ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଦିଲ୍ଲୀ-ଡେରାଡୁନ ଅର୍ଥନୈତିକ କରିଡର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ପୋଷ୍ଟ କରାଯିବା ଦିନାଙ୍କ:
14 APR 2026 4:23PM by PIB Bhubaneswar
ଭାରତ ମାତା କି ଜୟ |
ଭାରତ ମାତା କି ଜୟ |
ଭାରତ ମାତା କି ଜୟ |
ଉତ୍ତରାଖଣ୍ଡ ରାଜ୍ୟପାଳ ଗୁରମୀତ ସିଂହ ଜୀ, ଏହି ସ୍ଥାନର ଲୋକପ୍ରିୟ ଏବଂ ପରିଶ୍ରମୀ ଯୁବ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି , କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ନୀତିନ ଗଡକରୀ , ଅଜୟ ତମତା , ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସଂଯୁକ୍ତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ , ରାଜ୍ୟପାଳ ଆନନ୍ଦୀ ବେନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା , ମଞ୍ଚରେ ଉପସ୍ଥିତ ରାଜ୍ୟ ବିଜେପି ସଭାପତି ମହେନ୍ଦ୍ର ଭଟ୍ଟ , ପୂର୍ବତନ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ , ପୂର୍ବତନ ମୁଖ୍ୟମନ୍ତ୍ରୀ ଭାଇ ରମେଶ ପୋଖରିଆଲ, ବିଜୟ ବହୁଗୁଣା , ତୀର୍ଥ ସିଂହ ରାୱତ , ତ୍ରିଭେନ୍ଦ୍ର ସିଂହ ରାୱତ , ଉତ୍ତରାଖଣ୍ଡ ସରକାରଙ୍କ ସମସ୍ତ ମନ୍ତ୍ରୀ, ସାଂସଦ , ବିଧାୟକ ଏବଂ ବହୁ ସଂଖ୍ୟାରେ ଆସିଥିବା ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ।
ଦେବଭୂମି ଉତ୍ତରାଖଣ୍ଡର ଏହି ପବିତ୍ର ଭୂମିରେ ଆପଣ ସମସ୍ତଙ୍କୁ ମୋର ପ୍ରଣାମ। ବହୁ ସଂଖ୍ୟାରେ ଆସିଥିବା ପୂଜ୍ୟ ସନ୍ଥମାନଙ୍କୁ ମଧ୍ୟ ମୋର ପ୍ରଣାମ। ଉତ୍ତରାଖଣ୍ଡର ପ୍ରିୟ ସାନ ଭାଇ, ଭଉଣୀ ଏବଂ ବଡ଼ଭାଇମାନଙ୍କୁ, ଆପଣ ସମସ୍ତଙ୍କୁ ନମସ୍କାର! ମୋର ପ୍ରିୟ ବଡ଼ଭାଇ, ଭଉଣୀ, ଜେଜେମାଆଙ୍କୁ, ମୁଁ ସମସ୍ତଙ୍କୁ ମୋର ସମ୍ମାନଜନକ ଶୁଭେଚ୍ଛା ଜଣାଉଛି।
ଦିଲ୍ଲୀ ଏବଂ ୟୁପିର ଅନେକ ଲୋକ ମଧ୍ୟ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସହିତ ଯୋଡ଼ି ହୋଇଛନ୍ତି; ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି। ସର୍ବପ୍ରଥମେ, ମୁଁ ଆପଣମାନଙ୍କ ସମସ୍ତଙ୍କଠାରୁ କ୍ଷମା ପ୍ରାର୍ଥନା କରୁଛି, ଏବଂ ଉତ୍ତର ପ୍ରଦେଶ ଓ ଦିଲ୍ଲୀର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲୋକଙ୍କଠାରୁ ମଧ୍ୟ କ୍ଷମା ପ୍ରାର୍ଥନା କରୁଛି। ଯେ ମୁଁ ଏଠାରେ ପହଞ୍ଚିବାରେ ଗୋଟିଏ ଘଣ୍ଟାରୁ ଅଧିକ ବିଳମ୍ବ କରିଛି, ଆପଣମାନଙ୍କୁ ସମସ୍ତ ସ୍ଥାନରେ ବହୁତ ସମୟ ଅପେକ୍ଷା କରିବାକୁ ପଡିଥିଲା । କାରଣ କେବଳ ଏହା ଥିଲା ଯେ : ମୁଁ ସମୟ ଅନୁସାରେ ବାହାରିଥିଲି, କିନ୍ତୁ କାଳୀ ମନ୍ଦିରରୁ ଏଠାକୁ ପ୍ରାୟ ୧୨ କିଲୋମିଟରର ଏକ ରୋଡଶୋ - ଏତେ ଉତ୍ସାହ ଏବଂ ଉଦ୍ଯୋଗଜନକ ଥିଲା ଯେ ମୋ ପାଇଁ ଦ୍ରୁତ ଗତିରେ ଗାଡ଼ି ଚଲାଇବା ବହୁତ କଷ୍ଟକର ହୋଇଯାଇଥିଲା । ତେଣୁ, ଧୀରେ ଧୀରେ ଲୋକଙ୍କୁ ଅଭିବାଦନ କରି, 'ଜନାର୍ଦ୍ଦନ'ର ଆଶୀର୍ବାଦ ନେଇ, ମୁଁ ଏଠାରେ ପହଞ୍ଚିବାରେ ଏକ ଘଣ୍ଟାରୁ ଅଧିକ ବିଳମ୍ବ କଲି ଏବଂ ଏଥିପାଇଁ, ମୁଁ ଆପଣମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି। ଆଉ ଏତେ ଗରମରେ ୧୨ କିଲୋମିଟର ପର୍ଯ୍ୟନ୍ତ ଲୋକଙ୍କ ଭିଡ଼, ଉତ୍ତରାଖଣ୍ଡର ଏହି ପ୍ରେମ, ମା' ଏବଂ ଭଉଣୀମାନଙ୍କ ଆଶୀର୍ବାଦ ସହିତ ମୁଁ ଆଜି ଉତ୍ତରାଖଣ୍ଡରୁ ଏକ ନୂଆ ଶକ୍ତି ଓ ନୂଆ ପ୍ରେରଣା ନେଇ ଯାଉଛି, ଏବଂ ଏଥି ପାଇଁ ମୁଁ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି।।
ବନ୍ଧୁଗଣ,
ଆଜି ଦେଶରେ ପର୍ବପର୍ବାଣୀର ଉତ୍ସାହ ରହିଛି। ବିଭିନ୍ନ ସ୍ଥାନରେ ନୂତନ ବର୍ଷ ଆସି ପହଞ୍ଚିଛି। ମୁଁ ଦେଶବାସୀଙ୍କୁ ବୈଶାଖୀ, ବୋହାଗ ବିହୁ ଏବଂ ପୁଥାଣ୍ଡୁ ପାଇଁ ଶୁଭେଚ୍ଛା ଜଣାଉଛି!
ବନ୍ଧୁଗଣ,
ଆଗାମୀ କିଛି ଦିନ ମଧ୍ୟରେ, ଯମୁନୋତ୍ରୀ, ଗଙ୍ଗୋତ୍ରୀ, ବାବା କେଦାରନାଥ ଏବଂ ବଦ୍ରିନାଥ ଧାମ ଯାତ୍ରା ମଧ୍ୟ ଆରମ୍ଭ ହେବାକୁ ଯାଉଛି। ଦେଶର କୋଟି କୋଟି ଶ୍ରଦ୍ଧାଳୁ ଭକ୍ତି ଭାବନା ସହିତ ଏହି ପବିତ୍ର ସମୟକୁ ଅପେକ୍ଷା କରିଛନ୍ତି। ମୁଁ ପଞ୍ଚ ବଦ୍ରି, ପଞ୍ଚ କେଦାର, ପଞ୍ଚ ପ୍ରୟାଗ ଏବଂ ଏଠାରେ ଅଧିଷ୍ଠିତ ଦେବତାମାନଙ୍କୁ ସମ୍ମାନପୂର୍ବକ ପ୍ରଣାମ କରୁଛି। ମୁଁ ସାନ୍ତାଳା ମାତାଙ୍କୁ ମଧ୍ୟ ପ୍ରଣାମ କରୁଛି। ଏଠାକୁ ଆସିବା ପୂର୍ବରୁ, ମୋତେ ମା' ଦାନ କାଳୀଙ୍କ ଦର୍ଶନ କରିବାର ସୌଭାଗ୍ୟ ମିଳିଥିଲା। ଡେରାଡୁନ ସହର ଉପରେ ମା' ଡାଟକାଳୀଙ୍କର ଅପାର କୃପା ରହିଛି। ଦିଲ୍ଲୀ-ଡେରାଡୁନ ଅର୍ଥନୈତିକ କରିଡରର ଏତେ ବଡ଼ ପ୍ରକଳ୍ପକୁ ସମାପ୍ତ କରିବାରେ, ମା' ଡାଟ କାଳୀଙ୍କ ଆଶୀର୍ବାଦର ଏକ ବହୁତ ବଡ଼ ଶକ୍ତି ରହିଛି।
ବନ୍ଧୁଗଣ,
ଉତ୍ତରାଖଣ୍ଡ ରାଜ୍ୟ, ଏହାର ପ୍ରତିଷ୍ଠାର ୨୫ ବର୍ଷ ପୂରଣ କରିବା ସହିତ, ଏବେ ଛବିଶ ବର୍ଷରେ ପ୍ରବେଶ କରିଛି। ଆଜି, ଦିଲ୍ଲୀ-ଡେରାଡୁନ ଏକ୍ସପ୍ରେସୱେର ଉଦଘାଟନ ସହିତ, ଏହି ପ୍ରଗତିରେ ଆଉ ଏକ ବଡ଼ ସଫଳତା ଯୋଡି ହୋଇଛି। ଆପଣମାନେ ମନେ ରଖିଥିବେ, ବାବା କେଦାରଙ୍କ ଦର୍ଶନ ପରେ, ମୋ ମୁଖରୁ ସ୍ୱତଃସ୍ଫୂର୍ତ୍ତ ଭାବରେ ବାହାରି ଆସିଥିଲା ଯେ ଏହି ଶତାବ୍ଦୀର ତୃତୀୟ ଦଶକ ଉତ୍ତରାଖଣ୍ଡର ଦଶକ ହେବ। ମୁଁ ବହୁତ ଖୁସି ଯେ ଡବଲ-ଇଞ୍ଜିନ ସରକାରଙ୍କ ନୀତି ଏବଂ ଉତ୍ତରାଖଣ୍ଡର ଲୋକଙ୍କ କଠିନ ପରିଶ୍ରମ ଯୋଗୁଁ, ଏହି ଯୁବ ରାଜ୍ୟ ବିକାଶର ନୂତନ ଦିଗ ଯୋଡ଼ିବାରେ ଲାଗିଛି। ଏହି ପ୍ରକଳ୍ପ ଉତ୍ତରାଖଣ୍ଡର ବିକାଶକୁ ମଧ୍ୟ ନୂତନ ଗତି ଦେବ। ଏହି ଏକ୍ସପ୍ରେସୱେର ଏକ ବହୁତ ବଡ଼ ଅଂଶ ୟୁପି ଦେଇ ଗତି କରୁଛି । ଏଥିରୁ, ଗାଜିଆବାଦ, ବାଗପତ, ବାରୌତ, ଶାମଲି ଏବଂ ସହାରନପୁର ଭଳି ଅନେକ ସହର ମଧ୍ୟ ବହୁତ ଲାଭବାନ ହେବେ। ପର୍ଯ୍ୟଟନ ଦୃଷ୍ଟିକୋଣରୁ, ଏହି ପ୍ରକଳ୍ପ ବହୁତ ଗୁରୁତ୍ୱପୂର୍ଣ୍ଣ। ମୁଁ ଏହି ପ୍ରକଳ୍ପ ପାଇଁ ସମଗ୍ର ଦେଶକୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି।
ବନ୍ଧୁଗଣ,
ଆଜି ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ଜନ୍ମବାର୍ଷିକୀ ମଧ୍ୟ। କୋଟି କୋଟି ଦେଶବାସୀଙ୍କ ପକ୍ଷରୁ ମୁଁ ବାବାସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ବିଗତ ଦଶନ୍ଧିରେ, ଆମ ସରକାର ଯେଉଁ ନୀତି ଗ୍ରହଣ କରିଥିଲେ, ଯେଉଁ ନିଷ୍ପତ୍ତି ନେଇଥିଲେ, ତାହା ସମ୍ବିଧାନର ମର୍ଯ୍ୟାଦା ପୁନଃସ୍ଥାପିତ କରିଥିଲା। ଧାରା ୩୭୦ ହଟାଇବା ପରେ, ଆଜି ସମଗ୍ର ଦେଶରେ ଭାରତର ସମ୍ବିଧାନ ପ୍ରଯୁଜ୍ୟ। ଯେଉଁ ଡଜନ ଡଜନ ଜିଲ୍ଲାରେ ମାଓବାଦ-ନକ୍ସଲବାଦ ଶେଷ ହୋଇଛି, ସେଠାରେ ମଧ୍ୟ ସମ୍ବିଧାନର ନୀତି ଅନୁସାରେ କାମ କରାଯାଉଛି। ଦେଶରେ ଏକ ସମାନ ନାଗରିକ ସଂହିତା ଲାଗୁ ହେବା ଆମର ସମ୍ବିଧାନର ଆଶା। ଉତ୍ତରାଖଣ୍ଡ, ସମ୍ବିଧାନର ଏହି ଭାବନା ସହିତ ଅଗ୍ରଗତି କରୁଛି ଏବଂ ସେହି ଭାବନାକୁ ଆଗକୁ ନେଇ ସମଗ୍ର ଦେଶକୁ ପଥ ଦେଖାଇଛି।
ବନ୍ଧୁଗଣ,
ବାବାସାହେବଙ୍କ ଜୀବନ ଗରିବ, ବଞ୍ଚିତ ଏବଂ ଶୋଷିତ ଲୋକଙ୍କୁ ଏକ ନ୍ୟାୟପୂର୍ଣ୍ଣ ବ୍ୟବସ୍ଥା ପ୍ରଦାନ କରିବା ପାଇଁ ଉତ୍ସର୍ଗୀକୃତ ଥିଲା। ଆଜି, ସେହି ଭାବନା ସହିତ, ଆମର ସରକାର ପ୍ରତ୍ୟେକ ଗରିବ ଏବଂ ପ୍ରତ୍ୟେକ ବଞ୍ଚିତ ବ୍ୟକ୍ତିଙ୍କୁ ପ୍ରକୃତ ସାମାଜିକ ନ୍ୟାୟ ପ୍ରଦାନ କରିବାରେ ନିୟୋଜିତ ରହିଛି । ଆଜି ସାମାଜିକ ନ୍ୟାୟର ଏକ ବହୁତ ବଡ଼ ମାଧ୍ୟମ ହେଉଛି ଦେଶର ସନ୍ତୁଳିତ ବିକାଶ, ସମସ୍ତଙ୍କ ପାଇଁ ସୁବିଧା ଏବଂ ସମସ୍ତଙ୍କ ପାଇଁ ସମୃଦ୍ଧି। ସେଥିପାଇଁ ବାବାସାହେବ ଆଧୁନିକ ଭିତ୍ତିଭୂମି ଏବଂ ଶିଳ୍ପାୟନର ଦୃଢ଼ ସମର୍ଥନ କରୁଥିଲେ।
ବନ୍ଧୁଗଣ,
ଲୋକମାନେ ପ୍ରାୟତଃ ନିଜ ଭବିଷ୍ୟତର ଅବସ୍ଥା ଏବଂ ଦିଗ କଣ ରହିବ ଜାଣିବା ପାଇଁ ହାତର ରେଖା ଦେଖାଇଥାନ୍ତି। ଯେଉଁମାନେ ଭବିଷ୍ୟବକ୍ତା, ସେମାନେ ହାତର ରେଖା ଦେଖନ୍ତି ଏବଂ ସେମାନଙ୍କର ଭବିଷ୍ୟତ ବିଷୟରେ କୁହନ୍ତି। ମୁଁ ଏହି ବିଜ୍ଞାନ ଜାଣେ ନାହିଁ, କିନ୍ତୁ ସେମାନେ କୁହନ୍ତି ଯେ ଏହା ମଧ୍ୟ ଏକ ଶାସ୍ତ୍ର। ବର୍ତ୍ତମାନ, ଏହା ଜଣେ ବ୍ୟକ୍ତିଙ୍କ ଭାଗ୍ୟ ବିଷୟରେ ଥିଲା ଯାହା ତାଙ୍କ ହାତର ରେଖାରେ ଅଛି। କିନ୍ତୁ ଯଦି ମୁଁ ଏହି ସନ୍ଦର୍ଭକୁ ଜାତୀୟ ଜୀବନ ସହିତ ଯୋଡ଼ି ଦେଖେ, ତେବେ ଏକ ରାଷ୍ଟ୍ରର ଭାଗ୍ୟ ରେଖା କ’ଣ? ଏକ ରାଷ୍ଟ୍ରର ଭାଗ୍ୟ ରେଖା ହେଉଛି ଆମର ଏହି ରାସ୍ତା, ଆମର ରାଜପଥ, ଆମର ଏକ୍ସପ୍ରେସୱେ, ବାୟୁପଥ, ରେଳପଥ, ଜଳପଥ । ଏଗୁଡ଼ିକ ହେଉଛି ଆମ ଦେଶର ଭାଗ୍ୟ ରେଖା। ଗତ ଏକ ଦଶନ୍ଧି ଧରି, ଆମ ଦେଶ ଏକ ବିକଶିତ ଭାରତ ଗଠନ ପାଇଁ ବିକାଶର ଏପରି ଭାଗ୍ୟ ରେଖା ନିର୍ମାଣରେ ନିୟୋଜିତ ହୋଇଛି। ଏହି ବିକାଶ ରେଖା କେବଳ ଆଜିର ସୁବିଧା ନୁହେଁ; ଏହା ଆଗାମୀ ପିଢ଼ି ପାଇଁ ସମୃଦ୍ଧିର ଗ୍ୟାରେଣ୍ଟି, ଏବଂ ଏହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି। ଗତ ଦଶନ୍ଧି ଧରି, ଆମ ସରକାର ଦେଶର ଏହି ବିକାଶ ରେଖାରେ ଅଭୂତପୂର୍ବ ନିବେଶ କରିଆସୁଛି। ମୁଁ ଆପଣଙ୍କୁ ଏକ ପରିସଂଖ୍ୟାନ ଦେଉଛି। ନୀତିନ କେବଳ ଉତ୍ତରାଖଣ୍ଡ ସହିତ ଜଡିତ ଅନେକ ପରିସଂଖ୍ୟାନ ସେୟାର କରିଛନ୍ତି। ଦେଖନ୍ତୁ ୨୦୧୪ ପର୍ଯ୍ୟନ୍ତ, ସାରା ଦେଶରେ ଏପରି ଭିତ୍ତିଭୂମି ପାଇଁ ବାର୍ଷିକ ୨ ଲକ୍ଷ କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହେଉନଥିଲା। ମୁଁ ସମଗ୍ର ଦେଶ ବିଷୟରେ କହୁଛି; ସେତେବେଳେ ୨ ଲକ୍ଷ କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହେଉନଥିଲା, କିନ୍ତୁ ଆଜି ଏହା ଛଅ ଗୁଣ ବୃଦ୍ଧି ପାଇ ୧୨ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଯାଇଛି। କେବଳ ଉତ୍ତରାଖଣ୍ଡରେ ୨.୨୫ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପ ଉପରେ କାମ ଚାଲିଛି। ୨୦୧୪ମସିହା ପୂର୍ବରୁ, ସମଗ୍ର ଦେଶ ପାଇଁ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଥିଲା ଏବଂ ଆଜି, କେବଳ ଉତ୍ତରାଖଣ୍ଡ ପାଇଁ ୨.୨୫ ଲକ୍ଷ କୋଟି ଟଙ୍କା ବିନିଯୋଗ ହେଉଛି । ଆଗରୁ ଉତ୍ତରାଖଣ୍ଡ ଗ୍ରାମଗୁଡ଼ିକରେ ରାସ୍ତା ପାଇଁ ଲୋକମାନେ ଅପେକ୍ଷା କରୁଥିଲେ। ଆଜି, ଡବଲ-ଇଞ୍ଜିନ ସରକାରଙ୍କ ପ୍ରୟାସ ଯୋଗୁଁ, ରାସ୍ତା ଗାଁ ପର୍ଯ୍ୟନ୍ତ ପହଞ୍ଚିଛି, ଏବଂ ଯେଉଁ ଗାଁଗୁଡ଼ିକ ଥରେ ନିର୍ଜନ ଥିଲା, ସେଗୁଡିକ e ପୁଣି ଥରେ ଜୀବନ୍ତ ହୋଇଉଠିଛନ୍ତି। ଏହା ଚାରିଧାମ ରାଜପଥ ପ୍ରକଳ୍ପ ହେଉ, ରେଳ ପ୍ରକଳ୍ପର ବିସ୍ତାର ହେଉ, କିମ୍ବା କେଦାରନାଥ ଏବଂ ହେମକୁଣ୍ଡ ସାହିବ ରୋପୱେ ହେଉ, ବିକାଶର ଏହି ରେଖାଗୁଡ଼ିକ ଏହି ଅଞ୍ଚଳର ପ୍ରତ୍ୟେକ କୋଣରେ ଜୀବନର ଭାଗ୍ୟ ରେଖା ମଧ୍ୟ ହେବାକୁ ଯାଉଛି।
ବନ୍ଧୁଗଣ,
ଆଜି ଏକବିଂଶ ଶତାବ୍ଦୀର ଭାରତ ଯେଉଁ ଗତି ଏବଂ ସ୍ତରରେ କାମ କରୁଛି, ସମଗ୍ର ବିଶ୍ୱ ଏହାକୁ ନେଇ ଆଲୋଚନା କରୁଛି। ମୁଁ ଆପଣଙ୍କୁ ଉତ୍ତରାଖଣ୍ଡ, ପଶ୍ଚିମ ୟୁପି ଏବଂ ଦିଲ୍ଲୀର ଉଦାହରଣ ଦେଉଛି। କିଛି ସପ୍ତାହ ପୂର୍ବରୁ ଦିଲ୍ଲୀ ମେଟ୍ରୋ ବିସ୍ତାର କରାଯାଇଥିଲା, ମିରଟରେ ମେଟ୍ରୋ ସେବା ଆରମ୍ଭ ହୋଇଥିଲା, ଦିଲ୍ଲୀ-ମିରଠ ନମୋ ଭାରତ ରେଳ ଦେଶକୁ ସମର୍ପିତ କରାଯାଇଥିଲା, ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ଆରମ୍ଭ ହୋଇଥିଲା, ବିମାନ ପାଇଁ ଏମଆରଓ ସୁବିଧା ଉପରେ କାମ ଆରମ୍ଭ ହୋଇଥିଲା, ଏବଂ ଆଜି, ଡେରାଡୁନ-ଦିଲ୍ଲୀ ଏକ୍ସପ୍ରେସୱେ ଆରମ୍ଭ ହେଉଛି।
ବନ୍ଧୁଗଣ,
ଏତେ ଛୋଟ ଅଞ୍ଚଳରେ, ଏତେ କମ୍ ସମୟ ମଧ୍ୟରେ ଏସବୁ ଘଟୁଛି। କଳ୍ପନା କରନ୍ତୁ ଯେ ଦେଶରେ କେତେ ବଡ଼ ଭିତ୍ତିଭୂମି ନିର୍ମାଣ ହେଉଛି। ସେଥିପାଇଁ ମୁଁ କହୁଛି ଯେ ଏକବିଂଶ ଶତାବ୍ଦୀର ଭାରତ ଯେଉଁ ନୂତନ ଆଧୁନିକ ଭିତ୍ତିଭୂମି ଯୁଗରେ ପ୍ରବେଶ କରୁଛି ତାହା ଅଭୂତପୂର୍ବ, ଅକଳ୍ପନୀୟ।
ବନ୍ଧୁଗଣ,
ଆଜି ଭାରତର ବିଭିନ୍ନ ଅଂଶକୁ ସଂଯୋଗ କରୁଥିବା ଅନେକ ଅର୍ଥନୈତିକ କରିଡର ଉପରେ କାମ ଚାଲିଛି। ଦିଲ୍ଲୀ-ମୁମ୍ବାଇ ଶିଳ୍ପ କରିଡର, ବେଙ୍ଗାଲୁରୁ-ମୁମ୍ବାଇ ଶିଳ୍ପ କରିଡର, ପୂର୍ବ ତଟ ଆର୍ଥିକ କରିଡର, ଅମୃତସର-କୋଲକାତା ଶିଳ୍ପ କରିଡର ପରି - ଦେଶରେ ଏପରି ଅନେକ ଅର୍ଥନୈତିକ କରିଡର ନିର୍ମାଣ ହେଉଛି। ଏହି ଅର୍ଥନୈତିକ କରିଡରଗୁଡ଼ିକ ନୂତନ ଦ୍ୱାର, ପ୍ରବେଶ ପଥ ଏବଂ ପ୍ରଗତି ପାଇଁ ଦ୍ୱାର ଅଟେ । ଏଗୁଡ଼ିକ ଆଶାର କିରଣ ମଧ୍ୟ ବହନ କରନ୍ତି। ଏହି ଆର୍ଥିକ କରିଡର, ରାସ୍ତା ବ୍ୟତୀତ, ନୂତନ ବାଣିଜ୍ୟ ଏବଂ ବ୍ୟବସାୟ ମଧ୍ୟ ପାଇଁ ପଥ ସୃଷ୍ଟି କରେ। କାରଖାନା ଏବଂ ଗୋଦାମର ଏକ ସମ୍ପୂର୍ଣ୍ଣ ନେଟୱାର୍କ ପାଇଁ ମୂଳଦୁଆ ସ୍ଥାପନ କରନ୍ତି।
ବନ୍ଧୁଗଣ,
ଏହି ସମଗ୍ର କ୍ଷେତ୍ରର ପରିବର୍ତ୍ତନ ଡେରାଡୁନ-ଦିଲ୍ଲୀ ଅର୍ଥନୈତିକ କରିଡର ମାଧ୍ୟମରେ ମଧ୍ୟ ହେବାକୁ ଯାଉଛି। ପ୍ରଥମ ଲାଭ ହେଉଛି ଏହା ସମୟ ବଞ୍ଚାଇବ, ଯାତ୍ରା ଶସ୍ତା ଏବଂ ଦ୍ରୁତ ହେବ, ଲୋକଙ୍କ ପେଟ୍ରୋଲ ଏବଂ ଡିଜେଲ କମ୍ ଖର୍ଚ୍ଚ ହେବ, ଭଡ଼ା କମ୍ ହେବ, ଏବଂ ଦ୍ୱିତୀୟରେ ନୂତନ ନିଯୁକ୍ତି ସୃଷ୍ଟି କରିବ। ବର୍ତ୍ତମାନ ଏହାର ନିର୍ମାଣରେ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି, ତେଣୁ ହଜାର ହଜାର ଶ୍ରମିକଙ୍କୁ କାମ ମିଳିଛି। ଏହା ସହିତ, ଯେଉଁମାନେ ଇଞ୍ଜିନିୟର, ଅନ୍ୟ କୁଶଳୀ କର୍ମଚାରୀ, ପରିବହନ ସହିତ ଜଡିତ ଅଂଶୀଦାର - ସେମାନଙ୍କୁ ମଧ୍ୟ ବହୁତ ପରିମାଣରେ କାମ ମିଳିଛି। ଚାଷୀ ଏବଂ ପଶୁପାଳନ ମାଲିକଙ୍କ ଉତ୍ପାଦିତ ଦ୍ରବ୍ୟ ମଧ୍ୟ ଏବେ ଦ୍ରୁତ ଗତିରେ ବଡ଼ ମଣ୍ଡି ଏବଂ ବଡ଼ ବଜାରରେ ପହଞ୍ଚିବ।
ବନ୍ଧୁଗଣ,
ଏହି ଚମତ୍କାର ଏକ୍ସପ୍ରେସୱେରୁ ଉତ୍ତରାଖଣ୍ଡର ପର୍ଯ୍ୟଟନକୁ ବହୁତ ଲାଭ ମିଳିବ। ଏହା ଡେରାଡୁନ, ହରିଦ୍ୱାର, ଋଷିକେଶ, ମସୁରୀ ଏବଂ ଚାରଧାମ ଯାତ୍ରା ପାଇଁ ପ୍ରମୁଖ ମାର୍ଗ ହୋଇଯିବ। ଆମେ ସମସ୍ତେ ଜାଣୁ ଯେ ଯେତେବେଳେ ପର୍ଯ୍ୟଟନ ବିକାଶ ହୁଏ, ସମସ୍ତେ କିଛି ନା କିଛି ରୋଜଗାର କରନ୍ତି। ହୋଟେଲ, ଢାବା ମାଲିକ, ଟ୍ୟାକ୍ସି, ଅଟୋ, ହୋମଷ୍ଟେ - ସମସ୍ତେ ଏଥିରୁ ମଧ୍ୟ ଲାଭ ପାଆନ୍ତି।
ବନ୍ଧୁଗଣ,
ମୁଁ ଖୁସି ଯେ ଆଜି ଉତ୍ତରାଖଣ୍ଡ ଭାରତରେ ଶୀତକାଳୀନ ପର୍ଯ୍ୟଟନ, ଶୀତକାଳୀନ କ୍ରୀଡା ଏବଂ ବିବାହ ପାଇଁ ଏକ ପ୍ରମୁଖ ସ୍ଥାନ ହେବାକୁ ଯାଉଛି।
ବନ୍ଧୁଗଣ,
ଉତ୍ତରାଖଣ୍ଡର ଅର୍ଥନୀତି ପାଇଁ ଚିରସ୍ଥାୟୀ ପର୍ଯ୍ୟଟନ ଅତ୍ୟନ୍ତ ଆବଶ୍ୟକ। ତେଣୁ, ମୁଁ ଶୀତକାଳୀନ ତୀର୍ଥଯାତ୍ରା ପ୍ରତି ଦୃଢ଼ ଭାବରେ ପ୍ରତିବଦ୍ଧ ଏବଂ ମୁଁ ଖୁସି ଯେ ପ୍ରତିବର୍ଷ ଏହି ଯାତ୍ରାରେ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଆପଣମାନଙ୍କର ମନେ ଥିବ, ମୁଁ ୨୦୨୩ ମସିହାରେ ଆଦି କୈଳାସ ଏବଂ ଓମ ପର୍ବତ ଯାତ୍ରାରେ ଯାଇଥିଲି। ପୂର୍ବରୁ, ମୁଁ ବାରମ୍ବାର ପରିଦର୍ଶକ ଥିଲି, କିନ୍ତୁ କିଛି ସମୟ ପାଇଁ, ମୁଁ ଯାଇପାରି ନଥିଲି। ମୁଁ କିଛି ବର୍ଷ ପରେ ଯାଇଥିଲି। ମୁଖ୍ୟମନ୍ତ୍ରୀ ମୋତେ କହୁଥିଲେ, ଏବଂ ରାଜ୍ୟପାଳ ମଧ୍ୟ ଉଲ୍ଲେଖ କରିଥିଲେ ଯେ ସେ ୨୦୨୩ ମସିହାରେ ଗସ୍ତ କରିଥିଲେ, ଏବଂ ସେବେଠାରୁ, ବହୁତ ଅଧିକ ସଂଖ୍ୟକ ତୀର୍ଥଯାତ୍ରୀ ପରିଦର୍ଶନ କରୁଛନ୍ତି। ପୂର୍ବରୁ ଶୀତଦିନେ କେବଳ କିଛି କିଛି ଲୋକ ସେଠାକୁ ଯାତ୍ରା ପାଇଁ ଯାଉଥିଲେ। ୨୦୨୫ ମସିହାରେ, ପ୍ରାୟ ୪୦ ହଜାରରୁ ଅଧିକ ଲୋକ ଏହି ପବିତ୍ର ସ୍ଥାନଗୁଡ଼ିକୁ ଯାତ୍ରା କରିଛନ୍ତି। ଥରେ ଏହା ଏକ ହଜାର ନଥିଲା; ଏବେ ଯଦି ଏହା ଚାଳିଶ ହଜାର ପହଞ୍ଚିଥାଏ, ତେବେ ଏଠାକାର ଲୋକଙ୍କ ଜୀବିକାକେତେ ବୃଦ୍ଧି ପାଇଥିବା । ସେହିପରି ୨ ୦୨୪ ମସିହାରେ ଶୀତକାଳୀନ ଚାରିଧାମ ଯାତ୍ରାରେ, ପ୍ରାୟ ଅଶୀ ହଜାର ଭକ୍ତ ଆସିଥିଲେ। ୨୦୨୫ ମସିହାରେ, ଏହି ସଂଖ୍ୟା ଦେଢ଼ ଲକ୍ଷ ଅତିକ୍ରମ କରିସାରିଛି।
ବନ୍ଧୁଗଣ,
ଆମେ ଏକ ବିକଶିତ ଭାରତ ନିର୍ମାଣ ପାଇଁ ପ୍ରତିବଦ୍ଧ ଯାହା ପ୍ରଗତି, ପ୍ରକୃତି ଏବଂ ସଂସ୍କୃତିକୁ ଗ୍ରହଣ କରିବ। ତେଣୁ, ଆଜି ପ୍ରତ୍ୟେକ ନିର୍ମାଣ କାର୍ଯ୍ୟ ପ୍ରଗତି, ପ୍ରକୃତି ଏବଂ ସଂସ୍କୃତିର ଏହି ସଙ୍ଗମ ଏବଂ ଏହି ମୂଲ୍ୟବୋଧ ଉପରେ ଆଧାରିତ ଭାବରେ ବିକଶିତ ହେଉଛି। ଆମର ପ୍ରୟାସ ହେଉଛି ଏହା ସୁନିଶ୍ଚିତ କରିବା ଯେ ଭିତ୍ତିଭୂମି ମଣିଷଙ୍କୁ ସୁବିଧା ପ୍ରଦାନ କରିବ ଏବଂ ସେଠାରେ ରହୁଥିବା ବନ୍ୟପ୍ରାଣୀମାନଙ୍କୁ କୌଣସି ଅସୁବିଧା ନହେବ। ତେଣୁ, ଏହି ଏକ୍ସପ୍ରେସୱେ ସହିତ ୧୨ କିଲୋମିଟର ଲମ୍ବା ଏକ ଉଚ୍ଚ ବନ୍ୟପ୍ରାଣୀ କରିଡର ନିର୍ମାଣ କରାଯାଇଛି। ହାତୀମାନଙ୍କୁ ଅସୁବିଧା ନହେବା ପାଇଁ ମଧ୍ୟ ଯତ୍ନ ନିଆଯାଇଛି।
ବନ୍ଧୁଗଣ,
ଆଜି ମୁଁ ଦେଶର ସମସ୍ତ ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀଙ୍କୁ ମଧ୍ୟ ଏକ ନିବେଦନ କରିବାକୁ ଚାହୁଁଛି। ଆମର ପର୍ବତ, ଏହି ଜଙ୍ଗଲ ଅଞ୍ଚଳ, ଦେବଭୂମିର ଏହି ଐତିହ୍ୟ - ଏଗୁଡ଼ିକ ଅତ୍ୟନ୍ତ ପବିତ୍ର ସ୍ଥାନ। ଏପରି ସ୍ଥାନଗୁଡ଼ିକୁ ସୁନ୍ଦର ଏବଂ ସଫା ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ଅଟେ । ଏଠାରେ ରହୁଥିବା ଏବଂ ଯାତ୍ରୀ ଭାବରେ ଆସୁଥିବା ଲୋକଙ୍କର ମଧ୍ୟ ଏହା କର୍ତ୍ତବ୍ୟ ଅଟେ। ପ୍ଲାଷ୍ଟିକ୍ ବୋତଲ, ଏହି ଅଞ୍ଚଳରେ ଅଳିଆ ଗଦା, ଦେବଭୂମିର ପବିତ୍ରତାକୁ ଆଘାତ କରୁଛି। ତେଣୁ, ଦେବଭୂମିର ଏହି ସ୍ଥଳଗୁଡ଼ିକୁ ଓ ଆମର ଏହି ତୀର୍ଥସ୍ଥଳଗୁଡ଼ିକୁ, ସଫା ଏବଂ ସୁନ୍ଦର ରଖିବା ଅତ୍ୟନ୍ତ ଜରୁରୀ ଅଟେ ।
ବନ୍ଧୁଗଣ,
ଆଗାମୀ ବର୍ଷ ହରିଦ୍ୱାରରେ ମଧ୍ୟ କୁମ୍ଭ ମେଳା ଆୟୋଜନ ହେବାକୁ ଯାଉଛି। ବିଶ୍ୱାସର ଏହି ସଙ୍ଗମକୁ ଦିବ୍ୟ, ମହାନ ଏବଂ ସଫା କରିବାରେ ଆମକୁ ପ୍ରୟାସ କରିବାକୁ ପଡିବ।
ବନ୍ଧୁଗଣ,
ନନ୍ଦା ଦେବୀ ରାଜଯାତ ଯାତ୍ରା ମଧ୍ୟ ଉତ୍ତରାଖଣ୍ଡରେ ହୁଏ। ଏହା ଏକ ବିଶ୍ୱାସର ପର୍ବ, ଏବଂ ଏହା ଆମର ସାଂସ୍କୃତିକ ଚେତନାର ଏକ ଜୀବନ୍ତ ଉଦାହରଣ। ମାତା ନନ୍ଦଙ୍କୁ ଝିଅ ପରି ପାଳନ କରାଯାଏ ଏବଂ ପୂର୍ଣ୍ଣ ସମ୍ମାନର ସହିତ ବିଦାୟ ଦିଆଯାଏ। ଏହି ଯାତ୍ରାରେ ଭଉଣୀ ଏବଂ ଝିଅମାନଙ୍କର ଅଂଶଗ୍ରହଣ ଏହାକୁ ଆହୁରି ସ୍ୱତନ୍ତ୍ର କରିଥାଏ। ମାଆ ନନ୍ଦଙ୍କୁ ପ୍ରଣାମ କରିବା ସହିତ, ମୁଁ ଦେଶବ୍ୟାପୀ ଭଉଣୀ ଏବଂ ଝିଅମାନଙ୍କୁ ଏକ ବିଶେଷ ବାର୍ତ୍ତା ଦେବାକୁ ଚାହୁଁଛି। ଏକ ବିକଶିତ ଭାରତ ନିର୍ମାଣରେ ଆପଣଙ୍କର ବହୁତ ବଡ଼ ଭୂମିକା ଅଛି। ମୁଁ ଏହି ଦେଶର ଝିଅମାନଙ୍କର, ଏହି ଦେଶର ମାଆମାନଙ୍କର, ଭଉଣୀମାନଙ୍କର ବହୁତ ବଡ଼ ଭୂମିକା ଦେଖୁଛି। ଭଉଣୀ ଏବଂ ଝିଅମାନଙ୍କର ସୁବିଧା, ସୁରକ୍ଷା ଏବଂ ଗଣତନ୍ତ୍ରରେ ଅଂଶଗ୍ରହଣ ଡବଲ-ଇଞ୍ଜିନ ସରକାରଙ୍କର ଏକ ବହୁତ ବଡ଼ ପ୍ରାଥମିକତା। ଆପଣମାନେ ଏବେ ଦେଖୁଛନ୍ତି ଯେ ବିଶ୍ୱରେ କେତେ ବଡ଼ ସଙ୍କଟ ଆସିଛି। ହା ବିଶ୍ୱର ବିକଶିତ ଦେଶଗୁଡ଼ିକରେ ମଧ୍ୟ ଏତେ ହଇରାଣ ସୃଷ୍ଟି କରିଛି। ଏତେ କଷ୍ଟକର ପରିସ୍ଥିତିରେ ମଧ୍ୟ, ସରକାରଙ୍କ ନିରନ୍ତର ପ୍ରୟାସ ହେଉଛି ଆମର ଭଉଣୀମାନେ ଯଥାସମ୍ଭବ କମ୍ ଅସୁବିଧାର ସମ୍ମୁଖୀନ ହୁଅନ୍ତୁ।
ବନ୍ଧୁଗଣ,
ଭଉଣୀ ଏବଂ ଝିଅଙ୍କ ଅଂଶଗ୍ରହଣର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଏବେ ଦେଶ ସମ୍ମୁଖରେ ଅଛି। ଚାରି ଦଶନ୍ଧିର ଅପେକ୍ଷା ପରେ, ସଂସଦ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାସ୍ କରିଥିଲା। ଏହା ମାଧ୍ୟମରେ, ବିଧାନସଭା ଏବଂ ଲୋକସଭାରେ ମହିଳାଙ୍କ ପାଇଁ ତେତିଶ ପ୍ରତିଶତ ସଂରକ୍ଷଣ ସ୍ଥିର ହୋଇଥିଲା। ସମସ୍ତ ଦଳ ଆଗକୁ ଆସି ଏହି ଗୁରୁତ୍ୱପୂର୍ଣ୍ଣ ଆଇନକୁ ସମର୍ଥନ କରିଥିଲେ। ଏବେ ମହିଳାମାନଙ୍କୁ ଏହି ଅଧିକାର ମିଳିଛି, ଏହି ଅଧିକାରକୁ କାର୍ଯ୍ୟକାରୀ କରିବାରେ କୌଣସି ବିଳମ୍ବ ହେବା ଉଚିତ୍ ନୁହେଁ। ଏବେ ଏହା କାର୍ଯ୍ୟକାରୀ ହେବା ଉଚିତ। ଆଗକୁ ୨୦୨୯ ମସିହାରେ ହେବାକୁ ଥିବା ଲୋକସଭା ନିର୍ବାଚନ ଏବଂ ବିଧାନସଭା ନିର୍ବାଚନ ମଧ୍ୟ ଆସିବ। ଯେକୌଣସି ନିର୍ବାଚନ ଆସୁ ନା କାହିଁକି - ଏହାକୁ ୨୦୨୯ ରୁ ହିଁ ଲାଗୁ କରାଯିବା ଉଚିତ। ଏହା ଦେଶର ଭାବନା; ଏହା ଦେଶର ପ୍ରତ୍ୟେକ ଭଉଣୀ ଏବଂ ଝିଅଙ୍କର ଇଚ୍ଛା। ମାତୃଶକ୍ତିର ଏହି ଇଚ୍ଛାକୁ ଶ୍ରଦ୍ଧାଞ୍ଜଳି ଜଣାଇ ୧୬ ଏପ୍ରିଲରୁ ସଂସଦରେ ଏକ ବିଶେଷ ଆଲୋଚନା କରାଯିବା ନେଇ ସ୍ଥିର କରାଯାଇଛି।। ସମସ୍ତ ରାଜନୈତିକ ଦଳ ମିଳିତ ଭାବରେ, ସର୍ବସମ୍ମତିରେ, ଦେଶର ଭଉଣୀ ଏବଂ ଝିଅମାନଙ୍କ ଅଧିକାର ସହିତ ଜଡିତ ଏହି କାର୍ଯ୍ୟକୁ ଆଗକୁ ନେବା ଉଚିତ ଏବଂ ଏହାକୁ ସମାପ୍ତ କରିବା ଉଚିତ। ଆଜି ମୁଁ ଦେଶର ସମସ୍ତ ଭଉଣୀମାନଙ୍କ ନାମରେ ଏକ ଖୋଲା ଚିଠି ଲେଖିଛି; ହୁଏତ ମୋର ଏହି ଚିଠି ସୋସିଆଲ ମିଡିଆରେ ଆପଣଙ୍କ ପାଖରେ ପହଂଚିଛି ; ସମ୍ଭବତଃ ଟିଭି ଏବଂ ଖବରକାଗଜ ଲୋକମାନେ ମଧ୍ୟ ଏହି ଚିଠିର ଉଲ୍ଲେଖ କରିଛନ୍ତି। ମୁଁ ଦେଶର ମା' ଏବଂ ଭଉଣୀମାନଙ୍କୁ ଏହି କାର୍ଯ୍ୟରେ ଅଂଶୀଦାର ହେବା ପାଇଁ ଆନ୍ତରିକ ଭାବରେ ନିମନ୍ତ୍ରଣ କରିଛି। ମୋର ଦୃଢ଼ ବିଶ୍ୱାସ ଯେ ମୋ ଦେଶର ମାଆ ଏବଂ ଭଉଣୀମାନେ ନିଶ୍ଚିତ ଭାବରେ ଚିଠିଟି ପଢ଼ିବେ। ସେମାନେ ପ୍ରତ୍ୟେକ ଶବ୍ଦ ଉପରେ ଚିନ୍ତନ କରିବେ, ଏବଂ ଏତେ ବଡ଼ ପବିତ୍ର କାର୍ଯ୍ୟ କରିବା ପାଇଁ, ୧୬, ୧୭ ଏବଂ ୧୮ ତାରିଖରେ ସଂସଦକୁ ଆସୁଥିବା ସାଂସଦମାନେ ମଧ୍ୟ ସେମାନଙ୍କର ଆଶୀର୍ବାଦ ପାଇବେ। ଆଜି ଏହି ଦେବଭୂମିରୁ, ମୁଁ ପୁଣି ଥରେ ଦେଶର ସମସ୍ତ ଦଳକୁ ନାରୀ ଶକ୍ତି ବନ୍ଦନ ଅଧିନିୟମରେ ସଂଶୋଧନକୁ ସମର୍ଥନ କରିବାକୁ ଅନୁରୋଧ କରିବି। ୨୦୨୯ ମସିହାରେ, ଆମ ଦେଶର ପଚାଶ ପ୍ରତିଶତ ଜନସଂଖ୍ୟା - ଆମର ମା, ଭଉଣୀ, ଆମର ଝିଅ - ଆସନ୍ତୁ ସେମାନଙ୍କୁ ସେମାନଙ୍କର ଅଧିକାର ଦେବା।
ବନ୍ଧୁଗଣ,
ଯଦି ମୁଁ ଉତ୍ତରାଖଣ୍ଡକୁ ଆସେ ଏବଂ ସେଠାରେ ସେନା ବିଷୟରେ କୌଣସି ଆଲୋଚନା ହୁଏ ନାହିଁ, ତେବେ ମୋର ଏହି ଆଲୋଚନା ଆଲୋଚନା ଅସମ୍ପୂର୍ଣ୍ଣ । ଏହି ଗଢ଼ି କ୍ୟାଣ୍ଟ, ଏହି ବୈଠକ ସ୍ଥାନ, ଉତ୍ତରାଖଣ୍ଡର ମହାନ ସାମରିକ ପରମ୍ପରାର ପ୍ରମାଣ। ନିକଟ ଦେଶର ପ୍ରତିରକ୍ଷା ଏବଂ ସୁରକ୍ଷା ସହିତ ଜଡିତ ଅନେକ ପ୍ରତିଷ୍ଠାନ ଅଛି। ଦେଶ ୧୯୬୨ ଯୁଦ୍ଧରେ ସହିଦ ଜସୱନ୍ତ ସିଂହ ରାୱତଙ୍କ ବୀରତ୍ୱକୁ କେବେ ଭୁଲିପାରିବ ନାହିଁ।
ବନ୍ଧୁଗଣ,
ସେନାର କ୍ଷମତାକୁ ସୁଦୃଢ଼ କରିବା ହେଉ କିମ୍ବା ଆମର ସୈନିକ ପରିବାରର ସୁବିଧା ଏବଂ ସମ୍ମାନ, ଆମ ସରକାର ଏଥିପାଇଁ ନିରନ୍ତର ପ୍ରୟାସ କରୁଛି। ୱାନ୍ ରାଙ୍କ୍ ୱାନ୍ ପେନସନ୍ ଯୋଜନା ମାଧ୍ୟମରେ, ଆମ ସରକାର ଏପର୍ଯ୍ୟନ୍ତ ପୂର୍ବତନ ସୈନିକଙ୍କ ଆକାଉଣ୍ଟରେ ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କା ଜମା କରିସାରିଛି। ଉତ୍ତରାଖଣ୍ଡର ହଜାର ହଜାର ପରିବାର ମଧ୍ୟ ଏହାର ଲାଭ ପାଇଛନ୍ତି। ଏହା ବ୍ୟତୀତ, ଏହି ବର୍ଷ ପୂର୍ବତନ ସୈନିକଙ୍କ ପାଇଁ ସ୍ୱାସ୍ଥ୍ୟ ଯୋଜନାର ବଜେଟ୍ ମଧ୍ୟ ଛତିଶ ପ୍ରତିଶତ ବୃଦ୍ଧି କରାଯାଇଛି। ୭୦ ବର୍ଷ ଏବଂ ତଦୁର୍ଦ୍ଧ୍ୱ ପୂର୍ବତନ ସୈନିକଙ୍କ ପାଇଁ, ଘରେ ଘରେ ଔଷଧ ପହଞ୍ଚାଇବା ମଧ୍ୟ ଆରମ୍ଭ କରାଯାଇଛି। ପୂର୍ବତନ ସୈନିକଙ୍କ ପିଲାମାନଙ୍କ ପାଇଁ ଶିକ୍ଷା ଅନୁଦାନ ମଧ୍ୟ ଦ୍ୱିଗୁଣିତ କରାଯାଇଛି ଏବଂ ଝିଅମାନଙ୍କ ବିବାହ ପାଇଁ ମିଳୁଥିବା ସହାୟତାକୁ ମଧ୍ୟ ୫୦ ହଜାରରୁ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।
ବନ୍ଧୁଗଣ,
ଦେଶଭକ୍ତି, ଈଶ୍ୱରଙ୍କ ପ୍ରତି ଭକ୍ତି ଏବଂ ପ୍ରଗତି ଭଳି ପ୍ରତ୍ୟେକ ଦିଗକୁ ସଂଯୋଗ କରି, ଆମ ସମସ୍ତଙ୍କୁ ଦେଶକୁ ବିକଶିତ କରିବାକୁ ପଡିବ। ପୁଣିଥରେ ଦିଲ୍ଲୀର ଲୋକମାନଙ୍କୁ, ଉତ୍ତର ପ୍ରଦେଶର ଲୋକମାନଙ୍କୁ ଏବଂ ସମଗ୍ର ଦେଶବାସୀଙ୍କୁ ମୁଁ ଏହି ମହାନ ଏକ୍ସପ୍ରେସୱେ ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି।
ମୋ ସହିତ କଥା ହୁଅନ୍ତୁ-
ଭାରତ ମାତା କି ଜୟ!
ଭାରତ ମାତା କି ଜୟ!
ବନ୍ଦେ ମାତରମ୍!
ବନ୍ଦେ ମାତରମ୍!
ବନ୍ଦେ ମାତରମ୍!
ବନ୍ଦେ ମାତରମ୍!
ବନ୍ଦେ ମାତରମ୍!
ବନ୍ଦେ ମାତରମ୍!
ବନ୍ଦେ ମାତରମ୍!
ବହୁତ, ବହୁତ ଧନ୍ୟବାଦ!
ଅସ୍ୱୀକାର: ଏହା ପ୍ରଧାନମନ୍ତ୍ରୀଙ୍କ ଭାଷଣର ଆନୁମାନିକ ଅନୁବାଦ। ମୂଳ ଭାଷଣ ହିନ୍ଦୀରେ ଦିଆଯାଇଥିଲା।
*****
SPD
(ରିଲିଜ ଆଡି: 2254730)
ପରିଦର୍ଶକ କାଉଣ୍ଟର : 16
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam