ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଚାର୍ଯ୍ୟ ଶ୍ରୀ ମହାପ୍ରଜ୍ଞଜୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

• ‘ଏକ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ସୁଖୀ ପରିବାର ଗଢ଼’ ମନ୍ତ୍ରକୁ କାର୍ଯ୍ୟକାରୀ କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ’

Posted On: 19 JUN 2020 1:47PM by PIB Bhubaneshwar

ମହାନ ସାଧୁ ଆଚାର୍ଯ୍ୟ ଶ୍ରୀ ମହାପ୍ରଜ୍ଞଜୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ସେ କହିଛନ୍ତି ଯେ ଆଚାର୍ଯ୍ୟ ଶ୍ରୀ ମହାପ୍ରଜ୍ଞଜୀ ତାଙ୍କର ସମଗ୍ର ଜୀବନ ମାନବ ଜାତି ଓ ସମାଜର କଲ୍ୟାଣ ପାଇଁ ଉତ୍ସର୍ଗ କରିଯାଇଛନ୍ତି । ଏହି ମହାନ୍‌ ସନ୍ଥଙ୍କ ସହ ହୋଇଥିବା ତାଙ୍କର ବିଭିନ୍ନ ସାକ୍ଷାତ ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ଆଶୀର୍ବାଦ ପାଇବାର ମହାର୍ଘ ସୁଯୋଗ ତାଙ୍କୁ ମିଳିଛି ଏବଂ ତଦ୍ଦ୍ୱାରା ଏହି ସନ୍ଥଙ୍କଠାରୁ ସେ ଅନେକ ଶିକ୍ଷା ଲାଭ କରିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ ଏହି ସନ୍ଥଙ୍କ ଅହିଂସା ଯାତ୍ରା ଓ  ଜନସେବାରେ ଅଂଶଗ୍ରହଣ କରିବାର ସୁଯୋଗ ତାଙ୍କୁ ମିଳିଛି । ଆଚାର୍ଯ୍ୟ ଶ୍ରୀ ମହାପ୍ରଜ୍ଞଜୀଙ୍କ ଭଳି ଯୁଗଋଷି ନିଜର ବ୍ୟକ୍ତିଗତ ଜୀବନ ଓ ସୁଖସୁବିଧା ପାଇଁ କିଛି ଆହରଣ କରନ୍ତି ନାହିଁ । ସେମାନଙ୍କର କାର୍ଯ୍ୟ, ଜୀବନ, ବିଚାର ଆଦି ସମଗ୍ର ମାନବଜାତିର ସେବା ଓ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ । ଆଚାର୍ଯ୍ୟଙ୍କ ବାଣୀ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ତୁମେ ଯଦି ତୁମ ଜୀବନରୁ ମୁଁ ଓ ମୋରକୁ ବାଦ ଦେବ ତେବେ ସମଗ୍ର ବିଶ୍ୱ ତୁମର ହୋଇଯିବ

ଶ୍ରୀ ମୋଦୀ କହିଛନ୍ତି ଯେ ଏହି ସନ୍ଥ ଏଇ ଉକ୍ତିକୁ ନିଜ ଜୀବନର ମନ୍ତ୍ର ଓ ଦର୍ଶନରେ ପରିଣତ କରି ଜୀବନ ସାରା ତାହାକୁ କାର୍ଯ୍ୟକାରୀ କରିଥିଲେ । ସମସ୍ତଙ୍କୁ ଭଲ ପାଇବା ଓ ଶ୍ରଦ୍ଧା କରିବା ଏହି ସାଧୁଙ୍କର ଏକମାତ୍ର ପରିଗ୍ରହ ବା ସମ୍ପତ୍ତି ଥିଲା । ଆଚାର୍ଯ୍ୟ ଶ୍ରୀ ମହାପ୍ରଜ୍ଞଜୀଙ୍କୁ ରାଷ୍ଟ୍ରକବି ରାମଧାରୀ ସିଂହ ଦିନକର କିପରି ଆଧୁନିକ ଯୁଗର ବିବେକାନନ୍ଦ ଭାବେ ବର୍ଣ୍ଣନା କରିଥିଲେ ସେ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦିଗମ୍ବର ପନ୍ଥର ଆଚାର୍ଯ୍ୟ ବିଦ୍ୟାନନ୍ଦ ମଧ୍ୟ ଆଚାର୍ଯ୍ୟ ଶ୍ରୀ ମହାପ୍ରଜ୍ଞଙ୍କ ଭଳି ଜଣେ ମହାନ୍‌ ସନ୍ଥ ଥିଲେ । ଆଚାର୍ଯ୍ୟ ଶ୍ରୀ ମହାପ୍ରଜ୍ଞ ଉଚ୍ଚକୋଟିର ଆଶ୍ଚର୍ଯ୍ୟଜନକ ସାହିତ୍ୟ ସୃଷ୍ଟି କରିଥିବାରୁ ଶ୍ରୀ ମୋଦୀ ତାଙ୍କୁ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ସହ ତୁଳନା କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ସ୍ମୃତିଚାରଣ କରି କହିଛନ୍ତି ଯେ ଅଟଳଜୀ ସାହିତ୍ୟ ଓ ଜ୍ଞାନର ଜଣେ ବିଶେଷଜ୍ଞ ଥିଲେ। ଅଟଳଜୀ ସର୍ବଦା କହୁଥିଲେ- ମୁଁ ଆଚାର୍ଯ୍ୟ ଶ୍ରୀ ମହାପ୍ରଜ୍ଞଜୀଙ୍କ ସାହିତ୍ୟର ଜଣେ ବଡ଼ ପ୍ରେମୀ । ତାଙ୍କ ସାହିତ୍ୟର ଗଭୀରତା, ତାଙ୍କର ଜ୍ଞାନ ଓ ଶଦ୍ଦାବଳୀ ମୋତେ ବିଶେଷ ଆକୃଷ୍ଟ କରିଥିଲା। ପ୍ରଧାନମନ୍ତ୍ରୀ ଆଚାର୍ଯ୍ୟ ଶ୍ରୀ ମହାପ୍ରଜ୍ଞଜୀଙ୍କୁ ଜଣେ ଦିବ୍ୟ ପ୍ରତିଭାଧାରୀ ବ୍ୟକ୍ତିତ୍ୱ ଭାବେ ବର୍ଣ୍ଣନା କରି ତାଙ୍କର ଚମତ୍କାରୀ ଭାଷଣ, ମନ୍ତ୍ରମୁଗ୍ଧକାରୀ ସ୍ୱର ଓ କମନୀୟ ଶବ୍ଦଜ୍ଞାନର ଉଚ୍ଚ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ମହାନ ସନ୍ଥ ସଂସ୍କୃତ, ହିନ୍ଦୀ, ଗୁଜରାଟୀ, ଇଂରାଜୀ ଆଦି ଭାଷାରେ ୩୦୦ରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ଏସବୁ ପୁସ୍ତକ ଆଧ୍ୟାତ୍ମିକତା, ଦର୍ଶନ, ମନସ୍ତତ୍ତ୍ୱ ଓ ଅର୍ଥନୀତି ଉପରେ ଲେଖାଯାଇଛି । ଦି ଫ୍ୟାମିଲି ଆଣ୍ଡ ନେସନ’ (ପରିବାର ଓ ରାଷ୍ଟ୍ର) ପୁସ୍ତକ ସଂପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଉଭୟ ଆଚାର୍ଯ୍ୟ ଶ୍ରୀ ମହାପ୍ରଜ୍ଞଜୀ ଓ ଡକ୍ଟର ଏ.ପି.ଜେ ଅବଦ୍ଦୁଲ କଲାମ ଜୀଙ୍କ ଦ୍ୱାରା ମିଳିତଭାବେ ଲିଖିତ । ଏକ ପରିବାର କିପରି ସୁଖୀ ହୋଇପାରିବ ଏବଂ ଏକ ସୁଖୀ ପରିବାର କିପରି ଏକ ସମୃଦ୍ଧ ରାଷ୍ଟ୍ର ଗଠନ କରିପାରିବ ସେ ସଂପର୍କରେ ଏହି ଦୁଇ ମହାନ୍‌ ବ୍ୟକ୍ତି ସେମାନଙ୍କ ଦୃଷ୍ଟିକୋଣ ଏହି ବହିରେ ଉପସ୍ଥାପନ କରିଛନ୍ତି । ଏହି ଦୁଇ ମହାନ ବ୍ୟକ୍ତିଙ୍କ ଜୀବନୀକୁ ତୁଳନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଉଭୟଙ୍କ ଦ୍ୱାରା ପ୍ରଭାବିତ । ଜଣେ ଆଧ୍ୟାତ୍ମିକ ଗୁରୁ କିପରି ବିଜ୍ଞାନଭିତ୍ତିକ ବିଚାରକୁ ବୁଝିପାରନ୍ତି ଏବଂ ଜଣେ ବୈଜ୍ଞାନିକ କିପରି ଆଧ୍ୟାତ୍ମିକତା ବୁଝାଇପାରନ୍ତି ମୁଁ ତାହା ଉଭୟଙ୍କଠାରୁ ଶିକ୍ଷା କରିଛି। ଏହି ଦୁଇଜଣଙ୍କ ସାନିଧ୍ୟ ଲାଭକରି ମୁଁ ନିଜକୁ ଧନ୍ୟ ମନେ କରୁଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡକ୍ଟର କଲାମ ଆଚାର୍ଯ୍ୟ ଶ୍ରୀ ମହାପ୍ରଜ୍ଞଜୀଙ୍କ ସଂପର୍କରେ କହୁଥିଲେ, “ତାଙ୍କ ଜୀବନର ଏକମାତ୍ର ଉଦ୍ଦେଶ୍ୟ ଥିଲା ଚାଲ, ସଂଗ୍ରହ କର ଓ ଦିଅ। ଏହାର ଅର୍ଥ ନିରନ୍ତର ଯାତ୍ରା ଅବ୍ୟାହତ ରଖ, ଜ୍ଞାନ ଆହରଣ କର ଏବଂ ଜୀବନରେ ଯାହା କିଛି ପାଇଛ ତାହା ସମାଜକୁ ଦିଅ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ  ଆଚାର୍ଯ୍ୟ ଶ୍ରୀ ମହାପ୍ରଜ୍ଞଜୀ ତାଙ୍କ ଜୀବନ କାଳରେ ହଜାର ହଜାର କିଲୋମିଟର ଯାତ୍ରା କରିଥିଲେ । ମୃତ୍ୟୁ ପୂର୍ବରୁ ମଧ୍ୟ ସେ ଅହିଂସା ଯାତ୍ରାରେ ଭାଗ ନେଇଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାକୁ ସ୍ମରଣ କରି କହିଛନ୍ତି ଯେ ସେ କହୁଥିଲେ,  ‘ଆତ୍ମା ହିଁ ମୋର ପ୍ରାର୍ଥନା, ବନ୍ଧୁତ୍ୱ ମୋର ସାଧନା, ସଂଯମ ମୋର ଶକ୍ତି ଏବଂ ଅହିଂସା ମୋର ଧର୍ମ। ସେ ଏହି ବିଚାରରେ ଜୀବନ ବିତାଉଥିଲେ ଏବଂ ଏ ସଂପର୍କରେ ନିୟୁତ ଲୋକଙ୍କୁ ଶିକ୍ଷା ଦେଉଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯୋଗ ମାଧ୍ୟମରେ ସେ ଅବସାଦ ମୁକ୍ତ ଜୀବନ ଯାପନର କଳା ଅଗଣିତ ଲୋକଙ୍କୁ ଶିଖାଉଥିଲେ । ଏହା ଏକ ସଂଯୋଗ ଯେ ଆନ୍ତର୍ଜାତିକ ଯୋଗ ଦିବସ ଆଉ ଗୋଟିଏ ଦିନ ପରେ ପାଳିତ ହେବାକୁ ଯାଉଛି । ଏହା ଆମକୁ ଏହି ମହାନ୍‌ ସନ୍ଥଙ୍କ ସୁଖୀ ପରିବାର ଓ ସମୃଦ୍ଧ ରାଷ୍ଟ୍ର ସ୍ୱପ୍ନ ସାକାର କରିବା ପାଇଁ କାର୍ଯ୍ୟ କରିବା ଦିଗରେ ପ୍ରେରଣା ଯୋଗାଇବ ଏବଂ ଆମେ ତାଙ୍କର ବାର୍ତ୍ତା ସମାଜକୁ ପ୍ରେରଣ କରିବାର ସୁଯୋଗ ପାଇବା । ଆଚାର୍ଯ୍ୟଙ୍କ ଜୀବନୀରୁ ଆଉ ଏକ ବାଣୀ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ସୁସ୍ଥ ବ୍ୟକ୍ତି, ସୁସ୍ଥ ସମାଜ ଓ ସୁସ୍ଥ ଅର୍ଥନୀତିର ଉଦ୍‌ଘୋଷକ ଥିଲେ । ତାଙ୍କର ଏହି ମନ୍ତ୍ର ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଏବେ ସମାନ ମନ୍ତ୍ର ନେଇ ଆଗକୁ ବଢୁଛି । ଆତ୍ମନିର୍ଭର ଭାରତର ସଂକଳ୍ପ ନେଇ କାର୍ଯ୍ୟ କରୁଛି । ସେ କହିଛନ୍ତି ଯେ ମୁଁ ବିଶ୍ୱାସ କରେ ଯେ ଯେଉଁ ସମାଜ ଓ ରାଷ୍ଟ୍ରର ଆଦର୍ଶ ଆମର ସାଧୁସନ୍ଥମାନଙ୍କ ଦ୍ୱାରା ଆମ ଆଗରେ ଉପସ୍ଥାପିତ ହୋଇଛି, ତାହାକୁ ହାସଲ କରିବାରେ ଆମ ଦେଶ ଖୁବଶୀଘ୍ର ସଫଳ ହେବ । ଆପଣମାନେ ହିଁ ସେହି ସ୍ୱପ୍ନକୁ ଫଳବତୀ କରିବାରେ ସହାୟକ ହେବେ ।

 

**********

 



(Release ID: 1632824) Visitor Counter : 210