ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋଭିଡ-19 ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ମତ ବିନିମୟ ବେଳେ ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ବକ୍ତବ୍ୟ

Posted On: 16 JUN 2020 4:33PM by PIB Bhubaneshwar

ନମସ୍କାର ବନ୍ଧୁଗଣ,

ଅନ୍‌ଲକ-1 ଆରମ୍ଭ ହେବାର ଦୁଇସପ୍ତାହ ପୂରିଗଲାଣି । ଏହି ସମୟ ମଧ୍ୟରେ ଆମକୁ ଯେଉଁ ଅଭିଜ୍ଞତା ମିଳିଛି ତାହାର ସମୀକ୍ଷା କରିବା ଆବଶ୍ୟକ । ଆଜିର ଏହି ଆଲୋଚନାରେ ମୁଁ ମଧ୍ୟ ଆପଣମାନଙ୍କଠାରୁ ଅନେକ କିଛି ଜାଣିବାର ସୁଯୋଗ ପାଇବି ଏବଂ ସେସବୁକୁ ବୁଝିବାକୁ ଚେଷ୍ଟା କରିବି । ଆଜିର ଆଲୋଚନାରୁ ଯେଉଁସବୁ ନିର୍ଯ୍ୟାସ ବାହାରିବ ଏବଂ ଆପଣମାନଙ୍କର ଯାହାସବୁ ପ୍ରସ୍ତାବ ଥିବ ତାହା ସବୁ ଦେଶପାଇଁ ପରବର୍ତ୍ତୀ କାର୍ଯ୍ୟକ୍ରମ ନିର୍ଦ୍ଧାରଣରେ ସହାୟକ ହେବ ।

ବନ୍ଧୁଗଣ,

କୌଣସି ଏକ ସଂକଟର ମୁକାବିଲାରେ ସମୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଠିକଣା ସମୟରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଦେଶରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଛି ।

ଭବିଷ୍ୟତରେ ଯେତେବେଳେ ଭାରତର କରୋନା ବିରୋଧୀ ଲଢେଇ ସଂପର୍କରେ ଅନୁଶୀଳନ କରାଯିବ ସେତେବେଳେ ଏହା ପ୍ରତୀତ ହେବ ଯେ ଆମେ ମିଳିତଭାବେ ଏହି ସଂକଟ କାଳରେ କାମ କରି ସହଯୋଗଭିତ୍ତିକ ସଂଘୀୟ ବ୍ୟବସ୍ଥାର ଶ୍ରେଷ୍ଠ ଉଦାହରଣ ଉପସ୍ଥାପିତ କରିଛୁ ।

ବନ୍ଧୁଗଣ,

ବିଶ୍ୱର ଅଧିକାଂଶ ଦେଶରେ କରୋନା ମହାମାରୀ ଯେତେବେଳେ ଏକ ଆଲୋଚନାର ବିଷୟ ହୋଇନଥିଲା, ସେତେବେଳେ ଏହାର ମୁକାବିଲା କରିବା ପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କରି ନିଷ୍ପତ୍ତି ଗ୍ରହଣ କରିଥିଲା । ପ୍ରତ୍ୟେକ ଭାରତୀୟଙ୍କ ଜୀବନ ରକ୍ଷା ପାଇଁ ଆମେ ଦିନରାତି କାର୍ଯ୍ୟ ଆରମ୍ଭ କରିଥିଲୁ ।  ହଜାର ହଜାର ଭାରତୀୟ ବିଗତ ସପ୍ତାହମାନଙ୍କରେ ବିଦେଶରୁ ଫେରିଛନ୍ତି । ନିୟୁତ ନିୟୁତ ପ୍ରବାସୀ ଶ୍ରମିକ ଗାଁରେ ପହଞ୍ଚି ଯାଇଛନ୍ତି । ରେଳ, ବିମାନ ଓ ସମୁଦ୍ରପଥ ଆଦି ଏବେ ସବୁ ଉନ୍ମୁକ୍ତ ହୋଇଛି । ଏହା ସତ୍ତ୍ୱେ ମଧ୍ୟ ବିରାଟ ଜନସଂଖ୍ୟା ବିଶିଷ୍ଟ ଆମ ଦେଶରେ କରୋନା ସଂକ୍ରମଣ ଅନ୍ୟ ଦେଶଭଳି ଏତେ ଭୟଙ୍କର ହୋଇନାହିଁ । ବିଶ୍ୱର ବଡ ବଡ ବିଶେଷଜ୍ଞ ଓ ସ୍ୱାସ୍ଥ୍ୟ ବିଶାରଦମାନେ ଭାରତର ଲକ୍‌ଡାଉନ ଏବଂ ଏହି ସମୟରେ ଦେଶବାସୀ ଦେଖାଇଥିବା ଶୃଙ୍ଖଳାକୁ ପ୍ରଶଂସା କରୁଛନ୍ତି ।

ଏବେ ଭାରତରେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର ଶତକଡା 50ରୁ ଅଧିକ ରହିଛି । କରୋନା ସଂକ୍ରମିତ ସୁସ୍ଥ ହେବା ଏବଂ ବଞ୍ଚିଯିବା ଘଟଣାରେ ଭାରତ ଏବେ ବିଶ୍ୱରେ ସବୁଠୁ ଆଗରେ ରହିଛି । କରୋନାରେ କାହାର ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ । ଆମ ପାଇଁ ଜଣେ ଭାରତୀୟଙ୍କ ମୃତ୍ୟୁ ମଧ୍ୟ ଅସହ୍ୟ । ଏହା ମଧ୍ୟ ସତ୍ୟ ଯେ ଏବେ ଭାରତ ବିଶ୍ୱର ହାତଗଣତି ଦେଶମାନଙ୍କ ମଧ୍ୟରେ ଆଗରେ ରହିଛି ଯେଉଁଠି କରୋନା ଜନିତ ମୃତ୍ୟୁ ସଂଖ୍ୟା ସର୍ବନିମ୍ନ ।

ଏବେ ବିଭିନ୍ନ ରାଜ୍ୟର କରୋନା ଲଢେଇ ଜନିତ ଅଭିଜ୍ଞତା ଆମପାଇଁ ବିଶ୍ୱାସ ସୃଷ୍ଟି କରୁଛି । ଆମର ବିଶ୍ୱାସ ହେଉଛି ଯେ ଏହି ସଂକଟରେ ଆମେ ଆମର କ୍ଷୟକ୍ଷତିକୁ ସୀମିତ କରି ଆଗକୁ ବଢିପାରିବା ଏବଂ ଆମର ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ ସମର୍ଥ ହୋଇପାରିବା ।

ବନ୍ଧୁଗଣ,

ଗତ ଦୁଇ ସପ୍ତାହର ଅନ୍‌ଲକ-1 ଆମକୁ ଏକ ବଡ ଶିକ୍ଷା ଦେଇଛି । ଆମେ ଯଦି ନୀତି ନିୟମ ମାନି ଚଳିବା ଓ ନିର୍ଦ୍ଦେଶାବଳୀକୁ ପାଳନ କରିବା ତାହେଲେ କରୋନା ଭାରତର ବେଶୀ କ୍ଷତି କରିପାରିବ ନାହିଁ ।

ତେଣୁ ଏବେ ମାସ୍କ ଓ ଫେସ୍‌କଭର ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ । ମାସ୍କ ବା ଫେସ କଭର ବିନା ଘରୁ ବାହାରକୁ ବାହାରିବା ଏବେ କଳ୍ପନାତିତ । ଏହାଦ୍ୱାରା ଜଣେ ବ୍ୟକ୍ତି ନିଜେ କେବଳ ସୁରକ୍ଷିତ ରହିବ ନାହିଁ; ନିଜ ପରିବାର, ଗୋଷ୍ଠୀ ଓ ଆଖପାଖ ଅଞ୍ଚଳର ଲୋକେ ମଧ୍ୟ ନିରାପଦ ରହିପାରିବେ ।

ସେଥିପାଇଁ ଦୁଇଗଜ ଦୂରତ୍ୱ ରକ୍ଷାର ମନ୍ତ୍ର ବିଶେଷ ଗୁରୁତ୍ୱ ରଖେ । ପ୍ରତିଦିନ ମଝିରେ ମଝିରେ ଆମକୁ 20 ସେକେଣ୍ଡ ପାଇଁ ସାବୁନ ବା ସାନିଟାଇଜରରେ ହାତ ଧୋଇବାକୁ ପଡିବ । ଏହାକୁ ଅତ୍ୟନ୍ତ ଗୁରୁତ୍ୱର ସହ ପାଳନ କରାଯିବା ଉଚିତ । ଏହାଦ୍ୱାରା ସମସ୍ତେ ସୁରକ୍ଷିତ ହୋଇପାରିବେ । ଏହି ସମୟରେ ଆମେ ପରିବାରର ଶିଶୁ ଓ ବୟସ୍କ ବ୍ୟକ୍ତିମାନଙ୍କ ସୁରକ୍ଷା ଓ ଯତ୍ନ ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । 

ଏବେ ପ୍ରାୟ ସବୁ ଅଫିସ ଖୋଲିଗଲାଣି । ଘରୋଇ କ୍ଷେତ୍ରରେ ମଧ୍ୟ କର୍ମଚାରୀ ଅଫିସକୁ ଯିବା ଆରମ୍ଭ କଲେଣି । ବଜାର ଓ ସଡକରେ ଭିଡ ବଢିଲାଣି । ଏହି ସମୟରେ ସାମାନ୍ୟ ଅସାବଧାନତା ଓ ବେପରବାୟ କାମ କରୋନା ସଂକ୍ରମଣକୁ ବଢାଇବାର ସୁଯୋଗ ସୃଷ୍ଟି କରିପାରେ । ତେଣୁ ଆମେ ଯେଉଁ ଅନୁଶାସନ ଓ ଶୃଙ୍ଖଳା ମଧ୍ୟରେ ରହିଛନ୍ତି ସେଥିରେ କୌଣସି ଢିଲା ଦେବାର ଅବକାଶ ନାହିଁ । ସାମାନ୍ୟ ତ୍ରୁଟି ଆମକୁ ଏହି ଲଢେଇରେ ଦୁର୍ବଳ କରିଦେବ । ଆମକୁ ଏଥିପ୍ରତି ଗୁରୁତ୍ୱ ଦେବାକୁ ପଡିବ ଯେ କରୋନାକୁ ଆମେ ଯେତିକି ରୋକିପାରିବା ଏହି ବ୍ୟାଧିର ସଂକ୍ରମଣ ସେତିକି ଦୁର୍ବଳ ହେବ । ଏହା ସହିତ ଆମର ଅର୍ଥ ବ୍ୟବସ୍ଥା ଖୋଲିଯିବ । ଆମର କାର୍ଯ୍ୟାଳୟ ସମୂହ, ମାର୍କେଟ, ପରିବହନ ସେବା ଖୋଲିବା ସହ ସ୍ୱଭାବିକ କାମ କରିବ । ଏହା ଫଳରେ ଏହି ଉଦ୍ୟୋଗରେ ଲୋକମାନେ ଜୀବିକା ଅର୍ଜନର ସୁଯୋଗ ପାଇବେ ।

ବନ୍ଧୁଗଣ,

ଆଗାମୀ ଦିନରେ ବିଭିନ୍ନ ରାଜ୍ୟରେ ଅର୍ଥନୈତିକ କାର୍ଯ୍ୟକ୍ରମର ଯେଉଁ ସଂପ୍ରସାରଣ ହେବ ସେଥିରୁ ମିଳିବାକୁ ଥିବା ଅଭିଜ୍ଞତା ଅନ୍ୟାନ୍ୟ ରାଜ୍ୟ ପାଇଁ ଲାଭଦାୟକ ହେବ । ବିଗତ କେତେକ ସପ୍ତାହର ପ୍ରୟାସ ଦ୍ୱାରା ଆମ ଅର୍ଥନୀତିରେ କେତେକ ଅନୁକୂଳ ଲକ୍ଷଣ ଦେଖାଦେଇଛି । ଉର୍ଜ୍ଜା ବ୍ୟବହାର ଯାହା ପୂର୍ବରୁ କମିଥିଲା ଏବେ ବଢିବା ଆରମ୍ଭ କରିଛି । ଏହିବର୍ଷ ମେ ମାସରେ ସାର ବିକ୍ରି ଗତବର୍ଷ ଅପେକ୍ଷ ଦୁଇଗୁଣ ବଢିଛି ।

ଏଥର ଖରିଫ ଫସଲର ବୁଣାବୁଣି ଗତବର୍ଷ ଅପେକ୍ଷା ପ୍ରାୟ 12-13 ଶତାଂଶ ଅଧିକ ହୋଇଛି । ଦୁଇ ଚକିଆ ଯାନ ଉତ୍ପାଦନ ଲକ୍‌ଡାଉନ ପୂର୍ବସ୍ତରର ପାଖାପାଖି ପ୍ରାୟ 70 ପ୍ରତିଶତ ପହଞ୍ଚିଗଲାଣି । ଖୁଚୁରା କ୍ଷେତ୍ରରେ ଡିଜିଟାଲ ପେମେଣ୍ଟ ମଧ୍ୟ ଲକ୍‌ଡାଉନ ପୂର୍ବ ସ୍ଥିତିରେ ପହଞ୍ଚିଛି ।

କେବଳ ଏତିକି ନୁହେଁ, ମେ ମାସରେ ପଥକର ଆଦାୟରେ ଅଭିବୃଦ୍ଧି ଘଟିଛି । ଏହା ଆର୍ଥିକ କାର୍ଯ୍ୟକ୍ରମରେ ଅଭିବୃଦ୍ଧିର ସୂଚନା ଦେଉଛି । କ୍ରମାଗତଭାବେ 3 ମାସ ଆମର ରପ୍ତାନୀ ବାଣିଜ୍ୟ କମ୍‌ ରହିବା ପରେ ଜୁନ୍‌ରେ ଏହା ପ୍ରତ୍ୟାବର୍ତ୍ତନ କରିଛି । ଏବେ ଏହା ଗତବର୍ଷର କୋଭିଡ ପୂର୍ବ ସମୟର ପାଖାପାଖି ସ୍ତରରେ ପହଞ୍ଚିଲାଣି । ଏସବୁ ସଂକେତ ଆମକୁ ପ୍ରୋତ୍ସାହିତ କରିବା ସହ ଆଗକୁ ବଢିବାକୁ ପ୍ରେରଣା ଦେଉଛି ।

ବନ୍ଧୁଗଣ,

ଅଧିକାଂଶ ରାଜ୍ୟରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟଚାଷ ଓ ଏମ୍‌ଏସ୍‌ଏମ୍‌ଇ ଅର୍ଥନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଆତ୍ମନିର୍ଭରଶୀଳ ଭାରତ ଅଭିଯାନରେ ଏସବୁ କ୍ଷେତ୍ର ପାଇଁ ବେଶ୍‌ କିଛି ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ନିକଟରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ସହାୟତା ଦେବାପାଇଁ ଅନେକ ନିଷ୍ପତ୍ତି ନିଆଯାଇଛି । ସମୟବଦ୍ଧ ନୀତିରେ ଏହି ଉଦ୍ୟୋଗକୁ ବ୍ୟାଙ୍କ ଋଣ ଯୋଗାଣର ବ୍ୟବସ୍ଥା କରାଯାଇଛି । ବାର୍ଷିକ 100 କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ଉଦ୍ୟୋଗକୁ 20 ଶତାଂଶ ଅତିରିକ୍ତ ଋଣ ଯୋଗାଣ ପାଇଁ ଅଟୋମେଟିକ ଇନ୍‌କ୍ରିଜର ବ୍ୟବସ୍ଥା ହୋଇଛି ।

ଯଦି ଆମେ ବ୍ୟାଙ୍କର୍ସ କମିଟି ମାଧ୍ୟମରେ ଏହାକୁ ସୁନିଶ୍ଚିତ କରିବା ତାହେଲେ ଉଦ୍ୟୋଗଗୁଡିକୁ ତୁରନ୍ତ ଋଣ ମିଳିବ ଏବଂ ସେସବୁ କାର୍ଯ୍ୟ ଆରମ୍ଭ କରିବେ । ଏହାଦ୍ୱାରା ଲୋକଙ୍କୁ ରୋଜଗାର ମିଳିବ ।

ବନ୍ଧୁଗଣ,

ଆମର ଏଠାରେ ଯେଉଁସବୁ କ୍ଷୁଦ୍ରଶିଳ୍ପ ରହିଛି ସେଗୁଡିକୁ ଦିଗ୍‌ଦର୍ଶନ ଦେବା ଓ ହାତ ଧରି ଆଗକୁ ବଢାଇବାର ବିଶେଷ ଆବଶ୍ୟକତା ରହିଛି  । ମୁଁ ଜାଣିଛି ଆପଣମାନଙ୍କ ନେତୃତ୍ୱରେ ଏ ଦିଗରେ ଅନେକ କିଛି କାମ କରାଯାଉଛି । ବାଣିଜ୍ୟ ଓ ଉଦ୍ୟୋଗ ଯେପରି ଏହାର ପୁରୁଣା ଗତି ଫେରିପାଇବ ସେଥିପାଇଁ ଭ୍ୟାଲୁଚେନ ଉପରେ ମଧ୍ୟ ଆମକୁ ମିଳିମିଶି କାମ କରିବାକୁ ପଡିବ ।

ରାଜ୍ୟମାନଙ୍କରେ ଯେଉଁଠି ସବୁ ନିର୍ଦ୍ଦିଷ୍ଟ ଆର୍ଥିକ କାର୍ଯ୍ୟକ୍ରମ କେନ୍ଦ୍ର ରହିଛି ସେଠାରେ 24 ଘଣ୍ଟା କାମ ଚାଲିବ ସହ ମାଲପତ୍ରର ବୋଝେଇ ଖଲାସ କାମକୁ ଆହୁରି ତ୍ୱରାନ୍ୱିତ କରିବାକୁ ପଡିବ । ଗୋଟିଏ ସହରରୁ ଅନ୍ୟ ସହରକୁ ଜିନିଷପତ୍ର ପରିବହନରେ ସ୍ଥାନୀୟସ୍ତରରେ କୌଣସି ପ୍ରକାର ଅସୁବିଧା ରହିବା ଅନୁଚିତ । ଏସବୁ ସୁବ୍ୟବସ୍ଥିତ ହେଲେ ଆମର ଅର୍ଥନୈତିକ କାର୍ଯ୍ୟକଳାପ ଅଧିକ ବେଗଗାମୀ ହେବ ।

ବନ୍ଧୁଗଣ,

ଚାଷୀଙ୍କ ଉତ୍ପାଦିତ ସାମଗ୍ରୀର ବିପଣନ କ୍ଷେତ୍ରରେ ଏବେ ଯେଉଁ ସଂସ୍କାର ଅଣାଯାଇଛି ତଦ୍ଦ୍ୱାରା କୃଷକମାନେ ଲାଭବାନ ହେବେ । ଏଥିରେ ଚାଷୀଙ୍କୁ ନିଜର ଉତ୍ପାଦିତ ସାମଗ୍ରୀ ବିକିବାପାଇଁ  ବିକଳ୍ପ ରାସ୍ତା ମିଳିବ । ଏହାଦ୍ୱାରା ସେମାନଙ୍କର ଆୟ ବଢିବ ଏବଂ ଖରାପ ପାଣିପାଗ ଜନିତ ସ୍ଥିତି, ଭଣ୍ଡାର ବ୍ୟବସ୍ଥାର ଅଭାବ ଏବଂ ଅନ୍ୟାନ୍ୟ ଅସୁବିଧା ଯୋଗୁଁ ଯେଉଁ କ୍ଷତି ସହିବାକୁ ପଡୁଥିଲା ତାହା ହ୍ରାସ ପାଇବ ।

ଯେତେବେଳେ ଚାଷୀଙ୍କ ଆୟ ବଢିବ ସେତେବେଳେ ନିଶ୍ଚିତଭାବେ ସାମଗ୍ରୀର ଚାହିବା ମଧ୍ୟ ବଢିବ । ଏହାଦ୍ୱାରା ରାଜ୍ୟର ଅର୍ଥ ବ୍ୟବସ୍ଥା ବି ଗତିଶୀଳ ହେବ ।  ବିଶେଷ କରି ଉତ୍ତର ପୂର୍ବ ଏବଂ ଆମ ଆଦିବାସୀ ଇଲାକାରେ ଚାଷବାସ ଓ ଉଦ୍ୟାନ କୃଷି ପାଇଁ ଅନେକ ସୁଯୋଗ ସୃଷ୍ଟି ହେବ । ଜୈବିକ ଉତ୍ପାଦ ହେଉ କିମ୍ବା ବାଉଁଶଜାତ ସାମଗ୍ରୀ ବା ଅନ୍ୟ କିଛି ପାର୍ବତ୍ୟାଞ୍ଚଳ ସାମଗ୍ରୀ ହେଉ ଏସବୁ ପାଇଁ ଏକ ନୂଆ ବଜାରର ଦ୍ୱାର ଖୋଲିବାକୁ ଯାଉଛି । ସ୍ଥାନୀୟ ଉତ୍ପାଦ ପାଇଁ ଯେଉଁସବୁ କ୍ଲଷ୍ଟରଭିତ୍ତିକ ରଣନୀତି ଘୋଷଣା କରାଯାଇଛି ତଦ୍ଦ୍ୱାରା ସବୁ ରାଜ୍ୟ ଲାଭବାନ ହେବେ । ଏଥିପାଇଁ ସବୁ ଜିଲାରେ ଏଭଳି ଉତ୍ପାଦ ଚିହ୍ନଟ କରି ଏହାର ପ୍ରକ୍ରିୟାକରଣ ବା ବିପଣନ ନିମନ୍ତେ ଏକ ଉତ୍ତମ ବ୍ୟବସ୍ଥା ନିଶ୍ଚିତ କରିବାକୁ ପଡିବ । ଏହାଦ୍ୱାରା ଆମେ ଦେଶ ଏବଂ ଦୁନିଆର ବଜାରକୁ ଶ୍ରେଷ୍ଠ ସାମଗ୍ରୀ ପହଞ୍ଚାଇପାରିବା ।

ବନ୍ଧୁଗଣ,

ବିଗତ ଦିନର ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଭଳି ଯେତେସବୁ ଘୋଷଣା କରାଯାଇଛି ସେସବୁକୁ ଏକ ନିଶ୍ଚିତ ସମୟ ଅବଧି ମଧ୍ୟରେ କାର୍ଯ୍ୟକାରୀ କରିବାକୁ ପଡିବ । ଏଥିପାଇଁ ଆମେ ସବୁ ଏକଜୁଟ ହୋଇ କାମ କରିବା ଜରୁରୀ । ଏହି ପୃଷ୍ଠଭୂମିରେ କରୋନା ବିରୋଧୀ ଲଢେଇ ଏବଂ ଅର୍ଥନୈତିକ କାର୍ଯ୍ୟକ୍ରମ ସହିତ ଯୋଡି ହୋଇଥିବା ପ୍ରସ୍ତାବ ଯାହା ସବୁ ରହିଛି ଏବଂ ଏ କ୍ଷେତ୍ରରେ ଆପଣମାନେ ଯେଉଁ କାମ କରୁଛନ୍ତି ସେସବୁ ବିଷୟରେ ମୁଁ ଜାଣିବା ପାଇଁ ଆଗ୍ରହୀ । ଏହି ଚର୍ଚ୍ଚାକୁ ଆମ ଗୃହମନ୍ତ୍ରୀ ଏବେ ଆଗକୁ ବଢାଇବେ ।

 

**********



(Release ID: 1631991) Visitor Counter : 201