ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

• ମାର୍ଚ୍ଚ 20, 2020 ଠାରୁ ମୁଖ୍ୟମନ୍ତ୍ରୀମାନଙ୍କ ସହ ଏହା ପଞ୍ଚମ ଆଲୋଚନା
• ଗ୍ରାମାଞ୍ଚଳରେ କୋଭିଡ଼-19 ବ୍ୟାପିବାକୁ ରୋକିବା ଏବେ ସବୁଠାରୁ ବଡ଼ କର୍ତ୍ତବ୍ୟ
• କୋଭିଡ଼ ପରବର୍ତ୍ତୀ କାଳରେ ଉତ୍ପନ୍ନ ସୁଯୋଗର ଫାଇଦା ନେବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ
• ବିଶ୍ୱର ନୂତନ ବାସ୍ତବତାକୁ ଗ୍ରହଣ କରିବା ନିମନ୍ତେ ଆମେ ସଭିଏଁ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ: ପ୍ରଧାନମନ୍ତ୍ରୀ

Posted On: 11 MAY 2020 10:22PM by PIB Bhubaneshwar

କୋଭିଡ଼-19 ମହାମାରୀ ବିରୋଧରେ ଭାରତର ଆଗାମୀ ସଂଗ୍ରାମ ସକାଶେ ମାର୍ଗ ପ୍ରସ୍ତୁତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରର ମୁଖ୍ୟମନ୍ତ୍ରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ।

ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ଆଲୋଚନାରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ତାଙ୍କର ପ୍ରାରମ୍ଭିକ ବକ୍ତବ୍ୟରେ କହିଲେ ଯେ ଭାରତରେ କରୋନା ମହାମାରୀର ଭୌଗୋଳିକ ବ୍ୟାପ୍ତି ସଂପର୍କରେ ଆମେମାନେ ସମସ୍ତେ ଏବେ ଊଣା ଅଧିକେ ସ୍ପଷ୍ଟ ସୂଚନା ପାଇସାରିଛେ । ଅଧିକନ୍ତୁ, ଗତ କିଛି ସପ୍ତାହ ମଧ୍ୟରେ, ଏହାକୁ ରୋକିବା ସକାଶେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ରହିଥିବା ଅଧିକାରୀମାନେ ତାହାର ସଂଚାଳନ ବିଧିବିଧାନ ସଂପର୍କରେ ଅବଗତ ହୋଇସାରିଛନ୍ତି । ଏଭଳି ସମୟରେ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ସମସ୍ତ କର୍ମକର୍ତ୍ତା କରୋନା ବିରୋଧୀ ଅଭିଯାନରେ ସାମିଲ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ କରୋନା ମହାମାରୀର ସଂକ୍ରମଣ ସଂପର୍କରେ ଏଭଳି ଧାରଣା ଦେଶକୁ ଏହା ବିରୋଧରେ ଆଗକୁ ସଂଗ୍ରାମ ଜାରି ରଖିବା ଦିଗରେ ବିଶେଷ ଭାବେ ସହାୟକ ହୋଇପାରିବ ।

ତେଣୁ, ଆମକୁ କରୋନା ଭୂତାଣୁ ସଂକ୍ରମଣ ବିରୋଧରେ ସଂଗ୍ରାମ ଲାଗି ଅଧିକରୁ ଅଧିକ ଉପାୟ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ପଡ଼ିବ ଓ ଉପାୟ ଚିନ୍ତା କରିବାକୁ ହେବ । ଏଥିପାଇଁ ଆମକୁ ଦ୍ୱିବିଧ ପନ୍ଥା ଆପଣାଇବାକୁ ପଡ଼ିବ । ତାହା ହେଲା- ଏହି ରୋଗର ସଂକ୍ରମଣ ମାତ୍ରାକୁ କମାଇବାକୁ ହେବ ଏବଂ ଧୀରେ ଧୀରେ ସାଧାରଣ କାର୍ଯ୍ୟକଳାପକୁ ମଧ୍ୟ ବଢ଼ାଇବାକୁ ପଡ଼ିବ । ଆମମାନଙ୍କୁ ପୂର୍ବବତ୍‌ ସକଳ ପ୍ରକାର ସତର୍କତାମୂଳକ ନିୟମାବଳୀକୁ ପାଳନ କରିବାକୁ ପଡ଼ିବ । ଏହି ଦୁଇଟି ଯାକ ଉଦ୍ଦେଶ୍ୟ ପୂରଣ ଦିଗରେ ଆମମାନଙ୍କୁ ମିଳିତ ଭାବେ ସଂଗ୍ରାମ ଜାରି ରଖିବାକୁ ହେବବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି କହିଲେ ଯେ ଏବେ ଗ୍ରାମାଞ୍ଚଳରେ କୋଭିଡ଼-19 ଯେଭଳି ସଂପ୍ରସାରିତ ନହୁଏ ତାହା ରୋକିବା ଦିଗରେ ଆମକୁ ସବୁଠାରୁ ଅଧିକ ପ୍ରୟାସ କରିବାକୁ ହେବ ।

ସେ କହିଲେ ଯେ ରାଜ୍ୟମାନେ ଦେଉଥିବା ପରାମର୍ଶ ଅନୁସାରେ ଆର୍ଥିକ କାର୍ଯ୍ୟକଳାପର ରୋଡ଼ମ୍ୟାପ୍‌ ପ୍ରସ୍ତୁତ କରାଯିବ । ସମସ୍ତଙ୍କର ମତାମତକୁ ଗମ୍ଭୀରତାର ସହ ବିଚାର କରି ଦେଖାଯାଉଛି ।

ଦେଶରେ କୋଭିଡ଼-19 ବିରୋଧୀ ସଫଳ ସଂଗ୍ରାମ ନିମନ୍ତ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ଭୂୟସୀ ପ୍ରଶଂସା କରିଥିଲେ । ଦେଶର ସ୍ୱାସ୍ଥ୍ୟ ଓ ଚିକିତ୍ସା ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଉପରେ ସେମାନେ ଗୁରୁତ୍ୱ ଆରୋପ କରିଥିଲେ । ବିଶେଷ କରି ପ୍ରବାସୀ ଶ୍ରମିକମାନେ ଏବେ ସେମାନଙ୍କର ଘରକୁ ଫେରିବା ଆରମ୍ଭ କରିଛନ୍ତି । ତେଣୁ ସାମାଜିକ ଦୂରତା ରକ୍ଷାର ନିୟମକୁ ନିଷ୍ଠାର ସହ ଅନୁପାଳନ କରିବା ଆବଶ୍ୟକ । ମୁହଁରେ ମାସ୍କ ବାନ୍ଧିବା ଓ ସାନିଟାଇଜେସନ୍‌ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯିବା ଉଚିତ ଯାହାଦ୍ୱାରା ଗ୍ରାମାଞ୍ଚଳରେ ସଂକ୍ରମଣକୁ ରୋକାଯାଇପାରିବ ।

ଯେଉଁସବୁ ଭାରତୀୟ ବିଦେଶରେ ଅଟକି ରହିଛନ୍ତି ସେମାନେ ଯେତେବେଳେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ସେମାନଙ୍କ ପାଇଁ ସଙ୍ଗରୋଧବାସକୁ ବାଧ୍ୟତାମୂଳକ କରିବା ଉପରେ ଆଲୋଚନାରେ ଗୁରୁତ୍ୱ ଆରୋପ କରାଯାଇଥିଲା । ମୁଖ୍ୟମନ୍ତ୍ରୀମାନେ ଏହା ଉପରେ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ଏମଏସଏମଇକୁ ଅଧିକ ଆର୍ଥିକ ସହଯୋଗ ମିଳିବା ଦରକାର । ଶକ୍ତି ଭଳି ଭିତ୍ତିଭୂମି ପ୍ରକଳ୍ପ, ଋଣ ଉପରେ ସୁଧ କୋହଳ କରିବା ଏବଂ କୃଷି ଉତ୍ପାଦ ସକାଶେ ବଜାର ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ମଧ୍ୟ ସେମାନେ ପରାମର୍ଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଏଭଳି ପରାମର୍ଶ ସକାଶେ ମୁଖ୍ୟମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ ସେମାନଙ୍କର ସକାରାତ୍ମକ ଭୂମିକା ହିଁ ଦେଶକୁ କୋଭିଡ଼-19 ବିରୋଧରେ ଲଢ଼ିବାରେ ସବୁଠାରୁ ଅଧିକ ସହାୟକ ହୋଇପାରିଛି । ସମାଜର ତୃଣମୂଳ ସ୍ତରରୁ ସେମାନଙ୍କର ନିଜ ନିଜ ଅନୁଭୂତିରୁ ଯେଉଁସବୁ ପରାମର୍ଶ ଆସୁଛି ତାହା ହିଁ ସବୁଠାରୁ ବଡ଼ ଅସ୍ତ୍ର ବୋଲି ସେ ମତ ପୋଷଣ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଆମକୁ ଏକଥା ଭଲଭାବେ ହୃଦୟଙ୍ଗମ କରିବାକୁ ପଡ଼ିବ ଯେ କୋଭିଡ଼-19 ପରବର୍ତ୍ତୀ ବିଶ୍ୱରେ ମୌଳିକ ଢ଼ାଂଚାରେ ବ୍ୟାପକ ପରିବର୍ତ୍ତନ ଘଟିବାକୁ ଯାଉଛି । ଏବେ ଆମେ ପ୍ରାକ୍‌ କରୋନା ବିଶ୍ୱରେ ରହିଛେ, କିନ୍ତୁ କରୋନା ପରବର୍ତ୍ତୀ ବିଶ୍ୱ ଠିକ୍‌ ବିଶ୍ୱଯୁଦ୍ଧ ପରବର୍ତ୍ତୀ କାଳ ପରି ହେବ । ତାହା ଆମେ କିଭଳି ଭାବେ କାର୍ଯ୍ୟ କରୁଛେ ତାହା ଉପରେ ଓ କି ପ୍ରକାର କାର୍ଯ୍ୟ ଆପଣାଇବା ଦରକାର ତାହା ଆମର ପରିବର୍ତ୍ତନ ସଂପର୍କରେ ମହତ୍ତ୍ୱପୂର୍ଣ୍ଣ ସୂଚନା ଦେବ ।

ସେ କହିଲେ ଯେ ଜୀବନର ଏଭଳି ନୂତନ ଧାରା ଜନ୍‌ ସେ ଲେକର୍‌ ଜଗ ତକ୍‌ନୀତି ଉପରେ ଆଧାରିତ ହେବ । ତାହା ଜଣେ ସାମାନ୍ୟ ମଣିଷ ଠାରୁ ମାନବ ସମାଜ ପର୍ଯ୍ୟନ୍ତ ବ୍ୟାପ୍ତ ହେବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଆମକୁ ଏହି ନୂତନ ବାସ୍ତବତାକୁ ହୃଦୟଙ୍ଗମ କରି ଯୋଜନା ଆପଣାଇବାକୁ ପଡ଼ିବ ।

ଆମେ ଯେତେବେଳେ ବର୍ତ୍ତମାନ ପର୍ଯ୍ୟାୟକ୍ରମିକ ଲକଡାଉନ୍‌ ଉଚ୍ଛେଦ ଦିଗକୁ ଚାହୁଁଛେ, ସେତେବେଳେ ଆମକୁ ନିରବଚ୍ଛିନ୍ନ ଭାବେ ଏକଥା ସ୍ମରଣ ରଖିବାକୁ ପଡ଼ିବ ଯେ ଏହି ମହାମାରୀର କୌଣସି ପ୍ରତିଷେଧକ ବାହାରିବା ଅଥବା ଏହି ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଆମ ନିକଟରେ ସାମାଜିକ ଦୂରତା ରକ୍ଷା ଛଡ଼ା ଅନ୍ୟ କୌଣସି ବିକଳ୍ପ ହିଁ ନାହିଁ ।

ପ୍ରଧାନମନ୍ତ୍ରୀ ଦୃଢ଼ତାର ସହ କହିଲେ ଯେ ଦୋ ଗଜ୍‌ କୀ ଦୂରୀର ଢ଼େର୍‌ ମହତ୍ୱ ରହିଛି ଏବଂ ସେ ପରାମର୍ଶ ଦେଇଛନ୍ତି ଯେ ରାତ୍ରିକାଳୀନ କର୍ଫ୍ୟୁ ଜାରି କଥା ଅନେକ ମୁଖ୍ୟମନ୍ତ୍ରୀ କହିଛନ୍ତି ଯାହାକି ଲୋକମାନଙ୍କ ମନରେ ସତର୍କତା ସୃଷ୍ଟି କରିବା ପାଇଁ ଉପଯୋଗୀ ହେବ ।

ଲକଡାଉନ୍‌ ସଂପର୍କରେ ନିଜ ନିଜର ନିର୍ଦ୍ଦିଷ୍ଟ ମତାମତ ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

ସେ କହିଛନ୍ତି, “ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ନିଜ ନିଜର ମତାମତ ମେ 15 ତାରିଖ ସୁଦ୍ଧା ମୋତେ ଦେବାଲାଗି ଅନୁରୋଧ କରୁଛି । ଆପଣମାନଙ୍କ ଠାରୁ ପ୍ରତ୍ୟେକଙ୍କ ଠାରୁ ମୁଁ ଲକଡାଉନ୍‌ ପରିଚାଳନା ସଂପର୍କରେ ବିସ୍ତୃତ କାର୍ଯ୍ୟପନ୍ଥା ଜାଣିବାକୁ ଚାହୁଁଛ ନିଜ ରାଜ୍ୟରେ ଏହାର ପରିଚାଳନା ଆପଣମାନଙ୍କୁ ଅନୁପ୍ରାଣୀତ କରିବ । ଧୀରେ ଧୀରେ ଲକଡାଉନ୍‌ କଟକଣା କୋହଳ ହେବା ପରେ ଆପଣମାନେ ଉତ୍ପନ୍ନ ପରିସ୍ଥିତିର କିଭଳି ମୁକାବିଲା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ମଧ୍ୟ ମୁଁ ଜାଣିବାକୁ ଚାହେଁ ।ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଆମେକୁ ବିଭିନ୍ନ ପ୍ରକାର ଚାଲେଞ୍ଜର ମୁକାବିଲା ନିମନ୍ତେ ଏକ ସର୍ବବ୍ୟାପୀ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ହେବ । ବିପଦ ଆସିବା ଆଗରୁ ତାହା ଆମ ପାଖରେ ଉପଲବ୍ଧ ଥିବା ଜରୁରି । ମୌସୁମ ଋତୁ ଆରମ୍ଭ ହେବା ମାତ୍ରେ ଆହୁରି ଅନେକ ଅଣ କୋଭିଡ଼- 19 ରୋଗ  ଆରମ୍ଭ ହୋଇଯିବ । ସେଥିପାଇଁ ଆମର ପ୍ରସ୍ତୁତି ଓ ସାମର୍ଥ୍ୟ ଥିବା ଦରକାର । ଆମର ଚିକିତ୍ସା ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଅନୁରୂପ ଭାବେ ପ୍ରସ୍ତୁତ ଥିବା ଉଚିତ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୀତି ନିର୍ଦ୍ଧାରଣକାରୀମାନେ ଏକଥା ସଦାସର୍ବଦା ସ୍ମରଣ ରଖିବା ଉଚିତ ଯେ ଶିକ୍ଷା କ୍ଷେତ୍ରରେ କିଭଳି ଶିକ୍ଷାଦାନ ଓ ଶିକ୍ଷାଗ୍ରହଣର ନୂତନ ମଡ଼େଲ କାର୍ଯ୍ୟକାରୀ ହୋଇପାରିବ ତାହାର ଉପାୟ ଚିନ୍ତା କରାଯିବା ଆବଶ୍ୟକ ।

ପର୍ଯ୍ୟଟନ ଶିଳ୍ପ ସଂପର୍କରେ ନିଜର ମତ ରଖି ପ୍ରଧାନମନ୍ତ୍ରୀ କହିଲେ ଯେ ଘରୋଇ ପର୍ଯ୍ୟଟନର ପର୍ଯ୍ୟାପ୍ତ ସୁଯୋଗ ଥିବାର ସେ ଲକ୍ଷ୍ୟ କରିପାରୁଛନ୍ତି  । କିନ୍ତୁ ସେଥିପାଇଁ ଆମକୁ ଏଥି ସକାଶେ ଆହୁରି ଅନେକ କଥାର ବିକାଶ ଘଟାଇବା ଦରକାର ।

ପ୍ରଧାନମନ୍ତ୍ରୀ କହିଲେ ଯେ ମୋର ଦୃଢ଼ ବିଶ୍ୱାସ ଯେ ଲକଡାଉନର ପ୍ରଥମ ପର୍ଯ୍ୟାୟରେ ଲାଗୁ କରାଯାଇଥିବା ବ୍ୟବସ୍ଥା ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍‌ ପାଇଁ ଆବଶ୍ୟକ ନଥିଲା । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟର କଟକଣା ତୃତୀୟ ପର୍ଯ୍ୟାୟ ଲାଗି ଉପଯୁକ୍ତ ନୁହେଁ । ତେଣୁ ତୃତୀୟ ପର୍ଯ୍ୟାୟର ବ୍ୟବସ୍ଥା ଚତୁର୍ଥ ପର୍ଯ୍ୟାୟ ଲାଗି ପର୍ଯ୍ୟାପ୍ତ ହେବନାହିଁବୋଲି ସେ ସତର୍କ କରାଇ ଦେଇଥିଲେ ।

ଦେଶରେ ଟ୍ରେନ୍‌ ସେବା ପୁନଃବହାଲ ହେବା ସଂପର୍କରେ ନିଜର ମତ ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏହା ଆର୍ଥିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବ । କିନ୍ତୁ ଏକାସଙ୍ଗେ ସବୁ ରୁଟକୁ କାର୍ଯ୍ୟକ୍ଷମ କରାଯିବ ନାହିଁ । ପ୍ରଧାନମନ୍ତ୍ରୀ କହିଲେ ଯେ ଏବେ କେବଳ ସୀମିତ ସଂଖ୍ୟକ ଟ୍ରେନ୍‌ ଚଳାଚଳ କରିବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ସେ ସଦାବେଳେ ସକାରାତ୍ମକ ଭାବନାରେ ହିଁ ବିଶ୍ୱାସ କରନ୍ତିକରୋନା ପରିପ୍ରେକ୍ଷୀରେ କୌଣସି ଗୋଟିଏ ହେଲେ ରାଜ୍ୟ ହତାଶାଭାବ ପ୍ରକଟ ନକରି ଏହା ବିରୋଧରେ ଲଢ଼ିବା ହିଁ ହେଉଛି ସାହସିକତା । ଏଭଳି ସାମୂହିକ ପ୍ରତିବଦ୍ଧତା ହିଁ ଭାରତକୁ କୋଭିଡ଼-19 ବିରୋଧରେ ଲଢ଼େଇ କରିବାକୁ ଓ ବିଜୟ ହାସଲ କରିବାକୁ ଶକ୍ତି ପ୍ରଦାନ କରିବ । 

ପ୍ରଧାନମନ୍ତ୍ରୀ କହିଲେ ଯେ କୋଭିଡ଼ ପରବର୍ତ୍ତୀ ଯୁଗ ମଧ୍ୟ ଭାରତ ପାଇଁ ଅନେକ ସୁଯୋଗ ନେଇ ଆସୁଛି ଏବଂ ସେଥିରୁ ଦେଶର ଫାଇଦା ଉଠାଇବା ଉଚିତ ।

 

**********



(Release ID: 1623222) Visitor Counter : 236