ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଇଣ୍ଡିଆ ଗ୍ଲୋବାଲ ସପ୍ତାହର ଉଦ୍‌ଘାଟନ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

• ବୈଶ୍ୱିକ ପୁନରୁଦ୍ଧାରରେ ଭାରତ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛି

Posted On: 09 JUL 2020 3:17PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସି ବ୍ୟବସ୍ଥାରେ ଇଣ୍ଡିଆ ଗ୍ଲୋବାଲ ସପ୍ତାହର ଉଦ୍‌ଘାଟନ ଉତ୍ସବରେ ଉଦ୍‌ବୋଧନ ଦେଇଛନ୍ତି । ସାଂପ୍ରତିକ କାଳର ସଂକଟ ସଂପର୍କରେ ଉଲ୍ଲେଖ କରି ସେ କହିଛନ୍ତି ଯେ ବିଶ୍ୱର ପୁନରୁଦ୍ଧାର ପ୍ରକ୍ରିୟାରେ ଭାରତ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛି । ଏହା ଦୁଇଟି ବିଷୟ ସହ ନିବିଡଭାବେ ସଂପୃକ୍ତ । ପ୍ରଥମଟି ହେଲା ଭାରତର ପ୍ରତିଭା ଏବଂ ଦ୍ୱିତୀୟଟି ହେଲା  ସଂସ୍କାର ଓ ନବଜୀବନ ଫେରିପାଇବାରେ ଭାରତର ଦକ୍ଷତା । ସେ କହିଛନ୍ତି ଯେ ସମଗ୍ର ବିଶ୍ୱ ଭାରତର ପ୍ରତିଭାବାନ ଲୋକଶକ୍ତିକୁ ଉଚ୍ଚ ମାନ୍ୟତା ଦେଇଛି । ବିଶେଷକରି ଭାରତୀୟ ପ୍ରଯୁକ୍ତି ଉଦ୍ୟୋଗ ଓ ବୈଷୟିକ ବୃତ୍ତିଧାରୀମାନଙ୍କର ଅବଦାନକୁ ସମସ୍ତେ ସ୍ୱୀକାର କରୁଛନ୍ତି ।

ଭାରତକୁ ପ୍ରଧାନମନ୍ତ୍ରୀ ପ୍ରତିଭାର ଏକ ଶକ୍ତିକେନ୍ଦ୍ର ଭାବେ ବର୍ଣ୍ଣନା କରି କହିଛନ୍ତି ଯେ ଏହି ପ୍ରତିଭାତନ୍ତ୍ର ନିଜର ସାମର୍ଥ୍ୟମତେ ସମଗ୍ର ବିଶ୍ୱକୁ ତାର ଅବଦାନ ଦେବାରେ ଆଗ୍ରହୀ । ଭାରତୀୟମାନେ ସ୍ୱଭାବିକଭାବେ ସଂସ୍କାରପ୍ରେମୀ ଏବଂ ଇତିହାସ ପ୍ରମାଣ କରିଛି ଯେ ପ୍ରତ୍ୟେକ ସାମଜିକ ଓ ଆର୍ଥିକ ଆହ୍ୱାନକୁ ଭାରତ ସଫଳତାର ସହ ଅତିକ୍ରମ କରିଛି । ସେ କହିଛନ୍ତି ଯେ ଭାରତ ଯେତେବେଳେ ପୁନରୁତ୍ଥାନ ଓ ପୁନରୁଦ୍ଧାର କଥା କହେ ସେତେବେଳେ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାରେ ଅର୍ଥନୀତି, ପରିବେଶ ଆଦି ବିଭିନ୍ନ କ୍ଷେତ୍ରରେ ଯତ୍ନ, ଅନୁକମ୍ପା ଓ ନିରନ୍ତରତା ଆଦିକୁ ଗୁରୁତ୍ୱ ଦିଏ । ଗତ 6 ବର୍ଷ ମଧ୍ୟରେ ଭାରତର ଉପଲବ୍ଧି ତାଲିକା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ସମୟ ମଧ୍ୟରେ ଭାରତରେ ସବୁ ନାଗରିକ ଆର୍ଥିକ ସମାବେଶୀ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଏହି ସମୟରେ ମଧ୍ୟ ଆବାସ  ଓ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ରେକର୍ଡ ପ୍ରତିଷ୍ଠା ହୋଇଛି । ବାଣିଜ୍ୟ ବ୍ୟବସାୟକୁ ସୁଗମ କରିବାର ପ୍ରକ୍ରିୟା ସହଜ ଓ ବିଶ୍ୱାସଯୋଗ୍ୟ ହୋଇଛି ଏବଂ ଜିଏସଟି ସମେତ ଟିକସ ସଂସ୍କାର କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅର୍ଥନୈତିକ ପୁନରୁଦ୍ଧାର ପ୍ରକ୍ରିୟାର ଅନୁକୂଳ ଲକ୍ଷଣମାନ ଦେଶର ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ଦେଖାଦେଲାଣି । ଏହା କେବଳ ଅଦମନୀୟ ଭାରତୀୟ କର୍ମଶକ୍ତି ଯୋଗୁଁ ସମ୍ଭବ ହୋଇଛି । ସେ କହିଛନ୍ତି ଯେ ଏବେ ଟେକ୍‌ନୋଲଜି ସରକାରଙ୍କୁ ବିଭିନ୍ନ କ୍ଷେତ୍ରରେ ବିଶେଷ ସହାୟତା ଯୋଗାଉଛି । ହିତାଧିକାରୀମାନଙ୍କୁ ଏହାଦ୍ୱାରା ସରକାରୀ ଲାଭ ସିଧାସଳଖ ମିଳିପାରୁଛି । ମାଗଣା ରୋଷେଇ ଗ୍ୟାସ୍‌, ଲୋକଙ୍କ ବ୍ୟାଙ୍କଖାତାରେ ଟଙ୍କା, କୋଟି କୋଟି ଲୋକଙ୍କୁ ଖାଦ୍ୟଶସ୍ୟ ଯୋଗାଣ ଓ ଅନ୍ୟାନ୍ୟ ଅନେକ କ୍ଷେତ୍ରରେ ଟେକ୍‌ନୋଲଜି ସରକାରୀ ସୁବିଧା ଯୋଗାଣ ବ୍ୟବସ୍ଥାକୁ ଲୋକଙ୍କ ପାଖରେ ସିଧାସଳଖ ପହଞ୍ଚାଇଛନ୍ତି ।

ସେ କହିଛନ୍ତି ଯେ ଭାରତ ବିଶ୍ୱର ଅନ୍ୟତମ ସର୍ବାଧିକ ମୁକ୍ତ ଅର୍ଥନୀତି । ଏହାର ସୁଯୋଗ ନେଇ ଭାରତରେ ନିଜ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଦେଶ ବହୁଦେଶୀୟ କଂପାନୀମାନଙ୍କୁ ନିମନ୍ତ୍ରଣ କରୁଛି । ଭାରତ ଏକ ବହୁଳ, ସମ୍ଭାବନା ଓ ସୁଯୋଗର ଦେଶ ବୋଲି ପ୍ରଧାନମନ୍ତ୍ରୀ  କହିଛନ୍ତି ।

କୃଷି କ୍ଷେତ୍ରରେ ଆରମ୍ଭ ହୋଇଥିବା ବିଭିନ୍ନ ସଂସ୍କାର ସଂପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଫଳରେ ବୈଶ୍ୱିକ  ଉଦ୍ୟୋଗଜଗତ ପାଇଁ ଏହି କ୍ଷେତ୍ରରେ ପୁଞ୍ଜି ନିବେଶର ଏକ ଆକର୍ଷଣୀୟ ସୁଯୋଗ ସୃଷ୍ଟି ହୋଇଛି । ସର୍ବଶେଷ ସଂସ୍କାର ବ୍ୟବସ୍ଥା ଫଳରେ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ ବିପୁଳ ପ୍ରୋତ୍ସାହନ ପାଇଛି । ଏହା ଫଳରେ ସେମାନେ ବଡ ବଡ ଉଦ୍ୟୋଗର ବିକାଶରେ ସହାୟକ ହେବା ସହିତ ସେମାନଙ୍କ ଉତ୍ପାଦନରେ ଉଲ୍ଲେଖନୀୟ ସହଯୋଗ ଯୋଗାଇ ଦେଇପାରିବେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ପ୍ରତିରକ୍ଷା ଓ ମହାକାଶ କ୍ଷେତ୍ରରେ ପୁଞ୍ଜିନିବେଶର ଅସୀମ ସୁଯୋଗ ସୃଷ୍ଟି  ହୋଇଛି ଏବଂ ବିଶ୍ୱ ସମୁଦାୟ ଏହାର ଫାଇଦା ନେବା ଉଚିତ ।

ସାଂପ୍ରତିକ ମହାମାରୀ ସଂପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଘଡିସନ୍ଧି ମୁହୂର୍ତ୍ତରେ ଭାରତର ଔଷଧପତ୍ର ଉଦ୍ୟୋଗ ପ୍ରମାଣିତ କରିଛି, ଏହା କେବଳ ଭାରତ ପାଇଁ ନୁହେଁ; ସମଗ୍ର ବିଶ୍ୱ ପାଇଁ ଅଭିପ୍ରେତ । ଔଷଧପ୍ରତ୍ରର ମୂଲ୍ୟ ହ୍ରାସ କରିବାରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏବଂ ବିକାଶଶୀଳ ରାଷ୍ଟ୍ରଗୁଡିକ ପାଇଁ ବେଶ୍‌ ସହାୟକ ହୋଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଅର୍ଥ ନୁହେଁ, କେବଳ ଆତ୍ମସମର୍ଥ ଅଥବା ବାହାର ଦୁନିଆରୁ ଅଲଗା ହୋଇ ରହିବା । ଆତ୍ମନିର୍ଭର ଭାରତର ଅର୍ଥ ଆତ୍ମନିର୍ଭର ଏବଂ ଆତ୍ମ ଉତ୍ପାଦନକ୍ଷମ ହୋଇ ଅନ୍ୟମାନଙ୍କ ସ୍ୱାର୍ଥ ମଧ୍ୟ ଦେଖିବା । ସେ କହିଛନ୍ତି ଯେ ବର୍ତ୍ତମାନ ଭାରତ କ୍ରମଶଃ ସଂସ୍କାରିତ ହେଉଛି । ଏହା ନିଜର ସଫଳତାକୁ କାମରେ ଦେଖାଇବା ସହ ନିଜକୁ ବଦଳାଉଛି । ଏହି ଭାରତ ନୂଆ ଅର୍ଥନୈତିକ ସୁଯୋଗ ସୃଷ୍ଟି କରୁଛି । ଏକ ମାନବ କୈନ୍ଦ୍ରିକ ସମାବେଶୀ ବିକାଶ ଆଭିମୁଖ୍ୟ ନେଇ ଆଗେଇ ଚାଲିଛି । ତେଣୁ ଭାରତ ଆପଣମାନଙ୍କୁ ଅପେକ୍ଷା କରିଛି ବୋଲି ଉଦ୍‌ବୋଧନ ଅବସରରେ ପ୍ରବାସୀ ନିବେଶକ, ପୁଞ୍ଜିପତି ଓ ଉଦ୍ୟୋଗୀଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି ।

ବିଶିଷ୍ଟ ସୀତାରବାଦକ ପଣ୍ଡିତ ରବିଶଙ୍କରଙ୍କ ଜନ୍ମ ଶତବାର୍ଷିକ ଅବସରରେ ଏହି ମଞ୍ଚ ଆୟୋଜିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିବା ସହ କହିଛନ୍ତି ଯେ ପଣ୍ଡିତ ଜୀ ଭାରତୀୟ ଉଚ୍ଚାଙ୍ଗ ସଂଗୀତର ସୌନ୍ଦର୍ଯ୍ୟକୁ ସାରା ବିଶ୍ୱରେ ପହଞ୍ଚାଇଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ପାରସ୍ପରିକ ଅଭିବାଦନରେ ନମସ୍ତେକିପରି ସମଗ୍ର ବିଶ୍ୱରେ ପ୍ରସାରିତ ହୋଇଛି ତାହାର ଉଦାହରଣ ଦେଇଛନ୍ତି । ସେ କହିଛନ୍ତି ଯେ ବିଶ୍ୱର ମଙ୍ଗଳ ଓ ସମୃଦ୍ଧି ପାଇଁ ଯାହା ସମ୍ଭବ ତାହା କରିବାକୁ ଭାରତ ପ୍ରସ୍ତୁତ ।

 

**********



(Release ID: 1637603) Visitor Counter : 281