ପୋଷ୍ଟ କରାଯିବା ଦିନାଙ୍କ:
31 OCT 2026 9:55AM by PIB Bhubaneswar
୨୦୨୬ ବର୍ଷ ପାଇଁ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ୍) ଏବଂ କେନ୍ଦ୍ରୀୟ ପୁଲିସ ସଂଗଠନ (ସିପିଓ)ର ୪୯୦ ଜଣ କର୍ମଚାରୀଙ୍କୁ ‘କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ’ ପ୍ରଦାନ କରାଯାଇଛି। ଉତ୍କୃଷ୍ଟ କାର୍ଯ୍ୟକୁ ସ୍ୱୀକୃତି ଦେବା, ପେସାଦାର ଦକ୍ଷତାର ଉଚ୍ଚ ମାନଦଣ୍ଡକୁ ପ୍ରୋତ୍ସାହିତ କରିବା ଏବଂ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ମନୋବଳ ବୃଦ୍ଧି କରିବା ଏହି ପଦକର ଉଦ୍ଦେଶ୍ୟ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ଆରମ୍ଭ ହୋଇଥିବା ଏହି ପଦକ ସମସ୍ତ ପୁଲିସ କର୍ମଚାରୀଙ୍କ ମନୋବଳ ବୃଦ୍ଧିରେ ସହାୟକ ହେବ।
ଭାରତ ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ୨୦୨୪ ଫେବ୍ରୁଆରୀ ୧ ତାରିଖରେ ଜାରି ବିଜ୍ଞପ୍ତି ଅନୁଯାୟୀ ‘କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ’ ଆରମ୍ଭ କରାଯାଇଥିଲା। ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ ବାହିନୀ, ସୁରକ୍ଷା ସଂଗଠନ, ଗୁଇନ୍ଦା ଶାଖା, କେନ୍ଦ୍ରୀୟ ପୁଲିସ ସଂଗଠନ (ସିପିଓ), କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ୍), ଜାତୀୟ ସୁରକ୍ଷା ଗାର୍ଡ (ଏନ୍ଏସ୍ଜି) ଏବଂ ଆସାମ ରାଇଫଲ୍ସର ସଦସ୍ୟମାନଙ୍କୁ ଏହି ପଦକ ପ୍ରଦାନ କରାଯାଏ। ଏଥିସହ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଫରେନସିକ୍ ବିଜ୍ଞାନ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନେ ମଧ୍ୟ ଏହି ପଦକ ପାଇବାକୁ ଯୋଗ୍ୟ। ଅପରେସନ୍ କ୍ଷେତ୍ରରେ ଉତ୍କର୍ଷତା, ତଦନ୍ତ କାର୍ଯ୍ୟରେ ଉଲ୍ଲେଖନୀୟ ସେବା, ଅସାଧାରଣ ପ୍ରଦର୍ଶନ, ଦୁଃସାହସିକ ଓ ଅତୁଳନୀୟ ଗୁଇନ୍ଦା ସେବା ଏବଂ ଫରେନସିକ୍ ବିଜ୍ଞାନ କ୍ଷେତ୍ରରେ କାର୍ଯ୍ୟରତ ସରକାରୀ ବୈଜ୍ଞାନିକଙ୍କ ଉଲ୍ଲେଖନୀୟ ଅବଦାନକୁ ବିଚାରକୁ ନେଇ ଏହି ପଦକ ପ୍ରଦାନ କରାଯାଏ।
ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମବାର୍ଷିକୀ ଅବସରରେ ଏହି ପଦକ ଘୋଷଣା କରାଯାଏ।
ପଦକ ବିଜେତାଙ୍କ ତାଲିକା କେନ୍ଦ୍ର ଗୃହ ମନ୍ତ୍ରଣାଳୟର ୱେବସାଇଟ୍ www.mha.gov.in ରେ ଉପଲବ୍ଧ।
***
TKM