗି ସକ୍ଷମ, କିନ୍ତୁ ଏବେ ସୁଦ୍ଧା ଟିକସ ବ୍ୟବସ୍ଥା ଭିତରକୁ ଆସିନାହାନ୍ତି, ସେମାନେ ସ୍ୱେଚ୍ଛାକୃତ ଭାବେ ଆଗକୁ ଆସନ୍ତୁ, ଏହା ମୋର ଅନୁରୋଧ ଏବଂ ଆଶା ।
ଆସନ୍ତୁ ବିଶ୍ୱାସର ସହିତ, ଅଧିକାର ଓ ଦାୟିତ୍ୱ ଏହି ସମ୍ମିଳିତ ଭାବନାର ସମ୍ମାନ କରି, ନୂଆ ଭାରତ, ଆତ୍ମନିର୍ଭର ଭାରତର ସଂକଳ୍ପକୁ ସିଦ୍ଧ କରିବା । ପୁଣିଥରେ ଦେଶର ବର୍ତ୍ତମାନ ଏବଂ ଭବିଷ୍ୟତର ଟିକସଦାତାମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭକାମନା!!
ବହୁତ-ବହୁତ ଧନ୍ୟବାଦ ।
**********
(Release ID: 1645533)
Visitor Counter : 247
Read this release in:
Marathi
,
Hindi
,
Manipuri
,
Bengali
,
Punjabi
,
Telugu
,
Urdu
,
Gujarati
,
English
,
Assamese
,
Tamil
,
Kannada
,
Malayalam