ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଭାରତ-ଇୟୁ ବିଜିନେସ ଫୋରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
प्रविष्टि तिथि:
27 JAN 2026 8:05PM by PIB Bhubaneshwar
ମହାମହିମ
ସଭାପତି ମହୋଦୟା, ଭାରତର ବ୍ୟାବସାୟିକ ନେତୃବୃନ୍ଦ, ସମସ୍ତଙ୍କୁ ମୋର ଶୁଭାଭିବାଦନ । ଭାରତ-ୟୁରୋପିଆନ ୟୁନିଅନ ବିଜିନେସ ଫୋରମରେ ଅଂଶଗ୍ରହଣ କରି ମୁଁ ବେଶ ଆନନ୍ଦିତ । ୟୁରୋପିଆନ ୟୁନିଅନ କାଉନସିଲର ସଭାପତି ଓ କମିଶନଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମ କେବଳ ଏକ ମାମୁଲି କୂଟନୈତିକ ଗସ୍ତ ନୁହେଁ ବରଂ ଭାରତ ଓ ୟୁରୋପିଆନ ୟୁନିଅନ ଭିତରେ ଗଢି ଉଠିଥିବା ସମ୍ପର୍କର ଏକ ନୂଆ ଅଧ୍ୟାୟ । ଭାରତର ସାଧାରଣତନ୍ତ୍ର ଦିବସରେ ପ୍ରଥମଥର ପାଇଁ ୟୁରୋପିଆନ ୟୁନିଅନ ନେତୃବୃନ୍ଦ ମୁଖ୍ୟ ଅତିଥି ହେବା, ଭାରତର ଇତିହାସରେ ଭାରତ-ୟୁରୋପିଆନ ୟୁନିଅନ ଭିତରେ ରହିଥିବା ବୃହତ ଏଫଟିଏର ଉପସଂହାର ଏବଂ ଅନେକ ସିଇଓଙ୍କୁ ନେଇ ବଡ ଆକାରରେ ଅନୁଷ୍ଠିତ ହେଉଥିବା ଭାରତ-ୟୁରୋପିଆନ ୟୁନିଅନ ବିଜିନେସ ଫୋରମ ପରି ସଫଳତା ବିଶ୍ୱର ଦୁଇ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭିତରେ ରହିଥିବା ଅଭୂତପୂର୍ବ ସାମଞ୍ଜସ୍ୟର ପ୍ରତୀକ ।
ବନ୍ଧୁଗଣ,
ଏହି ସାମଞ୍ଜସ୍ୟ କେବଳ ଆକସ୍ମିକ ନୁହେଁ, ବରଂ ବଜାର ଅର୍ଥନୀତି ହିସାବରେ ବିଭିନ୍ନ ମୂଲ୍ୟବୋଧକୁ ଆମେ ସେୟାର କରିଥାଉ । ବୈଶ୍ୱିକ ସ୍ଥିରତା ଲାଗି ବିଭିନ୍ନ ପ୍ରାଥମିକତାକୁ ଆମେ ସେୟାର କରିଥାଉ । ମୁକ୍ତ ସମାଜ ହିସାବରେ ଆମ ନାଗରିକମାନଙ୍କ ଭିତରେ ଏକ ପ୍ରାକୃତିକ ଯୋଗସୂତ୍ର ରହିଛି । ଏହି ସଶକ୍ତ ପୃଷ୍ଠଭୂମିରେ ଆମ ଭିତରେ ରହିଥିବା ସହଭାଗିତାକୁ ଆମେ ନୂଆ ଶିଖରକୁ ନେଇଛୁ । ଏହି ସହଭାଗିତାକୁ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ସହଭାଗିତା ହିସାବରେ ଆମେ ପ୍ରତିଷ୍ଠା କରିପାରିଛୁ । ଏହାର ପ୍ରଭାବ ସ୍ପଷ୍ଟ ଭାବରେ ଆମକୁ ଦେଖାଯାଉଛି । ଗତ ଦଶ ବର୍ଷ ଭିତରେ ୧୮୦ ବିଲିୟନ ୟୁରୋରେ ପହଂଚି ଆମ ବାଣିଜ୍ୟିକ କାରବାର ଦ୍ୱିଗୁଣା ହୋଇପାରିଛି । ଭାରତରେ ଛଅ ହଜାରରୁ ଊର୍ଦ୍ଧ୍ୱ ୟୁରୋପୀୟ କମ୍ପାନୀ କାମ କରୁଛନ୍ତି । ୟୁରୋପିଆନ ୟୁନିଅନ ପକ୍ଷରୁ ଭାରତରେ ୧୨୦ ବିଲିୟନ ୟୁରୋରୁ ଅଧିକ ପୁଞ୍ଜି ବିନିଯୋଗ କରାଯାଇଛି । ୟୁରୋପିଆନ ୟୁନିୟନରେ ପ୍ରାୟ ଦେଢ ହଜାର ଭାରତୀୟ କମ୍ପାନୀ ଉପସ୍ଥିତ ଅଛନ୍ତି । ପାଖାପାଖି ୪୦ ବିଲିୟନ ୟୁରୋରେ ଭାରତୀୟ ପୁଞ୍ଜି ବିନିଯୋଗ ପହଂଚିଛି । ରାସ୍ତା ଓ ପୂର୍ତ, ମାନୁଫାକଚରିଂ ଓ ସେବା ପରି ବିଭିନ୍ନ କ୍ଷେତ୍ରରେ ଭାରତ ଓ ୟୁରୋପିଆନ ୟୁନିୟନ ଭିତରେ ସମ୍ପର୍କ ଗଭୀରତର ହୋଇପାରିଛି । ଆପଣମାନଙ୍କ ପରି ବ୍ୟାବସାୟିକ ନେତୃତ୍ୱ ଉଭୟ କାରକ ଓ ଏହାର ଉପଭୋକ୍ତା ।
ବନ୍ଧୁଗଣ,
ଏହି ସହଭାଗିତାକୁ ଏକ ସାମାଜିକ ସମୁଦାୟ ସହଭାଗିତାରେ ପରିଣତ କରିବାର ଏବେ ସମୟ ଆସିଛି । ଏହି ଚିନ୍ତାଧାରା ସହ ଏକ ସମ୍ପୂର୍ଣ୍ଣ ଏଫଟିଏରେ ଆମେ ଏହାକୁ ପରିଣତ କରିପାରିଛେ । ଏହା ମାଧ୍ୟମରେ ଭାରତୀୟ ଶ୍ରମିକଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟ ଏବେ ୟୁରୋପିଆନ ୟୁନିୟନ ବଜାରକୁ ପ୍ରବେଶ କରିପାରିଛି । ଏହା ଅଧୀନରେ ବୟନଶିଳ୍ପ, ଜୁଏଲାରୀ, ଅଟୋ ପାର୍ଟସ, ଇଞ୍ଜିନିୟରିଂ ଉତ୍ପାଦ ପରି ବିଭିନ୍ନ ଜିନିଷ ରହିଛି । ଫଳ, ପରିବା, ପ୍ରସ୍ତୁତ ଖାଦ୍ୟ, ସାମୁଦ୍ରିକ ଉତ୍ପାଦ ପରି ବିଭିନ୍ନ ଜିନିଷ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି । କୃଷି, ମତ୍ସ୍ୟଚାଷ, ସେବା ପରି ବିଭିନ୍ନ କ୍ଷେତ୍ରରେ ଏହାର ସିଧା ସୁଫଳ ମିଳିପାରିବ । ବିଶେଷ ଭାବରେ ଆଇଟି, ଶିକ୍ଷା, ଔଷଧ, ବ୍ୟାବସାୟିକ ସେବା ପରି କ୍ଷେତ୍ର ଏହା ଦ୍ୱାରା ଉପକୃତ ହୋଇପାରିବେ ।
ବନ୍ଧୁଗଣ,
ବୈଶ୍ୱିକ ବ୍ୟବସାୟ କ୍ଷେତ୍ରରେ ଏବେ ଅସ୍ଥିରତା ସୃଷ୍ଟି ହୋଇଛି । ପ୍ରତି କମ୍ପାନୀ ନିଜ ନିଜର ସହଭାଗିତା ଓ ବଜାର ରଣକୌଶଳ ନୂଆ ଭାବରେ ଦେଖିବା ଆରମ୍ଭ କଲେଣି । ଏପରି ଏକ ସମୟରେ ସାରା ବିଶ୍ୱ ପାଇଁ ଏଫଟିଏ ଏକ ସ୍ୱଚ୍ଛ ଓ ସକରାତ୍ମକ ବାର୍ତା ଦେଉଛି । ଏକ ଦକ୍ଷ, ନିର୍ଭର ଯୋଗ୍ୟ, ଭବିଷ୍ୟ ସହଭାଗିତା ପାଇଁ ଉଭୟ ପକ୍ଷର ବ୍ୟବସାୟୀ ସମୁଦାୟ ପାଇଁ ଏହା ଏକ ନିମନ୍ତ୍ରଣ । ଆପଣମାନେ ଏହି ଏଫଟିଏର ଭରପୂର ସୁଯୋଗ ନେବା ପାଇଁ ମୋର ପୂର୍ଣ୍ଣ ବିଶ୍ୱାସ ରହିଛି ।
ବନ୍ଧୁଗଣ,
ବିଭିନ୍ନ ପ୍ରାଥମିକତା ଆଧାରରେ ଭାରତ ଓ ୟୁରୋପିଆନ ୟୁନିୟନ ଏହାର ସୁଫଳ ପାଇପାରିବେ । ଏହି ପରିପ୍ରେକ୍ଷୀରେ ମୁଁ ତିନିଟି ପ୍ରାଥମିକତା ସମ୍ପର୍କରେ ଆଲୋଚନା କରିବି । ପ୍ରଥମତଃ ଆଜିର ବିଶ୍ୱରେ ବାଣିଜ୍ୟ, ପ୍ରଯୁକ୍ତି ବିଦ୍ୟା, ବିରଳ ଖଣିଜ ପଦାର୍ଥକୁ ଅସ୍ତ୍ରଶସ୍ତ୍ରର ରୂପ ଦିଆଯାଉଛି । ଏକାଠି କାମ କରି ଏହି ନିର୍ଭରଶୀଳତାକୁ ଆମେ ମୁକ୍ତ କରିବା ଉଚିତ । ଇଭି, ବ୍ୟାଟେରୀ, ଚିପ, ଏପିଆଇ ଉପରେ ରହିଥିବା ବାହ୍ୟ ନିର୍ଭରଶୀଳତାକୁ ଆମ ବ୍ୟବସାୟୀ ସମୁଦାୟ ହଟାଇପାରିବେ କି । ଏହି ନିର୍ଭରଶୀଳ ସପ୍ଲାଏ ଚେନର ବିକଳ୍ପ ଆମେ ତିଆରି କରିପାରିବା କି । ଦ୍ୱିତୀୟରେ ପ୍ରତିରକ୍ଷା ଶିଳ୍ପ ଓ ପ୍ରଯୁକ୍ତି ବିଦ୍ୟା ଉପରେ ଉଭୟ ଭାରତ ଓ ୟୁରୋପିଆନ ୟୁନିୟନର ଫୋକସ ରହିଛି । ପ୍ରତିରକ୍ଷା, ମହାକାଶ, ଟେଲିକମ, ଏଆଇ ପରି ବିଭିନ୍ନ କ୍ଷେତ୍ରରେ ସହଭାଗିତା ବୃଦ୍ଧି କରିବାକୁ ମୁଁ ଆଗ୍ରହ ପ୍ରକାଶ କରିବି । ତୃତୀୟରେ ଏକ ସ୍ୱଚ୍ଛ ଓ ସୂଦରପ୍ରସାରୀ ଭବିଷ୍ୟତ ପାଇଁ ଉଭୟ ପ୍ରତିବଦ୍ଧ । ଗ୍ରୀନ ହାଇଡ୍ରୋଜେନଠାରୁ ଆରମ୍ଭ କରି ସୌରଶକ୍ତି, ସ୍ମାର୍ଟ ଗ୍ରୀଡ ଯାଏ ମିଳିତ ଗବେଷଣା ଓ ପୁଞ୍ଜି ବିନିଯୋଗକୁ ଆମେ ବଢାଇବା ଉଚିତ । କ୍ଷୁଦ୍ର ମଡୁଲାର ରିଆକ୍ଟର ଉପରେ ଉଭୟ ଶିଳ୍ପ କାମ କରିବା ଉଚିତ । ଏହାସହ ପ୍ରତିଟି କ୍ଷେତ୍ରରେ ଜଳ ପରିଚାଳନା, ସର୍କୁଲାର ଅର୍ଥନୀତି, କୃଷି ଉପରେ ଆମେ ସମାଧାନ ବାହାର କରିବା ଉଚିତ ।
ବନ୍ଧୁଗଣ,
ଆଜିର ଐତିହାସିକ ନିଷ୍ପତି ପରେ ଆମ ସମସ୍ତଙ୍କ ଉପରେ ଏକ ସ୍ୱତନ୍ତ୍ର ଦାୟିତ୍ୱସମ୍ପନ୍ନତା ବୃଦ୍ଧି ପାଇଛି । ଏହା ପରେ ଆମ ବ୍ୟବସାୟୀ ଗୋଷ୍ଠୀ ପରବର୍ତୀ ପଦକ୍ଷେପ ନେବେ । ପାରସ୍ପରିକ ସହଯୋଗକ୍ରମେ ଆମ ସହଭାଗିତା ଆସ୍ଥା ଭାଜନ ହେବା ସହ ପ୍ରସାରିତ ହୋଇପାରିବ । ଆପଣମାନଙ୍କ ଉଦ୍ୟମରେ ଆମେ ସମୃଦ୍ଧିକୁ ଛୁଇଁପାରିବା । ଆମେ ଆମର ଦାୟିତ୍ୱସମ୍ପନ୍ନତା ପ୍ରତି ସଜାଗ ରହି ସାରା ବିଶ୍ୱ ପାଇଁ ବିକାଶର ଡବଲ ଇଞ୍ଜିନ ହୋଇପାରିବା ।
ବହୁତ ବହୁତ ଧନ୍ୟବାଦ ।
PBD
(रिलीज़ आईडी: 2219571)
आगंतुक पटल : 4
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Odia
,
Telugu
,
Kannada
,
Malayalam