ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜୁନ 19ରେ ହୋଇଥିବା ସର୍ବଦଳୀୟ ବୈଠକ ସମ୍ପର୍କିତ ବିବୃତ୍ତି

Posted On: 20 JUN 2020 1:40PM by PIB Bhubaneshwar

ଗତକାଲିର ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ମନ୍ତବ୍ୟକୁ ଅତିରଞ୍ଜିତ ଓ ଏକ ଖରାପ ଢଙ୍ଗରେ କେତେକ ସ୍ଥାନରେ ପ୍ରଚାର କରିବା ପାଇଁ ପ୍ରଚେଷ୍ଟା ଚାଲିଛି । ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ, ପ୍ରକୃତ ନିୟନ୍ତ୍ରଣ ରେଖାର ଉଲଂଘନକୁ କୌଣସି ମତେ ବରଦାସ୍ତ କରାଯିବ ନାହିଁ । ସେ ନିର୍ଦ୍ଦିଷ୍ଟ ଭାବେ ଜୋର ଦେଇ କହିଛନ୍ତି ଯେ, ଅତୀତରେ ଏହାକୁ ଅବହେଳା କରାଯାଇଥିଲେ ମଧ୍ୟ ଭାରତୀୟ ସେନା ପ୍ରକୃତ ନିୟନ୍ତ୍ରଣ ରେଖାର ଉଲଂଘନକୁ ଜୋରଦାର ପ୍ରତିହତ କରିବେ ।

ସର୍ବଦଳୀୟ ବୈଠକରେ ସୂଚନା ଦିଆଯାଇଥିଲା ଯେ, ଚୀନ ସେନାର ଏକ ବଡ ଦଳ ନିୟନ୍ତ୍ରଣ ରେଖା ନିକଟରେ ଠୁଳ ହୋଇଥିଲେ ମଧ୍ୟ ଭାରତୀୟ ସେନା ଏହାର କଡା ଜବାବ ଦେଇଥିଲା । ନିୟନ୍ତ୍ରଣ ରେଖାର ଉଲଂଘନ ସମ୍ପର୍କରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଜୁନ 15 ତାରିଖ ଦିନ ଗଲୱାନ ଘାଟିରେ ଚୀନ ପକ୍ଷରୁ ନିୟନ୍ତ୍ରଣ ରେଖା ନିକଟରେ ନିର୍ମାଣ କାର୍ଯ୍ୟ କରାଯାଇଥିଲା ଓ ସେମାନଙ୍କୁ ନିବେଦନ ସତ୍ତ୍ୱେ ସେମାନେ ସେଥିରୁ ନିବୃତ୍ତ ହୋଇନଥିଲେ । ଜୁନ 15 ତାରିଖ ଦିନ ଗଲୱାନ ଘାଟିରେ ଶହୀଦ ହୋଇଥିବା 20 ଜଣ ଭାରତୀୟ ଯବାନଙ୍କ ବଳିଦାନ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ମନ୍ତବ୍ୟ ରଖିଥିଲେ । ଚୀନ ସେନାର ଅନୁଚିତ କାର୍ଯ୍ୟର ଦୃଢ ମୁକାବିଲା କରି ସେମାନଙ୍କ ଯୋଜନାକୁ ପଣ୍ଡ କରିଦେଇଥିବା ଆମ ସଶସ୍ତ୍ର ସେନାର ଯବାନମାନଙ୍କ ଦେଶପ୍ରେମ ଓ ସାହସିକତା ପ୍ରତି ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଆମ ସେନାର ସାହସିକତା ଯୋଗୁଁ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟକୁ ଚୀନ ସୈନିକମାନେ ଆସିପାରିନଥିଲେ । ଷୋଢଶ ବିହାର ରେଜିମେଣ୍ଟର ସୈନିକମାନଙ୍କ ତ୍ୟାଗ ଯୋଗୁଁ ଚୀନ ପକ୍ଷରୁ ସେଠାରେ କୌଣସି ନିର୍ମାଣ କାର୍ଯ୍ୟ ହୋଇପାରିନଥିଲା ଓ ସେମାନଙ୍କର ନିୟନ୍ତ୍ରଣ ରେଖା ଉଲଂଘନର ସମସ୍ତ ଯୋଜନାକୁ ଆମ ଯବାନମାନେ ପଣ୍ଡ କରିଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ବାକ୍ୟ “ଯେଉଁମାନେ ଆମ ଦେଶର ସୀମାକୁ ଉଲଂଘନ କରିବେ ସେମାନଙ୍କୁ ଆମ ଦେଶ ମାତୃକାର ବୀର ସନ୍ତାନ ଉଚିତ ଶିକ୍ଷା ଦେବେ” ଭଳି ବାଣୀ ଆମ ସଶସ୍ତ୍ର ସେନାର ମର୍ଯ୍ୟାଦାକୁ ଉଜ୍ଜୀବିତ କରିଛି । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, “ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି ଦେଶର ସୀମାକୁ ସୁରକ୍ଷା ଦେବା ପାଇଁ ଆମ ସେନା କେବେ ବି ପଶ୍ଚାତପଦ ଦେବେ ନାହିଁ” ।    

ଭାରତୀୟ ଭୂଖଣ୍ଡ କଣ ତାହା ସ୍ପଷ୍ଟ ଭାବେ ଭାରତୀୟ ମାନଚିତ୍ରରେ ଚିହ୍ନିତ ଅଛି । ସରକାର ତାହାକୁ ରକ୍ଷା କରିବା ପାଇଁ ଅଙ୍ଗୀକାରବଦ୍ଧ । ଏହା ମଧ୍ୟରେ କେତେକ ବେଆଇନ ଦଖଲ ହୋଇଛି । ଗତ 60 ବର୍ଷ ମଧ୍ୟରେ କିପରି ଦେଶରୁ 43,000 କିଲୋମିଟର ଜମି ଜବରଦଖଲ ହୋଇଛି ତାହାର ମଧ୍ୟ ସୂଚନା ସର୍ବଦଳୀୟ ବୈଠକରେ ଦିଆଯାଇଥିଲା । ସରକାର କୌଣସି ମତେ ବାସ୍ତବିକ ନିୟନ୍ତ୍ରଣ ରେଖାର ଏକତରଫା ପରିବର୍ତ୍ତନକୁ ଅନୁମତି ଦେବେ ନାହିଁ ବୋଲି ବୈଠକରେ ସ୍ପଷ୍ଟ କରିଦିଆଯାଇଥିଲା ।

ଯେତେବେଳେ ଆମର ବୀର ସୈନିକମାନେ ସୀମା ସୁରକ୍ଷା ଦାୟିତ୍ଵ ତୁଲାଉଛନ୍ତି ସେମାନଙ୍କର ମନୋବଳକୁ ହ୍ରାସ କରିବା ପାଇଁ ବିଭିନ୍ନ ବିବାଦୀୟ ମନ୍ତବ୍ୟ ଦୁର୍ଭାଗ୍ୟପୂର୍ଣ୍ଣ । ତେବେ ଜାତୀୟ ବିପତ୍ତି ବେଳେ ସରକାର ଏବଂ ସଶସ୍ତ୍ର ସେନା ପ୍ରତି ସବୁ ପ୍ରକାରର ସମର୍ଥନ ନେଇ ସର୍ବଦଳୀୟ ବୈଠକରେ ମତ ପ୍ରକାଶ ପାଇଥିଲା । କୌଣସି ଉଦ୍ଦେଶ୍ୟ ପ୍ରଣୋଦିତ ଅପପ୍ରଚାର ଯୋଗୁଁ ଭାରତୀୟ ଏକତା ପ୍ରଭାବିତ ହେବ ନାହିଁ ବୋଲି ଆମେ ଦୃଢ ନିଶ୍ଚିତ, ଏ କଥା ବୈଠକରେ ସୂଚନା ଦିଆଯାଇଥିଲା ।

 

**********



(Release ID: 1632930) Visitor Counter : 260