ଆୟୁଷ
ଆୟୁଷ ମନ୍ତ୍ରଣାଳୟର ଐତିହାସିକ ସଫଳତା; ୟୁଟ୍ୟୁବ୍ ଲାଇଭ୍ ଯୋଗ ପ୍ରସାରଣରେ ଗିନିଜ୍ ବିଶ୍ୱ ରେକର୍ଡ
ଯୋଗ ପ୍ରତି ବିଶ୍ୱବ୍ୟାପୀ ଆଗ୍ରହର ପ୍ରମାଣ; ଅନଲାଇନ୍ ଯୋଗ କାର୍ଯ୍ୟକ୍ରମରେ ୪୩୫,୮୩୧ ଦର୍ଶକଙ୍କ ସହଭାଗିତା
प्रविष्टि तिथि:
14 JUN 2026 12:56PM by PIB Bhubaneswar
ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୬ ପୂର୍ବରୁ ଆୟୁଷ ମନ୍ତ୍ରଣାଳୟ ଏକ ଐତିହାସିକ ସଫଳତା ହାସଲ କରି ଆଜି ୟୁଟ୍ୟୁବ୍ରେ ସିଧାସଳଖ ଯୋଗ ପ୍ରସାରଣରେ ସର୍ବାଧିକ ଦର୍ଶକଙ୍କ ଉପସ୍ଥିତି ପାଇଁ ନୂତନ ଗିନିଜ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛି। ଆୟୁଷ ମନ୍ତ୍ରଣାଳୟର ଅଧିକୃତ ୟୁଟ୍ୟୁବ୍ ଚ୍ୟାନେଲ୍ରେ ପ୍ରସାରିତ ଏକ ବିଶେଷ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ ଅଧିବେଶନରେ ୪,୩୫,୮୩୧ ଜଣ ଦର୍ଶକ ଯୋଗଦେଇ ଏହି ରେକର୍ଡ ସ୍ଥାପନ କରିଥିଲେ।
ଅନ୍ତର୍ଜାତୀୟ ଯୋଗ ବର୍ଷ-୨୦୨୬ ଅବସରରେ ମନ୍ତ୍ରଣାଳୟର ପ୍ରଚାର କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ରେକର୍ଡ ସ୍ଥାପନ ପ୍ରୟାସ ଆୟୋଜିତ ହୋଇଥିଲା। ଏଥିରେ ଭାରତ ଏବଂ ବିଶ୍ୱର ବିଭିନ୍ନ ଦେଶର ଯୋଗ ଅଭ୍ୟାସକାରୀ, ଛାତ୍ରଛାତ୍ରୀ, ଅନୁଷ୍ଠାନ, ବୃତ୍ତିଜୀବୀ ଓ ସ୍ୱାସ୍ଥ୍ୟପ୍ରେମୀମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ କମନ୍ ଯୋଗ ପ୍ରୋଟୋକଲ୍ (ସିୱାଇପି) ଏବଂ ‘ଯୋଗ ୩୬୫’ ଅଭିଯାନ ଦ୍ୱାରା ଯୋଗକୁ ଦୈନନ୍ଦିନ ଜୀବନର ଏକ ଅଭ୍ୟାସ ଭାବେ ଗ୍ରହଣ କରିବା ପାଇଁ ମନ୍ତ୍ରଣାଳୟର ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରାଯାଇଥିଲା।
ଆୟୁଷ ମନ୍ତ୍ରଣାଳୟ ୪,୩୫,୮୩୧ ଜଣ ଯାଞ୍ଚ ହୋଇଥିବା ଦର୍ଶକଙ୍କ ଉପସ୍ଥିତି ରେକର୍ଡ କରିଥିଲା, ଯାହା ୨୦୨୪ ମସିହାରେ ସ୍ଥାପନ ହୋଇଥିବା ୨,୪୬,୨୫୨ ଦର୍ଶକଙ୍କ ପୂର୍ବତନ ଗିନିଜ୍ ୱାର୍ଲ୍ଡ ରେକର୍ଡକୁ ଅତିକ୍ରମ କରିଛି। ଏହି ନୂତନ ରେକର୍ଡରେ ପୂର୍ବ ରେକର୍ଡ ତୁଳନାରେ ୧,୮୯,୫୭୯ ଜଣ ଅଧିକ ଦର୍ଶକ ସାମିଲ ହୋଇଥିଲେ। ଏହା ଫଳରେ ୟୁଟ୍ୟୁବ୍ରେ ସିଧାସଳଖ ଯୋଗ ପ୍ରସାରଣରେ ସର୍ବାଧିକ ଦର୍ଶକଙ୍କ ଉପସ୍ଥିତିର ନୂତନ ବିଶ୍ୱ ରେକର୍ଡ ଭାବେ ପରିଗଣିତ ହୋଇଛି।
କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପରାଓ ଯାଧବ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରି ଏହି ଐତିହାସିକ ସଫଳତାରେ ଅବଦାନ ରଖିଥିବା ବିଶ୍ୱବ୍ୟାପୀ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ, “ଆଜିର ଏହି ସଫଳତା ସ୍ୱାସ୍ଥ୍ୟ ଓ କଲ୍ୟାଣ ପ୍ରତି ସାମୂହିକ ପ୍ରତିବଦ୍ଧତା ମାଧ୍ୟମରେ ବିଭିନ୍ନ ଅଞ୍ଚଳ, ସଂସ୍କୃତି ଓ ଦେଶର ଲୋକଙ୍କୁ ଏକତ୍ର କରିବାରେ ଯୋଗର ଅସାଧାରଣ ଶକ୍ତିକୁ ପ୍ରତିଫଳିତ କରୁଛି। ଏହି ନୂତନ ଗିନିଜ୍ ୱାର୍ଲ୍ଡ ରେକର୍ଡ ଯୋଗକୁ ଜୀବନଶୈଳୀ ଭାବେ ବିଶ୍ୱସ୍ତରରେ ବଢ଼ୁଥିବା ସ୍ୱୀକୃତିର ପ୍ରମାଣ ଏବଂ ଯୋଗକୁ ଦୈନନ୍ଦିନ ଜୀବନର ଅବିଚ୍ଛେଦ୍ୟ ଅଂଶ ଭାବରେ ଗ୍ରହଣ କରିବା ପାଇଁ ଆମର ସାମୂହିକ ସଂକଳ୍ପକୁ ଆହୁରି ସୁଦୃଢ଼ କରୁଛି। ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୬ ପୂର୍ବରୁ ମୁଁ ସମସ୍ତଙ୍କୁ ‘ଯୋଗ ୩୬୫’ର ଭାବନାକୁ ସ୍ୱିକାର କରି ଏକ ସୁସ୍ଥ, ସଶକ୍ତ ଓ ସହନଶୀଳ ସମାଜ ଗଠନରେ ଅବଦାନ ରଖିବାକୁ ଆହ୍ୱାନ କରୁଛି।”
ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ୍ୟ ରାଜେଶ କୋଟେଚା ଏହି ଐତିହାସିକ ସଫଳତାରେ ଅବଦାନ ରଖିଥିବା ସମସ୍ତ ଅଂଶୀଦାର ଏବଂ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ, “ଏହି ସଫଳତା କେବଳ ଏକ ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରବାରେ ସୀମିତ ନୁହେଁ; ବରଂ ଏହା ବିଶ୍ୱକୁ ଆମେ ଦେଉଥିବା ବାର୍ତ୍ତା ସହିତ ଜଡିତ। ଏହି ବିପୁଳ ଅଂଶଗ୍ରହଣ ଯୋଗକୁ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ଏକ ଶକ୍ତିଶାଳୀ ଉପକରଣ ଭାବରେ ବୃଦ୍ଧି ପାଉଥିବା ଗୁରୁତ୍ୱକୁ ପ୍ରତିଫଳିତ କରୁଛି। ଆମର ଉଦ୍ଦେଶ୍ୟ ହେଉଛି ଯୋଗକୁ ଏକ ଦିନିକିଆ କାର୍ଯ୍ୟକ୍ରମ ଭାବରେ ନୁହେଁ, ବରଂ ଏକ ଜୀବନବ୍ୟାପୀ ଅଭ୍ୟାସ ଭାବରେ ଗ୍ରହଣ କରିବାକୁ ଲୋକମାନଙ୍କୁ ପ୍ରେରିତ କରିବା ଏବଂ ‘ଯୋଗ ୩୬୫’ର ସଂକଳ୍ପକୁ ବାସ୍ତବରେ ପରିଣତ କରିବା।”
ଏହି କାର୍ଯ୍ୟକ୍ରମ ସମୟରେ ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ, କେନ୍ଦ୍ର ସଂସଦୀୟ ବ୍ୟାପାର ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଶ୍ରୀ କିରେନ ରିଜିଜୁ ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବଙ୍କ ବିଶେଷ ବାର୍ତ୍ତା ପ୍ରସାରଣ କରାଯାଇଥିଲା। ସେମାନେ ଏହି ଐତିହାସିକ ସଫଳତା ପାଇଁ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏଥିସହିତ ପ୍ରତିଷେଧକ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ସାମଗ୍ରିକ କଲ୍ୟାଣର ଏକ ପ୍ରଭାବଶାଳୀ ମାଧ୍ୟମ ଭାବେ ଯୋଗର ଗୁରୁତ୍ୱ ଉପରେ ଜୋର ଦେଇଥିଲେ ଏବଂ ନାଗରିକମାନଙ୍କୁ ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରି ‘ଯୋଗ ୩୬୫’ର ଭାବନାକୁ ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ।
ଏହି କାର୍ଯ୍ୟକ୍ରମ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ସହଯୋଗୀ ସଂଗଠନମାନଙ୍କ ସହଯୋଗରେ ମିଳିତ ଭାବରେ ଆୟୋଜନ କରାଯାଇଥିଲା। ଭାରତ ଓ ବିଶ୍ୱର ବିଭିନ୍ନ ଦେଶରୁ ଅଂଶଗ୍ରହଣକାରୀମାନେ ଆୟୁଷ ମନ୍ତ୍ରଣାଳୟର ଅଧିକୃତ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ସିଧାସଳଖ ଅଧିବେଶନରେ ଯୋଗଦେଇଥିଲେ ଏବଂ ହାବିଲ୍ଡ ଦଳର ବିଶେଷଜ୍ଞଙ୍କ ମାର୍ଗଦର୍ଶନରେ ସାମୂହିକ ଭାବେ କମନ୍ ଯୋଗ ପ୍ରୋଟୋକଲ୍ (ସିୱାଇପି)ର ଅଭ୍ୟାସ ପ୍ରଦର୍ଶନ କରିଥିଲେ।
ଏହି ସଫଳତା ସେହି ସମୟରେ ହାସଲ ହୋଇଛି, ଯେତେବେଳେ ଭାରତ “ସୁସ୍ଥ ବୟସ୍କ ଜୀବନ ପାଇଁ ଯୋଗ” ବିଷୟବସ୍ତୁକୁ ଆଧାର କରି ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୬ ପାଳନ ପାଇଁ ପ୍ରସ୍ତୁତି ଚଳାଇଛି। ଏହି ବିଷୟବସ୍ତୁ ସୁସ୍ଥ ଦୀର୍ଘାୟୁ, ଉନ୍ନତ ଜୀବନମାନ ଏବଂ ସମସ୍ତ ବୟସ ବର୍ଗର ଲୋକଙ୍କ ଶାରୀରିକ, ମାନସିକ ଓ ଭାବନାତ୍ମକ କଲ୍ୟାଣରେ ଯୋଗର ଭୂମିକାକୁ ଉଜାଗର କରୁଛି। ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୬ର ମୁଖ୍ୟ କାର୍ଯ୍ୟକ୍ରମ ଆସନ୍ତା ୨୧ ଜୁନ୍ରେ କୋଲକାତାରେ ଅନୁଷ୍ଠିତ ହେବ। ଏହି ଅବସରରେ ଯୋଗପ୍ରେମୀ, ଯୋଗ ଅଭ୍ୟାସକାରୀ ଏବଂ ବିଭିନ୍ନ ଅଂଶୀଦାରମାନେ ଏକତ୍ରିତ ହୋଇ ସ୍ୱାସ୍ଥ୍ୟ ଓ ସମନ୍ୱୟ ପାଇଁ ବିଶ୍ୱସ୍ତରୀୟ ଆନ୍ଦୋଳନକୁ ପ୍ରତିଫଳିତ କରିବେ।
ଆୟୁଷ ମନ୍ତ୍ରଣାଳୟ ସମସ୍ତ ଅଂଶଗ୍ରହଣକାରୀ, ଯୋଗ ପ୍ରତିଷ୍ଠାନ, ଶିକ୍ଷା ପ୍ରତିଷ୍ଠାନ, ସରକାରୀ ବିଭାଗ, କର୍ପୋରେଟ୍ ସଂଗଠନ, ସାମାଜିକ ଗୋଷ୍ଠୀ ଏବଂ ବିଶ୍ୱବ୍ୟାପୀ ଭାରତୀୟ ପ୍ରବାସୀ ସମୁଦାୟର ସଦସ୍ୟମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛି, ଯାହାଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ଏହି ଐତିହାସିକ ସଫଳତାକୁ ସମ୍ଭବ କରିଥିଲା।
ଦେଶ ୨୦୨୬ ମସିହାର ଅନ୍ତର୍ଜାତୀୟ ଯୋଗ ଦିବସ ଆଡକୁ ଅଗ୍ରସର ହେଉଥିବା ବେଳେ, ଆୟୁଷ ମନ୍ତ୍ରଣାଳୟ ପୁନର୍ବାର ନାଗରିକମାନଙ୍କୁ ଯୋଗକୁ ଜୀବନଶୈଳୀ ଭାବେ ଗ୍ରହଣ କରିବା ଏବଂ “ପ୍ରତି ଘରେ ଯୋଗ, ପ୍ରତି ଦିନ ଯୋଗ” ବାର୍ତ୍ତାକୁ ଆଗକୁ ନେବାକୁ ଆହ୍ୱାନ ଜଣାଇଛି।


*****
MT
(रिलीज़ आईडी: 2272744)
आगंतुक पटल : 7
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Assamese
,
Bengali
,
Gujarati
,
Tamil
,
Telugu
,
Kannada
,
Malayalam