ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଉପରେ ଲୋକସଭାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ପୋଷ୍ଟ କରାଯିବା ଦିନାଙ୍କ: 23 MAR 2026 3:47PM by PIB Bhubaneswar
  • ପଶ୍ଚିମ ଏସିଆର ପରିସ୍ଥିତି ବର୍ତ୍ତମାନ ଚିନ୍ତାଜନକ: ପ୍ରଧାନମନ୍ତ୍ରୀ
  • ଗତ ଦୁଇ-ତିନି ସପ୍ତାହରେ, ଶ୍ରୀ ଜୟଶଙ୍କର ଓ ଶ୍ରୀ ହରଦୀପ ପୁରୀ ଏହି ବିଷୟରେ ଗୃହକୁ ଆବଶ୍ୟକ ସୂଚନା ପ୍ରଦାନ କରିଛନ୍ତି: ପ୍ରଧାନମନ୍ତ୍ରୀ
  • ତିନି ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ଏହି ସଙ୍କଟ ବିଶ୍ୱ ଅର୍ଥନୀତି ଓ ଲୋକଙ୍କ ଜୀବନ ଉପରେ ଅତ୍ୟନ୍ତ ପ୍ରତିକୂଳ ପ୍ରଭାବ ପକାଉଛି, ସମଗ୍ର ବିଶ୍ୱ ଏହି ସଙ୍କଟର ତୁରନ୍ତ ସମାଧାନ ପାଇଁ ସମସ୍ତ ପକ୍ଷଙ୍କୁ ଅନୁରୋଧ କରୁଛି: ପ୍ରଧାନମନ୍ତ୍ରୀ
  • ଏହି ଅଞ୍ଚଳ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ, କାରଣ ଉପସାଗରୀୟ ଦେଶଗୁଡ଼ିକରେ ପ୍ରାୟ ଏକ କୋଟି ଭାରତୀୟ ବସବାସ କରିବା ସହିତ କାମଧନ୍ଦା କରନ୍ତି: ପ୍ରଧାନମନ୍ତ୍ରୀ
  • ଏହି ସମୁଦ୍ର ମାର୍ଗରେ ଚଳାଚଳ କରୁଥିବା ବାଣିଜ୍ୟିକ ଜାହାଜମାନଙ୍କ ମଧ୍ୟରେ ଭାରତୀୟ କ୍ରୁ ସଦସ୍ୟଙ୍କ ସଂଖ୍ୟା ମଧ୍ୟ ବହୁତ ଅଧିକ: ପ୍ରଧାନମନ୍ତ୍ରୀ
  • ଏହି ସମସ୍ତ କାରଣରୁ ଭାରତର ଚିନ୍ତା ସ୍ୱାଭାବିକ ଭାବେ ବଢ଼ିଛି, ଏହି ସଙ୍କଟ ସମୟରେ ଭାରତୀୟ ସଂସଦରୁ ଏକ ସର୍ବସମ୍ମତ ଓ ଏକତାବଦ୍ଧ ସ୍ୱର ସମଗ୍ର ବିଶ୍ୱକୁ ପହଞ୍ଚିବା ଆବଶ୍ୟକ: ପ୍ରଧାନମନ୍ତ୍ରୀ
  • ଯୁଦ୍ଧରେ ଲିପ୍ତ ଏବଂ ପ୍ରଭାବିତ ଦେଶଗୁଡ଼ିକ ସହିତ ଭାରତର ବ୍ୟାପକ ବାଣିଜ୍ୟିକ ସମ୍ପର୍କ ରହିଛି, ଯେଉଁ ଅଞ୍ଚଳରେ ଯୁଦ୍ଧ ଚାଲିଛି, ତାହା ବିଶ୍ୱର ଅନ୍ୟ ଦେଶମାନଙ୍କ ସହିତ ଆମର ବାଣିଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ ମଧ୍ୟ: ପ୍ରଧାନମନ୍ତ୍ରୀ
  • ଅଶୋଧିତ ତୈଳ, ଗ୍ୟାସ୍ ଓ ସାର ଭରି ଅତ୍ୟାବଶ୍ୟକ ସାମଗ୍ରୀ ହର୍ମୁଜ୍ ପ୍ରଣାଳୀ ଦେଇ ଭାରତକୁ ଆସୁଥିବାରୁ, ଯୁଦ୍ଧ ଆରମ୍ଭ ହେବା ପରେ, ଏହି ମାର୍ଗରେ ଜାହାଜ ଚଳାଚଳ ବହୁତ କଷ୍ଟସାଧ୍ୟ ହୋଇପଡ଼ିଛି: ପ୍ରଧାନମନ୍ତ୍ରୀ
  • ଏହା ସତ୍ତ୍ୱେ, ଆମ ସରକାର ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଯୋଗାଣ ଉପରେ ଅଧିକ ପ୍ରଭାବ ପଡ଼ିବାକୁ ଦେଉନାହିଁ ଏବଂ ଦେଶର ସାଧାରଣ ପରିବାରଗୁଡ଼ିକୁ ସବୁଠାରୁ କମ୍‌ ଅସୁବିଧାର ସମ୍ମୁଖୀନ ହେବା ପାଇଁ ଚେଷ୍ଟା କରୁଛି, ଏହା ଆମର ପ୍ରଧାନ ଲକ୍ଷ୍ୟ: ପ୍ରଧାନମନ୍ତ୍ରୀ
  • ମାନବତାର ହିତରେ ଭାରତ ସର୍ବଦା ଶାନ୍ତି ପକ୍ଷରେ ଠିଆ ହୋଇଛି, ଆଲୋଚନା ଓ କୂଟନୀତି ହେଉଛି ଏହି ସମସ୍ୟାର ଏକମାତ୍ର ସମାଧାନ: ପ୍ରଧାନମନ୍ତ୍ରୀ
  • ଉତ୍ତେଜନା ହ୍ରାସ କରିବା ଏବଂ ଏହି ସଂଘର୍ଷର ଅନ୍ତ କରିବା ଆମର ଲକ୍ଷ୍ୟ: ପ୍ରଧାନମନ୍ତ୍ରୀ
  • ଏହି ଯୁଦ୍ଧରେ କାହାର ଜୀବନକୁ ବିପଦରେ ପକାଇବା ମାନବତା ସ୍ୱାର୍ଥରେ ନୁହେଁ, ଭାରତର ପ୍ରୟାସ ହେଉଛି ସମସ୍ତ ପକ୍ଷଙ୍କୁ ଯଥାଶୀଘ୍ର ଏକ ଶାନ୍ତିପୂର୍ଣ୍ଣ ସମାଧାନରେ ପହଞ୍ଚିବା ପାଇଁ ଉତ୍ସାହିତ କରିବା: ପ୍ରଧାନମନ୍ତ୍ରୀ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଏହା ଭାରତ ପାଇଁ ସୃଷ୍ଟି କରିଥିବା ବ୍ୟାପକ ଚ୍ୟାଲେଞ୍ଜ ଉପରେ ଉଦ୍‌ବୋଧନ ଦେଇଛନ୍ତି। ଏହି ସଙ୍କଟ ବର୍ତ୍ତମାନ ତିନି ସପ୍ତାହରୁ ଅଧିକ ସମୟ ଧରି ଜାରି ରହିଛି ଏବଂ ବିଶ୍ୱ ଅର୍ଥନୀତି ଓ ମାନବ ଜୀବନ ପାଇଁ ଏହାର ଗଭୀର ପ୍ରତିକୂଳ ପରିଣାମ ଦେଖାଦେଇଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସମାଧାନର ଗୁରୁତ୍ୱ ​​ଉପରେ ଆଲୋକପାତ କରିଛନ୍ତି। ପରିସ୍ଥିତିର ଗମ୍ଭୀରତାକୁ ଆଲୋକପାତ କରି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି, "ସମଗ୍ର ବିଶ୍ୱ ଏହି ସଙ୍କଟର ଯଥାଶୀଘ୍ର ସମାଧାନ ପାଇଁ ସମସ୍ତ ପକ୍ଷଙ୍କୁ ଅନୁରୋଧ କରୁଛି।"

 

ଭାରତ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ବିଷୟରେ କଥାହେବା ସମୟରେ ପ୍ରଧାନମନ୍ତ୍ରୀ ସୂଚାଇଛନ୍ତି ଯେ, ଏହି ଯୁଦ୍ଧ ଅର୍ଥନୈତିକ, ଜାତୀୟ ସୁରକ୍ଷା ଏବଂ ମାନବିକ କ୍ଷେତ୍ରରେ ଅଭୂତପୂର୍ବ ଚାପ ସୃଷ୍ଟି କରିଛି। ସେ ଉଲ୍ଲେଖ କରିଛନ୍ତି ଯେ, ଯୁଦ୍ଧରେ ଲିପ୍ତ ଓ ପ୍ରଭାବିତ ଦେଶଗୁଡ଼ିକ ସହିତ ଭାରତର ବ୍ୟାପକ ବାଣିଜ୍ୟିକ ସମ୍ପର୍କ ରହିଛି ଏବଂ ଏହି ଅଞ୍ଚଳ ଆମର ବ୍ୟାପାର ପାଇଁ ମୁଖ୍ୟ ମାର୍ଗ ଅଟେ। ଭାରତର ଅଶୋଧିତ ତୈଳ ଏବଂ ଗ୍ୟାସ ଆବଶ୍ୟକତାର ଏକ ବଡ଼ ଅଂଶ ଏହି କ୍ଷେତ୍ର ଦ୍ୱାରା ପୂରଣ ହୁଏ। ଉପସାଗରୀୟ ଦେଶଗୁଡ଼ିକରେ ବସବାସ କରୁଥିବା ଓ କାମ କରୁଥିବା ପ୍ରାୟ ଏକ କୋଟି ଭାରତୀୟ ତଥା ସେହି ଜଳଭାଗରେ ବାଣିଜ୍ୟିକ ଜାହାଜରେ ଥିବା ବଡ଼ ସଂଖ୍ୟକ ଭାରତୀୟ କ୍ରୁ ସଦସ୍ୟଙ୍କ ପ୍ରତି ଦୃଷ୍ଟି ଆକର୍ଷଣ କରି ପ୍ରଧାନମନ୍ତ୍ରୀ ଦୃଢ଼ତାର ସହିତ କହିଛନ୍ତି ଯେ, “ଭାରତର ଚିନ୍ତା ସ୍ୱାଭାବିକ ଭାବେ ଅଧିକ, ଏହିପରି ସମୟରେ ଭାରତୀୟ ସଂସଦରୁ ଏକ ସର୍ବସମ୍ମତ ଓ ଏକତାବଦ୍ଧ ସ୍ୱର ସମଗ୍ର ବିଶ୍ୱରେ ପହଞ୍ଚିବା ଆବଶ୍ୟକ।

 

ଭାରତୀୟ ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ତ୍ୱରିତ ପ୍ରତିକ୍ରିୟାର ରୂପରେଖ ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଗୃହକୁ ଜଣାଇଥିଲେ ଯେ, ଯୁଦ୍ଧ ଆରମ୍ଭ ହେବା ପରଠାରୁ ପ୍ରଭାବିତ ଦେଶଗୁଡ଼ିକରେ ପ୍ରତ୍ୟେକ ଭାରତୀୟଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଛି। ଅଧିକାଂଶ ପଶ୍ଚିମ ଏସୀୟ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହିତ ସେ ବ୍ୟକ୍ତିଗତ ଭାବରେ ଦୁଇ ପର୍ଯ୍ୟାୟରେ କଥା ହୋଇଛନ୍ତି, ଯେଉଁମାନେ ସମସ୍ତେ ଭାରତୀୟମାନଙ୍କ ସୁରକ୍ଷା ସମ୍ପର୍କରେ ପୂର୍ଣ୍ଣ ପ୍ରତିଶ୍ରୁତି ଦେଇଛନ୍ତି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି ଯେ, "ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କୁ ଉତ୍ତମ ଚିକିତ୍ସା ସେବା ସୁନିଶ୍ଚିତ କରାଯାଉଛି ଏବଂ ଏପରି କଠିନ ପରିସ୍ଥିତିରେ, ଶୋକସନ୍ତପ୍ତ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି।"

 

ପ୍ରଧାନମନ୍ତ୍ରୀ ବିଦେଶରେ ଭାରତୀୟମାନଙ୍କ ପାଇଁ ସକ୍ରିୟ କନସୁଲାର ଏବଂ ସାଂଗଠନିକ ସହାୟତା ଢାଞ୍ଚା ବିଷୟରେ ଆହୁରି ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତିସେ ଉଲ୍ଲେଖ କରିଛନ୍ତି ଯେ, ପ୍ରଭାବିତ ଦେଶଗୁଡ଼ିକରେ ଥିବା ସମସ୍ତ ଭାରତୀୟ ମିଶନଗୁଡ଼ିକ ନିରନ୍ତର ସାହାଯ୍ୟ ପ୍ରଦାନ କରୁଛନ୍ତି, ନିୟମିତ ପରାମର୍ଶ ଜାରି କରୁଛନ୍ତି ଏବଂ ଭାରତ ଓ ଅନ୍ୟାନ୍ୟ ପ୍ରଭାବିତ ଦେଶଗୁଡ଼ିକରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଓ ଆପାତକାଳୀନ ହେଲ୍ପଲାଇନ୍ ପ୍ରତିଷ୍ଠା କରାଯାଇଛି। ସକ୍ରିୟ ପ୍ରସାରକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଏହି ବ୍ୟବସ୍ଥା ମାଧ୍ୟମରେ, ଭାରତୀୟ ଶ୍ରମିକ ହୁଅନ୍ତୁ କିମ୍ବା ପର୍ଯ୍ୟଟକ ସମସ୍ତ ଲୋକଙ୍କୁ ତୁରନ୍ତ ସୂଚନା ପ୍ରଦାନ କରାଯାଉଛି।"

 

ନିରାପତ୍ତା ପ୍ରୟାସର ରୂପରେଖ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି ଯେ, ଯୁଦ୍ଧ ଆରମ୍ଭ ହେବା ପରଠାରୁ ୩,୭୫,୦୦୦ ରୁ ଅଧିକ ଭାରତୀୟ ସୁରକ୍ଷିତ ଭାବରେ ଭାରତ ଫେରିଛନ୍ତି ଏମାନଙ୍କ ମଧ୍ୟରେ କେବଳ ଇରାନରୁ ପ୍ରାୟ ୧,୦୦୦ ଭାରତୀୟ ସାମିଲ ଅଛନ୍ତି, ଯେଉଁଥିରେ ୭୦୦ ରୁ ଅଧିକ ଯୁବ ଡାକ୍ତରୀ ଛାତ୍ର ଅଛନ୍ତିପ୍ରଧାନମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଉପସାଗରୀୟ ଦେଶଗୁଡ଼ିକରେ ଥିବା ଭାରତୀୟ ସ୍କୁଲଗୁଡ଼ିକରେ ନିର୍ଦ୍ଧାରିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସିବିଏସ୍‌ଇ ବାତିଲ କରିଛି ଏବଂ ଶିକ୍ଷାର ନିରନ୍ତରତା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେଉଛି ସରକାରଙ୍କ ଆଭିମୁଖ୍ୟକୁ ସଂକ୍ଷେପ କରି ଶ୍ରୀ ମୋଦୀ ଦୃଢ଼ ଭାବରେ କହିଛନ୍ତି, "ସରକାର ସମ୍ବେଦନଶୀଳ, ସଜାଗ ଏବଂ ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ।"

 

ଶକ୍ତି ଯୋଗାଣ ବିଷୟରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ, ହର୍ମୁଜ୍ ପ୍ରଣାଳୀ ଦେଇ ଭାରତରେ ବହୁ ପରିମାଣରେ ଅଶୋଧିତ ତୈଳ, ଗ୍ୟାସ୍, ସାର ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚୁଛି ଏବଂ ଯୁଦ୍ଧ ପରଠାରୁ ଏହି ପ୍ରଣାଳୀ ଦେଇ ପରିବହନ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ହୋଇଯାଇଛି। ସାଧାରଣ ପରିବାରକୁ କଷ୍ଟରୁ ରକ୍ଷା କରିବା ଉପରେ ସରକାରଙ୍କ ଧ୍ୟାନ କେନ୍ଦ୍ରିତ ଅଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏଥିସହିତ ଏଲପିଜିର ଘରୋଇ ବ୍ୟବହାରକୁ ପ୍ରାଥମିକତା ଦେବା ଏବଂ ଏହାର ଘରୋଇ ଉତ୍ପାଦନ ବୃଦ୍ଧି କରିବା ଭଳି ପଦକ୍ଷେପଗୁଡ଼ିକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି, "ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ଯୋଗାଣ ସୁଗମ ଭାବରେ ଜାରି ରଖିବା ପାଇଁ ନିରନ୍ତର କାର୍ଯ୍ୟ କରାଯାଉଛି।"

 

ଗତ ଦଶନ୍ଧି ଧରି ଗ୍ରହଣ କରାଯାଇଥିବା ଶକ୍ତି ବିବିଧତା ରଣନୀତି ବର୍ତ୍ତମାନର ସଙ୍କଟରେ ଏହାର ମୂଲ୍ୟ ପ୍ରମାଣିତ କରିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କହିଛନ୍ତି। ସେ ଗୃହକୁ ସୂଚନା ଦେଇ କହିଛନ୍ତି ଯେ, ଭାରତ ଗତ ୧୧ ବର୍ଷ ମଧ୍ୟରେ ୨୭ଟି ଦେଶରୁ ୪୧ଟି ଦେଶକୁ ଶକ୍ତି ଆମଦାନୀ ଉତ୍ସକୁ ବିସ୍ତାର କରିଛି, ଯାହା ଦ୍ୱାରା କୌଣସି ଏକ କ୍ଷେତ୍ର ଉପରେ ନିର୍ଭରଶୀଳତା ହ୍ରାସ ପାଇଛି। ଏହି ଆଭିମୁଖ୍ୟର ଦୂରଦୃଷ୍ଟି ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଛନ୍ତି, "ଆଜିର ପରିସ୍ଥିତିରେ, ଶକ୍ତି ସୁରକ୍ଷା ସମ୍ପର୍କରେ ଗତ ଦଶନ୍ଧିରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଆହୁରି ପ୍ରାସଙ୍ଗିକ ହୋଇଯାଇଛି।"

 

ରଣନୈତିକ ଭଣ୍ଡାର ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଭାରତ ଏହି ସଙ୍କଟକାଳୀନ ସମୟରେ ଅଶୋଧିତ ତୈଳ ଗଚ୍ଛିତ କରିବା ଉପରେ ପ୍ରାଥମିକତା ଦେଇଛି। ସେ ଗୃହକୁ ସୂଚନା ଦେଇଛନ୍ତି ଯେ, ଆଜି ଭାରତରେ ୫୩ ଲକ୍ଷ ମେଟ୍ରିକ୍ ଟନ୍ ରୁ ଅଧିକ ରଣନୈତିକ ପେଟ୍ରୋଲିୟମ୍ ଭଣ୍ଡାର ଅଛି, ତୈଳ କମ୍ପାନୀଗୁଡ଼ିକ ଦ୍ୱାରା ସଂରକ୍ଷିତ ପୃଥକ ଭଣ୍ଡାର ବ୍ୟତୀତ ୬୫ ଲକ୍ଷ ମେଟ୍ରିକ୍ ଟନ୍ ରୁ ଅଧିକ ଭଣ୍ଡାର ନିର୍ମାଣ ପାଇଁ କାର୍ଯ୍ୟ ଚାଲିଛି। ଭାରତର ବିଶୋଧନ ଇକୋସିଷ୍ଟମର ସାମଗ୍ରିକ ଉନ୍ନତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ଦୃଢ଼ ଭାବରେ କହିଛନ୍ତି ଯେ, "ଗତ ୧୧ ବର୍ଷ ମଧ୍ୟରେ, ଆମର ବିଶୋଧନ କ୍ଷମତାରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ହୋଇଛି।"

 

ପ୍ରଧାନମନ୍ତ୍ରୀ ବିଶ୍ୱବ୍ୟାପୀ ଯୋଗାଣକାରୀଙ୍କ ସହିତ ସରକାରଙ୍କ ସକ୍ରିୟ ସମ୍ପର୍କ ଏବଂ ଭାରତକୁ ତେଲ, ଗ୍ୟାସ, ସାର ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଜାହାଜଗୁଡ଼ିକର ସୁରକ୍ଷିତ ପଥ ସୁନିଶ୍ଚିତ କରିବା ପାଇଁ ଉପସାଗରୀୟ ପରିବହନ ମାର୍ଗଗୁଡ଼ିକର ସତର୍କ ନଜର ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତିସାମୁଦ୍ରିକ କରିଡରଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ବିଶ୍ୱ ଅଂଶୀଦାରଙ୍କ ସହିତ ନିରନ୍ତର ଆଲୋଚନାକୁ ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି, "ଏହିପରି ପ୍ରୟାସ ଯୋଗୁଁ, ହର୍ମୁଜ୍ ପ୍ରଣାଳୀରେ ଫସି ରହିଥିବା ଆମର ଅନେକ ଜାହାଜ ମଧ୍ୟ ସାମ୍ପ୍ରତିକ ଦିନରେ ଭାରତରେ ପହଞ୍ଚିଛି।"

 

ଭାରତର ଘରୋଇ ଶକ୍ତି ପରିବର୍ତ୍ତନ ଦିଗ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଇଥାନଲ ମିଶ୍ରଣରେ ଅସାଧାରଣ ପ୍ରଗତି ଉପରେ ଆଲୋକପାତ କରିଛନ୍ତି। ଯାହା ଦଶ ବର୍ଷ ପୂର୍ବେ ମାତ୍ର ୧-୧.୫ ପ୍ରତିଶତ ଥିଲା ଏବଂ ଆଜି ପ୍ରାୟ ୨୦ ପ୍ରତିଶତ ହୋଇଛି ଏବଂ ଏହା ପ୍ରତିବର୍ଷ ପ୍ରାୟ ସାଢେ ଚାରି କୋଟି ବ୍ୟାରେଲ ତେଲ ଆମଦାନୀ ହ୍ରାସ କରିଛି। ସେ ଆହୁରି ରେଳବାଇର ବିଦ୍ୟୁତୀକରଣ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ରେଳବାଇର ବିଦ୍ୟୁତୀକରଣ ଫଳେର ବାର୍ଷିକ ପ୍ରାୟ ୧୮୦ କୋଟି ଲିଟର ଡିଜେଲ ସଞ୍ଚୟ ହେଉଛି। ୨୦୧୪ ମସିହାରେ ୨୫୦ କିଲୋମିଟରରୁ କମ୍‌ ଥିବା ମେଟ୍ରୋ ନେଟୱର୍କ ଆଜି ପ୍ରାୟ ୧,୧୦୦ କିଲୋମିଟରକୁ ବିସ୍ତାରିତ ହୋଇଛି ଏବଂ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ୧୫,୦୦୦ ଇଲେକ୍ଟ୍ରିକ୍‌ ବସ୍‌ ପ୍ରଦାନ କରିଛନ୍ତି। ଭାରତର ଶକ୍ତି ଭବିଷ୍ୟତ ଉପରେ ଆତ୍ମବିଶ୍ୱାସ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ମୋଦୀ ଦୃଢ଼ ଭାବରେ କହିଛନ୍ତି,"ଆଜି ବିକଳ୍ପ ଇନ୍ଧନ ଉପରେ ଯେଉଁ ସ୍ତରରେ କାମ କରାଯାଉଛି ତାହା ଭାରତର ଭବିଷ୍ୟତକୁ ଆହୁରି ସୁରକ୍ଷିତ କରିବ।"

 

ବ୍ୟାପକ ଅର୍ଥନୈତିକ ପ୍ରଭାବକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ, ଶକ୍ତି ହେଉଛି ଆଧୁନିକ ଅର୍ଥନୀତିର ମେରୁଦଣ୍ଡ ଏବଂ ପଶ୍ଚିମ ଏସିଆ ବିଶ୍ୱ ଶକ୍ତି ଆବଶ୍ୟକତା ପାଇଁ ଏକ ପ୍ରମୁଖ ଉତ୍ସ ବର୍ତ୍ତମାନର ସଙ୍କଟ ସମସ୍ତ ବିଶ୍ୱର ଅର୍ଥନୀତି ପାଇଁ ଏକ ଚ୍ୟାଲେଞ୍ଜ ହୋଇଉଠିଛି। ସେ ଗୃହକୁ ସୂଚନା ଦେଇଛନ୍ତି ଯେ, ସରକାର ଏକ ସ୍ୱଳ୍ପକାଳୀନ, ମଧ୍ୟମକାଳୀନ ଏବଂ ଦୀର୍ଘକାଳୀନ ବ୍ୟାପକ ରଣନୀତି ଉପରେ କାର୍ଯ୍ୟ କରୁଛନ୍ତି ଏହା ଶକ୍ତିଶାଳୀ ଆର୍ଥିକ ଭିତ୍ତି,, କ୍ଷେତ୍ର-ନିର୍ଦ୍ଦିଷ୍ଟ ହିତାଧିକାରୀଙ୍କ ସହ ଆଲୋଚନା ଓ ଏକ ନିର୍ଦ୍ଦିଷ୍ଟ ଆନ୍ତଃମନ୍ତ୍ରାଳୟ ଗୋଷ୍ଠୀ ଦ୍ୱାରା ସମର୍ଥିତ, ଯେଉଁ ଦଳ ପ୍ରତିଦିନ ବୈଠକ କରି ଭାରତର ଆମଦାନୀ-ରପ୍ତାନୀ ଶୃଙ୍ଖଳରେ ଥିବା ପ୍ରତ୍ୟେକ ଅସୁବିଧାର ମୂଲ୍ୟାଙ୍କନ ଓ ସମାଧାନ କରୁଛି।

 

ଆଶା ପ୍ରକାଶ କରି, ଶ୍ରୀ ମୋଦୀ ଦୃଢ଼ ଭାବରେ କହିଛନ୍ତି, "ମୁଁ ସମ୍ପୂର୍ଣ୍ଣ ବିଶ୍ୱାସ ଯେ, ସରକାର ଓ ଶିଳ୍ପର ମିଳିତ ପ୍ରୟାସ ମାଧ୍ୟମରେ, ଆମେ ଏହି ପରିସ୍ଥିତିକୁ ପ୍ରଭାବଶାଳୀ ଭାବରେ ମୁକାବିଲା କରିପାରିବୁ।"

 

କୃଷି ଉପରେ ଯୁଦ୍ଧର ପ୍ରଭାବ ବିଷୟରେ ପ୍ରଧାନମନ୍ତ୍ରୀ ଗୃହକୁ ଆଶ୍ୱାସନା ଦେଇ କହିଛନ୍ତି ଯେ, ଭାରତର ଚାଷୀମାନେ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ମହଜୁଦ ରଖିଛନ୍ତି ଏବଂ ସରକାର ଉପଯୁକ୍ତ ଖରିଫ ଚାଷକୁ ସୁବିଧାଜନକ କରିବା ପାଇଁ କାର୍ଯ୍ୟ କରୁଛନ୍ତି ସେହିପରି, ଗତ କିଛି ବର୍ଷ ଧରି ଦୃଢ଼ ଜରୁରିକାଳୀନ ଖାଦ୍ୟ ବ୍ୟବସ୍ଥା ମଧ୍ୟ କରିଛନ୍ତି। ସେ ମନେ ପକାଇଛନ୍ତି ଯେ, କୋଭିଡ-୧୯ ମହାମାରୀ ଓ ବିଶ୍ୱ ଯୋଗାଣ ଶୃଙ୍ଖଳ ବାଧା ସମୟରେ, ଯେତେବେଳେ ଅନ୍ତର୍ଜାତୀୟ ବଜାରରେ ୟୁରିଆ ମୂଲ୍ୟ ପ୍ରତି ବ୍ୟାଗ ୩,୦୦୦ଟଙ୍କାକୁ ବୃଦ୍ଧି ପାଇଥିଲା, ସରକାର କିପରି ଭାରତୀୟ ଚାଷୀମାନଙ୍କୁ ୩୦୦ ଟଙ୍କାରୁ କମ୍ ମୂଲ୍ୟରେ ପ୍ରତି ବ୍ୟାଗ ପାଇବା ସୁନିଶ୍ଚିତ କରିଥିଲେ  ଶ୍ରୀ ମୋଦୀ କହିଛନ୍ତି, "ଅତୀତରେ ମଧ୍ୟ, ଆମ ସରକାର ବିଶ୍ୱ ସଙ୍କଟର ବୋଝ ଚାଷୀଙ୍କ ଉପରେ ପଡ଼ିବାକୁ ଦେଇ ନାହିଁ"

 

ଭାରତୀୟ କୃଷିକୁ ବାହ୍ୟ ଆଘାତରୁ ରକ୍ଷା କରିବା ପାଇଁ ନିଆଯାଇଥିବା ସାଂରଚନିକ ପଦକ୍ଷେପ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଗତ ଦଶନ୍ଧିରେ ଛଅଟି ନୂତନ ୟୁରିଆ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି, ଯାହା ଦ୍ୱାରା ବାର୍ଷିକ ୭୬ ଲକ୍ଷ ମେଟ୍ରିକ୍ ଟନ୍ ରୁ ଅଧିକ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଛି ସେ ଆହୁରି କହିଛନ୍ତି ଯେ,  ଦେଶୀୟ ଭାବେ ଏନ୍‌ପିକେଏସ୍‌ ସାରର ଘରୋଇ ଉତ୍ପାଦନ ପ୍ରାୟ ୫୦ ଲକ୍ଷ ମେଟ୍ରିକ୍ ଟନ୍ ବୃଦ୍ଧି କରାଯାଇଛି ଏବଂ ସାର ଆମଦାନୀ ଉତ୍ସଗୁଡ଼ିକୁ ବହୁବିଧ କରାଯାଇଛି। ଏହି ପ୍ରୟାସର ବ୍ୟାପକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଯେପରି ଆମେ ତେଲ ଓ ଗ୍ୟାସ ଆମଦାନୀକୁ ବିବିଧ କରିଛୁ, ସେହିପରି ଆମେ ଡିଏପି ଓ ଏନ୍‌ପିକେଏସ୍‌ ଆମଦାନୀ ପାଇଁ ଆମର ବିକଳ୍ପଗୁଡ଼ିକୁ ମଧ୍ୟ ବିସ୍ତାର କରିଛୁ।"

 

ପ୍ରଧାନମନ୍ତ୍ରୀ ଡିଜେଲ ଉପରେ ଚାଷୀଙ୍କ ନିର୍ଭରଶୀଳତା ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ-କୁସୁମ ଯୋଜନା ଅଧୀନରେ ମେଡ-ଇନ-ଇଣ୍ଡିଆ ନାନୋ ୟୁରିଆ, ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଏବଂ ୨୨ ଲକ୍ଷରୁ ଅଧିକ ସୌର ପମ୍ପ ବଣ୍ଟନ ଭଳି ନବସୃଜନ ମାଧ୍ୟମରେ ଚାଷୀମାନଙ୍କୁ ସଶକ୍ତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଛନ୍ତି

ଯୁଦ୍ଧ ମଧ୍ୟରେ ଗ୍ରୀଷ୍ମକାଳୀନ ବିଦ୍ୟୁତ ଚାହିଦା ବୃଦ୍ଧିର ଚ୍ୟାଲେଞ୍ଜକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି ଯେ, ଦେଶର ସମସ୍ତ ବିଦ୍ୟୁତ୍ ପ୍ଲାଣ୍ଟରେ ପର୍ଯ୍ୟାପ୍ତ କୋଇଲା ଷ୍ଟକ୍ ଉପଲବ୍ଧ ଏବଂ ଭାରତ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ୧୦୦ କୋଟି ଟନ୍ କୋଇଲା ଉତ୍ପାଦନ କରିବାର ରେକର୍ଡ ସ୍ଥାପନ କରିଛି। ସେ ଦର୍ଶାଇଛନ୍ତି ଯେ, ବିଦ୍ୟୁତ୍ ଉତ୍ପାଦନ ଠାରୁ ବିଦ୍ୟୁତ୍ ଯୋଗାଣ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ନିରନ୍ତର ତଦାରଖ କରାଯାଉଛିଏବଂ ଗତ ଦଶନ୍ଧି ମଧ୍ୟରେ ନବୀକରଣୀୟ ଶକ୍ତି କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନକାରୀ ପଦକ୍ଷେପ ଦ୍ୱାରା ସରକାରଙ୍କ ପ୍ରସ୍ତୁତିକୁ ଯଥେଷ୍ଟ ବୃଦ୍ଧି କରାଯାଇଛି ଭାରତର ମୋଟ ସ୍ଥାପିତ ବିଦ୍ୟୁତ୍ ଉତ୍ପାଦନ କ୍ଷମତାର ଅଧା ଏବେ ନବୀକରଣୀୟ ଉତ୍ସରୁ ଆସୁଛି ଏବଂ ଦେଶର ମୋଟ ନବୀକରଣୀୟ କ୍ଷମତା ୨୫୦ ଗିଗାୱାଟର ଐତିହାସିକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଗତ ୧୧ ବର୍ଷ ମଧ୍ୟରେ କେବଳ ସୌରଶକ୍ତି କ୍ଷମତା ପ୍ରାୟ ୩ ଗିଗାୱାଟରୁ ୧୪୦ ଗିଗାୱାଟକୁ ବୃଦ୍ଧି ପାଇଛ ପ୍ରାୟ ୪୦ ଲକ୍ଷ ଛାତ ଉପରେ ସୌର ସ୍ଥାପନା କରାଯାଇଛି ଗୋବର୍ଦ୍ଧନ ଯୋଜନା ଅଧୀନରେ ୨୦୦ଟି ସଙ୍କୁଚିତ ବାୟୋଗ୍ୟାସ୍ ପ୍ଲାଣ୍ଟ ବର୍ତ୍ତମାନ କାର୍ଯ୍ୟକ୍ଷମ ହୋଇଛି, ଏବଂ ନୂତନ ଭାବରେ ଅନୁମୋଦିତ କ୍ଷୁଦ୍ର ଜଳବିଦ୍ୟୁତ ବିକାଶ ଯୋଜନା ସହିତ ପରମାଣୁ ଶକ୍ତି ଉତ୍ପାଦନକୁ ପ୍ରୋତ୍ସାହିତ କରାଯାଉଛି ଏହା ଆଗାମୀ କିଛି ବର୍ଷ ମଧ୍ୟରେ ୧୫୦୦ ମେଗାୱାଟ କ୍ଷମତା ବୃଦ୍ଧି କରିବ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି, "ଏହି ସମସ୍ତ ପ୍ରୟାସ ଆଜି ଦେଶକୁ ବହୁତ ସେବା ଯୋଗାଉଛି, ଏବଂ ଏହା ଭାରତର ଶକ୍ତି ଭବିଷ୍ୟତକୁ ଆହୁରି ସୁରକ୍ଷିତ କରିବ।"

 

ପଶ୍ଚିମ ଏସିଆ ସଂଘର୍ଷ ପ୍ରତି ଭାରତର କୂଟନୈତିକ ପ୍ରତିକ୍ରିୟା ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର ମତ ଆରମ୍ଭରୁ ଏକଦମ ସ୍ପଷ୍ଟ ରହିଛି, ଗଭୀର ଚିନ୍ତା ପ୍ରକାଶ କରିବା, ଉତ୍ତେଜନା ହ୍ରାସ କରିବା ଏବଂ ସାଧାରଣ ନାଗରିକ ଓ ଶକ୍ତି ତଥା ପରିବହନ ଭିତ୍ତିଭୂମି ଉପରେ ଆକ୍ରମଣକୁ ବିରୋଧ କରିବା। ସେ ସମସ୍ତ ପ୍ରାସଙ୍ଗିକ ପଶ୍ଚିମ ଏସୀୟ ନେତାଙ୍କ ସହ ଯୋଗାଯୋଗ କରିଛନ୍ତି ଏବଂ ସେମାନଙ୍କୁ ଉତ୍ତେଜନା ହ୍ରାସ କରିବା ଓ ସଂଘର୍ଷ ସମାପ୍ତ କରିବାକୁ ଅନୁରୋଧ କରିଛନ୍ତି ବୋଲି ଗୃହକୁ ସୂଚନା ଦେଇଛନ୍ତି। ଏଥିସହିତ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ଓ ହର୍ମୁଜ୍ ପ୍ରଣାଳୀ ଭଳି ଅନ୍ତର୍ଜାତୀୟ ଜଳପଥରେ ବାଧା ସୃଷ୍ଟି କରିବା ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ଦୃଢ଼ ଭାବରେ କହିଛନ୍ତି, "ଯୁଦ୍ଧ ପରିବେଶ ମଧ୍ୟରେ ମଧ୍ୟ ଭାରତ କୂଟନୀତି ମାଧ୍ୟମରେ ଭାରତୀୟ ଜାହାଜଗୁଡ଼ିକର ନିରାପଦ ପଥ ପାଇଁ ନିରନ୍ତର ପ୍ରୟାସ କରୁଛି।"

 

ମାନବତା ଓ ଶାନ୍ତି ପ୍ରତି ଭାରତର ଅତୁଟ ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଆଲୋଚନା ଓ କୂଟନୀତି ସମାଧାନର ଏକମାତ୍ର ପଥ। ଭାରତର ପ୍ରତ୍ୟେକ ପ୍ରୟାସ ଉତ୍ତେଜନା ହ୍ରାସ ଏବଂ ସଂଘର୍ଷ ଶେଷ କରିବା ପାଇଁ ନିର୍ଦ୍ଦେଶିତ ଏବଂ ଏହି ଯୁଦ୍ଧରେ ଯେକୌଣସି ଜୀବନକୁ ବିପଦରେ ପକାଇବା ମାନବତାର ସ୍ୱାର୍ଥର ବିରୋଧୀ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି, "ସମସ୍ତ ପକ୍ଷ ଯଥାଶୀଘ୍ର ଶାନ୍ତିପୂର୍ଣ୍ଣ ସମାଧାନରେ ପହଞ୍ଚନ୍ତୁ ବୋଲି ଭାରତ ଉତ୍ସାହିତ କରୁଛି।"

 

ପ୍ରଧାନମନ୍ତ୍ରୀ ସଦନର ଦୃଷ୍ଟି ଆକର୍ଷଣ କରି ଚେତାବନୀ ଦେଇଛନ୍ତି ଯେ, କେତେକ ଏପରି ପରିସ୍ଥିତିର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି। ସମସ୍ତ ଆଇନ ଶୃଙ୍ଖଳା ଏଜେନ୍ସିଗୁଡ଼ିକୁ ସତର୍କ ରଖାଯାଇଛି ଏବଂ ସମସ୍ତ କ୍ଷେତ୍ରରେ ସୁରକ୍ଷା, ଉପକୂଳ, ସୀମା, ସାଇବର ଏବଂ ରଣନୈତିକ ପ୍ରତିଷ୍ଠାନକୁ ଆହୁରି ମଜଭୁତ କରାଯାଉଛି ବୋଲି ଗୃହକୁ ସୂଚନା ଦେଇ ପ୍ରଧାନମନ୍ତ୍ରୀ ମୋଦୀ ସତର୍କ କରାଇ ଦେଇଛନ୍ତି, "ଏହା ଉପକୂଳ ସୁରକ୍ଷା, ସୀମା ସୁରକ୍ଷା, ସାଇବର ସୁରକ୍ଷା କିମ୍ବା ରଣନୈତିକ ପ୍ରତିଷ୍ଠାନ ହେଉ, ସମସ୍ତଙ୍କ ସୁରକ୍ଷାକୁ ସୁଦୃଢ଼ ​​କରାଯାଉଛି।"

 

ତାଙ୍କ ଅଭିଭାଷଣର ଶେଷରେ ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ, ଏହି ଯୁଦ୍ଧ ଯୋଗୁଁ ସୃଷ୍ଟି ହୋଇଥିବା କଷ୍ଟକର ବିଶ୍ୱ ପରିସ୍ଥିତି ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ରହିବ ଦେଶ ଯେପରି କୋଭିଡ୍‌-୧୯ ମହାମାରୀ ସମୟରେ ଏକତା ଦେଖାଇଥିଲା ସେହିପରି ପ୍ରସ୍ତୁତ ଓ ଏକତ୍ରିତ ରହିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଧୈର୍ଯ୍ୟ, ସଂଯମ ଏବଂ ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରି କହିଛନ୍ତି। ମିଥ୍ୟା ପ୍ରଚାର, କଳାବଜାରୀ କିମ୍ବା ମହଜୁଦ କରି ପରିସ୍ଥିତିର ଫାଇଦା ଉଠାଇବାକୁ ଚାହୁଁଥିବା ଲୋକଙ୍କ ବିରୁଦ୍ଧରେ ସତର୍କ କରାଇ ଶ୍ରୀ ମୋଦୀ ଗୃହ ମାଧ୍ୟମରେ ସମସ୍ତ ରାଜ୍ୟ ସରକାରଙ୍କୁ ଏପରି ଲୋକଙ୍କ ବିରୁଦ୍ଧରେ କଠୋର ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତିରାଷ୍ଟ୍ରର ସାମୂହିକ ସଂକଳ୍ପରେ ତାଙ୍କର ଦୃଢ଼ ବିଶ୍ୱାସ ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦୀ ଦୃଢ଼ ଭାବରେ କହିଛନ୍ତି, "ଯେତେବେଳେ ପ୍ରତ୍ୟେକ ସରକାର ଏବଂ ଏହି ଦେଶର ପ୍ରତ୍ୟେକ ନାଗରିକ ଏକାଠି ଚାଲିବେ, ସେତେବେଳେ ଆମେ ପ୍ରତ୍ୟେକ ସମସ୍ୟାର ମୁକାବିଲା କରିପାରିବା, ଏହା ଆମର ପରିଚୟ ଏବଂ ଏହା ଆମର ଶକ୍ତି।"

*****

MT

 


(ରିଲିଜ ଆଡି: 2255096) ପରିଦର୍ଶକ କାଉଣ୍ଟର : 12