ପୋଷ୍ଟ କରାଯିବା ଦିନାଙ୍କ:
29 SEP 2026 7:46PM by PIB Bhubaneswar
କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ ମୁରୁଗନ ଆଜି ନୂଆଦିଲ୍ଲୀରେ ୟୁଟ୍ୟୁବ୍ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ରେ ଉଦବୋଧନ ଦେଇଛନ୍ତି । କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ନୂତନ ଉଦ୍ଭାବନ ଏବଂ ସଶକ୍ତିକରଣର ଉପକରଣ ଭାବେ ବ୍ୟବହାର କରିବା ଲାଗି ସେ ଯୁବ ସ୍ରଷ୍ଟାମାନଙ୍କୁ ଆହ୍ୱାନ କରିଛନ୍ତି । ‘‘ସହ-ପ୍ରସ୍ତୁତି ପ୍ରଭାବ: ଭାରତର ଡିଜିଟାଲ ନେତୃତ୍ୱ ଓ ଅରେଞ୍ଜ ଇକୋନୋମି’’ ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖି କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଭବିଷ୍ୟତ – ‘‘ଏଆଇ ବନାମ ସ୍ରଷ୍ଟା’’ ହେବା ଉଚିତ୍ ନୁହେଁ । ବରଂ, ଏଆଇ ସ୍ରଷ୍ଟାମାନଙ୍କୁ ସଶକ୍ତ କରିବା ଆବଶ୍ୟକ । ସାହସ, ଉତ୍ତରଦାୟିତ୍ୱ, ଉଦ୍ଦେଶ୍ୟ ସହିତ କଣ୍ଟେଣ୍ଟ ବା ବିଷୟବସ୍ତୁ ପ୍ରସ୍ତୁତ କରିବା ଲାଗି ସେ ସ୍ରଷ୍ଟାମାନଙ୍କୁ ନିବେଦନ କରିଥିଲେ । କେନ୍ଦ୍ର ମନ୍ତ୍ରୀ କହିଥିଲେ, ପ୍ରଯୁକ୍ତିବିଦ୍ୟା ଦ୍ରୁତ ଗତିରେ ବଦଳିପାରେ, କିନ୍ତୁ ସାମ୍ବିଧାନିକ ମୂଲ୍ୟବୋଧ ବଜାୟ ରଖିବା ଆବଶ୍ୟକ ।

ଆର୍ଥିକ ବିକାଶ, ରୋଜଗାର ଏବଂ ବିଶ୍ୱ ସାଂସ୍କୃତିକ ସମ୍ପର୍କକୁ ଆଗେଇ ନେବାରେ ଭାରତର ଡିଜିଟାଲ ଓ ସୃଜନଶୀଳ ଅର୍ଥବ୍ୟବସ୍ଥାର ଭୂମିକା ଉପରେ କେନ୍ଦ୍ର ମନ୍ତ୍ରୀ ଆଲୋକପାତ କରିଥିଲେ । ସମ୍ମିଳନୀରେ 'ୟୁଟ୍ୟୁବ୍ ଇମ୍ପାକ୍ଟ ରିପୋର୍ଟ' ଉନ୍ମୋଚନ କରାଯାଇଥିଲା । ଭାରତର ଜିଡିପିରେ ୟୁଟ୍ୟୁବ୍ ର ସୃଜନଶୀଳ ଇକୋସିଷ୍ଟମ୍ ୧୮,୦୦୦ କୋଟି ଟଙ୍କାରୁ ଅଧିକର ଯୋଗଦାନ ଦେଇଛି। ଏହା ଦେଶବ୍ୟାପୀ ୯.୬ ଲକ୍ଷରୁ ଅଧିକ ପୂର୍ଣ୍ଣକାଳୀନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇଛି ।
ମନ୍ତ୍ରୀ କହିଥିଲେ, ଭାରତରେ ପ୍ରସ୍ତୁତ କଣ୍ଟେଣ୍ଟ ବା ବିଷୟବସ୍ତୁକୁ ବିଦେଶର ୧୫ ପ୍ରତିଶତରୁ ଅଧିକ ଦର୍ଶକ ଦେଖିଥା’ନ୍ତି । ୧୮ ହଜାରରୁ ଅଧିକ ଭାରତୀୟ ୟୁଟ୍ୟୁବ ଚ୍ୟାନେଲ ଦଶ ଲକ୍ଷ ସବସ୍କ୍ରାଇବର ଅତିକ୍ରମ କରିସାରିଛି । ସେ କହିଲେ ଯେ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ସୁଯୋଗର ଭୌଗୋଳିକ ପରିସରକୁ ବଦଳାଇ ଦେଇଛି । ଫଳରେ ପ୍ରତ୍ୟେକ ଜିଲ୍ଲା, ଭାଷା ଓ ସମ୍ପ୍ରଦାୟର ପ୍ରତିଭା ବିଶ୍ୱସ୍ତରୀୟ ଦର୍ଶକଙ୍କ ନିକଟରେ ପହଞ୍ଚିପାରୁଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତରେ କାର୍ଯ୍ୟକ୍ରମ ପ୍ରସ୍ତୁତି, ଦୁନିଆ ପାଇଁ ପ୍ରସ୍ତୁତି ଦୃଷ୍ଟିକୋଣ ବିଷୟରେ ଉଲ୍ଲେଖ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ, ଅରେଞ୍ଜ ଇକୋନୋମିର ତିନୋଟି ସ୍ତମ୍ଭ ରହିଛି – କଣ୍ଟେଣ୍ଟ ବା ବିଷୟବସ୍ତୁ, ସୃଜନଶୀଳତା ଓ ସଂସ୍କୃତି । ସେ ୱେଭ୍ସ, ଆଇଆଇସିଟି, କ୍ରିଏଟ୍ ଇନ୍ ଚ୍ୟାଲେଞ୍ଜେସ୍, ଜେମ୍ସ ଅଫ୍ ଇଣ୍ଡିଆ, ୱେଭ୍ସ ବଜାର, ମାଇ ୱେଭ୍ସ ଏବଂ କ୍ରିଏଟର୍ସ କର୍ଣ୍ଣର୍ ଭଳି ସରକାରଙ୍କ ବିଭିନ୍ନ ପ୍ରୟାସ ବିଷୟରେ ଉଲ୍ଲେଖ କରିଥିଲେ । ଏସବୁ ସୃଜନଶୀଳ ପ୍ରତିଭାକୁ ଚିହ୍ନଟ, ବିକାଶ ଏବଂ ବଜାର ସହିତ ସଂଯୋଗ କରିବା ପାଇଁ ମାର୍ଗ ପ୍ରଶସ୍ତ କରିଛନ୍ତି ।
******
PS