ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ନୂଆଦିଲ୍ଲୀରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବମାନଙ୍କର ଜାତୀୟ ସମ୍ମିଳନୀ
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସମ୍ମିଳନୀରେ କେନ୍ଦ୍ର-ରାଜ୍ୟ ସମନ୍ୱୟ ସୁଦୃଢ଼ କରିବା ଉପରେ ଗୁରୁତ୍ୱ
ୱେଭ୍ସ ୨୦୨୭ ଠାରୁ ଲାଇଭ୍ ଇଭେଣ୍ଟ ପର୍ଯ୍ୟନ୍ତ ଭାରତର ସୃଜନଶୀଳ ଅର୍ଥବ୍ୟବସ୍ଥା ଏବଂ ଗଣମାଧ୍ୟମ ପରିଦୃଶ୍ୟକୁ ସୁଦୃଢ଼ କରିବା ପାଇଁ ରୂପରେଖ ପ୍ରସ୍ତୁତ କଲା ମନ୍ତ୍ରଣାଳୟ
ପୋଷ୍ଟ କରାଯିବା ଦିନାଙ୍କ:
25 AUG 2026 6:46PM by PIB Bhubaneswar
ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ନୂଆଦିଲ୍ଲୀରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବମାନଙ୍କ ଏକ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ସୂଚନା, ପ୍ରସାରଣ, ଗଣମାଧ୍ୟମ ଏବଂ ସୃଜନଶୀଳ ଅର୍ଥବ୍ୟବସ୍ଥା କ୍ଷେତ୍ରରେ ପ୍ରମୁଖ ପଦକ୍ଷେପଗୁଡ଼ିକ ଉପରେ ବିଚାରବିମର୍ଶ କରିଛନ୍ତି । ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ପାଇଁ ସହମତି ହୋଇଛି ।


ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଚଞ୍ଚଲ କୁମାର ସମ୍ମିଳନୀର ଅଧ୍ୟକ୍ଷତା କରିଥିଲେ। ସେ ଅଂଶଗ୍ରହଣକାରୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅଧିକାରୀଙ୍କ ସହିତ ମତ ବିନିମୟ କରିଥିଲେ। ଶ୍ରୀ କୁମାର ପ୍ରଧାନମନ୍ତ୍ରୀଙ୍କ ସପ୍ତଧାରା ଦୃଷ୍ଟିକୋଣର ଉଲ୍ଲେଖ କରିଥିଲେ। ଏହା ଅଧୀନରେ ଭାରତର ସଫ୍ଟ ପାୱାର ଏବଂ ସୃଜନଶୀଳ ଅର୍ଥବ୍ୟବସ୍ଥାକୁ ଜାତୀୟ ପ୍ରଗତିର ୭ଟି ଧାରା ମଧ୍ୟରେ ସ୍ଥାନିତ କରାଯାଇଛି । ମନ୍ତ୍ରଣାଳୟର ସଚିବ କହିଥିଲେ, ଭାରତର ବିଶାଳ ସୃଜନଶୀଳ ସମ୍ଭାବନାକୁ ଉପଯୋଗ କରିବା ଏବଂ ଗଣ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଅଧିକ ଦୃଢ଼ ଓ ଢାଞ୍ଚାଗତ ସହଯୋଗର ଆବଶ୍ୟକତା ରହିଛି । ସେ କହିଥିଲେ, ସଂସ୍କୃତି, ସୃଜନଶୀଳତା ଓ ବାଣିଜ୍ୟକୁ ନେଇ ସୃଜନଶୀଳ ଅର୍ଥବ୍ୟବସ୍ଥା ଆଧାରିତ। ଏହି କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି କରିବା, ନିବେଶକୁ ଆକର୍ଷିତ କରିବା ଏବଂ ଭାରତର ବୈଶ୍ବିକ ପ୍ରଭାବକୁ ବୃଦ୍ଧି କରିବାର ସମ୍ଭାବନା ରହିଛି ।
ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ବିବିଧ ଶକ୍ତି ଉପରେ ଆଲୋକପାତ କରି ସଚିବ କହିଥିଲେ ଯେ ସୃଜନଶୀଳ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ପାଇଁ ଗୋଟିଏ ମଡେଲ ଯଥେଷ୍ଟ ନୁହେଁ । ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସାଂସ୍କୃତିକ ଶକ୍ତି, ସଂସ୍ଥାଗତ କ୍ଷମତା ଏବଂ ଆଞ୍ଚଳିକ ପ୍ରତିଭାକୁ ଏହାର ସୃଜନଶୀଳ ସମ୍ଭାବନାକୁ ସାକାର କରିବା ପାଇଁ ବ୍ୟବହାର କରାଯିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ ।
ସେ କେନ୍ଦ୍ର-ରାଜ୍ୟ ସହଯୋଗ ବୃଦ୍ଧି ପାଇଁ ଭିତ୍ତିଭୂମି, ବ୍ୟବସାୟିକ ସୁଗମତା, କ୍ଷମତା ନିର୍ମାଣ, ଆଞ୍ଚଳିକ ବିଷୟବସ୍ତୁ ଏବଂ ସୃଜନଶୀଳ ପରିଦୃଶ୍ୟ ଭଳି କ୍ଷେତ୍ର ଉପରେ ମଧ୍ୟ ଆଲୋକପାତ କରିଥିଲେ। ୱେଭ୍ସ ୨୦୨୭, ୱେଭ୍ସ ବଜାର, ୱେଭ୍ସ ଏକ୍ସ ଏବଂ କ୍ରିଏଟ୍ ଇନ୍ ଇଣ୍ଡିଆ ଚାଲେଞ୍ଜ ଭଳି ଜାତୀୟ ପ୍ଲାଟଫର୍ମଗୁଡ଼ିକ ସାରା ଦେଶର ସୃଜନଶୀଳ ସ୍ରଷ୍ଟା ଏବଂ ଷ୍ଟାର୍ଟ-ଅପ୍ଗୁଡ଼ିକୁ ବଜାର, ନିବେଶକ, ପ୍ରଯୁକ୍ତିବିଦ୍ୟା ଏବଂ ବିଶ୍ୱ ସହଭାଗୀତା ପାଇଁ ଅଧିକ ସୁଯୋଗ ପ୍ରଦାନ କରିପାରିବେ।
ଅଂଶଗ୍ରହଣକାରୀ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ଅଧିକାରୀମାନେ ବିଭିନ୍ନ ପଦକ୍ଷେପର କାର୍ଯ୍ୟକାରିତା ସମ୍ପର୍କରେ ସେମାନଙ୍କର ଅଭିଜ୍ଞତା ଓ ଦୃଷ୍ଟିକୋଣ ବାଣ୍ଟିଥିଲେ। ଏଥିସହିତ ମନ୍ତ୍ରଣାଳୟ ସହ ସମନ୍ୱୟ ଓ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଉପାୟଗୁଡ଼ିକ ଉପରେ ଆଲୋଚନା କରିଥିଲେ। ରାଜ୍ୟ ସ୍ତରରେ କ୍ଷମତା ନିର୍ମାଣର ଆବଶ୍ୟକତା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା । ରାଜ୍ୟଗୁଡ଼ିକ ବର୍ଦ୍ଧିତ ଯୋଗାଯୋଗ, ଲୋକସମ୍ପର୍କ ଏବଂ ନିୟମିତ ସମ୍ମିଳନୀ ମାଧ୍ୟମରେ ମନ୍ତ୍ରଣାଳୟଠାରୁ ଅଧିକ ସମର୍ଥନ ଲୋଡ଼ିଥିଲେ। ଅଧିକାରୀମାନେ ମଧ୍ୟ ମନ୍ତ୍ରଣାଳୟ ସହିତ ଅଧିକ ଘନିଷ୍ଠ ଭାବରେ ସହଯୋଗ କରିବା ଏବଂ ଅରେଞ୍ଜ ଇକୋନୋମିକୁ ସୁଦୃଢ଼ କରିବାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାର ଆଗ୍ରହ ପ୍ରକାଶ କରିଥିଲେ।
ସମ୍ମିଳନୀ ସମୟରେ, ରାଜ୍ୟ ସରକାରଙ୍କ ଦ୍ୱାରା କେବୁଲ ଅପରେଟରମାନଙ୍କ ପାଇଁ ରାଇଟ ଅଫ୍ ୱେ (ଆରଓଡବ୍ଲୁ) ବ୍ୟବସ୍ଥା କାର୍ଯ୍ୟକାରୀ କରିବା; ୱେଭ୍ସ ୨୦୨୭ ପାଇଁ ରୂପରେଖ; ୱେଭ୍ସ ବଜାର ଏବଂ ବଜାର ପ୍ରବେଶକୁ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା। ସେହିପରି ସାର୍ବଜନୀନ ସେବା ପ୍ରସାରଣ ଭିତ୍ତିଭୂମିର ବିସ୍ତାର; ୱେଭ୍ସ ଓଟିଟି ପ୍ଲାଟଫର୍ମରେ ଉପଭୋକ୍ତାଙ୍କ ଦ୍ୱାରା ପ୍ରସ୍ତୁତ ସୃଜନଶୀଳ ବିଷୟବସ୍ତୁର ପ୍ରୋତ୍ସାହନ; ଇଣ୍ଡିଆନ୍ ସିନେ ହବ୍ (ଆଇସିଏଚ) ଏବଂ ଫିଲ୍ମ ସୁବିଧା କାର୍ଯ୍ୟାଳୟ (ଏଫଏଫଓ) ପୋର୍ଟାଲର ଦ୍ୱି-ପାକ୍ଷିକ ସମନ୍ୱୟ ଉପରେ ବିଚାରବିମର୍ଶ କରାଯାଇଥିଲା । ଏହାବ୍ୟତୀତ ଚଳଚ୍ଚିତ୍ର ସୁଟିଂ ଏବଂ ଲାଇଭ୍ ଇଭେଣ୍ଟ ଅନୁମତି ପାଇଁ ସିଙ୍ଗଲ-ୱିଣ୍ଡୋ ଆଇସିଏଚ ପୋର୍ଟାଲ ଗ୍ରହଣ କରିବା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ବିଭିନ୍ନ କାର୍ଯ୍ୟକ୍ରମର ସହପ୍ରଯୋଜନା, ରାଜ୍ୟ ଆଧାରିତ କାର୍ଯ୍ୟକ୍ରମ ଏବଂ ବର୍ଦ୍ଧିତ ସାର୍ବଜନୀନ ଯୋଗାଯୋଗ ମାଧ୍ୟମରେ ସାର୍ବଜନୀନ ସେବା ପ୍ରସାରଣକୁ ସୁଦୃଢ଼ କରିବା ନେଇ ମଧ୍ୟ ସମ୍ମିଳନୀରେ ବିଚାରବିମର୍ଶ କରାଯାଇଥିଲା । ଲାଇଭ୍ ଇଭେଣ୍ଟ କ୍ଷେତ୍ରର ପ୍ରୋତ୍ସାହନ; ଆଇଆଇଏମସି ତାଲିମ ସୁବିଧା ମାଧ୍ୟମରେ ଡିଆଇପିଆର ଅଧିକାରୀଙ୍କ କ୍ଷମତା ନିର୍ମାଣ; ପ୍ରେସ୍ ସେବା ପୋର୍ଟାଲ ମାଧ୍ୟମରେ ପ୍ରେସ୍ ଏବଂ ପଞ୍ଜିକରଣ ପତ୍ରିକା (ପିଆରପି) ଆଇନ, ୨୦୨୩ ଅଧୀନରେ ଡିଜିଟାଲ୍ ଢାଞ୍ଚାକୁ ପରିବର୍ତ୍ତନ; ସମଗ୍ର ଶିକ୍ଷା ଢାଞ୍ଚା ଅଧୀନରେ ରାଜ୍ୟ ସରକାରଙ୍କୁ ପୁସ୍ତକ ଯୋଗାଣ ମାଧ୍ୟମରେ ପାଠାଗାରଗୁଡ଼ିକୁ ସୁଦୃଢ଼ କରିବା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।
ସମ୍ମିଳନୀରେ ସାର୍ବଜନୀନ ସେବା ପ୍ରସାରଣ, ଲାଇଭ୍ ଇଭେଣ୍ଟ କ୍ଷେତ୍ର, ଡିଆଇପିଆର ଅଧିକାରୀଙ୍କ ଦକ୍ଷତା ବିକାଶ, ଗଣମାଧ୍ୟମ ଏବଂ ପ୍ରକାଶନ କ୍ଷେତ୍ରରେ ଡିଜିଟାଲ୍ ପରିବର୍ତ୍ତନ ଏବଂ ସାର୍ବଜନୀନ ଯୋଗାଯୋଗ ପଦକ୍ଷେପ ସହିତ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।
ରାଜ୍ୟ ଆଧାରିତ କାର୍ଯ୍ୟକ୍ରମ ଏବଂ ପ୍ରସାର ପାଇଁ ପିଆଇବି ଆଞ୍ଚଳିକ କାର୍ଯ୍ୟାଳୟ, ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଦୂରଦର୍ଶନ ଓ ଆକାଶବାଣୀର ଆଞ୍ଚଳିକ ୟୁନିଟ୍ ମଧ୍ୟରେ ଘନିଷ୍ଠ ସମନ୍ୱୟ ଲାଗି ମଧ୍ୟ ସଚିବ ଆହ୍ୱାନ କରିଥିଲେ। ସୃଜନଶୀଳ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଗଣ ଯୋଗାଯୋଗକୁ ଉନ୍ନତ କରିବା ପାଇଁ ନୂତନ ଉପାୟ, ରାଜ୍ୟ-ନେତୃତ୍ୱାଧୀନ ପଦକ୍ଷେପ ଏବଂ ସହଭାଗୀତା ମଡେଲ ପାଇଁ ଖୋଲା ରହିଛି ।
ସମ୍ମିଳନୀରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହିତ ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ଏବଂ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । ଏହା କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ଘନିଷ୍ଠ ସମନ୍ୱୟ ଏବଂ ସହଭାଗୀ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।
********
PS/Swadhin/ Manoj
(ରିଲିଜ ଆଡି: 2303346)
ପରିଦର୍ଶକ କାଉଣ୍ଟର : 9
ଏହି ରିଲିଜ ପଢନ୍ତୁ :
Malayalam
,
English
,
Khasi
,
Urdu
,
हिन्दी
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada